ଆମ ସଂବିଧାନ-ଆମ ଧର୍ମଗ୍ରନ୍ଥ: ଟିକେ ପଛକୁ ଚାହିଁବା

ଦାଶ ବେନହୁର

ନଈ ପାର ‌ହୋଇଥିବା ଲୋକେ ସ୍ବାଭାବିକ ଭାବରେ ନଉକା ଚାଳନା ଦାୟିତ୍ବରେ ଥିବା ମଙ୍ଗୁଆଳକୁ ପାରକର୍ତ୍ତା ଭାବେ ସ୍ବୀକାର କରନ୍ତି। ପାର କିଏ କରେଇଲା ନା ମଙ୍ଗୁଆଳ। ଅଥଚ କାତମରା ନାବିକ, ପାର ହେବା ଲାଗି ପିଠି ଦେଖାଇଥିବା ନଉକା, ନଈପାଣି ସୁଅର ସମସାମୟିକ ସ୍ଥିତି ଓ ବିଶେଷ କରି ପାରିବେଶିକ ବାୟୁ ଚଳାଚଳର ଗତି ଯେ ସେଥିପାଇଁ ସର୍ବାଗ୍ରେ ଗୁରୁତ୍ବପୂର୍ଣ୍ଣ ସେ କଥା ସହଜରେ ଭୁଲିଯାଆନ୍ତି।
ବ୍ରିଟିସ୍‌ ସରକାର ୧୯୪୭ରେ ଗଲେ ଓ ଭଙ୍ଗା ଇଣ୍ଡିଆ ସ୍ବାଧୀନ ଘୋଷିତ ହେଲା। ଭାରତର ସ୍ବାଧୀନତା, ଭାରତର ସ୍ବାଧୀନତା ସଂଗ୍ରାମୀଙ୍କର ତ୍ୟାଗ ଓ ବଳିଦାନ ଯୋଗୁଁ ସମ୍ଭବ ହେଲା ଓ ଏହାର ଅଧିକାଂଶ ଶ୍ରେୟ ଆମେ ମହାତ୍ମା ଗାନ୍ଧୀଙ୍କୁ ଦେଉ, କାରଣ ସତକୁ ସତ ସେ ନଉକାର ମଙ୍ଗୁଆଳ ଭଳି ଭୂମିକା ନିର୍ବାହ କରିଥିଲେ। ହେଲେ କଥା କ’ଣ ସେତିକି?
ଯେଉଁ ସ୍ବାଧୀନତାର କଥା ସାଧାରଣ ଲୋକେ ବିଚାର କରନ୍ତି ତାହା ଅସଲରେ କୌଣସି ବ୍ୟକ୍ତି ସହ ଯୋଡ଼ା ନୁହେଁ, ଶାସନ ସହ ଯୋଡ଼ା। ଭାରତୀୟମାନେ ସେବେ ଯେଉଁଠି ଥିଲେ, ଓଲଟି ସ୍ବାଧୀନତା ଯୋଗୁଁ ଅନେକ କଥା ହରେଇଲେ। ମାଟି ତିନିଖଣ୍ଡ ହେଲା, ସାମ୍ପ୍ରଦାୟିକ ତିକ୍ତତା ବଢ଼ିଲା, ପାଖାପାଖି ଦୁଇ କୋଟି ଲୋକ ମଲେ, ଏକା ଦେଶ ବିଭାଜନ ବେଳେ ଦଶ ଲକ୍ଷ ଲୋକ ବଳି ପଡ଼ିଲେ। କେହି କେହି କହନ୍ତି କୋଡ଼ିଏ ଲକ୍ଷ।
ଏତିକି କଥା, ସ୍ବାଧୀନତା ମିଳିଲା ଅର୍ଥ ଶାସନ ବଦଳିଲା। ଗୋରାମାନେ ଗଲେ, ଶାସନ ଭାର ଦେଶର ଲୋକପ୍ରତିନିଧିଙ୍କ ହାତକୁ ଆସିଲା। ଲୋକ ପ୍ରତିନିଧିମାନେ ଶାସନ ସକାଶେ ଯେଉଁ ନୀତି ନିୟମ ଆଧାରରେ ଶାସନ କରିବେ ତାହା ତିଆରି ହୋଇ କାମରେ ଲାଗିବା ବେଳକୁ ଲାଗପାଟ ଅଢ଼େଇ ବର୍ଷ ବିତିଗଲା। ସଂବିଧାନ ପ୍ରଣୟିତ ହୋଇ କାର୍ଯ୍ୟକାରୀ ହେଲା ୧୯୫୦, ଜାନୁଆରି ୨୬‌େର।
ଏଇଠି ଟିକେ ରହିଯାଇ ଆମେ ପଛକୁ ଚାହିଁବା ଦରକାର। କ’ଣ ଥିଲା ଏ ଭାରତ ମାଟି?
ଜାତି ଜାତି ମଣିଷ, ଖଣ୍ଡ ଖଣ୍ଡ ଜନପଦ, କେତେ ପ୍ରକାରର ରାଜା, ଶାସକ, ମହାରାଜା, ନବାବ ଓ ଭୂମ୍ୟାଧିକାରୀ। ଜମ୍ବୁଦ୍ବୀପ ବା ଭାରତବର୍ଷ ନାମ ହିସାବରେ ଗୋଟେ ଭୂଖଣ୍ଡ ସିନା ଥିଲା ମାତ୍ର କେବେ ବି ନିଖିଳ ଅଖଣ୍ଡ ନ ଥିଲା। କେତେ କିଏ ଥିଲେ। କେତେ ଜାତିର ଶାସକ! ମୋଗଲମାନେ ସାମ୍ରାଜ୍ୟ ବିସ୍ତାର କରିଥିଲେ। ସେମାନେ ଯିବାର ସୁଯୋଗ ନେଇ ଖଣ୍ଡ ଖଣ୍ଡ ଏ ମାଟିକୁ ବ୍ରିଟିସ୍‌ମାନେ ମାଡ଼ି ବସିଲେ। ନିଜ ସୁବିଧା ଲାଗି ଧୀରେ ଧୀରେ କେନ୍ଦ୍ରୀଭୂତ କରିବାକୁ ଲାଗିଲେ ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ। ମାରିଲେ, ପିଟିଲେ, ଶୋଷଣ କଲେ। ପହିଲେ ସଲାସୁତରରେ ଓ ପରେ ଜବରଦସ୍ତ ଲେଖେଇ ନେଲେ ଯେ ସେମାନେ ଶାସକ।
ଆଜିର ପିଲାମାନେ ହୁଏତ ପଚାରିବେ ଆମ ଭାରତ ଏତେ ବଡ଼, ଏତେ ଲୋକ, ଏତେ ସମ୍ପତ୍ତି, ସେତେବେଳେ କେହି କ’ଣ କିଛି ପ୍ରତିବାଦ କଲେ ନାହିଁ? ଏତେ ଭାରତୀୟଙ୍କୁ ମୁଷ୍ଟିମେୟ ବ୍ରିଟିସ୍‌ କବଳିତ କ‌େଲ କେମିତି?
ଦୁଇଟି ଗୁରୁତ୍ବପୂର୍ଣ୍ଣ କଥା। ନାମବାଚକ ଭାରତ ଥିଲା ମାତ୍ର କେହି ଭାରତୀୟ ନ ଥିଲେ। କିଏ କାଶ୍ମୀରୀ, କିଏ ବିହାରୀ, କିଏ ଗୁଜୁରାଟୀ କିଏ ଓଡ଼ିଆ! କିଏ ଗଡ଼ଜାତିଆ ତ କିଏ ଖାସମାହାଲିଆ। ରାଜ୍ୟ କେ ପ୍ରଜା। ଭାରତୀୟ ଥିଲେ କୋଉଠି? ଭାରତୀୟ ତ ନ ଥିଲେ ମୋ ଦେଶ, ମୋ ଭାରତ, ଯେଉଁମାନେ ବାହାରୁ ଆସିଛନ୍ତି ସେମାନେ ବିଦେଶୀ, ଏସବୁ କଥା ଆସିବ କେଉଁଠାରୁ? ଦ୍ବିତୀୟ କଥାଟି ପ୍ରଜା ଓ ଶାସକଙ୍କୁ ନେଇ। ବ୍ରିଟିସ୍‌ ଆସିବା ଯାଏ ଓ ଆସିବାର ଅନେକ ବର୍ଷ ଯାଏ ଲୋକେ ଶାସନକୁ ନେଇ ପ୍ରଶ୍ନ କରିବାର ପରମ୍ପରା ହିଁ ନ ଥିଲା। କିଏ ଶାସକ ହେଲା ନ ହେଲା ତାହା ସେମାନଙ୍କର ସାଧାରଣ ଜୀବନକୁ ମୋଟେ ଆନ୍ଦୋଳିତ କରୁନଥିଲା। ଶାସନ ଯିଏ କରୁଛି କରୁ, ଆମ ଚଳଣି ଆମର। ବଞ୍ଚିଗଲେ ଯାଏ। ଚଳଣିରେ ଆଘାତ ପଡ଼ିଲେ ଆଖିରୁ ଲୁହ ଝରୁଥିଲା ସିନା, ସଂଘବଦ୍ଧ ପ୍ରତିରୋଧ ନ ଥିଲା।
ଭାରତ ଥିଲା ଗୋଟାଏ ଆବେଗିକ ତଥା ସାଂସ୍କୃତିକ ନାଆଁ। ଭାରତୀୟ ବିଚାରଟି ବାହାରୁ ଆସିଥିବା ଲୋକଙ୍କୁ ଧରିଥିଲା ବେଶି। ଯେମିତି ‘‘ହିନ୍ଦୁ’’। ଯିଏ ବାହାରୁ ଆଉ ଗୋଟିଏ ବିଶ୍ବାସ ଧରି ଏ ମାଟିକୁ ଆସିଲା ସେ ସ୍ଥାନୀୟ ବିଶ୍ବାସୀଙ୍କୁ କହିଲା ‘‘ହିନ୍ଦୁ’’। ସିନ୍ଧୁନଦୀ ଅବବାହିକାର ଲୋକ। ବିଶ୍ବାସକୁ ଆସୁନାହିଁ ଯେ ୧୮୭୬ରେ ସୁରେନ୍ଦ୍ର ନାଥ ବାନାର୍ଜୀ ଓ ଆନନ୍ଦ ମୋହନ ବୋଷ୍‌ ‘‘ଦ ଇଣ୍ଡିଆନ୍‌ ଆସୋସିଏସନ୍‌’’ ନ ଗଢ଼ିବା ଯାଏ ସାମାଜିକ ବା ରାଜନୈତିକ ଭାବେ କିଛି କଥା ଇଣ୍ଡିଅାନ୍‌ ବା ଭାରତୀୟ ହିଁ ନ ଥିଲା। ଏହାର ନଅ ବର୍ଷ ପରେ ୧୮୮୫ରେ ଗଢ଼ା ହୋଇଛି ‘‘ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ କଂଗ୍ରେସ।’’
କଥା ଉଠି‌ ପାରେ- ଇଣ୍ଡିଆ ତ ନ ଥିଲା ଏ ‌େଗାରା ସରକାର ଇଣ୍ଡିଆ ନାଆଁ କହି ଶାସନ କରୁଥିଲେ କେମିତି?
ମୋଗଲ ସମ୍ରାଟ ଆଉରଙ୍ଗ୍‌ଜେବ ସଂସାର ଛାଡ଼ିବା ବେଳକୁ ୧୭୦୭। ତ‌ା’ର ଅନେକ ପୂର୍ବରୁ ଅର୍ଥାତ୍‌ ଶହେ ବର୍ଷ ଆଗରୁ ବ୍ରିଟିସ୍‌ ଇଷ୍ଟ୍‌ ଇଣ୍ଡିଆ କମ୍ପାନି ଏ ମାଟିକୁ ଆସି ତା’ଙ୍କର ବେପାର ବଣିଜ ଆରମ୍ଭ କରି ଦେଇଥିଲେ। ଆସିଥିଲେ ଫରାସୀ, ପର୍ତ୍ତୁଗିଜ୍‌, ଓଲନ୍ଦାଜ୍‌ ଓ ଅନ୍ୟାନ୍ୟ। ତା’ଙ୍କ ଭିତରେ ମରାମରି ଚାଲିଥିଲା। ଆଉରଙ୍ଗ୍‌‌େଜବଙ୍କ ପରେ ମୋଗଲ୍‌ ସାମ୍ରାଜ୍ୟ ଭୁଶୁଡ଼ିବାକୁ ଲାଗିଲା। ତେଣୁ ଇଣ୍ଡିଆ ବୋଲି ବା ଇଣ୍ଡିଆନ୍‌ ବୋଲି କୌଣସି ସମ୍ମିଳିତ ପ୍ରତିବନ୍ଧକ ନ ଥିବା ଖୋଲା ପଡ଼ିଆରେ ବିଦେଶୀମାନେ ହିଁ ଛୋଟ ଛୋଟ ରାଜ୍ୟ, ଜମିଦାରୀ ସହ ଖେଳ ଖେଳିବାକୁ ସୁଯୋଗ ପାଇଲେ। ଶହ ଶହ ଖଣ୍ଡରେ ଖଣ୍ଡିତ ହୋଇ ପଡ଼ିଥିଲା ଏ ସୁନାମାଟି। କିଏ କାହିଁକି ନ ଗୋଟେଇବ? ଜାତୀୟତା ବୋଲି କିଛି ନ ଥିଲା।
ଶେଷକୁ ୧୭୬୪ର ବକ୍‌ସାର ଯୁଦ୍ଧ ଇଂରେଜଙ୍କୁ ସୁଯୋଗ ଦେଲା ସବୁ ବିଦେଶୀଙ୍କ ଭିତରେ ଆଗୁସାର ହେବା ପାଇଁ। ୧୭୬୫ରେ ସେମାନେ ଏ ମାଟିର ଗୋଟାଏ ବଡ଼ ଖଣ୍ଡରେ ଦେୱାନୀ ଅଧିକାର ବା ଖଜଣା ଆଦାୟର କ୍ଷମତା ଓ ସୈନ୍ୟ ରଖିବାର ସୁଯୋଗ ହାସଲ କରିନେଲେ। ଏହା କେବଳ କିଛି ମୋଗଲ ଶାସିତ ଅଞ୍ଚଳ, ବଙ୍ଗ ଓ ଅୱଧରେ ସୀମିତ ଥିଲା। ତେଣିକି ଆସିଲା ରେଗୁଲେଟିଂ ଆକ୍‌ଟ ଅଫ୍‌ ୧୭୭୩। ଯାହା ମାଧ୍ୟମରେ ବିଲାତର ପାର୍ଲାମେଣ୍ଟ୍‌, ଇଷ୍ଟ୍‌ ଇଣ୍ଡିଆ କମ୍ପାନିକୁ ନିଜ ଅଧୀନରେ ରଖି ଜଣେ ଗଭର୍ଣ୍ଣର ଜେନେରାଲ୍‌ (ସାର୍‌ ୱାରେନ୍‌ ହେଷ୍ଟିଂସ୍‌)ଙ୍କୁ ୧୭୭୪ରୁ ନିଯୁକ୍ତ କଲେ।
ସ୍ମରଣ ରଖିବା ଦରକାର ଯେ ୧୮୩୩ ପର୍ଯ୍ୟନ୍ତ ଏ ସାରା ମାଟି ଯାହାକୁ ସେଇମାନେ ହିଁ ପରେ ‘ଇଣ୍ଡସ୍‌ ଭ୍ୟାଲି ସିଭିଲାଇଜେସନ୍‌’ ବା ‘‘ଇଣ୍ଡିଆ’’ ବୋଲି କହିଲେ ତାହା ତାଙ୍କ ଅକ୍ତିଆରକୁ ଆସି ନ ଥିଲା। ବସ୍ତୁତଃ ସାର୍‌ ୱିଲିୟମ୍‌ ବେଣ୍ଟିକ୍‌ ହିଁ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ୍‌। ଅନ୍ୟପକ୍ଷରେ ଆଜି ଆମେ ଯେଉଁ ଭାରତ କହି ନିଜକୁ ଭାରତୀୟ କହୁ‌େଛ ତାହା ୧୯୪୯ ଜାନୁଆରି ‌େଶଷଯାଏ ସମ୍ପୂର୍ଣ୍ଣ ଗଡ଼ଜାତ ଅମିଶ୍ରଣ ଯୋଗୁଁ ସମ୍ଭବ ହୋଇନଥିଲା। ସ୍ବାଧୀନ ସମ୍ମିଳିତ ଭାରତର ସୃଷ୍ଟି ଠିକ୍‌ ଅର୍ଥରେ ସେଇଠା‌ରୁ ଆରମ୍ଭ। ୧୯୪୯ ପରଠାରୁ।
ବ୍ରିଟିସ୍‌ ଶାସନ ସହ ଆମର ସମ୍ପର୍କ କିନ୍ତୁ ‘‘ରେଗୁଲେଟିଂ ଆକ୍‌ଟ, ୧୭୭୩’’ରୁ। ତା’ପରେ ପିଟ୍‌ସ ଆକ୍‌ଟ ୧୭୮୪, ଚାର୍ଟର ଆକ୍‌ଟ ୧୮୯୩, ଚାର୍ଟର ଆକ୍‌ଟ ଅଫ୍‌ ୧୮୧୩‌, ଚାର୍ଟର ଆକ୍‌ଟ ଅଫ୍‌ ୧୮୩୩ ଓ ଶେଷରେ ଆସିଛି ‘‘ଚାର୍ଟର ଆକ୍‌ଟ ଅଫ୍‌ ୧୮୫୩’’। ୧୮୫୭ର ‘‘ସିପାହୀ ବିଦ୍ରୋହ’’କୁ ଆମେ ଏବେ କହୁ‌ଛୁ ପ୍ରଥମ ଭାରତୀୟ ସ୍ବାଧୀନତା ସଂଗ୍ରାମ। ଆମେ ଓଡ଼ିଆମାନେ ବି ୧୮୧୭ର ‘‘ପାଇକ ବିଦ୍ରୋହ’’କୁ ବ୍ରିଟିସ୍‌ ବିରୋଧରେ ପ୍ରଥମ ଭାରତୀୟ ସଂଗ୍ରାମ ବୋଲି ଘୋଷିତ କରେଇସାରିଲୁଣି। ହେଲେ ଭାରତ କେଉଁଠି ଥିଲା? ୧୮୫୮ର ଆଇନ୍‌ ବି ଥିଲା ‘‘କୁଇନ୍‌ ଭିକ୍‌ଟୋରିଆଙ୍କ ଡିକ୍ଲାରେସନ୍‌’’ ବା ଘୋଷଣା। ଇଣ୍ଡିଆ ଥିଲା କେଉଁଠି?
ବ୍ରିଟିସ୍‌ଙ୍କ ତୁଣ୍ଡରେ ‘ଇଣ୍ଡିଆନ୍‌’ ବା ‘ଭାରତୀୟ’ ଶବ୍ଦଟି ଆଇନ୍‌ଗତ ଭାବେ ପ୍ରଥମେ ଦରଜ ହୋଇଛି ୧୮୬୧ରେ, ‘‘ଇଣ୍ଡିଆନ୍‌ କାଉନ୍‌ସିଲ ଆକ୍‌ଟ, ୧୮୬୧’’ ମାଧ୍ୟମରେ। ତେଣିକି ‘‘ଇଣ୍ଡିଆନ୍‌ କାଉନ୍‌ସିଲ ଆକ୍‌ଟ, ୧୮୯୨’’, ‘‘ଇଣ୍ଡିଆନ୍‌ କାଉନ୍‌ସିଲ ଆକ୍‌ଟ, ୧୯୦୯’’, ‘‘ଗଭର୍ଣ୍ଣମେଣ୍ଟ ଅଫ୍‌ ଇଣ୍ଡିଆ ଆକ୍‌ଟ, ୧୯୧୯’’, ‘‘ଗଭର୍ଣ୍ଣମେଣ୍ଟ ଅଫ୍‌ ଇଣ୍ଡିଆ ଆକ୍‌ଟ, ୧୯୩୫’’ ଓ ଶେଷରେ ‘‘ଇଣ୍ଡିଆନ୍‌ ଇଣ୍ଡିପେଣ୍ଡେନ୍‌ସ ଆକ୍‌ଟ, ୧୯୪୭’’। ଇଣ୍ଡିଅାକୁ ନେଇ ଗୋଟିଏ ପରେ ଗୋଟିଏ ଆଇନ୍‌ ପ୍ରଣୟନ କରାଯାଇଛି।
ଅତଏବ କଥା ଛିଣ୍ଡେଇବାକୁ ହେଲେ ଏ ଯେଉଁ ‘‘ଇଣ୍ଡିଆ’’ ନାମର ପରିଚୟ ତାହା ଆଇନଗତ ଭାବେ ବ୍ରିଟିସ୍‌ଙ୍କ ଦ୍ବାରା ଆରମ୍ଭ ହୋଇଛି ୧୮୬୧ରୁ। ତେବେ ୧୮୬୦ରୁ ‘‘ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌’’ ଲାଗୁ କରି ବିଲାତି ସରକାର ଇଣ୍ଡିଆ ନାମର ଆଇନଗତ ପ୍ରବେଶ କଥା ଯେ ଦଣ୍ଡବିଧି ଆଇନ ସହ କରିସାରିଥିଲେ ତାହା ଜଳଜଳ ହୋଇ ଜଣାପଡ଼େ।
ଏ ମାଟିର ପରିଚୟ ପୁରୁଣା, ସଂସ୍କୃତି ପ୍ରାଚୀନ, ଧର୍ମଧାରା ପୁରାତନ ମାତ୍ର ଯାହା ଭାରତୀୟ‌ ହୋଇ ଶାସନଗତ ଭାବେ ନୂଆ ତାହା ଆରମ୍ଭ ହୋଇଛି ମାତ୍ର ୭୩ ବର୍ଷ ତଳେ। ୧୯୫୦ରୁ ସାଂବିଧାନିକ ପଥରେ ଆମେ ‘ଭାରତୀୟ ଗଣତନ୍ତ୍ର’ ରୂପେ ନିଜକୁ ପ୍ରତିଷ୍ଠିତ କରିଛୁ। ସେଥିପାଇଁ ସଂବିଧାନଟିଏ ଗଢ଼ିଛୁ। ତହିଁରୁ କେତେ ଆମର ନିଜସ୍ବ, କେତେ ଧାରକରା ତାହାର ତର୍ଜମା ପରେ କରିବା। ଆରମ୍ଭରୁ ପ୍ରଥମ ଧାରାରେ ରହିଲା ‘‘ଇଣ୍ଡିଆ ଦାଟ୍‌ ଇଜ୍‌ ଭାରତ ସାଲ୍‌ ବି ଏ ୟୁନିଅନ୍‌ ଅଫ୍‌ ଷ୍ଟେଟସ୍‌’’ ବା ଓଡ଼ିଆରେ କହ‌ିଲେ ‘‘ଇଣ୍ଡିଆ, ଯାହା କି ଭାରତ ତାହା ଏକ ପ୍ରଦେଶ-ସମୂହର ଏକକ ହେବ।’’ ଏଇଠୁ ହିଁ ଆମେ ସ୍ବୀକାର କରି ନେଲୁ ଯେ ଏଣିକି ‘‘ଇଣ୍ଡିଆ’’ ହିଁ ରହିବ ଭାରତର ନାଆଁ। ‘‘ଭାରତ’’ ନାମଟି ପଛେଇଯିବ। ଆଜି ସାରା ବିଶ୍ବରେ ଇଣ୍ଡିଆ, ଭାରତ ବୋଲି କିଏ କହୁଛି?
ଆରମ୍ଭ ଆଲୋଚନାକୁ ଯିବା।
ଭାରତ ପରାଧୀନତାର ତପ୍ତ ବୈତରଣୀ ପାର ହୋଇଛି କେତେ ନା କେତେ ପାହାଚ ଚଢ଼ି, କେତେ ଘୂର୍ଣ୍ଣିବାତ୍ୟା, ଚକ୍ରବାତ, ମହାବାତ୍ୟାକୁ ସାମନା କରି। ଦୁଇ ଦୁଇଟା ବିଶ୍ବଯୁଦ୍ଧ ବି ବାଟ ତିଆରି କରିଛନ୍ତି ଭାରତର ସ୍ବାଧୀନତା ପାଇଁ।
ପ୍ରଥମ ବିଶ୍ବଯୁଦ୍ଧ ବେଳେ ଭାରତର ସହଯୋଗ ପରର ରାଓଲାଟ୍‌ କଳା ଆଇନ୍‌ ସଙ୍ଗକୁ, ଜାଲିଆନାୱାଲା ବାଗ୍‌ରେ ବ୍ରିଟିସ୍‌ ବର୍ବରତାର ଚରମ ବିଶ୍ବାସଘାତକତା ଆମକୁ ମିଳିଛି। ତାହା ହିଁ ତ ଅସହଯୋଗର ମୂଳ କାରଣ! ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଭାରତକୁ ବିନା ପରାମର୍ଶରେ ଯୁଦ୍ଧ ଭିତରକୁ ଠେଲି ଦେବାର ସ୍ବେଚ୍ଛାଚାରୀ ଅଭିପ୍ରାୟ ହିଁ ବ୍ରିଟିସ୍‌ ହୁକୁମତ୍‌କୁ ସବୁଦିଗରୁ ଘୃଣିତ କରିଛି। ବ୍ରିଟିସ୍‌ ନ୍ୟାୟ ବ୍ୟବସ୍ଥାକୁ ମିଛ ପ୍ରମାଣିତ କରିଛି। ଗାନ୍ଧୀଜୀ କହିଛନ୍ତି- ‘‘ଭାରତ ଛାଡ଼’’।
ଫଳରେ ଭାରତୀୟ ସ୍ବାଧୀନତା ସଂଗ୍ରାମର ରାଜନୈତିକ ଅପ୍ରତିରୋଧ୍ୟତା ସଙ୍ଗକୁ ସ୍ବାୟତ୍ତଶାସନ ଦାବିର କ୍ରମବର୍ଦ୍ଧିଷ୍ଣୁ ଆଇନଗତ ସଫଳତା ଓ ଅନ୍ୟ ପକ୍ଷରେ ଯୁଦ୍ଧ ଫେରନ୍ତା ଭାରତୀୟ ସୈନିକଙ୍କର ବିଦ୍ରୋହୀ ସାମର୍ଥ୍ୟ ସମରକ୍ଳାନ୍ତ ଫିରିଙ୍ଗି ସରକାରକୁ ନାକେଦମ୍ କରିଦେଇଛି। ତେଣେ ଲେବର୍‌ ଦଳର ପ୍ରଭାବ ଯୋଗୁଁ ନିଜ ମାଟିରେ ସୁଦ୍ଧା ଗୁରୁଣ୍ଡୁ ଥିଲେ ବ୍ରିଟିସ୍‌ ସରକାର।
ଭୁଶୁଡ଼ି ପଡ଼ିଥିଲା ବ୍ରିଟିସ୍‌ ଅର୍ଥନୀତି। ଚର୍ଚ୍ଚିଲ୍‌ଙ୍କ ନେତୃତ୍ବରେ ଥାଇ ବ୍ରିଟେନ୍‌ ସହ ମିତ୍ରଗୋଷ୍ଠୀ ଯୁଦ୍ଧରେ ବିଜୟୀ ହୋଇଥିଲେ ସତ ହେଲେ ଉଜୁଡ଼ା ବ୍ରିଟେନ୍‌ରେ ଚର୍ଚ୍ଚିଲ୍‌ଙ୍କ କନ୍‌ଜରଭେଟିଭ୍‌ ରାଜନୈତିକ ଦଳ ପ୍ରତି ଆଉ ସମର୍ଥନ ନ ଥିଲା। କ୍ଲ‌ିମେଣ୍ଟ୍‌ ଅଟ୍‌ଲିଙ୍କ ଶ୍ରମିକ ଦଳ ଆଡ଼କୁ ଢଳି ସାରିଥିଲେ ଲୋକେ।
ପରିବର୍ତ୍ତିତ ପରିସ୍ଥିତିରେ ଅଟ୍‌ଲି ଭାରତର ଭବିଷ୍ୟତ ପାଇଁ ନୂଆ ନକ୍‌ସା ପ୍ରସ୍ତୁତ କରି ସାରିଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ‌ର ଘନଘଟା ବେଳେ ଭାରତକୁ ଭାଇସ୍‌ରାୟ ହୋଇ ଆସିଥିବା ଲର୍ଡ ୱାଭେଲ୍‌ ଗଣ୍ଠିଲି ବାନ୍ଧିବା ଆରମ୍ଭ କରିଦେଇଥିଲେ।
ଅତଏବ କେମିତି ଆମେ କହିବା କେବଳ ମଙ୍ଗୁଆଳଙ୍କ ଯୋଗୁଁ ସ୍ବାଧୀନତା ପାଇଲେ ବୋଲି? ଦ୍ବିତୀୟ ବିଶ୍ବଯୁଦ୍ଧ ନ ହୋଇଥିଲେ, ବ୍ରିଟେନ୍‌ର ଅର୍ଥନୈତିକ ମେରୁଦଣ୍ଡ ନ ଦୋହଲିଥିଲେ, ଚର୍ଚ୍ଚିଲ୍‌ ପ୍ରଧାନମନ୍ତ୍ରିତ୍ବରୁ ବିଦା ହୋଇନଥିଲେ ଓ ସର୍ବୋପରି ଭାରତୀୟ ସ୍ବାଧୀନତା ସଂଗ୍ରାମୀଙ୍କ ସମେତ ଭାରତୀୟ ଜନସାଧାରଣଙ୍କର ଅକଳ୍ପନୀୟ ବଳିଦାନ କେନ୍ଦ୍ରୀଭୂତ ନ ହୋଇଥିଲେ ଆମେ ପରାଧୀନତାର ଏ ଭରାନଈକୁ ପାର ହୋଇଥାନ୍ତେ କେମିତି?
ଆମେ ନଈ ପାର ହୋଇଛେ ସତ ହେଲେ କୃତଜ୍ଞତା ସ୍ବରୂପ ପଛକୁ ଚାହିଁ ଅତୀତ ଉଦ୍ଦେଶ୍ୟରେ ପ୍ରଣତି ବାଢ଼ିବା ଭୁଲିଗଲେ ଚଳିବ ନାହିଁ। ସେଇ ସବୁକଥାର ନିଷ୍କର୍ଷ ହିଁ ପ୍ରତିଫଳିତ ହୋଇଛି ଆମର ଭାରତୀୟ ସଂବିଧାନରେ। ପ୍ରତିବର୍ଷର ନଭେମ୍ବର ୨୬ ହିଁ ଆଧୁନିକ ଭାରତର ଦୀପାବଳି ଦିବସ, ବଡ଼ବଡୁଆଙ୍କ ଦିନ। କାରଣ ଏହିଦିନ ୧୯୪୯ରେ ଭାରତର ସଂବିଧାନ ଜନ୍ମଗ୍ରହଣ କରିଥିଲା।
[email protected]

ସମ୍ବନ୍ଧିତ ଖବର