ଆୟିନ୍ ରୢାଣ୍ଡ୍‌ଙ୍କ ଭାଷାରେ ପ୍ରତ୍ୟେକ ବ୍ୟକ୍ତି ତା’ର ନିଜର ‘‘ଯୁକ୍ତିଯୁକ୍ତ ଆତ୍ମସ୍ବାର୍ଥ’’ ବା ‘‘ରେସନାଲ୍ ସେଲ୍‌ଫ ଇଣ୍ଟେରେଷ୍ଟ’’ ଦ୍ବାରା ପରିଚାଳିତ ହୋଇ ନିଜ ପାଇଁ ସଂପଦ ସୃଷ୍ଟି କରିବାରେ ପ୍ରବୃତ୍ତ ହେଲେ ତାହାର ମିଳିତ ସୁଫଳ ସ୍ବରୂପ ସେ ସମାଜ ବା ଗୋଷ୍ଠୀ ସର୍ବା‌ଧିକ ସଂପଦର ଅଧିକାରୀ ହୋଇଥାଏ। ସୁପ୍ରିମ୍ କୋର୍ଟଙ୍କ ରାୟ ସେଇ ଲକ୍ଷ୍ୟ ହାସଲ ପାଇଁ ପଥ ପରିଷ୍କାର କରିଛି।

Advertisment

ମଙ୍ଗଳବାର ଦିନ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଧନଞ୍ଜୟ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ନ’ଜଣିଆ ବେଞ୍ଚ୍‌ ଦେଶରେ ସଂପତ୍ତିର ଘରୋଇ ମାଲିକାନା ପୁନଃସ୍ଥାପନ କରିବା ପାଇଁ ରାୟ‌ ଦେବା ଅବସରରେ ଅତୀତରେ ଏ ସଂପର୍କରେ ସେମାନଙ୍କର ଜଣେ ପ୍ରଖ୍ୟାତ ପୂର୍ବସୂରୀ ପ୍ରକାଶ କରିଥିବା ବହୁଚର୍ଚ୍ଚିତ ଅଭିମୁଖ୍ୟକୁ ‌ଆଲୋଚନା ପରିସରଭୁକ୍ତ କରିବାକୁ ଓ ତାହାର ଖଣ୍ଡନ କରିବାକୁ ଉଚିତ ମନେ କରିଛନ୍ତି। ଏହି ଦିବଂଗତ ନ୍ୟାୟାଧୀଶ ହେଉଛନ୍ତି ପଦ୍ମବିଭୂଷଣ ସମ୍ମାନ ଦ୍ବାରା ଭୂଷିତ ଜଷ୍ଟିସ୍ ବୈଦ୍ୟନାଥପୁରମ୍ ରାମ ଆୟାର୍ କ୍ରିଷ୍ଣା ଆୟାର୍, ‌ଯିଏ ୧୯୭୮ରେ ଏକ ମାମଲାରେ ନିଜର ସଂଖ୍ୟାଲଘୁ ନିର୍ଦ୍ଦେଶ ପ୍ରଦାନ କରି କହିଥିଲେ ଯେ ଘରୋଇ ମାଲିକାନାରେ ଥିବା ପାର୍ଥିବ ସମ୍ବଳମାନଙ୍କୁ ମଧ୍ୟ ଗୋଷ୍ଠୀର ସମ୍ବଳ ରୂପେ ବିଚାର କରାଯାଇପାରିବ।
ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଜଷ୍ଟିସ୍ ଆୟାର୍‌ଙ୍କର ଏହି ମତାମତକୁ ଏକ ନିର୍ଦ୍ଦିଷ୍ଟ ଆଦର୍ଶଗତ ଚିନ୍ତାଧାରାର ଅଂଶ ରୂପେ ଅଭିହିତ କରି ଇତିମଧ୍ୟରେ ଦେଶ ସେଭଳି ଚିନ୍ତାଧାରା ଠାରୁ ଦୂରେଇ ଯାଇ ଚମକପ୍ରଦ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବାରେ ସକ୍ଷମ ହୋଇଛି ବୋଲି ଚେତାଇ ଦେଇଛନ୍ତି। ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଅବଶ୍ୟ ଜଷ୍ଟିସ୍ ଆୟାର୍‌ଙ୍କର ଏ ଯେଉଁ ଚିନ୍ତାଧାରା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି, ତାହାର ନାମ କାହାରିକୁ ଅଛପା ନୁହେଁ- ସମାଜବାଦ। ଜଷ୍ଟିସ୍ ଆୟାର୍‌ଙ୍କ ପରି ଜଣେ ବିଚକ୍ଷଣ ନ୍ୟାୟବିତ୍ ଏହି ଚିନ୍ତାଧାରା ଦ୍ବାରା ପ୍ରଭାବିତ ହେବାରେ ମଧ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସାଧାରଣତଃ କାର୍ଲ ମାର୍କସ୍‌ଙ୍କୁ ଏହି ରାଜନୈତିକ-ଅର୍ଥନୈତିକ ଚିନ୍ତାଧାରାର ଜନକ ରୂପେ ବିଚାର କରାଯାଉଥିଲେ ହେଁ, ଇତିହାସ ସାରା ସମାଜରୁ ଅର୍ଥନୈତିକ ବୈଷମ୍ୟ ଦୂର କରିବା ଭଳି ଏକ ନ୍ୟାୟୋଚିତ ଆଦର୍ଶରେ ବିଶ୍ବାସ କରୁଥିବା ଅନେକ ଦାର୍ଶନିକମାନଙ୍କ ଠାରୁ ରାଷ୍ଟ୍ର ନାୟକମାନଙ୍କ ପର୍ଯ୍ୟନ୍ତ ଏହି ମତବାଦ ଦ୍ବାରା ଆକର୍ଷିତ ହେବା ଦେଖାଯାଇଛି।
ସମାଜବାଦ ଯେ ହେଉଛି ଏକ ଅତ୍ୟନ୍ତ ମହତ୍ ଆଦର୍ଶ, ଏଥିରେ ସାମାନ୍ୟତମ ସନ୍ଦେହର ଅବକାଶ ନାହିଁ। କିନ୍ତୁ ସେଇ ଇତିହାସ ସାରା ଦେଖାଯାଇଛି ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଉଦ୍ୟମ ସର୍ବଦା ବିଫଳତା କିମ୍ବା ବିପର୍ଯ୍ୟୟରେ ପରିସମାପ୍ତ ହୋଇଛି। ଆଧୁନିକ ସମୟ‌ର ସୋଭିଏତ୍ ରୁଷିଆରୁ ପ୍ରାଚୀନ ରୋମ୍ ପର୍ଯ୍ୟନ୍ତରେ ସମାଜବାଦର ଯେଉଁ ପରାଜୟ ଘଟିବା ଦେଖା ହୋଇଆସିଛି, ତାହା ଏକ ଆଦର୍ଶ ଭାବରେ ଏହି ମତବାଦର କୌଣସି ଦୁର୍ବଳତା ଯୋଗୁଁ ନୁହେଁ, ତାହା ହେଉଛି ମନୁଷ୍ୟ ଚରିତ୍ରର ଅନ୍ତର୍ନିହିତ ସ୍ବାର୍ଥକୈନ୍ଦ୍ରିକ ଆଭିମୁଖ୍ୟ ଓ ବିଷମ ପାରଦର୍ଶିତା ଯୋଗୁଁ।
ସମାଜବାଦର ଏହି ବିଫଳତାର ଏକ ପ୍ରାଚୀନତମ ଉଦାହରଣ ରୂପେ ଖ୍ରୀଷ୍ଟାବ୍ଦ ତୃତୀୟ ଶତାବ୍ଦୀରେ ରୋମ୍‌ର ସମ୍ରାଟ୍ ଡାୟୋକ୍ଲିସନ୍ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କରିଥିବା ଉଦ୍ୟମ ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରାଯାଇପାରେ। ନିଜର ପ୍ରଜାମାନେ ଭୋଗୁଥିବା ଦାରିଦ୍ର୍ୟ ଓ ସେଥିଯୋଗୁଁ ସେମାନେ ପ୍ରଦର୍ଶନ କରୁଥିବା ଅସନ୍ତୋଷ ଓ ଅସ୍ଥିରତା ଦ୍ବାରା ବିଚଳିତ ହୋଇ ସମ୍ରାଟ୍ ଡାୟୋକ୍ଲିସନ୍ ପରିସ୍ଥିତି ସମ୍ଭାଳିବା ନିମିତ୍ତ ଯେଉଁ ଆଦେଶନାମା ଜାରି କରିଥିଲେ ତାହା ଆଜିର ଯେ କୌଣସି ସମାଜବାଦୀ ରାଷ୍ଟ୍ରର ଲକ୍ଷଣମାନ ବହନ କରିଥାଏ ଏବଂ ଯାହାର ଅନେକାଂଶ ସହିତ ଆମେମାନେ ମଧ୍ୟ ସୁପରିଚିତ। ଏହି ଆଦେଶନାମାରେ ସମ୍ରାଟ୍ ବଜାରରେ ଜିନିଷପତ୍ରର ଦର ବୃଦ୍ଧି ଘଟାଇ ଲାଭ ଅର୍ଜନ କରିବା ଉଦ୍ଦେଶ୍ୟରେ ଯେଉଁ ଏକଚାଟିଆ ବ୍ୟବସାୟୀମାନେ ସେଗୁଡ଼ିକୁ ବଜାରକୁ ନ ଛାଡ଼ି ମହଜୁଦ କରି ରଖୁଥିଲେ, ସେମାନଙ୍କୁ ଧମକ ଦେବା ସହିତ ସମସ୍ତ ଗୁରୁତ୍ବପୂର୍ଣ୍ଣ ଦ୍ରବ୍ୟ ଓ ସେବାମାନଙ୍କର ସର୍ବୋଚ୍ଚ ଦର ନିର୍ଦ୍ଧାରଣ କରିଥିଲେ। ସେ ମଧ୍ୟ ମଜୁରିର ନିର୍ଦ୍ଦିଷ୍ଟ ହାର ନିର୍ଦ୍ଧାରଣ କରିଥିଲେ। ବେକାର ନାଗରିକମାନଙ୍କୁ ନିଯୁକ୍ତି ଯୋଗାଇବା ପାଇଁ ସମ୍ରାଟ୍ ବିଭିନ୍ନ କର୍ମନିଯୁକ୍ତି ଯୋଜନାମାନ କାର୍ଯ୍ୟକାରୀ କରିଥିଲେ। ଅଭାବଗ୍ରସ୍ତ ଜନସାଧାରଣଙ୍କୁ ଆହାର ଯୋଗାଇବା ନିମିତ୍ତ ପ୍ରଶାସନ ମାଗଣା ଖାଦ୍ୟ ବଣ୍ଟନ ଯୋଜନାମାନ କାର୍ଯ୍ୟକାରୀ କରିଥିଲା।
ସରକାର ସମସ୍ତ ଖଣି ଖାଦାନ ସହିତ ସମସ୍ତ ଶିଳ୍ପ ଅନୁଷ୍ଠାନମାନଙ୍କୁ ନିଜ ନିୟନ୍ତ୍ରଣାଧୀନ କରିଦେଇଥିଲେ, ଯାହା ଆଧୁନିକ ସମୟରେ ଜାତୀୟକରଣ ନାମରେ ପରିଚିତ। ଯେଉଁ କେତେକ ଶିଳ୍ପ ବ୍ୟବସାୟ ସମ୍ରାଟ୍‌ଙ୍କର ଏହି ସମାଜବାଦୀ ଅଭିଯାନ (ଏହା ପରସ୍ପର-ବିରୋଧୀ ମନେ ହୋଇ ନ ଥାଏ କି?)ରୁ ବର୍ତ୍ତିଯାଇ ଘରୋଇ କ୍ଷେତ୍ରରେ ବ୍ୟବସାୟ କରୁଥିଲେ, ସରକାର ସେମାନଙ୍କ ଉପରେ ଯେଉଁ ଅସହନୀୟ କର ଭାର ଲଦି ଦେଉଥିଲେ, ତାହା ସେମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଥିଲା। (ଯେମିତି ଜଷ୍ଟିସ୍ ଆୟାର୍‌ଙ୍କ ସମୟରେ ଭାରତରେ ଆୟ କରର ସର୍ବୋଚ୍ଚ ହାର ଥିଲା ୯୭.୫ ଶତାଂଶ!) ଏହି ବିସ୍ତୃତ ସମାଜବାଦୀ ବ୍ୟବସ୍ଥାର ତଦାରଖ କରିବା ପାଇଁ ସମ୍ରାଟ୍ ଯେଉଁ ବିଶାଳ ଅମଲାତନ୍ତ୍ର ସୃଷ୍ଟି କଲେ ତାହା ଅବିଳମ୍ବେ ଘୋର ଦୁର୍ନୀତିପ୍ରବଣ ହୋଇ ସାଧାରଣ ନାଗରିକମାନଙ୍କୁ ଶୋଷଣ କରିବାରେ ଲାଗିଗଲା। ବ୍ୟକ୍ତିଗତ ବା ଘରୋଇ ସଂପତ୍ତି ଉପରେ ମାଲିକାନା ହରାଇ, କର ଭାରରେ ଅତିଷ୍ଠ ହୋଇ, ଅମଲାତନ୍ତ୍ର ଦ୍ବାରା ଅତ୍ୟାଚାରିତ ହୋଇ ହଜାର ହଜାର ସଂଖ୍ୟାରେ ରୋମ୍‌ର ନାଗରିକମାନେ ସୀମା ଅତିକ୍ରମ କରି ରାଜ୍ୟ ବାହାରକୁ ପଳାୟନ କରିବାରେ ଲାଗିଲେ। ସମ୍ରାଟ୍‌ଙ୍କ ସମାଜବାଦ ଶେଷରେ ଭୁଶୁଡ଼ି ପଡ଼ିଲା ଓ ସମ୍ରାଟ୍ ସ୍ବେଚ୍ଛାରେ ରାଜପଦ ତ୍ୟାଗ କଲେ।
ଭାରତୀୟ ଅର୍ଥନୀତି ୧୯୯୦ ଦଶକରେ ତା’ର ସମାଜବାଦୀ ଅଭିଯାନରୁ ନିବୃତ୍ତ ହୋଇ ଯାତ୍ରାର ଦିଗ ପରିବର୍ତ୍ତନ କରିବାରୁ ଯେ ଏଇଭଳି ଏକ ସମାଜବାଦୀ ବିପର୍ଯ୍ୟୟରୁ ରକ୍ଷା ପାଇଗଲା, ଏଥିରେ କୌଣସି ସନ୍ଦେହ ନାହିଁ। ସୁପ୍ରିମ୍ କୋର୍ଟ ତାଙ୍କ ରାୟରେ ଭାରତୀୟ ଅର୍ଥନୀତିର ଏହି ଉଦାରୀକରଣ ସମ୍ବନ୍ଧରେ ଉଲ୍ଲେଖ କରିବା ସହିତ ଏହି ପରିବର୍ତ୍ତିତ ପରିସ୍ଥିତିରେ ସଂବିଧାନର ଧାରା ୩୯ (ବି)ରେ ଉଲ୍ଲେଖ ଥିବା ‘‘ଗୋଷ୍ଠୀର ପାର୍ଥିବ ସମ୍ବଳ’’ ପରିସରରୁ ଘରୋଇ ମାଲିକାନାରେ ଥିବା ସଂପତ୍ତିସବୁକୁ ପ୍ରାୟ ବାଦ୍ ଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ କେବଳ ସର୍ବସାଧାରଣଙ୍କ ମଙ୍ଗଳକୁ ପ୍ରଭାବିତ କରୁଥିବା କେତେକ ବିଶେଷ ଧରଣର ଘରୋଇ ସଂପତ୍ତି ଏହି ଧାରାରେ ଅନ୍ତର୍ଭୁକ୍ତ ହୋଇପାରିବେ, ଅନ୍ୟ ସମସ୍ତ ଘରୋଇ ସଂପତ୍ତି ଏଥିରୁ ବହିର୍ଭୂତ ହେବେ। ଏହାର ତାତ୍ପର୍ଯ୍ୟ ହେଲା ନିଜର ଉଦ୍‌ଯୋଗ ବଳରେ ବ୍ୟକ୍ତି ଯେଉଁ ସଂପଦ ସୃଷ୍ଟି କରିଥାଏ, ତାହାର ମାଲିକ ସେ ହିଁ ହୋଇଥାଏ, ଗୋଷ୍ଠୀ ବା ରାଷ୍ଟ୍ର ନୁହେଁ।
ଅର୍ଥଶାସ୍ତ୍ରର ଜନକ ଆଡାମ୍ ସ୍ମିଥ୍‌ଙ୍କ ଠାରୁ ଆରମ୍ଭ କରି ଚରମ ଉଦାରବାଦୀ ଅର୍ଥନୀତିଜ୍ଞା-ଦାର୍ଶନିକା ଆୟିନ୍ ରୢାଣ୍ଡ୍‌ଙ୍କ ପର୍ଯ୍ୟନ୍ତ ଏକ ରାଷ୍ଟ୍ର ବା ସମାଜର ସମୃଦ୍ଧି ପାଇଁ ଏହି ସଂପତ୍ତି ମାଲିକାନା ନିୟମର ମୌଳିକ ଗୁରୁତ୍ବ ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ଆୟିନ୍ ରୢାଣ୍ଡ୍‌ଙ୍କ ଭାଷାରେ ପ୍ରତ୍ୟେକ ବ୍ୟକ୍ତି ତା’ର ନିଜର ‘‘ଯୁକ୍ତିଯୁକ୍ତ ଆତ୍ମସ୍ବାର୍ଥ’’ ବା ‘‘ରେସନାଲ୍ ସେଲ୍‌ଫ ଇଣ୍ଟେରେଷ୍ଟ’’ ଦ୍ବାରା ପରିଚାଳିତ ହୋଇ ନିଜ ପାଇଁ ସଂପଦ ସୃଷ୍ଟି କରିବାରେ ପ୍ରବୃତ୍ତ ହେଲେ ତାହାର ମିଳିତ ସୁଫଳ ସ୍ବରୂପ ସେ ସମାଜ ବା ଗୋଷ୍ଠୀ ସର୍ବା‌ଧିକ ସଂପଦର ଅଧିକାରୀ ହୋଇଥାଏ। ସୁପ୍ରିମ୍ କୋର୍ଟଙ୍କ ରାୟ ସେଇ ଲକ୍ଷ୍ୟ ହାସଲ ପାଇଁ ପଥ ପରିଷ୍କାର କରିଛି।