ଭାରତର ବର୍ତ୍ତମାନ ‘ଜିଡିପି’ର ଆକାର ୪.୩ ଟ୍ରିଲିଅନ୍ ଡଲାର୍ ସ୍ପର୍ଶ କରି ଭାରତକୁ ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ କରିଛି ଏବଂ ଅନତି ବିଳମ୍ବେ ଏହା ୫ ଟ୍ରିଲିଅନ୍ ଡଲାର୍ ହେବାକୁ ଯାଉଛି ବୋଲି ଅନୁମାନ କରାଯାଉଛି। କିନ୍ତୁ ଏହାର ମୁଖ୍ୟ ଅଂଶ କେତେକ ହାତଗଣତି ବିଲିଅନେଆର୍ମାନଙ୍କ ମାଲିକାନାରେ ରହି ଅଧିକାଂଶ ଦେଶବାସୀଙ୍କୁ ଯଦି ଦାରିଦ୍ର୍ୟ ପଙ୍କରେ ଘାଣ୍ଟି ହେବାକୁ ଓ ସରକାରୀ ହାତଟେକା ଉପରେ ନିର୍ଭର କରିବାକୁ ପଡ଼େ, ତାହା ନିଶ୍ଚିତ ରୂପେ ଏକ ଆଦର୍ଶ ପରିସ୍ଥିତି ନୁହେଁ।
ସ୍ବନାମଧନ୍ୟ ଅର୍ଥନୀତିଜ୍ଞ ସ୍ବର୍ଗୀୟ ସଦାଶିବ ମିଶ୍ର ଏକ ଦେଶର ଆଦର୍ଶ ଅର୍ଥନୀତି କିଭଳି ହେବା ଉଚିତ, ତାହା ବୁଝାଇବା ପାଇଁ ତାଙ୍କର ସ୍ବଭାବସୁଲଭ ସରସ ଶୈଳୀରେ ତାହାକୁ ଏକ ପୁଷ୍କରିଣୀ ସହିତ ତୁଳନା କରୁଥିଲେ। ଯେଉଁ ପୁଷ୍କରିଣୀରେ ପଦ୍ମ ଫୁଟିଥାଏ, ସେ ପୁଷ୍କରିଣୀ ଚିତ୍ତାକର୍ଷକ ଦିଶିଥାଏ। ପଦ୍ମର ଚେର କିନ୍ତୁ ପଙ୍କର ଆଶ୍ରୟ ଆବଶ୍ୟକ କରୁଥିବାରୁ, ଏକ ପଦ୍ମ ପୋଖରୀର ଶଯ୍ୟା ସର୍ବଦା ହୋଇଥାଏ ପଙ୍କିଳ, ଯେଉଁ କାରଣରୁ ସେଭଳି ପୋଖରୀ ମନୁଷ୍ୟର ବ୍ୟବହାରଯୋଗ୍ୟ ହୋଇ ନ ଥାଏ। ଅପରପକ୍ଷେ ଯେଉଁ ପୁଷ୍କରିଣୀର ଶଯ୍ୟା ବାଲିସରଡ଼ା ହୋଇଥାଏ, ସେଠାରେ ପଦ୍ମ ଫୁଟି ନ ଥାଏ, କିନ୍ତୁ ତା’ର ଜଳ ସ୍ବଚ୍ଛ ହୋଇଥାଏ, ସେଥିରେ ପ୍ରବେଶ କଲେ ପାଦ ପଙ୍କରେ ଗଳିଯାଏ ନାହିଁ ଓ ସେଭଳି ଜଳାଶୟ ମନୁଷ୍ୟ ପାଇଁ ଅତ୍ୟନ୍ତ ବ୍ୟବହାର ଉପଯୋଗୀ ହୋଇଥାଏ।
ସଦାଶିବ ମିଶ୍ର କହୁଥିଲେ ସେ ଏକ ଦେଶର ଅର୍ଥନୀତି ଏକ ପଦ୍ମ ପୋଖରୀ ଭଳି ହେବା ଚାହାନ୍ତି ନାହିଁ, ଯେଉଁଠି କେତେକ ହାତଗଣତି ପଦ୍ମ ଫୁଲ ସଦୃଶ ଧନୀକମାନଙ୍କର ଆବିର୍ଭାବ ଘଟେ କିନ୍ତୁ ଦେଶର ସଂଖ୍ୟାଗରିଷ୍ଠ ଲୋକମାନେ ଦାରିଦ୍ର୍ୟ ପଙ୍କରେ ଘାଣ୍ଟି ହେଉଥାନ୍ତି। ସେ ପସନ୍ଦ କରନ୍ତି ଏକ ବାଲିସରଡ଼ା ପୋଖରୀ, େଯଉଁଠି ପଦ୍ମ ଫୁଟେ ନାହିଁ, କିନ୍ତୁ ଲୋକମାନେ ସ୍ବଚ୍ଛନ୍ଦରେ ତାହାର ଜଳ ବ୍ୟବହାର କରିପାରନ୍ତି; ଅର୍ଥାତ୍ ଏକ ଅର୍ଥନୀତି, ଯେଉଁଠି ଅତିଧନିକମାନେ ସୃଷ୍ଟି ହୋଇପାରି ନଥାନ୍ତି, କିନ୍ତୁ ଯେଉଁଠି ସଂଖ୍ୟାଗରିଷ୍ଠ ଲୋକମାନେ ସ୍ବଚ୍ଛନ୍ଦରେ ଜୀବନଯାପନ କରିପାରିଥାନ୍ତି।
ସଦାଶିବ ମିଶ୍ର ଯଦି ଆଜିର ଭାରତୀୟ ଅର୍ଥନୀତିକୁ ଦେଖନ୍ତେ, ସେ ନିଶ୍ଚିତ ରୂପେ ଭଗ୍ନ ହୃଦୟରେ କ୍ଷୋଭ ପ୍ରକାଶ କରନ୍ତେ ଯେ ଏହା ଏକ ପଦ୍ମ ପୋଖରୀରେ ପରିଣତ ହୋଇଯାଇଛି। କାରଣ ସେ ଦେଖିବାକୁ ପାଆନ୍ତେ ଭାରତରେ ପଦ୍ମ ଫୁଲ ପରି ଫୁଟିଥିବା ଅତିଧନିକ ‘ଡଲାର୍-ବିଲିଅନେଆର୍’ମାନଙ୍କର ସଂଖ୍ୟା ମର୍ଯ୍ୟାଦାଜନକ ‘ଫୋର୍ବସ’ ପତ୍ରିକା ଦ୍ବାରା କରାଯାଇଥିବା ସର୍ବେକ୍ଷଣ ଅନୁସାରେ ୨୦୨୪ରେ ଥିଲା ୨୦୦ ଜଣ, ଯାହା ହେଉଛି ଆମେରିକା ଓ ଚୀନ୍ ପଛକୁ ପୃଥିବୀରେ ତୃତୀୟ ସର୍ବାଧିକ। ଏଥିସହିତ ମଧ୍ୟ ସେ ଦେଖିବାକୁ ପାଆନ୍ତେ ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ (‘ଆଇଏମ୍ଏଫ୍’) ଦ୍ବାରା କରାଯାଇଥିବା ଅନ୍ୟ ଏକ ସର୍ବେକ୍ଷଣ ଅନୁସାରେ ସେଇ ୨୦୨୪ରେ ଡଲାର୍ ଆକାରରେ ଭାରତର ହାରାହାରି ମୁଣ୍ଡପିଛା ‘ଜିଡିପି’ ଥିଲା ୨,୭୦୦ ଡଲାର୍ ମାତ୍ର, ଯାହା ଅନୁସାରେ ୧୯୦ଟି ଦେଶମାନଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ମର୍ଯ୍ୟାଦା ତାଲିକାରେ ଭାରତର ସ୍ଥାନ ହେଉଛି ଏକ ଅତ୍ୟନ୍ତ ନୀଚା ୧୪୨ତମ। ଏତେ ସଂଖ୍ୟକ ବିଲିଅନେଆର୍ ସୃଷ୍ଟି ହେବା ପରିବର୍ତ୍ତେ ଯଦି ଭାରତୀୟମାନଙ୍କର ମୁଣ୍ଡପିଛା ‘ଜିଡିପି’ ଉଚ୍ଚତର ହୋଇଥାନ୍ତା ଓ ସେଇ ମର୍ଯ୍ୟାଦା ତାଲିକାରେ ଭାରତ ଏକ ଉଚ୍ଚ ସ୍ଥାନ ଦଖଲ କରିଥାନ୍ତା, ତେବେ ସଂଖ୍ୟାଗରିଷ୍ଠ ଭାରତୀୟମାନେ ବହୁ ଅଧିକ ସୁଖ ସ୍ବାଚ୍ଛନ୍ଦ୍ୟରେ ଜୀବନ ଅତିବାହିତ କରିପାରନ୍ତେ।
ଦେଶର ହାରାହାରି ମୁଣ୍ଡପିଛା ଆୟ ଏତେ ନୀଚା ଥିବାବେଳେ ଏଠାରେ ଏତେ ଅଧିକ ସଂଖ୍ୟକ ବିଲିଅନେଆର୍ମାନଙ୍କର ଆବିର୍ଭାବ ଯେଉଁ ଅସଂଗତି ସୃଷ୍ଟି କରିଛି, ତାହା ଆମ ଦେଶରେ ସଂପଦର ବଣ୍ଟନ, ଅର୍ଥନୈତିକ ବୈଷମ୍ୟ ଏବଂ ଭାରତ ହାସଲ କରୁଥିବା ଅଭିବୃଦ୍ଧିର ଚରିତ୍ର ସମ୍ବନ୍ଧରେ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନମାନ ଛିଡ଼ା କରାଇଥାଏ। ଭାରତରେ ବର୍ତ୍ତମାନ ମୁଣ୍ଡପିଛା ‘ଜିଡିପି’ ଯେତିକି ଅଛି, ୨୦୦୩ରେ ଚୀନ୍ର ମୁଣ୍ଡପିଛା ‘ଜିଡିପି’ ଥିଲା ସେତିକି; କିନ୍ତୁ ଚୀନ୍ରେ ସେତେବେଳେ ବିଲିଅନେଆର୍ମାନଙ୍କ ସଂଖ୍ୟା ମାତ୍ର ଦଶ ପନ୍ଦର ଜଣଙ୍କ ମଧ୍ୟରେ ସୀମିତ ଥିବାବେଳେ, ଭାରତରେ ବର୍ତ୍ତମାନ ୨୦୦ ଜଣ ବିଲିଅନେଆର୍ ଆତଯାତ ହେଉଛନ୍ତି। ଏହା କିପରି ସମ୍ଭବ ହୋଇଛି? ମୌଳିକ ଗାଣିତିକ ଜ୍ଞାନ ଥିବା ପିଲାଟିଏ ସହଜରେ ଏ ପ୍ରଶ୍ନର ଉତ୍ତର ଦେଇପାରିବ: ସେ ସମୟର ଚୀନ୍ ତୁଳନାରେ ଭାରତରେ ବର୍ତ୍ତମାନ କତିପୟ ଲୋକଙ୍କ ପାଖରେ ସଂପଦ ଅତିମାତ୍ରାରେ କେନ୍ଦ୍ରୀଭୂତ ହୋଇଛି।
ହୁଏତ ପ୍ରଥମେ ଏକ ଧାରଣା ହୋଇପାରେ ଯେ ନିଜର ଚମକପ୍ରଦ ଉଦ୍ଯୋଗ ଓ ଅଧ୍ୟବସାୟ ବଳରେ କେତେକ ସଫଳ ଉଦ୍ୟୋଗୀ ଏପରି ବିପୁଳ ସଂପଦ ସୃଷ୍ଟି ଓ ଠୁଳ କରିପାରିଛନ୍ତି। ଭାରତର ବହୁ ପ୍ରଚାରିତ ‘ଷ୍ଟାର୍ଟଅପ୍’ କାହାଣୀମାନ ଏପରି ଏକ ଧାରଣାକୁ ପରିପୁଷ୍ଟ କରିଥାଏ। କିନ୍ତୁ ଟିକିଏ ତଳେଇ କରି ଦେଖିଲେ ଏକ ଭିନ୍ନ ଚିତ୍ର ନଜରକୁ ଆସିଥାଏ। ସେଇ ‘ଫୋର୍ବସ’ ପତ୍ରିକା ଅନୁସାରେ ସେଇ ବିଲିଅନେଆର୍ମାନଙ୍କୁ ‘ଆତ୍ମ-ନିର୍ମିତ’ ବୋଲି ବର୍ଣ୍ଣନା କରାଯାଇଥାଏ, ଯେଉଁମାନେ ଉତ୍ତରାଧିକାର ସୂତ୍ରରୁ କୌଣସି ସଂପତ୍ତି ପାଇ ନଥାନ୍ତି ଓ ନିଜ ଉଦ୍ୟମରେ ସଂପଦ ସୃଷ୍ଟି କରିଥାନ୍ତି। ଏହି ମାନଦଣ୍ଡ ଅନୁସାରେ ଚୀନ୍ ବା ଆମେରିକାର ବିଲିଅନେଆର୍ମାନଙ୍କ ତୁଳନାରେ ଭାରତୀୟ ବିଲିଅନେଆର୍ମାନେ ଆତ୍ମ-ନିର୍ମିତ ହେବାର ସମ୍ଭାବନା ବହୁତ କମ୍ ହୋଇଥାଏ। ଚୀନ୍ରେ ଏହାର ସମ୍ଭାବନା ୯୦ ଶତାଂଶ ଓ ଆମେରିକାରେ ୭୦ ଶତାଂଶ ହୋଇଥିବାବେଳେ, ଭାରତରେ ୫୦ ଶତାଂଶରୁ କମ୍ ବିଲିଅନେଆର୍ମାନେ ଏଭଳି ଆତ୍ମ-ନିର୍ମିତ ଶ୍ରେଣୀର ହୋଇଥିବା ବିଗତ ଦଶନ୍ଧିରେ ଦେଖାଯାଇଛି।
ଏକ ଅନୁଶୀଳନରୁ ଜଣାଯାଏ ଯେ ଭାରତର ବିଲିଅନେଆର୍ମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ହେଉଛନ୍ତି ପ୍ରତିଷ୍ଠିତ ଧନାଢ଼୍ୟ ବ୍ୟବସାୟ ପରିବାରମାନଙ୍କର ଦାୟାଦ, ଯେଉଁମାନଙ୍କର ସଂପଦର ମୂଳଭିତ୍ତି ହେଉଛି ଉତ୍ତରାଧିକାର। ସେଇ ଅନୁଶୀଳନ ଅନୁସାରେ ୨୦୨୨ରେ ଭାରତର ସେଆର୍ ବଜାରରେ ମୋଟ ସଂପଦର ୨୦ ଶତାଂଶର ମାଲିକ ଥିଲେ ଦେଶର ୧୬୬ ଜଣ ବିଲିଅନେଆର୍। ସେ ତୁଳନାରେ ଚୀନ୍ର ୪୦୦ରୁ ଅଧିକ ବିଲିଅନେଆର୍ମାନଙ୍କ ମାଲିକାନାରେ ରହିଛି ସେ ଦେଶର ସେଆର୍ ବଜାରର ମୋଟ ସଂପଦର ୧୮ ଶତାଂଶ। ଆମେରିକାର ୭୦୦ରୁ ଅଧିକ ବିଲିଅନେଆର୍ମାନେ ହେଉଛନ୍ତି ସେ ଦେଶର ସେଆର୍ ବଜାରର ମୋଟ ସଂପଦର ମାତ୍ର ୧୦ ଶତାଂଶର ମାଲିକ। ଅଳ୍ପସଂଖ୍ୟକ ଲୋକଙ୍କ ଦ୍ବାରା ସେଆର୍ ବଜାରର ଏକ ବିଶେଷ ଅଂଶର ନିୟନ୍ତ୍ରଣ ତଥା କେତେକ ପ୍ରମୁଖ ଶିଳ୍ପ ସେମାନଙ୍କର ମାଲିକାନାରେ ରହିବା ଦ୍ବାରା ଦେଶରେ ପ୍ରତିଯୋଗିତା ଶ୍ବାସରୁଦ୍ଧ ହୋଇଥାଏ, କ୍ଷୁଦ୍ରଶିଳ୍ପ ଓ ବ୍ୟବସାୟମାନଙ୍କ ପାଇଁ ସୁଯୋଗ ସଂକୁଚିତ ହୋଇଥାଏ ଏବଂ ବୃହତ୍ତର ଅର୍ଥନୀତି ତା’ର ସର୍ବୋଚ୍ଚ ଦକ୍ଷତା ହାସଲ କରି କାର୍ଯ୍ୟ କରିପାରି ନ ଥାଏ।
ଏହା ସତ ଯେ ‘ଆଇଏମ୍ଏଫ୍’ ଦ୍ବାରା ସଦ୍ୟ ପ୍ରକାଶିତ ସୂଚନା ଅନୁସାରେ ବିଗତ ଦଶନ୍ଧିରେ ଭାରତ ୧୦୫ ଶତାଂଶ ହାରରେ ଅଭିବୃଦ୍ଧି ହାସଲ କରି ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଭାରତର ବର୍ତ୍ତମାନ ‘ଜିଡିପି’ର ଆକାର ୪.୩ ଟ୍ରିଲିଅନ୍ ଡଲାର୍ ସ୍ପର୍ଶ କରି ଭାରତକୁ ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ କରିଛି ଏବଂ ଅନତି ବିଳମ୍ବେ ଏହା ୫ ଟ୍ରିଲିଅନ୍ ଡଲାର୍ ହେବାକୁ ଯାଉଛି ବୋଲି ଅନୁମାନ କରାଯାଉଛି। କିନ୍ତୁ ଏହାର ମୁଖ୍ୟ ଅଂଶ କେତେକ ହାତଗଣତି ବିଲିଅନେଆର୍ମାନଙ୍କ ମାଲିକାନାରେ ରହି ଅଧିକାଂଶ ଦେଶବାସୀଙ୍କୁ ଯଦି ଦାରିଦ୍ର୍ୟ ପଙ୍କରେ ଘାଣ୍ଟି ହେବାକୁ ଓ ସରକାରୀ ହାତଟେକା ଉପରେ ନିର୍ଭର କରିବାକୁ ପଡ଼େ, ତାହା ନିଶ୍ଚିତ ରୂପେ ଏକ ଆଦର୍ଶ ପରିସ୍ଥିତି ନୁହେଁ। ଏହାର ଏକ ଉଦାହରଣ ସ୍ବରୂପ ୨୦୨୨ରେ ଜାତିସଂଘର ‘ଫୁଡ୍ ଆଣ୍ଡ୍ ଏଗ୍ରିକଲ୍ଚରାଲ୍ ଅର୍ଗାନାଇଜେସନ୍’ କରିଥିବା ଏକ ସର୍ବେକ୍ଷଣ ଅନୁସାରେ ୫୫ ଶତାଂଶ ଭାରତୀୟ ସୁସ୍ଥ ଆହାର ଯୋଗାଡ଼ କରିବା ପାଇଁ ସକ୍ଷମ ନ ଥିଲେ।
ଯଦି କେବଳ ଏହି ବିଲିଅନେଆର୍ମାନଙ୍କର ସଂପଦରେ ବୃଦ୍ଧି ଘଟାଇ ‘ଜିଡିପି’ରେ ବୃଦ୍ଧି ହାସଲ କରି ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଏ, ତାହା ଦ୍ବାରା ଭାରତକୁ କେବଳ ଏକ ବିକଶିତ ପଦ୍ମ ପୋଖରୀରେ ପରିଣତ କରିବା ସାର ହେବ।