ଅର୍ଥନୀତିଜ୍ଞ ଦ୍ବୟ ଆବିଷ୍କାର କରିଛନ୍ତି ଯେ ବଜାରରେ ପରିବା ବିକ୍ରି କରୁଥିବା ପିଲାମାନେ ଚଟାପଟ୍ ନିର୍ଭୁଲ୍ ଭାବରେ ଗ୍ରାହକମାନଙ୍କ ପାଇଁ ସେମାନେ ନେଉଥିବା ବିଭିନ୍ନ ପରିମାଣର ବିଭିନ୍ନ କିସମର ପରିବାର ମୂଲ୍ୟ ହିସାବ କରିଦେଇ ପାରିଥାନ୍ତି ଓ ସେମାନଙ୍କୁ ସଠିକ୍ ଭାବରେ ବଳକା ପଇସା ଫେରାଇ ଦେଇପାରିଥାନ୍ତି; କିନ୍ତୁ ସେଇ ପିଲାମାନେ ଯେତେବେଳେ ବିଦ୍ୟାଳୟରେ ଥା’ନ୍ତି, ସେତେବେଳେ ଶ୍ରେଣୀଗୃହରେ ଶିକ୍ଷକଙ୍କ ଦ୍ବାରା ଦିଆଯାଇଥିବା ଅନୁରୂପ ଅଙ୍କ କଷିବାରେ ଦୁର୍ବଳତା ପ୍ରଦର୍ଶନ କରିଥାନ୍ତି।
ଆଧୁନିକ ଯୁଗର ସର୍ବାଧିକ ପ୍ରସିଦ୍ଧ ସାମାଜିକ ଓ ରାଜନୈତିକ ଦାର୍ଶନିକମାନଙ୍କ ମଧ୍ୟରୁ ଅନ୍ୟତମ, ଊନବିଂଶ ଶତାବ୍ଦୀର ସ୍ବିସ୍ ଦାର୍ଶନିକ ଜ୍ୟାଁ ଜ୍ୟାକ୍ ରୁଷୋ ଶିକ୍ଷା ଉପରେ ଏକ ପୁସ୍ତକ ରଚନା କରିଥିଲେ, ଯାହା ଏବେ ମଧ୍ୟ ପୃଥିବୀ ସାରା ଶିକ୍ଷକ ଓ ଶିକ୍ଷାବିତ୍ମାନଙ୍କୁ ଦିଗ୍ଦର୍ଶନ ଦେଇଥାଏ। ‘ଏମିଲ୍’ ନାମକ ଏହି ପୁସ୍ତକରେ ରୁଷୋ ଏକ କାଳ୍ପନିକ ବାଳକ ‘ଏମିଲ୍’କୁ ଶିକ୍ଷାଦାନ କରିବାକୁ କିଭଳି ଉପାୟ ଅବଲମ୍ବନ କରିବେ, ସେ ସମ୍ବନ୍ଧରେ ବିସ୍ତୃତ ବର୍ଣ୍ଣନା କରିଥିଲେ।
ରୁଷୋ ଏଥିରେ କହିଥିଲେ ଯେ ଏମିଲ୍ ୧୨ ବର୍ଷ ବୟସରେ ପହଞ୍ଚିବା ପୂର୍ବରୁ ପ୍ରାୟ କୌଣସି ପୁସ୍ତକର ସଂସ୍ପର୍ଶରେ ଆସିବ ନାହିଁ କିମ୍ବା ତାକୁ କିଛି ଶିକ୍ଷା ଲାଭ କରିବାକୁ ବାଧ୍ୟ କରାଯିବ ନାହିଁ। ରୁଷୋ ବିଶ୍ବାସ କରୁଥିଲେ ଯେ ଏଭଳି ବାଧ୍ୟବାଧକତାରୁ ମୁକ୍ତ ଏକ ଶିଶୁ ସ୍ବାଭାବିକ ଭାବରେ କେବଳ ତାହା ଶିଖିବାକୁ ଚାହିଁବ, ଯାହା ତା’ ପାଇଁ ତାତ୍କାଳିକ ଉପଯୋଗିତା ବହନ କରିଥାଏ କିମ୍ବା ଆନନ୍ଦଦାୟକ ହୋଇଥାଏ। ଅନୁପସ୍ଥିତ ସାଙ୍ଗମାନଙ୍କ ସହିତ କଥା ହେବାର ମାଧ୍ୟମ ସ୍ବରୂପ ସେ ଲେଖିବା ଶିଖିବାକୁ ଚାହିଁଥାଏ; ସେମାନଙ୍କର କଥା ଶୁଣିପାରିବା ପାଇଁ ସେ ପଢ଼ିବା ଶିଖିବାକୁ ଚାହିଁଥାଏ। କିନ୍ତୁ ଏହି ଲେଖିବା ପଢ଼ିବାକୁ ଶ୍ରେଣୀଗୃହରେ ଏକ ବୋଝ ପରି ଶିଶୁଟି ଉପରେ ଲଦି ଦିଆଗଲେ ସେ ଏହାକୁ ନିର୍ଯାତନାର ଏକ ମାଧ୍ୟମ ରୂେପ ଦେଖିଥାଏ ଓ ଏହା ତା’ଠାରେ ଅାନନ୍ଦ ପରିବର୍ତ୍ତେ ଭୟ ଉଦ୍ରେକ କରିଥାଏ। ଶିକ୍ଷାର ଅନ୍ତିମ ଉଦ୍ଦେଶ୍ୟ ସମ୍ବନ୍ଧରେ ଅଜ୍ଞ କୋମଳମତି ଶିଶୁମାନେ ଏଭଳି ବିଧିବଦ୍ଧ ଶ୍ରେଣୀଗୃହଭିତ୍ତିକ ଶିକ୍ଷାଲାଭ ପ୍ରତି ବୀତସ୍ପୃହ ହୋଇପଡ଼ିଥାନ୍ତି। କିନ୍ତୁ ଶିକ୍ଷାଲାଭକୁ ଯଦି ତା’ର ଆନନ୍ଦର ଏକ ମାଧ୍ୟମରେ ପରିଣତ କରିଦିଆଯାଏ, ତା’ହେଲେ ଏକ ଶିଶୁକୁ ଏହାଠାରୁ ଦୂରରେ ରଖିବା ସମ୍ଭବ ହେବ ନାହିଁ।
ରୁଷୋଙ୍କ ଶିକ୍ଷାର୍ଥୀ ଏମିଲ୍ ପାଇଁ କାମ ଓ ଖେଳ ମଧ୍ୟରେ କୌଣସି ପ୍ରଭେଦ ନ ଥାଏ; ତା’ର କାମ ହେଉଛି ତା’ର ଖେଳ। ସେ ଯାହା କରେ, ସେଥିରେ ପ୍ରତିଫଳିତ ହୋଇଥାଏ ତା’ର ଆଗ୍ରହର ଆନନ୍ଦ, ସ୍ବାଧୀନତାର ସୁଷମା। ରୁଷୋଙ୍କର ତେଣୁ ଉପଦେଶ ହେଲା ତୁମେ ତୁମର ଶିକ୍ଷାର୍ଥୀକୁ ପ୍ରକୃତିକୁ ପର୍ଯ୍ୟବେକ୍ଷଣ କରିବାକୁ ଶିଖାଅ; ଅନତିବିଳମ୍ବେ ତା’ର ଅନୁସନ୍ଧିତ୍ସା ଜାଗୃତ ହେବା ଦେଖିବ। କିନ୍ତୁ ଯଦି ତୁମେ ତା’ର ଏହି ଅନୁସନ୍ଧିତ୍ସାରେ ଉତ୍ତରୋତ୍ତର ବୃଦ୍ଧି ଘଟିବା ଚାହୁଁଥାଅ, ତା’ହେଲେ ତୁମେ ତରବର ହୋଇ ତା’ର ଏଇ ଅନୁସନ୍ଧିତ୍ସା ପୂରଣ କରିପକାଅ ନାହିଁ। ଶିକ୍ଷାର୍ଥୀ ସମ୍ମୁଖରେ ତୁମେ ସମସ୍ୟା ଉପସ୍ଥାପନ କରି ତାକୁ ହିଁ ସେ ସମସ୍ୟାର ସମାଧାନ କରିବାକୁ ଦିଅ। ତୁମେ କହିବା ଦ୍ବାରା ସେ କିଛି ଶିଖିବା ଉଚିତ ନୁହେଁ, ସେ ଆପେ ଆପେ ଶିଖିବା ହେଉଛି ଗୁରୁତ୍ବପୂର୍ଣ୍ଣ। ତୁମେ ଯଦି ତାକୁ ଯୁକ୍ତିନିଷ୍ଠ ଭାବରେ ଚିନ୍ତା କରିବାକୁ ନ ଦେଇ ତା’ ଉପରେ ପ୍ରଭୁତ୍ବ ପ୍ରୟୋଗ କର, ସେ କେବଳ ଅନ୍ୟମାନଙ୍କର ଚିନ୍ତନର କ୍ରୀଡ଼ନକରେ ପରିଣତ ହେବା ସାର ହେବ।
ରୁଷୋ କହନ୍ତି ଆମେ ଆମର ଅନୁଭୂତିକୁ ଅବଧାରଣାରେ ପରିଣତ କରିବା, କିନ୍ତୁ ଆମେ ଏକାଥରକେ ଇନ୍ଦ୍ରିୟାଶ୍ରୟୀ ବସ୍ତୁରୁ ଚିନ୍ତନାଶ୍ରୟୀ ବସ୍ତୁକୁ ଲମ୍ଫ ପ୍ରଦାନ କରିବା ଉଚିତ ନୁହେଁ। ପ୍ରଥମ ଅବସ୍ଥାରେ ଆମର ଯୁକ୍ତିନିଷ୍ଠ ବିଚାରଶକ୍ତିର କାର୍ଯ୍ୟ କେବଳ ଇନ୍ଦ୍ରିୟମାନଙ୍କ ଦିଗ୍ଦର୍ଶନ ଦ୍ବାରା ପରିଚାଳିତ ହେବା ଉଚିତ। ପୁସ୍ତକ ନୁହେଁ, କେବଳ ସଂସାର; ଶିକ୍ଷାଦାନ ନୁହେଁ, କେବଳ ତଥ୍ୟ ହେଉଛି ଶିଶୁ ପାଇଁ ଶିକ୍ଷାଲାଭର ମାଧ୍ୟମ। ପଠନରତ ଶିଶୁର ଚିନ୍ତନ କରିବା ବନ୍ଦ ହୋଇଯାଏ, ସେ କେବଳ ପଢ଼ି ଚାଲିଥାଏ। ସେ କେବଳ ଶବ୍ଦଗୁଡ଼ିଏ ସଂଗ୍ରହ କରିଥାଏ, ଜ୍ଞାନ ନୁହେଁ।
ରୁଷୋଙ୍କର ‘ଏମିଲ୍’ ପ୍ରଥମେ ପ୍ରକାଶ ପାଇଥିଲା ୧୭୬୨ରେ। ଆଶ୍ଚର୍ଯ୍ୟର କଥା ଇତିମଧ୍ୟରେ ବିତିଯାଇଥିବା ଅଢ଼େଇ ଶତାବ୍ଦୀରୁ ଅଧିକ କାଳରେ ଶିକ୍ଷା କ୍ଷେତ୍ରରେ ଚମକପ୍ରଦ ପରିବର୍ତ୍ତନମାନ ଘଟିସାରିଥିଲେ ହେଁ ବାଳକ ଏମିଲ୍ର ଶିକ୍ଷାକୁ ଫଳପ୍ରଦ କରିବା ପାଇଁ ରୁଷୋ ସେତେବେଳେ ଯେଉଁ ପଦ୍ଧତିର ପରିକଳ୍ପନା କରିଥିଲେ, ତାହା ଏବେ ମଧ୍ୟ ଯେ ପ୍ରାସଙ୍ଗିକତା ହରାଇ ନାହିଁ, ତାହା ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ଲାଭ କରିଥିବା ଦୁଇ ଜଣ ଅର୍ଥନୀତିଜ୍ଞ ଭାରତରେ କରିଥିବା ଏକ ଗବେଷଣା ଦ୍ବାରା ଏବେ ସାବ୍ୟସ୍ତ ହୋଇଛି। ଏ ଦୁଇ ପତି-ପତ୍ନୀ ଯୋଡ଼ି ଅର୍ଥନୀତିଜ୍ଞ ହେଉଛନ୍ତି ଅଭିଜିତ ବାନାର୍ଜୀ ଓ ଏସ୍ଥର୍ ଡଫ୍ଲୋ। ଶ୍ରେଣୀଗୃହରେ ବନ୍ଦୀ ପିଲା ଓ ବଜାରରେ ପରିବା ବିକ୍ରି କରୁଥିବା ପିଲାମାନଙ୍କର ଗାଣିତିକ ଦକ୍ଷତା ସମ୍ବନ୍ଧରେ ସେମାନେ କରିଥିବା ଏହି ସଦ୍ୟ ପ୍ରକାଶିତ ଗବେଷଣାର ଫଳାଫଳ ଆଶ୍ଚର୍ଯ୍ୟଜନକ ଭାବରେ ରୁଷୋଙ୍କର ଉପର ବର୍ଣ୍ଣିତ ଚିନ୍ତାଧାରା ସହିତ ମେଳ ଖାଇଯାଇଥାଏ। କିମ୍ବା ଅନ୍ୟ ଭାଷାରେ କହିଲେ ଏଥିରୁ ପୋଥି ବାଇଗଣ ଓ ବାଡ଼ ବାଇଗଣ ମଧ୍ୟରେ ଥିବା ଫରକ ଧରା ପଡ଼ିଯାଇଥାଏ।
ଅର୍ଥନୀତିଜ୍ଞ ଦ୍ବୟ ଆବିଷ୍କାର କରିଛନ୍ତି ଯେ ବଜାରରେ ପରିବା ବିକ୍ରି କରୁଥିବା ପିଲାମାନେ ଚଟାପଟ୍ ନିର୍ଭୁଲ୍ ଭାବରେ ଗ୍ରାହକମାନଙ୍କ ପାଇଁ ସେମାନେ ନେଉଥିବା ବିଭିନ୍ନ ପରିମାଣର ବିଭିନ୍ନ କିସମର ପରିବାର ମୂଲ୍ୟ ହିସାବ କରିଦେଇ ପାରିଥାନ୍ତି ଓ ସେମାନଙ୍କୁ ସଠିକ୍ ଭାବରେ ବଳକା ପଇସା ଫେରାଇ ଦେଇପାରିଥାନ୍ତି; କିନ୍ତୁ ସେଇ ପିଲାମାନେ ଯେତେବେଳେ ବିଦ୍ୟାଳୟରେ ଥା’ନ୍ତି, ସେତେବେଳେ ଶ୍ରେଣୀଗୃହରେ ଶିକ୍ଷକଙ୍କ ଦ୍ବାରା ଦିଆଯାଇଥିବା ଅନୁରୂପ ଅଙ୍କ କଷିବାରେ ଦୁର୍ବଳତା ପ୍ରଦର୍ଶନ କରିଥାନ୍ତି। ଯେଉଁ ହିସାବ ସେମାନେ ବଜାରରେ ବିନା କାଗଜ କଲମ ବ୍ୟବହାର କରି ତୁଣ୍ଡରେ ତତ୍କ୍ଷଣାତ୍ କରିଦେଇପାରନ୍ତି, ଶ୍ରେଣୀଗୃହର ଶୃଙ୍ଖଳାବଦ୍ଧ ପରିବେଶରେ କାଗଜ କଲମ ବ୍ୟବହାର କରି ମଧ୍ୟ ସେମାନେ ତାହା ସମାଧାନ କରିବାରେ ଅସମର୍ଥ ହୋଇଥାନ୍ତି।
ଏଥିରୁ ଯାହା ସାବ୍ୟସ୍ତ ହୋଇଥାଏ, ତାହା ହେଲା, ଶିକ୍ଷାଲାଭ କରିବାର ପଦ୍ଧତି, ପରିବେଶ ଏବଂ ସମ୍ଭବତଃ ଶିଖିବାର ଅନୁଭୂତ ଆବଶ୍ୟକତା ଉପରେ ଶିକ୍ଷାଲାଭର ସଫଳତା ନିର୍ଭର କରିଥାଏ। ଅନେକ ସମୟରେ ଦେଖାଯାଇଥାଏ ଯେ ଏହି କାରଣରୁ ସମାଜର ଦୁର୍ବଳ ଶ୍ରେଣୀର ପିଲାମାନେ ଶ୍ରେଣୀଗୃହ ମଧ୍ୟରେ ଶିକ୍ଷାଲାଭ କରିବାର ଚାପ ସହିତ ଖାପ ଖାଇପାରି ନଥାନ୍ତି। କିନ୍ତୁ ଅପରପକ୍ଷେ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଗବେଷକଦ୍ବୟ ଦେଖିବାକୁ ପାଇଥିଲେ ଯେ ଯେଉଁ ସ୍ବଚ୍ଛଳ ବର୍ଗର ପିଲାମାନେ (ଯେଉଁମାନଙ୍କୁ ପରିବାବିକାଳି ପିଲାମାନଙ୍କ ପରି ପରିବାର ପାଇଁ ଜୀବିକାର୍ଜନରେ ଅଂଶଗ୍ରହଣ କରିବାକୁ ପଡ଼ି ନ ଥାଏ) ଶ୍ରେଣୀଗୃହରେ ଅଙ୍କ କଷିବାରେ ବ୍ୟୁତ୍ପତ୍ତି ପ୍ରଦର୍ଶନ କରିଥାନ୍ତି, ସେମାନଙ୍କୁ ପରୀକ୍ଷାମୂଳକ ଭାବରେ ବଜାରରେ ପରିବାବିକାଳି ପିଲାଙ୍କ ଭୂମିକାରେ ଅବତୀର୍ଣ୍ଣ କରାଗଲେ, ସେମାନେ ସେଠାରେ ସଠିକ୍ ହିସାବ କରିବାରେ ବିଫଳ ହୋଇଥାନ୍ତି।
ଆମମାନଙ୍କର ସୁପରିଚିତ ‘ଆନୁଆଲ୍ ଷ୍ଟାଟସ୍ ଅଫ୍ ଏଜୁକେସନ୍ ରିପୋର୍ଟସ୍’ (‘ଆସର୍’)ରୁ ସର୍ବଦା ଯେଉଁ ବହୁଚର୍ଚ୍ଚିତ ତଥ୍ୟ ଆବିଷ୍କୃତ ହୋଇଥାଏ, ତାହା ହେଲା ତଳ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଅଙ୍କ କଷିବାରେ ଓ ପାଠ୍ୟବସ୍ତୁ ପଢ଼ିବାରେ ଉପର ଶ୍ରେଣୀର ପିଲାମାନଙ୍କର ଅକ୍ଷମତା। ବାନାର୍ଜୀ-ଡଫ୍ଲୋଙ୍କ ଏହି ରୋଚକ ଆବିଷ୍କାର ଏବେ ଯେଉଁ ସତ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ, ତାହା ହେଲା ‘ଆସର୍’ ଶିକ୍ଷାଲାଭରେ ଯେଉଁ ତଫାତ୍ (ଗ୍ୟାପ୍) ଉନ୍ମୋଚିତ କରିଥାଏ, ତାହା ହେଉଛି ଅମୂର୍ତ୍ତ (ଆବ୍ଷ୍ଟ୍ରାକ୍ଟ) ଓ ବ୍ୟାବହାରିକ (ପ୍ରାକ୍ଟିକାଲ୍) ଗଣିତ ମଧ୍ୟରେ ଥିବା ତଫାତ୍; ତତ୍ତ୍ବ ଓ ଜୀବିକାର୍ଜନର ବାସ୍ତବତା ମଧ୍ୟରେ ଥିବା ତଫାତ୍; ଏକ ପ୍ରାକୃତିକ ପରିବେଶ ଓ କୃତ୍ରିମ ପରିବେଶ ମଧ୍ୟରେ ଥିବା ତଫାତ୍; ଏକ ଅନୁଭୂତ ଜୀବନ-ଆବଶ୍ୟକତା ଓ ଶ୍ରେଣୀଗୃହରେ ପିଲାଟି ସମ୍ମୁଖୀନ ହେଉଥିବା ପ୍ରଶ୍ନରେ ନିହିତ ଅପରିଚିତ ଆବଶ୍ୟକତା ମଧ୍ୟରେ ଥିବା ତଫାତ୍। ଏହା ହୃଦୟଙ୍ଗମ କରି ରୁଷୋଙ୍କୁ ଅନୁସରଣ କଲାଭଳି ଆମର ଶିକ୍ଷାନୀତି ନିର୍ଦ୍ଧାରକମାନେ ଶ୍ରେଣୀଗୃହକୁ ପରିବା ବଜାରରେ ପରିଣତ କରି ଏବଂ ପରିବା ବଜାରକୁ ଶ୍ରେଣୀଗୃହରେ ପରିଣତ କରି ଏହି ତଫାତ୍କୁ ବୁଜି ଦେବାକୁ ଚେଷ୍ଟା କରିବା ଉଚିତ।