ଆମର ଏହି ବିରଳ ବାୟୁମଣ୍ଡଳ ଆମକୁ ସେ ପର୍ଯ୍ୟନ୍ତ ସୁରକ୍ଷିତ ରଖିବ, େଯ ପର୍ଯ୍ୟନ୍ତ ଆମେ ତା’ର ସନ୍ତୁଳିତ ସଂରଚନାକୁ ବିଗାଡ଼ି ନଦେଇଛୁ। କିନ୍ତୁ ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ତାପନ ଏବେ ସେଇ ସନ୍ତୁଳନ ଯେଉଁଭଳି ବିଗାଡ଼ିବାରେ ଲାଗିଛି, ଯଦି ସେଥିରେ ଲଗାମ ଦିଆନଯାଏ, ତେବେ ଦିନ ଆସିବ ଯେତେବେଳେ ସେ କବଚର ସୁରକ୍ଷା ହରାଇ ପୃଥିବୀରେ ଜୀବଜଗତ ‘ବିକ୍ରମ’ ଓ ‘ପ୍ରଜ୍ଞାନ’ ପରି ଚିରନିଦ୍ରାରେ ଶୋଇଯିବେ।
ଆଜିର ଭାରତରେ କାହାର ଅନୁରକ୍ତ ସଂଖ୍ୟା ବା ‘ଫ୍ୟାନ୍ ଫଲୋଇଙ୍ଗ୍’ ହେଉଛି ସର୍ବାଧିକ ବୋଲି ଯଦି ପ୍ରଶ୍ନ କରାଯାଏ, ତେବେ ଯେଉଁ ଉତ୍ତରଟି ନିଶ୍ଚିତ ରୂପେ ନିର୍ବିବାଦ ହେବ, ତାହା ହେଉଛି: ଚନ୍ଦ୍ରଯାନ-୩। ଚନ୍ଦ୍ରଯାନ-୩ର ଏହି କୋଟି କୋଟି ସଂଖ୍ୟକ ଫ୍ୟାନ୍ମାନେ ଅତ୍ୟନ୍ତ ଉତ୍ସୁକତାର ସହିତ ସେପ୍ଟେମ୍ବର ୨୨ ତାରିଖକୁ ଅପେକ୍ଷା କରି ରହିଥିଲେ। ସେମାନେ ଜାଣିଥିଲେ ଯେ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିଥିବା ‘ବିକ୍ରମ’ ଓ ‘ପ୍ରଜ୍ଞାନ’ ଚନ୍ଦ୍ରର ୧୪ ଦିନିଅା ରାତିର ଅନ୍ଧାରରେ ନିଦରେ ଶୋଇ ପଡ଼ିଥିଲେ ଏବଂ ସେଠାରେ ସେପ୍ଟେମ୍ବର ୨୨ରେ ରାତି ପାହି ନୂତନ ସୂର୍ଯ୍ୟୋଦୟ ଘଟିବା ସହିତ ସେମାନେ ନିଦ୍ରା ତ୍ୟାଗ କରି ପୁଣି ଚଳଚଞ୍ଚଳ ହୋଇ ଉଠିବେ ଓ ସୂର୍ଯ୍ୟାଲୋକରୁ ଶକ୍ତି ସଂଗ୍ରହ କରି ସେମାନେ ପୁଣି ‘ଇସ୍ରୋ’ ନିକଟକୁ ସିଗ୍ନାଲ୍ ପଠାଇବାକୁ ଆରମ୍ଭ କରିବେ। ଏହା ଲେଖା ହେବା ପର୍ଯ୍ୟନ୍ତ କିନ୍ତୁ ସେମାନଙ୍କ ଠାରୁ କୌଣସି ସିଗ୍ନାଲ୍ ମିଳି ନାହିଁ; ଅର୍ଥାତ୍ ସେମାନଙ୍କର ନିଦ ଭାଙ୍ଗି ନାହିଁ- ସେମାନେ ଅଚଳ ହୋଇ ଯାଇଥିବା ଭଳି ମନେ ହେଉଛି। ଏହା ଫ୍ୟାନ୍ମାନଙ୍କୁ ସ୍ବାଭାବିକ ଭାବରେ ହତାଶ କରିଛି।
କିନ୍ତୁ ଦୁଇଟି କାରଣରୁ ସେମାନେ ହତାଶ ହେବା ଉଚିତ ନୁହେଁ। ପ୍ରଥମଟି ହେଲା, ନିଦ୍ରା ଯିବା ପୂର୍ବରୁ ଯେଉଁ ଦୁଇ ସପ୍ତାହ ଧରି ଚନ୍ଦ୍ରର ଦିବାଲୋକରେ ‘ବିକ୍ରମ’ ଓ ‘ପ୍ରଜ୍ଞାନ’ ସକ୍ରିୟ ଥିଲେ, ସେ ସମୟରେ ସେମାନେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୈଜ୍ଞାନିକ ଅନୁସନ୍ଧାନ ସଂପାଦନ କରିବାରେ ସଫଳ ହୋଇଛନ୍ତି। ଚନ୍ଦ୍ର ମୃତ୍ତିକାର ଅନୁଶୀଳନ କରି ‘ପ୍ରଜ୍ଞାନ’ ସେଠାରେ ଲୌହ, ଟାଇଟାନିଅମ୍, ଆଲୁମିନିଅମ୍ ଓ କାଲ୍ସିଅମ୍ ପରି ଆଶା କରାଯାଉଥିବା ଭଳି ମୌଳିକ ପଦାର୍ଥମାନ ଉପସ୍ଥିତ ଥିବା ପ୍ରମାଣ କରିଛି। କିନ୍ତୁ ‘ପ୍ରଜ୍ଞାନ’ର ଯେଉଁ ଆବିଷ୍କାର ମହାକାଶ ବିଜ୍ଞାନ ପରିସରରେ ଚହଳ ସୃଷ୍ଟି କରିଛି, ତାହା ହେଉଛି ଗନ୍ଧକ ବା ‘ସଲ୍ଫର୍’।
ଗ୍ରହ ବିଜ୍ଞାନୀମାନଙ୍କୁ ଅବଶ୍ୟ ଚନ୍ଦ୍ରର ମୃତ୍ତିକା ଓ ପଥରେର ସଲଫର୍ ଉପସ୍ଥିତ ଥିବା ଜଣା ଥିଲା; କିନ୍ତୁ ସେମାନେ ଏହାର ମାତ୍ରା ଅତ୍ୟନ୍ତ ନଗଣ୍ୟ ବୋଲି ବିଶ୍ବାସ କରୁଥିଲେ। ଏବେ ସେମାନଙ୍କୁ ଚମତ୍କୃତ କରି ‘ପ୍ରଜ୍ଞାନ’ର ଅନୁସନ୍ଧାନରୁ ମେରୁ ଅଞ୍ଚଳୀୟ ଚନ୍ଦ୍ର ମୃତ୍ତିକାରେ ବହୁ ଅଧିକ ମାତ୍ରାରେ ସଲ୍ଫର୍ ମହଜୁଦ ଥିବାର ଦୃଢ଼ ସମ୍ଭାବନା ଦେଖା ଦେଇଛି। ଏହା ଭବିଷ୍ୟତର ମହାକାଶ ଯାତ୍ରୀମାନଙ୍କ ପାଇଁ ଏକ ସୁଖବର ହୋଇଥାଏ। ସେମାନେ ଚନ୍ଦ୍ରର ମେରୁ ଅଞ୍ଚଳରେ ସଲ୍ଫର୍ ସଂଗ୍ରହ କରି ତାହାକୁ ବ୍ୟବହାର କରି ସୋଲାର୍ ସେଲ୍ ଓ ବ୍ୟାଟେରୀ ନିର୍ମାଣ କରିପାରିବେ; କୃଷି କାର୍ଯ୍ୟରେ ବ୍ୟବହାର ପାଇଁ ସଲ୍ଫର୍ଭିତ୍ତିକ ସାର ତିଆରି କରିପାରିବେ ଏବଂ ସେଠାରେ ସମ୍ଭାବ୍ୟ ଗୃହ ନିର୍ମାଣ ପାଇଁ ସଲ୍ଫର୍ଭିତ୍ତିକ କଂକ୍ରିଟ ପ୍ରସ୍ତୁତ କରିପାରିବେ, ଯାହା ପୃଥିବୀରେ ବ୍ୟବହୃତ କଂକ୍ରିଟ ଅପେକ୍ଷା ଅଧିକ ମଜବୁତ ହୋଇଥାଏ ଓ ଯାହାକୁ ପ୍ରସ୍ତୁତ କରିବା ପାଇଁ ଜଳ ଆବଶ୍ୟକ ହୋଇ ନଥାଏ।
ଚନ୍ଦ୍ରଯାନ-୩ର ଫ୍ୟାନ୍ମାନେ ହତାଶ ନ ହେବାର ଦ୍ବିତୀୟ କାରଣ ନିହିତ ଅଛି ଏକ ବିଡ଼ମ୍ବନା ଭଳି ‘ବିକ୍ରମ’ ଓ ‘ପ୍ରଜ୍ଞାନ’ଙ୍କର ସେଇ ଚିର ନିଦ୍ରାରେ ଓ ତାହା ପୃଥିବୀବାସୀ ମନୁଷ୍ୟମାନଙ୍କ ପାଇଁ ବହନ କରୁଥିବା ସତର୍କ ସୂଚନାରେ। ମନେରଖିବା କଥା ‘ବିକ୍ରମ’ ଓ ‘ପ୍ରଜ୍ଞାନ’ ଆଉ ସକ୍ରିୟ ହୋଇ ନପାରିବା ଆଦୌ ଚନ୍ଦ୍ରଯାନ-୩ ଅଭିଯାନର ବିଫଳତାର ପରିଚାୟକ ନୁହେଁ। ପ୍ରକୃତରେ ସେମାନେ ଚନ୍ଦ୍ରର ପ୍ରଥମ ସୂର୍ଯ୍ୟାଲୋକିତ ଦିବସ (ଅାମର ୧୪ ଦିନ ସହିତ ସମାନ)ରେ କାର୍ଯ୍ୟ କରିବା ନିମିତ୍ତ ଉଦ୍ଦିଷ୍ଟ ଥିଲେ, ଯାହା ସେମାନେ ଚମକପ୍ରଦ ସଫଳତାର ସହିତ ସଂପାଦନ କରିଛନ୍ତି। ଯଦି ସେମାନେ ଚନ୍ଦ୍ରର ଦ୍ବିତୀୟ ଦିବସରେ ମଧ୍ୟ କାର୍ଯ୍ୟକ୍ଷମ ହୋଇଥାନ୍ତେ, ତାହା ‘ଇସ୍ରୋ’ର ବୈଜ୍ଞାନିକମାନଙ୍କ ପାଇଁ ଏକ ଅପ୍ରତ୍ୟାଶିତ ଉପହାର ସଦୃଶ ହୋଇଥାନ୍ତା। ଏହାର କାରଣ ହେଲା ସେ ଅଞ୍ଚଳରେ ରାତିର ତାପମାନ, ଯାହା ମାଇନସ୍ ୨୦୦ଂ ସେଲ୍ସିଅସ୍ ତଳକୁ ଖସି ଯାଇଥାଏ। ଏଭଳି ଚରମ ଶୀତଳ ପରିବେଶରେ ‘ବିକ୍ରମ’ ଓ ‘ପ୍ରଜ୍ଞାନ’ର ସୂକ୍ଷ୍ମ ଯନ୍ତ୍ରପାତିମାନଙ୍କୁ ଯେଉଁ ଜଡ଼ତା ଗ୍ରାସ କରିଥାଏ, ସେଥିରୁ ସେମାନେ ଆଉ ମୁକୁଳିବାର ସମ୍ଭାବନା କ୍ଷୀଣ ବୋଲି ବୈଜ୍ଞାନିକମାନଙ୍କୁ ଜଣା ଥିଲା। ଏଇଥିରେ ହିଁ ନିହିତ ଅଛି ପୃଥିବୀବାସୀଙ୍କ ପାଇଁ ସତର୍କ ବାଣୀ।
ଚନ୍ଦ୍ରପୃଷ୍ଠରେ ଦିନ ଓ ରାତିର ତାପମାନରେ ଏପରି ଆକାଶ ପାତାଳ ତଫାତ୍ ଥିବାର କାରଣ କ’ଣ? କାରଣ ହେଲା, ଦିନର ଉତ୍ତାପକୁ ସାଇତି ରଖି ରାତିର ତାପମାନକୁ ତା’ ସାହାଯ୍ୟରେ ନିୟନ୍ତ୍ରଣ ମଧ୍ୟରେ ରଖିବା ନିମିତ୍ତ ଯେଉଁଭଳି ଏକ ଘନ ଓ ଉପଯୁକ୍ତ ସନ୍ତୁଳିତ ବାୟୁମଣ୍ଡଳ ଆବଶ୍ୟକ ହୋଇଥାଏ, ଚନ୍ଦ୍ରର ସେପରି ଏକ ବାୟୁମଣ୍ଡଳ ନାହିଁ, ଯେଉଁଭଳି ଏକ ବାୟୁମଣ୍ଡଳର ଅଧିକାରୀ ସୌଭାଗ୍ୟକ୍ରମେ ହେଉଛି ପୃଥିବୀ। ପୃଥିବୀ ନାମକ ଗ୍ରହର ଆକାର ଠିକ୍ ଏପରି ଯେ ‘ସାଧାରଣ ଆପେକ୍ଷିକ ତତ୍ତ୍ବ’ (‘ଜେନେରାଲ୍ ଥିଓରି ଅଫ୍ ରିଲେଟିଭିଟି’) ଅନୁସାରେ ସେ ‘ସ୍ଥାନ-କାଳ’ (‘ସ୍ପେସ୍-ଟାଇମ୍’)କୁ ଯେଉଁଭଳି ବଙ୍କାଇ ଦେଇଥାଏ, ସେଥିଯୋଗୁଁ ତା’ର ସମୀପବର୍ତ୍ତୀ ସମସ୍ତ ପଦାର୍ଥ ତା’ ଆଡ଼କୁ ଖସି ଆସିଥାନ୍ତି ଓ ସେ ବକ୍ରତାକୁ ଆହୁରି ଶାଣିତ କରିଥାନ୍ତି। ଏହା ହିଁ ହେଉଛି ମାଧ୍ୟାକର୍ଷଣ। ଏହାରି ଯୋଗୁଁ ହିଁ ପ୍ରାୟ ପାଞ୍ଚ ଶହ କୋଟି ବର୍ଷ ତଳେ ଏକ ତାରକା-ଧୂଳି ପଟଳରୁ ପୃଥିବୀର ସୃଷ୍ଟି ହେବା ପରଠାରୁ କ୍ରମେ ଏକ ସନ୍ତୁଳନ ସୃଷ୍ଟି ହୋଇ ପୃଥିବୀ ଏକ ଘନ ବାୟୁମଣ୍ଡଳ ଦ୍ବାରା ପରିବେଷ୍ଟିତ ହୋଇଛି। ଚନ୍ଦ୍ରର ଅପେକ୍ଷାକୃତ କ୍ଷୁଦ୍ର ଆକାରଜନିତ ଦୁର୍ବଳ ମାଧ୍ୟାକର୍ଷଣ ଏପରି ଏକ ବାୟୁମଣ୍ଡଳକୁ ଧରି ରଖି ପାରିନାହିଁ।
ଯଦି ପୃଥିବୀ ଏପରି ଏକ ବାୟୁମଣ୍ଡଳ ଦ୍ବାରା ସୁରକ୍ଷିତ ହୋଇ ନଥାନ୍ତା, ତା’ହେଲେ ପୃଥିବୀ ଏକ ନିର୍ଜୀବ ବରଫ ପେଣ୍ଡୁରେ ପରିଣତ ହୋଇଥାନ୍ତା, ଯେଉଁଠି ହାରାହାରି ତାପମାନ ହୋଇଥାନ୍ତା ମାଇନସ୍ ୫୦ଂ ସେଲ୍ସିଅସ୍! ଏହା ବ୍ୟତୀତ ପୃଥିବୀର ବାୟୁମଣ୍ଡଳ ଏକ ସୁରକ୍ଷା କବଚ ପରି କାର୍ଯ୍ୟ କରିଥାଏ ଯାହା ‘ଅଲ୍ଟ୍ରାଭାଓଲେଟ୍ ରେ’ରୁ ‘ଚାର୍ଜ୍ଡ ପାର୍ଟିକ୍ଲିସ୍’ ପର୍ଯ୍ୟନ୍ତ ଅନେକ ଅତ୍ୟନ୍ତ କ୍ଷତିକାରକ ରଶ୍ମିମାନଙ୍କୁ ଶୋଷି ନେଇ ବା ସେମାନଙ୍କର ଦିଗ ବଦଳାଇ ଦେଇ ସେମାନଙ୍କର ଘାତକ ଆଘାତରୁ ପୃଥିବୀକୁ ବଞ୍ଚାଇ ଦିଏ। ଏହାର ତାତ୍ପର୍ଯ୍ୟ ସହଜରେ ହୃଦୟଙ୍ଗମ କରିବା ପାଇଁ ବୈଜ୍ଞାନିକମାନେ ଯେଉଁ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥାନ୍ତି, ତାହା ଅନୁସାରେ ପୃଥିବୀକୁ ଘୋଡ଼ାଇ ରଖିଥିବା ଏହି ବାୟୁମଣ୍ଡଳ ହେଉଛି ଏକ ୪.୫ ମିଟର ବହଳ କଂକ୍ରିଟ ଘୋଡ଼ଣୀ ଭଳି, ଯାହାକୁ ଉପରୋକ୍ତ ବହିଃଶତ୍ରୁମାନେ ଭେଦ କରିପାରି ନଥାନ୍ତି ଓ ଯାହା ଆମକୁ ଉଷୁମ ରଖିଥାଏ। ନଚେତ ଅାମ ଅବସ୍ଥା ହୁଅନ୍ତା ଚନ୍ଦ୍ରପୃଷ୍ଠର ରାତିରେ ‘ବିକ୍ରମ’ ଓ ‘ପ୍ରଜ୍ଞାନ’ର ଅବସ୍ଥା ଭଳି।
ଆମର ଏହି ବିରଳ ବାୟୁମଣ୍ଡଳ ଆମକୁ ସେ ପର୍ଯ୍ୟନ୍ତ ସୁରକ୍ଷିତ ରଖିବ, େଯ ପର୍ଯ୍ୟନ୍ତ ଆମେ ତା’ର ସନ୍ତୁଳିତ ସଂରଚନାକୁ ବିଗାଡ଼ି ନଦେଇଛୁ। କିନ୍ତୁ ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ତାପନ ଏବେ ସେଇ ସନ୍ତୁଳନ ଯେଉଁଭଳି ବିଗାଡ଼ିବାରେ ଲାଗିଛି, ଯଦି ସେଥିରେ ଲଗାମ ଦିଆନଯାଏ, ତେବେ ଦିନ ଆସିବ ଯେତେବେଳେ ସେ କବଚର ସୁରକ୍ଷା ହରାଇ ପୃଥିବୀରେ ଜୀବଜଗତ ‘ବିକ୍ରମ’ ଓ ‘ପ୍ରଜ୍ଞାନ’ ପରି ଚିରନିଦ୍ରାରେ ଶୋଇଯିବେ।