ପ୍ରଧାନମନ୍ତ୍ରୀ ସର୍ବଦା ଭାରତରେ ‘ଷ୍ଟାର୍ଟଅପ୍’ମାନଙ୍କର ଆବିର୍ଭାବକୁ ନେଇ ଗର୍ବ କରିଥାନ୍ତି। କିନ୍ତୁ ଏକ ବିଡ଼ମ୍ବନା ସ୍ବରୂପ ଏହି ‘ଷ୍ଟାର୍ଟଅପ୍’ମାନଙ୍କୁ ପୁଞ୍ଜି ଯୋଗାଉଥିବା ନିବେଶକ ବା ‘ଏଞ୍ଜେଲ୍ ଇନ୍ଭେଷ୍ଟର୍’ମାନଙ୍କ ଉପରେ ସରକାର ତୀକ୍ଷ୍ଣ ହାରରେ ଟିକସ ବସାଇ ସେମାନଙ୍କୁ ନିରୁତ୍ସାହିତ କରି ଆସୁଥିଲେ। ସୀତାରମଣ ଏଥର ଏହି ବିକୃତିରେ ଅନ୍ତ ଘଟାଇ ‘ଏଞ୍ଜେଲ୍ ଇନ୍ଭେଷ୍ଟର୍’ମାନଙ୍କ ଉପରେ ଲାଗୁ ହେଉଥିବା ଟିକସର ଉଚ୍ଛେଦ ସାଧନ କରିଛନ୍ତି।
ଗତ ସାଧାରଣ ନିର୍ବାଚନରେ ଏକ ହତାଶାଜନକ ପ୍ରଦର୍ଶନ ପରେ ଏକ ମେଣ୍ଟ ମାଧ୍ୟମରେ ତୃତୀୟ ପାଳି କେନ୍ଦ୍ରରେ ସରକାର ଗଠନ କରିଥିବା ନରେନ୍ଦ୍ର ମୋଦୀଙ୍କ ଭାରତୀୟ ଜନତା ପାର୍ଟିର ପ୍ରଥମ ବଜେଟ୍ ସ୍ବାଭାବିକ ଭାବରେ ଉପସ୍ଥାପିତ ହେବା ପୂର୍ବରୁ ପର୍ଯ୍ୟବେକ୍ଷକମାନଙ୍କ ମନରେ ଏକ ଉତ୍ସୁକତା ସୃଷ୍ଟି କରିଥିଲା। ବିଶ୍ବାସ କରାଯାଇଥାଏ ଯେ ଦ୍ବିତୀୟ ପାଳି ମୋଦୀ ସରକାର ସମୟରେ ପରିଦୃଷ୍ଟ ନିଯୁକ୍ତିହୀନ ଅର୍ଥନୈତିକ ଅଭିବୃଦ୍ଧି ଥିଲା ନିର୍ବାଚନରେ ତାଙ୍କ ଦଳ ଭୋଗିଥିବା ଦୁର୍ଦ୍ଦଶାର ଅନ୍ୟତମ ମୁଖ୍ୟ କାରଣ। ଏଣୁ ବଜେଟ୍ରେ ନିଯୁକ୍ତି ସୃଷ୍ଟି ନିମିତ୍ତ ଅଧିକ ବ୍ୟୟବରାଦ କରିବା ପାଇଁ ନୂତନ ସରକାର ବାଧ୍ୟ ହୋଇଥିବା ବେଳେ ସହଯୋଗୀ ଦଳମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆନ୍ଧ୍ରପ୍ରଦେଶ ଓ ବିହାର ପ୍ରତି ମଧ୍ୟ ମୁକ୍ତ ହସ୍ତ ହେବା ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ବାଧ୍ୟତାମୂଳକ ଥିଲା। ଅପରପକ୍ଷେ କିନ୍ତୁ ରାଜକୋଷୀୟ ନିଅଣ୍ଟ (ଫିସ୍କାଲ୍ ଡେଫିସିଟ୍)କୁ ନିୟନ୍ତ୍ରଣ ମଧ୍ୟରେ ରଖି ଆନ୍ତର୍ଜାତିକ କ୍ରେଡିଟ୍ ରେଟିଙ୍ଗ୍ ଏଜେନ୍ସିମାନଙ୍କ ମାନ୍ୟତା ତାଲିକାରେ ନିଜର ମର୍ଯ୍ୟାଦା ବୃଦ୍ଧି କରିବା ଉଦ୍ୟମ ଅବ୍ୟାହତ ରଖିବା ପାଇଁ ସରକାର ବଚନବଦ୍ଧ। ଏହି ଉଭୟ ପରସ୍ପର-ବିରୋଧୀ ଲକ୍ଷ୍ୟ ହାସଲରେ ସରକାର କେତେଦୂର ସଫଳ ହେଉଛନ୍ତି, ତାହା ଦେଖିବା ପାଇଁ ପର୍ଯ୍ୟବେକ୍ଷକମାନେ ଅପେକ୍ଷା କରି ରହିଥିଲେ।
ଶେଷରେ ଦେଖାଯାଇଛି ଯେ ସୀତାରମଣ ତାଙ୍କର ଏହି ବଜେଟ୍ରେ ନିଯୁକ୍ତି ସୃଷ୍ଟି ଯୋଜନାମାନଙ୍କ ପାଇଁ ବ୍ୟୟବରାଦରେ ବୃଦ୍ଧି କରିଛନ୍ତି, ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ଆକର୍ଷଣୀୟ ସମ୍ବଳ ପ୍ୟାକେଜ୍ ବ୍ୟବସ୍ଥା କରିଛନ୍ତି ଓ ତା’ ସହିତ ସରକାରଙ୍କ ସମ୍ବଳ ସଂଗ୍ରହକୁ କେତେକାଂଶରେ ବ୍ୟାହତ କରି ବ୍ୟକ୍ତିଗତ ଆୟ କରରେ ମଧ୍ୟ କିଛି ରିହାତି ପ୍ରଦାନ କରିବାକୁ ପଦକ୍ଷେପ ନେଇଛନ୍ତି। ଚମତ୍କାରିତା ହେଲା, ଏଥି ସଙ୍ଗେ ସଙ୍ଗେ ବିତ୍ତମନ୍ତ୍ରୀ ୨୦୨୪-୨୫ ବିତ୍ତ ବର୍ଷରେ ଦେଶର ‘ଫିସ୍କାଲ୍ ଡେଫିସିଟ୍’ରେ ହ୍ରାସ ଘଟି ‘ଜିଡିପି’ର ୪.୯ ଶତାଂଶ ହେବ ବୋଲି ଆକଳନ କରିଛନ୍ତି, ଯାହା ୫.୧ ଶତାଂଶ ହୋଇପାରେ ବୋଲି ସେ ଏଥିପୂର୍ବରୁ ଫେବ୍ରୁଆରିର ମଧ୍ୟବର୍ତ୍ତୀକାଳୀନ ବଜେଟ୍ରେ ଅନୁମାନ କରିଥିଲେ। ୨୦୨୫-୨୬ ବିତ୍ତ ବର୍ଷରେ ଏହି ଅନୁପାତରେ ଆହୁରି ହ୍ରାସ ଘଟାଇ ତାହାକୁ ‘ଜିଡିପି’ର ୪.୫ ଶତାଂଶ ସ୍ତରକୁ ଖସାଇ ଦିଆଯିବ ବୋଲି ବିତ୍ତମନ୍ତ୍ରୀ ମଧ୍ୟ ଆଶା ପ୍ରକାଶ କରିଛନ୍ତି।
ତେବେ ସୀତାରମଣ ଏପରି ବିତ୍ତୀୟ ଯାଦୁଖେଳ କିପରି ପ୍ରଦର୍ଶନ କରିପାରିଛନ୍ତି ବୋଲି ଖୋଜି ବସିଲେ, ତାହାର ଉତ୍ତର ସେଇ ବଜେଟ୍ରୁ ହିଁ ମିଳିଯାଇଥାଏ। ଏହାର ସଂକ୍ଷିପ୍ତ ଉତ୍ତର ହେଲା, ସରକାର ରିଜର୍ଭ ବ୍ୟାଙ୍କ୍ ଓ ଅନ୍ୟ କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନଙ୍କ ଠାରୁ ହସ୍ତାନ୍ତର ସୂତ୍ରରେ ପାଇଥିବା ବିପୁଳ ଲାଭ ଅର୍ଥ। ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଠାରୁ ସରକାର ଏ ବାବଦରେ ଏକ ବିଶାଳ ୧.୦୯ ଲକ୍ଷ କୋଟି ଟଙ୍କାର ଥଳି ପ୍ରାପ୍ତ ହୋଇଥିବା ବେଳେ, ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ଓ ଏକ୍ସିସ୍ ବ୍ୟାଙ୍କ୍ ଆଦିଙ୍କ ଠାରୁ ପାଇଥିବା ମୋଟ ଲାଭାଂଶର ପରିମାଣ ହେଉଛି ୧୩,୪୪୦ କୋଟି ଟଙ୍କା। ଏହାର ଫଳସ୍ବରୂପ ସରକାର ଅନ୍ତରୀଣ ବଜେଟ୍ରେ ୨୦୨୪-୨୫ ବିତ୍ତ ବର୍ଷରେ ଅଣ-ଟିକସ ରାଜସ୍ବ ପରିମାଣ ଯେତିକି ହେବ ବୋଲି ଅନୁମାନ କରିଥିଲେ, ବାସ୍ତବରେ ତାହା ତା’ଠାରୁ ୧.୫ ଲକ୍ଷ କୋଟି ଟଙ୍କା ଅଧିକ ହୋଇ ସୀତାରମଣଙ୍କ ପାଇଁ ସନ୍ତୁଳନ ହାସଲ କରିବା ସହଜ କରିଦେଇଛି।
ଅର୍ଥନୀତିର ପ୍ରାୟ ପ୍ରତ୍ୟେକ କ୍ଷେତ୍ର ସୀତାରମଣଙ୍କର ବ୍ୟୟବଣ୍ଟନ ଦ୍ବାରା ଉପକୃତ ହୋଇଛି। ସାମଗ୍ରିକ ଦୃଷ୍ଟିକୋଣରୁ ସରକାର ଏକ ରକ୍ଷଣଶୀଳ ଆଭିମୁଖ୍ୟ ପ୍ରଦର୍ଶନ କରି ଅାର୍ଥିକ ହିସାବରେ ‘ଜିଡିପି’ରେ ଅଭିବୃଦ୍ଧି ହାର ୧୦.୫ ଶତାଂଶ ହେବ ବୋଲି ଅନୁମାନ କରିଛନ୍ତି। ଏହା ସଦ୍ୟ ପ୍ରକାଶିତ ଅର୍ଥନୈତିକ ସର୍ବେକ୍ଷଣରେ ଦର୍ଶାଯାଇଥିବା ‘ଜିଡିପି’ରେ ୬.୫-୭ ଶତାଂଶ ବାସ୍ତବ ବୃଦ୍ଧି ହାର ସହିତ ଖାପ ଖାଇଥାଏ, ଯେଉଁଥିରେ ମୁଦ୍ରାସ୍ଫୀତି ହାର ୩.୫-୪ ଶତାଂଶ ହେବ ବୋଲି ବିଶ୍ବାସ କରାଯାଇଛି। କିନ୍ତୁ ବିଭିନ୍ନ ବିଶେଷଜ୍ଞ ସଂସ୍ଥାମାନଙ୍କର ପୂର୍ବାନୁମାନରୁ ମନେ ହେଉଛି ଭାରତର ‘ଜିଡିପି’ ୭.୩-୭.୪ ଶତାଂଶ ହାରରେ ବୃଦ୍ଧି ପାଇବାର ଦୃଢ଼ ସମ୍ଭାବନା ରହିଛି। ଏହା ଯଦି ସତରେ ଘଟେ, ତେବେ ଫିସ୍କାଲ୍ ଡେଫିସିଟ୍/‘ଜିଡିପି’ ଅନୁପାତରେ ଆହୁରି ହ୍ରାସ ଘଟିବା ଦେଖାଯିବ, ଯାହା ଏ ବାବଦରେ ସରକାରଙ୍କ ଲକ୍ଷ୍ୟ ହାସଲକୁ ଆହୁରି ତ୍ବରାନ୍ବିତ କରିବ।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ହେଉଛି, ଏହି ବଜେଟ୍ ଦ୍ବାରା ମୁଦ୍ରାସ୍ଫୀତିରେ ହ୍ରାସ ଘଟିବ କି? ସିଧାସଳଖ ଭାବରେ ଦରଦାମ୍ରେ ହ୍ରାସ ଘଟାଇବା ନିମିତ୍ତ ଏହି ବଜେଟ୍ରେ କୌଣସି ବନ୍ଦୋବସ୍ତ ନାହିଁ; କିନ୍ତୁ କେତେକ ପଦାର୍ଥମାନଙ୍କ ଉପରେ ଲାଗୁ ହେଉଥିବା ଆମଦାନି ଶୁଳ୍କରେ ଯେଉଁ ହ୍ରାସ ଘଟାଯାଇଛି, ସେଥିଯୋଗୁଁ କେତେକ ଖାଉଟି ଦ୍ରବ୍ୟର ମୂଲ୍ୟରେ ହ୍ରାସ ଘଟିବାର ସମ୍ଭାବନା ରହିଛି। ତେବେ ଯଦି ଆମଦାନି ଦ୍ରବ୍ୟ ବ୍ୟବହାର କରି ଖାଉଟି ଦ୍ରବ୍ୟ ଉତ୍ପାଦନ କରୁଥିବା ଶିଳ୍ପ ପ୍ରତିଷ୍ଠାନମାନ ଶୁଳ୍କ ହ୍ରାସଜନିତ ଲାଭ ସେମାନଙ୍କର ଗ୍ରାହକମାନଙ୍କ ପାଖକୁ ହସ୍ତାନ୍ତରିତ କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଯାଇ ଖାଉଟିମାନେ ଏଭଳି ଉପକୃତ ହେବେ।
କୃଷି, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ (‘ଏମ୍ଏସ୍ଏମ୍ଇ’)ମାନ ପାଇଁ ଯେଉଁ ବ୍ୟୟ ଆବଣ୍ଟନ କରାଯାଇଛି, ତାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିଯୁକ୍ତି ସୃଷ୍ଟି। ଉଦାହରଣ ସ୍ବରୂପ ପ୍ରୋଭିଡେଣ୍ଟ ଫଣ୍ଡ୍ ସୂଚନା ଭିତ୍ତିରେ ସରକାର ପ୍ରଥମ ଥର ପାଇଁ ନିଯୁକ୍ତି ଲାଭ କରିଥିବା କର୍ମଚାରୀମାନଙ୍କୁ ଯେଉଁ ଅର୍ଥ ପ୍ରଦାନର ବ୍ୟବସ୍ଥା କରିଛନ୍ତି, ତାହା ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିପାରେ। ନିଯୁକ୍ତିଦାତାମାନଙ୍କ ପାଇଁ ମଧ୍ୟ ବଜେଟ୍ରେ ବିଭିନ୍ନ ପ୍ରୋତ୍ସାହନ ପ୍ରଦାନର ବ୍ୟବସ୍ଥା କରାଯାଇଛି।
ନାଗରିକ କରଦାତାମାନଙ୍କ ଦୃଷ୍ଟିକୋଣରୁ ଆୟକର ଗଠନରେ କରାଯାଇଥିବା ପରିବର୍ତ୍ତନ କେତେ ପରିମାଣରେ ସ୍ବାଗତଯୋଗ୍ୟ ମନେ ହୋଇପାରେ। ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ସୀମାରେ ଘଟାଯାଇଥିବା ବୃଦ୍ଧି ଓ ଟିକସ ସ୍ଲାବ୍ରେ କରାଯାଇଥିବା କେତେକ ପରିବର୍ତ୍ତନ କରଦାତାମାନଙ୍କୁ ଲାଭବାନ କରିବ। ବିତ୍ତମନ୍ତ୍ରୀଙ୍କ ପ୍ରସ୍ତାବ ଅନୁସାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ୍ରେ ୨୫,୦୦୦ ଟଙ୍କା ବୃଦ୍ଧି ଘଟିବ ଏବଂ କରଦାତାଙ୍କୁ ୧୭,୫୦୦ ଟଙ୍କାର ଟିକସ ରିହାତି ମିଳିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ସର୍ବଦା ଭାରତରେ ‘ଷ୍ଟାର୍ଟଅପ୍’ମାନଙ୍କର ଆବିର୍ଭାବକୁ ନେଇ ଗର୍ବ କରିଥାନ୍ତି। କିନ୍ତୁ ଏକ ବିଡ଼ମ୍ବନା ସ୍ବରୂପ ଏହି ‘ଷ୍ଟାର୍ଟଅପ୍’ମାନଙ୍କୁ ପୁଞ୍ଜି ଯୋଗାଉଥିବା ନିବେଶକ ବା ‘ଏଞ୍ଜେଲ୍ ଇନ୍ଭେଷ୍ଟର୍’ମାନଙ୍କ ଉପରେ ସରକାର ତୀକ୍ଷ୍ଣ ହାରରେ ଟିକସ ବସାଇ ସେମାନଙ୍କୁ ନିରୁତ୍ସାହିତ କରି ଆସୁଥିଲେ। ସୀତାରମଣ ଏଥର ଏହି ବିକୃତିରେ ଅନ୍ତ ଘଟାଇ ‘ଏଞ୍ଜେଲ୍ ଇନ୍ଭେଷ୍ଟର୍’ମାନଙ୍କ ଉପରେ ଲାଗୁ ହେଉଥିବା ଟିକସର ଉଚ୍ଛେଦ ସାଧନ କରିଛନ୍ତି। ବଜେଟ୍ରେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସମାଜମଙ୍ଗଳ କାର୍ଯ୍ୟକ୍ରମମାନ ପାଇଁ ପର୍ଯ୍ୟାପ୍ତ ଅର୍ଥ ବରାଦ କରାଯାଇ ସେଗୁଡ଼ିକୁ ଅବ୍ୟାହତ ରଖାଯାଇଛି।
ମୋଟ ଉପରେ ତୃତୀୟ ପାଳିର ମୋଦୀ ସରକାରର ପ୍ରଥମ ବଜେଟ୍ ଚମକପ୍ରଦ ନ ହୋଇଥିଲେ ମଧ୍ୟ ଏକ ସକାରାତ୍ମକ ଶୈଳୀରେ ଯାତ୍ରା ଆରମ୍ଭ କରିଛି ବୋଲି କୁହାଯାଇପାରେ।