ବାସ୍ତବତାଟି ହେଲା ପିଲାମାନଙ୍କୁ କୁହାଯାଉଥିବା ରାଜକୁମାର-ରାଜକୁମାରୀ କାହାଣୀରେ ଥିବା ଭଳି ରାକ୍ଷସର ଜୀବନ ପକ୍ଷୀ ଯେମିତି ତା’ର ଶରୀରରେ ନ ଥାଇ ରହିଥାଏ ସମୁଦ୍ରର ସାତ ତାଳ ପାଣି ତଳେ ସିନ୍ଦୁକରେ ନିବୁଜ ଏକ ଅପହଞ୍ଚ ପଂଜୁରିରେ, ସେମିତି ଆଇନ ଉଲ୍ଲଂଘନକାରୀ ଏଭଳି କାର୍ଯ୍ୟର ଅସଲ ପ୍ରାଣଶକ୍ତିଟି ସେହି ଅଧିକାରୀମାନଙ୍କ ଠାରେ ନ ଥାଇ ରହିଥାଏ କୌଣସି ଅପହଞ୍ଚ ଅତୀବ କ୍ଷମତାଶାଳୀ ରାଜନେତାଙ୍କ ନିକଟ‌େର! ସୁତରାଂ, ସେଠାକୁ ଆଇନର ହାତ ପହଞ୍ଚିବା ହୁଏତ ଅଧିକ ଯଥାର୍ଥ ହୋଇଥାଆନ୍ତା।

Advertisment

ଗଲା ବୁଧବାର ଦିନ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଗୋଟିଏ ଦୁଇଜଣିଆ ଖଣ୍ଡପୀଠ ଦ୍ବାରା ପ୍ରଦତ୍ତ ଏକ ଐତିହାସିକ ରାୟ ଫଳରେ ମତ୍ତହସ୍ତୀ ପ୍ରାୟ ସହସା ଆବିର୍ଭୂତ ହୋଇ ଭଙ୍ଗାରୁଜା କରୁଥିବା ବୁଲ୍‌ଡୋଜର୍‌କୁ ମଣ ଓ ଶାନ୍ତ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଏ ନେଇ ସମସ୍ତେ ଅବଗତ ଯେ ଆମ ଦେଶର କତିପୟ ରାଜ୍ୟରେ ସରକାରୀ କଳର ଆବାହନ କ୍ରମେ କିଭଳି ଅମିତ ଶକ୍ତିଶାଳୀ ଏହି ଅତିକାୟ ଯନ୍ତ୍ର ଦାନବ ଆଇନ ବହିର୍ଭୂତ ଓ ଅମାନବୀୟ ଧ୍ବଂସଲୀଳାମାନ ସାଧନ କରୁଥିଲା। କହିବା ବାହୁଲ୍ୟ ଯେ ମାନ୍ୟବର ଜଷ୍ଟିସ୍‌ ବି. ଆର୍‌. ଗୱାଇ ଓ କେ. ଭି. ବିଶ୍ବନାଥନଙ୍କ ଦ୍ବାରା ଗଠିତ ଖଣ୍ଡପୀଠର ଏହି ସର୍ବସମ୍ମତ ରାୟରେ ନାଗରିକର ମୌଳିକ ଅଧିକାର, କାର୍ଯ୍ୟନିର୍ବାହୀ ଓ ନ୍ୟାୟପାଳିକା ମଧ୍ୟରେ କ୍ଷମତାର ପୃଥକୀକରଣ, ନ୍ୟାୟ ପ୍ରଦାନ କାଳରେ ମାନବୀୟ ସଂବେଦନାର ମହତ୍ତ୍ବ ଓ ତାତ୍‌କାଳିକ ନ୍ୟାୟ ପ୍ରଦାନରେ ନିହିତ ଗୁରୁତର ବିପଦ ଇତ୍ୟାଦି ବିଷୟ ଚମତ୍କାର ଭାବେ ପ୍ରାଂଜଳତା ଲାଭ କରିଛି। ସେହି ଦୃଷ୍ଟିରୁ ଏହି ରାୟ ଉଭୟ ସାଂକେତିକ ଓ ଦୃଷ୍ଟାନ୍ତମୂଳକ, ଯେଉଁ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏହି ସ୍ତମ୍ଭର ପାଠକପାଠିକାମାନେ ଅବଶ୍ୟ ଅବଗତ ଥିବେ ଯେ ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ ବିଜେପି ସରକାର କ୍ଷମତାରୂଢ଼ ହେବା ପରେ ‘ବୁଲ୍‌ଡୋଜର୍‌ ଜଷ୍ଟିସ୍‌’ ବା ‘ବୁଲ୍‌ଡୋଜର୍‌ ନ୍ୟାୟ’ ଭଳି ନାମ ଧାରଣ କରି ଏକ ‘ତତ୍‌କାଳ ଦଣ୍ଡ ପ୍ରଦାନ’ ଧାରାର ସୂତ୍ରପାତ ଘଟିଲା, ଯହିଁରେ ଦଙ୍ଗା ବା ବଳାତ୍କାର ବା ସେଭଳି ଅନ୍ୟାନ୍ୟ ଅପରାଧରେ ଅଭିଯୁକ୍ତମାନଙ୍କ ବାସଗୃହ ଓ ବ୍ୟବସାୟ ପ୍ରତିଷ୍ଠାନ ଆଦିକୁ ତତ୍‌କ୍ଷଣାତ୍‌ ବୁଲ୍‌ଡୋଜର୍‌ ଦ୍ବାରା ଧୂଳିସାତ କରି ଦିଆଗଲା; ଏବଂ ସେଠାରେ ରୁଣ୍ଡ ହୋଇଥିବା ଭିଡ଼ର ଗହଗହ କରତାଳିର ସମର୍ଥନ ଏହାକୁ ଏଭଳି ଏକ ସଫଳ ମଡେଲ୍‌ର ରୂପ ପ୍ରଦାନ କଲା ଯେ ଅଚିରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଆସାମ ଭଳି ବିଜେପି ଶାସିତ ରାଜ୍ୟ ଏହାକୁ ପ୍ରୟୋଗ କରିବାକୁ ଲାଗିଲେ। ସୁତରାଂ, ରାଜ୍ୟରୁ ଅପରାଧୀ ନିର୍ମୂଳ କରିବା ସକାଶେ ଏହା ଏକ ଅଭିନବ ପନ୍ଥାରେ ପରିଣତ ହେଲା, ଯହିଁରେ କଠୋରତମ ଅପରାଧୀମାନେ ମଧ୍ୟ ଭୟ କାତର ହୋଇ ଉଠିଲେ। କିନ୍ତୁ ଏଭଳି କାର୍ଯ୍ୟ ଆଇନା‌ନୁମୋଦିତ ଥିଲା କି? ତାହା ଥିଲା ପ୍ରଶ୍ନ। ସୁତରାଂ, ଏଭଳି ପଦକ୍ଷେପ ବିରୋଧରେ ସ୍ବାଭାବିକ ଭାବେ ଏକାଧିକ ମାମଲା ସର୍ବୋଚ୍ଚ ଅଦାଲତରେ ଆଗତ ହେଲା, ଯାହାର ଶୁଣାଣି କ୍ରମେ ଏଭଳି ଏକ ଚମତ୍କାର ରାୟଟିଏ ଆସିଛି। 
ଏହି ରାୟରେ ପ୍ରମୁଖ ଭାବେ ଚାରିଟି ସଂଦର୍ଭ ଉପରେ ଆଲୋଚନା କରାଯାଇଛି। ପ୍ରଥମଟି ହେଲା ଜଣେ ନାଗରିକର ବାସଗୃହକୁ ବିଧିବଦ୍ଧ ସୂଚନା ନ ଦେଇ ବା ଆପତ୍ତିର ସୁଯୋଗ ନ ଦେଇ ତତ୍‌କ୍ଷଣାତ୍‌ ଧୂଳିସାତ୍‌ କରି ତାକୁ ନିରାଶ୍ରୟ କରି ଦିଆଯାଇ ପାରିବ କି? ଅଦାଲତଙ୍କ ମତରେ ଏହା ନାଗରିକର ମୌଳିକ ଅଧିକାର ଅନ୍ତର୍ଭୁକ୍ତ ଆଶ୍ରୟ ପାଇବାର ଅଧିକାର ବା ‘ରାଇଟ୍‌ ଟୁ ସେଲ୍‌ଟର୍‌’ର ହନନ, ସୁତରାଂ ଅସାଂବିଧାନିକ। ଦ୍ବିତୀୟ ବିଷୟଟି ହେଲା କାର୍ଯ୍ୟନିର୍ବାହୀ ବା ବ୍ୟବସ୍ଥାପିକା କ୍ଷମତା ପ୍ରମତ୍ତ ହୋଇ କୌଣସି ଅଭିଯୁକ୍ତକୁ ନ୍ୟାୟାଳୟର ବିଚାର ପୂର୍ବରୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡିତ କରି ପାରିବ କି? ଏଭଳି ନିଷ୍ପତ୍ତି କେବଳ ଏକ ବିଧିସମ୍ମତ ପ୍ରକ୍ରିୟା ପରେ ବିଚାରାଳୟ ହିଁ ନେଇ ପାରିବେ। ସୁତରାଂ, ଏଭଳି ଘର ଭଙ୍ଗା ଅଭିଯାନ ଆଇନ ବିରୁଦ୍ଧ। ତୃତୀୟରେ, ଅପରାଧୀ ରୂପେ ସାବ୍ୟସ୍ତ ହେଲେ ସୁଦ୍ଧା ଜଣଙ୍କର କୁକର୍ମ ସକାଶେ ତା’ର ସମଗ୍ର ପରିବାର ଏଭଳି ଦଣ୍ଡିତ ହେବା ଉଚିତ କି? ଯହିଁରେ ହୁଏତ ବୃଦ୍ଧ ପିତାମାତା ବା ପରିଜନ ଓ ବାଳୁତ ସନ୍ତାନ ଇତ୍ୟାଦି ନିର୍ଦ୍ଦୋଷ ହୋଇଥିବା ସତ୍ତ୍ବେ ଅତର୍କିତ ଭାବେ ଆଶ୍ରୟହୀନ ହୋଇଯାଇ ଅନ୍ତହୀନ ନିର୍ଯାତନା ଭୋଗିଥାଆନ୍ତି! ଚତୁର୍ଥରେ, ଭାରତ ଭଳି ଏକ ଗଣତାନ୍ତ୍ରିକ ଜନମଙ୍ଗଳକାରୀ ରାଷ୍ଟ୍ରରେ ଏକ ଅତ୍ୟନ୍ତ ସମର୍ଥ ଓ ପାରଦର୍ଶୀ ବିଚାର ବ୍ୟବସ୍ଥା ବିଦ୍ୟମାନ ଥିବା ସତ୍ତ୍ବେ ଆଇନର ଶାସନ ପରିବର୍ତ୍ତେ ମଧ୍ୟ-ଯୁଗୀୟ ଆଭିମୁଖ୍ୟ ବହନକାରୀ ‘ତାତ୍‌କାଳିକ ନ୍ୟାୟ’ ପ୍ରଦାନ ସକାଶେ ଆଗ୍ରହ ଯୁକ୍ତିଯୁକ୍ତ କି? ଏଭଳି ସ୍ଥିତିରେ ‘ଖାପ୍‌ ପଞ୍ଚାୟତ’ ବା ଗ୍ରାମାଞ୍ଚଳର ‘କଙ୍ଗାରୁ କୋର୍ଟ’ ଓ ସରକାରଙ୍କ ‘ବୁଲ୍‌ଡୋଜର୍‌ ଜଷ୍ଟିସ୍‌’ ମଧ୍ୟରେ ପ୍ରଭେଦ ରହିଲା କେଉଁଠି? ବିଚାରପତିଦ୍ବୟଙ୍କ ବର୍ଣ୍ଣନା ଅନୁସାରେ ଘରଟିଏ କେବଳ ମାତ୍ର ଛାତ ଓ ଚାରି କାନ୍ଥ ଘେରା ଏକ ପରିବେଷ୍ଟନୀ ନୁହେଁ, ତାହା ଗୋଟିଏ ପରିବାରର ଅଶ୍ରୁ-ସ୍ବେଦ ସିକ୍ତ ଜୀବନବ୍ୟାପୀ ସଂଘର୍ଷ ଓ ତ୍ୟାଗର ଫଳଶ୍ରୁତି ତଥା ପରିବାରର ସମ୍ମାନର ପ୍ରତୀକ, ଯାହାକୁ ବିବେଚନାଶୂନ୍ୟ ଓ ସଂବେଦନହୀନ ଆଦେଶ ଦ୍ବାରା ଅବାଧରେ ଚୂର୍ଣ୍ଣ କରି ଦିଆଯାଇ ନ ପାରେ!
ଏ କଥା ମଧ୍ୟ ସତ ନୁହେଁ କି ଯେ ‘ବୁଲ୍‌ଡୋଜର୍‌ ଜଷ୍ଟିସ୍‌’କୁ କାର୍ଯ୍ୟକାରୀ କରୁଥିବା ରାଜନେତା ଓ ଅଧିକାରୀମାନଙ୍କ ବକ୍ଷକୁ ଗର୍ବରେ ସ୍ଫୀତ କରି ଦେଉଥିବା ଜନ ସମର୍ଥନର ଚିତ୍କାର ଓ ଜାନ୍ତବ ଉଲ୍ଲାସର କର ତାଳି, ‘ପିଲା ଚୋର’ ବା ‘ଗୋରୁ ଚୋର’ ସନ୍ଦେହରେ କୌଣସି ଅପରିଚିତ ଆଗନ୍ତୁକକୁ ପିଟି ପିଟି ମାରି ଦେଉଥିବା ବେଳେ ପ୍ରମତ୍ତ ଭିଡ଼ ଠାରୁ ମଧ୍ୟ ନିସୃତ ହୋଇଥାଏ! ଏଥିରେ ହିଁ ‘ଗଣତନ୍ତ୍ର’ ଓ ‘ଭିଡ଼ତନ୍ତ୍ର’ ମଧ୍ୟରେ ବିଦ୍ୟମାନ ମୌଳିକ ପାର୍ଥକ୍ୟଟି ଦିଶିଯାଏ; ଏବଂ ତାହା ହେଲା ‘ଭିଡ଼ତନ୍ତ୍ର’ ସର୍ବଦା ବିବେଚନାଶୂନ୍ୟ ଓ ବିବେକ ରହିତ କାର୍ଯ୍ୟ କରିଥାଏ! ମହତ୍‌ ଆଦର୍ଶ ଓ ଉଦ୍ଦେଶ୍ୟରେ ପ୍ରାରମ୍ଭ ହୋଇଥିବା ବିପ୍ଳବମାନ କିଭଳି ‘ଭିଡ଼ତନ୍ତ୍ର’ର କବଳିତ ହୋଇ ସଂପୂର୍ଣ୍ଣ ପଥଭ୍ରଷ୍ଟ ହୋଇଥାଆନ୍ତି, ତାହାର ଦୃଷ୍ଟାନ୍ତରେ ଇତିହାସ ଭରପୂର। ଅଷ୍ଟାଦଶ ଶତାବ୍ଦୀର ଫ୍ରାନ୍‌ସରେ ସଂବେଦନଶୂନ୍ୟ ରାଜତନ୍ତ୍ର ବିରୋଧରେ ସଂଘଟିତ ହୋଇଥିଲା ଫରାସୀ ବିପ୍ଳବ। ବିପ୍ଳବୀମାନଙ୍କ ହାତରେ ରାଜ ଦଂପତି ଷୋଡ଼ଶ ଲୁଇ ଓ ମେରୀ ଆନ୍ତୋନିଏତ୍‌ ଗିଲୋଟିନ୍‌ର ଧାର ତଳେ ଆପଣା ଶିରଟିମାନ ହରାଇଥିଲେ। କିନ୍ତୁ ଅବଲୀଳା କ୍ରମେ ବିପ୍ଳବର ସମର୍ଥକମାନେ କେତେବେଳେ ଯେ ଉନ୍ମତ୍ତ ଭିଡ଼ରେ ପରିବର୍ତ୍ତିତ ହୋଇ ସାରିଥିଲେ, ତାହା ସେମାନଙ୍କୁ ମାଲୁମ ନ ଥିଲା। ସୁତରାଂ, କାଳ କ୍ରମେ ବିପ୍ଳବର ନେତାମାନଙ୍କ ମୁଣ୍ଡଟିମାନ ମଧ୍ୟ ଗିଲୋଟିନ୍‌ ତଳେ ସ୍କନ୍ଧଚ୍ୟୁତ ହେବାରେ ଲାଗିଲା; ଏବଂ ବିଡ଼ମ୍ବନାଟି ହେଲା, ରାଜ ଦଂପତି ଓ ବିପ୍ଳବୀ ନେତା ଉଭୟଙ୍କ ଶିରଚ୍ଛେଦ କାଳରେ ସେହି ଏକା ଭଳି ଉନ୍ମାଦନାଭରା କରତାଳି ଶୁଭୁଥିଲା। ସେହି ଦୃଷ୍ଟିରୁ ଏହି ରାୟ ମହତ୍ତ୍ବପୂର୍ଣ୍ଣ, କାରଣ ଏହା ନିର୍ବାଚିତ ସରକାରଗୁଡ଼ିକୁ ସେମାନଙ୍କ ଅଲକ୍ଷ୍ୟରେ ‘ଭିଡ଼ତନ୍ତ୍ରୀ’ ହୋଇଯିବାରୁ ନିବୃତ୍ତ କରିଛି। ଅବଶ୍ୟ, ଏହାର ଅର୍ଥ ନୁହେଁ ଯେ ବେଆଇନ ଜବରଦଖଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ! ରାୟରେ ସ୍ପଷ୍ଟ କରାଯାଇଛି ଯେ ସମସ୍ତ କାର୍ଯ୍ୟାନୁଷ୍ଠାନ ଆଇନର ଶାସନ ଓ ସାଂବିଧାନିକ ଔଚିତ୍ୟର ପରିସର ମଧ୍ୟରେ ହିଁ ସମାହିତ ହେବ। ‘ବୁଲ୍‌ଡୋଜର୍‌ ଜଷ୍ଟିସ୍‌’ର ସ୍ତାବକମାନେ କହିଥାଆନ୍ତି ଯେ ଏହା ଚାଲୁ ରହିଥିଲେ ଅଚିରେ ରାଜ୍ୟ ଅପରାଧୀମୁକ୍ତ ହୋଇଥାଆନ୍ତା। କିନ୍ତୁ ଏହା ହାସ୍ୟାସ୍ପଦ ଓ ମୂଲ୍ୟହୀନ। କାରଣ ଗଣତନ୍ତ୍ରର ମନ୍ଦିର ରୂପେ ବିବେଚିତ ଆମ ରାଜ୍ୟ ବିଧାନସଭା ଓ ଆମ ସଂସଦ ଏ ଯାବତ୍‌ ଏଭଳି କଳଙ୍କରୁ ମୁକ୍ତ ହୋଇ ପାରିନାହିଁ!
ଏହି ଅଦାଲତୀ ଆଦେଶର ଉଲ୍ଲଂଘନ କ୍ଷେତ୍ରରେ ଉତ୍ତରଦାୟିତ୍ବ ମଧ୍ୟ ଶଂସିତ ରାୟରେ ଅତି ସ୍ପଷ୍ଟ ଭାବେ ନ୍ୟସ୍ତ କରାଯାଇଛି, ଯାହା ଅନୁସାରେ ‘ବୁଲ୍‌ଡୋଜର୍‌ ଜଷ୍ଟିସ୍‌’କୁ କାର୍ଯ୍ୟକାରୀ କରୁଥିବା ଅଧିକାରୀଗଣ ଏଥି ଲାଗି ଦଣ୍ଡନୀୟ ହେବେ, ଯହିଁରେ ଅଦାଲତ ଅବମାନନା ସକାଶେ ଦଣ୍ଡ ଭୋଗିବା ସହିତ ଭଙ୍ଗା ଗୃହର ନିର୍ମାଣ ଖର୍ଚ୍ଚ ମଧ୍ୟ ସେମାନେ ବହନ କରିବେ। କିନ୍ତୁ, ବାସ୍ତବତାଟି ହେଲା ପିଲାମାନଙ୍କୁ କୁହାଯାଉଥିବା ରାଜକୁମାର-ରାଜକୁମାରୀ କାହାଣୀରେ ଥିବା ଭଳି ରାକ୍ଷସର ଜୀବନ ପକ୍ଷୀ ଯେମିତି ତା’ର ଶରୀରରେ ନ ଥାଇ ରହିଥାଏ ସମୁଦ୍ରର ସାତ ତାଳ ପାଣି ତଳେ ସିନ୍ଦୁକରେ ନିବୁଜ ଏକ ଅପହଞ୍ଚ ପଂଜୁରିରେ, ସେମିତି ଆଇନ ଉଲ୍ଲଂଘନକାରୀ ଏଭଳି କାର୍ଯ୍ୟର ଅସଲ ପ୍ରାଣଶକ୍ତିଟି ସେହି ଅଧିକାରୀମାନଙ୍କ ଠାରେ ନ ଥାଇ ରହିଥାଏ କୌଣସି ଅପହଞ୍ଚ ଅତୀବ କ୍ଷମତାଶାଳୀ ରାଜନେତାଙ୍କ ନିକଟ‌େର! ସୁତରାଂ, ସେଠାକୁ ଆଇନର ହାତ ପହଞ୍ଚିବା ହୁଏତ ଅଧିକ ଯଥାର୍ଥ ହୋଇଥାଆନ୍ତା। ତେବେ, ସେ ଯାହା ହେଉ ନା କାହିଁକି, ଅଦାଲତଙ୍କ ଏହି ଆଦେଶ ଅନ୍ତତଃ ବୁଲ୍‌ଡୋଜର୍‌ର ମସ୍ତକରେ ଅଙ୍କୁଶ ଲଗାଇଛି; ସେତିକି ଯଥେ‌ଷ୍ଟ!