ମଙ୍ଗଳକାରିଣୀ ଡାକ୍ତରାଣୀ

Advertisment

ଆଶ୍ଚର୍ଯ୍ୟଜନକ ଭାବରେ ସାବ୍ୟସ୍ତ ହୋଇଛି ଯେ ଚିକିତ୍ସକଙ୍କର ଲିଙ୍ଗ ମଧ୍ୟ ରୋଗୀର ଆରୋଗ୍ୟ ଲାଭର ସମ୍ଭାବନାକୁ ପ୍ରଭାବିତ କରିଥାଏ। ବିଭିନ୍ନ ଦେଶରୁ ସଂଗୃହୀତ ତଥ୍ୟ ଅନୁସାରେ ସଂକ୍ଷେପରେ କହିଲେ ପୁରୁଷ ଡାକ୍ତରମାନଙ୍କ ଦ୍ବାରା ଚିକିତ୍ସିତ ରୋଗୀମାନଙ୍କ ତୁଳନାରେ ମହିଳା....

ଆଶ୍ଚର୍ଯ୍ୟଜନକ ଭାବରେ ସାବ୍ୟସ୍ତ ହୋଇଛି ଯେ ଚିକିତ୍ସକଙ୍କର ଲିଙ୍ଗ ମଧ୍ୟ ରୋଗୀର ଆରୋଗ୍ୟ ଲାଭର ସମ୍ଭାବନାକୁ ପ୍ରଭାବିତ କରିଥାଏ। ବିଭିନ୍ନ ଦେଶରୁ ସଂଗୃହୀତ ତଥ୍ୟ ଅନୁସାରେ ସଂକ୍ଷେପରେ କହିଲେ ପୁରୁଷ ଡାକ୍ତରମାନଙ୍କ ଦ୍ବାରା ଚିକିତ୍ସିତ ରୋଗୀମାନଙ୍କ ତୁଳନାରେ ମହିଳା....

samp1

ଆଶ୍ଚର୍ଯ୍ୟଜନକ ଭାବରେ ସାବ୍ୟସ୍ତ ହୋଇଛି ଯେ ଚିକିତ୍ସକଙ୍କର ଲିଙ୍ଗ ମଧ୍ୟ ରୋଗୀର ଆରୋଗ୍ୟ ଲାଭର ସମ୍ଭାବନାକୁ ପ୍ରଭାବିତ କରିଥାଏ। ବିଭିନ୍ନ ଦେଶରୁ ସଂଗୃହୀତ ତଥ୍ୟ ଅନୁସାରେ ସଂକ୍ଷେପରେ କହିଲେ ପୁରୁଷ ଡାକ୍ତରମାନଙ୍କ ଦ୍ବାରା ଚିକିତ୍ସିତ ରୋଗୀମାନଙ୍କ ତୁଳନାରେ ମହିଳା ଡାକ୍ତରମାନଙ୍କ ଦ୍ବାରା ଚିକିତ୍ସିତ ରୋଗୀମାନଙ୍କର ଆରୋଗ୍ୟ ଲାଭ କରିବାର ସମ୍ଭାବନା ଅଧିକ ହେବା ଦେଖାଯାଇଥାଏ।

ପଶ୍ଚିମବଙ୍ଗରେ ଡାକ୍ତରମାନଙ୍କର ଆନ୍ଦୋଳନ ଏ ପର୍ଯ୍ୟନ୍ତ ଥମିବାର ନଁା ଧରୁନାହିଁ। କଲିକତାର ପ୍ରମୁଖ ସରକାରୀ ଡାକ୍ତରଖାନା ଆର୍‌ଜି କର ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌ରେ ଦୁଇ ମାସରୁ ଅଧିକ କାଳ ତଳେ ଜଣେ ବରିଷ୍ଠ ଡାକ୍ତରୀ ଛାତ୍ରୀଙ୍କର ବର୍ବର ଧର୍ଷଣ ଓ ହତ୍ୟାକାଣ୍ଡ ଘଟିବା ପରେ ସମସ୍ତ ଡାକ୍ତରଖାନାମାନଙ୍କରେ ଡାକ୍ତରମାନଙ୍କର ସୁରକ୍ଷା ନିଶ୍ଚିତ କରିବା ଦାବିରେ ଆନ୍ଦୋଳନକାରୀମାନେ ଏ ପର୍ଯ୍ୟନ୍ତ ଅଟଳ ରହିଛନ୍ତି ଓ ଏହା ଲେଖା ହେବା ପର୍ଯ୍ୟନ୍ତ ସେ ରାଜ୍ୟର ମମତା ବାନାର୍ଜୀ ସରକାର ଏଥିପ୍ରତି ସଂପୂର୍ଣ୍ଣ ଉଦାସୀନ ମନୋଭାବ ପ୍ରଦର୍ଶନ କରିଆସିଛି। ଏହି ଆନ୍ଦୋଳନ ବର୍ତ୍ତମାନ ଅବଶ୍ୟ ଡାକ୍ତରମାନଙ୍କର ନିରାପତ୍ତା ଭଳି ଏକ ବୃହତ୍ତର ପ୍ରସଙ୍ଗକୁ ନିଜର ଲକ୍ଷ୍ୟ ରୂପେ ଉପସ୍ଥାପିତ କରୁଥିଲେ ହେଁ, ଆର୍‌ଜି କର ମେଡିକାଲ୍‌ରେ ଘଟିଥିବା ସେଇ ଜଘନ୍ୟ ଘଟଣା ନିର୍ଦ୍ଦିଷ୍ଟ ଭାବରେ ଯେଉଁ ଘୋର ଚିନ୍ତାଜନକ ସନ୍ଦେଶ ବହନ କରିଥାଏ, ତାହା ହେଲା, ସମସ୍ତ କର୍ତ୍ତବ୍ୟରତ ଡାକ୍ତରମାନେ ଊଣାଅଧିକେ କେବେ ନା କେବେ ଅସୁରକ୍ଷିତ ପରିସ୍ଥିତିର ସମ୍ମୁଖୀନ ହେଉଥିଲେ ହେଁ, ମହିଳା ଡାକ୍ତରମାନଙ୍କ ପାଇଁ ଏହା ସର୍ବାଧିକ ଭୟଙ୍କର ରୂପେ ପରିଗ୍ରହଣ କରିଥାଏ।
ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ, କାରଣ ଏକ ପୁରୁଷ-ଅଧ୍ୟୁଷିତ ସମାଜର ପ୍ରତ୍ୟେକ କ୍ଷେତ୍ରରେ ନାରୀମାନେ ଲିଙ୍ଗଗତ ବିଦ୍ବେଷ ଓ ଅତ୍ୟାଚାରର ସମ୍ମୁଖୀନ ହେଉଥିବା ଭଳି ଚିକିତ୍ସା ବୃତ୍ତି କ୍ଷେତ୍ରରେ ମଧ୍ୟ ସେଥିରେ କୌଣସି ବ୍ୟତିକ୍ରମ ଘଟି ନ ଥାଏ। ନିକଟରେ ‘ଇଣ୍ଡିଆନ୍ ମେଡିକାଲ୍ ‌ଆସୋସିଏସନ୍’ (‘ଆଇଏମ୍‌ଏ’) ଦ୍ବାରା କରାଯାଇଥିବା ଏକ ଅନ୍‌ଲାଇନ୍ ସର୍ବେକ୍ଷଣର ଫଳାଫଳ ଏହି ଅସ୍ବସ୍ତିକର ସତ୍ୟକୁ ସାବ୍ୟସ୍ତ କରିଥାଏ। ଦେଶର ୨୨ଟି ରାଜ୍ୟରେ ୪,୦୦୦ ଡାକ୍ତର ମଧ୍ୟରେ କରାଯାଇଥିବା ଏହି ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ଉତ୍ତରଦାତାମାନଙ୍କ ମଧ୍ୟରେ ମହିଳା ଡାକ୍ତରମାନଙ୍କର ଅନୁପାତ ଥିଲା ୬୩ ଶତାଂଶ ଏବଂ ୮୫ ଶତାଂଶଙ୍କର ବୟସ ଥିଲା ୩୫ ବର୍ଷରୁ କମ୍। ସର୍ବେକ୍ଷଣରେ ଅନ୍ତର୍ଭୁକ୍ତ ଡାକ୍ତରମାନଙ୍କ ମଧ୍ୟରୁ ୩୫ ଶତାଂଶ ନିଜକୁ ଅସୁରକ୍ଷିତ ବୋଧ କରିଥାନ୍ତି ବୋଲି ପ୍ରକାଶ କରିଥିବା ବେଳେ ୧୧.୪ ଶତାଂଶ ନିଜକୁ ଅତ୍ୟନ୍ତ ଅସୁରକ୍ଷିତ ମନେ କରୁଥିବା ପ୍ରକାଶ କରିଥିଲେ।
ଆର୍‌ଜି କର ମେଡିକାଲ୍ ଘଟଣା ପରିପ୍ରେକ୍ଷୀରେ ଯାହା ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ, ତାହା ହେଲା ସେଇ ଘଟଣାରେ ଶିକାର ହୋଇଥିବା ମହିଳା ଇନ୍‌ଟର୍ନଙ୍କ ଭଳି ଇନ୍‌ଟର୍ନ ଓ ସ୍ନାତକୋତ୍ତର ଛାତ୍ରୀମାନେ ହିଁ ନିଜକୁ ସର୍ବାଧିକ ଅସୁରକ୍ଷିତ ମନେ କରିଥାନ୍ତି ବୋଲି ସର୍ବେକ୍ଷଣରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଅନେକ ରାତି ଡ୍ୟୁଟି ସମୟରେ ଆତ୍ମରକ୍ଷା ପାଇଁ ପାଖରେ କୌଣସି ଅସ୍ତ୍ର ରଖିବା ନିମିତ୍ତ ଚିନ୍ତା କରୁଥିବା ପ୍ରକାଶ କରିଥିଲେ। ଯେହେତୁ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ କ୍ରମେ ଛାତ୍ରୀମାନଙ୍କ ସଂଖ୍ୟାରେ ନିୟମିତ ଭାବରେ ବୃଦ୍ଧି ଘଟିଚାଲିଛି, ଏଥିରୁ ଯେଉଁ ଚିତ୍ର ଉପଲବ୍‌ଧ ହୋଇଥାଏ, ତାହା ହେଲା, ଲିଙ୍ଗଗତ ନିରାପତ୍ତା ଡାକ୍ତରଖାନା ପରିସରରେ ଏକ ବ୍ୟାପକ ସମସ୍ୟା ରୂପେ ଆବିର୍ଭୂତ ହେଲାଣି। ୨୦୧୧-୧୨ରେ ମେଡିକାଲ୍ କଲେଜମାନଙ୍କରେ ପ୍ରତି ୧୦୦ ପୁରୁଷ ଛାତ୍ରମାନଙ୍କ ପିଛା ମହିଳା ଛାତ୍ରୀମାନଙ୍କ ସଂଖ୍ୟା ୮୮ ଥିବାବେଳେ ୨୦୨୦-୨୧ ବେଳକୁ ତାହା ସମାନ ହୋଇଯାଇଥିଲା, ଅର୍ଥାତ୍ ୧୦୦ ଛାତ୍ରଙ୍କ ପିଛା ଛାତ୍ରୀମାନଙ୍କ ସଂଖ୍ୟା ମଧ୍ୟ ୧୦୦ ହୋଇଯାଇଥିଲା। ଉପରୋକ୍ତ ଅସୁରକ୍ଷିତ ଭାବ ବ୍ୟତୀତ ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ପ୍ରାୟ ସମସ୍ତ ମହିଳା ଉତ୍ତରଦାତାମାନେ ସେମାନେ କର୍ମସ୍ଥଳୀରେ ବିଭିନ୍ନ ପ୍ରକାରର ସ୍ଥୂଳ ଓ ସୂକ୍ଷ୍ମ ଲିଙ୍ଗ-ବିଦ୍ବେଷର ଭୁକ୍ତଭୋଗୀ ହୋଇଥିବା ପ୍ରକାଶ କରିଥିଲେ। ଏହି ବିଦ୍ବେଷ ପାରିଶ୍ରମିକରୁ ଆରମ୍ଭ କରି କାର୍ଯ୍ୟବୋଝ ପର୍ଯ୍ୟନ୍ତରେ ପ୍ରତିଫଳିତ ହୋଇଥାଏ।
ଚିକିତ୍ସା କେନ୍ଦ୍ରମାନଙ୍କରେ ରୋଗୀମାନଙ୍କୁ ଚିକିତ୍ସା ଓ ଚିକିତ୍ସା ସଂପର୍କିତ ବିଭିନ୍ନ ସେବା ପ୍ରଦାନ କରୁଥିବା ମହିଳା ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀମାନେ ଏଭଳି ଲିଙ୍ଗଭିତ୍ତିକ କ୍ଷତିକାରକ ଆଚରଣର ସମ୍ମୁଖୀନ ହେବା ଯେ ଆଜିର ଲିଙ୍ଗ-ସଚେତନ ସଭ୍ୟ ସମାଜରେ ଆଦୌ ଗ୍ରହଣୀୟ ନୁହେଁ, ସେ ନେଇ ଆଉ କୌଣସି ଯୁକ୍ତିର ଅବକାଶ ନାହିଁ। କିନ୍ତୁ ଏହି ବୃହତ୍ତର ଦୃଷ୍ଟିକୋଣରୁ ଅପସରି ଯାଇ କେବଳ ଯଦି ଯେଉଁ ରୋଗୀମାନେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଇଥାନ୍ତି, ସେମାନଙ୍କ ଦୃଷ୍ଟିକୋଣରୁ ଦେଖାଯାଏ, ତେବେ ଏଭଳି ନାରୀ-ବିରୋଧୀ ଆଚରଣ ଯେ ସେମାନଙ୍କର ଘୋର ସ୍ବାର୍ଥହାନି ଘଟାଇଥାଏ, ତାହା ବିଭିନ୍ନ ତଥ୍ୟଭିତ୍ତିକ ଅନୁଶୀଳନମାନ ଦ୍ବାରା ସାବ୍ୟସ୍ତ ହୋଇଥାଏ।
ଜଣେ ରୋଗୀ ଆରୋଗ୍ୟ ଲାଭ କରିବ କି ନାହିଁ, ତାହା ବିଭିନ୍ନ କାରଣମାନ ଉପରେ ନିର୍ଭର କରିଥାଏ: ସେମାନଙ୍କୁ ଦିଆଯାଉଥିବା ଔଷଧର ଗୁଣାତ୍ମକ ମାନରୁ ଆରମ୍ଭ କରି ସେମାନଙ୍କର ଲକ୍ଷଣ ସବୁର ତର୍ଜମାର ନିର୍ଭୁଲତା ପର୍ଯ୍ୟନ୍ତ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ସାବ୍ୟସ୍ତ ହୋଇଛି ଯେ ଚିକିତ୍ସକଙ୍କର ଲିଙ୍ଗ ମଧ୍ୟ ରୋଗୀର ଆରୋଗ୍ୟ ଲାଭର ସମ୍ଭାବନାକୁ ପ୍ରଭାବିତ କରିଥାଏ। ବିଭିନ୍ନ ଦେଶରୁ ସଂଗୃହୀତ ତଥ୍ୟ ଅନୁସାରେ ସଂକ୍ଷେପରେ କହିଲେ ପୁରୁଷ ଡାକ୍ତରମାନଙ୍କ ଦ୍ବାରା ଚିକିତ୍ସିତ ରୋଗୀମାନଙ୍କ ତୁଳନାରେ ମହିଳା ଡାକ୍ତରମାନଙ୍କ ଦ୍ବାରା ଚିକିତ୍ସିତ ରୋଗୀମାନଙ୍କର ଆରୋଗ୍ୟ ଲାଭ କରିବାର ସମ୍ଭାବନା ଅଧିକ ହେବା ଦେଖାଯାଇଥାଏ।
ଏ ସଂପର୍କରେ ପ୍ରାୟ ସର୍ବପ୍ରଥମ ଗବେଷଣାଭିତ୍ତିକ ରିପୋର୍ଟ ପ୍ରକାଶ ପାଇଥିଲା ୨୦୧୭ରେ ମର୍ଯ୍ୟାଦାଜନକ ‘ଜର୍ନାଲ୍ ଅଫ୍ ଦି ଆମେରିକାନ୍ ମେଡିକାଲ୍ ଆସୋସିଏସନ୍ ଇଣ୍ଟର୍‌ନାଲ୍ ମେଡିସିନ୍’ରେ, ଯେଉଁଥ‌ିରେ ହାର୍ଭାଡ୍‌ ମେଡିକାଲ୍ ସ୍କୁଲ୍‌ର ଗବେଷକ ୟୁସୁକେ ସୁଗାୱା ଓ ତାଙ୍କର ସହଯୋଗୀମାନେ ଚିକିତ୍ସା ଉପରେ ଚିକିତ୍ସକଙ୍କର ଏହି ଲିଙ୍ଗଗତ ଉପକାରୀ ପ୍ରଭାବକୁ ସାବ୍ୟସ୍ତ କରିଥିଲେ। ଗବେଷକମାନେ ୨୦୧୧ରୁ ୨୦୧୪ ମଧ୍ୟରେ ଆମେରିକାର ବିଭିନ୍ନ ହସ୍‌ପିଟାଲ୍‌ମାନଙ୍କରେ ଭର୍ତ୍ତି ହୋଇଥିବା ପ୍ରାୟ ୧.୫ ନିୟୁତ ବୟସ୍କ ରୋଗୀମାନଙ୍କର ମେଡିକାଲ୍ ରେକର୍ଡ ଅନୁଶୀଳନ କରି ଆବିଷ୍କାର କରିଥିଲେ ଯେ ଯେଉଁ ରୋଗୀମାନଙ୍କର ପ୍ରାଥମିକ ଚିକିତ୍ସା ଜଣେ ମହିଳା ଡାକ୍ତରଙ୍କ ଦ୍ବାରା ସଂପାଦିତ ହୋଇଥିଲା, ସେମାନଙ୍କର ଆରୋଗ୍ୟ ଲାଭ କରିବା ସମ୍ଭାବନା ଅନ୍ୟ ରୋଗୀମାନଙ୍କ ଠାରୁ ୪ ଶତାଂଶ ଅଧିକ ହୋଇଥିଲା। ଏହି ତଫାତ୍‌ର ଗୁରୁତ୍ବ ସହଜରେ ହୃଦୟଙ୍ଗମ କରିବା ପାଇଁ ଗବେଷକମାନେ ସୂଚାଇଥିଲେ ଯେ ରୋଗୀମାନଙ୍କ ପାଇଁ ଏହି ଲାଭ ହେଉଛି ୧୦ ବର୍ଷ ମଧ୍ୟରେ ଚିକିତ୍ସା ପଦ୍ଧତି ଓ ଜ୍ଞାନକୌଶଳରେ ଘଟୁଥିବା ଉନ୍ନତିରୁ ଉପଲବ୍‌ଧ ଲାଭ ସହିତ ସମାନ। 
ପରେ ପରେ ସେଇ ୨୦୧୭ରେ ପ୍ରସିଦ୍ଧ ‘ବ୍ରିଟିଶ୍ ମେଡିକାଲ୍ ଜର୍ନାଲ୍’ରେ ପ୍ରକାଶିତ ଅନ୍ୟ ଏକ ଗବେଷଣାଲବ୍‌ଧ ରିପୋର୍ଟରେ ମହିଳା ଶଲ୍ୟ ଚିକିତ୍ସକମାନଙ୍କ ଦ୍ବାରା କରାଯାଇଥିବା ଅସ୍ତ୍ରୋପଚାରର ସଫଳତାରେ ଅନୁରୂପ ସକାରାତ୍ମକ ତଫାତ୍ ଆବିଷ୍କୃତ ହୋଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟ ଗବେଷକମାନେ ମଧ୍ୟ ଚିକିତ୍ସାର ଅନ୍ୟ ବିଭାଗମାନଙ୍କରେ ରୋଗୀମାନଙ୍କ ପାଇଁ ଡାକ୍ତରମାନଙ୍କ ଅପେକ୍ଷା ‘ଡାକ୍ତରାଣୀ’ମାନଙ୍କର ଅଧିକ ମଙ୍ଗଳପ୍ରଦ ପ୍ରଭାବ ଆବିଷ୍କାର କରିଛନ୍ତି। ଅଥଚ କୃତଘ୍ନ ପୁରୁଷପ୍ରଧାନ ସମାଜ ଦ୍ବାରା ସେଇ ମଙ୍ଗଳକାରିଣୀମାନେ କିଭଳି ଯାବତୀୟ ଅନ୍ୟାୟ ଅତ୍ୟାଚାର ଓ ବାଛବିଚାରର ସମ୍ମୁଖୀନ ହୋଇଥାନ୍ତି, ଆର୍‌ଜି କର ଘଟଣା ଠାରୁ ଉପରୋକ୍ତ ‘ଆଇଏମ୍‌ଏ’ ସର୍ବେକ୍ଷଣ ପର୍ଯ୍ୟନ୍ତ ତାହାର ଲଜ୍ଜାଜନକ ପ୍ରମାଣ ବହନ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe