କାରଣ ଯାହାହେଉ ପଛକେ ସଂଖ୍ୟାଗରିଷ୍ଠ ସମର୍ଥନ ଲାଭ କରି ବିଲ୍ଟି ପାରିତ ହୋଇ ଯେତେ ଶୀଘ୍ର ମହିଳାମାନଙ୍କର ରାଜନୈତିକ ଶକ୍ତିରେ ବୃଦ୍ଧି ଘଟାଇବ, ଦେଶ ପାଇଁ ତାହା ସେତେ ମଙ୍ଗଳପ୍ରଦ ହେବ। କାରଣ ରାଜନୈତିକ ସଶକ୍ତୀକରଣ ମହିଳାମାନଙ୍କର ସାମଗ୍ରିକ ସଶକ୍ତୀକରଣକୁ ଏକ ଦୃଢ଼ ଭିତ୍ତି ଯୋଗାଇଥାଏ। ବର୍ତ୍ତମାନ ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ମାତ୍ର ୮୨ ହୋଇଥିବା ବେଳେ ଆରକ୍ଷଣ କାର୍ଯ୍ୟକାରୀ ହେବା ପରେ ତାହା ହେବ ୧୮୧। ଏଇଥିରୁ ସହଜରେ ହୃଦୟଙ୍ଗମ କରିହେବ ବିଲ୍ଟି କିପରି ମହିଳାମାନଙ୍କର ରାଜନୈତିକ ଗୁରୁତ୍ବରେ ବୃଦ୍ଧି ଘଟାଇବାକୁ ଯାଉଛି।
‘‘ପ୍ରଶ୍ନ ନୁହେଁ କିଏ ମତେ ଆଗେଇବାକୁ ଦେବ, ପ୍ରଶ୍ନ ହେଉଛି କିଏ ମତେ ଅଟକାଇବ?’’ ମଙ୍ଗଳବାର ଦିନ ନୂତନ ସଂସଦ ଭବନର ସର୍ବପ୍ରଥମ ବିଧେୟକ ରୂପେ ‘ନାରୀଶକ୍ତି ବନ୍ଦନ ଅଧିନିୟମ’ ଉପସ୍ଥାପିତ ହେବା ଅବସରରେ ଯଦି କେଉଁ ଏକ ପ୍ରଶ୍ନ ସର୍ବାଧିକ ପ୍ରାସଂଗିକତା ବହନ କରି ଆବିର୍ଭୂତ ହୋଇଥାଏ, ତାହା ହେଉଛି ବିଂଶ ଶତାବ୍ଦୀର ପ୍ରସିଦ୍ଧ ଉଦାରବାଦୀ ଆମେରିକୀୟ ଦାର୍ଶନିକା ଓ ଔପନ୍ୟାସିକା ଆଇନ୍ ରୢାଣ୍ଡ୍ ଏକଦା ପଚାରିଥିବା ଏକ ପ୍ରଶ୍ନ। ୧୯୯୬ରେ ଦେବେଗୌଡ଼ାଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ପ୍ରଥମେ ଆଗତ ହୋଇଥିବା ସଂସଦ ଓ ବିଧାନସଭା ମାନଙ୍କରେ ମହିଳାମାନଙ୍କ ପାଇଁ ସ୍ଥାନ ଆରକ୍ଷଣ ପାଇଁ ଉଦ୍ଦିଷ୍ଟ ଏହି ବିଲ୍କୁ ଆଗେଇବାକୁ ନଦେଇ ଏପର୍ଯ୍ୟନ୍ତ କେଉଁମାନେ ଅଟକାଇ ରଖିଥିଲେ ତାହା ଏପରି ସୁବିଦିତ ଯେ ସେ ସମ୍ବନ୍ଧରେ ଅଧିକ ବାକ୍ୟ ବ୍ୟୟ କରିବା ଅନାବଶ୍ୟକ। ଏକଦା କେତେକ ପୁରୁଷ ପୁଙ୍ଗବ ସାଂସଦ କ୍ରୋଧାନ୍ବିତ ହୋଇ ସଂସଦରେ ବିଲ୍ର ନକଲକୁ ଚିରି ଫାଡ଼ି ଦେବା ମଧ୍ୟ ଦେଖାଯାଇଥିଲା।
ବର୍ତ୍ତମାନ ରୢାଣ୍ଡ୍ଙ୍କ ଉପରୋକ୍ତ ପ୍ରଶ୍ନର ପ୍ରଥମ ଭାଗର ଉତ୍ତର ପ୍ରଦାନ ସ୍ବରୂପ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି: ‘‘ଏହାକୁ (ମହିଳା ଆରକ୍ଷଣ ବିଲ୍କୁ) ଆଗେଇ ନେବାକୁ ଈଶ୍ବର ମତେ ସୁଯୋଗ ଦେଇଛନ୍ତି।’’ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ବିଲ୍ଟି ଏକାଧିକ ଥର ଉପସ୍ଥାପିତ ହୋଇଥିଲେ ମଧ୍ୟ ସଂଖ୍ୟାଗରିଷ୍ଠତା ଅଭାବରୁ ତାହା ପାରିତ ହୋଇପାରି ନଥିଲା ବୋଲି ଖେଦୋକ୍ତି କରି ପ୍ରଧାନମନ୍ତ୍ରୀ ମୋଦୀ ଏଥର ସେଇ ଅସଂପୂର୍ଣ୍ଣ ସ୍ବପ୍ନ ପୂରଣ ହେବାକୁ ଯାଉଛି ବୋଲି ଆନନ୍ଦ ପ୍ରକାଶ କରିଥିଲେ। ସଂବିଧାନର ୧୨୮ତମ ସଂଶୋଧନ ମାଧ୍ୟମରେ ସଂସଦରେ ଓ ବିଧାନସଭା ମାନଙ୍କରେ ଏକ-ତୃତୀୟାଂଶ ସ୍ଥାନ ମହିଳାମାନଙ୍କ ପାଇଁ ଆରକ୍ଷିତ ରହିବ ଯେଉଁଥିରେ ଅନୁସୂଚିତ ଜାତି ଓ ଜନଜାତିର ମହିଳାମାନଙ୍କ ପାଇଁ ସେଇ ବର୍ଗ ପାଇଁ ଆରକ୍ଷିତ ଆସନର ଏକ-ତୃତୀୟାଂଶ ଅନ୍ତର୍ଭୁକ୍ତ।
ପ୍ରକାଶିତ ସୂଚନା ଅନୁସାରେ ବିଲ୍ଟି ଏବେ ପାରିତ ହେବା ପରେ ମଧ୍ୟ ମହିଳାମାନଙ୍କ ପାଇଁ ଏହି ନୂତନ ସ୍ଥାନ ଆରକ୍ଷଣ ବ୍ୟବସ୍ଥା ୨୦୨୪ ସାଧାରଣ ନିର୍ବାଚନରେ କାର୍ଯ୍ୟକାରୀ ନ ହୋଇପାରେ। ଏହା ଅନୁଯାୟୀ ୨୦୨୬ରେ ନିର୍ବାଚନ କ୍ଷେତ୍ରମାନଙ୍କର ନୂତନ ସୀମା ନିର୍ଦ୍ଧାରଣ ବା ଡିଲିମିଟେସନ୍ ସଂପୂର୍ଣ୍ଣ ହେବା ପରେ ଯାଇ ୨୦୨୯ର ସାଧାରଣ ନିର୍ବାଚନରେ ଏହା କାର୍ଯ୍ୟକାରୀ ହେବ। ଏଥିରେ କିନ୍ତୁ ସନ୍ଦେହ ନାହିଁ ଯେ ଥରେ ମହିଳାମାନଙ୍କୁ ଆରକ୍ଷଣ ପ୍ରଦାନ ନିମିତ୍ତ ସଂବିଧାନରେ ସଂଶୋଧନ କରାଯିବା ପରେ ତାହା ମହିଳା ସଶକ୍ତୀକରଣ ଦିଗରେ ଯେଉଁଭଳି ଅତୁଳନୀୟ ତାତ୍ପର୍ଯ୍ୟ ବହନ କରିବ, ନୀତିନିୟମ ଦୃଷ୍ଟିରୁ ତାହା ଯେବେ ଠାରୁ କାର୍ଯ୍ୟକାରୀ ହେଲେ ମଧ୍ୟ ମହିଳାମାନଙ୍କ ଦୃଷ୍ଟିରେ ତାହାର ପ୍ରଭାବ ଆଦୌ କ୍ଷୁଣ୍ଣ ହେବ ନାହିଁ। ୧୯୯୬ରେ ପ୍ରଥମ ଉଦ୍ୟମ ପରେ ୧୯୯୮, ୧୯୯୯ ଓ ୨୦୦୮ରେ ବିଲ୍ଟିକୁ ପାରିତ କରିବା ପାଇଁ ଉଦ୍ୟମ ହୋଇଥିଲେ ହେଁ, ତାହା ଫଳବତୀ ହୋଇପାରି ନଥିଲା। ୨୦୧୦ରେ ବିଲ୍ଟି ରାଜ୍ୟସଭାରେ ପାରିତ ହୋଇଥିଲେ ହେଁ ତାହା ତା’ପରେ କେବେ ହେଲେ ଲୋକସଭାରେ ଉପସ୍ଥାପିତ ହୋଇପାରି ନଥିଲା। ବର୍ତ୍ତମାନ ତେଣୁ ବିଲ୍ଟି ସଂସଦରେ ପାରିତ ହୋଇ ବଳବତ୍ତର ହୋଇଗଲେ ସେଥିପାଇଁ ଶାସକ ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଶ୍ଚିତ ଶ୍ରେୟ ଲାଭ କରିବେ।
୨୦୧୦ରେ ବିଲ୍ଟି ରାଜ୍ୟସଭାରେ ପାରିତ ହେବା ଏକ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ। ଲୋକସଭା ଓ ରାଜ୍ୟସଭା ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଫରକ୍ ହେଉଛି ଏହା ଯେ ଲୋକସଭା ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇ ଗଠିତ ହେଉଥିବା ବେଳେ ରାଜ୍ୟସଭା ହେଉଛି ଏକ ସ୍ଥାୟୀ ଗୃହ। ଏହି କାରଣରୁ କୌଣସି ଏକ ବିଲ୍ ରାଜ୍ୟସଭାରେ ଥରେ ପାରିତ ହୋଇଯିବା ପରେ ଯେତେଦିନ ବିତିଗଲେ ମଧ୍ୟ ତାହା ପୁନରାୟ ଆଉ ରାଜ୍ୟସଭାରେ ଉପସ୍ଥାପିତ ହେବା ଆବଶ୍ୟକ ହୋଇନଥାଏ। ଏଣୁ ସେଇ ବିଲ୍ଟି କେବଳ ଲୋକସଭାରେ ପାରିତ ହୋଇଗଲେ ଆଇନ୍ରେ ପରିଣତ ହୋଇଯାଏ। କିନ୍ତୁ ବର୍ତ୍ତମାନ କେନ୍ଦ୍ର କ୍ୟାବିନେଟ୍ ଦ୍ବାରା ଅନୁମୋଦିତ ହୋଇ ଯେଉଁ ବିଲ୍ଟି ଲୋକସଭାରେ ଉପସ୍ଥାପିତ ହୋଇଛି ସେଥିରେ ଯଦି କୌଣସି ପରିବର୍ତ୍ତନ କରାଯାଇଥାଏ, ତା’ହେଲେ ବିଲ୍ଟି େଲାକସଭାରେ ପାରିତ ହେବା ପରେ ପୁଣି ରାଜ୍ୟସଭାରେ ପାରିତ ହେବାକୁ ପଡ଼ିବ। ଏଥର କିନ୍ତୁ କଂଗ୍ରେସ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ଆଞ୍ଚଳିକ ଦଳମାନେ ମହିଳା ଆରକ୍ଷଣ ନିମିତ୍ତ ଜୋର୍ଦାର୍ ଦାବି କରି ଆସୁଥିବାରୁ, ବିଲ୍ଟି ସୁରୁଖୁରୁରେ ଉଭୟ ଗୃହରେ ପାରିତ ହୋଇଯିବାର ଦୃଢ଼ ସମ୍ଭାବନା ରହିଛି।
ଅବଶ୍ୟ ଏହା ବିରୋଧୀ ମେଣ୍ଟ ‘ଇନ୍ଡିଆ’ ପାଇଁ ଏକ ଆଭ୍ୟନ୍ତରୀଣ ସମସ୍ୟା ସୃଷ୍ଟି କରିପାରେ; କାରଣ ଅତୀତରେ ଏହାର ଅଂଶୀଦାର ଦଳ ‘ଜେଡିୟୁ’, ସମାଜବାଦୀ ପାର୍ଟି ଓ ଆର୍ଜେଡି ବିଲ୍ଟି ପ୍ରତି ତୀବ୍ର ବିରୋଧ ପ୍ରଦର୍ଶନ କରିଥିଲେ। କିନ୍ତୁ ଯେହେତୁ ଇତିମଧ୍ୟରେ ୟୁପି ଓ ବିହାରରେ ମହିଳାମାନେ ନିର୍ବାଚନରେ ଅଧିକ ଅନୁପାତରେ ମତଦାନ କରିବା ଦେଖାଯାଉଛି, ସେମାନଙ୍କୁ ନାରାଜ କରିବା ଭୟରେ ଉପରୋକ୍ତ ଦଳମାନେ ଏଥର ବୋଧହୁଏ ବିଲ୍ଟିକୁ ବିରୋଧ କରିବାକୁ ସାହସ କରିବେ ନାହିଁ।
ବିରୋଧୀ ଦଳମାନଙ୍କୁ ଯାହା ବିଲ୍ଟିକୁ ସମର୍ଥନ କରିବାକୁ ସର୍ବାଧିକ ପ୍ରଭାବିତ କରିବ, ତାହା ହେଲା ଦେଶର ମହିଳା ମତଦାତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଡ଼କୁ ଅଧିକ ଢଳିବାର ଭୟ। ମୋଦୀ ତାଙ୍କର ଦୁଇ ପାଳିର ସରକାର ସମୟରେ ଅନେକ ଗୁଡ଼ିଏ ମହିଳାକୈନ୍ଦ୍ରିକ ଯୋଜନାମାନ କାର୍ଯ୍ୟକାରୀ କରି ସେମାନଙ୍କର ପ୍ରିୟଭାଜନ ହୋଇସାରିଛନ୍ତି; ଉଦାହରଣ ସ୍ବରୂପ ଉଜ୍ଜ୍ବଳା, ଜନଧନ, ସ୍ବଚ୍ଛଭାରତ, ମାତୃବନ୍ଦନା ଓ ମୁଦ୍ରା ଆଦି। ବିରୋଧୀ ଦଳମାନେ ତେଣୁ ଏହି ବିଲ୍ଟିକୁ ବିରୋଧ କରି ମହିଳା ମତଦାତାମାନଙ୍କୁ ଆହୁରି ଅଧିକ ମୋଦୀ ଓ ଭାଜପା ଦିଗକୁ ଠେଲି ଦେବାକୁ ଚାହିଁବେ ନାହିଁ।
କାରଣ ଯାହାହେଉ ପଛକେ ସଂଖ୍ୟାଗରିଷ୍ଠ ସମର୍ଥନ ଲାଭ କରି ବିଲ୍ଟି ପାରିତ ହୋଇ ଯେତେ ଶୀଘ୍ର ମହିଳାମାନଙ୍କର ରାଜନୈତିକ ଶକ୍ତିରେ ବୃଦ୍ଧି ଘଟାଇବ, ଦେଶ ପାଇଁ ତାହା ସେତେ ମଙ୍ଗଳପ୍ରଦ ହେବ। କାରଣ ରାଜନୈତିକ ସଶକ୍ତୀକରଣ ମହିଳାମାନଙ୍କର ସାମଗ୍ରିକ ସଶକ୍ତୀକରଣକୁ ଏକ ଦୃଢ଼ ଭିତ୍ତି ଯୋଗାଇଥାଏ। ବର୍ତ୍ତମାନ ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ମାତ୍ର ୮୨ ହୋଇଥିବା ବେଳେ ଆରକ୍ଷଣ କାର୍ଯ୍ୟକାରୀ ହେବା ପରେ ତାହା ହେବ ୧୮୧। ଏଇଥିରୁ ସହଜରେ ହୃଦୟଙ୍ଗମ କରିହେବ ବିଲ୍ଟି କିପରି ମହିଳାମାନଙ୍କର ରାଜନୈତିକ ଗୁରୁତ୍ବରେ ବୃଦ୍ଧି ଘଟାଇବାକୁ ଯାଉଛି। ଅନିବାର୍ଯ୍ୟ ଭାବରେ ଏଥିଯୋଗୁଁ କ୍ରମେ ଅର୍ଥନୀତି ଓ ସମାଜର ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କର ସକ୍ରିୟ ଅଂଶଗ୍ରହଣରେ ବୃଦ୍ଧି ଘଟିବ। ମହିଳାମାନଙ୍କର ଅବଦାନ କିପରି ମୂଲ୍ୟବାନ୍ ହୋଇପାରେ ତାହାର ଏକ ଶକ୍ତିଶାଳୀ ଦୃଶ୍ୟ ନିକଟରେ ଦେଖିବାକୁ ମିଳିଥିଲା ‘ଇସ୍ରୋ’ ଠାରେ ଯେତେବେଳେ ‘ଚନ୍ଦ୍ରଯାନ-୩’ର ସଫଳ ଚନ୍ଦ୍ରାବତରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ୧୨୦ରୁ ଅଧିକ ମହିଳା ବୈଜ୍ଞାନିକମାନଙ୍କ ସହିତ ଭାବ ବିନିମୟ କରି ସେମାନଙ୍କୁ ଅଭିନନ୍ଦିତ କରିଥିଲେ। ଜନସଂଖ୍ୟାର ଅର୍ଦ୍ଧେକ ହୋଇଥିବା ମହିଳାମାନଙ୍କର ଅନ୍ତର୍ନିହିତ ଦକ୍ଷତା ଓ କ୍ଷମତା ଏଇଭଳି ବିଭିନ୍ନ କାର୍ଯ୍ୟରେ ବିନିଯୋଗ ହେଲେ ଭାରତ ଏକ ସମୃଦ୍ଧ ରାଷ୍ଟ୍ରରେ ପରିଣତ ହେବା ଅଧିକ ବିଳମ୍ବ ହେବ ନାହିଁ।