ଏହା ଏକ ଅସାମାନ୍ୟ ଯୁଦ୍ଧ ହେବ; କାରଣ ଉଭୟ ଡେନମାର୍କ ଓ ଆମେରିକା ହେଉଛନ୍ତି ‘ନାଟୋ’ ଭଳି ଏକ ଦୃଢ଼ ସଂଗଠନର ସଦସ୍ୟ, ଯାହାର ଭିତ୍ତି-ଚୁକ୍ତିନାମାର ପ୍ରମୁଖ ସର୍ତ୍ତଟି ହେଲା, ‘ନାଟୋ’ ଅନୁବନ୍ଧିତ ଯେ କୌଣସି ରାଷ୍ଟ୍ର ଉପରେ ହେଉଥିବା ଆକ୍ରମଣକୁ ସମସ୍ତ ସଦସ୍ୟ ରାଷ୍ଟ୍ର ନିଜ ଉପରେ ‌େହାଇଥିବା ଆକ୍ରମଣ ଭଳି ଦେଖିବେ ଏବଂ ଆକ୍ରମଣର ଶିକାର ରାଷ୍ଟ୍ରକୁ ମିଳିତ ଭାବେ ସହଯୋଗ କରିବେ। ଏବେ, କିନ୍ତୁ, ଦୁଇ ସଦସ୍ୟ ରାଷ୍ଟ୍ର ପରସ୍ପର ବିରୋଧରେ ଯୁଦ୍ଧ କରିବାକୁ ଉଦ୍ୟତ; ସତେ ଯେମିତି ଶରୀରକୁ ସୁରକ୍ଷା ଦେବା ଲାଗି ଉଦ୍ଦିଷ୍ଟ ରୋଗ ପ୍ରତିରୋଧକ ଶକ୍ତି ସ୍ବୟଂ ଶରୀର ଉପରେ ଆକ୍ରମଣ କରିବାକୁ ଯାଉଛି! ଏଭଳି ସ୍ଥିତିରେ ଯେଉଁ ‘ଅଟୋ ଇମ୍ୟୁନ’ ବ୍ୟାଧିମାନ ସୃଷ୍ଟି ହୋଇଥାଏ, ସେ ସବୁ ଦୁରାରୋଗ୍ୟ ହୋଇଥାଏ।

Advertisment

Tallest Mahakal Idol: ସିଲିଗୁଡ଼ିରେ ନିର୍ମାଣ ହେବ ବିଶ୍ବର ସର୍ବୋଚ୍ଚ ମହାକାଳ ମୂର୍ତ୍ତି, ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ଉତ୍ତର ମେରୁରେ ଅବସ୍ଥିତ ବିଶାଳ ଦ୍ବୀପ ଗ୍ରୀନଲାଣ୍ଡ, ଏ ଯାବତ, ସର୍ବାଧିକ କମ୍‌ ଆଲୋଚିତ ହେଉଥିବା ଭୂଖଣ୍ଡଗୁଡ଼ିକ ମଧ୍ୟରୁ ଅନ୍ୟତମ ହୋଇ ରହିଆସିଥିବା ବେଳେ ଏକ ଅପ୍ରୀତିକର କାରଣରୁ ତାହା ଏବେ ସର୍ବତ୍ର ଗଣମାଧ୍ୟମର ଶିରୋନାମା ମଣ୍ଡନ କରୁଛି। ଅବଶ୍ୟ, ଏହା ସତ ଯେ ଜଳବାୟୁ ପରିବର୍ତ୍ତନଜନିତ ବିଶ୍ବ ଉତ୍ତପ୍ତୀକରଣ ହେତୁ କେଇ ନିୟୁତ ବର୍ଷ ଧରି ସେଠାରେ ଜମାଟ ବାନ୍ଧି ରହିଥିବା ବରଫ ଆସ୍ତରଣ ତରଳୁ ଥିବାରୁ ଆଶଙ୍କା ବିଜଡ଼ିତ ଉଦ୍‌ବେଗ ସୃଷ୍ଟି ହୋଇ ଗ୍ରୀନଲାଣ୍ଡକୁ ଅନେକ ସମୟରେ ଚର୍ଚ୍ଚାର ପରିସର ମଧ୍ୟକୁ ଘେନି ଆସୁଛି, କିନ୍ତୁ ଏବେ ପରିଦୃଷ୍ଟ ହୋଇଥିବା ବିତର୍କର ବତାସ ଅଭୂତପୂର୍ବ, ଯାହାର କାରଣ ସ୍ବଳ୍ପ ଦୃଷ୍ଟିସଂପନ୍ନ ରାଜନୀତି, ପ୍ରଭୁତ୍ବ ବିସ୍ତାରକାରୀ ରଣନୀତି ଓ ନ୍ୟସ୍ତ ସ୍ବାର୍ଥ ରଂଜିତ ବାଣିଜ୍ୟ ନୀତି। ଏହା ବର୍ତ୍ତମାନ ସୁବିଦିତ ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରଂପ ଗ୍ରୀନଲାଣ୍ଡ ଅକ୍ତିଆର କରିବାର ଜିଦ୍‌ରେ ଅଟଳ ଏବଂ ୧୭୨୧ ମସିହାରୁ ପ୍ରଥମେ ଡେନମାର୍କର ଏକ ଉପନିବେଶ ଏବଂ ୧୯୫୩ ମସିହାର ଏକ ଚୁକ୍ତି ବଳରେ ଡେନମାର୍କର ଏକ ଅଂଶରେ ପରିଣତ ହୋଇଥିବା ଏହି ଭୂଖଣ୍ଡକୁ ହସ୍ତାନ୍ତର କରିବାକୁ ଡେନମାର୍କ ସଂପୂର୍ଣ୍ଣ ଅରାଜି; ଯେଉଁ ପରିସ୍ଥିତିରେ ଏକ ଆସନ୍ନ ଯୁଦ୍ଧର ଭୟ ମଧ୍ୟ ଦିଗ୍‌ବଳୟରେ ସ୍ପଷ୍ଟ-ଅସ୍ପଷ୍ଟ ଭାବେ ଦିଶିଥାଏ। ଏଭଳି ଏକ ଅଭାବନୀୟ ଦୃଶ୍ୟପଟରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ପ୍ରଶ୍ନ ଉଠିଥାଏ ଯେ ମାତ୍ର ୫୬ ହଜାର ବାସିନ୍ଦା(ଏସ୍କିମୋ)ଙ୍କୁ ଘେନି ବର୍ଷର ଅଧିକାଂଶ ସମୟ ଘନ ବରଫାଚ୍ଛାଦିତ ଏକ ବିଶାଳ ଭୂଖଣ୍ଡ ଅକ୍ତିଆର କରିବା ନେଇ ଟ୍ରଂପ କାହିଁକି ଅଟଳ? ପ୍ରଥମ କାରଣଟି ହେଲା ଚୀନ ଓ ରୁଷିଆ ଉପରେ ଆକ୍ରମଣ କରିବା ବା ସେ ପକ୍ଷରୁ କୌଣସି ଆକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଗ୍ରୀନଲାଣ୍ଡର ଅବସ୍ଥିତି ଓ ସାମୀପ୍ୟ ଆମେରିକାକୁ ଏକ ଚମତ୍କାର ରଣନୈତିକ ସୁବିଧା ପ୍ରଦାନ କରିଥାଏ, ଯେଉଁ କାରଣରୁ ସୋଭିଏତ ରୁଷିଆ ସହିତ ଶୀତଳ ଯୁଦ୍ଧ ସମୟରୁ ସେଠାରେ ଏକ ଆମେରିକୀୟ ସାମରିକ ଘାଟୀ ବିଦ୍ୟମାନ; ଯଦିଓ ଆମେରିକା ପକ୍ଷରୁ ସେଠାରେ ଆଣବିକ କ୍ଷେପଣାସ୍ତ୍ର ରଖିବାର ଇଚ୍ଛା ଡେନମାର୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଛି। ଦ୍ବିତୀୟ କାରଣଟି ଅବଶ୍ୟ ଅଧିକ ବିଚଳିତକର; ଅର୍ଥାତ୍‌ ବିଶ୍ବ ତାପନ ହେତୁ ଗ୍ରୀନଲାଣ୍ଡକୁ ଘେରି ରହିଥିବା ମେରୁ ସାଗରର ବରଫ ତରଳି କ୍ରମେ ତାକୁ ସୁନାବ୍ୟା କଲାଣି, ଯଦ୍ଦ୍ବାରା ଏସିଆ ଓ ୟୁରୋପ ମଧ୍ୟରେ ସଳଖ ମାର୍ଗ ଫିଟୁଛି, ଯେଉଁ ସ୍ଥିତିରେ ଜାପାନରୁ କୌଣସି ୟୁରୋପୀୟ ରାଷ୍ଟ୍ର ଅଭିମୁଖେ ବାହାରିଥିବା ପଣ୍ୟବାହୀ ଜାହାଜକୁ ପୂର୍ବ ଭଳି ୩୦ ହଜାର ମାଇଲ ଅତିକ୍ରମ କରିବା ବଦଳରେ ମାତ୍ର ଛଅ ହଜାର ମାଇଲର ଦୂରତା ପାର କରିବାର ସୁ‌େଯାଗ ସୃଷ୍ଟି ହେଲାଣି। ସୁତରାଂ, ଏଥିରେ ଦ୍ବିରୁକ୍ତି ନାହିଁ ଯେ ପୃଥିବୀର ଉତ୍ତର ପ୍ରାନ୍ତର ଏହି ସାମୁଦ୍ରିକ ପଥ ଅବିଳମ୍ବେ ଜାହାଜର ଭିଡ଼ ଦେଖିବ। ଏଭଳି ସ୍ଥଳେ ସେହି ଅଞ୍ଚଳ ଉପରେ ପ୍ରଭାବ ବିସ୍ତାର କରିବାକୁ ଚୀନ ଓ ରୁଷିଆର ଆଗ୍ରହର ଆଭାସ ମିଳୁଥିବା ବେଳେ ଆମେରିକା ସେହି ଅଞ୍ଚଳ ଉପରେ ପୂର୍ଣ୍ଣ ପ୍ରଭୁତ୍ବ ଚାହିଁଥାଏ, ଯାହା ଗ୍ରୀନଲାଣ୍ଡକୁ ଅଧିକାର କରିବା ଦ୍ବାରା ହିଁ ସମ୍ଭବ। ତୃତୀୟ କାରଣଟି ହେଉଛି ଗ୍ରୀନଲାଣ୍ଡ ଗର୍ଭରେ ଥିବା ଅପରିମେୟ ଖଣିଜ ତୈଳ ଓ ‘କ୍ରିଟିକାଲ ମିନେରାଲ’; ଯହିଁରୁ ଗୋଟିଏ ସଂପଦ ସାଂପ୍ରତିକ ପୃଥିବୀକୁ ଚଳାଉଥିବା ଶକ୍ତି ହୋଇଥିବା ବେଳେ ଅନ୍ୟଟି ଭବିଷ୍ୟତ ପୃଥିବୀର ଚାଳକ ହେବା ସୁନିଶ୍ଚିତ। ଗ୍ରୀନଲାଣ୍ଡ ଅଧିକାର କରିବାର ଟ୍ରଂପୀୟ ଆଗ୍ରହରେ ନିହିତ ଅଛି ଏ କ୍ଷେତ୍ରରେ ଏକାଧିପତ୍ୟ ହାସଲ କରିବାର ଲାଳସା। ଅବଶ୍ୟ ମନରେ ପ୍ରଶ୍ନ ଉଠିଥାଏ ଯେ ଖଣିଜ ଉତ୍ତୋଳନ କରି ଗ୍ରୀନଲାଣ୍ଡର ଅତ୍ୟନ୍ତ ସ୍ବଚ୍ଛ ଓ ଅକ୍ଷତ ପରିବେଶକୁ କ୍ଷୁଣ୍ଣ କଲା ବେଳେ ଟ୍ରଂପଙ୍କ ବିବେକ ତାଙ୍କୁ ଦଂଶନ କରିବ ନାହିଁ କି? ଉତ୍ତର ହେଲା, ଆଦୌ ନୁହେଁ, କାରଣ ଉତ୍କଟ ପାରିବେଶିକ ଦୁଶ୍ଚିନ୍ତାକୁ ନେଇ ସୃଷ୍ଟ ଆଲୋଚନା ଓ ବ୍ୟାଖ୍ୟାନକୁ ଟ୍ରଂପ ‘ତୁଚ୍ଛା ଭାଣ୍ଡାମି’ ବୋଲି ଅଭିହିତ କରନ୍ତି। ଇତିମଧ୍ୟରେ ଆମେରିକାର ସଂପୂର୍ଣ୍ଣ ଉତ୍ତର ଭାଗରେ ଅବସ୍ଥିତ, ଗ୍ରୀନଲାଣ୍ଡ ଭଳି ବରଫାଚ୍ଛାଦିତ ଏବଂ ପରିବେଶ ଦୃଷ୍ଟିରୁ ଅତ୍ୟନ୍ତ ସ୍ପର୍ଶକାତର ଅଞ୍ଚଳ, ଆଲାସ୍କାରେ ଖଣିଜ ତୈଳ ଖନନର ଅନୁମତି ଟ୍ରଂପଙ୍କ ପକ୍ଷରୁ ଦିଆ ସରିଲାଣି। ସୁତରାଂ, ଟ୍ରଂପଙ୍କ ଅଧିକାରଭୁକ୍ତ ହୋଇଗଲେ ଗ୍ରୀନଲାଣ୍ଡ ମଧ୍ୟ ଲୋଭ ଓ ଲାଭ କୈନ୍ଦ୍ରିକ ମାତ୍ରାତିରିକ୍ତ ମାନବ କାର୍ଯ୍ୟକଳାପ ଦେଖିବ।

PMAY: ଗରିବ ଅସହାୟଙ୍କ ପାଇଁ ଆବାସ ଯୋଜନା ସାତସପନ

ତେବେ, ଏହା ମଧ୍ୟ ଏକ ବାସ୍ତବତା ଯେ ଗ୍ରୀନଲାଣ୍ଡ ଅଧିକାର କରିବାର ଆମେରକୀୟ ଆକାଂକ୍ଷା ଆଦୌ ନୂଆ କଥା ନୁହେଁ; ପୂର୍ବରୁ ୨୦୧୯ ମସିହାରେ, ତାଙ୍କ ପ୍ରଥମ ପାଳିର ରାଷ୍ଟ୍ରପତିତ୍ବ ସମୟରେ ମଧ୍ୟ ଟ୍ରଂପ ଗ୍ରୀନଲାଣ୍ଡ କ୍ରୟ କରିବାର ଆଗ୍ରହ ଦର୍ଶାଇ ଥିଲେ, ଯାହାକୁ ଡେନମାର୍କ ‘ଉଦ୍ଭଟ’ ବୋଲି କହି ନାକଚ କରି ଦେଇଥିଲା। ତେବେ, ତା’ ପୂର୍ବରୁ ଅନ୍ତତଃ ଆଉ ତିନି ଥର ଏଭଳି ଉଦ୍ୟମ ହୋଇ ସାରିଛି। ୧୮୬୭-୬୮ରେ ରୁଷିଆ ଠାରୁ ଆଲାସ୍କା କ୍ରୟ କରିବା ପରେ ୫.୫ ନିୟୁତ ଡଲାର ଦେଇ ଗ୍ରୀନଲାଣ୍ଡ ଓ ଆଇସଲାଣ୍ଡ ଖର୍ଦ୍ଦି କରିବାକୁ ଆମେରିକାର ତତ୍କାଳୀନ ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ୱିଲିଅମ ଏଚ. ଷ୍ଟିୱାର୍ଡ ଚେଷ୍ଟା କରିଥିଲେ, ଯାହା କଂଗ୍ରେସର ନିସ୍ଫୃହତା କାରଣରୁ ଅବଲୀଳା କ୍ରମେ ମଉଳି ଯାଇଥିଲା। ତା’ ପରେ ୧୯୧୦ ଓ ୧୯୪୫ ମସିହାରେ ସେ ସମୟର ରାଷ୍ଟ୍ରପତି ଯଥାକ୍ରମେ ୱିଲିଅମ ହଵାଡ ଟାଫ୍‌ଟ ଏବଂ ହାରି ଏସ. ଟ୍ରୁମାନ ଏ ଦିଗରେ ଉଦ୍ୟମ କରିଥିଲେ, ଯାହାକୁ ଡେନମାର୍କ ଅବିଳମ୍ବେ ଅଗ୍ରାହ୍ୟ କରିଦେଇଥିଲା। ଟ୍ରୁମାନଙ୍କ ପକ୍ଷରୁ ଏଥି ଲାଗି ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ମଧ୍ୟ ଯଚା ଯାଇଥିଲା। ତେବେ, ବର୍ତ୍ତମାନର ପ୍ରଭେଦଟି ହେଲା ଡେନମାର୍କର ପ୍ରତିବାଦ ସତ୍ତ୍ବେ ଟ୍ରଂପ ତାଙ୍କ ଉଦ୍ୟମରୁ ଓହରି ନାହାନ୍ତି। କଳେବଳେକୌଶଳେ ସେ ଗ୍ରୀନଲାଣ୍ଡ ଉପରେ କବଜା କରିବାକୁ ବାହାରି ଥିବାରୁ ଏକ ଯୁଦ୍ଧର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି। କହିବା ବାହୁଲ୍ୟ, ଏହା ଏକ ଅସାମାନ୍ୟ ଯୁଦ୍ଧ ହେବ; କାରଣ ଉଭୟ ଡେନମାର୍କ ଓ ଆମେରିକା ହେଉଛନ୍ତି ‘ନାଟୋ’ ଭଳି ଏକ ଦୃଢ଼ ସଂଗଠନର ସଦସ୍ୟ, ଯାହାର ଭିତ୍ତି-ଚୁକ୍ତିନାମାର ପ୍ରମୁଖ ସର୍ତ୍ତଟି ହେଲା, ‘ନାଟୋ’ ଅନୁବନ୍ଧିତ ଯେ କୌଣସି ରାଷ୍ଟ୍ର ଉପରେ ହେଉଥିବା ଆକ୍ରମଣକୁ ସମସ୍ତ ସଦସ୍ୟ ରାଷ୍ଟ୍ର ନିଜ ଉପରେ ‌େହାଇଥିବା ଆକ୍ରମଣ ଭଳି ଦେଖିବେ ଏବଂ ଆକ୍ରମଣର ଶିକାର ରାଷ୍ଟ୍ରକୁ ମିଳିତ ଭାବେ ସହଯୋଗ କରିବେ। ଏବେ, କିନ୍ତୁ, ଦୁଇ ସଦସ୍ୟ ରାଷ୍ଟ୍ର ପରସ୍ପର ବିରୋଧରେ ଯୁଦ୍ଧ କରିବାକୁ ଉଦ୍ୟତ; ସତେ ଯେମିତି ଶରୀରକୁ ସୁରକ୍ଷା ଦେବା ଲାଗି ଉଦ୍ଦିଷ୍ଟ ରୋଗ ପ୍ରତିରୋଧକ ଶକ୍ତି ସ୍ବୟଂ ଶରୀର ଉପରେ ଆକ୍ରମଣ କରିବାକୁ ଯାଉଛି! ଏଭଳି ସ୍ଥିତିରେ ଯେଉଁ ‘ଅଟୋ ଇମ୍ୟୁନ’ ବ୍ୟାଧିମାନ ସୃଷ୍ଟି ହୋଇଥାଏ, ସେ ସବୁ ଦୁରାରୋଗ୍ୟ ହୋଇଥାଏ। ସୁତରାଂ, ଅନେକ ବିଶେଷଜ୍ଞ କହନ୍ତି ଯେ ଯୁଦ୍ଧ ହେଲେ ଆଉ ଯାହା ହେଉ ବା ନ ହେଉ; ବଳୀୟାନ ‘ନାଟୋ’ର ବିଲୟ ଘଟିବା ଅନିବାର୍ଯ୍ୟ। 
ବିଶିଷ୍ଟ ଇଂରେଜୀ କଥାକାର ସମରସେଟ ମମଙ୍କ ‘ଦ ଭର୍ଜର’ନାମକ ସୁପ୍ରସିଦ୍ଧ ଗଳ୍ପର ନାୟକ ଆଲବର୍ଟ ଏଡୱାର୍ଡ ଫୋରମାନ, ତା’ ଚାକିରି ହରାଇ ବିମର୍ଷ ଚିତ୍ତରେ, ଏକ ବିଜନ ରାତିରେ, ଏକୁଟିଆ ପଦବ୍ରଜରେ ଘରକୁ ଫେରୁଥିବା ବେଳେ ସିଗାରେଟ ଖଣ୍ଡିଏ ‌େସବନ କରିବାକୁ ବ୍ୟାକୁଳ ହେଲା ବେଳେ ଆବିଷ୍କାର କରେ ଯେ ସେହି ସଡ଼କରେ ଗୋଟିଏ ହେଲେ ସିଗାରେଟ ଦୋକାନ ନାହିଁ। ସହସା ଏକ ଚମତ୍କାର ବୁଦ୍ଧି ତା’ର ମନକୁ ଆଲୋକିତ କରିଦିଏ। ସଂଚିତ ସ୍ବଳ୍ପ ଧନରେ ସେ ସେହି ସଡ଼କରେ ସିଗାରେଟ ଦୋକାନଟିଏ ଖୋଲି ଶୀଘ୍ର ଜଣେ ଅତ୍ୟନ୍ତ ସଫଳ ବ୍ୟବସାୟୀରେ ପରିଣତ ହୋଇଯାଏ। କହିବାର ତାତ୍ପର୍ଯ୍ୟ ହେଲା, ଏମିତି ବୁଦ୍ଧି ସର୍ବଦା ଓ ସମସ୍ତଙ୍କୁ ଜୁଟି ନ ଥାଏ ଏବଂ କେଉଁ ଗ୍ରହ-ନକ୍ଷତ୍ରଙ୍କ ସଂଯୋଗରୁ ତାହା ସମ୍ଭବ ହୁଏ, ତାହା କେବଳ ଅଦୃଷ୍ଟକୁ ଜ୍ଞାତ। ସେମିତି ଏକ ବୁଦ୍ଧି ହଠାତ୍ ଟ୍ରଂପଙ୍କ ମନଭୂମିକୁ ଉଦ୍‌ଭାସିତ କରି ଦେଇଥିବ ବୋଲି ୨୦୧୯ ମସିହାରେ ସର୍ବ ସମକ୍ଷରେ ଟ୍ରଂପ କହି ପକାଇଥିଲେ ଯେ ଗ୍ରୀନଲାଣ୍ଡ ଏକ ଚମତ୍କାର ‘ରିଏଲ୍‌ ଇଷ୍ଟେଟ୍‌’। ରାଷ୍ଟ୍ରପତି ହୋଇ ଯାଇଥିଲେ ହେଁ ଡୋନାଲ୍‌ଡ ଟ୍ରଂପ ମୂଳତଃ ଜଣେ ଜାଗାବାଡ଼ି ବ୍ୟବସାୟୀ ହୋଇଥିବାରୁ ତାଙ୍କ ଠାରୁ ଏଭଳି ଉକ୍ତି ନିର୍ଗତ ହେବାକୁ ହୁଏତ କେହି କେହି ସ୍ବାଭାବିକ ବୋଲି ଧରି ନେଇଥିବେ! କିନ୍ତୁ, ତା’ ବୋଲି ଗ୍ରୀନଲାଣ୍ଡ ଭଳି ଏକ ଦେଶକୁ ନେଇ ଏଭଳି ଭାବନା? ଏହା ବୁଦ୍ଧି ନୁହେଁ, ମୂଢ଼ତା!