ଭାରତରେ ପ୍ରବେଶ କରିବା ପାଇଁ ‘ଷ୍ଟାର୍ଲିଙ୍କ’ର ଆବେଦନପତ୍ର ସରକାରଙ୍କ ଅନୁମୋଦନ ଅପେକ୍ଷାରେ କେବେଠାରୁ ପଡ଼ିରହିଛି। ସରକାର ଏଥର ନିରାପତ୍ତା ସଂପର୍କିତ ଓ ଅନ୍ୟାନ୍ୟ ନୀତିନିର୍ଦ୍ଧାରଣ ଯଥାଶୀଘ୍ର ଚୂଡ଼ାନ୍ତ କରି ଭାରତରେ ଏକ ନୂତନ ଇଣ୍ଟର୍ନେଟ୍ ଯୁଗର ଆରମ୍ଭ କରିବାକୁ ଆଗେଇ ଆସିବା ଉଚିତ। ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଏହା ହେବ ଏକ ନିଶ୍ଚିତ ପଦକ୍ଷେପ।
ସମସ୍ତଙ୍କୁ ଚକିତ କରିଦେଇ ଭାରତର ଦୁଇ ପ୍ରମୁଖ ଟେଲିକମ୍ କଂପାନି- ‘ରିଲାଏନ୍ସ ଜିଓ’ ଏବଂ ‘ଭାରତୀ ଏଆର୍ଟେଲ୍’ ଆମେରିକାର ପ୍ରମୁଖ ଘରୋଇକ୍ଷେତ୍ର ମହାକାଶ ଟେକ୍ନୋଲୋଜି କଂପାନି ‘ସ୍ପେସ୍ ଏକ୍ସ’ ସହିତ ଅଲଗା ଅଲଗା ରାଜିନାମାମାନ ସ୍ବାକ୍ଷର କରିଥିବା ଘୋଷଣା କରିଛନ୍ତି। ‘ସ୍ପେସ୍ ଏକ୍ସ’ର ମାଲିକ ହେଉଛନ୍ତି ବର୍ତ୍ତମାନ ପୃଥିବୀର ସର୍ବାଧିକ ଶକ୍ତିଶାଳୀ ତଥା ଧନଶାଳୀ ଶିଳ୍ପପତି ବହୁଚର୍ଚ୍ଚିତ ଏଲନ୍ ମସ୍କ ଏବଂ ଉପରୋକ୍ତ ଦୁଇ ବିଶାଳ ଭାରତୀୟ ଟେଲିକମ୍ କଂପାନିମାନଙ୍କର ମାଲିକ ହେଉଛନ୍ତି ଯଥାକ୍ରମେ ଭାରତର ଦୁଇ ଅଗ୍ରଣୀ ଶିଳ୍ପପତି ମୁକେଶ ଅମ୍ବାନି ଓ ସୁନିଲ ମିଟ୍ଟଲ୍। ଏ ତିନି ମହାଶକ୍ତି ଏଭଳି ମିଳିତ ହେବା ଅଚାନକ ମନେ ହେଉଥିଲେ ହେଁ, ଏହା ପଛରେ ନିହିତ ଥିବା ସୁଚିନ୍ତିତ ଉଦ୍ଦେଶ୍ୟ ଆମ ପାଇଁ ସୁଦୂରପ୍ରସାରୀ ମହତ୍ତ୍ବ ବହନ କରିଥାଏ। ଏହି ଉଦ୍ଦେଶ୍ୟ ହେଲା- ଭାରତରେ ସାଟେଲାଇଟ୍ ବ୍ରଡ୍ବ୍ୟାଣ୍ଡ୍ ସେବା ଯୁଗର ଆରମ୍ଭ କରି ଟେଲିକମ୍ ଓ ଇଣ୍ଟର୍ନେଟ୍ ସେବାକୁ ଆବଶ୍ୟକ ସ୍ଥଳେ ଖୁଣ୍ଟ ଓ ତାରର ବନ୍ଧନରୁ ମୁକ୍ତ କରିବା।
‘ସ୍ପେସ୍ ଏକ୍ସ’ର ନିଜର ଏକ ଶାଖା କଂପାନି ‘ଷ୍ଟାର୍ଲିଙ୍କ’ ମହାକାଶରେ ସ୍ଥାପନ କରିସାରିଥିବା ପ୍ରାୟ ସାତ ହଜାରଟି (ଏହି ସଂଖ୍ୟାରେ ବୃଦ୍ଧି ଘଟିଚାଲିଛି) ସାଟେଲାଇଟ୍ ମାଧ୍ୟମରେ ପୃଥିବୀର ପ୍ରତ୍ୟେକ କୋଣ ଅନୁକୋଣକୁ ଟେଲିକମ୍ ଓ ଇଣ୍ଟର୍ନେଟ୍ ସିଗ୍ନାଲ୍ ସିଧାସଳଖ ପ୍ରେରଣ କରିପାରିଥାଏ ଏବଂ ଏହି ଦୌଡ଼ରେ ମସ୍କ ତାଙ୍କର ପ୍ରତିଦ୍ବନ୍ଦ୍ବୀମାନଙ୍କୁ ବହୁ ପଛରେ ପକାଇ ଦେଇଛନ୍ତି। ୟୁକ୍ରେନ୍-ରୁଷିଆ ଯୁଦ୍ଧ ଆରମ୍ଭ ପରେ ପରେ ‘ଷ୍ଟାର୍ଲିଙ୍କ’ କିପରି ୟୁକ୍ରେନ୍ ସେନାବାହିନୀ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଯୋଗସୂତ୍ର ରକ୍ଷାକାରୀ ଶକ୍ତି ରୂପେ ଆବିର୍ଭୂତ ହୋଇଥିଲା, ତାହା ଏବେ ଏକ କିଂବଦନ୍ତିରେ ପରିଣତ ହୋଇଛି। ‘ଷ୍ଟାର୍ଲିଙ୍କ’ ବର୍ତ୍ତମାନ ସୁଦ୍ଧା ପୃଥିବୀର ୧୨୦ଟି ଦେଶରେ ଉପସ୍ଥିତ ହୋଇସାରିଥିଲେ ହେଁ ଭାରତରେ ଏପର୍ଯ୍ୟନ୍ତ ଟେଲିକମ୍ କଂପାନିମାନଙ୍କର ପ୍ରତିରୋଧ ଏବଂ ସରକାରଙ୍କର ନୀତିଗତ କୁଣ୍ଠା ଯୋଗୁଁ ଏହି କଂପାନି ଏପର୍ଯ୍ୟନ୍ତ ଭାରତୀୟ ବଜାରରେ ପ୍ରବେଶ କରିପାରି ନ ଥିଲା।
ବର୍ତ୍ତମାନର ଏହି ରାଜିନାମାମାନଙ୍କରୁ ମନେ ହୁଏ ବୋଧହୁଏ ମିଟ୍ଟଲ୍ ଓ ଅମ୍ବାନିଙ୍କ ପରି ଟେଲିକମ୍ ବ୍ୟବସାୟୀମାନେ ଶେଷରେ ହୃଦୟଙ୍ଗମ କରିଛନ୍ତି ଯେ ଭୂ-ପୃଷ୍ଠସ୍ଥ ମୋବାଇଲ୍ ନେଟ୍ୱର୍କ ଓ ସାଟେଲାଇଟ୍ ଯୋଗାଯୋଗ ବ୍ୟବସ୍ଥା ପରସ୍ପରର ପ୍ରତିଦ୍ବନ୍ଦ୍ବୀ ନୁହନ୍ତି; ବରଂ ସେମାନେ ହେଉଛନ୍ତି ପରସ୍ପରର ପରିପୂରକ ସେବା। ମୋବାଇଲ୍ ଫୋନ୍, ଟାବ୍ଲେଟ୍ ଆଦି ସ୍ଥାନ ପରିବର୍ତ୍ତନଶୀଳ ଯନ୍ତ୍ରମାନ ଭୂ-ପୃଷ୍ଠ ନେଟ୍ୱର୍କ ବ୍ୟବହାର କରି ଯେଉଁଭଳି ସାବଲୀଳ ଭାବରେ କାର୍ଯ୍ୟ କରିପାରିଥାନ୍ତି, ସାଟେଲାଇଟ୍ ସିଗ୍ନାଲ୍ ବ୍ୟବହାର କରିବା ଦ୍ବାରା ତାହା ସମ୍ଭବ ହୋଇ ନ ଥାଏ। ଏହାର କାରଣ ଭୂ-ପୃଷ୍ଠ ନେଟ୍ୱର୍କ ସ୍ଥିର ‘ସେଲ୍ୟୁଲାର୍ ବେସ୍ ଟ୍ରାନ୍ସିଭର୍ ଷ୍ଟେସନ୍’ (‘ବିଟିଏସ୍’)ମାନଙ୍କ ଉପରେ ନିର୍ଭରଶୀଳ ହୋଇଥିବାବେଳେ ପୃଥିବୀ ଚତୁର୍ଦିଗରେ ନୀଚା କକ୍ଷପଥରେ ଦ୍ରୁତ ବେଗରେ ଘୂରି ବୁଲୁଥିବା ସାେଟଲାଇଟ୍ମାନଙ୍କରୁ ପ୍ରସାରିତ ସିଗ୍ନାଲ୍କୁ ଠାବ କରିବା ପାଇଁ ଅତ୍ୟନ୍ତ ଜଟିଳ ଟର୍ମିନାଲମାନ ବ୍ୟବହାର କରିବାକୁ ପଡ଼ିଥାଏ। ସାଟେଲାଇଟ୍ମାନ ମଧ୍ୟ ୬୦୦ରୁ ୧୨୦୦ କିମି ପର୍ଯ୍ୟନ୍ତ ଦୂରତାରେ ଥାଇ କାର୍ଯ୍ୟ କରୁଥିବାବେଳେ ଭୂ-ପୃଷ୍ଠସ୍ଥ ‘ବିଟିଏସ୍’ମାନ ବହୁତ ନିକଟରେ କାର୍ଯ୍ୟ କରୁଥିବାରୁ, ଭୂ-ପୃଷ୍ଠ ନେଟ୍ୱର୍କ ଯୋଗାଉଥିବା ବ୍ରଡ୍ବ୍ୟାଣ୍ଡ୍ ସେବାର ଡେଟା ବେଗ ସାଟେଲାଇଟ୍ ବ୍ରଡ୍ବ୍ୟାଣ୍ଡ୍ ସେବାର ଡେଟା ବେଗ ଠାରୁ ଦ୍ରୁତତର ହୋଇଥାଏ।
ଏହିସବୁ କାରଣରୁ ସାଟେଲାଇଟ୍ ଟର୍ମିନାଲ୍ମାନ ଅଧିକ ବ୍ୟୟସାପେକ୍ଷ ହୋଇଥାନ୍ତି। ଏଥିପାଇଁ ପୃଥିବୀ ସାରା ସେଇସବୁ ଅଞ୍ଚଳରେ ସାଟେଲାଇଟ୍ ବ୍ରଡ୍ବ୍ୟାଣ୍ଡ୍ ସେବା ବ୍ୟବହୃତ ହୋଇଥାଏ, େଯଉଁଠି ଭୂ-ପୃଷ୍ଠ ନେଟ୍ୱର୍କ ସ୍ଥାପନ ସମ୍ଭବ ହୋଇପାରେ ନାହିଁ, କିମ୍ବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥାଏ, ଯେମିତି ଅପହଞ୍ଚ ପାହାଡ଼ିଆ ଅଞ୍ଚଳ, ବଣଜଙ୍ଗଲ, ମରୁ ଅଞ୍ଚଳ, ସମୁଦ୍ର ଇତ୍ୟାଦି। ଉଭୟ ମାଧ୍ୟମ ମଧ୍ୟରେ ଥିବା ଏହି ସମସ୍ତ ଫରକ ସାଟେଲାଇଟ୍ ସଂଖ୍ୟା ଓ ‘ବିଟିଏସ୍’ ସଂଖ୍ୟା ମଧ୍ୟରେ ଥିବା ଆକାଶପାତାଳ ଫରକରେ ପ୍ରତିଫଳିତ ହୋଇଥାଏ: ଉପରେ ଉଲ୍ଲେଖ କରାଯାଇଥିବା ଭଳି ମହାକାଶରେ ବର୍ତ୍ତମାନ ‘ଷ୍ଟାର୍ଲିଙ୍କ’ ମୋଟ ୭,୦୦୦ଟି ସାଟେଲାଇଟ୍ ସ୍ଥାପନ କରିଛି ଏବଂ ଭବିଷ୍ୟତରେ ଏଥିରେ ବୃଦ୍ଧି ଘଟାଇ ତାହାକୁ ୪୦,୦୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି; ସେ ତୁଳନାରେ କେବଳ ଭାରତରେ ଭୂ-ପୃଷ୍ଠ ନେଟ୍ୱର୍କର ୨୯ ନିୟୁତ ବେସ୍ ଷ୍ଟେସନ୍ ସ୍ଥାପିତ ହୋଇଛି ଏବଂ ୮,୦୦,୦୦୦ ଟାୱାର ଛିଡ଼ା ହୋଇଛନ୍ତି। ଉଭୟ ମାଧ୍ୟମ ମଧ୍ୟରେ ଥିବା ଏହି ତାରତମ୍ୟ ସେମାନେ ଯୋଗାଉଥିବା ସେବା ପାଇଁ ଲାଗୁ କରାଯାଉଥିବା ମହାସୁଲକୁ ଅନିବାର୍ଯ୍ୟ ଭାବରେ ପ୍ରଭାବିତ କରିଥାଏ। ମୋବାଇଲ୍ ସେବା ପ୍ରଦାନକାରୀ କଂପାନିମାନେ ବହୁଳ ସଂଖ୍ୟକ ଗ୍ରାହକମାନଙ୍କ ଠାରୁ ନୀଚା ହାରାହାରି ମହାସୁଲ ଆଦାୟ କରି ସେବା ଯୋଗାଉଥିବାବେଳେ, ସାଟେଲାଇଟ୍ ସେବା ଯୋଗାଣକାରୀମାନେ ଅଳ୍ପସଂଖ୍ୟକ ଗ୍ରାହକମାନଙ୍କ ଠାରୁ ଅତି ଉଚ୍ଚ ହାରରେ ମହାସୁଲ ଆଦାୟ କରିଥାନ୍ତି।
ସାଟେଲାଇଟ୍ ସେବା ଏଭଳି ମହଙ୍ଗା ହୋଇଥିବାରୁ ଏହା ଗଣ-ବ୍ୟବହାରକାରୀଙ୍କ ବଜାରରେ ପ୍ରବେଶ କରି ପ୍ରତିଯୋଗିତା କରିବା ସମ୍ଭାବନା କ୍ଷୀଣ। ଏହାର ବ୍ୟବହାର ମୁଖ୍ୟତଃ ବ୍ୟବସାୟ-ବ୍ୟବସାୟ ମଧ୍ୟରେ ସୀମିତ ରହିବାର ଦୃଢ଼ ସମ୍ଭାବନା ରହିଛି। ସମୁଦ୍ର ଭିତରେ ତୈଳକୂପ ଖନନ ଓ ତୈଳ ଉତ୍ତୋଳନ, ଜାହାଜ ଚଳାଚଳ, ସାମରିକ କାର୍ଯ୍ୟକଳାପ, ଦୂରଦୂରାନ୍ତରେ ପ୍ରକଳ୍ପ ନିର୍ମାଣ ଆଦିରେ ସାଟେଲାଇଟ୍ ଯୋଗାଯୋଗ (‘ସାଟ୍କମ୍’) ପଦ୍ଧତିର ବ୍ୟବହାର ପାଇଁ ବିଶେଷ ସୁଯୋଗ ରହିଛି। ବର୍ତ୍ତମାନ ଏହିସବୁ ଇଲାକା ‘ଏଆର୍ଟେଲ୍’ ବା ‘ଜିଓ’ର ପହୁଞ୍ଚ ବାହାରେ ଥିବାବେଳେ, ‘ଷ୍ଟାର୍ଲିଙ୍କ’ ସହାୟତାରେ ସେମାନଙ୍କ ପାଇଁ ଏହି ଇଲାକାମାନଙ୍କରେ ନୂତନ ବ୍ୟବସାୟ ସମ୍ଭାବନା ଉନ୍ମୁକ୍ତ ହେବ। ଦେଶର ଯେଉଁ ଅପହଞ୍ଚ ଇଲାକାରେ ଥିବା ଜନବସତିମାନଙ୍କରେ ଓ ସୁଦୂର ଗ୍ରାମାଞ୍ଚଳରେ ଏପର୍ଯ୍ୟନ୍ତ ବ୍ରଡ୍ବ୍ୟାଣ୍ଡ୍ ଯୋଗାଯୋଗ ସ୍ଥାପିତ ହୋଇପାରି ନାହିଁ, ‘ଷ୍ଟାର୍ଲିଙ୍କ’ର ପ୍ରବେଶ ସରକାରୀ ସହାୟତା ଲାଭ କରି ସେଠାରେ ଏହି ଅତ୍ୟାବଶ୍ୟକ ସେବା ପହଞ୍ଚାଇବାର ଏକ ବାସ୍ତବ ସମ୍ଭାବନା ସୃଷ୍ଟି କରିଛି।
ଇଣ୍ଟର୍ନେଟ୍ର ବ୍ୟବହାର ବର୍ତ୍ତମାନ ଶିକ୍ଷା, ସ୍ବାସ୍ଥ୍ୟ ସେବାରୁ ଅର୍ଥନୈତିକ କାର୍ଯ୍ୟକଳାପ ପର୍ଯ୍ୟନ୍ତକୁ ଉଲ୍ଲେଖନୀୟ ଭାବରେ ପ୍ରଭାବିତ କରୁଥିବାରୁ ସରକାର ଓ ଟେଲିକମ୍ ନିୟନ୍ତ୍ରକ କର୍ତ୍ତୃପକ୍ଷ ‘ଟ୍ରାଇ’ ବର୍ତ୍ତମାନ ଭାରତରେ ‘ଷ୍ଟାର୍ଲିଙ୍କ’ର ପ୍ରବେଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ନିମିତ୍ତ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଆଶା କରାଯାଏ। ବିଶେଷ କରି ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଯେତେବେଳେ ଏଥିପାଇଁ ‘ଷ୍ଟାର୍ଲିଙ୍କ ସହିତ ହାତ ମିଳାଇ ଏଥିପାଇଁ ପଥ ପରିଷ୍କାର କଲେଣି, ସରକାରଙ୍କ ପକ୍ଷରୁ ଏଥିରେ ଅଧିକ ବିଳମ୍ବ କରିବା ଉଚିତ ନୁହେଁ। ଭାରତରେ ପ୍ରବେଶ କରିବା ପାଇଁ ‘ଷ୍ଟାର୍ଲିଙ୍କ’ର ଆବେଦନପତ୍ର ସରକାରଙ୍କ ଅନୁମୋଦନ ଅପେକ୍ଷାରେ କେବେଠାରୁ ପଡ଼ିରହିଛି। ସରକାର ଏଥର ନିରାପତ୍ତା ସଂପର୍କିତ ଓ ଅନ୍ୟାନ୍ୟ ନୀତିନିର୍ଦ୍ଧାରଣ ଯଥାଶୀଘ୍ର ଚୂଡ଼ାନ୍ତ କରି ଭାରତରେ ଏକ ନୂତନ ଇଣ୍ଟର୍ନେଟ୍ ଯୁଗର ଆରମ୍ଭ କରିବାକୁ ଆଗେଇ ଆସିବା ଉଚିତ। ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଏହା ହେବ ଏକ ନିଶ୍ଚିତ ପଦକ୍ଷେପ।