ଏ ନେଇ ସମସ୍ତେ ଏକମତ ଯେ ସୁଷମ ଖାଦ୍ୟ ପରିବର୍ତ୍ତେ ସ୍ବାଦିଷ୍ଠ ଅଥଚ ଅହିତକର ଖାଦ୍ୟର ଅତ୍ୟଧିକ ଭୁଂଜନ ଏବଂ ଶ୍ରମହୀନ ଜୀବନ ହିଁ ହେଉଛି ପ୍ରକୃତ ଅପନାୟକ। ତେଣୁ କୌଣସି ନିର୍ଦ୍ଦିଷ୍ଟ ତେଲ ନୁହେଁ, ବରଂ ସାମଗ୍ରିକ ଭାବେ ତେଲ ବ୍ୟବହାରରେ ସଂକୋଚନ ହିଁ ମେଦ ବହୁଳତାରୁ ମୁକ୍ତି ଦେବ। ତେଣୁ ତାଳ ତେଲ ନୁହେଁ, ଏକ ତାଳହୀନ ଜୀବନ ହିଁ ଅସ୍ବାସ୍ଥ୍ୟକର।

Advertisment

ମେଦ-ବହୁଳ ଭାରତୀୟଙ୍କ ସଂଖ୍ୟାରେ ଦ୍ରୁତ ଓ ଆଶାତୀତ ବୃଦ୍ଧିରେ ଉଦ୍‌ବିଗ୍ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଲା ମାର୍ଚ୍ଚ ମାସରେ ଯେଉଁ ସୁପରାମର୍ଶଟି ପ୍ରଦାନ କରିଥିଲେ, ତାହା ହେଉଛି ‘ଖାଇବା ତେଲର ବ୍ୟବହାରରେ ୧୦% ହ୍ରାସ କର।’ ସଂପ୍ରତି ଭାରତୀୟ ଜନସଂଖ୍ୟାର ପ୍ରାୟ ଏକ-ଚତୁର୍ଥାଂଶ ମେଦ ବହୁଳତାର ଶିକାର ହୋଇଥିବା ବେଳେ ଆସନ୍ତା ୨୦୩୦ ମସିହା ବେଳକୁ ତାହା ଏକ ଚିନ୍ତା‌ଜନକ ୪୪%ରେ ପହଞ୍ଚିଯିବ ବୋଲି ଆକଳନ କରାଯାଉଛି। ପ୍ରକାଶ ଥାଉ କି ପୃଥିବୀର ସ୍ବା‌ସ୍ଥ୍ୟ ସୂଚକାଙ୍କ ତାଲିକାରେ ୧୨୭ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୦୫ ଏବଂ କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ଅପସ୍ବାସ୍ଥ୍ୟର ଦୋଷ ଅପପୁଷ୍ଟି ମୁଣ୍ଡାଇଥିବା ବେଳେ ବର୍ତ୍ତମାନ ‘ମେଦ ବହୁଳତା’ ଏକ ପ୍ରମୁଖ କାରଣ ରୂପେ ଆବିର୍ଭୂତ ହୋଇଛି। ଏହା ସ୍ପଷ୍ଟ ହେବ ୨୦୧୫-୧୬ ଏବଂ ୨୦୨୦-୨୧ ମସିହାର ‘ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ’ ବା ‘ଏନ.ଏଫ.ଏଚ.ଏସ.’ ରିପୋର୍ଟର ତୁଳନାରୁ, ଯାହା କହିଥାଏ ଯେ ଏହି ଅବଧିରେ ମେଦ ବହୁଳ ମହିଳାଙ୍କ ସଂଖ୍ୟା ୨୦.୬%ରୁ ବୃଦ୍ଧି ପାଇ ପହଞ୍ଚିଛି ୨୩%ରେ ଏବଂ ପୁରୁଷଙ୍କ ସଂଖ୍ୟା ୧୮.୯ରୁ ବଢ଼ି ହୋଇଛି ୨୨.୯%। ତେବେ, ପ୍ରଧାନମନ୍ତ୍ରୀଙ୍କ ଉପରୋକ୍ତ ପରାମର୍ଶ ପଛରେ ଆଉ ଏକ ମହତ ଉଦ୍ଦେଶ୍ୟ ନିହିତ ଥିବା ଭଳି ହୃଦ୍‌ବୋଧ କରିହୁଏ, ଯାହା ହେଉଛି ଖାଇବା ତେଲର ଚାହିଦାରେ ହ୍ରା‌ସ ଘଟାଇ ଭାରତ ଦ୍ବାରା କରାଯାଉଥିବା ବିପୁଳ ପରିମାଣର ତେଲ ଆମଦାନିରେ ସଂକୋଚନ ଘଟାଇବା। ଏଭଳି ସ୍ଥିତିରେ ନିର୍ଦ୍ଦିଷ୍ଟ ଭାବେ ଯାହା ଆଡ଼କୁ ତର୍ଜନୀ ଉଠିଥାଏ, ତାହା ହେଉଛି ଶସ୍ତାରେ ଉପଲବ୍‌ଧ ଓ ବହୁଳ ବ୍ୟବହୃତ ‘ପାମ ଅଏଲ୍‌’ ବା ‘ତାଳ ତେଲ’, ଯାହା ମଧ୍ୟ ଭାରତ ଆମଦାନି କରୁଥିବା ଖାଇବା ତେଲର ବୃହତ୍ତମ ଅଂଶ। ଏଣେ, ଅନେକ ଚିକିତ୍ସକଙ୍କ ମତରେ ତାହା ଅସ୍ବାସ୍ଥ୍ୟକର, କାରଣ ତହିଁରେ ଥିବା‌ ‘ସାଚୁରେ‌େଟଡ୍‌ ଫ୍ୟାଟ୍‌’ ବା ‘ପରିପୃକ୍ତ ସ୍ନେହସାର’ ହେତୁ ରକ୍ତରେ ଅହିତକର କୋଲେଷ୍ଟ୍ରୋଲ ‘ଏଲଡିଏଲ୍‌’ର ବୃଦ୍ଧି ଘଟି ହୃଦ୍‌ଘାତର ଆଶଙ୍କା ବୃଦ୍ଧି କରିଥାଏ। ସୁତରାଂ, ଏହି ପରିପ୍ରେକ୍ଷୀରେ ନିନ୍ଦିତ ପାମ୍ ତେଲର ସପକ୍ଷ ଓ ବିପକ୍ଷରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିବା ସହିତ ‘ମେଦ ବହୁଳତା’ ଲାଗି ଦାୟୀ ପ୍ରକୃତ ଅପନାୟକକୁ ଠାବ କରାଯିବା ଆବଶ୍ୟକ ବୋଲି ମନେ ହୋଇଥାଏ।
ପ୍ରକାଶ ଥାଉ କି ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’(ଡବ୍ଲୁ.ଏଚ.ଓ.) ଏବଂ ‘ଭାରତୀୟ ଚିକିତ୍ସା ଗବେଷଣା ପରିଷଦ’(ଆଇ.ସି.ଏମ.ଆର.) ଦ୍ବାରା ନିର୍ଦ୍ଧାରିତ ନିରାପଦ ସୀମା, ଯଥାକ୍ରମେ ବାର୍ଷିକ ମୁଣ୍ଡ ପିଛା ୧୩ ‌େକ.ଜି. ଓ ୧୨.୫ କେ.ଜି., ଅତିକ୍ରମ କରି ଭାରତୀୟମାନେ ସଂପ୍ରତି ମୁଣ୍ଡ ପିଛା ୧୯.୫ କେ.ଜି. ଖାଇବା ତେଲ ବ୍ୟବହାର କରୁଛନ୍ତି, ଯାହା ଦେଶ ସ୍ବାଧୀନତା ପ୍ରାପ୍ତି ବେଳକୁ(୧୯୫୦ରେ) ଥିଲା ମାତ୍ର ୩.୫ କେ.ଜି.। ଏହି କାରଣରୁ ଆମ ଦେଶରେ ତେଲର ଚାହିଦା‌ ଓ ଉତ୍ପାଦନ ମଧ୍ୟରେ ବ୍ୟବଧାନ ବେଳକୁ ବେଳ ଅଧିକ ସ୍ଫୀତ ହୋଇ ଖାଇବା ତେଲର ଆମଦାନି ପରିମାଣ ପହଞ୍ଚିଛି ଏକ ଅତ୍ୟନ୍ତ ବିଶାଳ ୧୩୪.୭ ଲକ୍ଷ ମେଟ୍ରିକ ଟନରେ, ଯାହାର ମୂଲ୍ୟ ପ୍ରାୟ ୪୦ ହଜାର କୋଟି ଟଙ୍କା ଏବଂ ଆମ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଏହା ଚାପ ସୃଷ୍ଟି କରିବାରେ ଲାଗିଛି। ଅବଶ୍ୟ, ଭାରତରେ ଖାଇବା ତେଲ ଉତ୍ପାଦନରେ ବୃଦ୍ଧି ଘଟାଇବାକୁ ୨୦୨୪ ମସିହାରୁ ‘ନେସନାଲ ଏଡିବଲ ଅଏଲ୍‌ ମିସନ’ ବା ‘ଜାତୀୟ ଖାଇବା ତେଲ ମିସନ’ର ଶୁଭାରମ୍ଭ ଘଟିଛି ଏବଂ ବିଶେଷଜ୍ଞମାନଙ୍କ ହିସାବରେ ୨୦୩୦ ମସିହା ସୁଦ୍ଧା ୬୯୭ ଲକ୍ଷ ଟନ୍‌ ଖାଇବା ତେଲ ଉତ୍ପାଦନ ଲକ୍ଷ୍ୟ ପୂରଣ ହେଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ମାନି ଭାରତୀୟମାନେ ସେମାନଙ୍କ ଖାଇବା ତେଲର ବ୍ୟବହାରରେ ୧୦% ହ୍ରାସ ଘଟାଇଲେ ବିଦେଶରୁ ତେଲ ଆମଦାନି ଯଥେଷ୍ଟ କମିଯିବ; ଯାହା ଏକ ମୋଟାମୋଟି ହିସାବରେ ମାତ୍ର ୫୬ ଲକ୍ଷ ଟନରେ ସୀମିତ ରହିପାରେ। କିନ୍ତୁ ଗୋଟିଏ ପକ୍ଷ ଏଥିରେ ଅସମ୍ମତ ହୋଇ କହିଥାଆନ୍ତି ଯେ ନୀଚା ଦର ହେତୁ ପାମ୍‌ ତେଲର ଚାହିଦା ଅପରିବର୍ତ୍ତିତ ରହିବ, ଯଦ୍ଦ୍ବାରା ଆମଦାନିରେ ତ ବିଶେଷ ହ୍ରାସ ଘଟିବ ନାହିଁ, ବରଂ ସେଥିରେ ତୈଳବୀଜ ଉତ୍ପାଦନକାରୀମାନେ ଅଧିକ ଉତ୍ପାଦନ କରିବାରୁ ନିରୁତ୍ସାହିତ ହୋଇପାରନ୍ତି ଏବଂ ‘ଖାଇବା ତେଲ ମିସନ’ ହୁଏତ ଲକ୍ଷ୍ୟ ସାଧନରେ ସଫଳ ହୋଇ ନ ପାରେ। ସୁତରାଂ, ସେମାନଙ୍କ ମତରେ ପା‌ମ ତେଲର ବହୁଳ ବ୍ୟବହାର ହେତୁ ଭାରତୀୟଙ୍କ ସ୍ବାସ୍ଥ୍ୟ ଉପରେ ବିପଦ ଅଗତ୍ୟା ଝୁଲି ରହିବ।
ତେବେ, ଆଉ ଗୋଟିଏ ପକ୍ଷ ପାମ୍‌ ତେଲକୁ ନେଇ ସେଭଳି ଆଶଙ୍କାକୁ ଭିତ୍ତିହୀନ ବୋଲି କହି ସେହି ମର୍ମରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଷ୍ଟ୍ର ମନ୍ତ୍ରୀ ପ୍ରତାପରାଓ ଯା‌ଦବଙ୍କ ଦ୍ବାରା ସଂସଦରେ ପ୍ରଦତ୍ତ ବିବରଣୀରୁ ଉଦ୍ଧାର କରି ଦର୍ଶାନ୍ତି ଯେ ଏହି ତେଲ ଅହିତକର ବୋଲି ସୈଦ୍ଧାନ୍ତିକ ରୂପେ ବିଜ୍ଞାନସମ୍ମତ ପ୍ରମାଣ ନାହିଁ। ସେମାନେ ‘ଡବ୍ଲ୍ୟୁ.ଏଚ.ଓ.’ ଦ୍ବାରା ପ୍ରଦତ୍ତ ପରାମର୍ଶ ଆଡ଼କୁ ଇଙ୍ଗିତ କରି ଏହା ମଧ୍ୟ କହନ୍ତି ଯେ ଖାଦ୍ୟ ପ୍ରସ୍ତୁତିରେ ସବୁ ପ୍ରକାର ‘ଭେଜିଟେବଲ ଅଏଲ’ର ମିଶ୍ରିତ ବ୍ୟବହାର ଉପାଦେୟ, ଯାହା ଶରୀର ଲାଗି ନିତାନ୍ତ ଆବଶ୍ୟକ ‘ଫ୍ୟାଟି ଏସିଡ୍‌’ର ଅଭାବକୁ ଦୂର କରିଥାଏ। ପ୍ରକାଶ ଥାଉ କି ପାମ ତେଲରେ ‘ପରିପୃକ୍ତ ସ୍ନେହସାର’ ସହିତ ସମ ପରିମାଣରର ‘ଅପରିପୃକ୍ତ (ଅନ୍‌ସାଚୁରେଟେଡ୍‌) ସ୍ନେହସାର’ ଏବଂ ଭିଟାମିନ ‘ଇ’ ଭଳି ଶରୀର ବିଶୋଧନକାରୀ ‘ଆଣ୍ଟି ଅକ୍‌ସିଡାଣ୍ଟ’ ଉପଲବ୍‌ଧ। କେବଳ ସେତିକି ନୁହେଁ, ଏହା ମଧ୍ୟ ବୈଜ୍ଞାନିକମାନଙ୍କ ଦ୍ବାରା ପ୍ରମାଣିତ ଯେ ସବୁ ପ୍ରକାର ପରିପୃକ୍ତ ସ୍ନେହସାର କ୍ଷତକାରକ ନୁହେଁ ଏବଂ ଏଭଳି ଧାରଣା କାରଣରୁ ଅନେକ ଦିନ ଧରି ଖାଦ୍ୟର ଖଳନାୟକ ରୂପେ ବିବେଚିତ ହୋଇ ଆସିଥିବା ନଡ଼ିଆ ତେଲ ଓ ଗୁଆ ଘିଅ ସଂପ୍ରତି ‘ସୁପରଷ୍ଟାର’ ଭାବେ ପରିଚିତ ହେ‌େଲଣି। ତେବେ ଭାରତୀୟ ଅର୍ଥନୀତି ଉପରେ ଏକ ବୋଝ ତୁଲ୍ୟ ହୋଇଯାଇଥିବା ପାମ୍‌ ତେଲର ଆମଦାନିରେ ହ୍ରାସ ଘଟାଇବା ସକାଶେ ଆମ ‌େଦଶରେ ଏହାର ଉତ୍ପାଦନ ଉପରେ ସେମାନେ ଗୁରୁତ୍ବ ଆରୋପ କରନ୍ତି। ପ୍ରକାଶ ଥାଉ କି ଆମ ଦେଶରେ ଉତ୍ପାଦିତ ଖା‌ଇବା ତେଲରେ ସୋରିଷ ତେଲର ଅଂଶ ସର୍ବାଧିକ ୩୩%, ଦ୍ବିତୀୟ ସ୍ଥାନରେ ଥିବା ବାଦାମ ତେଲର ଅଂଶ ହେଉଛି ୨୫.୪% ଏବଂ ତୃତୀୟ ସ୍ଥାନରେ ବିରାଜମାନ ସୋୟାବିନ ତେଲର ପରିମାଣ ହେଉଛି ୧୯ ପ୍ରତିଶତ। କିନ୍ତୁ କୃଷି ବିଜ୍ଞାନୀଙ୍କ ମତରେ ଉତ୍ପାଦକତା ଦୃଷ୍ଟିରୁ ପାମ୍‌ ତେଲ ଆଦର୍ଶ ସ୍ଥାନୀୟ, ଯହିଁରେ ପ୍ରତି ହେକ୍ଟରରୁ ୪ରୁ ୫ ଟନ ତେଲ ଉତ୍ପାଦନ ସମ୍ଭବ ହୋଇଥାଏ। ତୁଳନାତ୍ମକ ଭାବେ ବିଚାର କଲେ ସୋୟାବିନ କ୍ଷେତ୍ରରେ ତାହା ହେଉଛି ହେକ୍ଟର ପିଛା ମାତ୍ର ପ୍ରାୟ ୦.୪ ଟନ। ଅଥଚ ଆମ ଦେଶରେ ଉତ୍ପାଦିତ ହେଉଥିବା ପାମ୍‌ ‌େତଲର ଅଂଶ ହେଉଛି ମାତ୍ର ୨.୨ ପ୍ରତିଶତ। 
ଏହି ସଂଦର୍ଭରେ ତୃତୀୟ ପକ୍ଷଟିଏ ମଧ୍ୟ ଦୃଷ୍ଟିକୁ ଆସେ, ଯାହା କୌଣସି ପ୍ରକାର ଖାଇବା ତେଲ ଉପରେ ଦୋଷ ନ ଲଦି ସେଇ ସବୁ ଭାରତୀୟଙ୍କୁ ଦୋଷଯୁକ୍ତ କରେ, ଯେଉଁମାନେ ଶ୍ରମକୁଣ୍ଠ ହେବା ସହିତ ମାତ୍ରାଧିକ ‌ତେଲରେ ରସାଣିତ ଖାଦ୍ୟ ଲାଳସାରେ ଲୀନ। ଏହି ପରିପ୍ରେକ୍ଷୀରେ ‘ଡବ୍ଲ୍ୟୁ.ଏଚ.ଓ.’ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ପ୍ରଣିଧାନଯୋଗ୍ୟ, ଯାହା କହିଥାଏ ଯେ ଆମ ଦେଶରେ ଅଧିକ ତେଲଯୁକ୍ତ ‘ପ୍ରୋସେସ୍‌ଡ ଫୁଡ୍‌’ ବା ପ୍ରକ୍ରିୟାକୃତ ଖାଦ୍ୟର କାରବାର ୨୦୦୬ ମସିହାର ୯୦୦ ନିୟୁତ ଡଲାରରୁ ବୃଦ୍ଧି ପାଇ ୨୦୧୯ ମସିହା ବେଳକୁ ପହଞ୍ଚିଥିଲା ୩୮ ବିଲିଅନ(ଏକ ବିଲିଅନ ହେଉଛି ଏକ ହଜାର ନିୟୁତ) ଡଲାରରେ ଏବଂ ତାହା ଚକ୍ରବୃଦ୍ଧି ହାରରେ ବଢ଼ିବାରେ ଲାଗିଛି। କେବଳ ସେତିକି ନୁହେଁ, ଆମ ଜୀବନରେ ଉପସ୍ଥିତ ଯତ୍‌ କିଞ୍ଚିତ ଶାରୀରିକ ଶ୍ରମର ସୁଯୋଗରୁ ଅନେକ ଅଂଶ ସୂଚନା ପ୍ରଯୁକ୍ତି ଦ୍ବାରା ଅପହୃତ, ଯାହାର ପ୍ରସାଦରୁ ଚାହିବା ମାତ୍ରକେ ସ୍ବାଦିଷ୍ଠ ଖାଦ୍ୟ ଘରର ଦ୍ବାର ମୁହଁରେ ଉପସ୍ଥିତ ହୋଇଯାଉଛି। ଏକ ସର୍ବେକ୍ଷଣ କହିଥାଏ ଯେ ‘ହୋମ୍‌ ଡେଲିଭରି’ ମାଧ୍ୟମରେ ଘରେ ପହଞ୍ଚୁଥିବା ଖାଦ୍ୟର ସବୁଠାରୁ ଅଧିକ ଅଂଶ ହେଉଛି ଚିକେନ ଟିକ୍କା ଓ ବିରିଆନି, ଯାହା ସ୍ବାଦରେ ଅତୁଲ୍ୟ କିନ୍ତୁ ଅସ୍ବାସ୍ଥ୍ୟକର। କେବଳ ସେତିକି ନୁହେଁ, ପ୍ରାୟ ସମସ୍ତ ହୋଟେଲ ଓ ରେସ୍ତୋରାଁରେ ବାରମ୍ବାର ବ୍ୟବହୃତ ହେଉଥିବା ସେହି ସମାନ ତେଲ ଅତ୍ୟଧିକ ଦହନ ହେତୁ ଅପକାରୀ ‘ଟ୍ରାନସ ଫ୍ୟାଟ୍‌’ ସୃଷ୍ଟି କରିଥାଏ, ଯାହା ହିଁ ଶରୀର ଲାଗି କ୍ଷତିକାରକ। ଏ ନେଇ ସମସ୍ତେ ଏକମତ ଯେ ସୁଷମ ଖାଦ୍ୟ ପରିବର୍ତ୍ତେ ସ୍ବାଦିଷ୍ଠ ଅଥଚ ଅହିତକର ଖାଦ୍ୟର ଅତ୍ୟଧିକ ଭୁଂଜନ ଏବଂ ଶ୍ରମହୀନ ଜୀବନ ହିଁ ହେଉଛି ପ୍ରକୃତ ଅପନାୟକ। ତେଣୁ କୌଣସି ନିର୍ଦ୍ଦିଷ୍ଟ ତେଲ ନୁହେଁ, ବରଂ ସାମଗ୍ରିକ ଭାବେ ତେଲ ବ୍ୟବହାରରେ ସଂକୋଚନ ହିଁ ମେଦ ବହୁଳତାରୁ ମୁକ୍ତି ଦେବ। ତେଣୁ ତାଳ ତେଲ ନୁହେଁ, ଏକ ତାଳହୀନ ଜୀବନ ହିଁ ଅସ୍ବାସ୍ଥ୍ୟକର।