ସବୁ ଦୃଷ୍ଟିରୁ ବିଚାର କଲେ ଉଭୟ ‘ବ୍ରିକ୍ସ’ ମୁଦ୍ରାର ସୃଷ୍ଟି ଓ ଟ୍ରମ୍ପଙ୍କ ଧମକ ‘ଶିରୋନାସ୍ତି ଶିରଃ ପୀଡ଼ା’ ପରି ମନେ ହୋଇଥାଏ।
ଭାରତ ସମେତ ବର୍ତ୍ତମାନ ନ’ଟି ଦେଶ ସଦସ୍ୟ ଥିବା ‘ବ୍ରିକ୍ସ’ ଗୋଷ୍ଠୀ ଏବେ ଆମେରିକାର ଭାବୀ-ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଦାନ କରିଥିବା ଏକ ସଦ୍ୟ ଧମକର ସମ୍ମୁଖୀନ ହୋଇଛି। ଏହି ଦେଶମାନେ ଯଦି ସେମାନଙ୍କର ଆନ୍ତର୍ଜାତିକ ବାଣିଜ୍ୟ ବ୍ୟବସାୟ କାରବାରରେ ଆମେରିକୀୟ ଡଲାର୍ ବ୍ୟବହାରରୁ ଦୂରେଇଯିବା ଉଦ୍ଦେଶ୍ୟରେ ଏକ ଅଲଗା ‘ବ୍ରିକ୍ସ’ ମୁଦ୍ରା ସୃଷ୍ଟି କରନ୍ତି କିମ୍ବା ଅନ୍ୟ କୌଣସି ମୁଦ୍ରା ପ୍ରତି ସମର୍ଥନ ପ୍ରଦାନ କରନ୍ତି, ତା’ହେଲେ ଆମେରିକା ଏହି ଦେଶମାନଙ୍କରୁ କରୁଥିବା ଆମଦାନି ଉପରେ ୧୦୦ ଶତାଂଶ ହାରରେ ଆମଦାନି ଶୁଳ୍କ ବସାଇବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି। ଏପରି ଘଟିଲେ ଆମେରିକା ବଜାରରେ ଏ ସମସ୍ତ ଦେଶମାନଙ୍କରୁ ଆମଦାନି ହେଉଥିବା ଦ୍ରବ୍ୟମାନଙ୍କର ଦାମ୍ ଦୁଇଗଣ ହୋଇଯାଇ ସେମାନେ ସଂପୂର୍ଣ୍ଣ ରୂପେ ପ୍ରତିଯୋଗିତା କ୍ଷମତା ହରାଇ ବସିବେ। ଏହା ସେ ଦେଶମାନଙ୍କର ଅର୍ଥନୀତି ପାଇଁ ଏକ ଗୁରୁତର ଧକ୍କା ରୂପେ ଆବିର୍ଭୂତ ହେବ।
ଡୋନାଲ୍ଡ ଟ୍ରମ୍ପଙ୍କର ଏଭଳି ଉଦ୍ଗିରଣର କାରଣ ହେଉଛି ଗତ ମାସରେ ରୁଷିଆର କାଜାନ୍ଠାରେ ଅନୁଷ୍ଠିତ ‘ବ୍ରିକ୍ସ’ ଶୀର୍ଷ ସମ୍ମିଳନୀ ପରେ ପରେ ଆୟୋଜକ ରୁଷିଆର ବିତ୍ତ ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ବ୍ୟାଙ୍କ୍ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ବହନ କରୁଥିବା ପ୍ରଚ୍ଛନ୍ନ ଧମକ। ଆମେରିକାର ଏକ ଯୁଦ୍ଧାସ୍ତ୍ରରେ ପରିଣତ ହୋଇସାରିଥିବା ଡଲାର୍ର ଏକ ବିକଳ୍ପ ଆବିଷ୍କାର କରି ଆନ୍ତର୍ଜାତିକ ମୌଦ୍ରିକ ଓ ବିତ୍ତୀୟ ବ୍ୟବସ୍ଥାରେ ଉନ୍ନତି ଘଟାଇବା ହେଉଛି ‘ବ୍ରିକ୍ସ’ ଗୋଷ୍ଠୀର ଲକ୍ଷ୍ୟ ବୋଲି ଏଥିରେ କୁହାଯାଇଥିଲା।
ଏହା ଡୋନାଲ୍ଡ ଟ୍ରମ୍ପଙ୍କ ପରି ଆମେରିକାକୁ ପ୍ରାଧାନ୍ୟ ପ୍ରଦାନ କରୁଥିବା ନେତାଙ୍କୁ କ୍ରୋଧାନ୍ବିତ କରୁଥିଲେ ହେଁ ଡଲାର୍କୁ ବିସ୍ଥାପିତ କରିବା ପାଇଁ ଏଭଳି ଉଦ୍ୟମ ପ୍ରଥମ ଥର ପାଇଁ ଦେଖିବାକୁ ମିଳିନାହିଁ। ୧୯୬୫ରେ ଫ୍ରାନ୍ସର ତତ୍କାଳୀନ ବିତ୍ତ ମନ୍ତ୍ରୀ ଭାଲେରି ଜିସ୍କାର୍ଡ ଡି’ ଏସ୍ଟେଙ୍ଗ୍ ଡଲାର୍ର ଆଧିପତ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିବା ଦେଖାଯାଇଥିଲା। ଏହାର ୩୪ ବର୍ଷ ପରେ ଇଉରୋପିଆନ୍ ମୁଦ୍ରା ‘ୟୁରୋ’ର ଜନ୍ମର ବିଭିନ୍ନ କାରଣମାନଙ୍କ ମଧ୍ୟରୁ ଏକ ଗୁରୁତ୍ବପୂର୍ଣ୍ଣ କାରଣ ହେଉଛି ଡଲାର୍ ପ୍ରତି ସେଠାରେ ଦାନା ବାନ୍ଧି ଚାଲିଥିବା ଏଭଳି ବିରୋଧ। କିନ୍ତୁ ‘ୟୁରୋ’ର ଜନ୍ମ ସମ୍ଭବ ହୋଇଥିଲା ସେଠାରେ ଦୀର୍ଘ ପ୍ରାୟ ଅର୍ଦ୍ଧଶତାବ୍ଦୀ ଧରି ଚାଲିଥିବା ସଂପୃକ୍ତ ଦେଶମାନଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ଏକତ୍ରୀକରଣ ପ୍ରକ୍ରିୟା ଫଳପ୍ରସୂ ହେବା ଯୋଗୁଁ।
କେତେଦିନ ହେବ ‘ବ୍ରିକ୍ସ’ ଦେଶମାନେ ଡଲାର୍ ବର୍ଜନ କରି ଏକ ବିକଳ୍ପ ‘ବ୍ରିକ୍ସ’ ମୁଦ୍ରା ସୃଷ୍ଟି କରିବାକୁ ଯାଉଛନ୍ତି ବୋଲି ବାହାସ୍ଫୋଟ ମାରିଚାଲିଥିଲେ ହେଁ ସେମାନେ ବର୍ତ୍ତମାନ ଏଇଭଳି ଏକ ଏକତ୍ରୀକରଣ ଠାରୁ ବହୁ ଦୂରରେ ଅଛନ୍ତି; ସେମାନଙ୍କର ରାଜନୈତିକ ଚରିତ୍ରରେ ଯେଉଁଭଳି ତୀକ୍ଷ୍ଣ ବିବିଧତା ଦେଖାଯାଇଥାଏ, ସେମାନଙ୍କର ଅର୍ଥନୈତିକ ଅବସ୍ଥାରେ ମଧ୍ୟ ସେହିପରି ଅସମାନତା ପରିଲକ୍ଷିତ ହୋଇଥାଏ। ‘ବ୍ରିକ୍ସ’ର ସଦସ୍ୟ ଦେଶମାନଙ୍କର ତାଲିକା ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ ଏହା ହୃଦୟଙ୍ଗମ କରିବା ପାଇଁ ଯଥେଷ୍ଟ ହୋଇଥାଏ: ବ୍ରାଜିଲ୍, ରୁଷିଆ, ଇଣ୍ଡିଆ, ଚାଇନା, ସାଉଥ୍ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇରାନ୍ ଓ ୟୁଏଇ। ଏମାନେ ନିଜ ନିଜର ଭିନ୍ନ ଭିନ୍ନ ଆନ୍ତର୍ଜାତିକ ଆଭିମୁଖ୍ୟ ଅତିକ୍ରମ କରି ଏକ ସାଧାରଣ ବିକଳ୍ପ ମୁଦ୍ରା ଉଦ୍ଭାବନ କରିବା ଓ ତାହାକୁ ବ୍ୟବହାର କରିବାର ବାସ୍ତବ ସମ୍ଭାବନା କ୍ଷୀଣ ଭଳି ମନେ ହୋଇଥାଏ। ଏହାର ଏକ ପ୍ରମାଣ ସ୍ବରୂପ ଭାରତ ସମେତ ସେଇ ଗୋଷ୍ଠୀର ଅନ୍ୟ କେତେକ ସଦସ୍ୟ ଦେଶ ଏ ପର୍ଯ୍ୟନ୍ତ ଏହି ପ୍ରସ୍ତାବ ପ୍ରତି ବିଶେଷ ଆଗ୍ରହ ପ୍ରଦର୍ଶନ କରିନାହାନ୍ତି।
‘ବ୍ରିକ୍ସ’ ଏକ ମୁଦ୍ରା ସୃଷ୍ଟି କରିବାକୁ ହୁଁକାର ଦେଇ ଚାଲିଥିବା ବେଳେ, ଆନ୍ତର୍ଜାତିକ ବାଣିଜ୍ୟରେ ଦେଣନେଣର ମାଧ୍ୟମ ରୂପେ ଡଲାର୍ର ଆଧିପତ୍ୟ ବଜାୟ ରହି ଚାଲିଛି। ଏଥିରେ ଡଲାର୍ର ଅଂଶ ବର୍ତ୍ତମାନ ୪୭ ଶତାଂଶ ହୋଇଥିବା ବେଳେ, ଦ୍ବିତୀୟ ସ୍ଥାନରେ ଥିବା ‘ୟୁରୋ’ର ଅଂଶ ହେଉଛି ମାତ୍ର ୨୩ ଶତାଂଶ। ପୁଣି ‘ଏକା ମାଧିଆ ବାଇଶି ପଳ’ ହୋଇଥିବା ଭଳି ବିଶ୍ବ ‘ଜିଡିପି’ରେ ଏକୁଟିଆ ଆମେରିକାର ଅବଦାନ ୨୮ ଶତାଂଶ ହୋଇଥିବା ବେଳେ, ନ’ଟିଯାକ ‘ବ୍ରିକ୍ସ’ ଦେଶମାନଙ୍କର ମିଳିତ ଅବଦାନ ହେଉଛି ଏହାଠାରୁ କମ୍, ୨୭ ଶତାଂଶ। ଅବଶ୍ୟ ଯଦି ଜନସଂଖ୍ୟା ଓ ଭୌଗୋଳିକ ଆୟତନ ଦୃଷ୍ଟିକୋଣରୁ ବିଚାର କରାଯାଏ, ତେବେ ‘ବ୍ରିକ୍ସ’ ଦେଶମାନେ ମିଶି ଆମେରିକାକୁ ବହୁ ପଛରେ ପକାଇ ଦେଇଥାନ୍ତି। ‘ବ୍ରିକ୍ସ’ ଦେଶମାନଙ୍କର ମିଳିତ ଜନସଂଖ୍ୟା ପୃଥିବୀର ଜନସଂଖ୍ୟାର ପ୍ରାୟ ୪୫ ଶତାଂଶ ହୋଇଥିବା ବେଳେ ଆମେରିକାର ଜନସଂଖ୍ୟା ହେଉଛି ତାହାର ମାତ୍ର ୪ ଶତାଂଶ। ‘ବ୍ରିକ୍ସ’ ଦେଶମାନେ ପୃଥିବୀ ପୃଷ୍ଠରେ ମୋଟ ଭୂ-ଭାଗର ୨୯ ଶତାଂଶରେ ବିସ୍ତାର ଲାଭ କରିଥିବା ବେଳେ ଆମେରିକାର ଅଂଶ ହେଉଛି ୬ ଶତାଂଶ ମାତ୍ର।
ଯଦି ‘ବ୍ରିକ୍ସ’ ଦେଶମାନେ ଏକମନ ହୋଇ ସତକୁ ସତ ଏକ ‘ବ୍ରିକ୍ସ’ ମୁଦ୍ରା ସୃଷ୍ଟି କରିବାରେ ସଫଳ ହୁଅନ୍ତି, ତେବେ ବି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଧମକକୁ ବାସ୍ତବତାରେ ପରିଣତ କରି ଯେ ଏମାନଙ୍କ ପ୍ରତି ୧୦୦ ପ୍ରତିଶତ ଆମଦାନି ଶୁଳ୍କ ଲାଗୁ କରିବେ, ତାହା ନିଶ୍ଚିତ ଭଳି ମନେ ହେଉନାହିଁ। କେହି ଭୁଲିଯିବା ଉଚିତ ନୁହେଁ ଯେ ମତଦାତାମାନେ ଟ୍ରମ୍ପଙ୍କ ପ୍ରତି ବିପୁଳ ସମର୍ଥନ ପ୍ରଦାନ କରିବାର ଅନ୍ୟତମ ମୁଖ୍ୟ କାରଣ ହେଉଛି ବାଇଡେନ୍ଙ୍କ ଶାସନ ସମୟରେ ଆମେରିକାରେ ଦେଖାଦେଇଥିବା ତୀକ୍ଷ୍ଣ ଦରଦାମ ବୃଦ୍ଧି ମତଦାତାମାନଙ୍କ ଠାରେ ସୃଷ୍ଟି କରିଥିବା କ୍ରୋଧ। ଡୋନାଲ୍ଡ ଟ୍ରମ୍ପ ଯଦି ଏଭଳି ତୀକ୍ଷ୍ଣ ଆମଦାନି ଶୁଳ୍କ ଲାଗୁ କରନ୍ତି, ସେଥିଯୋଗୁଁ ଆମେରିକାର ଖାଉଟିମାନଙ୍କ ପାଇଁ ଏ ସମସ୍ତ ଦେଶରୁ ଆମଦାନି ହେଉଥିବା ଦ୍ରବ୍ୟମାନଙ୍କର ଦରରେ ଆକାଶଛୁଅଁା ବୃଦ୍ଧି ଘଟିବ। ଏପରି ଘଟିଲେ ଆମେରିକାର ଜନସାଧାରଣଙ୍କର କ୍ରୋଧ ଟ୍ରମ୍ପଙ୍କ ଦିଗରେ ମୁହଁାଇବ।
ଆମେରିକା ତା’ ନିଜ ଦେଶର ଖାଉଟିମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ‘ବ୍ରିକ୍ସ’ର ସଦସ୍ୟ ଥିବା ରୁଷିଆ, ଚୀନ୍, ଭାରତ ଓ ଦକ୍ଷିଣ ଆଫ୍ରିକା ଆଦି ଦେଶମାନଙ୍କରୁ ବହୁଳ ଭାବରେ ଆମଦାନି କରିଥାଏ। ଏଇ ଦେଶମାନଙ୍କୁ ଆମେରିକା ଯେତିକି ରପ୍ତାନି କରିଥାଏ, ଏ ଦେଶମାନଙ୍କରୁ ସେ କରୁଥିବା ମୋଟ ଆମଦାନି ତା’ର ଦୁଇ ଗୁଣରୁ ଅଧିକ ହୋଇଥାଏ। ଏହି ଆମଦାନି ଉପରେ ଶତପ୍ରତିଶତ ଶୁଳ୍କ ଲାଗୁ କରାଗଲେ ତାହା ଆମେରିକାର ଖାଉଟିମାନଙ୍କ ପାଇଁ ଦରଦାମ ବୃଦ୍ଧି ମାଧ୍ୟମରେ କିପରି ଆର୍ଥିକ ବୋଝ ସୃଷ୍ଟି କରିବ, ତାହା ସହଜେ ଅନୁମେୟ। ଆମେରିକା ଯଦି ଏଭଳି ଆମଦାନି ଶୁଳ୍କ ଲାଗୁ କରେ, ତାହାର ପ୍ରତିକ୍ରିୟାରେ ଉପରୋକ୍ତ ‘ବ୍ରିକ୍ସ’ ଦେଶମାନେ ମଧ୍ୟ ଆମେରିକା ସେଠାକୁ କରୁଥିବା ରପ୍ତାନି ଉପରେ ଅନୁରୂପ ଶୁଳ୍କ ଲାଗୁ କରିବାର ଦୃଢ଼ ସମ୍ଭାବନା ରହିଛି। ଏପରି ଘଟିଲେ ବିଦେଶକୁ ରପ୍ତାନି ଉପରେ ନିର୍ଭର କରୁଥିବା ଆମେରିକାର ବିଭିନ୍ନ ଶିଳ୍ପବାଣିଜ୍ୟ ଅନୁଷ୍ଠାନମାନ କ୍ଷତିଗ୍ରସ୍ତ ହେବେ।
ଟ୍ରମ୍ପ ଏବେ ଚୀନ୍ ବିରୁଦ୍ଧରେ ଯେଉଁ ବାଣିଜ୍ୟ ଯୁଦ୍ଧ ଘୋଷଣା କରିଛନ୍ତି, ତାହା ଅନେକ ଚୀନା ବଜାର ଉପରେ ନିର୍ଭରଶୀଳ ଆମେରିକୀୟ କଂପାନିମାନଙ୍କ ମଧ୍ୟରେ ଘୋର ଅାତଙ୍କ ସୃଷ୍ଟି କରିଥିବା ବେଳେ, ‘ବ୍ରିକ୍ସ’ ଦେଶମାନଙ୍କ ବିରୁଦ୍ଧରେ ମଧ୍ୟ ଏଭଳି କଠୋର ପଦକ୍ଷେପ ଆମେରିକାର ଖାଉଟିମାନଙ୍କ ଠାରୁ ଆରମ୍ଭ କରି ଶିଳ୍ପବାଣିଜ୍ୟ ପରିସର ପର୍ଯ୍ୟନ୍ତ ସେଇ ଆତଙ୍କକୁ ଆହୁରି ବ୍ୟାପକ କରିବ। ଚତୁର ବ୍ୟବସାୟୀ ଭାବେ ଜଣାଶୁଣା ଡୋନାଲ୍ଡ ଟ୍ରମ୍ପ ଯେ ଏଭଳି ସମ୍ଭାବନା ପ୍ରତି ସଚେତନ ନ ଥିବେ, ତାହା ନୁହେଁ। ତେଣୁ ତାଙ୍କର ଧମକ ସେଇ ଧମକରେ ସୀମିତ ରହିବାର ସମ୍ଭାବନା ଅଧିକ ଭଳି ମନେ ହୁଏ। ସବୁ ଦୃଷ୍ଟିରୁ ବିଚାର କଲେ ଉଭୟ ‘ବ୍ରିକ୍ସ’ ମୁଦ୍ରାର ସୃଷ୍ଟି ଓ ଟ୍ରମ୍ପଙ୍କ ଧମକ ‘ଶିରୋନାସ୍ତି ଶିରଃ ପୀଡ଼ା’ ପରି ମନେ ହୋଇଥାଏ।