ଧନୀ ଦେଶମାନେ ମନେ ରଖିବା ଉଚିତ ଯେ ସେମାନେ ଅନ୍ୟ ଦେଶମାନଙ୍କୁ ଜଳବାୟୁ ସୁରକ୍ଷିତ ରଖିବାରେ ସାହାଯ୍ୟ କଲେ ନିଜେ ମଧ୍ୟ ଏକ ସୁରକ୍ଷିତ ଜଳବାୟୁ ଦ୍ବାରା ଉପକୃତ ହେବେ- କାରଣ ଜଳବାୟୁ ହେଉଛି ସାରା ପୃଥିବୀର ଅମୂଲ୍ୟ ସଂପଦ, କୌଣସି ଗୋଟିଏ ଦେଶ ବା ଅଞ୍ଚଳ ମଧ୍ୟରେ ଆବଦ୍ଧ ନୁହେଁ।
‘ପେଟ୍ରୋ ଷ୍ଟେଟ୍’ ବା ତୈଳ ନିର୍ଭରଶୀଳ କେନ୍ଦ୍ର ଏସୀୟ ଦେଶ ଆଜର୍ବୈଜାନ୍ର ରାଜଧାନୀ ବାକୁ ଠାରେ ‘କପ୍ ୨୯’ ଜଳବାୟୁ ସମ୍ମିଳନୀ ଯେଉଁଭଳି ଆନ୍ତରିକତାହୀନ ବାତାବରଣରେ ଆରମ୍ଭ ହୋଇଥିଲା, ରବିବାର ସକାଳେ ସେଇଭଳି ଆନ୍ତରିକତାହୀନ ହତାଶାର ଛାପା ବହନ କରି ସମାପ୍ତ ହୋଇଛି। ସତେ ଯେମିତି ଏହି ବିଷାଦଜନକ ଚିତ୍ରକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ସମ୍ମିଳନୀର ନିର୍ଦ୍ଧାରିତ ସମାପ୍ତି ସମୟ ଶୁକ୍ରବାର ନଭେମ୍ବର ୨୨ ମଧ୍ୟରେ ତାହା ସମାପ୍ତ ହୋଇ ନ ପାରି ତାହା େଯତେବେଳେ ରବିବାର ପର୍ଯ୍ୟନ୍ତ ଅତିରିକ୍ତ ୩୦ ଘଣ୍ଟା ପାଇଁ ସଂପ୍ରସାରିତ ହେଲା, ସେତେବେଳେ ଗୋଟିକ ପରେ ଗୋଟିଏ ଅନେକ ଦେଶର ପ୍ରତିନିଧିମାନେ ଯେ କେବଳ ସମ୍ମିଳନୀ ତ୍ୟାଗ କରି ପଳାୟନ କରିବା ଦେଖାଗଲା, ତାହା ନୁହେଁ, ସେଠାରେ ତଥାପି ରହିବାକୁ ନିଷ୍ପତ୍ତି ନେଇଥିବା ପ୍ରତିନିଧିମାନଙ୍କୁ ମଧ୍ୟ ବିଭିନ୍ନ ଅସ୍ତିତ୍ବ ସଂକଟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେଠାରେ ପ୍ରଥମେ ଖାଦ୍ୟ ସରିଗଲା, ତା’ପରେ ପାଣି ସରିଗଲା, ତା’ପରେ ସରିଗଲା ଶୌଚ କାଗଜ ବା ଟଏଲେଟ୍ ପେପର୍!
ଏହା ସତ୍ତ୍ବେ ‘କପ୍ ୨୯’ରେ କ’ଣ ହାସଲ ହେଲା, ସେ ସମ୍ବନ୍ଧରେ ଏକ ଧାରଣା କରିବା ନିମିତ୍ତ ଆମ ପାଇଁ ଯାହା ହେଉଛି ସର୍ବାଧିକ ପ୍ରାସଙ୍ଗିକ, ତାହା ହେଲା ବିକାଶଶୀଳ ଦେଶମାନେ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ ସେମାନଙ୍କୁ ବିକଶିତ ଦେଶମାନଙ୍କ ତରଫରୁ ପ୍ରଦାନ କରାଯିବା ପାଇଁ ଆବଶ୍ୟକ ସହାୟତା ରାଶିର ପରିମାଣ ନିର୍ଦ୍ଧାରଣ, ଯାହା ‘କ୍ଲାଇମେଟ୍ ଫାଇନାନ୍ସ’ ରୂପେ ଅଭିହିତ ହୋଇଥାଏ। ୨୦୧୫ରେ ପ୍ୟାରିସ୍ ଠାରେ ଅନୁଷ୍ଠିତ ‘କପ୍ ୨୧’ରେ ଏହାକୁ ବାର୍ଷିକ ୧୦୦ ନିୟୁତ ଡଲାର୍ରେ ନିର୍ଦ୍ଧାରଣ କରାଯାଇଥିଲା। ୨୦୨୧ରେ ଗ୍ଲାସ୍ଗୋ ଠାରେ ଅନୁଷ୍ଠିତ ‘କପ୍ ୨୬’ରେ ସ୍ଥାପିତ ‘ନିୟୁ କଲେକ୍ଟିଭ୍ କ୍ବାଣ୍ଟିଫାଏଡ୍ ଗୋଲ୍’ ଅନୁସାରେ ଏହି ହସ୍ତାନ୍ତରିତ ରାଶି ବାର୍ଷିକ ୧୦୦ ନିୟୁତ ଡଲାର୍ ଅତିକ୍ରମ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ବାକୁ ସମ୍ମିଳନୀରେ ଉପସ୍ଥିତ ସମସ୍ତ ପ୍ରତିନିଧିମାନେ ପୁଣି ଥରେ ୧୦୦ ନିୟୁତ ଡଲାର୍ ଯଥେଷ୍ଟ ନୁହେଁ େବାଲି ଏକମତ ହୋଇଥିଲେ।
ଚୀନ୍କୁ ବାଦ୍ ଦେଇ ପୃଥିବୀର ଅନ୍ୟ ସମସ୍ତ ବିକାଶଶୀଳ ଦେଶମାନେ ଜୀବାଶ୍ମ ଇନ୍ଧନ ବ୍ୟବହାର ପରିତ୍ୟାଗ କରିବା ପାଇଁ ଓ ଜଳବାୟୁ ପରିବର୍ତ୍ତନ ସହିତ ଖାପ ଖାଇବା ପାଇଁ ଆବଶ୍ୟକ ପଦକ୍ଷେପମାନ ନେବା ଲାଗି କେତେ ସମ୍ବଳ ଆବଶ୍ୟକ ହେବ, ତାହାର ଯେଉଁ ଆକଳନକୁ ସମସ୍ତେ ଗ୍ରହଣ କରିଥାନ୍ତି, ତାହା ହେଲା ‘ଇଣ୍ଡିପେଣ୍ଡେଣ୍ଟ ହାଇ-ଲେଭେଲ୍ ଏକ୍ସପର୍ଟ ଗ୍ରୁପ୍ ଅନ୍ କ୍ଲାଇମେଟ୍ ଫାଇନାନ୍ସ’ ତରଫରୁ ଅମର ଭଟ୍ଟାଚାର୍ଯ୍ୟ, ଭେରା ସଙ୍ଗ୍ୱେ ଓ ନିକୋଲାସ୍ ଷ୍ଟର୍ନଙ୍କ ଦ୍ବାରା କରାଯାଇଥିବା ହିସାବ। ଏହି ତିନି ଅର୍ଥନୀତିଜ୍ଞଙ୍କ ଦ୍ବାରା କରାଯାଇଥିବା ଆକଳନ ଅନୁସାରେ ୨୦୩୦ ସୁଦ୍ଧା ଏଥିପାଇଁ ବାର୍ଷିକ ୨.୩-୨.୫ ଟ୍ରିଲିଅନ୍ ଡଲାର୍ ନିବେଶ ଆବଶ୍ୟକ ହେବ ଏବଂ ୨୦୩୫ ସୁଦ୍ଧା ତାହା ୩.୧-୩.୫ ଟ୍ରିଲିଅନ୍ ଡଲାର୍କୁ ବୃଦ୍ଧି ପାଇବ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏଥିରେ ଆବଶ୍ୟକ ହେଉଥିବା ବାହ୍ୟ ସହାୟତାର ଅଂଶ ହେଉଛି ୨୦୩୦ ସୁଦ୍ଧା ବାର୍ଷିକ ୧ ଟ୍ରିଲିଅନ୍ (୧୦୦୦ ବିଲିଅନ୍) ଡଲାର୍ ଓ ୨୦୩୫ ସୁଦ୍ଧା ୧.୩ ଟ୍ରିଲିଅନ୍ ଡଲାର୍ ବୋଲି ସେମାନେ ଆକଳନ କରିଛନ୍ତି।
ଏହି ପୃଷ୍ଠଭୂମିରେ ଅନୁଧ୍ୟାନ କଲେ ବାକୁ ‘କପ୍ ୨୯’ରେ ଗୃହୀତ ଏ ସଂପର୍କିତ ଅନ୍ତିମ ନିଷ୍ପତ୍ତି କିପରି ଚାଲାକି ଓ ପ୍ରବଞ୍ଚନାରେ ପରିପୂର୍ଣ୍ଣ, ଦେଖାଯାଉ। ଏଥିରେ ଉପରୋକ୍ତ ୧.୩ ଟ୍ରିଲିଅନ୍ ଡଲାର୍ ସହାୟତା ନିଶାଣକୁ ଗ୍ରହଣ କରାଯାଇ ଏହା ସମ୍ଭବ କରିବା ନିମିତ୍ତ ସମସ୍ତ ସଦସ୍ୟ ଦେଶମାନଙ୍କୁ ‘‘ଆହ୍ବାନ’’ ଦିଆଯାଇଛି। ଜାତିସଂଘରେ ବ୍ୟବହୃତ ଭାଷା ଅନୁସାରେ ‘‘ଆହ୍ବାନ’’ ହେଉଛି ଏକ ଅତ୍ୟନ୍ତ ଦୁର୍ବଳ କିସମର ପ୍ରୋତ୍ସାହନ। ଏହାପରେ ସେଇ ନିଷ୍ପତ୍ତି ପତ୍ରରେ ଆଉ ଟିକିଏ ଅଧିକ ଜୋର୍ ଦେଇ କୁହାଯାଇଛି ଯେ ୨୦୩୫ ସୁଦ୍ଧା ବିକଶିତ ଦେଶମାନଙ୍କ ପାଇଁ ବାର୍ଷିକ ଅନ୍ୟୂନ ୩୦୦ ବିଲିଅନ୍ ଡଲାର୍ ସହାୟତା ପ୍ରଦାନ ଲକ୍ଷ୍ୟ ସ୍ଥାପନ କରାଯାଉଛି। ଏହି ରାଶି କେବଳ ଯେ ୧.୩ ଟ୍ରିଲିଅନ୍ ଡଲାର୍ର ଏକ-ଚତୁର୍ଥାଂଶରୁ ମଧ୍ୟ କମ୍, ତାହା ନୁହେଁ, କୌଶଳ କରି ବିକଶିତ ଧନୀ ଦେଶମାନଙ୍କ ଉପରୁ ମଧ୍ୟ ଏହି ସହାୟତା ପ୍ରଦାନ ବୋଝ ହାଲୁକା କରି ଦିଆଯାଇଛି। କାରଣ ଏଥିରେ କେଉଁଠି ହେଲେ କୁହାଯାଇ ନାହିଁ ଯେ ଏହି ରାଶି ବିକଶିତ ଦେଶମାନେ ବିକାଶଶୀଳ ଦେଶମାନଙ୍କୁ ପ୍ରଦାନ କରିବେ; ଏହି ରାଶି ସରକାରୀ ସୂତ୍ରରୁ, ଘରୋଇ ସୂତ୍ରରୁ ଓ ଡେଭେଲପ୍ମେଣ୍ଟ ବ୍ୟାଙ୍କ୍ମାନଙ୍କ ଠାରୁ ସଂଗୃହୀତ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ଅପରପକ୍ଷେ ବିକାଶଶୀଳ ଦେଶମାନଙ୍କ ଉପରେ ଦାୟିତ୍ବ ଲଦି ଦିଆଯାଇ ସେମାନେ ପରସ୍ପରକୁ ସାହାଯ୍ୟ କରନ୍ତୁ ବୋଲି ସେମାନଙ୍କୁ ଆହ୍ବାନ ଦିଆଯାଇଛି। ବିକଶିତ ଧନୀ ଦେଶମାନେ କହନ୍ତି ଯେ ସେମାନେ ଦେବାକୁ ଥିବା ୩୦୦ ବିଲିଅନ୍ ଡଲାର୍ ଋଣ ଶସ୍ତା କରିବାରେ ସହାୟକ ହୋଇ ଅଧିକ ଘରୋଇ ପୁଞ୍ଜି ଉପଲବ୍ଧ କରାଇବ ଏବଂ କେତେକ ନିବେଶ ସଂପର୍କିତ ବିପଦ ହ୍ରାସ କରି ଏ କ୍ଷେତ୍ରରେ ଅଧିକ ସମ୍ବଳ ନିବେଶ କରିବା ପାଇଁ ନିବେଶକମାନଙ୍କୁ ଉତ୍ସାହିତ କରିବ।
ସ୍ବାଭାବିକ ଭାବରେ ବିକାଶଶୀଳ ଅନଗ୍ରସର ଦେଶମାନେ ଧନୀ ଦେଶମାନଙ୍କର ସ୍ବାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ ଏଭଳି ଚାତୁରି ପ୍ରତି ତୀବ୍ର ବିରୋଧ ପ୍ରକାଶ କରିଛନ୍ତି। ସେମାନେ କହନ୍ତି ଯେ ୩୦୦ ବିଲିଅନ୍ ଡଲାର୍ ନୂତନ ସହାୟତା ରାଶି ଯୋଗୁଁ ଯେଉଁଭଳି ବିପୁଳ ପରିମାଣର ନିବେଶ ଆକର୍ଷିତ ହେବ ବୋଲି କୁହାଯାଉଛି, ତାହା ହେଉଛି ଏକ ଅତିରଞ୍ଜନ ମାତ୍ର ଏବଂ ସେମାନେ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ ଏହା ଠାରୁ ବହୁ ଅଧିକ ଆକାରର ସହାୟତା ଆବଶ୍ୟକ କରନ୍ତି। ଭାରତର ପ୍ରତିନିଧି ଚାନ୍ଦନୀ ରାଇନା ସେଠାରେ ଯେଉଁଭଳି ଅନିୟମିତ ଢଙ୍ଗରେ ‘କ୍ଲାଇମେଟ୍ ଫାଇନାନ୍ସ’ ସଂପର୍କିତ ନିଷ୍ପତ୍ତି ପାରିତ କରିଦିଆଗଲା, ତାହାର ତୀବ୍ର ସମାଲୋଚନା କରିବା ସହିତ ସେଥିରେ ଅନ୍ତର୍ଭୁକ୍ତ ସହାୟତା ରାଶିର ଆକାର ଆଦୌ ଯଥେଷ୍ଟ ନୁହେଁ ବୋଲି ଘୋର ବିରୋଧ ପ୍ରକଟ କରିଥିଲେ। ଏଠାରେ ମଧ୍ୟ ମନେ ରଖିବା କଥା ଯେ ବର୍ତ୍ତମାନ ବ୍ୟବସ୍ଥା କରାଯାଉଥିବା ୩୦୦ ବିଲିଅନ୍ ଡଲାର୍ ରାଶି ଯଥେଷ୍ଟ ହୋଇ ନ ଥିବା ବାଦ୍ ଏହା ବି ବାସ୍ତବତାରେ ପରିଣତ ହେବାକୁ କେତେ ସମୟ ଲାଗିବ କହିହେବ ନାହିଁ। କାରଣ, ପୂର୍ବର ୧୦୦ ବିଲିଅନ୍ ଡଲାର୍ ଲକ୍ଷ୍ୟ ପୂରଣ ହେବା ନିମିତ୍ତ ଏକ ଦଶନ୍ଧିରୁ ଅଧିକ କାଳ ଲାଗିଯାଇଛି।
ସବୁ ଦୃଷ୍ଟିରୁ ବିଚାର କଲେ କୁହାଯାଇପାରେ େଯ ବାକୁ ସମ୍ମିଳନୀ ଆଶଙ୍କା କରାଯାଉଥିବା ଭଳି ସଂପୂର୍ଣ୍ଣ ବିଫଳ ହେବା ଅପେକ୍ଷା ସେଠାରେ ଯେତିକି ହାସଲ ହୋଇଛି, ତାହା ହେଉଛି ନାହିଁ ମାମୁ ଠାରୁ କଣା ମାମୁ ଭଲ ଭଳି। ବର୍ତ୍ତମାନ କିପରି ଜଳବାୟୁ ସଂପର୍କିତ ଲକ୍ଷ୍ୟ ସବୁକୁ ସେମାନଙ୍କର ଅର୍ଥନୈତିକ ଯୋଜନାର ଅବିଚ୍ଛେଦ୍ୟ ଅଂଶରେ ପରିଣତ କରାଯିବ, ତାହା ପ୍ରତ୍ୟେକ ଦେଶର ଦାୟିତ୍ବରେ ପରିଣତ ହେବା ଉଚିତ। ବିଶେଷ କରି ଗରିବ ଦେଶମାନଙ୍କ ପାଇଁ ଏହା ଏକ ବିରାଟ ଆହ୍ବାନ ହେବା ନିଶ୍ଚିତ। କାରଣ ସେମାନଙ୍କର ନିୟମିତ ଆବଶ୍ୟକତାମାନ ପୂରଣ ନିମିତ୍ତ ସେମାନେ ସମ୍ବଳ ଅଭାବର ସମ୍ମୁଖୀନ ହୋଇ ଆସୁଥିବା ବେଳେ, ଜଳବାୟୁ ଆବଶ୍ୟକତା ପୂରଣ ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଥାଏ। ପୁଣି ଏଇ ଦେଶମାନେ ମଧ୍ୟ ଜଳବାୟୁ ପରିବର୍ତ୍ତନଜନିତ ବିଶ୍ବ ତାପନ ଓ ଚରମ ପାଣିପାଗ ଦ୍ବାରା ଅଧିକ ପ୍ରଭାବିତ ହୋଇଥାନ୍ତି।
ଧନୀ ଦେଶମାନେ ଓ ବହୁପାକ୍ଷିକ ଉନ୍ନୟନ ବ୍ୟାଙ୍କ୍ମାନେ ‘କପ୍ ୨୯’ରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ସମ୍ବଳ ସାହାଯ୍ୟ କରିବା ପାଇଁ ଆଗେଇ ଆସିବା ବେଳେ, ଏଇଭଳି ବିପଦଗ୍ରସ୍ତ ତଥା ଅଭାବଗ୍ରସ୍ତ ଦେଶମାନଙ୍କ ଉପରେ ସେମାନଙ୍କର ଧ୍ୟାନ କେନ୍ଦ୍ରୀଭୂତ କରିବା ଉଚିତ ହେବ ତଥା ଅଧିକ ଫଳପ୍ରଦ େହବ। ଧନୀ ଦେଶମାନେ ମନେ ରଖିବା ଉଚିତ ଯେ ସେମାନେ ଅନ୍ୟ ଦେଶମାନଙ୍କୁ ଜଳବାୟୁ ସୁରକ୍ଷିତ ରଖିବାରେ ସାହାଯ୍ୟ କଲେ ନିଜେ ମଧ୍ୟ ଏକ ସୁରକ୍ଷିତ ଜଳବାୟୁ ଦ୍ବାରା ଉପକୃତ ହେବେ- କାରଣ ଜଳବାୟୁ ହେଉଛି ସାରା ପୃଥିବୀର ଅମୂଲ୍ୟ ସଂପଦ, କୌଣସି ଗୋଟିଏ ଦେଶ ବା ଅଞ୍ଚଳ ମଧ୍ୟରେ ଆବଦ୍ଧ ନୁହେଁ।