ଯେଉଁ ଅସଂଖ୍ୟ ଦରିଦ୍ର ସେମାନଙ୍କ ଦୈନନ୍ଦିନ ଗୁଜରାଣ ମେଣ୍ଟାଇବା ଲାଗି ପ୍ରତ୍ୟହ ସେହି ବିଷାକ୍ତ ବାୟୁମଣ୍ଡଳରେ ଆତଯାତ ହେବାକୁ ବାଧ୍ୟ ହେବେ, ସେମାନଙ୍କ କଷଣ ଲାଘବ ହେବ କେମିତି! ଶାରୀରିକ ଶ୍ରମ କାରଣରୁ ସେମାନଙ୍କ ମଧ୍ୟରୁ ଅସଂଖ୍ୟଙ୍କ ଫୁସ୍ଫୁସ୍ ତା’ର ସାଧ୍ୟ ମୁତାବକ ବିଷାକ୍ତ ବାୟୁ ଶୋଷଣ କରି ଯେତେବେଳେ ଫୁଲି ଉଠୁଥିବ, ସେମାନେ ଅଧିକରୁ ଅଧିକ ଅସୁସ୍ଥ ହୋଇ ଚାଲିଥିବେ। ବାୟୁ ପ୍ରଦୂଷଣ ସୃଷ୍ଟି କରିବାରେ ଏହି ବର୍ଗର ଭୂମିକା ସବୁଠାରୁ କମ୍ ହୋଇଥିବା ସତ୍ତ୍ବେ ସ୍ବଚ୍ଛଳ ବର୍ଗଙ୍କ ଗାଡ଼ିଘୋଡ଼ା ଓ କଳକାରଖାନାରୁ ସୃଷ୍ଟ ବିଷ ଓ ‘ପାର୍ଟିକ୍ୟୁଲେଟ୍ ମ୍ୟାଟର୍’ ସେମାନଙ୍କ ଫୁସ୍ଫୁସ୍କୁ ଦଗ୍ଧ କରି ଚାଲିଥିବ!
ରାଜଧାନୀ ସହର ଦିଲ୍ଲୀର ପ୍ରାତଃ ଓ ପୂର୍ବାହ୍ଣ କାଳୀନ ଯେଉଁ ସବୁ ଫଟୋମାନ ସଂପ୍ରତି ଦେଶ ଓ ବିଦେଶର ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହେବାରେ ଲାଗିଛି, ସେ ସବୁ ହେଉଛି ବିଗତ ପ୍ରାୟ ଏକ ଦଶନ୍ଧି ହେଲାଣି ପ୍ରତ୍ୟେକ ବର୍ଷ ନଭେମ୍ବର-ଡିସେମ୍ବର ମାସରେ ଘନ କୁହୁଡ଼ି, ଧୂଳି ଓ ଧୂମ ପଟଳେର ଅସହାୟ ଭାବେ ଶ୍ବାସରୁଦ୍ଧ ହୋଇ ପଡ଼ିଥିବା ସେହି ମହାନଗରୀର ସ୍ଥିର ଚିତ୍ର। ଏହା ସହିତ ମଧ୍ୟ ଶୁଭିଥାଏ ଓ ଦିଶିଥାଏ ସେହି ଚର୍ବିତଚର୍ବଣ ଆଲୋଚନା, ଉଦ୍ବେଗ, ଦୋଷାରୋପ, ଆରାମଦାୟକ ବୈଠକଖାନାଗୁଡ଼ିକରୁ ନିସୃତ ବିଜ୍ଞ ପରାମର୍ଶ, ଗଣମାଧ୍ୟମର ଉଚ୍ଚାଟ, ସମସ୍ୟାର ତୁରନ୍ତ ସମାଧାନ ସକାଶେ କେତେକ ଅଧାସିଝା ତଡ଼ିତ୍ ଉଦ୍ୟମମାନ। କେବଳ ସେତିକି ନୁହେଁ, ଦିଲ୍ଲୀର ବାୟୁମଣ୍ଡଳ କିଭଳି ପୃଥିବୀର ସମସ୍ତ ରାଜଧାନୀ ସହର ତୁଳନାରେ ଅଧିକ ପ୍ରଦୂଷିତ ବା ତାହାକୁ ପ୍ରଶ୍ବାସରେ ଗ୍ରହଣ କରୁଥିବା ମନୁଷ୍ୟମାନେ କିଭଳି ସେମାନଙ୍କ ହାରାହାରି ଆୟୁଷରୁ ପାଞ୍ଚରୁ ସାତ ବର୍ଷ ଲେଖାଏଁ ହରାଇବାରେ ଲାଗିଛନ୍ତି କିମ୍ବା ପ୍ରଶ୍ବାସରେ ସେହି ବାୟୁକୁ ନେଇ ସେମାନେ ନିଜ ଫୁସ୍ଫୁସ୍କୁ ଦେଉଥିବା ଦହନ କିଭଳି ଦୈନିକ ପଚାଶଟି ସିଗାରେଟ ସେବନ ସହିତ ସମତୁଲ; ଏ ସବୁ ବିଷୟ ମଧ୍ୟ ସଚିତ୍ର ଗ୍ରାଫ୍, ପରିସଂଖ୍ୟାନର ସାରଣୀ ଓ ତଥ୍ୟ-ହିସାବ ସହିତ ଦର୍ଶାଇ ଦିଆଯାଇ ସ୍ପଷ୍ଟ କରି ଦିଆଯାଇଥାଏ ଯେ ଏଥିରୁ ନିଷ୍କୃତିର କୌଣସି ସୁଯୋଗ ସମ୍ଭବତଃ ନାହିଁ; ପର ବର୍ଷ ବା ତତ୍ ପର ବର୍ଷଗୁଡ଼ିକର ନଭେମ୍ବର ମାସରେ ଏହାର ପୁନରାବୃତ୍ତି ଘଟିବା ହେଉଛି ନିୟତିର ବିଧାନ! ଏଭଳି ଏକ ହତାଶାଜନକ ସ୍ଥିତିରେ ଏହା ମଧ୍ୟ ଦୃଶ୍ୟମାନ ହୋଇଥାଏ, କିଭଳି ବାୟୁ ପ୍ରଦୂଷଣର ସମ୍ମୁଖୀନ ହେବାରେ ନାଗରିକମାନେ ଧନୀ (ସଂଭ୍ରାନ୍ତ) ଓ ଦରିଦ୍ର; ଏଭଳି ଦୁଇ ଭାଗରେ ବିଭାଜିତ ମଧ୍ୟ ହୋଇଯାଇଛନ୍ତି!
କହିବାରେ ଦ୍ବିଧା ନାହିଁ ଯେ ନଭେମ୍ବର ମାସରେ ଦିଲ୍ଲୀର ବାୟୁ ପ୍ରଦୂଷଣର ସ୍ତର ନିକୃଷ୍ଟତାର ଚରମ ସୀମାରେ ପହଞ୍ଚିଥାଏ, ଯେମିତିକି ତିନି ଚାରି ଦିନ ତଳେ ଦିଲ୍ଲୀର କେତେକ ଅଞ୍ଚଳରେ ‘ଏ.କ୍ୟୁ.ଆଇ.’(ଏୟାର କ୍ବାଲିଟି ଇନ୍ଡେକ୍ସ) ପହଞ୍ଚିଥିଲା ଏକ ଅବିଶ୍ବସନୀୟ ୧୭୦୦ରେ; ଯେତେବେଳେ କି ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ବା ‘ଡବ୍ଲ୍ୟୁ.ଏଚ୍.ଓ.’ ଦ୍ବାରା ସ୍ଥିରୀକୃତ ସ୍ବାସ୍ଥ୍ୟ ଦୃଷ୍ଟିରୁ ସହନୀୟ ମାନକ ହେଉଛି ୧୦୦ ବା ତା’ଠାରୁ କମ୍। ଅବଶ୍ୟ, ଏଥି ଲାଗି ଦାୟୀ କାରଣମାନ ଏବେ ଏଭଳି ସୁବିଦିତ ଯେ ସେ ସଂପର୍କରେ କୌଣସି ଚର୍ଚ୍ଚା କେବଳ କାଗଜର ଅପଚୟ ହିଁ କରିବ। କିନ୍ତୁ ଏ ସଂଦର୍ଭରେ ଯେଉଁ ଏକ ପ୍ରମୁଖ କାରଣ ଅନାଲୋଚିତ କିନ୍ତୁ ଏକ ଅତ୍ୟନ୍ତ ଅପ୍ରିୟ ସତ୍ୟ; ତାହା ହେଲା ନୀତି ନିର୍ଦ୍ଧାରକ ଓ ନିୟମ ପ୍ରବର୍ତ୍ତନକାରୀ ପ୍ରଭାବଶାଳୀ ବର୍ଗଙ୍କ ସଂକୀର୍ଣ୍ଣ ଦୃଷ୍ଟିପଥ ଓ ନିରୁଦ୍ବିଗ୍ନ ସ୍ବାର୍ଥପରତା। ଉଦାହରଣ ସ୍ବରୂପ ସର୍ବାଧିକ କ୍ଷମତାଶାଳୀ ଓ ସଂଭ୍ରାନ୍ତ ବର୍ଗ ବସବାସ କରୁଥିବା ‘ଲ୍ୟୁଟେନ୍ଙ୍କ ଦିଲ୍ଲୀ’ ରୂପେ ପରିଚିତ ଅଞ୍ଚଳର ‘ଏ.କ୍ୟୁ.ଆଇ.’ ସ୍ତର ତୁଳନାତ୍ମକ ଭାବେ ସର୍ବଦା କମ୍ ହିଁ ରହିଥାଏ, କାରଣ ଅନେକ ସମୟରେ ସେ ଅଞ୍ଚଳରେ ଅବାଧ ଯାନବାହନ ଚଳାଚଳ ଉପରେ କଟକଣା ଲାଗେ, ଅନେକ ସମୟରେ ‘ପାର୍କିଂ ଫି’ରେ ମାତ୍ରାଧିକ ବୃଦ୍ଧି ଘଟାଇ େସ ଅଞ୍ଚଳ ମଧ୍ୟକୁ ଯାନବାହନ ପ୍ରବେଶକୁ ନିରୁତ୍ସାହିତ କରାଯାଏ, ଏହି ଅଞ୍ଚଳରେ ବାସ କରୁଥିବା କ୍ଷମତାଶାଳୀ ନେତା ଓ ଅଧିକାରୀମାନଙ୍କ ଆବାସ ଏବଂ ସେଠାରେ ଅବସ୍ଥିତ ମନ୍ତ୍ରାଳୟ ଓ ନବନିର୍ମିତ ସଂସଦ ଗୃହର ଅଭ୍ୟନ୍ତରୀଣ ବାତାବରଣ ‘ଏୟାର୍ ପ୍ୟୁରିଫାୟର୍’ ଭଳି ଯନ୍ତ୍ର ଦ୍ବାରା ବିଶୋଧିତ; ଅଥଚ ସେଠାରେ ନିଆଯାଉଥିବା ନିଷ୍ପତ୍ତି ସହର ଉପରେ ଯେଉଁ କଟକଣାମାନ ଲଗାଏ, ତହିଁରେ ସାଧାରଣ ନାଗରିକମାନେ ଆକ୍ରାନ୍ତ ହୁଅନ୍ତି; ଯେମିତି ଦିଲ୍ଲୀରେ ସମସ୍ତ ନିର୍ମାଣ କାର୍ଯ୍ୟକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯିବାର ନିଷ୍ପତ୍ତି, ଯଦ୍ଦ୍ବାରା ଅସଂଖ୍ୟ ଦିନ ମଜୁରିଆ ଆୟ ଶୂନ୍ୟ ହୋଇ ତୀବ୍ର ଅଭାବ ଓ ବୁଭୁକ୍ଷା ମଧ୍ୟକୁ ଠେଲି ହୋଇଯାଇଛନ୍ତି। ଏବଂ ଏକ ବୃହତ୍ ବିଡ଼ମ୍ବନା ହେଲା ସେହି ଦରିଦ୍ରମାନଙ୍କ ସକାଶେ ବିଶୁଦ୍ଧ ବାୟୁର ପ୍ରକୋଷ୍ଠଟିଏ କେଉଁଠି ହେଲେ ନ ଥାଏ ଯେଉଁଠି ସେମାନଙ୍କ ଫୁସ୍ଫୁସ୍ ହୁଏତ ବାୟୁ ପ୍ରଦୂଷଣର ନିରବଚ୍ଛିନ୍ନ ଦଂଶନରୁ କ୍ଷଣିଏ ତ୍ରାହି ପାଆନ୍ତା! ପ୍ରକାଶ ଥାଉ କି ଗୋଟିଏ ଦଶନ୍ଧି ତଳେ ଚୀନର ବେଜିଂ ବା ସାଂଘାଇ ଭଳି ମହାନଗରୀର ‘ଏ.କ୍ୟୁ.ଆଇ.’ ଦିଲ୍ଲୀ ଭଳି ଶୋଚନୀୟ ଥିଲା, ଯାହା ସଂପ୍ରତି ଯଥାକ୍ରମେ ୬୩ ଓ ୮୫। ଏହି ଉପଲବ୍ଧି ହାସଲ କରିବାକୁ ନିଆଯାଇଥିବା ଅତ୍ୟନ୍ତ କଠୋର ନିଷ୍ପତ୍ତିରେ ପ୍ରଭାବଶାଳୀମାନେ ହିଁ ସର୍ବାଧିକ ତ୍ୟାଗର ନିଦର୍ଶନ ଦେଖାଇଛନ୍ତି, କାରଣ ସର୍ବତ୍ର ପ୍ରଦୂଷଣର କାରଣ ହୋଇଥାଏ ଏହି ବର୍ଗର ଉପଭୋଗବାଦୀ ଜୀବନଧାରା। ଆମ ଦେଶରେ ସେଭଳି କିଛି କେବେ ହେଲେ ସମ୍ଭବ ହେବ କି?
ବର୍ତ୍ତମାନ ସର୍ବତ୍ର ଯେଉଁ ଉଚ୍ଚାଟ ଓ ବ୍ୟାଖ୍ୟାନମାନ ଶ୍ରୁତିଗୋଚର ହେଉଛି, ତହିଁରୁ ଧାରଣାଟିଏ ଜନ୍ମିଥାଏ ଯେ ଦିଲ୍ଲୀ ହେଉଛି ଭାରତ ତଥା ପୃଥିବୀର ସର୍ବାଧିକ ପ୍ରଦୂଷିତ ସହର। କିନ୍ତୁ ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ଦ୍ବାରା ପ୍ରସ୍ତୁତ ତାଲିକା ଅନୁସାରେ ଏହି ଅପବାଦର ଅଧିକାରୀ ହେଉଛି ଗୋଆଲିଅର୍ ଯେଉଁଠି ପ୍ରତି ଘନମିଟର ବାୟୁମଣ୍ଡଳରେ ସୂକ୍ଷ୍ମାତିସୂକ୍ଷ୍ମ କଣିକା ‘ପି.ଏମ୍. ୨.୫’ର ପରିମାଣ ୧୭୬ ଥିବାବେଳେ ‘ପି.ଏମ୍. ୧୦’ର ପରିମାଣ ହେଉଛି ୩୨୯। ଏହି ତାଲିକାରେ ଆହ୍ଲାବାଦ, ପାଟନା ଓ ରାୟପୁର ଭଳି ସହରଗୁଡ଼ିକର ବାୟୁମଣ୍ଡଳ ଦିଲ୍ଲୀ ତୁଳନାରେ ଅଧିକ ନିକୃଷ୍ଟ। ସେହି ଭଳି ‘ଡବ୍ଲ୍ୟୁ.ଏଚ୍.ଓ.’ର ସୂଚିରେ ପୃଥିବୀର ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ସର୍ବାଗ୍ରେ ବିଦ୍ୟମାନ ଆଫଗାନିସ୍ତାନର ଜାବୋଲ (୨୧୭) ଓ ଦ୍ବିତୀୟ ସ୍ଥାନ ପାଇଛି ଗୋଆଲିଅର୍ (୧୭୬)। ସେହି ତାଲିକାରେ ଦିଲ୍ଲୀର ସ୍ଥାନ ହେଉଛି ଏକାଦଶ (୧୨୨)। ଅବଶ୍ୟ, ଏଥିରେ ଦିଲ୍ଲୀ ସକାଶେ ସାନ୍ତ୍ବନା ଲାଭ କରିବାର ବିଶେଷ କାରଣ ନ ଥାଏ, କାରଣ ଦିଲ୍ଲୀର ବାୟୁମଣ୍ଡଳ ତଥାପି ଅତ୍ୟନ୍ତ ନିକୃଷ୍ଟ। କିନ୍ତୁ ପ୍ରଶ୍ନ ହେଲା ଅଧିିକ ପ୍ରଦୂଷିତ ସହରଗୁଡ଼ିକ ସମ୍ବନ୍ଧରେ କଦାଚିତ୍ କୌଣସି ଆଲୋଚନା ଦୃଷ୍ଟିଗୋଚର ହୋଇ ନ ଥାଏ କାହିଁକି? ଅବଶ୍ୟ, କୁହାଯାଇପାରେ ଯେ ଦେଶର ରାଜଧାନୀ ହୋଇଥିବା କାରଣରୁ ଦିଲ୍ଲୀ ଚର୍ଚ୍ଚାର କେନ୍ଦ୍ରରେ ରହିବା ସ୍ବାଭାବିକ; ମାତ୍ର ଗୋଆଲିଅର୍ ବା ଆହ୍ଲାବାଦ ବା ରାୟପୁର ବା ପାଟନା ଇତ୍ୟାଦି କ’ଣ ପ୍ରଦୂଷଣ ଚର୍ଚ୍ଚାର ବିସ୍ତୃତ ପରିବେଷ୍ଟନୀରେ ଆଦୌ ଦୃଶ୍ୟମାନ ହେବେ ନାହିଁ? ଏହାର କାରଣ କ’ଣ ଏୟା କି ଯେ ସହର ଓ ତାହାର ବାସିନ୍ଦାଙ୍କ ଗୁରୁତ୍ବ ପରିପ୍ରେକ୍ଷୀରେ ଦିଲ୍ଲୀ ତୁଳନାରେ ଗୋଆଲିଅର୍ ଦରିଦ୍ର ହୋଇଥିବାରୁ ସେମାନେ ଯାହା ଭୋଗୁଛନ୍ତି, ତାହା ଭାଗ୍ୟର ବିଧାନ ବୋଲି ଧରି ନିଆଯିବ?
ସଂପ୍ରତି ଦିଲ୍ଲୀ ସରକାରଙ୍କ ଆଦେଶାନୁସାରେ ୫୦ ପ୍ରତିଶତ ସରକାରୀ କର୍ମଚାରୀ ଦପ୍ତର ନ ଯାଇ ଅନ୍ଲାଇନ୍ ମାଧ୍ୟମରେ ସ୍ବଗୃହର ଅପେକ୍ଷାକୃତ ବିଶୁଦ୍ଧ ବାତାବରଣରୁ କାର୍ଯ୍ୟ କରିବେ। କାରଣ ଏହି କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ହୁଏତ ନିଜ ଆବାସରେ ‘ଏୟାର୍ ପ୍ୟୁରିଫାୟର୍’ ଖଞ୍ଜି ସାରିଥିବେ! କୁହାଯାଉଛି ଯେ ଏହା ସଡ଼କରୁ ଗାଡ଼ିର ସଂଖ୍ୟାରେ ମଧ୍ୟ ହ୍ରାସ ଘଟାଇବ। କିନ୍ତୁ ସେ ଯାହା ହେଉ, ଯେଉଁ ଅସଂଖ୍ୟ ଦରିଦ୍ର ସେମାନଙ୍କ ଦୈନନ୍ଦିନ ଗୁଜରାଣ ମେଣ୍ଟାଇବା ଲାଗି ପ୍ରତ୍ୟହ ସେହି ବିଷାକ୍ତ ବାୟୁମଣ୍ଡଳରେ ଆତଯାତ ହେବାକୁ ବାଧ୍ୟ ହେବେ, ସେମାନଙ୍କ କଷଣ ଲାଘବ ହେବ କେମିତି! ଶାରୀରିକ ଶ୍ରମ କାରଣରୁ ସେମାନଙ୍କ ମଧ୍ୟରୁ ଅସଂଖ୍ୟଙ୍କ ଫୁସ୍ଫୁସ୍ ତା’ର ସାଧ୍ୟ ମୁତାବକ ବିଷାକ୍ତ ବାୟୁ ଶୋଷଣ କରି ଯେତେବେଳେ ଫୁଲି ଉଠୁଥିବ, ସେମାନେ ଅଧିକରୁ ଅଧିକ ଅସୁସ୍ଥ ହୋଇ ଚାଲିଥିବେ। ବାୟୁ ପ୍ରଦୂଷଣ ସୃଷ୍ଟି କରିବାରେ ଏହି ବର୍ଗର ଭୂମିକା ସବୁଠାରୁ କମ୍ ହୋଇଥିବା ସତ୍ତ୍ବେ ସ୍ବଚ୍ଛଳ ବର୍ଗଙ୍କ ଗାଡ଼ିଘୋଡ଼ା ଓ କଳକାରଖାନାରୁ ସୃଷ୍ଟ ବିଷ ଓ ‘ପାର୍ଟିକ୍ୟୁଲେଟ୍ ମ୍ୟାଟର୍’ ସେମାନଙ୍କ ଫୁସ୍ଫୁସ୍କୁ ଦଗ୍ଧ କରି ଚାଲିଥିବ!