ଚୀନ୍ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧର ଫାର୍ଶ୍ବଫଳ ସ୍ବରୂପ ଭାରତ ସର୍ବାଧିକ ଲାଭବାନ ହେବାକୁ ଯାଉଛି ବୋଲି ଯେଉଁ ଏକ ଧାରଣା ସୃଷ୍ଟି ହୋଇଛି, ବ୍ରିଟେନ୍ ସହିତ ଭାରତର ଏହି ବାଣିଜ୍ୟ ଚୁକ୍ତି ସଂପାଦନ ସେଥିପାଇଁ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି। ଭାରତ ଯେ ହେଉଛି ନିବେଶ ପାଇଁ ଏକ ନିରାପଦ ସ୍ଥଳୀ, ବ୍ରିଟେନ୍ ସହିତ ବାଣିଜ୍ୟ ଚୁକ୍ତି ଆନ୍ତର୍ଜାତିକ ନିବେଶକମାନଙ୍କ ପାଇଁ ଏ ସମ୍ବନ୍ଧରେ ଏକ ନିଶ୍ଚିତ ଭରସାଯୋଗ୍ୟ ସନ୍ଦେଶ ବହନ କରିଥାଏ।

Advertisment

ପାକିସ୍ତାନ ସହିତ ଆମେ ମେ ୭ରେ ଆରମ୍ଭ ହୋଇଥିବା ଏକ ସଂକ୍ଷିପ୍ତ ଯୁଦ୍ଧରେ ପ୍ରବୃତ୍ତ ଥିବାବେଳେ ଭାରତ ସଂପୃକ୍ତ ଥିବା ଭିନ୍ନ ଏକ ଯୁଦ୍ଧରେ ଘଟିଥିବା ଯେଉଁ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣା ସାମୟିକ ଭାବରେ ଆମର ଦୃଷ୍ଟିପଥ ଆଢୁଆଳରେ ରହିଯାଇଥିବା ଭଳି ମନେ ହୋଇଥାଏ, ତାହା ହେଉଛି ମେ ୬ ତାରିଖ ଦିନ ଭାରତ ଓ ବ୍ରିଟେନ୍ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଏକ ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଆମଦାନି ଶୁଳ୍‌କ ବା ‘ଟାରିଫ୍’କୁ ଏକ ଘାତକ ଅସ୍ତ୍ର ରୂପେ ପ୍ରୟୋଗ କରି ଯେତେବେଳେ ଆନ୍ତର୍ଜାତିକ ବାଣିଜ୍ୟକୁ ବସ୍ତୁତଃ ଦେଶ ଦେଶ ମଧ୍ୟରେ ଏକ ଯୁଦ୍ଧ ଭଳି ବଳ କଷାକଷିରେ ପରିଣତ କରିଦେଇଛନ୍ତି, ସେତିକିବେଳେ ଏହି ଚୁକ୍ତି ପୃଥିବୀର ପଞ୍ଚମ ଓ ଷଷ୍ଠ ବୃହତ୍ତମ ଅର୍ଥନୀତିଦ୍ବୟ ମଧ୍ୟରେ ଏକ ଅତ୍ୟନ୍ତ ସ୍ବାଗତଯୋଗ୍ୟ ସନ୍ଧି ରୂପେ ଆବିର୍ଭୂତ ହୋଇ ସମସ୍ତଙ୍କୁ ଚମତ୍କୃତ କରିଦେଇଛି। ଏହାର ଏକ ପ୍ରମାଣ ସ୍ବରୂପ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ସାର୍ କେର୍ ଷ୍ଟାର୍ମର୍ ଏହି ଚୁକ୍ତି ସ୍ବାକ୍ଷରିତ ହେବା ପରେ ଏହାକୁ ‘ବ୍ରେକ୍ସିଟ୍’ ପରେ ବ୍ରିଟେନ୍‌ର ‘‘ବୃହତ୍ତମ ବାଣିଜ୍ୟିକ ପଦକ୍ଷେପ’’ ରୂପେ ବର୍ଣ୍ଣନା କରିବା ସହିତ ଭାରତର ବାଣିଜ୍ୟିକ ଇତିହାସରେ ଏହାକୁ ‘‘ସର୍ବାଧିକ ମହତ୍ତ୍ବାକାଙ୍‌କ୍ଷୀ’’ ଚୁକ୍ତି ରୂପେ ଅଭିହିତ କରିଛନ୍ତି।
ଏହି ଚୁକ୍ତିକୁ ଯାହା ବିଶେଷ ଗୁରୁତ୍ବ ପ୍ରଦାନ କରିଥାଏ, ତାହା ହେଲା ଦୀର୍ଘ ତିନି ବର୍ଷରୁ ଅଧିକ କାଳ ଧରି ଉଭୟ ପକ୍ଷଙ୍କ ମଧ୍ୟରେ କସରତ ଚାଲିବା ପରେ ବର୍ତ୍ତମାନ ସେମାନେ ଏହି ଅନ୍ତିମ ବୁଝାମଣାରେ ପହଞ୍ଚି ପାରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୁଦ୍ଧର ଘନଘଟା ମଧ୍ୟରେ ସମୟ ବାହାର କରି ଷ୍ଟାର୍ମର୍‌ଙ୍କ ସହିତ ସ୍ବର ମିଳାଇ ଏହି ଚୁକ୍ତିକୁ ଏକ ‘‘ନିଶାଣ ଖୁଣ୍ଟ’’ର ମର୍ଯ୍ୟାଦା ପ୍ରଦାନ କରିଛନ୍ତି। ଏଥିରେ ଅବଶ୍ୟ କୌଣସି ଅତିରଞ୍ଜନ ନାହିଁ। ଡୋନାଲ୍‌ଡ ଟ୍ରମ୍ପ ଗତ ମାସରେ ତାଙ୍କର ବିଶ୍ବବ୍ୟାପୀ ଟାରିଫ୍ ଆକ୍ରମଣ ଆରମ୍ଭ କରିବା ପରେ ଏହା ହେଉଛି କୌଣସି ଦୁଇଟି ପ୍ରମୁଖ ଦେଶମାନଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ସର୍ବପ୍ରଥମ ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟ ଚୁକ୍ତି।
ଟ୍ରମ୍ପ ସୃଷ୍ଟି କରିଥିବା ଝଡ଼ କିପରି ପୃଥିବୀର ବିଭିନ୍ନ ଦେଶମାନଙ୍କ ମଧ୍ୟରେ ଏଇଭଳି ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତିମାନ ସ୍ବାକ୍ଷରିତ ହେବାକୁ ତ୍ବରାନ୍ବିତ କରି ଏକ ନୂତନ ଯୁଗର ଆରମ୍ଭ କରିପାରେ, ଭାରତ-ବ୍ରିଟେନ୍ ଚୁକ୍ତି ତାହାର ନିଶ୍ଚିତ ପୂର୍ବାଭାଷ ବହନ କରିଥାଏ। ଏହି ଚୁକ୍ତିର ରୂପରେଖ କିଭଳି ହୋଇଛି, ଏଥିରେ କ’ଣ ସବୁ ଅନ୍ତର୍ଭୁକ୍ତ ହୋଇଛି ଓ ଏଥିରୁ କ’ଣ ସବୁ ବହିର୍ଭୂତ ହୋଇଛି, ତାହାକୁ ଅନୁରୂପ ଦ୍ବିପାକ୍ଷିକ ଚୁକ୍ତିମାନ ସଂପାଦିତ କରିବାକୁ ଧାଇଁଥିବା ଅନ୍ୟ ଦେଶମାନେ ଦିଗ୍‌ଦର୍ଶନ ରୂପେ ବ୍ୟବହାର କରିବା ନିମିତ୍ତ ତାହାର ତନ୍ନ ତନ୍ନ ଅନୁଶୀଳନ କରିବା ନିଶ୍ଚିତ।
ଉଲ୍ଲେଖ ନିଷ୍ପ୍ରୟୋଜନ, ଯାହା ଏହି ଚୁକ୍ତିର କେନ୍ଦ୍ରସ୍ଥଳୀରେ ରହିଛି, ତାହା ହେଉଛି ଉଭୟ ପକ୍ଷ ପରସ୍ପର ପ୍ରତି ଲାଗୁ କରୁଥିବା ‘ଟାରିଫ୍’ରେ ବୃହତ୍ ସ୍ଖଳନ। ବୋଧହୁଏ ଏଭଳି ଯେଉଁ ‘ଟାରିଫ୍’ ସ୍ଖଳନ ଉଭୟ ଦେଶରେ ସର୍ବାଧିକ ଉଲ୍ଲାସ ସୃଷ୍ଟି କରୁଥିବ, ତାହା ହେଲା ହ୍ବିସ୍କି ଓ ଜିନ୍ ଉପରେ ‘ଟାରିଫ୍’ ହ୍ରାସ, ଯାହା ବର୍ତ୍ତମାନର ୧୫୦ ପ୍ରତିଶତ ହାରରୁ ହ୍ରାସ ପାଇ ହେବ ୭୫ ଶତାଂଶ ଏବଂ କ୍ରମେ ଆଗାମୀ ଦଶ ବର୍ଷ ମଧ୍ୟରେ ୪୦ ଶତାଂଶ ସ୍ପର୍ଶ କରିବ। ଭାରତରେ ଏହା ମଦ୍ୟପମାନଙ୍କ ଠାରେ ହର୍ସୋଲ୍ଲାସ ସୃଷ୍ଟି କରୁଥିବାବେଳେ ବ୍ରିଟେନ୍‌ରେ ଓ ନିର୍ଦ୍ଦିଷ୍ଟ ଭାବରେ ସ୍କଟ୍‌ଲାଣ୍ଡ୍‌ର ମଦ ନିର୍ମାତାମାନଙ୍କ ଠାରେ ଏହି ଖବର ଭିନ୍ନ କାରଣରୁ ଅନୁରୂପ ଉଚ୍ଚାଟ ସୃଷ୍ଟି କରୁଥିବ। ଭାରତ ବ୍ରିଟେନ୍‌ରୁ ଆମଦାନି କରୁଥିବା କାର୍ ଉପରେ ଏବେ ଲାଗୁ କରୁଥିବା ୧୦୦ ପ୍ରତିଶତ ଟାରିଫ୍‌ରେ ଏକ ତୀକ୍ଷ୍‌ଣ ହ୍ରାସ ଘଟାଇ ତାହାକୁ ମାତ୍ର ୧୦ ଶତାଂଶ କରିଦେବ, ଯଦିବା ଏକ ସୀମିତ ସଂଖ୍ୟକ କାର୍ ଏହି ସୁବିଧା ପାଇପାରିବେ, ଯେଉଁ ସଂଖ୍ୟା ପରବର୍ତ୍ତୀ ସମୟରେ ନିର୍ଦ୍ଧାରଣ କରାଯିବ। ଭାରତ ସର୍ବମୋଟ ୯୦ ଶତାଂଶ ଦ୍ରବ୍ୟମାନଙ୍କ ଉପରେ ‘ଟାରିଫ୍’ ହ୍ରାସ କରିବାକୁ ଚୁକ୍ତିବଦ୍ଧ ହୋଇଛି। ଭାରତ ଏଥିପୂର୍ବରୁ କେବେହେଲେ ଏପରି ଏକ ମୁକ୍ତ ଦ୍ରବ୍ୟ ଆମଦାନି ଚୁକ୍ତି ସଂପାଦନ କରିନାହିଁ। ପ୍ରତିବଦଳରେ ବ୍ରିଟେନ୍ ଭାରତୀୟ ଖାଦ୍ୟପଦାର୍ଥ, ବସ୍ତ୍ର ଓ ଜୋତା ଆଦି ଉପରେ ‘ଟାରିଫ୍’ ହ୍ରାସ କରିବାକୁ ପ୍ରତିଶ୍ରୁତିବଦ୍ଧ। ବ୍ରିଟିଶ ସରକାରଙ୍କ ସୂତ୍ରରୁ ଉପଲବ୍‌ଧ ସୂଚନା ଅନୁସାରେ ଏହି ଚୁକ୍ତି ଯୋଗୁଁ ଆଗାମୀ ୧୫ ବର୍ଷ ମଧ୍ୟରେ ଉଭୟ ଦେଶ ମଧ୍ୟରେ ବାର୍ଷିକ ବାଣିଜ୍ୟ କାରବାରରେ ୩୪ ବିଲିଅନ୍ ଡଲାର୍ ବୃଦ୍ଧି ଘଟିବ, ଯାହା ହେଉଛି ବର୍ତ୍ତମାନ ହେଉଥିବା କାରବାରଠାରୁ ପ୍ରାୟ ଏକ-ତୃତୀୟାଂଶ ଅଧିକ। ଏହି ଚୁକ୍ତି ଅନୁସାରେ ବ୍ରିଟେନ୍ ଭାରତରୁ ଆମଦାନି କରୁଥିବା ୯୯ ଶତାଂଶ ଦ୍ରବ୍ୟମାନଙ୍କୁ କ୍ରମେ ପ୍ରାୟ ସଂପୂର୍ଣ୍ଣ ରୂପେ ଟାରିଫ୍‌ମୁକ୍ତ କରିଦେବ। ଏହା ଦ୍ବାରା ବସ୍ତ୍ର ଶିଳ୍ପ, ଜୋତା ଶିଳ୍ପ ଓ ଇଲେ‌କ୍ଟ୍ରିକାଲ୍ ଯନ୍ତ୍ରପାତି ଆଦି ନିର୍ମାଣ କରୁଥିବା ଶିଳ୍ପରେ ସକ୍ରିୟ ଥିବା ସେଇ ସମସ୍ତ ଭାରତୀୟ କଂପାନିମାନେ ବିଶେଷ ଭାବରେ ଲାଭବାନ ହେବେ, ଯେଉଁମାନେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟମାନଙ୍କର ଏକ ବିଶେଷ ଅଂଶ ବ୍ରିଟେନ୍‌କୁ ରପ୍ତାନି କରିଥାନ୍ତି।
ଏଣିକି ଭାରତୀୟ ସେବା ଯୋଗାଣକାରୀମାନଙ୍କ ପାଇଁ ବ୍ରିଟେନ୍ ତା’ର ବଜାର ଉନ୍ମୁକ୍ତ କରିବାକୁ ଯାଉଥିବାରୁ, ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଭାରତୀୟ ସେବା ଯୋଗାଣକାରୀ କଂପାନିମାନେ ଏହା ଦ୍ବାରା ବିଶେଷ ଭାବରେ ଉପକୃତ ହେବେ। ତେବେ ଭାରତୀୟ ପେସାଦାର କର୍ମୀମାନଙ୍କ ପାଇଁ ଭାରତ ଆଶା କରୁଥିବା ଭଳି ଏହି ଚୁକ୍ତି ଅନୁସାରେ ବ୍ରିଟେନ୍‌କୁ ପ୍ରବେଶ ଯଥେଷ୍ଟ ଭାବରେ କଟକଣାମୁକ୍ତ ହୋଇପାରି ନାହିଁ। ତଥାପି ବ୍ରିଟେନ୍‌କୁ ଯାଉଥିବା ଭାରତୀୟ କୁଶଳୀ କର୍ମୀ ଓ ସେମାନଙ୍କୁ ନିଯୁକ୍ତ କରିଥିବା କଂପାନିମାନଙ୍କୁ ଚୁକ୍ତି ଅନୁସାରେ ତିନି ବର୍ଷ ପାଇଁ ସୋସିଆଲ୍ ସିକ୍ୟୁରିଟି ଦେୟ ପଇଠ କରିବାରୁ ଯେଉଁ ଅବ୍ୟାହତି ପ୍ରଦାନ କରାଯାଇଛି, ତାହା ସେମାନଙ୍କ ପାଇଁ ନିଶ୍ଚିତ ରୂପେ ସାମୟିକ ଆଶ୍ବସ୍ତି ସୃଷ୍ଟି କରିବ। ଏହାର କାରଣ, ଏହା ଦ୍ବାରା ସେମାନଙ୍କୁ ଏ ବାବଦରେ ଅନ୍ତତଃ ତିନି ବର୍ଷ ପାଇଁ ଏକ ଦ୍ବୈତ ବୋଝ ବହନ କରିବାକୁ ପଡ଼ିବ ନାହିଁ।
ବ୍ରିଟେନ୍‌ର ଦୃଷ୍ଟିକୋଣରୁ କେବଳ ମଦ ଓ ମଟରକାର୍ ନୁହେଁ, ପ୍ରସାଧନ ସାମଗ୍ରୀ, ମେଡିକାଲ୍ ଯନ୍ତ୍ରପାତି ଓ ଏରୋସ୍ପେସ୍ ଦ୍ରବ୍ୟମାନଙ୍କର ଆମଦାନି ଉପରେ ଭାରତ ବସାଉଥିବା ‘ଟାରିଫ୍’ ହାରରେ ଯେଉଁ ତୀକ୍ଷ୍‌ଣ ହ୍ରାସ ଘଟିବାକୁ ଯାଉଛି, ତାହା ସେ ଦେଶର ରପ୍ତାନିକାରୀମାନଙ୍କ ପାଇଁ ବେଶ୍ ଲାଭଜନକ ସାବ୍ୟସ୍ତ ହେବ। ବିଶେଷଜ୍ଞମାନଙ୍କର ଆକଳନ ଅନୁସାରେ ଏହି ଚୁକ୍ତି ଯୋଗୁଁ ଦୀର୍ଘକାଳୀନ ଭିତ୍ତିରେ ବ୍ରିଟେନ୍‌ର ଅର୍ଥନୀତିରେ ବାର୍ଷିକ ହାରାହାରି ୦.୧ ଶତାଂଶ ଅତିରିକ୍ତ ଅଭିବୃଦ୍ଧି ଘଟି ଚାଲିବ। ଏହି ବାଣିଜ୍ୟ ଚୁକ୍ତି ସହିତ ତାଳ ଦେଇ ଉଭୟ ଦେଶ ମଧ୍ୟରେ ଏକ ନିବେଶ ଚୁକ୍ତି ମଧ୍ୟ ସ୍ବାକ୍ଷରିତ ହେବା ନିମିତ୍ତ ଉଦ୍ୟମ ଚାଲିଛି।
ଚୀନ୍ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧର ଫାର୍ଶ୍ବଫଳ ସ୍ବରୂପ ଭାରତ ସର୍ବାଧିକ ଲାଭବାନ ହେବାକୁ ଯାଉଛି ବୋଲି ଯେଉଁ ଏକ ଧାରଣା ସୃଷ୍ଟି ହୋଇଛି, ବ୍ରିଟେନ୍ ସହିତ ଭାରତର ଏହି ବାଣିଜ୍ୟ ଚୁକ୍ତି ସଂପାଦନ ସେଥିପାଇଁ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି। ଭାରତ ଯେ ହେଉଛି ନିବେଶ ପାଇଁ ଏକ ନିରାପଦ ସ୍ଥଳୀ, ବ୍ରିଟେନ୍ ସହିତ ବାଣିଜ୍ୟ ଚୁକ୍ତି ଆନ୍ତର୍ଜାତିକ ନିବେଶକମାନଙ୍କ ପାଇଁ ଏ ସମ୍ବନ୍ଧରେ ଏକ ନିଶ୍ଚିତ ଭରସାଯୋଗ୍ୟ ସନ୍ଦେଶ ବହନ କରିଥାଏ। ଏହା ପରେ ଭାରତ ଓ ଇଉରୋପିଆନ୍ ୟୁନିଅନ୍ ମଧ୍ୟରେ ତୁରନ୍ତ ଏକ ଅନୁରୂପ ବାଣିଜ୍ୟ ଚୁକ୍ତି ସଂପାଦିତ ହେବା ଆଶା କରାଯାଏ।