ପୁଣି ‘ଦୁଃସମ୍ବାଦ’

୧୯୯୮ରେ ମାଲେସିଆର ‘ନିପା’ ନାମକ ଗ୍ରାମରେ ଏହି ଭୂତାଣୁ ପ୍ରଥମେ ଆବିଷ୍କୃତ ହୋଇଥିବାରୁ ଏହାର ଏପରି ନାମକରଣ ହୋଇଛି। ଘୁଷୁରି ପାଳକମାନେ ପ୍ରଥମେ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହେବା ଆବିଷ୍କୃତ ହୋଇଥିଲା। ଭୂତାଣୁ ବହନ କରୁଥିବା ଘୁଷୁରିର ମଳମୂତ୍ର ସଂସ୍ପର୍ଶରେ ଆସିଥିବା ମନୁଷ୍ୟ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଦେଖାଯାଇଥିଲା। ପରେ ଜଣାପଡ଼ିଲା ଯେ ଫଳ ଖାଉଥିବା ବାଦୁଡ଼ିମାନେ ମଧ୍ୟ ‘ନିପା’ ଭୂତାଣୁର ପ୍ରାକୃତିକ ବାହକ ରୂପେ କାର୍ଯ୍ୟ କରିଥାନ୍ତି।

ପ୍ରସିଦ୍ଧ ବ୍ରିଟିସ୍‌ ଜୈବବିଜ୍ଞାନୀ ସାର୍ ପିଟର୍ ମେଡାୱାର୍ ୧୯୬୦ରେ ନୋବେଲ୍‌ ପୁରସ୍କାର ଗ୍ରହଣ କରିବା ସମୟରେ ପ୍ରଦାନ କରିଥିବା ନିଜର ଭାଷଣରେ ଭାଇରସ୍ ବା ଭୂତାଣୁ ସଂପର୍କରେ ଦେଇଥିବା ମନ୍ତବ୍ୟ ଚିରକାଳ ପାଇଁ କି˚ବଦନ୍ତିରେ ପରିଣତ ହୋଇଯାଇଛି: ‘‘କୌଣସି ଭୂତାଣୁ କେବେ ହେଲେ କିଛି ଭଲ କାର୍ଯ୍ୟ କରିବା ଜଣା ନାହିଁ। ଯଥାର୍ଥରେ କୁହାଯାଇଛି ‌େଯ ଭୂତାଣୁ ହେଉଛି ପ୍ରୋଟିନ୍ ଦ୍ବାରା ଆବୃତ ହୋଇଥିବା ଏକ ଦୁଃସମ୍ବାଦ।’’ ଦେଶ ‘କୋଭିଡ୍-୧୯’ ନାମ ବହନ କରୁଥିବା ଏଇଭଳି ଏକ ଦୁଃସମ୍ବାଦ କବଳରୁ ଏଇମାତ୍ର ମୁକୁଳିବାକୁ ଆରମ୍ଭ କରିଛି କି ନାହିଁ, କେରଳ ରାଜ୍ୟରେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ ‘ନିପା’ ନାମ ବହନ କରୁଥିବା ଆଉ ଏକ ଦୁଃସମ୍ବାଦର ଆବିର୍ଭାବ ଘଟିବା ପ୍ରକାଶ ପାଇଲାଣି ଯେଉଁଥିରେ ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଅନ୍ତର୍ଭୁକ୍ତ।
୨୦୧୮ରେ ସେଇ ଦାକ୍ଷିଣାତ୍ୟ ରାଜ୍ୟରେ ଏହି ଭୂତାଣୁର ଯେଉଁ ପ୍ରଥମ ଆବିର୍ଭାବ ଘଟିଥିଲା, ସେଥିରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆମକୁ ସାମାନ୍ୟ ଆଶ୍ବସ୍ତ କଲାଭଳି ୨୦୧୯ ଓ ୨୦୨୧ରେ ଏହି ଭୂତାଣୁ ପୁଣି ପରିଦର୍ଶନରେ ଆସିଥିଲେ ମଧ୍ୟ ସେଥିଯୋଗୁଁ କାହାରି ପ୍ରାଣହାନି ଘଟିନଥିଲା। ଏଥର କିନ୍ତୁ ମେଡାୱାର୍‌ଙ୍କୁ ସତ୍ୟ ସାବ୍ୟସ୍ତ କରି ‘ନିପା’ ଭୂତାଣୁ ପୁଣି ଘାତକ ସାବ୍ୟସ୍ତ ହୋଇସାରିଲାଣି। ସେ ରାଜ୍ୟର କୋଝିକୋଡ୍ ଜିଲ୍ଲାରେ ଏ ଦୁଇଟି ମୃତ୍ୟୁ ଘଟିଥିବା ବେଳେ ଏକ ରିପୋର୍ଟ ଅନୁସାରେ ପ୍ରାୟ ସାତଶହ ଲୋକଙ୍କ ଠାରେ ସଂକ୍ରମଣ ଚିହ୍ନଟ କରାଯାଇ ସାରିଲାଣି। ସେମାନଙ୍କ ମଧ୍ୟରୁ କେତେକ ଚିକିତ୍ସାଧୀନ ଥିବା ବେଳେ ଅନ୍ୟମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି।

ବର୍ତ୍ତମାନ ଏହା ସୁବିଦିତ ଯେ ‘ନିପା’ ହେଉଛି ଏକ ବିରଳ କିନ୍ତୁ ସାଂଘାତିକ ପ୍ରାଣୀରୁ ମନୁଷ୍ୟ ଶରୀରକୁ ଡେଉଁଥିବା (ଜୁନୋଟିକ୍) ଭୂତାଣୁ ଯାହାର ବାହକ ହେଉଛି ବାଦୁଡ଼ି। ଏହାର ସଂକ୍ରମଣ ରୋଗୀ ଠାରେ ଜ୍ବର, ବାନ୍ତି ଓ ଶ୍ବାସପ୍ରଶ୍ବାସ ସମସ୍ୟା ସୃଷ୍ଟି କରିଥାଏ ଏବଂ ଗୁରୁତର ରୋଗୀଙ୍କ ଠାରେ ମସ୍ତିଷ୍କ ପ୍ରଦାହ ଭଳି ମରଣାନ୍ତକ ଲକ୍ଷଣ ମଧ୍ୟ ପ୍ରକାଶ ପାଇଥାଏ। ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ଅନୁସାରେ ‘ନିପା’ ଆକ୍ରାନ୍ତଙ୍କ ମଧ୍ୟରୁ ୪୦-୭୫ ଶତାଂଶ ରୋଗୀଙ୍କର ମୃତ୍ୟୁ ଘଟିଥାଏ। ବିପଜ୍ଜନକ କଥା ହେଲା ଏହାର ନିରାକରଣ ନିମିତ୍ତ ଏପର୍ଯ୍ୟନ୍ତ କୌଣସି ଟିକା ଉଦ୍ଭାବିତ ହୋଇନାହିଁ; ତେଣୁ ଆକ୍ରାନ୍ତଙ୍କର ଚିକିତ୍ସା କେବଳ ଯତ୍ନ ଓ ଯନ୍ତ୍ରଣା ଉପଶମ ଉଦ୍ୟମରେ ସୀମିତ।
୧୯୯୮ରେ ମାଲେସିଆର ‘ନିପା’ ନାମକ ଗ୍ରାମରେ ଏହି ଭୂତାଣୁ ପ୍ରଥମେ ଆବିଷ୍କୃତ ହୋଇଥିବାରୁ ଏହାର ଏପରି ନାମକରଣ ହୋଇଛି। ଘୁଷୁରି ପାଳକମାନେ ପ୍ରଥମେ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହେବା ଆବିଷ୍କୃତ ହୋଇଥିଲା। ଭୂତାଣୁ ବହନ କରୁଥିବା ଘୁଷୁରିର ମଳମୂତ୍ର ସଂସ୍ପର୍ଶରେ ଆସିଥିବା ମନୁଷ୍ୟ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଦେଖାଯାଇଥିଲା। ପରେ ଜଣାପଡ଼ିଲା ଯେ ଫଳ ଖାଉଥିବା ବାଦୁଡ଼ିମାନେ ମଧ୍ୟ ‘ନିପା’ ଭୂତାଣୁର ପ୍ରାକୃତିକ ବାହକ ରୂପେ କାର୍ଯ୍ୟ କରିଥାନ୍ତି। ଏହି ବାଦୁଡ଼ିମାନେ ଗଛ ଡାଳରେ ବସି ‌େଯତେବେଳେ ମୂତ୍ର ତ୍ୟାଗ କରନ୍ତି ଓ ଗଛରେ ଥିବା ଫଳ ଉପରେ ତାହା ପଡ଼େ, ସେ ଫଳ ଭୂତାଣୁର ବାହକରେ ପରିଣତ ହୁଏ ଏବଂ ଯେଉଁ ମନୁଷ୍ୟ ସେ ଫଳ ଖାଏ, ଭୂତାଣୁ ଦ୍ବାରା ସଂକ୍ରମିତ ହୁଏ। ୧୯୯୮ରେ ମାଲେସିଆରେ ଯେଉଁ ପ୍ରଥମ ସଂକ୍ରମଣ ଆବିଷ୍କୃତ ହୋଇଥିଲା ସେଥିରେ ପ୍ରାୟ ତିନି ଶହ ଲୋକ ଆକ୍ରାନ୍ତ ହୋଇଥିଲେ, ଯେଉଁମାନଙ୍କ ମଧ୍ୟରୁ ଏକ-ତୃତୀୟାଂଶରୁ ଅଧିକ ମୃତ୍ୟୁ ମୁଖରେ ପଡ଼ିଥିଲେ। ଭୂତାଣୁର ପ୍ରସାରକୁ ଅଟକାଇବା ଉଦ୍ଦେଶ୍ୟରେ ସେତେବେଳେ ସେଠାରେ ପ୍ରାୟ ଦଶ ଲକ୍ଷ ସଂଖ୍ୟକ ଘୁଷୁରିଙ୍କୁ ହତ୍ୟା କରାଯାଇଥିଲା।
କେରଳରେ ଏଥିପୂର୍ବରୁ ଯେଉଁ ‘ନିପା’ ସଂକ୍ରମଣ ଦେଖା ଦେଇଥିଲା, ତାହାକୁ ସେ ରାଜ୍ୟ ମାତ୍ର କେତେ ସପ୍ତାହ ମଧ୍ୟରେ ସଫଳ ଭାବରେ ମୂଳପୋଛ କରି ଦେଇପାରିଥିଲା। ଲୋକମାନଙ୍କର ବ୍ୟାପକ ପରୀକ୍ଷଣ, ମାସ୍କ ପରିଧାନ ଓ ରୋଗୀମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ, ସେମାନଙ୍କର କଠୋର ବିଚ୍ଛିନ୍ନୀକରଣ ଦ୍ବାରା ଏହା ସମ୍ଭବ ହୋଇପାରିଥିଲା। ଏଥର ମଧ୍ୟ ସେଇ ଜିଲ୍ଲାର ଅନେକ ଅଞ୍ଚଳରେ ପୂର୍ବର ସେଇ ଆଚରଣବିଧି ପାଳନ କରିବା ଆରମ୍ଭ ହୋଇଗଲା‌ଣି। ଯେତେବେଳେ ପ୍ରଥମ ରୋଗୀର ମୃତ୍ୟୁ ଘଟିଲା, ତାହାକୁ ‘ନିପା’ ଜନିତ ବୋଲି କେହି ସନ୍ଦେହ କରି ନ ଥିଲେ; କିନ୍ତୁ ଯେତେବେଳେ ଦ୍ବିତୀୟ ରୋଗୀର ମୃତ୍ୟୁ ଘଟିଲା, ଉଭୟଙ୍କ ଲକ୍ଷଣରେ ଥିବା ସାମ୍ୟ ଯୋଗୁଁ ସନ୍ଦେହ ସୃଷ୍ଟି ହୋଇ ଅନୁସନ୍ଧାନ ଆରମ୍ଭ ହେବା ପରେ ‘ନିପା’ର ପୁନରାଗମନ ଆବିଷ୍କୃତ ହେଲା। ଯଦିବା ପୂର୍ବର ସଂକ୍ରମଣ ବାଦୁଡ଼ିମାନଙ୍କ ଯୋଗୁଁ ଘଟିଥିଲା ବୋଲି ସାବ୍ୟସ୍ତ ହୋଇଥିଲା, ଏଥରର ସଂକ୍ରମଣରେ ବାଦୁଡ଼ିର ଭୂମିକା ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବରେ ପ୍ରମାଣିତ ହୋଇନାହିଁ।
‘ନିପା’ ଏକ ‘ଜୁନୋଟିକ୍‌’ ସଂକ୍ରମଣ ହୋଇଥିବାରୁ ଅତୀତରେ ଏଭଳି ସଂକ୍ରମଣ ଘଟିବା ପରେ ପଶୁପକ୍ଷୀମାନଙ୍କର ଓ ବିଶେଷ କରି ବାଦୁଡ଼ିମାନଙ୍କର ସାମୟିକ ସର୍ବେକ୍ଷଣ କରାଯିବା ପାଇଁ ଯେଉଁ ପ୍ରସ୍ତାବମାନ ପ୍ରଦାନ କରାଯାଇଥିଲା, ତାହା ଆଦୌ ପାଳନ କରାଯାଇନାହିଁ। ଯଦି ଏଭଳି ନିୟମିତ ସର୍ବେକ୍ଷଣରୁ ପଶୁପକ୍ଷୀଙ୍କ ଠାରେ ଭୂତାଣୁର ଉପସ୍ଥିତି ପରିଲକ୍ଷିତ ହୁଏ, ତେବେ ସଂକ୍ରମଣକୁ ପ୍ରତିହତ କରିବା ନିମିତ୍ତ ସମୟୋଚିତ ପଦକ୍ଷେପମାନ ନିଆଯାଇ ତାକୁ ଅଟକାଇ ଦେଇ ହୁଅନ୍ତା, ଯାହା ଫଳରେ ଜନସାଧାରଣ ସମ୍ଭାବ୍ୟ ସଂକ୍ରମଣରୁ ସୁରକ୍ଷିତ ରହିପାରନ୍ତେ। ‘ନିପା’ର ବାରମ୍ବାର ଆବିର୍ଭାବରୁ ଆମକୁ ଯେଉଁ ଏକ ନିଶ୍ଚିତ ଶିକ୍ଷା ମିଳୁଛି, ତାହା ହେଲା ନିକଟ ଭବିଷ୍ୟତରେ ମନୁଷ୍ୟ ନୂତନ ନୂତନ ‘ଜୁନୋଟିକ୍‌’ ଭୂତାଣୁମାନଙ୍କ ଦ୍ବାରା ସଂକ୍ରମିତ ହେବାର ସମ୍ଭାବନା ବୃଦ୍ଧି ପାଇବାରେ ଲାଗିଛି। ଏହାର କାରଣ ହେଉଛି ଜଙ୍ଗଲ କ୍ଷୟ, ଜନସଂଖ୍ୟା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଆଦି ଯୋଗୁଁ ଜଙ୍ଗଲୀ ଜୀବଜନ୍ତୁ ଓ ମନୁଷ୍ୟ ମଧ୍ୟରେ ପାରସ୍ପରିକ ସମ୍ପର୍କ ସୃଷ୍ଟି ହେବାର ସମ୍ଭାବନାରେ ବୃଦ୍ଧି। ସେମାନଙ୍କର ବାସସ୍ଥଳୀରେ ଘଟୁଥିବା ସଂକୋଚନ ଯୋଗୁଁ ଜଙ୍ଗଲୀ ପଶୁପକ୍ଷୀମାନେ ଆହାର ଓ ଆଶ୍ରୟ ସନ୍ଧାନରେ ଜନବସତିରେ ପ୍ରବେଶ କରିବାକୁ ବାଧ୍ୟ ହେଉଛନ୍ତି।
ନିକଟରେ ‘ଆଇସିଏମ୍‌ଆର୍‌’ ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ କେରଳ, କର୍ଣ୍ଣାଟକ ଓ ତାମିଲନାଡୁ ସମେତ ନ’ଟି ରାଜ୍ୟରେ ‘ଜୁନୋଟିକ୍‌’ ସଂକ୍ରମଣ ଘଟିବାର ସମ୍ଭାବନା ହେଉଛି ଅଧିକ। ‘ଦି ଷ୍ଟେଟ୍‌ ଅଫ୍‌ ଦି ‌ୱାର୍ଲଡ୍‌ସ ଫରେଷ୍ଟସ, ୨୦୨୨’ ରିପୋର୍ଟ ଅନୁସାରେ ଚୀନ୍‌ ଓ ଭାରତରେ ନିକଟ ଭବିଷ୍ୟତରେ ‘ଜୁନୋଟିକ୍‌’ ସଂକ୍ରମଣମାନ ଅଧିକରୁ ଅଧିକ ସଂଖ୍ୟାରେ ପରିଦୃଷ୍ଟ ହେବାକୁ ଯାଉଛି। ଏହାକୁ ଧ୍ୟାନରେ ରଖି ଆମକୁ ଯେଉଁଭଳି କାଳବିଳମ୍ବ ନ କରି ସଂକ୍ରମଣ ପ୍ରତିହତ କରିବା ପାଇଁ ପଦକ୍ଷେପମାନ ଗ୍ରହଣ କରିବାକୁ ସର୍ବଦା ପ୍ରସ୍ତୁତ ରହିବାକୁ ପଡ଼ିବ, ସେହିପରି ପରିବେଶ ଓ ଜଙ୍ଗଲର ସୁରକ୍ଷା ପାଇଁ ଯତ୍ନ କରିବାକୁ ହେବ। ନ‌େଚତ୍‌ ମେଡାୱାରଙ୍କ ‘ଦୁଃସମ୍ବାଦ’ କେବେ ହେଲେ ଆମର ପିଛା ଛାଡ଼ିବ ନାହିଁ।

ସମ୍ବନ୍ଧିତ ଖବର