ଭୁଲି ଗଲେ ହେବ ନାହିଁ ଯେ ପାକିସ୍ତାନ ଏକ ଆଣବିକ ଅସ୍ତ୍ରଧାରୀ ରାଷ୍ଟ୍ର। ଉଗ୍ର ଇସଲାମୀ ମୌଳବାଦର ପ୍ରବେଶ ପରେ ଯଦି ସେନା ବାହିନୀ ଆତଙ୍କବାଦୀ ସଂଗଠନଗୁଡ଼ିକ ସହିତ କରମର୍ଦ୍ଦନ କରେ ତେବେ ତାହା ଧାରଣା ବହିର୍ଭୂତ ବିପଦକୁ ଜନ୍ମ ଦେବା ଅବଶ୍ୟମ୍ଭାବୀ।

Advertisment

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆମ ଦେଶରେ ଦୃଷ୍ଟିଗୋଚର ହୋଇଥିବା ଦ୍ରୁତ ରାଜନୈତିକ ଓ ସାମାଜିକ ଗତିବିଧି ଅତ୍ୟନ୍ତ ହୃଦୟଗ୍ରାହୀ ହୋଇଥିବା ପରିପ୍ରେକ୍ଷୀରେ ପାକିସ୍ତାନର ଅବକ୍ଷୟ ଏବଂ ପଶ୍ଚାତ୍‌ ଗତି ଅଧିକ ପରିସ୍ଫୁଟ ହୋଇଥାଏ। ଏହି ଘଟଣା ପରେ ଆହୂତ ସର୍ବଦଳୀୟ ‌େବୖଠକରେ ସବୁ ରାଜନୈତିକ ଦଳ ଆପଣା ମତାଦର୍ଶଗତ ପାର୍ଥକ୍ୟରୁ ଊର୍ଦ୍ଧ୍ବକୁ ଉଠି ସରକାରଙ୍କ ‌େଯ କୌଣସି ପରବର୍ତ୍ତୀ ପଦକ୍ଷେପକୁ ନିଃସର୍ତ୍ତ ଓ ସଂପୂର୍ଣ୍ଣ ସମର୍ଥନର ପ୍ରତିଶ୍ରୁତି ପ୍ରଦାନ କରିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ, ବିଶେଷ କରି ଜାମ୍ମୁ କାଶ୍ମୀରରେ, ଏହି ଜଘନ୍ୟ କାର୍ଯ୍ୟ ଏବଂ ତା’ର ପୃଷ୍ଠପୋଷକ ପାକିସ୍ତାନ ବିରୋଧରେ ସ୍ବତଃସ୍ଫୂର୍ତ୍ତ ସାମୂହିକ ନିନ୍ଦାବାଦ ଓ ପ୍ରଦର୍ଶନ, ଅନ୍ତତଃ ପକ୍ଷେ ଭାରତର ଧର୍ମ ନିରପେକ୍ଷତା, ବିବିଧତ‌ା ମଧ୍ୟରେ ଏକତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବିକାଶର ଅଭିଳାଷକୁ ସ୍ବୀକୃତି ପ୍ରଦାନ କରିଥାଏ। ଏଭଳି ସ୍ଥଳେ ଗଲା ୨୦ ତାରିଖ‌େର ପ୍ରବାସୀ ପାକିସ୍ତାନୀଙ୍କ ଏକ ସମ୍ମିଳନୀରେ ପାକିସ୍ତାନର ସେନାଧ୍ୟକ୍ଷ ଜେନେରାଲ ଆସଫ ମୁନୀରଙ୍କ ପ୍ରଦତ୍ତ ଏକ ଉଚ୍ଚାଟଭରା ଭାଷଣ ପ୍ରଣିଧାନଯୋଗ୍ୟ, ଯହିଁରୁ ଆଭାସ ମିଳିଥାଏ ଯେ ପାକିସ୍ତାନ ମଧ୍ୟଯୁଗୀୟ ଅନ୍ଧକାର ମଧ୍ୟକୁ ସତେ ଯେମିତି ଏକ ଅଣଲେଉଟା ଯାତ୍ରା ଆରମ୍ଭ କରିବାକୁ ଯାଉଛି। 
ପୃଥିବୀର ବିଭିନ୍ନ ସ୍ଥାନରେ ଚହଳ ସୃଷ୍ଟି କରିଥିବା ଜେନେରାଲ ମୁନୀରଙ୍କ ଉପରୋକ୍ତ ଭାଷଣ ଆଦ୍ୟ-ପ୍ରାନ୍ତ ଜଣେ ମୌଳବାଦୀ ମୌଲବୀଙ୍କ ମୁଖ ନିସୃତ ଭଳି ବୋଧ ହୋଇଥାଏ, ଯଦିଓ ତାହାର ଶ୍ରୋତାଗଣ ମସଜିଦର ଅନୁରକ୍ତ ଶ୍ରଦ୍ଧାଳୁ ନ ହୋଇ ଥିଲେ ଅନେକ ବର୍ଷ ଧରି ପାଶ୍ଚାତ୍ୟ ଦେଶମାନଙ୍କରେ ବସବାସ କରି ଆସିଥିବା ସମୃଦ୍ଧ ପାକିସ୍ତାନୀ, ଯେଉଁମାନେ ପାକିସ୍ତାନର ଉଦ୍ୟୋଗୀକରଣ, ପୁଞ୍ଜି ନିବେଶ ତଥା ବିକାଶରେ ଉତ୍‌ପ୍ରେରକ ହେବା ହୁଏତ ଅଧିକ ସ୍ବାଭାବିକ ଓ ସମୀଚୀନ ହୁଅନ୍ତା। କିନ୍ତୁ ମୁନୀରଙ୍କ ଭାଷଣରେ ଯାହା ସେମାନଙ୍କ କର୍ଣ୍ଣଗୋଚର ହୋଇଥିଲା, ତାହା ମୁଖ୍ୟତଃ ଥିଲା ଏକ ଇସଲାମୀୟ ରାଷ୍ଟ୍ର ରୂପେ ପାକିସ୍ତାନର ପରିଚିତି ସଂକ୍ରାନ୍ତ ଦର୍ପ, ଯାହା ତାଙ୍କ ଦ୍ବାରା ଆବୃତ୍ତ କୁରାନର ପଙ୍‌କ୍ତିଗୁଡ଼ିକ ମାଧ୍ୟମରେ ଦମ୍ଭ ଲାଭ କରିଥିଲା। ଆସଫ ମୁନୀର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଯେ ପାକିସ୍ତାନକୁ ପରିଚାଳିତ କରୁଥିବା ଇସଲାମୀୟ ମତାଦର୍ଶକୁ ସୁରକ୍ଷା ପ୍ରଦାନ କରିବାକୁ ସାମରିକ ବାହିନୀ ବଦ୍ଧ ପରିକର। କେବଳ ସେତିକି ନୁହେଁ, ତାଙ୍କ ବକ୍ତବ୍ୟରେ ଥିଲା ତୀବ୍ର ହିନ୍ଦୁ ବିଦ୍ବେଷ ଏବଂ ଭାରତ ବିରୋଧୀ ଅଭିସଂପାତ। କହିବା ବାହୁଲ୍ୟ ଯେ ଏଭଳି ଭାଷଣ ଅନେକ ଦୃଷ୍ଟିରୁ ବିସ୍ମୟ ସୃଷ୍ଟି କରିଥାଏ। ପ୍ରଥମ କାରଣଟି ହେଲା, ଏକ ନିର୍ବାଚିତ ସରକାରର ଉପସ୍ଥିତି ସତ୍ତ୍ବେ ଏଭଳି ଏକ ସମାବେଶରେ ରାଷ୍ଟ୍ରର ଶାସନ ମୁଖ୍ୟଙ୍କ ପରିବର୍ତ୍ତେ ଦେଶର ସର୍ବେସର୍ବା ବୋଲି ଆଭାସ ପ୍ରଦାନ କରି ସେନାଧ୍ୟକ୍ଷ ଅବତୀର୍ଣ୍ଣ ହେବା। ଦ୍ବିତୀୟରେ, ପାଶ୍ଚାତ୍ୟ ସଂସ୍କୃତି ଦ୍ବାରା ପ୍ରଭାବିତ ସେନାଧ୍ୟକ୍ଷଙ୍କ ପରଂପରାରେ ପ୍ରଥମ ଥର ସକାଶେ ପାକିସ୍ତାନ ସେନାବାହିନୀର ମୁଖ୍ୟ ଭାବେ ଜଣେ ମୌଳବାଦୀ ମୁସଲିମ ଦୃଷ୍ଟିଗୋଚର ହେବା। ତାଙ୍କ ବକ୍ତୃତାରୁ ସ୍ପଷ୍ଟ ହୋଇଛି ଯେ ଜେନେରାଲ ମୁନୀର ପାକିସ୍ତାନ ସାମରିକ ବାହିନୀ ସମକ୍ଷରେ ନିଜର ‘ଅତି ନୈଷ୍ଠିକ ମୁସଲମାନ’ ଭାବମୂର୍ତ୍ତିକୁ ଦୃଢ଼ ଭାବେ ଉପସ୍ଥାପିତ କରିବାକୁ ଚାହାନ୍ତି, କାରଣ ସଂପ୍ରତି ପାକିସ୍ତାନ ସେନା ବାହିନୀର ତଳ ପାହ୍ୟାର ଅସଂଖ୍ୟ କର୍ମଚାରୀ ମୁନୀରଙ୍କ ଶତ୍ରୁ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ଧର୍ମୀୟ ନିଷ୍ଠା ଦ୍ବାରା ପ୍ରଭାବିତ ଏବଂ ତାହା ମୁନୀରଙ୍କ ସକାଶେ ସ୍ବୀକାର୍ଯ୍ୟ ହୋଇ ନ ଥାଏ। ସେହି କାରଣରୁ ଜେନେରାଲ ମୁନୀର ତାଙ୍କ ବକ୍ତବ୍ୟରେ ସୂଚାଇ ଦେଇଛନ୍ତି ଯେ ଇମରାନଙ୍କ ତୁଳନାରେ ସେ ଅଧିକ ନୈଷ୍ଠିକ। କହିବା ଅନାବଶ୍ୟକ ଯେ ଅନେକ ପର୍ଯ୍ୟବେକ୍ଷକଙ୍କ ବିଚାରରେ ମୁନୀରଙ୍କ ଏହି ସଂବୋଧନ ସହିତ ପାକିସ୍ତାନ ସେନାବାହିନୀରେ ସୁବ୍ୟବସ୍ଥିତ ଇସଲାମୀକରଣର ମୂଳଦୁଆ ପଡ଼ିଛି। 
ଅନେକ ମତ ଦିଅନ୍ତି ଯେ ସେନାଧ୍ୟକ୍ଷ ଜେନେରାଲ ଜିଆ ଉଲ ହକଙ୍କ ସମୟରୁ ପାକିସ୍ତାନ ସେନା ବାହିନୀର ଇସଲାମୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି, କାରଣ ସେନାଧ୍ୟକ୍ଷ-ରାଷ୍ଟ୍ରପତି ଭାବେ ତାଙ୍କ ଶାସନ କାଳରେ ପାକିସ୍ତାନ ମୌଳବାଦ ଆଡ଼କୁ ଅଧିକ ଢଳିଥିଲା; ତାଙ୍କ ସମୟରେ ସେନାବାହିନୀର ପ୍ରତ୍ୟକ୍ଷ ପ୍ରଶିକ୍ଷଣ ଓ ତତ୍ତ୍ବାବଧାନରେ ଉଗ୍ରବାଦୀ(ଆତଙ୍କବାଦୀ) ସଂଗଠନ ତାଲିବାନ ଶିରୋତ୍ତୋଳନ କରିଥିଲା; ଏବଂ ଜିଆ ଉଲ ହକ ମଧ୍ୟ ଥିଲେ ଜଣେ ମୌଲବୀଙ୍କ ପୁତ୍ର। କିନ୍ତୁ ବାସ୍ତବତାଟି ହେଲା, ଜିଆ ଉଲ ହକ୍‌ଙ୍କ ଶିକ୍ଷା ସଂପନ୍ନ ହୋଇଥିଲା ଇଂରେଜୀ ମାଧ୍ୟମ ବିଦ୍ୟାଳୟରେ ଏବଂ ସେ ଥିଲେ ଦିଲ୍ଲୀର ପ୍ରସିଦ୍ଧ ସେଣ୍ଟ ଷ୍ଟିଫେନସ କଲେଜର ଛାତ୍ର ଏବଂ ପାଶ୍ଚାତ୍ୟ ସଂସ୍କୃତି ଦ୍ବାରା ଅନେକ ମାତ୍ରାରେ ପ୍ରଭାବିତ। ଅବଶ୍ୟ, କାଳ କ୍ରମେ ଏଥିରେ ପରିବର୍ତ୍ତନ ଘଟିଥିଲା; ଜଣେ କନିଷ୍ଠ ପାହ୍ୟାର ଅଧିକାରୀରୁ ସହସା ସେନାଧ୍ୟକ୍ଷ ପଦକୁ ଉନ୍ନୀତ ହେବା ଏବଂ ଅନତି ବିଳମ୍ବେ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କୁ ଫାଶୀ ଦିଆଇ ଦେଶର ରାଷ୍ଟ୍ରପତି ହୋଇଯିବା ଭଳି କଳ୍ପନାତୀତ ଘଟଣାକ୍ରମରେ ସେ ଗଭୀର ଈଶ୍ବର ବିଶ୍ବାସୀ ହୋଇ ପଡ଼ିଥିଲେ ବୋଲି ‘ୱର୍କିଂ ୱିଥ୍‌ ଜିଆ’(ଜିଆଙ୍କ ସହିତ କାମ କଲା ବେଳେ) ନାମକ ପୁସ୍ତକର ଲେଖକ ଅରିଫ ଖଲିଦ ମହମ୍ମଦ କହିଥାଆନ୍ତି। କିନ୍ତୁ ସେ ନିଦା ଇସଲାମୀ ନୁହନ୍ତି, ଯେମିତି ବର୍ତ୍ତମାନର ଆସଫ ମୁନୀର। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନୀ ସେନାଧ୍ୟକ୍ଷମାନଙ୍କ ମଧ୍ୟରୁ ଆୟୁବ ଖାଁ, ୟାହ୍ୟା ଖା‌ଁଙ୍କ ଠାରୁ ଆରମ୍ଭ କରି ଜାହାଙ୍ଗୀର କରାମତ, ପରଭେଜ ମୁସାରଫଙ୍କ ଦେଇ କୱଁର ବାଜୱାଙ୍କ ପର୍ଯ୍ୟନ୍ତ ଅଧିକାଂଶ ସେନାଧ୍ୟକ୍ଷ ଥିଲେ ‘ହୁଇସ୍କି ପ୍ରେମୀ’ ଓ ‘ପାର୍ଟି(ଭୋଜିଭାତ ଓ ଗମାତ) ପ୍ରିୟ’। ଜେନେରାଲ ଆ‌ସଫ ମୁନୀର ଏଥିରେ ବିରାମ ଚିହ୍ନ ଲଗାଇଛନ୍ତି। ଜିଆ ଉଲ ହକଙ୍କ ଭଳି ସେ ମଧ୍ୟ ଜଣେ ମୌଲବୀଙ୍କ ସନ୍ତାନ, କିନ୍ତୁ ତାଙ୍କ ଶିକ୍ଷା ଆରମ୍ଭ ହୋଇଛି ‘ମରକଜ ଏ ମଦ୍ରାସା ଦାରୁଲ ତଜୱି’ ନାମକ ଏକ ମଦ୍ରାସାରେ। ଅବଶ୍ୟ, ତାଙ୍କ ପରବର୍ତ୍ତୀ ସ୍କୁଲ ଶିକ୍ଷା ଜାପାନରେ ସଂପନ୍ନ ହୋଇଛି, କିନ୍ତୁ କୁରାନରେ ତାଙ୍କର ପ୍ରବେଶ କିଭଳି ଗଭୀର ଏବଂ ମୌଲବୀମାନଙ୍କ ସଦୃଶ କିଭଳି ସମଗ୍ର କୁରାନ ତାଙ୍କର ମୁଖସ୍ଥ, ତାହା ବର୍ତ୍ତମାନ ସୁବିଦିତ। ଏଭଳି ସ୍ଥଳେ ତାଙ୍କ ଆଗ୍ରହରେ ପାକିସ୍ତାନୀ ସେନାବାହିନୀ ମଧ୍ୟରେ ଇସଲାମୀ ମୌଳବାଦର ପ୍ରବେଶ ଘଟିବାରେ ବିସ୍ମୟ‌ର ବିଶେଷ କାରଣ ନ ଥାଏ। ତେବେ, ଏଥିରେ ନିହିତ ବିପଦଟି ହେଲା ଏକ ସଂଗଠିତ, ପ୍ରଶିକ୍ଷିତ, ଅସ୍ତ୍ର ସଜ୍ଜିତ ଓ ବିଶାଳ ସେନା ବଳ କାଳକ୍ରମେ ଏହା ଦ୍ବାରା ଏକ ଅପରିଣାମଦର୍ଶୀ ଜେହାଦୀ ବାହିନୀରେ ମଧ୍ୟ ପରିଣତ ହୋଇଯାଇପାରେ। ଭୁଲି ଗଲେ ହେବ ନାହିଁ ଯେ ପାକିସ୍ତାନ ଏକ ଆଣବିକ ଅସ୍ତ୍ରଧାରୀ ରାଷ୍ଟ୍ର। ଉଗ୍ର ଇସଲାମୀ ମୌଳବାଦର ପ୍ରବେଶ ପରେ ଯଦି ସେନା ବାହିନୀ ଆତଙ୍କବାଦୀ ସଂଗଠନଗୁଡ଼ିକ ସହିତ କରମର୍ଦ୍ଦନ କରେ ତେବେ ତାହା ଧାରଣା ବହିର୍ଭୂତ ବିପଦକୁ ଜନ୍ମ ଦେବା ଅବଶ୍ୟମ୍ଭାବୀ।
ଏଭଳି ସ୍ଥଳେ ଯଦି ଭାରତ ସହିତ ପାକିସ୍ତାନର ମୁକାବିିଲାମୂଳକ ସ୍ଥିତି ଉପୁଜେ, ତେବେ ବିଶ୍ଳେଷକମାନେ ବସ୍ତୁସ୍ଥିତି ପରଖି ସମର ସାମର୍ଥ୍ୟ, ତକନିକୀ, ସାମରିକ ସରଂଜାମର ଉପଲବ୍‌ଧତା ଇତ୍ୟାଦି ଦୃଷ୍ଟିରୁ ଭାରତକୁ ନିଶ୍ଚିତ ଭାବେ ଉଚ୍ଚରେ ରଖିବେ। ପୁଣି ସଂପ୍ରତି ଯେତେବେଳେ ପାକିସ୍ତାନର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ, ସେତିକି ବେଳେ ଏକ ଯୁଦ୍ଧ ପାକିସ୍ତାନ ସକାଶେ ଅସହନୀୟ ହେବ ବୋଲି ସେମାନେ ନିଷ୍କର୍ଷରେ ପହଞ୍ଚିବେ। କିନ୍ତୁ କେତେକ ପର୍ଯ୍ୟବେକ୍ଷକ କହନ୍ତି ଯେ ଆର୍ଥିକ ଦୁରବସ୍ଥା, ରାଜନୈତିକ ତାରଲ୍ୟ ଓ ଅରାଜକତା ଦ୍ବାରା ଆକ୍ରାନ୍ତ ପା‌କିସ୍ତାନ ସକାଶେ ଏଭଳି ଏକ ଯୁଦ୍ଧରେ ହରାଇବା ଲାଗି ବିଶେଷ କିଛି ଅବଶିଷ୍ଟ ନ ଥାଏ; ଦ୍ବିତୀୟରେ ଜେନେରାଲ ମୁନୀର ପାକିସ୍ତାନୀ ସେନାକୁ ଏକ ଜେହାଦୀ ବାହିନୀରେ ପରିଣତ କରି ଦେଇପାରନ୍ତି, ଯାହାର ପାଗଳ ପ୍ରାୟ ଆତ୍ମଘାତୀ ଆଭିମୁଖ୍ୟ ହୁଏତ ଯେ କୌଣସି ଶୃଙ୍ଖଳିତ ଓ ସୁପ୍ରଶିକ୍ଷିତ ସେନା ବାହିନୀକୁ ଅସ୍ତବ୍ୟସ୍ତ କରିଦେବ। ସୁତରାଂ, ଭାରତ ସକାଶେ ନିରନ୍ଧ୍ର ପ୍ରସ୍ତୁତିର ଆବଶ୍ୟକତା ଅପରିହାର୍ଯ୍ୟ। ପାଶ୍ଚାତ୍ୟ ଗଣମାଧ୍ୟମ ତାଙ୍କୁ ମୌଲବୀ ମୁନୀର ବୋଲି ସଂବୋଧନ କଲାଣି। ଭାରତ ମଧ୍ୟ ହୃଦୟଙ୍ଗମ କରିବା ଉଚିତ ଯେ ମୁନୀର ବାସ୍ତବରେ ହେଉଛନ୍ତି ଜଣେ ୟୁନିଫର୍ମଧାରୀ ଜେହାଦୀ!