ସେହି ମାଛକୁ ଡଙ୍ଗାରେ ବାନ୍ଧି ବସ୍ତିକୁ ଫେରୁଥିବା ବାଟରେ ତାହା ସାର୍କ ଆକ୍ରମଣର ଶିକାର ହୁଏ। ମାଛଟିକୁ ବଞ୍ଚାଇବା ଲାଗି ସାର୍କମାନଙ୍କ ସହିତ ସାଣ୍ଟିଆଗୋଙ୍କ ଭୀଷଣ ସଂଘର୍ଷ ଏବଂ ପରିଶେଷରେ କେବଳ ସେହି ବିଶାଳକାୟ ମାଛର କଙ୍କାଳକୁ ଧରି ଫେରିବାର ଭାଗ୍ୟ ଭୋଗ କ୍ରମରେ ଉପନ୍ୟାସର ଯେଉଁ ବୀଜ-ସତ୍ୟଟି ଉଦ୍ଘାଟିତ ହେଉଥାଏ, ତାହା ହେଲା: ‘ମନୁଷ୍ୟକୁ ପରାଜିତ କରିବା ଅସମ୍ଭବ। ସେ ବିଧ୍ବସ୍ତ ହୋଇଯିବ ସିନା, ପରାହତ ହେବ ନାହିଁ।’ ବାଇଡେନଙ୍କ ନିକଟରେ କ’ଣ ସେହି ସାଣ୍ଟିଆଗୋସୁଲଭ ଅପରାଜେୟ ରହିବାର ଅଟଳ ବିଶ୍ବାସ ବିଦ୍ୟମାନ? ନା କ୍ଷମତାରିକ୍ତ ନ ହେବାର ଅହଂକାରରେ ସେ ନିଜ ଜିଦିରେ ଅଟଳ?
ଆସନ୍ତା ନଭେମ୍ବର ମାସରେ ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ସକାଶେ ପ୍ରଚାର ପର୍ବ ଆରମ୍ଭ ହେଉ ନ ହେଉଣୁ ଡେମୋକ୍ରାଟ୍ ଦଳର ସମର୍ଥକମାନଙ୍କ ମଧ୍ୟରେ ଯେଉଁ ଭଳି ଉଦ୍ବେଗ, ଉତ୍କଣ୍ଠା, ଅନିଶ୍ଚିତତା ଏବଂ ଆଶଙ୍କା ଆଦି ସୃଷ୍ଟି ହେବାରେ ଲାଗିଛି, ତାହା ସମ୍ଭବତଃ ସେ ଦେଶର ଇତିହାସରେ ପୂର୍ବରୁ କ୍ବଚିତ ଘଟିଥିବ! ପ୍ରକାଶ ଥାଉ କି, ଗଲା ସପ୍ତାହରେ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ- ଡେମୋକ୍ରାଟ୍ ଦଳର ଜୋ ବାଇଡେନ ଏବଂ ରିପବ୍ଲିକାନ୍ ଦଳର ଡୋନାଲ୍ଡ ଟ୍ରମ୍ପ୍ଙ୍କ ମଧ୍ୟରେ ହୋଇଥିବା ପ୍ରଥମ ମୁହାଁମୁହିଁ ଟେଲିଭିଜନ ବିତର୍କରେ ବାଇଡେନଙ୍କ ଅତ୍ୟନ୍ତ ହତାଶାପୂର୍ଣ୍ଣ ପ୍ରଦର୍ଶନରେ ଛାନିଆ ଡେମୋକ୍ରାଟ୍ ସମର୍ଥକଗଣ ତାଙ୍କ ବିକଳ୍ପ ରୂପେ ଆଉ ଜଣେ ପ୍ରାର୍ଥୀଙ୍କୁ ଚାହୁଥିବା ବେଳେ ଏହି ସ୍ତମ୍ଭ ଲେଖା ହେବା ପର୍ଯ୍ୟନ୍ତ ଜୋ ବାଇଡେନ ଆପଣା ପ୍ରାର୍ଥିତ୍ବରୁ ଓହରିଯିବାର ତିଳେ ମାତ୍ର ଅଭିପ୍ରାୟ ପ୍ରଦର୍ଶନ କରିନାହାନ୍ତି। ସେହି ଟେଲିଭିଜନ ବିତର୍କ କାର୍ଯ୍ୟକ୍ରମରେ କ୍ଷଣିକ ଲାଗି ଘୁମନ୍ତ ବାଇଡେନଙ୍କୁ ଦେଖିବାକୁ ମିଳିଥିଲା, ଯିଏ ବିତର୍କ ସମୟରେ ମଧ୍ୟ ଥଙ୍ଗଥଙ୍ଗ ହେବା ସହିତ ଅସ୍ପଷ୍ଟ ଉଚ୍ଚାରଣରେ ଖଣ୍ଡିତ ବାକ୍ୟମାନ କହି ଅତ୍ୟନ୍ତ ଦୟନୀୟ ଦିଶିଥିଲେ। ସ୍ବାଭାବିକ ଭାବେ ଅଧିକାଂଶ ଆମେରିକୀୟ ଏହାକୁ ବାର୍ଦ୍ଧକ୍ୟଜନିତ ବୋଲି ଅଭିହିତ କରୁଥିବା ବେଳେ ହ୍ବାଇଟ୍ ହାଉସ୍ ପକ୍ଷରୁ ବାଇଡେନଙ୍କୁ ସୁରକ୍ଷା ପ୍ରଦାନ କରି ଯେଉଁ ସଫେଇ ଦିଆଯାଇଛି, ତାହା ହେଲା, ତିନିଟି ୟୁରୋପୀୟ ରାଷ୍ଟ୍ରରୁ ଏକ ଚକ୍ରବାତ ଗସ୍ତ ସାରି ସେହି ମାତ୍ର ସ୍ବଦେଶ ବାହୁଡ଼ିଥିବା ବାଇଡେନଙ୍କ ଠାରେ ତାହା ଥିଲା ଦୀର୍ଘ ଭ୍ରମଣଜନିତ କ୍ଳାନ୍ତିର ଚିହ୍ନ ମାତ୍ର! ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ଏକ ଉତ୍ତୀର୍ଣ୍ଣ ବୟସରେ ମଧ୍ୟ ଶାରୀରିକ ଓ ମାନସିକ ସାମର୍ଥ୍ୟ ପ୍ରତିପାଦନ କରିବାର ଏଭଳି ପ୍ରଚେଷ୍ଟା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।
ପ୍ରକାଶ ଥାଉ କି, ଏକାଅଶୀ ବର୍ଷ ବୟସରେ ଉପନୀତ ଜୋ ବାଇଡେନ ହେଉଛନ୍ତି ଆମେରିକାର ଇତିହାସରେ ସର୍ବାଧିକ ବୟୋଜ୍ୟେଷ୍ଠ ରାଷ୍ଟ୍ରପତି ଏବଂ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଡୋନାଲଡ ଟ୍ରମ୍ପ୍ ତାଙ୍କ ଠାରୁ ମାତ୍ର ତିନି ବର୍ଷ କନିଷ୍ଠ। ଏଭଳି ସ୍ଥିତିରେ ଦୁଇ ବୟୋବୃଦ୍ଧ ରାଷ୍ଟ୍ରପତି ପ୍ରାର୍ଥୀ ଯେ ଅନ୍ତତଃ ଜରାଗ୍ରସ୍ତ ନୁହନ୍ତି, ତାହା ପ୍ରମାଣିତ କରିବା ଲାଗି ଉଦ୍ଗ୍ରୀବ; ଯାହା ହୋଇ ନ ଥିଲେ ପ୍ରଥମ ଟେଲିଭିଜନ ବିତର୍କରେ ବାଇଡେନଙ୍କ ଦୁରବସ୍ଥା ଦେଖି ଅତ୍ୟୁତ୍ସାହୀ ଟ୍ରମ୍ପ୍ ତାଙ୍କୁ ଏକ ‘ଗଲ୍ଫ’ ମ୍ୟାଚ୍ର ମୁକାବିଲା ସକାଶେ ଆହ୍ବାନ ଦେଇ ନ ଥାଆନ୍ତେ! ସାଧାରଣତଃ ଦେଖିବାକୁ ମିଳିଥାଏ ଯେ ଶାସନମୁଖ୍ୟଗଣ ସେମାନେ ଭୋଗୁଥିବା ଦୀର୍ଘକାଳୀନ ବ୍ୟାଧି ବା କୌଣସି ଶାରୀରିକ ଅଥବା ମାନସିକ ଅସାମର୍ଥ୍ୟକୁ ସର୍ବଦା ଗୋପନୀୟ ରଖିବାକୁ ଚାହି ଥାଆନ୍ତି ଓ ସେଭଳି ବ୍ୟବସ୍ଥା ମଧ୍ୟ ସୃଷ୍ଟି କରିଥାଆନ୍ତି, କାରଣ ସେମାନଙ୍କ ଧାରଣା ରହିଥାଏ ଯେ ରୁଗ୍ଣ ଅବସ୍ଥା ପ୍ରଘଟ ହୋଇଗଲେ ତାହା ସେମାନଙ୍କ ନେତୃତ୍ବକୁ ପ୍ରଶ୍ନାକୁଳ କରିପାରେ! ଅଭେଦ୍ୟ ଲୌହ ପରଦାର ଅନ୍ତରାଳରେ ଆତଯାତ ହେଉଥିବା ଏକଛତ୍ରବାଦୀ କମ୍ୟୁନିଷ୍ଟ ରାଷ୍ଟ୍ରଗୁଡ଼ିକରେ ଏଭଳି ଘଟଣା ସ୍ବାଭାବିକ ହୋଇଥାଏ, ଯହିଁରେ ସାଧାରଣ ଜୀବନରୁ ହଠାତ୍ ଅପସରି ଯାଉଥିବା ନେତାମାନଙ୍କୁ ନେଇ ଉଦ୍ଭଟ କଳ୍ପନାଜଳ୍ପନା ଓ ଗୁଜବର ସୁଅ ଛୁଟେ, ଯେମିତି ୨୦୨୨ ମସିହାରେ ଘଟିଥିଲା ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନ୍ଙ୍କ କ୍ଷେତ୍ରରେ, ଯହିଁରେ ଗୁଜବ ରଟିଥିଲା ଯେ କୌଣସି ଗୋପନ ହାସପାତାଳରେ ଅସୁସ୍ଥ କିମ୍ଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ସ୍ଥାନରେ ଜଣେ ସମଦର୍ଶନ ବ୍ୟକ୍ତି ଏକ ‘କା’ ରୂପେ ବିଚରଣ କରୁଛନ୍ତି! କିନ୍ତୁ ଅସଂଗତିଟି ହେଲା ମୁକ୍ତ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ସର୍ବଦ୍ରଷ୍ଟା ଗଣମାଧ୍ୟମର ଅସ୍ତିତ୍ବ ସତ୍ତ୍ବେ ମଧ୍ୟ ଏଭଳି ଘଟିଥାଏ; ଏପରିକି ଆମେରିକା ଭଳି ରାଷ୍ଟ୍ରରେ ଅନ୍ତତଃ ପାଞ୍ଚ ଜଣ ସୁପ୍ରସିଦ୍ଧ ରାଷ୍ଟ୍ରପତି ସେମାନଙ୍କ ଶାସନ କାଳରେ ଶାରୀରିକ ଅସୁସ୍ଥତା ଏବଂ ଅସାମର୍ଥ୍ୟକୁ ଗୋପନ ରଖିବାର ପ୍ରଭୂତ ଉଦ୍ୟମ କରିଥିଲେ; ଯେମିତି ଜନ ଏଫ୍. କେନେଡି ତାଙ୍କୁ ଅକର୍ମଣ୍ୟ କରି ପକାଉଥିବା ଅଣ୍ଟା ବିନ୍ଧାକୁ ବା ଫ୍ରାଙ୍କଲିନ ଡି. ରୁଜଭେଲଟ ତାଙ୍କ ପୋଲିଓକୁ ବା ରୋନାଲଡ ରିଗାନ ତାଙ୍କୁ ଅଚଳ କରି ପକାଉଥିବା ଦୁରାରୋଗ୍ୟ ବ୍ୟାଧି ଅଲଜାଇମରକୁ! ଏଭଳି ସ୍ଥଳେ କେତେକ ଗତିବିଧି ଓ କାର୍ଯ୍ୟକଳାପରୁ ବୟୋବୃଦ୍ଧ ଜୋ ବାଇଡେନ ଅସୁସ୍ଥ ବୋଲି ଏକ ଗୁଂଜରଣ ସୃଷ୍ଟି ହେବାରେ ବିସ୍ମୟର କୌଣସି କାରଣ ନାହିଁ, ଯାହାକୁ ପ୍ରତିହତ କରିବା ଲାଗି ଅଗତ୍ୟା ସେ ବ୍ୟାକୁଳ!
ପ୍ରକାଶ ଥାଉ କି, ଇତି ମଧ୍ୟରେ କେତେକ ସ୍ଥାନରେ ଜଣେ ଏକାଗ୍ରତାଶୂନ୍ୟ, ସ୍ଫୂର୍ତ୍ତିହୀନ, ଆନମନା ଓ ମନ୍ଥର ବାଇଡେନ ଦୃଷ୍ଟିକୁ ଆସିଛନ୍ତି, ଯାହା ଦୁରାରୋଗ୍ୟ ‘ପାର୍କିନସନ’ର ଲକ୍ଷଣ ବୋଲି ଏକ ଧାରଣା ସୃଷ୍ଟି ହୋଇଛି, ଏବଂ ଯାହା ପ୍ରାୟତଃ ଜରା ଜନିତ ସ୍ନାୟବିକ ଦୌର୍ବଲ୍ୟ କାରଣରୁ ହୋଇଥାଏ। ସେହି ପରିପ୍ରେକ୍ଷୀରେ କେଭିନ କାନାର୍ଡଙ୍କ ଭଳି ଜଣେ ବିଖ୍ୟାତ ପାର୍କିନସନ ବିଶେଷଜ୍ଞ ଗଲା ଆଠ ମାସର ଅବଧି ମଧ୍ୟରେ ଆଠ ଥର ହ୍ବାଇଟ ହାଉସ(ଆମେରିକାର ରାଷ୍ଟ୍ରପତି ଭବନ)କୁ ଯିବା ବିଷୟ ଏଭଳି ଧାରଣାକୁ ଦୃଢ଼ୀଭୂତ ମଧ୍ୟ କରିଥାଏ। ଯଦିଓ, ହ୍ବାଇଟ୍ ହାଉସ ପକ୍ଷରୁ ସ୍ପଷ୍ଟୀକରଣ ଦିଆ ଯାଇସାରିଲାଣି ଯେ ସେଠାକାର କେତେକ କର୍ମଚାରୀଙ୍କ ମାନସିକ ସ୍ବାସ୍ଥ୍ୟ ପରଖିବା ଲାଗି ଡାକ୍ତର କାନାର୍ଡଙ୍କ ଯିବାଆସିବା ଲାଗିଛି, ତାହା କିନ୍ତୁ ସନ୍ଦେହର ଧୂମ ପଟଳକୁ ପରିଷ୍କ୍କାର କରି ପାରାିନାହିଁ। ସୁତରାଂ, ପରିଣତ ବୟସରେ ଅସଂଖ୍ୟ ଉତ୍ସୁକ ଚକ୍ଷୁ ତଳେ ରହି ଅସ୍ବସ୍ତିର ଶିକାର ବାଇଡେନ ଅଗତ୍ୟା ତାଙ୍କ ସାମର୍ଥ୍ୟ ପ୍ରତିପାଦନ କରିବା ସକାଶେ ଅତି ବିକଳ ଭାବେ ଘନଘନ ସାକ୍ଷାତକାର ଏବଂ ଟେଲିଭିଜନ ଓ ରେଡିଓ ସୋ’ରେ ଅଂଶ ଗ୍ରହଣ କରିବାରେ ବ୍ୟାପୃତ; କାରଣ ତାହା ନ ହେଲେ ବାଇଡେନ ପ୍ରତିଦ୍ବନ୍ଦ୍ବିତାରୁ ଓହରି ଯାଆନ୍ତୁ ବୋଲି ଦାବି କରୁଥିବା ସେଲିବ୍ରିଟି ହଲିଉଡ୍ ତାରକା ଜର୍ଜ କ୍ଲିନ୍ ବା ତାଙ୍କ ଭଳି ଅନେକ ପ୍ରଭାବଶାଳୀ ଡେମୋକ୍ରାଟ୍ ସମର୍ଥକ ସେମାନଙ୍କ ଉଦ୍ୟମରୁ କ୍ଷାନ୍ତ ହେବେ ନାହିଁ।
ପ୍ରସିଦ୍ଧ ଆମେରିକୀୟ ଲେଖକ ଅର୍ନେଷ୍ଟ ହେମିଂୱେଙ୍କ କାଳଜୟୀ ଉପନ୍ୟାସ ‘ଓଲ୍ଡ ମ୍ୟାନ ଏଣ୍ଡ ଦ ସି’(ବୃଦ୍ଧ ଓ ସମୁଦ୍ର)ରେ ମୁଖ୍ୟ ଚରିତ୍ର କ୍ୟୁବାର ବୟୋବୃଦ୍ଧ ମାଛ ଧରାଳି ସାଣ୍ଟିଆଗୋଙ୍କ ମାନବ ସାମର୍ଥ୍ୟ ଅତିକ୍ରମୀ ଉଦ୍ୟମ ସଂପର୍କରେ ପଢ଼ିବାକୁ ମିଳିଥାଏ। ଏହି କୃଶକାୟ ପୁସ୍ତକର କାହାଣୀ ଏହି ଭଳି: କ୍ରମାଗତ ଚଉରାଅଶୀ ଦିନ ଧରି ମାଛଟିଏ ଧରି ପାରି ନ ଥିବା ସାଣ୍ଟିଆଗୋଙ୍କୁ ନେଇ ଯେତେବେଳେ ବସ୍ତିରେ ଧାରଣା ସୃଷ୍ଟି ହୁଏ ଯେ ସେ ହତଭାଗ୍ୟ ଅଥବା ଅସମର୍ଥ, ସେତିକି ବେଳେ ସେ ଏକାକୀ ଗୋଟିଏ ହୁଲି ଡଙ୍ଗା ଧରି, କୌଣସି ମାଛ ଧରାଳି କେବେ ହେଲେ ଯିବାକୁ ସାହସ କରି ନ ଥିବା ଦୂରତା ଅତିକ୍ରମ କରି, ଗଭୀର ସମୁଦ୍ରରୁ ଏଭଳି ଏକ ଅତିକାୟ ମାଛ ଶିକାର କରନ୍ତି, ଯାହା କଦାଚିତ୍ କୌଣସି ମାଛ ଧରାଳିର ଭାଗ୍ୟରେ ଜୁଟିଥିବ! ସେହି ମାଛକୁ ଡଙ୍ଗାରେ ବାନ୍ଧି ବସ୍ତିକୁ ଫେରୁଥିବା ବାଟରେ ତାହା ସାର୍କ ଆକ୍ରମଣର ଶିକାର ହୁଏ। ମାଛଟିକୁ ବଞ୍ଚାଇବା ଲାଗି ସାର୍କମାନଙ୍କ ସହିତ ସାଣ୍ଟିଆଗୋଙ୍କ ଭୀଷଣ ସଂଘର୍ଷ ଏବଂ ପରିଶେଷରେ କେବଳ ସେହି ବିଶାଳକାୟ ମାଛର କଙ୍କାଳକୁ ଧରି ଫେରିବାର ଭାଗ୍ୟ ଭୋଗ କ୍ରମରେ ଉପନ୍ୟାସର ଯେଉଁ ବୀଜ-ସତ୍ୟଟି ଉଦ୍ଘାଟିତ ହେଉଥାଏ, ତାହା ହେଲା: ‘ମନୁଷ୍ୟକୁ ପରାଜିତ କରିବା ଅସମ୍ଭବ। ସେ ବିଧ୍ବସ୍ତ ହୋଇଯିବ ସିନା, ପରାହତ ହେବ ନାହିଁ।’ ବାଇଡେନଙ୍କ ନିକଟରେ କ’ଣ ସେହି ସାଣ୍ଟିଆଗୋସୁଲଭ ଅପରାଜେୟ ରହିବାର ଅଟଳ ବିଶ୍ବାସ ବିଦ୍ୟମାନ? ନା କ୍ଷମତାରିକ୍ତ ନ ହେବାର ଅହଂକାରରେ ସେ ନିଜ ଜିଦିରେ ଅଟଳ? ଯଦି ସେ ଓହରି ନ ଯାଆନ୍ତି, ତେବେ, ତାଙ୍କର ପରବର୍ତ୍ତୀ ପଦକ୍ଷେପମାନ ବା ତାଙ୍କ ବିଜୟ ବା ପରାଜୟର ଶୈଳୀ ହିଁ ଅବଲୀଳା କ୍ରମେ ତାହା ନିର୍ଦ୍ଧାରଣ କରିବ!