ଅନେକଙ୍କ ମତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନର ଏକ ଉଜ୍ଜ୍ବଳ ଉପଲବ୍ଧି ହେଲା ‘ସ୍ବଚ୍ଛ ଭାରତ ଅଭିଯାନ’, ଯହିଁରେ ଦୃଶ୍ୟମାନ ଭାରତକୁ ପରିଚ୍ଛନ୍ନତା ପ୍ରଦାନ କରିବା ଥିଲା ତାଙ୍କର ଅଭୀଷ୍ଟ। କିନ୍ତୁ, ପାସୋରି ଗଲେ ହେବ ନାହିଁ ଯେ ‘ଅଦୃଶ୍ୟ ଭାରତ’ଟିଏ ମଧ୍ୟ ରହିଛି, ଯାହା ବିଦ୍ୟମାନ ଥାଏ ଭାରତୀୟମାନଙ୍କ ମାନସିକତାରେ, ସେମାନଙ୍କ ଆଚାର-ବ୍ୟବହାରରେ ଏବଂ ସେମାନଙ୍କ ଆଚରଣ ଓ ଆଭିମୁଖ୍ୟରେ। କିନ୍ତୁ, ଏହି ଅଦୃଶ୍ୟ ଭାରତକୁ କଳୁଷମୁକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ସେହିଭଳି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି କାହିଁକି? ଆହ୍ବାନ ଦେଇ ନାହାନ୍ତି କାହିଁକି? ପଥିକୃତ୍ ଉଦ୍ୟମ କରି ନାହାନ୍ତି କାହିଁକି? ବର୍ତ୍ତମାନର ଅଦାନୀ ବିବାଦ ଆଉ କିଛି ନ ହେଲେ ବି ଚକ୍ଷୁ ଖୋଲିଦେଉ।
ଗଲା ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ସରକାରଙ୍କ ଦ୍ବାରା ଅଗ୍ରଣୀ ଭାରତୀୟ ଉଦ୍ୟୋଗପତି ଗୌତମ ଅଦାନୀ, ତାଙ୍କର କେତେକ ବ୍ୟାବସାୟିକ ସହଯୋଗୀ ଓ ତାଙ୍କ ମାଲିକାନା ଅଧୀନସ୍ଥ ବିଶାଳ ସୌର ଶକ୍ତି ଉତ୍ପାଦନକାରୀ କଂପାନି ବିରୋଧରେ ଲାଞ୍ଚ ଦିଆ କାରବାର ନେଇ ସେଠାକାର ଅଦାଲତରେ ଏକ ଅଭିଯୋଗ ଦାଖଲ ହେବା ପରେ ଆମ ଦେଶର ବ୍ୟାବସାୟିକ ଓ ରାଜନୈତିକ କ୍ଷେତ୍ରରେ ଏକ ଭୂଚଳନ ତୁଲ୍ୟ କଂପନ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଅେନକ ଭାରତୀୟ ବିସ୍ମିତ ଯେ ଏକ ଭାରତୀୟ କଂପାନି ଦ୍ବାରା ଭାରତରେ ପ୍ରଦତ୍ତ ଲାଞ୍ଚ ସଂଦର୍ଭ କାହିଁକି ଆମେରିକାରେ ଏକ ଅଦାଲତୀ ମାମଲାରେ ପରିଣତ ହେଲା? ଦ୍ବିତୀୟରେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ ଏହା ଦ୍ବାରା ଅଦାନୀ ଓ ତାଙ୍କ ଶିଳ୍ପ ସାମ୍ରାଜ୍ୟର ଭବିଷ୍ୟତ୍ କେଉଁ ମୋଡ଼ ନେଇପାରେ? କହିବା ବାହୁଲ୍ୟ ଯେ ବିଭିନ୍ନ କାରଣରୁ ଅଦାନୀ ଓ ତାଙ୍କ ବ୍ୟବସାୟ ବାରମ୍ବାର ବିବାଦାସ୍ପଦ, ପ୍ରଶ୍ନସଂକୁଳ ଏପରିକି ସନ୍ଦିଗ୍ଧ ହୋଇ ଆସିଛନ୍ତି, ଯଦ୍ଦ୍ବାରା ଅନେକ ନିବେଶକ ଓ ଜନସାଧାରଣଙ୍କ ଦୃଷ୍ଟିରେ ଏମାନେ ସଂପୂର୍ଣ୍ଣ ବିଶ୍ବାସଭାଜନ ମଧ୍ୟ ହୋଇ ନ ଥାଆନ୍ତି। ସେହି ଦୃଷ୍ଟିରୁ ସଦ୍ୟ ଉତ୍ପନ୍ନ ବିବାଦଟି ତା’ର ଗୁରୁତ୍ବ ଓ ତଦ୍ଦ୍ବାରା ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ପରିଣାମ ପରିପ୍ରେକ୍ଷୀରେ ତାଙ୍କ ସମ୍ମୁଖରେ ସର୍ବାଧିକ କଠିନ ପରୀକ୍ଷା ରୂପେ ଯେ ଆବିର୍ଭୂତ ହୋଇଛି, ତହିଁରେ ଦ୍ବିରୁକ୍ତି ନାହିଁ। କିନ୍ତୁ ଏ ସଂଦର୍ଭରେ ସର୍ବାଧିକ ପ୍ରଣିଧାନଯୋଗ୍ୟ ହେଲା ଏହି କାରଣରୁ ମଳିନ ପଡ଼ିବାକୁ ଯାଉଥିବା ଭାରତର ଭାବମୂର୍ତ୍ତି; ଯାହା ଏକ ଦ୍ରୁତବର୍ଦ୍ଧିଷ୍ଣୁ ଅର୍ଥନୀତି ରୂପେ ଶିରୋତ୍ତୋଳନ କରିବାକୁ ଉଦ୍ଗ୍ରୀବ। ଏଭଳି ସ୍ଥଳେ ଏ ସମସ୍ତ ବିଷୟକୁ ନେଇ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଉଲ୍ଲେଖଯୋଗ୍ୟ ଯେ ଏହି ଲାଞ୍ଚ କାରବାର ଆମେରିକୀୟ ଆଇନ ‘ଫେରନ୍ କରପ୍ଟ ପ୍ରାକ୍ଟିସେସ୍ ଆକ୍ଟ’ ବା ‘ଏଫ୍.ସି.ପି.ଏ.’ର ପରିସରଭୁକ୍ତ, କାରଣ ଏହି ଆଇନ ଅନୁସାରେ ବାହାର କୌଣସି ଦେଶର ବ୍ୟବସାୟ ବା ଉଦ୍ୟୋଗରେ ଯଦି ଆମେରିକୀୟ ପୁଂଜି ବିନିଯୁକ୍ତ ହୁଏ, ତେବେ ସେହି ପୁଂଜିର ଯଥାର୍ଥ ବ୍ୟବହାର ନେଇ ମଧ୍ୟ ସେହି କଂପାନି ଆମେରିକା ସରକାରଙ୍କ ନିକଟରେ ଉତ୍ତରଦାୟୀ ରହିବେ, ଅର୍ଥାତ୍ ଆମେରକୀୟ ପୁଂଜି ଯେମିତି କୌଣସି ଦୁର୍ନୀତିପୂର୍ଣ୍ଣ ବା ଆପରାଧିକ ବା ସଂଶୟାଚ୍ଛନ୍ନ କାର୍ଯ୍ୟରେ ନ ଲାେଗ। ପ୍ରକାଶ ଥାଉ କି ଅଦାନୀଙ୍କ ଅତ୍ୟନ୍ତ ମହତ୍ତ୍ବାକାଂକ୍ଷୀ ସୌର ଶକ୍ତି ଉତ୍ପାଦନ ଓ ବିକ୍ରୟ ବ୍ୟବସାୟରେ ବିପୁଳ ଆମେରିକୀୟ ପୁଂଜି ସଂଶ୍ଳିଷ୍ଟ, ଯାହା ଏହି ଲାଞ୍ଚ ଦିଆ କାରବାର ହେତୁ ବିପଥଗାମୀ ହୋଇଛି, ସୁତରାଂ ଅସହନୀୟ। ଏଥିରେ ଦ୍ବିଧା ନାହିଁ ଯେ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଆମେରିକା ସଂପୂର୍ଣ୍ଣ ସ୍ବଚ୍ଛତା ଓ ତହିଁରେ ସଂପୃକ୍ତ ସମସ୍ତ ପକ୍ଷଙ୍କ ଠାରୁ ଅବିଭାଜ୍ୟ ସାଧୁତା ଦାବି କରିଥାଏ। ଶଂସିତ ଘଟଣାରେ ସୌର ଶକ୍ତି ବିକ୍ରୟ ସକାଶେ ପାଇଥିବା ଠିକାକୁ କାର୍ଯ୍ୟକାରୀ କରିବା ଲାଗି ଅଦାନୀଙ୍କ କଂପାନି ପକ୍ଷରୁ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଛତିଶଗଡ଼, ତାମିଲନାଡୁ, ଜାମ୍ମୁ ଓ କାଶ୍ମୀରର ଉଚ୍ଚ ପଦାଧିକାରୀମାନଙ୍କୁ ମୋଟ ୨,୦୨୯ କୋଟି ଟଙ୍କାର ଲାଞ୍ଚ ଦିଆଯାଇଛି ବୋଲି ଆମେରିକା ସରକାରଙ୍କ ଅଭିଯୋଗ ପତ୍ରେର ଦର୍ଶାଯାଇଛି। ଯଦିଓ ଏହା ସତ ଯେ ଏହା କେବଳ ଅଭିଯୋଗ ମାତ୍ର ଏବଂ ଏ ଯାବତ୍ ଅଦାନୀ ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି। କିନ୍ତୁ ଆମେରିକୀୟ ବିଚାର ବ୍ୟବସ୍ଥା ଅନୁସାରେ ଦୃଢ଼ ସାକ୍ଷ୍ୟ-ପ୍ରମାଣ ସହିତ କୌଣସି ଅଭିଯୋଗର ସତ୍ୟତାକୁ ପ୍ରଥମେ ‘ଗ୍ରାଣ୍ଡ ଜ୍ୟୁରି’ (ବିଚାରକ ମଣ୍ଡଳୀ)ର ହୃଦ୍ବୋଧ କରାଇ ଦିଆ ନ ଗଲେ ତାହା ବିଚାର ଲାଗି ଗୃହୀତ ହୋଇ ନ ଥାଏ। ସୁତରାଂ, ଏହି ଅଭିଯୋଗ ଯେ ଅତ୍ୟନ୍ତ ବଳିଷ୍ଠ ତହିଁରେ ସନ୍ଦେହ ନାହିଁ ଏବଂ ୫୪ ପୃଷ୍ଠାର ଅଭିଯୋଗ ପତ୍ରରେ ପ୍ରମାଣର ଉତ୍ସ ବିବାଦରେ ଯେଉଁ ବିବରଣୀ ପ୍ରଦାନ କରାଯାଇଛି, ତହିଁରୁ ଏକ ଧାରଣା ଜନ୍ମିଥାଏ ଯେ ତାହା ଅକାଟ୍ୟ ହୋଇଥିବ!
ଏହି ଘଟଣା ପରେ ଅଦାନୀ ଓ ତାଙ୍କ ଉଦ୍ୟୋଗର ଭାବମୂର୍ତ୍ତିରେ ଘଟିଥିବା ସହସା ସ୍ଖଳନ ପ୍ରତିଫଳିତ ହୋଇଛି ଷ୍ଟକ୍ ବଜାରରେ କଂପାନିର ଅଂଶଧନ ମୂଲ୍ୟରେ ତୀବ୍ର ହ୍ରାସରେ, ‘ସବୁଜ ଶକ୍ତି’ କ୍ଷେତ୍ରରେ ଏକ ଦର୍ପବାନ ଉପସ୍ଥିତି ଲାଗି ଉଦ୍ୟତ ହେଉଥିବା ଏହି କଂପାନି ପକ୍ଷରୁ ୬୦୦ ନିୟୁତ ଡଲର ପୁଂଜି ଯୋଗାଡ଼ ଲକ୍ଷ୍ୟରୁ ତତ୍କ୍ଷଣାତ୍ ଓହରି ଯିବାରେ ଏବଂ କେନିଆରେ ୭୩୦ ନିୟୁତ ଡଲାର ମୂଲ୍ୟର ଅତ୍ୟନ୍ତ ଉଚ୍ଚାଭିଳାଷୀ ଭିତ୍ତିଭୂମି ନିର୍ମାଣ ପ୍ରକଳ୍ପ ଲାଗି ସଂପାଦିତ ଚୁକ୍ତିକୁ ସେଠାକାର ସରକାର ସଂପୂର୍ଣ୍ଣ ବାତିଲ କରିଦେବାରେ! ବିଶେଷଜ୍ଞମାନେ ପୂର୍ବାନୁମାନ କରନ୍ତି ଯେ ଆମେରିକୀୟ ଅଦାଲତରେ ପହଞ୍ଚିଥିବା ହେତୁ ଅନ୍ୟାନ୍ୟ ଦେଶରେ ମଧ୍ୟ ଅଦାନୀଙ୍କ କାରବାର କେନିଆସୁଲଭ ଦଶା ଭୋଗିପାରେ! ଏଥିରେ ଦ୍ବିମତ ହେବାର ନାହିଁ ଯେ ଗୌତମ ଅଦାନୀଙ୍କ ସକାଶେ ଏହା ହେଉଛି ତାଙ୍କ କ୍ୟାରିଅର୍ର ସର୍ବାଧିକ ଘଡ଼ିସନ୍ଧି କ୍ଷଣ ଓ ଏକ ଅଗ୍ନି ପରୀକ୍ଷା ସହିତ ସମତୁଲ। ଅବଶ୍ୟ ଅଦାନୀ ଗ୍ରୁପ ପକ୍ଷରୁ କୁହାଯାଇଛି ଯେ ଏଭଳି ଅଭିଯୋଗ ପଛରେ କୌଣସି ସତ୍ୟତା ନାହିଁ ଏବଂ ଏହା ବିରୋଧରେ ଶେଷ ପର୍ଯ୍ୟନ୍ତ ଲଢ଼ାଯିବ! କିନ୍ତୁ ପୂର୍ବରୁ କେତେକ ଜଘନ୍ୟ ବିବାଦରେ ଛନ୍ଦି ହୋଇପଡ଼ିଥିବା ହେତୁ ଅଦାନୀଙ୍କ ଦୃଢ଼ୋକ୍ତି ଯେ ବିଶେଷ ପ୍ରଭାବ ପକାଇ ପାରିନାହିଁ, ତାହା କହିବା ଅନାବଶ୍ୟକ।
କଂଗ୍ରେସ ଓ ତା’ର ନେତା ରାହୁଳ ଗାନ୍ଧୀଙ୍କ ଅକ୍ଳାନ୍ତ ଅଭିଯୋଗର ଧାରା ହେତୁ ଭାରତରେ ଗୌତମ ଅଦାନୀଙ୍କ ଏକ ବିଶେଷ ପରିଚୟ ହେଲା ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜଣେ ପରମ ମିତ୍ର ଏବଂ ପ୍ରଧାନମନ୍ତ୍ରୀଙ୍କ ଅନୁକଂପା ଓ ଅନ୍ତରଙ୍ଗ ପୃଷ୍ଠପୋଷକତା ବଳରେ ଏନ୍.ଡି.ଏ. ସରକାର ଅମଳରେ ତାଙ୍କର ବ୍ୟବସାୟ ଓ ବିତ୍ତରେ ଚମକପ୍ରଦ ଅଭିବୃଦ୍ଧି ଘଟିଛି। ‘ହିଣ୍ଡେନ୍ବର୍ଗ ରିପୋର୍ଟରୁ ତାଙ୍କ ଅନୈତିକ କାରବାର ସମ୍ବନ୍ଧରେ ପ୍ରମାଣ ମିଳିଥିଲେ ସୁଦ୍ଧା ବା ‘ସେବି’ର ମୁଖ୍ୟ ମାଧବୀ ବୁଚ୍ ନିଜ ଦାୟିତ୍ବକୁ ନଜରଅନ୍ଦାଜ କରି ଅଦାନୀଙ୍କ ବ୍ୟବସାୟକୁ ଦୃଢ଼ କରିବା ଲାଗି ଦୁର୍ନୀତିପୂର୍ଣ୍ଣ ମାର୍ଗ ଅବଲମ୍ବନ କରିଥିବାର ପ୍ରମାଣ ସତ୍ତ୍ବେ ଅଦାନୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ତାଙ୍କ ପ୍ରଭାବର ପ୍ରମାଣ ବୋଲି ବିରୋଧୀ ପକ୍ଷ କହିଥାଆନ୍ତି। ସୁତରାଂ, ସଦ୍ୟତମ ବିବାଦ ପରିପ୍ରେକ୍ଷୀରେ କଂଗ୍ରେସର ଉପରୋକ୍ତ ଅଭିଯୋଗର ସ୍ବର ଅଧିକ ତୀବ୍ର ଓ ଉଚ୍ଚ ହୋଇଛି। ବିଜେପି ପକ୍ଷରୁ ମଧ୍ୟ କଂଗ୍ରେସ ଉପରେ ତୀବ୍ର ପ୍ରତିଆକ୍ରମଣ କରାଯାଉଛି, ଯାହା ଅନେକତ୍ର ଅଦାନୀଙ୍କ ସପକ୍ଷବାଦୀ ଭଳି ଶୁଭୁଛି ଏବଂ ଶଂସିତ ବିବାଦରେ ଦଳର ଆଭିମୁଖ୍ୟକୁ ସଂଶୟାଚ୍ଛନ୍ନ କରି ପକାଇଛି। ଏହା ହେଉଛି ଭାରତୀୟ ରାଜନୀତିର ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଦିଗ, ଯହିଁରେ ସଂକୀର୍ଣ୍ଣ ଦଳୀୟ ଦୃଷ୍ଟି ପଥରେ କେବଳ ଦଳର ସ୍ବାର୍ଥ ହିଁ ଦିଶେ, ଅନ୍ୟ ଗୁରୁତର ପ୍ରସଙ୍ଗମାନ ସୀମାନ୍ତରିତ ହୋଇ ରହିଯାଏ। ଆସନ୍ତା ସୋମବାର ଦିନ ସଂସଦ ଅଧିବେଶନ ପ୍ରାରମ୍ଭ ହେବାକୁ ଯାଉଥିବାରୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଏ ନେଇ ଘମାଘୋଟ ଛାଗଳ ଯୁଦ୍ଧ ସୃଷ୍ଟି ହେବା ସ୍ବାଭାବିକ ହୋଇଯାଇଛି, ଯଦ୍ଦ୍ବାରା ମୂଳ ପ୍ରସଙ୍ଗ ଗୁରୁତ୍ବହୀନ ହୋଇପଡ଼ିବା ଖୁବ୍ ସମ୍ଭବ!
ଗୌତମ ଅଦାନୀଙ୍କ ସଂପର୍କିତ ଯେ କୌଣସି ବିବାଦରେ କାରଣେ ଅକାରଣେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ଆଲୋଚନା ପରିସରଭୁକ୍ତ ହୋଇଯାଏ। ତେଣୁ, ଏହି ପ୍ରକରଣରେ ତାଙ୍କର ପ୍ରତିକ୍ରିୟା ଓ ଆଭିମୁଖ୍ୟ ମଧ୍ୟ ତୀକ୍ଷ୍ଣ ପର୍ଯ୍ୟବେକ୍ଷଣ ତଳେ ରହିବ। ଅନେକଙ୍କ ମତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନର ଏକ ଉଜ୍ଜ୍ବଳ ଉପଲବ୍ଧି ହେଲା ‘ସ୍ବଚ୍ଛ ଭାରତ ଅଭିଯାନ’, ଯହିଁରେ ଦୃଶ୍ୟମାନ ଭାରତକୁ ପରିଚ୍ଛନ୍ନତା ପ୍ରଦାନ କରିବା ଥିଲା ତାଙ୍କର ଅଭୀଷ୍ଟ। କିନ୍ତୁ, ପାସୋରି ଗଲେ ହେବ ନାହିଁ ଯେ ‘ଅଦୃଶ୍ୟ ଭାରତ’ଟିଏ ମଧ୍ୟ ରହିଛି, ଯାହା ବିଦ୍ୟମାନ ଥାଏ ଭାରତୀୟମାନଙ୍କ ମାନସିକତାରେ, ସେମାନଙ୍କ ଆଚାର-ବ୍ୟବହାରରେ ଏବଂ ସେମାନଙ୍କ ଆଚରଣ ଓ ଆଭିମୁଖ୍ୟରେ। କିନ୍ତୁ, ଏହି ଅଦୃଶ୍ୟ ଭାରତକୁ କଳୁଷମୁକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ସେହିଭଳି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି କାହିଁକି? ଆହ୍ବାନ ଦେଇ ନାହାନ୍ତି କାହିଁକି? ପଥିକୃତ୍ ଉଦ୍ୟମ କରି ନାହାନ୍ତି କାହିଁକି? ବର୍ତ୍ତମାନର ଅଦାନୀ ବିବାଦ ଆଉ କିଛି ନ ହେଲେ ବି ଚକ୍ଷୁ ଖୋଲିଦେଉ। ଅନ୍ତତଃ ପକ୍ଷେ ବାଣିଜ୍ୟ ବ୍ୟବସାୟ ଓ ଶାସନ ପ୍ରଶାସନରେ ସ୍ବଚ୍ଛତା ଅଣାଯିବାର ସଘନ ପ୍ରଯତ୍ନ େହଉ ଏବଂ ଏହାର ଖିଲାପ ନେଇ ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରାଯାଉ। କହିବା ବାହୁଲ୍ୟ ଯେ ଏହି ସ୍ବଚ୍ଛ ଭାରତ ଅଭିଯାନରେ ସଫଳତା ଲାଭ କରିବା ଅଧିକ କଷ୍ଟସାଧ୍ୟ ଓ ଆହ୍ବାନଭରା ହେବ। କିନ୍ତୁ ଭାରତର ପ୍ରକୃତ ଯଶ ଲାଗି ଏହା ଅଧିକ ଜରୁରି!