ଗାନ୍ଧୀ ଓ ସିନେମା

ଗୌରାଙ୍ଗ ଚରଣ ପରିଡ଼ା

ଗାନ୍ଧୀଙ୍କ ଜନ୍ମ ଦିନ ଏବେ ଜାତିସଂଘ ଘୋଷିତ ବିଶ୍ୱ ଅହିଂସା ଦିବସ। ଗାନ୍ଧୀଙ୍କୁ ନେଇ ଗାନ୍ଧୀଙ୍କ ଜୀବନ କାଳ ଭିତରେ ଅନେକ କିଛି ଲେଖାଯାଇଥିଲା, ଏବେ ବି ଲେଖାଯାଉଛି; ସିନେମା ଏବଂ ନାଟକ ହେଉଛି। ଗାନ୍ଧୀଜୀଙ୍କ ଖ୍ୟାତି କିନ୍ତୁ ଗାନ୍ଧୀ ବିଚାର ପାଇଁ ବଢ଼ିଛି ଓ ବଞ୍ଚିଛି।

ଏଇ କିଛି ଦିନ ତଳେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କ ସଂସଦୀୟ ମିଟିଙ୍ଗରେ କହିଲେ, ଆଟେନବର୍ଗଙ୍କ ‘ଗାନ୍ଧୀ’ ସିନେମା ହେବା ପର୍ଯ୍ୟନ୍ତ ପୃଥିବୀର ବେଶୀ ଲୋକ ମହାତ୍ମା ଗାନ୍ଧୀଙ୍କୁ ଜାଣି ନ ଥିଲେ ଯେତେ ଲୋକ ମାର୍ଟିନ ଲୁଥର କିଙ୍ଗ୍‌ ଓ ନେଲ୍‌ସନ ମାଣ୍ଡେଲାଙ୍କୁ ଜାଣିଥିଲେ। ‘ଗାନ୍ଧୀ’ ସିନେମା ଗାନ୍ଧୀଙ୍କୁ ବେଶୀ ବିଶ୍ୱ ପରିଚୟ ଦେଇଥିଲା। ମହାତ୍ମାଙ୍କ ଖ୍ୟାତି ବଢ଼େଇ ଦେଇଥିଲା ଆଟେନବର୍ଗଙ୍କ ସିନେମା। ଗାନ୍ଧୀଜୀଙ୍କ ଜୀବନୀକୁ ନେଇ ଇଂରେଜୀ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ରିଚାର୍ଡ ଆଟେନବର୍ଗ ‘ଗାନ୍ଧୀ’ ନାଁରେ ଏକ ଚଳଚ୍ଚିତ୍ର କରିଥିଲେ ୧୯୮୨ ମସିହାରେ। ଆଟେନବର୍ଗ ଏହାର ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ ଏବଂ ମହାତ୍ମା ଗାନ୍ଧୀଙ୍କ ଅଭିନୟରେ ଥିଲେ ବେନ କିଂଗସଲେ। ଗାନ୍ଧୀ ସିନେମାକୁ ସେବେ ଆଠଟା ଓସ୍କାର ପୁରସ୍କାର ମିଳିଥିଲା। ଏତେ ଓସ୍କାର ଆୱାର୍ଡ ମିଳିବା ପରେ ଆମେରିକାର ଗ୍ରେନିଅର ନାମକ ଜଣେ ସିନେ ସମ୍ପାଦକ ତାଙ୍କ ସମ୍ପାଦିତ ଚଳଚ୍ଚିତ୍ର ମାଗାଜିନ ‘କମେଣ୍ଟାରି’ରେ କଟୁ ମନ୍ତବ୍ୟ ଦେଇ କହିଦେଲେ, ‘ଗାନ୍ଧୀ ହୁ? ନୋ ବଡି ନୋଜ୍‌ ଗାନ୍ଧୀ’; ଅର୍ଥାତ୍‌ ଗାନ୍ଧୀ କିଏ? ଗାନ୍ଧୀଙ୍କୁ କେହି ଜାଣନ୍ତି ନାହିଁ। ‘ଜଣେ ଅଜଣା ଭାରତୀୟର ଜୀବନୀକୁ ନେଇ ତିଆରି ହୋଇଥିବା ଚଳଚ୍ଚିତ୍ରକୁ ଏତେ ଓସ୍କାର, ଠିକ ହୋଇନି।’ ଗାନ୍ଧୀଙ୍କୁ ନେଇ ଏପରି ମନ୍ତବ୍ୟ ଦେବାକୁ ଗ୍ରେନିଅରଙ୍କ ଯୋଗ୍ୟତା ଥିଲା କି ନା ସେବେ ପ୍ରଶ୍ନ ହୋଇଥିଲା।

‘ଗାନ୍ଧୀ’ ସିନେମା ଥିଲା ଆଟେନବର୍ଗଙ୍କର ଏକ ସ୍ବପ୍ନ ପ୍ରକଳ୍ପ। ଦୀର୍ଘ କୋଡ଼ିଏ ବର୍ଷ ଧରି ୧୯୬୨ ମସିହାରେ ନେହରୁଙ୍କ ଶାସନ ଅମଳରୁ ଆଟେନବର୍ଗ ଏଇ ସିନେମା ପ୍ରସ୍ତୁତିର ଉଦ୍ୟମରେ ଥିଲେ। ନେହରୁ ସ୍ପଷ୍ଟ କରିଦେଇଥିଲେ, ‘ଆଟେନବର୍ଗ, ତମେ ମୋ ଗାନ୍ଧୀଙ୍କୁ ଏକ କାଳ୍ପନିକ ଦେବତାଟିଏ ଭାବେ ଚିତ୍ରଣ କରିବନି। ସମସ୍ତ ଦେବତ୍ୱର ଗୁଣ ନେଇ ଗାନ୍ଧୀଜୀ ଜଣେ ସାଧାରଣ ମଣିଷଟିଏ ହିଁ ଥିଲେ।’ ସତରେ କ’ଣ ଗାନ୍ଧୀଜୀଙ୍କୁ ବ୍ୟାପକ ବିଶ୍ୱ ପରିଚୟ ଗଲା ଶତାବ୍ଦୀର ଅଷ୍ଟମ ଦଶକର ଗାନ୍ଧୀ ଚଳଚ୍ଚିତ୍ର ପରେ ମିଳିଥିଲା? ନା ଗାନ୍ଧୀ ତାଙ୍କ ଦୀବଦ୍ଦଶାରେ ହିଁ ପ୍ରଚଣ୍ଡ ଆତ୍ମାଶକ୍ତି ଥିବା ବିଶ୍ୱ ପାଇଁ ଏକ ମହାତ୍ମା ହୋଇ ସାରିଥିଲେ?

ଗାନ୍ଧୀଜୀଙ୍କ ମୃତ୍ୟ ହୋଇଥିଲା ୧୯୪୮ ମସିହା ଜାନୁଆରି ୩୦ ତାରିଖରେ। ନାଥୁରାମ ଗଡ଼ସେ ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିଥିଲା। ଅହିଂସାର ପୂଜାରୀ ଗାନ୍ଧୀଙ୍କ ଦେହାନ୍ତରେ ସାରା ପୃଥିବୀରେ ସେବେ ଶୋକର ଛାୟା ଖେଳି ଯାଇଥିଲା। ଜାତିସଂଘର ପତାକା ଅର୍ଦ୍ଧନିମିତ ହୋଇଥିଲା। ନିରାପତ୍ତା ପରିଷଦ ବୈଠକ ଅଧାରୁ ବନ୍ଦ ହୋଇଯାଇଥିଲା। ଇଂଲାଣ୍ଡର ରାଜା, ରାଣୀ, ଆମେରିକାର ରାଷ୍ଟ୍ରପତି ହାରି.ଏସ୍‌. ଟ୍ରୁମାନ, ଦଲାଇ ଲାମା, ପୋପଙ୍କ ସମେତ ପୃଥିବୀର ସବୁ କୋଣରୁ ଗାନ୍ଧୀଙ୍କ ଦେହାନ୍ତରେ ଶହ ଶହ ଶୋକବାର୍ତ୍ତା ଆସିଥିଲା। ଆଫ୍ରିକାର ନେତାମାନେ ଗାନ୍ଧୀଙ୍କୁ ତାଙ୍କ ମୁକ୍ତି ସଂଗ୍ରାମର ଏକ ପ୍ରେରଣା ବୋଲି ଅଭିହିତ କରିଥିଲେ। ବିଦେଶୀ ଖବରକାଗଜ ମାନଙ୍କରେ ସମ୍ପାଦକୀୟ ଥିଲା- ‘ହିଂସା ତତ୍ତ୍ୱ ଉପରେ ବିଜୟ ପାଇଁ ମୋହନଦାସ କରମଚାନ୍ଦ ଗାନ୍ଧୀ ଅାଧ୍ୟାତ୍ମିକ ଶକ୍ତିର ଐତିହ୍ୟଟିଏ ଛାଡ଼ି ଦେଇଗଲେ।’
ଗାନ୍ଧୀଙ୍କର ଅନ୍ତିମ ସଂସ୍କାର ପାଇଁ ତାଙ୍କ ଅନ୍ତିମ ଯାତ୍ରାର ଦୃଶ୍ୟର ପଟାନ୍ତର ବି ନ ଥିଲା। ମଧ୍ୟଯୁଗୀୟ ଇଟାଲିର ସମ୍ରାଟମାନେ ଯେମିତି ତାଙ୍କର ଯୁଦ୍ଧ ବିଜୟ ଶୋଭାଯାତ୍ରା କରନ୍ତି, ଠିକ ସେମିତି ଥିଲା ଗାନ୍ଧୀଙ୍କର ଅନ୍ତିମ ଯାତ୍ରା- ବିରଳା ଭବନରୁ ରାଜଘାଟ। କହିବା ବାହୁଲ୍ୟ ଯେ ଗାନ୍ଧୀ ତାଙ୍କର ଷାଠିଏ ବର୍ଷର ସଂଘର୍ଷମୟ ଜୀବନ କାଳ ମଧ୍ୟରେ ବିଶ୍ୱ ମଣିଷ ହୋଇ ସାରିଥିଲେ। ଆଫ୍ରିକା, ୟୁରୋପ, ଏସିଆ, ଆମେରିକା ମହାଦେଶରେ ଗାନ୍ଧୀଙ୍କର ଖ୍ୟାତି ଥିଲା ଅମାପ। ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାର ଶାସକ ଜେନେରାଲ ସ୍ମଟ୍‌ସ ଦକ୍ଷିଣ ଆଫ୍ରିକାରୁ ଗାନ୍ଧୀଙ୍କୁ ବିଦାୟ ଦେବାରେ ଯେମିତି ଆବେଗିକ ହୋଇଯାଇଥିଲେ; ୧୯୪୦ ଦଶକରେ ଆମେରିକୀୟ ସାମ୍ବାଦିକ ଲୁଇ ଫିସର ଗାନ୍ଧୀଙ୍କ ସାକ୍ଷାତ୍‌କାର ପାଇଁ ଯେମିତି ମାସ ମାସ ଧରି ସେବାଗ୍ରାମରେ ଅପେକ୍ଷା କରିଥିଲେ; ଏବଂ ୧୯୪୨ ମସିହାରେ ଚୀନ୍‌ର ତତ୍କାଳୀନ ଜାତୀୟ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଚିଆଁଙ୍ଗ କାଇସେକ ଭାରତ ଭ୍ରମଣରେ ଆସି ଭାରତରେ ଯେମିତି ସେ କେବଳ ଗାନ୍ଧୀଙ୍କୁ ଦେଖା କରିବେ ବୋଲି ଘୋଷଣା କରି ଦେଇଥିଲେ; ଏଥିରୁ ଗାନ୍ଧୀଙ୍କ ବିଶ୍ୱ ଖ୍ୟାତିର ଉଚ୍ଚତା ଜଣା ଯାଇଥିଲା।

ଗାନ୍ଧୀଜୀଙ୍କ ପ୍ରଥମ ଜୀବନୀ ଲେଖିଥିଲେ ଦକ୍ଷିଣ ଆଫ୍ରିକାର ଜୋସେଫ. ଜେ. ଡୋକ୍‌। ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହରେ ଗାନ୍ଧୀଙ୍କୁ ମିଷ୍ଟର ଡୋକ୍‌ ଖୁବ୍‌ ନିକଟରୁ ଦେଖିଥିଲେ। ଗାନ୍ଧୀ ଜୀବନୀ ଡୋକ୍‌ଙ୍କର ଏକ ଅନନ୍ୟ କୃତି। ୧୯୧୪ରେ ଫରାସୀ ନୋବେଲ ପୁରସ୍କାର ବିଜେତା ରୋମା ରୋଲାଁ ଗାନ୍ଧୀଙ୍କ ଜୀବନୀ ଲେଖି ଗାନ୍ଧୀଙ୍କୁ ବିଶ୍ୱରେ ଆହୁରି ପରିଚିତ କରିଦେଇଥିଲେ। ୧୯୨୪ରେ ରୋମା ରୋଲାଁଙ୍କ ଭବିଷ୍ୟବାଣୀ ଥିଲା, ‘ପରିଶେଷରେ ଗାନ୍ଧୀ ଶକ୍ତିର ବିଜୟ ହେବ। ଶହ ଶହ ବର୍ଷ ପରେ ବି ବୁଦ୍ଧ ଦେଇଥିବା ବାଣୀ ଯେପରି ବିଶ୍ୱରେ ଝଙ୍କୃତ ହେଉଛି, ଗାନ୍ଧୀତତ୍ତ୍ୱ ସେମିତି ବି ପ୍ରସାରିତ ହେବ।’ ହୋଇପାରେ, ଗାନ୍ଧୀ ଖ୍ୟାତିର ବ୍ୟାପକତା ଆମେ ଭାରତୀୟମାନେ ଦେଖିପାରିନାହୁଁ କିମ୍ବା ଗାନ୍ଧୀଙ୍କ ପ୍ରତି ଅତ୍ୟଧିକ ଶ୍ରଦ୍ଧା ଯୋଗୁଁ ଗାନ୍ଧୀ ପ୍ରସାର ଯେତେ ବେଶୀ ହେଲେ ବି ଆମକୁ କମ୍‌ ଲାଗୁଛି। ଗାନ୍ଧୀ ତିଆରି କରିଥିବା ହଳେ ଚପଲ (ସାଣ୍ଡାଲ) ଥରେ ଇତିହାସଟିଏ ବି ସୃଷ୍ଟି କରିଦେଇଥିଲା। ଏହା ଏକ ଚର୍ଚ୍ଚିତ ଆନ୍ତର୍ଜାତିକ ଘଟଣା ହୋଇଯାଇଥିଲା। ବିଖ୍ୟାତ ଆମେରିକୀୟ ସାମ୍ବାଦିକ ଲୁଇ ଫିସର ତାଙ୍କ ସମ୍ପାଦିତ, ‘ଦି ଏସେନ୍‌ସିଆଲ ଗାନ୍ଧୀ’ ପୁସ୍ତକରେ ଏ ଘଟଣାର ଅବତାରଣା କଲା ବେଳେ ଅତ୍ୟନ୍ତ ଭାବୁକ ହୋଇଯାଆନ୍ତି।

‘୧୯୧୪ ମସିହା ଜୁଲାଇରେ ଗାନ୍ଧୀଜୀ ସବୁ ଦିନ ପାଇଁ ଦକ୍ଷିଣ ଆଫ୍ରିକା ଛାଡ଼ିବା ବେଳେ ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକାର ତତ୍କାଳୀନ ଶାସନ ମୁଖ୍ୟ ଜେନେରାଲ ସ୍ମଟ୍‌ସଙ୍କୁ କସ୍ତୁରବାଙ୍କ ସହ ସାକ୍ଷାତ୍‌ କରାଇଥିଲେ। ସାକ୍ଷାତ୍‌ ସମୟରେ ସ୍ମଟ୍‌ସଙ୍କ ପାଇଁ ଗାନ୍ଧୀ ନିଜେ ତିଆରି କରିଥିବା ହଳେ ଚପଲ ଉପହାର ଭାବେ ନେଇଥିଲେ। ସ୍ମଟ୍‌ସ ସେହି ଜୋତାକୁ ପ୍ରତି ବର୍ଷ ଖରା ଦିନେ ତାଙ୍କ ଫାର୍ମ ହାଉସ୍‌ରେ ପିନ୍ଧୁଥିଲେ। ୧୯୩୯ ମସିହାରେ ଗାନ୍ଧୀଜୀଙ୍କ ୭୦ତମ ଜୟନ୍ତୀରେ ସ୍ମଟ୍‌ସ ଏହାକୁ ଗାନ୍ଧୀଙ୍କ ପାଖକୁ ଫେରାଇ ଦେଇ ଏକ ଚିଠି ଲେଖି ଜଣାଇଥିଲେ- ‘ଆପଣଙ୍କ ଏ ଚପଲ ମୁଁ ପ୍ରତି ବର୍ଷ ଖରା ଦିନ ଆସିଲେ ପିନ୍ଧେ। ଅନେକ ବର୍ଷ ଧରି ଏହାକୁ ପିନ୍ଧିଛି, ଯଦିଓ ମୁଁ ଜାଣେ, ଆପଣ ଏବେ ଏତେ ମହାନ ଯେ ଏ ଜୋତା ପିନ୍ଧି ଛିଡ଼ା ହେବାକୁ ମୋର ଯୋଗ୍ୟତା ନାହିଁ। ମୋ ଭାଗ୍ୟ ଦୋଷ ଥିଲା, ଆପଣଙ୍କୁ ଯେତେବେଳେ ଲୋକମାନେ ବହୁତ ସମ୍ମାନ କରୁଥିଲେ, ମୁଁ ସେତେବେଳେ ଆପଣଙ୍କୁ ବିରୋଧ କରୁଥିଲି। ଅାପଣଙ୍କର ସେତେବେଳେ ମୁଁ ଜଣେ ଚରମ ପ୍ରତିଦ୍ବନ୍ଦ୍ବୀ ଥିଲି। ଆପଣ କେତେବେଳେ ବି ପରିସ୍ଥିତିର ମାନବୀୟ ମୂଲ୍ୟବୋଧକୁ ଭୁଲି ନ ଥିଲେ, କେବେ ବି କ୍ରୋଧ କରି ନ ଥିଲେ। କିମ୍ବା କାହାକୁ କେବେ ଘୃଣା କରି ନ ଥିଲେ। ଯେ କୌଣସି ଖରାପ ସମୟ ଆସିଲେ ବି ଆପଣ ସବୁ ସମୟରେ ଶାନ୍ତ ରହୁଥିଲେ, ଅବଶ୍ୟ ସେତେବେଳର ଆମ ଶାସନ ଆପଣଙ୍କ ପ୍ରତି ବହୁତ ନିଷ୍ଠୁର ଓ ପାଶବିକ ଥିଲା। ଆପଣ ଏବେ ସାରା ପୃଥିବୀରେ ଏତେ ମହାନ ଯେ ମୋ ମାପରେ ଆପଣ ତିଆରି କରିଥିବା ଜୋତାକୁ ପିନ୍ଧିବାକୁ ମୁଁ ଅଯୋଗ୍ୟ।’

ଏହା ସତ ଯେ ଗାନ୍ଧୀଙ୍କ ପରି ଏକ ବିଶିଷ୍ଟ ଆନ୍ତର୍ଜାତିକ ବ୍ୟକ୍ତିତ୍ୱଙ୍କ ମାହାତ୍ମ୍ୟର ପ୍ରସାର ପାଇଁ ସବୁ ସମୟରେ ପୃଥିବୀ ସାରା ଚେଷ୍ଟା ଥିଲା। କୃଷ୍ଣକାୟଙ୍କ ଅଧିକାର ପାଇଁ ଅହିଂସାରେ ଲଢ଼ୁଥିବା ଦକ୍ଷିଣ ଆଫ୍ରିକାର ନେଲ୍‌ସନ ମାଣ୍ଡେଲା ଏବଂ ଆମେରିକାର ମାର୍ଟିନ ଲୁଥର କିଙ୍ଗ୍‌ ଜୁନିଅରଙ୍କ ଆଦର୍ଶ ବି ଥିଲେ ଗାନ୍ଧୀ। ଉଭୟେ ନୋବେଲ ବିଜେତା ଏ କଥାକୁ ସ୍ୱୀକାର କରିବାରେ କେବେ କୁଣ୍ଠା ବି କରି ନ ଥିଲେ, ଯଦିଓ ସ୍ବୟଂ ଗାନ୍ଧୀଙ୍କୁ ନୋବେଲ ପୁରସ୍କାର ମିଳି ନ ଥିଲା। ୧୯୬୫ ମସିହା ମାର୍ଚ୍ଚ ୨୧ ତାରିଖରେ ଠିକ ଦାଣ୍ଡିଯାତ୍ରା ଢାଞ୍ଚାରେ ଆମେରିକାରେ ନିଗ୍ରୋମାନଙ୍କ ଭୋଟ ଦାନ ଅଧିକାର ନେଇ କିଙ୍ଗ୍‌ ଏକ ଅହିଂସ ପଦଯାତ୍ରାର ଆୟୋଜନ କରିଥିଲେ ଏବଂ ପଦଯାତ୍ରା ଶେଷରେ କିଙ୍ଗ୍‌ଙ୍କ ସ୍ପଷ୍ଟୋକ୍ତି ଥିଲା, ‘ଗାନ୍ଧୀଙ୍କ ଦାଣ୍ଡିଯାତ୍ରା ପରି ସେଲମା-ମଣ୍ଟେଗାମେରୁ ପଦଯାତ୍ରା ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ହୋଇ ରହିବ। କିନ୍ତୁ ଆଶ୍ଚର୍ଯ୍ୟ, ଗାନ୍ଧୀଙ୍କ ପରି ଏକ ଶାନ୍ତିପ୍ରିୟ ଅହିଂସ ମଣିଷକୁ ଆମେ ଏଠି ହତ୍ୟା କରିପାରିଛୁ। ଠିକ ଯେମିତି ଯୀଶୁ ଖ୍ରୀଷ୍ଟ ଏବଂ ଅାବ୍ରାହାମ ଲିଙ୍କନଙ୍କୁ ଆମେ ହତ୍ୟା କରିଛୁ।’

ଗାନ୍ଧୀଜୀଙ୍କ ପଞ୍ଚସ୍ତରିତମ ଜନ୍ମ ଜୟନ୍ତୀ, ୧୯୪୪ ମସିହା ଅକ୍ଟୋବର ୨ ତାରିଖରେ ବିଶିଷ୍ଟ ବୈଜ୍ଞାନିକ ଆଇନଷ୍ଟାଇନ ଯେଉଁ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ, ତାହା ଗାନ୍ଧୀ ମାହାତ୍ମ୍ୟର ସର୍ବକାଳୀନ ଦଲିଲଟିଏ ହୋଇ ରହିଯାଇଛି। ଆଇନଷ୍ଟାଇନଙ୍କ ଭାବୋକ୍ତି ଥିଲା- ‘ଏ ପଞ୍ଚସ୍ତରି ବର୍ଷ ପୂର୍ତ୍ତି ଉତ୍ସବ ଜଣେ ବ୍ୟକ୍ତିଙ୍କର ଯିଏ କୌଣସି ବାହ୍ୟ ଶକ୍ତି କିମ୍ବା କୌଣସି ଶାସକର ସମର୍ଥନ ନ ନେଇ ଲୋକଙ୍କର ଜଣେ ପ୍ରଖ୍ୟାତ ନେତା ହୋଇ ପାରିଛନ୍ତି। ସେ ଜଣେ ପ୍ରକୃତ ରାଜନେତା ଯାହାଙ୍କର ସଫଳତା କୌଣସି ଆଧୁନିକ ଯନ୍ତ୍ର ଉପରେ ନିର୍ଭର କରିନି। ସେ ଜଣେ କୁଶଳୀ ବକ୍ତା ଯିଏ ଲୋକଙ୍କୁ ସହଜରେ ବୁଝେଇ ଦେଇ ପାରନ୍ତି। ସେ ଜଣେ ବିଜୟୀ ସଂଗ୍ରାମୀ, ଯିଏ ସଂଗ୍ରାମରେ ବଳ ପ୍ରୟୋଗ କରନ୍ତି ନାହିଁ। ସେ ଜଣେ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ, ଯିଏ ଜ୍ଞାନ ଆଉ ସରଳତାକୁ ସାଧାରଣ ଲୋକଙ୍କ ସମୃଦ୍ଧି ପାଇଁ ବ୍ୟବହାର କରିଥାଆନ୍ତି। ସେ ଜଣେ ସରଳ ମଣିଷ, ଯିଏ ବର୍ବର ଇଂରେଜ ଶାସକଙ୍କୁ ମର୍ଯ୍ୟାଦାର ସହ ମୁକାବିଲା କରିପାରିଛନ୍ତି। ବାସ୍ତବତା ହେଲା, ଆଗାମୀ ପିଢ଼ି ହୁଏ’ତ ବିଶ୍ୱାସ କରିପାରିବନି, ରକ୍ତ ମାଂସଧାରୀ ଏପରି ଜଣେ ମଣିଷ ଦିନେ ଏ ଧରା ପୃଷ୍ଠରେ ଚଳପ୍ରଚଳ କରୁଥିଲା।’ ଗାନ୍ଧୀଙ୍କ ଜନ୍ମ ଦିନ ଏବେ ଜାତିସଂଘ ଘୋଷିତ ବିଶ୍ୱ ଅହିଂସା ଦିବସ। ଗାନ୍ଧୀଙ୍କୁ ନେଇ ଗାନ୍ଧୀଙ୍କ ଜୀବନ କାଳ ଭିତରେ ଅନେକ କିଛି ଲେଖାଯାଇଥିଲା, ଏବେ ବି ଲେଖାଯାଉଛି; ସିନେମା ଏବଂ ନାଟକ ହେଉଛି। ଗାନ୍ଧୀଜୀଙ୍କ ଖ୍ୟାତି କିନ୍ତୁ ଗାନ୍ଧୀ ବିଚାର ପାଇଁ ବଢ଼ିଛି ଓ ବଞ୍ଚିଛି।
ମୋ- ୯୮୬୧୪୬୯୩୨୮

ସମ୍ବନ୍ଧିତ ଖବର