ଆଉ ମାତ୍ର ବର୍ଷକ ପରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଦୃଷ୍ଟିରୁ ଏହା ମମତା ବାନାର୍ଜୀଙ୍କ ସକାଶେ ନୂତନ ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ସ୍ବାଭାବିକ। ସୁତରାଂ, ସନ୍ଦେହ ପ୍ରକଟକାରୀମାନେ କହନ୍ତି ଯେ ଏଭଳି ସ୍ଥିତି ଉପରୁ ଦୃଷ୍ଟି ହଟାଇବା ଲାଗି ଏଭଳି ଦଙ୍ଗାକୁ ହୁଏତ ପ୍ରଶ୍ରୟ ଦିଆଯାଇଛି।
ନୂତନ ୱାକଫ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ସଂଘଟିତ ହୋଇଯାଇଥିବା ସାଂପ୍ରଦାୟିକ ଦଙ୍ଗା ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଉପଲବ୍ଧ ଖବରଗୁଡ଼ିକ ଅନୁସାରେ ଏହି ଆଇନର ପ୍ରତିବାଦ କରି ସଡ଼କକୁ ଓହ୍ଲାଇଥିବା ମୁସଲିମ ସଂପ୍ରଦାୟର ଏକ ଗୋଷ୍ଠୀ କ୍ରମେ ଉନ୍ମତ୍ତ ଭିଡ଼ରେ ପରିଣତ ହୋଇ ବ୍ୟାପକ ଭଙ୍ଗାରୁଜା, ପୋଡ଼ାଜଳା ଓ ରକ୍ତପାତ ଭିଆଇ ଥିଲେ। ଏହା ଫଳରେ ତିନି ଜଣଙ୍କ ପ୍ରାଣହାନି ଘଟିବା ସହିତ ପ୍ରାୟ ପାଞ୍ଚ ଶହ ସରିକି ହିନ୍ଦୁ ଧର୍ମାବଲମ୍ବୀ ସେମାନଙ୍କ ଭିଟାମାଟି ଛାଡ଼ି ଅନ୍ୟତ୍ର ଶରଣାର୍ଥୀ ହୋଇଛନ୍ତି। ଅବଶ୍ୟ, ଏହା ଏକ କ୍ରୂର ବାସ୍ତବତା ଯେ ପଶ୍ଚିମବଙ୍ଗର ରାଜନୈତିକ ପରିବେଶ ପାରଂପରିକ ଭାବେ ଅତ୍ୟନ୍ତ ଦହନଶୀଳ, ଯେଉଁ କାରଣରୁ ସେଠାରେ ରାଜନୈତିକ ହିଂସାଚାର ଓ ରକ୍ତପାତ ଏକ ନିୟମିତ ବ୍ୟାପାର ହୋଇଥାଏ। କିନ୍ତୁ, ଶଂସିତ ଘଟଣାଟି ପୂର୍ବରୁ ଘଟୁଥିବା ଘଟଣାଗୁଡ଼ିକ ଭଳି ନ ହୋଇ କେତେକ କାରଣରୁ ଅଧିକ ଉଦ୍ବେଗଜନକ ହୋଇଥାଏ, ଯେଉଁ ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୱାକଫ ଆଇନର ତୀବ୍ର ବିରୋଧ କରି ଯେଉଁ ଉଚ୍ଚାଟିତ ବିବୃତ୍ତି ଦେଇଛନ୍ତି, ତହିଁରେ ଦଙ୍ଗାର ଆଶଙ୍କା ବିଷୟ ସ୍ଥାନ ପାଇଛି। ୱାକଫ ଆଇନ ପ୍ରଣୀତ ହେବା ପରେ ଏକ ବିସ୍ଫୋରକ ସ୍ଥିତିର ଆଶଙ୍କାରେ ଉଦ୍ବେଗ ଜର୍ଜର ମମତା ଏଭଳି କହିଥିବେ! କିନ୍ତୁ ଏହାର ଅପର ପକ୍ଷଟି ହେଲା, ତାଙ୍କ ଦ୍ବାରା ଦଙ୍ଗାର ଉଲ୍ଲେଖ ହେତୁ ଏହି ଅତ୍ୟନ୍ତ ବର୍ଜନୀୟ ବିକଳ୍ପଟି କତିପୟ ଉଦ୍ଭ୍ରାନ୍ତ ତତ୍ତ୍ବଙ୍କୁ ଏକ ଅନୁସରଣୀୟ ମାର୍ଗ ଭଳି ଦିଶିଥିବ। ପଶ୍ଚିମବଙ୍ଗର ତୀବ୍ର ରାଜନୈତିକ ଧ୍ରୁବୀକରଣର ବାତାବରଣରେ ଉପଦ୍ରବ ସୃଷ୍ଟି ସକାଶେ ୱାକଫ ଆଇନର ପ୍ରତିବାଦ ଏକ ସହଜ ଆଳ ମଧ୍ୟ ହୋଇଥିବ। କହିବା ବାହୁଲ୍ୟ, ସମର୍ଥନ ଓ ବିରୋଧ ନିର୍ବିଶେଷରେ ୱାକଫ ବିଲ୍ଟି ସଂସଦର ଉଭୟ ଗୃହରେ ଭରପୂର ବିତର୍କ ଓ ଭୋଟ ଗ୍ରହଣ ମାଧ୍ୟମରେ ସଂପୂର୍ଣ୍ଣ ସାଂବିଧାନିକ ପଦ୍ଧତିରେ ଗୃହୀତ ହୋଇଛି ଏବଂ ସାଂବିଧାନିକ ଉପାୟରେ ଏହାର ବିରୋଧ ସର୍ବୋଚ୍ଚ ଅଦାଲତରେ ଦାୟର ହୋଇଥିବା ଏକାଧିକ ଯାଚିକାରେ ପରିଦୃଷ୍ଟ ହୋଇଥାଏ। ଏଭଳି ସ୍ଥଳେ ‘ଦଙ୍ଗା’(ପ୍ରତିବାଦ ଲାଗି) ଭଳି ଶବ୍ଦର ଇଙ୍ଗିତଧର୍ମୀ ପ୍ରୟୋଗ ମଧ୍ୟ ଗର୍ହିତ, ଯାହା ଦୀର୍ଘ ଦେଢ଼ ଦଶନ୍ଧି ଧରି ରାଜ୍ୟରେ କ୍ଷମତାରୂଢ଼ ଥିବା ଜଣେ ପୋଖତ ନେତ୍ରୀଙ୍କ ଠାରୁ ଆଶା କରା ଯାଇ ନ ଥାଏ। ସୁତରାଂ, ଏଭଳି ଅବିମୃଶ୍ୟକାରୀ ପରିପକ୍ବହୀନତା ହେଉଛି ଚିନ୍ତାର ପ୍ରଥମ କାରଣ।
ଏହି ଦଙ୍ଗାରେ କିଶୋର ଓ ପ୍ରାକ୍-କୈଶୋରରେ ଥିବା ବାଳକମାନେ ମଧ୍ୟ ପଥର ବୃଷ୍ଟି, ଭଙ୍ଗାରୁଜା ଓ ପୋଡ଼ାଜଳା ଭଳି କାର୍ଯ୍ୟରେ ଲିପ୍ତ ହୋଇଛନ୍ତି। ଅନେକ ପର୍ଯ୍ୟବେକ୍ଷକ ଏଥିରେ କିଛି ବର୍ଷ ପୂର୍ବର ଆତଙ୍କବାଦ କବଳିତ କାଶ୍ମୀରର ପ୍ରତିଧ୍ବନି ଶୁଣନ୍ତି। ଛଅ ବା ସାତ ବର୍ଷ ପୂର୍ବର କାଶ୍ମୀରରେ ଘଟୁଥିବା ଭଳି ମୁର୍ସିଦାବାଦରେ ମଧ୍ୟ ମସଜିଦରେ ଏକତ୍ର ହୋଇଥିବା କିଛି ଲୋକ ତହିଁରୁ ବାହାରି ଦଙ୍ଗା କରିଛନ୍ତି। ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ନାବାଳକମାନଙ୍କ ସାଂପ୍ରଦାୟିକୀକରଣ ବା ସେମାନଙ୍କୁ ହିଂସା ପ୍ରମତ୍ତ କରିବାର ପ୍ରକରଣ ବା ଉପଦ୍ରବ ସୃଷ୍ଟିରେ ମସଜିଦର ବ୍ୟବହାର ଭଳି ବିଷୟରେ ଆତଙ୍କବାଦୀଙ୍କ ଅନୁସୃତ ପଦ୍ଧତି ଦେଖିବାକୁ ମିଳିଥାଏ। ପ୍ରକାଶ ଥାଉ କି ମୁସଲିମ ସଂଖ୍ୟାବହୁଳ ଜିଲ୍ଲା ମୁର୍ସିଦାବାଦର ଅବସ୍ଥିତି ଭାରତ ଓ ବାଂଲାଦେଶର ସୀମା ନିକଟରେ, ଯେଉଁ କାରଣରୁ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ‘ସିମି’ ଏଠାରେ ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମରତ ବୋଲି ସୂଚନାମାନ ମିଳିଥାଏ। ପଶ୍ଚିମବଙ୍ଗରେ ବିଜେପିର ପଦଚିହ୍ନରେ କ୍ରମାଗତ ବୃଦ୍ଧି ପରେ ସେଠାରେ ଧ୍ରୁବୀକରଣ ଓ ତୁଷ୍ଟୀକରଣର ଯେଉଁ ବିପଜ୍ଜନକ ରାଜନୀତି ନିଘଞ୍ଚତା ଲାଭ କରିବାରେ ଲାଗିଛି, ସେହି ବାତାବରଣରେ ହିଂସ୍ର ମୌଳବାଦ ଓ ଆତଙ୍କବାଦର ବିଷ ବୃକ୍ଷ ପଲ୍ଲବିତ ହେବାର ସୁଯୋଗ ଲାଭ କରିଛି। ଏହା ଚିନ୍ତାର ଦ୍ବିତୀୟ କାରଣ।
ଜଣାପଡ଼ିଛି ଯେ ‘ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ’ ବା ‘ଏସ.ଡି.ପି.ଆଇ.’ର କେତେକ ସଦସ୍ୟ ସେଠାରେ ଘରକୁ ଘର ବୁଲି ୱାକଫ ଆଇନ ବିରୋଧରେ ଉସୁକାଇଥିେଲ। ତଥାକଥିତ ରାଜନୈତିକ ଦଳ ‘ଏସ.ଡି.ପି.ଆଇ.’ ସଂପର୍କରେ କେବଳ ଏତିକି କହିେଲ ଯଥେଷ୍ଟ ହେବ ଯେ କାରାଗାରାବଦ୍ଧ ଚରମ ମୌଳବାଦୀ ଏରାପୁଙ୍ଗଲ ଆବୁବେକର ଦ୍ବାରା ସ୍ଥାପିତ ‘ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ’ ବା ‘ପି.ଏଫ.ଆଇ.’କୁ ଏକ ଆତଙ୍କବାଦୀ ସଂଗଠନ ରୂପେ ଆମ ଦେଶରେ ନିଷିଦ୍ଧ ଘୋଷଣା କରାଗଲା ପରେ ସେ ୨୦୦୯ ମସିହାରେ ‘ଏସ.ଡି.ପି.ଆଇ.’ର ପ୍ରତିଷ୍ଠା କରିଥିଲା। ପ୍ରକାଶ ଥାଉ କି କେରଳ ନିବାସୀ ଆବୁବେକରର ଲକ୍ଷ୍ୟ ହେଉଛି ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ଇସଲାମୀୟ ରାଷ୍ଟ୍ରରେ ପରିଣତ କରିବା। ସୁତରାଂ, ପଶ୍ଚିମବଙ୍ଗରେ ‘ଏସ.ଡି.ପି.ଆଇ.’ର ନିରଙ୍କୁଶ କାର୍ଯ୍ୟକଳାପ ବିବ୍ରତବୋଧ ସୃଷ୍ଟି କରିବାର ତୃତୀୟ କାରଣ।
କେତେକ ସନ୍ଦେହ କରନ୍ତି ଯେ ଏହି ଦଙ୍ଗା ପଛରେ ନିହିତ ଥାଇପାରେ ଏକ ଅଭିସନ୍ଧି ବା ଚକ୍ରାନ୍ତ! କାରଣ ସେମାନଙ୍କ ମତରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ସଂପ୍ରତି କ୍ରମବର୍ଦ୍ଧିଷ୍ଣୁ ଜନ ରୋଷର ସମ୍ମୁଖୀନ ହେଉଛି, ଯାହାର କାରଣ ମାତ୍ରାତିରିକ୍ତ ଦୁର୍ନୀତି ଓ ଆଇନ ଶୃଙ୍ଖଳା ସ୍ଥିତିରେ ତୀବ୍ର ସ୍ଖଳନ। ‘ଏନ.ସି.ଆର.ବି.’ ଓ ‘ଏନ.ଏସ.ଓ.’ ଭଳି ବିଶ୍ବସନୀୟ ପରିସଂଖ୍ୟାନ ସୂତ୍ରରୁ ଜଣାପଡ଼ିଥାଏ ଯେ ନାରୀ ବିରୋଧୀ ପାରିବାରିକ ହିଂସା, ଏସିଡ୍ ଆକ୍ରମଣ ଓ ଜାଲି ନୋଟ୍ କାରବାରରେ ପଶ୍ଚିମବଙ୍ଗର ସ୍ଥାନ ହେଉଛି ଦେଶରେ ପ୍ରଥମ। ବିଗତ ସାତ ବର୍ଷରେ ଏହି ରାଜ୍ୟ ତିନି ନିୟୁତ ନିଯୁକ୍ତି ହରାଇଛି। ଏହି ରାଜ୍ୟରେ ‘ଜି.ଏସ.ଟି.’ ଆଦାୟରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି। ଏଭଳି ଏକ ସମୟରେ ତୃଣମୂଳ କଂଗ୍ରେସର ନେତା ଓ ମନ୍ତ୍ରୀଙ୍କ ଦୁର୍ନୀତି ପଦାକୁ ଆସି ପ୍ରାୟ ୨୬ ହଜାର ଶିକ୍ଷକ ନିଯୁକ୍ତି ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ରଦ୍ଦ ହୋଇଯିବା ଭଳି ଘଟଣା ଯେ ସେଠାରେ ଘୋର ଅସନ୍ତୋଷ ଓ ଉତ୍ତେଜନା ସୃଷ୍ଟି କରିଥିବ, ତାହା କହିବା ବାହୁଲ୍ୟ ମାତ୍ର। ଆଉ ମାତ୍ର ବର୍ଷକ ପରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଦୃଷ୍ଟିରୁ ଏହା ମମତା ବାନାର୍ଜୀଙ୍କ ସକାଶେ ନୂତନ ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ସ୍ବାଭାବିକ। ସୁତରାଂ, ସନ୍ଦେହ ପ୍ରକଟକାରୀମାନେ କହନ୍ତି ଯେ ଏଭଳି ସ୍ଥିତି ଉପରୁ ଦୃଷ୍ଟି ହଟାଇବା ଲାଗି ଏଭଳି ଦଙ୍ଗାକୁ ହୁଏତ ପ୍ରଶ୍ରୟ ଦିଆଯାଇଛି। ଏହା ଉଦ୍ବେଗର ଚତୁର୍ଥ କାରଣ।
ତୃଣମୂଳ କଂଗ୍ରେସ ନେତୃତ୍ବାଧୀନ ରାଜ୍ୟ ସରକାର ଓ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ମଧ୍ୟରେ ଥିବା ସଂପର୍କରେ ବଢ଼ି ଚାଲିଥିବା ତିକ୍ତତା ମଧ୍ୟ ଅତ୍ୟନ୍ତ ବିଚଳିତକର, ଯାହା ସମୟ ଅସମୟରେ ନୀଚ ଓ ବ୍ୟକ୍ତିଗତ ସ୍ତରକୁ ମଧ୍ୟ ଖସି ଆସିଥାଏ। ସୁତରାଂ, ସଂବିଧାନରେ ଉଲ୍ଲିଖିତ ସଂଘୀୟ ଭାବନାକୁ ଏହା ପ୍ରତିହତ କରିଥାଏ। ଶାଶୁ-ବୋହୂ କଜିଆ ସୁଲଭ ଇତର ସ୍ତରୀୟ ଏହି କଳହରେ ହୀନ ବଡ଼ିମା, ଅହଂକାର ଓ କର୍ତ୍ତୃତ୍ବ ନିରୂପଣର ପ୍ରତିଦ୍ବନ୍ଦ୍ବିତା ହିଁ ଅଧିକ ସ୍ପଷ୍ଟ। ଏଥିରେ ବୃହତ୍ତର ସ୍ବାର୍ଥ ସାଧନର ଚିନ୍ତା ନ ଥାଏ। ଏହି ଦଙ୍ଗା ପ୍ରସଙ୍ଗରେ ମମତା ବାନାର୍ଜୀ ଅତ୍ୟନ୍ତ ହାସ୍ୟାସ୍ପଦ ଭାବେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ବି.ଏସ.ଏଫ. ଆଡ଼କୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି, ଅଗତ୍ୟା ଦଙ୍ଗା ରୋକିବାକୁ ଯେଉଁମାନଙ୍କ ସାହାଯ୍ୟ ଲୋଡ଼ା ଯାଇଥିଲା! କହିବା ବାହୁଲ୍ୟ ଯେ ମତାଦର୍ଶ ଆଧାରିତ ବିଦ୍ବେଷ ସେଠାରେ ଏଭଳି ଧ୍ରୁବୀକରଣର ପରିବେଶ ସୃଷ୍ଟି କରିଛି, ଯହିଁରେ ସାଂପ୍ରଦାୟିକ ସଦ୍ଭାବ ସୃଷ୍ଟି ବା ମୌଳବାଦର ପ୍ରଶମନ ଭଳି ବିଷୟମାନ ଅସମ୍ଭବ ବ୍ୟାପାର ଭଳି ନିଶିଥାଏ। ଏହା ହେଉଛି ସର୍ବାଧିକ ଚିନ୍ତାଜନଜ ଏବଂ ଏହା ପଞ୍ଚମ କାରଣ।