ପ୍ରଖ୍ୟାତ କ୍ୟାରିବୀୟ କବି ଡେରେକ ୱାଲକଟ ତାଙ୍କର ଏକ କବିତାରେ ଯାହା ଲେଖିଥିଲେ ତାହାର ଓଡ଼ିଆ ମର୍ମାର୍ଥ ହେଲା ‘ପରିବ୍ରାଜକମାନେ ଏ ନିଘଞ୍ଚ ପୃଥିବୀକୁ ପ୍ରଶସ୍ତ କଲେ।’ ଏହା ନିତାନ୍ତ ସତ୍ୟ। ଊନବିଂଶ ଶତାବ୍ଦୀରେ ୟୁରୋପୀୟ ପରିବ୍ରାଜକମାନେ ଆଫ୍ରିକାକୁ ଯେଉଁଭଳି ପଥମାନ ଉନ୍ମୁକ୍ତ କରି ପ୍ରଶସ୍ତ କରିଥିଲେ, ସଂପ୍ରତି ଚୀନ ତା’ର ଅତ୍ୟନ୍ତ ମହାତ୍ତ୍ବାକାଂକ୍ଷୀ ‘ବେଲ୍ଟ ରୋଡ୍’ ପ୍ରକଳ୍ପ ଦ୍ବାରା ତାହା ହିଁ କରିଛି। କିନ୍ତୁ ଭୁଲିଗଲେ ହେବ ନାହିଁ ଯେ ଏହି ପରିବ୍ରାଜକମାନେ ପୃଥିବୀକୁ ପ୍ରଶସ୍ତ କରିବା ସହିତ ଔପନିବେଶିକ ଅନ୍ଧକୂପମାନ ମଧ୍ୟ ସୃଷ୍ଟି କରିଥିଲେ। ଆଜିର ଆଫ୍ରିକାରେ ନୂତନ ପରିବ୍ରାଜକମାନଙ୍କ ଦ୍ବାରା ସେଭଳି ଅନ୍ଧକୂପମାନ ସୃଷ୍ଟି ନହେଉ।
ଏକ ସାଂପ୍ରତିକ ବାସ୍ତବତା ହେଲା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିସ୍ପର୍ଦ୍ଧୀ ଭାବେ ଚୀନ ଏକ ଦ୍ବିତୀୟ ଧ୍ରୁବ ଭାବେ ଉଦୟ ହେବା ସହିତ ଅଗତ୍ୟା ଅନେକ ବିସ୍ମୃତ ଏବଂ ଅଜଣା ଦ୍ବୀପମାନ ଭୂ-ରଣନୈତିକ ଦୃଷ୍ଟିରେ ଗୁରୁତ୍ବପୂର୍ଣ୍ଣ ହୋଇଯାଇ ପୁନରାବିଷ୍କୃତ ହେବା ଆରମ୍ଭ କରିଛନ୍ତି; ଯେମିତି କି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ଅତ୍ୟନ୍ତ କ୍ଷୁଦ୍ର ଦ୍ବୀପ ରାଷ୍ଟ୍ର ସିସେଲ୍ସ; ଯେଉଁଠାରେ ଯୁକ୍ତରାଷ୍ଟ୍ର ଆମେରିକା ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ପୁନର୍ବାର ତା’ର ଉପସ୍ଥିତିକୁ ସାବ୍ୟସ୍ତ କରିବା ଲାଗି ଏକ ଦୂତାବାସ ଖୋଲିବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ ସୋଭିଏତ୍ ରୁଷିଆ ଭଙ୍ଗ ହେବା ପୂର୍ବରୁ ଏହି ଦ୍ବୀପରେ ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ସଂସ୍ଥା ‘ସି.ଆଇ.ଏ.’ ତା’ର ଏକ କେନ୍ଦ୍ର ସ୍ଥାପନ କରିଥିଲା, ଯେଉଁଠାରୁ ସୋଭିଏତ୍ ରୁଷିଆ ଦ୍ବାରା ପ୍ରେରିତ ଉପଗ୍ରହଗୁଡ଼ିକର ଗତିିବିଧି ଉପରେ ନଜର ରଖଯାଉଥିଲା। ୧୯୯୬ ମସିହାରେ ସୋଭିଏତ୍ ରାଷ୍ଟ୍ରସଂଘ ତା’ର ଅସ୍ତିତ୍ବ ହରାଇବା ପରେ ସେହି କେନ୍ଦ୍ର ତା’ର ପ୍ରାସଙ୍ଗିକତା ହରାଇଥିଲା ଏବଂ ସିସେଲ୍ସ ଦ୍ବୀପରୁ ଅଗତ୍ୟା ଆମେରିକା ଅନ୍ତର୍ହିତ ହୋଇଯାଇଥିଲା। ଏବେ ଏହି ଅଖ୍ୟାତ ଦ୍ବୀପଟି ପୁନର୍ବାର ଆମେରିକାର ପଦଚିହ୍ନ ବହନ କରିବାକୁ ଯାଉଛି! କେବଳ ସିସେଲ୍ସ ନୁହେଁ, ମରିସସ୍, ମାଲଡିଭ୍ସ, ସୋଲୋମନ ଆଇଲାଣ୍ଡ, କିରିବାଟୀ ଭଳି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର କ୍ଷୁଦ୍ର ଦ୍ବୀପଗୁଡ଼ିକ ମଧ୍ୟରୁ କେତେକ ଆମେରିକାର କୂଟନୈତିକ ଉପସ୍ଥିତି ଦେଖି ସାରିଲେଣି ଏବଂ ଆଉ କେତେକ ଖୁବ୍ ନିକଟରେ ତାହା ଦେଖିବାକୁ ପାଇବେ। ଏହି ବ୍ୟାପାରରେ ଭାରତ ମଧ୍ୟ ପଛରେ ପଡ଼ିନାହିଁ। ‘ଜି-୨୦’ ଶିଖର ସମ୍ମିଳନୀ ପ୍ରାରମ୍ଭର ମାତ୍ର ଚବିଶ ଘଣ୍ଟା ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଅଣୁ ଦ୍ବୀପରାଷ୍ଟ୍ର ‘ପୂର୍ବ-ତିମୋର’ରେ ଏକ ଦୂତାବାସ ଖୋଲିବାର ଘୋଷଣା କରିଛନ୍ତି। ଏହା ଖୁବ୍ ସମ୍ଭବ ଯେ ପୃଥିବୀର ଆହୁରି କେତେକ ରାଷ୍ଟ୍ର ପରିବ୍ରାଜକରେ ପରିଣତ ହୋଇ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଦ୍ବୀପ ରାଷ୍ଟ୍ରଗୁଡ଼ିକରେ ପଦଚିହ୍ନ ସୃଷ୍ଟି କରିବେ। ଏହାର କାରଣ ଏହି ଅଞ୍ଚଳରେ ଚୀନ ଦ୍ବାରା ଅନଧିକାର ଭାବେ ଏବଂ ଦେହବଳୀ ରୂପେ ଆଧିପତ୍ୟ ବିସ୍ତାରର ଉଦ୍ୟମ, ଯାହାକୁ ପ୍ରତିହତ କରିବାକୁ ବା ଯହିଁରେ ଏକ ଭାରସାମ୍ୟ ସୃଷ୍ଟି କରିବାକୁ ଅନେକ ଦେଶ ଚାହିଁଥାଆନ୍ତି। ଏଭଳି ଏକ ପରିସ୍ଥିତିରେ ଅନ୍ତର୍ଜାତୀୟ ସଂପର୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିବା ବିଶେଷଜ୍ଞମାନେ ‘ଜି-୨୦’ରେ ‘ଆଫ୍ରିକୀୟ ସଂଘ’କୁ ଅନ୍ତର୍ଭୁକ୍ତ କରାଯିବା ପଛରେ ମଧ୍ୟ ସେହି ସମାନ ଉଦ୍ଦେଶ୍ୟ ଦେଖନ୍ତି, ଯାହା ହେଲା ଆଫ୍ରିକା ଭୂ-ଖଣ୍ଡରେ ପଦ ଚିହ୍ନ ସୃଷ୍ଟି କରିବା ସହିତ ଚୀନର ପ୍ରଭାବକୁ ମଳିନ କରିବା।
ଏହା ବେଶ୍ ଜଣାଶୁଣା ଯେ ପୃଥିବୀର ଦରିଦ୍ରତମ ମହାଦେଶ ଆଫ୍ରିକାର ଅନେକ ଅଞ୍ଚଳ ଯୁଦ୍ଧ ଏବଂ ଦୁର୍ଭିକ୍ଷ ଦ୍ବାରା ପ୍ରପୀଡ଼ିତ; ତା’ ସତ୍ତ୍ବେ ଏହି ଭୂଖଣ୍ଡଟି ସମଗ୍ର ପୃଥିବୀର ଆକର୍ଷଣର କେନ୍ଦ୍ର ପାଲଟିଛି; ଯାହାର କାରଣ ପୃଥିବୀକୁ ଚଳନକ୍ଷମ କରି ରଖିବା ଲାଗି ଆବଶ୍ୟକ କଞ୍ଚାମାଲ ଏହି ଅଞ୍ଚଳର ଖଣିଜ ପଦାର୍ଥର ଭଣ୍ଡାରରେ ଉପଲବ୍ଧ। ତେବେ, ଏକ ବିଡ଼ମ୍ବନା ହେଲା ଏହା ଯେ ଏହି ମହାଦେଶ ତା’ର ଅନବଦ୍ୟ ଭାଗ୍ୟ ବଳରୁ ଲାଭ କରିଥିବା ବିରଳ ଉଦ୍ଭିଦ (ବିରଳ ଔଷଧୀୟ ବୃକ୍ଷର ଜଙ୍ଗଲ), ବନ୍ୟ ପ୍ରାଣୀ (ହାତୀ, ଗଣ୍ଡା ଓ ଚିତା ଭଳି ଚତୁଷ୍ପଦ ଠାରୁ ଆରମ୍ଭ କରି ବିରଳ ସରୀସୃପ ପର୍ଯ୍ୟନ୍ତ) ଏବଂ ଖଣିଜ (ଘାନାର ସୁନା ଖଣି, ଦକ୍ଷିଣ ଆଫ୍ରିକାର କୋଇଲା ଓ ହୀରା ଖଣି) ସଂପଦ ପ୍ରକୃତରେ ତା’ ଲାଗି ଏକ ଅଭିଶାପରେ ପରିଣତ ହୋଇଛି; କାରଣ ଊନବିଂଶ ଶତାବ୍ଦୀରୁ ଲୋଭାତୁର ୟୁରୋପୀୟମାନଙ୍କ ଦ୍ବାରା ଏହି ଅଞ୍ଚଳ ଅବିଚାରିତ ଦୋହନ ଏବଂ ଏଠାକାର ମୂଳ ଅଧିବାସୀଗଣ ନିଦାରୁଣ ଶୋଷଣର ଶିକାର ହୋଇଛନ୍ତି। ଏବେ ଯଦିଓ ସେହି ଧାରା ଆଉ ବଳବତ୍ତର ନାହିଁ, ଆଫ୍ରିକା କିନ୍ତୁ ଦାରିଦ୍ର୍ୟ ଏବଂ ବିଶୃଙ୍ଖଳାର ଆବର୍ତ୍ତ ମଧ୍ୟରୁ ବାହାରି ପାରୁନାହିଁ। ଏବଂ ଏହି ସମୟରେ ସେଠାରେ କୋବାଲ୍ଟ (ପୃଥିବୀର ୫୦%ରୁ ଅଧିକ), ଟାଣ୍ଟାଲିଅମ (ପୃଥିବୀର ୫୦%ରୁ ଅଧିକ), ଇତ୍ୟାଦି ଭଳି ନୂଆ ଯୁଗର ଖଣିଜ ସଂପଦର ସନ୍ଧାନ ମିଳିଛି, ଯାହା ପୁନର୍ବାର ନୂଆ ଆକର୍ଷଣର ସୂତ୍ରପାତ କରିଛି, ଯହିଁରେ ପୂର୍ବର ଶୋଷଣକାରୀ ୟୁରୋପୀୟଙ୍କ ସ୍ଥାନରେ ଛଦ୍ମ ବନ୍ଧୁ ରୂପେ ଆବିର୍ଭୂତ ହୋଇଛି ଚୀନ ଏବଂ ଦୋହନର ନୂତନ କୌଶଳ ପ୍ରୟୋଗ କରିବା ଆରମ୍ଭ କରିଛି। ପ୍ରକାଶ ଥାଉ କି ଆଫ୍ରିକାରେ ଉପଲବ୍ଧ ଏହି ଖଣିଜ ସଂପଦ ଭବିଷ୍ୟତ୍ର ପୃଥିବୀକୁ ଚଳନଶୀଳ କରି ରଖିବା ଲାଗି ଆବଶ୍ୟକ ସେମିକଣ୍ଡକ୍ଟର, ବିଦ୍ୟୁତ୍ ଚାଳିତ ଯାନର ବ୍ୟାଟେରି ଇତ୍ୟାଦିର ନିର୍ମାଣରେ ପ୍ରମୁଖ କଞ୍ଚା ମାଲ ରୂପେ ବ୍ୟବହୃତ ହେବ, ଯାହାର ବହୁଳାଂଶ ଏବେ ଚୀନର କବ୍ଜାରେ। ଆଫ୍ରିକାରେ ଚୀନର ଏଭଳି ଏକକ କ୍ଷମତା ବିସ୍ତାର ପୃଥିବୀର ସ୍ବାର୍ଥ ଲାଗି ଅନୁକୂଳ ନୁହେଁ ବୋଲି ଧାରଣା କାରଣରୁ ଆଫ୍ରିକାର ଅନ୍ତରଙ୍ଗ ହେବା ବିଶ୍ବର ଅନେକ ରାଷ୍ଟ୍ରଙ୍କ ଲାଗି ଏକ ଲକ୍ଷ୍ୟରେ ପରିଣତ ହୋଇଛି, ଯାହା ‘ଜି-୨୦’ ଗୋଷ୍ଠୀରେ ‘ଆଫ୍ରିକାନ ୟୁନିଅନ’ ଅନ୍ତର୍ଭୁକ୍ତ ହେବା ପଛରେ ଏକ ପ୍ରମୁଖ କାରଣ। ଏହା ଫଳରେ ଚୀନର ମହାଜନୀ ଅଭିସନ୍ଧିରୁ ଦରିଦ୍ର ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକୁ ସୁରକ୍ଷା ଦେବା ସମ୍ଭବ ହେବ, ଯାହାର ପ୍ରାଥମିକ ପଦକ୍ଷେପ ସ୍ବରୂପ ‘ଜି-୨୦’ ସମ୍ମିଳନୀରେ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକୁ ସହଜ ସର୍ତ୍ତରେ ଅର୍ଥ ସାହାଯ୍ୟର ପଥ ଉନ୍ମୁକ୍ତ କରାଯାଇଛି। ପ୍ରକାଶ ଥାଉ କି ଚାହିଁଲା ମାତ୍ରକେ ଆର୍ଥିକ ସହାୟତା ପ୍ରଦାନ କରି ଚୀନ ଯଦିଓ ଅନେକ ଆଫ୍ରିକୀୟ ରାଷ୍ଟ୍ରଙ୍କ ଦ୍ବାରା ବନ୍ଧୁଭାବାପନ୍ନ ରାଷ୍ଟ୍ରର ମାନ୍ୟତା ପାଇଛି, ଚୀନର ମହାଜନୀ ସର୍ତ୍ତାନୁସାରେ ଅନେକ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକ ଋଣ ପରିଶୋଧ କରି ନ ପାରିଲେ ଚୀନ ନିକଟରେ ସେମାନଙ୍କ ସାର୍ବେଭୗମତ୍ବ ସମର୍ପଣ କରିଦେବା ଭଳି ସ୍ଥିତି ଉପୁଜିବାର ସମ୍ଭାବନା ମଧ୍ୟ ରହିଛି; ଯେଉଁ ଦଶା ଏବେ ପାକିସ୍ତାନ ଏବଂ ଶ୍ରୀଲଙ୍କା ଭୋଗୁଛନ୍ତି। ସୁତରାଂ, ସ୍ବାଭାବିକ ଭାବେ ଆଶା କରାଯିବା ଉଚିତ ଯେ ଆଫ୍ରିକୀୟ ଦେଶଗୁଡ଼ିକ ଚୀନର ଆଧିପତ୍ୟ ବିସ୍ତାରୀ ଚକ୍ରାନ୍ତରୁ ଦୂରେଇ ରହିବାର ସମ୍ଭାବନା ଉଜ୍ଜ୍ବଳ। କିନ୍ତୁ ଏହା ମଧ୍ୟ ସତ ଯେ ଏହା ପରଠାରୁ ଆଫ୍ରିକା ଭୂଖଣ୍ଡରେ ଚୀନ ବ୍ୟତୀତ ଅନ୍ୟାନ୍ୟ ପରିବ୍ରାଜକ ରାଷ୍ଟ୍ରମାନଙ୍କ ଆବିର୍ଭାବ ଘଟିବ ଏବଂ ତାହାର ପରିଣାମ କ’ଣ ହେବ ତାହା କେବଳ ଭବିଷ୍ୟତ୍ କହିବ।
ଵାସିଂଟନ୍ ପୋଷ୍ଟ୍ରେ ପ୍ରକାଶିତ ଏକ ଆଲେଖ୍ୟ କହିଥାଏ ଯେ ୨୦୫୦ ସୁଦ୍ଧା ଆଫ୍ରିକା ମହାଦେଶ ହେବ ପୃଥିବୀର ସର୍ବାଧିକ ଜନବହୁଳ ଭୂଖଣ୍ଡ ଯହିଁରେ କାର୍ଯ୍ୟକ୍ଷମ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ହେବ ଅନ୍ୟାନ୍ୟ ସବୁ ରାଷ୍ଟ୍ରଙ୍କ ଠାରୁ ଅଧିକ ଅର୍ଥାତ୍ ୧.୫୫ ବିଲିଅନ। ଏହା ଦ୍ବାରା ଆଫ୍ରିକା ପୃଥିବୀର ସର୍ବବୃହତ୍ ବଜାର ଏବଂ ସର୍ବୋତ୍ତମ ମାନବ ସମ୍ବଳ ଦ୍ବାରା ସମୃଦ୍ଧ ଭୂଖଣ୍ଡରେ ପରିଣତ ହେବ। କିନ୍ତୁ ପ୍ରଶ୍ନ ହେଲା ଆଫ୍ରିକାରେ ଏବେ ଆବିର୍ଭୂତ ହେବାକୁ ଯାଉଥିବା ପରିବ୍ରାଜକ ଦେଶଗୁଡ଼ିକ ଆଫ୍ରିକାକୁ ଏକ ଚିରନ୍ତନ ଉପନିବେଶରେ ପରିଣତ କରିଦେବେ ନାହିଁ ତ? ଯାହା ହେଲେ ୨୧୦୦ ବେଳକୁ ଆଫ୍ରିକା ନାମକ ବଜାରଟି ଜନଶୂନ୍ୟ ଓ ପରିତ୍ୟକ୍ତ ହୋଇ ଉଠିଥିବ ଏବଂ ଏହାର ବୁଭୁକ୍ଷୁ ମାନବ ସମ୍ବଳ ପେଟ ପୋଷିବା ଲାଗି ଅନ୍ୟତ୍ର ଗମନ କରୁଥିବେ! ପ୍ରଖ୍ୟାତ କ୍ୟାରିବୀୟ କବି ଡେରେକ ୱାଲକଟ ତାଙ୍କର ଏକ କବିତାରେ ଯାହା ଲେଖିଥିଲେ ତାହାର ଓଡ଼ିଆ ମର୍ମାର୍ଥ ହେଲା ‘ପରିବ୍ରାଜକମାନେ ଏ ନିଘଞ୍ଚ ପୃଥିବୀକୁ ପ୍ରଶସ୍ତ କଲେ।’ ଏହା ନିତାନ୍ତ ସତ୍ୟ। ଊନବିଂଶ ଶତାବ୍ଦୀରେ ୟୁରୋପୀୟ ପରିବ୍ରାଜକମାନେ ଆଫ୍ରିକାକୁ ଯେଉଁଭଳି ପଥମାନ ଉନ୍ମୁକ୍ତ କରି ପ୍ରଶସ୍ତ କରିଥିଲେ, ସଂପ୍ରତି ଚୀନ ତା’ର ଅତ୍ୟନ୍ତ ମହାତ୍ତ୍ବାକାଂକ୍ଷୀ ‘ବେଲ୍ଟ ରୋଡ୍’ ପ୍ରକଳ୍ପ ଦ୍ବାରା ତାହା ହିଁ କରିଛି। କିନ୍ତୁ ଭୁଲିଗଲେ ହେବ ନାହିଁ ଯେ ଏହି ପରିବ୍ରାଜକମାନେ ପୃଥିବୀକୁ ପ୍ରଶସ୍ତ କରିବା ସହିତ ଔପନିବେଶିକ ଅନ୍ଧକୂପମାନ ମଧ୍ୟ ସୃଷ୍ଟି କରିଥିଲେ। ଆଜିର ଆଫ୍ରିକାରେ ନୂତନ ପରିବ୍ରାଜକମାନଙ୍କ ଦ୍ବାରା ସେଭଳି ଅନ୍ଧକୂପମାନ ସୃଷ୍ଟି ନହେଉ।