କାନ୍ଥର କାନ

କଥିତ ଅଛି ଯେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ପ୍ରାଚୀନ ଗ୍ରୀସ୍‌ର ସାଇରାକସ ପ୍ରଦେଶର ଏକଛତ୍ରବାଦୀ ଶାସକ ଡାୟୋଜିନସ ପଥର କାନ୍ଥରେ ଗୋଟିଏ କର୍ଣ୍ଣ ଆକୃତିର ଖୋଲ ଖୋଳି ତହିଁରେ କାନ ଳଗାଇ କାରାଗାରର ବନ୍ଦୀମାନଙ୍କ କଥାବାର୍ତ୍ତାକୁ ସନ୍ତର୍ପଣରେ ଶୁଣୁଥିଲେ। ଏହା ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା, ତାହା କହିବା ଅନାବଶ୍ୟକ। ସମ୍ଭବତଃ ଗୁପ୍ତଚର-ଗିରିର ଏହି ଉପାଖ୍ୟାନରୁ ‘କାନ୍ଥର କାନ’ ଭଳି କଥାଟି ଜନ୍ମ ଲାଭ କରିଥିବ। ପ୍ରବାଦ ଅଛି ଯେ ଚାଣକ୍ୟଙ୍କ ବିଚକ୍ଷଣ ପରାମର୍ଶ କ୍ରମେ ମୌର୍ଯ୍ୟ ଚନ୍ଦ୍ରଗୁପ୍ତଙ୍କ ସାମ୍ରାଜ୍ୟରେ ଅସ˚ଖ୍ୟ ଗୁପ୍ତଚର ‘ରାଜାଙ୍କ କାନ’ ହୋଇ ସର୍ବତ୍ର ବିଚରଣ କରୁଥିଲେ। ଏହା ଦ୍ବାରା ରାଜ ସତ୍ତା ବିରୋଧୀ କାର୍ଯ୍ୟକଳାପ ପ୍ରଶ୍ରୟ ଲାଭ କରିବାର ସୁଯୋଗ ପାଉ ନ ଥିଲା, ଯାହା ରାଜତନ୍ତ୍ରୀୟ ଶାସନ ଲାଗି ହୁଏ’ତ ଅନିବାର୍ଯ୍ୟ ଥିଲା। କିନ୍ତୁ ଏବର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଯେଉଁଠି ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ହେଉଥିବା ସାଧାରଣ ନିର୍ବାଚନ କୌଣସି ଏକ ଦଳକୁ କ୍ଷମତାସୀନ କରାଇଥାଏ, ତହିଁରେ ପୂର୍ବ କାଳର ରାଜାମାନଙ୍କ ଭଳି ନାଗରିକର ବ୍ୟକ୍ତିଗତ ଜୀବନ ପରିସରକୁ ତାର ଅଲକ୍ଷ୍ୟରେ ପ୍ରବେଶ କରି ବିଭିନ୍ନ ତଥ୍ୟ ଆହରଣ କରିବାର ଉଦ୍ୟମ ଅତ୍ୟନ୍ତ ଅସମୀଚୀନ ମନେ ହୋଇଥାଏ। ସେହି ପରିପ୍ରେକ୍ଷୀରେ କୁହାଯାଇ ପାରେ କି ଗଲା ଜୁଲାଇ ମାସରେ ‘ପେଗାସସ୍‌’ ଗୁପ୍ତଚର ଗିରି ଘଟଣା ପ୍ରକାଶ୍ୟ ହୋଇ କେନ୍ଦ୍ର ସରକାରଙ୍କ ସକାଶେ ଅସ୍ବସ୍ତିର କାରଣ ହୋଇଥିଲା। ଯଦିଓ ଏଥିରେ କେନ୍ଦ୍ର ସରକାର ନିଜ ସ˚ପୃକ୍ତି ବିଷୟ ଅସ୍ବୀକାର କରିଥିଲେ, ତାହା ବିଶ୍ବାସଯୋଗ୍ୟ ନ ହୋଇ ଏ ସ˚ପର୍କିତ ୧୨ଟି ମାମଲା ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ନିକଟକୁ ଯାଇଥିଲା, ଯାହାର ବିଚାର କରି ମୁଖ୍ୟ ବିଚାର ପତି ଏନ୍‌. ଭି. ରମନ୍ନାଙ୍କ ନେତୃତ୍ବରେ ଗଠିତ ତିନି ଜଣିଆ ଖଣ୍ତପୀଠ ଗଲା ବୁଧବାର ଦିନ ଏକ ମହତ୍ତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏହି ସ˚ଦର୍ଭରେ ମାନ୍ୟବର ଅଦାଲତ ‘ପେଗାସସ୍’ ଘଟଣାର ଗଭୀର ଅନୁସନ୍ଧାନ ସକାଶେ ଏକ ତିନି ଜଣିଆ ଟେକ୍‌ନିକାଲ କମିଟି(ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଆର୍‌. ଭି. ରବୀନ୍ଦ୍ରନଙ୍କ ଅଧୢକ୍ଷତାରେ) ଗଠନ କରିଛନ୍ତି। ଖଣ୍ଡପୀଠଙ୍କ ରାୟରେ ନାଗରିକଙ୍କ ବ୍ୟକ୍ତିଗତ ଗୋପନୀୟତା ରକ୍ଷାକୁ ଏକ ମୌଳିକ ଅଧିକାର ରୂପେ ବର୍ଣ୍ଣନା କରି ଏଥିରେ ସରକାରଙ୍କ ଅନଧିକାର ପ୍ରବେଶକୁ ଖଣ୍ତପୀଠ ସମାଲୋଚନା କରିଛନ୍ତି।

ସମସ୍ତଙ୍କ ସ୍ମରଣରେ ଥିବ ଯେ ‘ପେଗାସସ୍‌’ ସଫ୍‌ଟ‍େଵର୍ ବ୍ୟବହାର କରି ଯେଉଁ ଭାରତୀୟମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି ବୋଲି ଗଣମାଧୢମରେ ଏକ ତାଲିକା ପ୍ରକାଶ ପାଇଥିଲା, ତହିଁରେ ଏଭଳି (ପୂର୍ବତନ ମୁଖ୍ୟ ବିଚାରପତି, ବର୍ତ୍ତମାନର ସୂଚନା ପ୍ରଯୁକ୍ତି ବିଭାଗର ମନ୍ତ୍ରୀ, ବିରୋଧୀ ଦଳର ସା˚ସଦ, ବରିଷ୍ଠ ସାମ୍ବାଦିକ, ସମାଜ-କର୍ମୀଙ୍କ ପର୍ଯ୍ୟନ୍ତ) ଅନେକଙ୍କ ନାମ ଅନ୍ତର୍ଭୁକ୍ତ ଥିବା ଦେଖିବାକୁ ମିଳିଥିଲା, ଯେଉଁମାନେ ‘ରାଷ୍ଟ୍ରୀୟ ସୁରକ୍ଷା’ ପ୍ରତି ବିପଦର କାରଣ ହେବାର ଭୟ ଅମୂଳକ। ପ୍ରକାଶ ଥାଉ କି ‘ରାଷ୍ଟ୍ରୀୟ ସୁରକ୍ଷା’ର ଦ୍ବାହି ଦେଇ ସରକାର ବିଭିନ୍ନ ସମୟରେ ନାଗରିକଙ୍କ ବ୍ୟକ୍ତିଗତ ଗୋପନୀୟତାର ପରିସରରେ ଅନଧିକାର ପ୍ରବେଶ କରିଥାଆନ୍ତି। ଏହି ସ˚ଦର୍ଭରେ ଯେଉଁ କଥାଟି ଗୁରୁତ୍ବପୂର୍ଣ୍ଣ ତାହା ହେଲା ଏହି ଗୁପ୍ତଚର କାର୍ଯ୍ୟରେ ‘ପେଗାସସ୍‌’ ସଫଟ‍େଵର‌୍‌ର ବ୍ୟବହାର; କାରଣ ଏହି ସଫ୍‌ଟ‍େଵର‌୍‌ର ପ୍ରସ୍ତୁତକାରୀ ତଥା ଯୋଗାଣକାରୀ ରାଷ୍ଟ୍ର ଇସ୍ରାଏଲ୍‌ ଅନୁସାରେ ଏହାକୁ କ୍ରୟ କରିବାର ଅନୁମତି କେବଳ କୌଣସି ରାଷ୍ଟ୍ରର ସରକାର ହିଁ ପାଇଥାଆନ୍ତି। ସୁତରା˚, ଭାରତରେ ପେଗାସସ୍‌ର ଉପସ୍ଥିତି ଏବ˚ ବ୍ୟବହାର ସରକାରଙ୍କ ଅଗୋଚରରେ ହୋଇଥିବା ବିଶ୍ବାସଯୋଗ୍ୟ ହୋଇ ନ ଥାଏ। ତେଣୁ ଏଭଳି ଏକ ସ୍ଥିତିରେ ଯଦି ସରକାର ଏହାର ବ୍ୟବହାର କରିଥିବା ବିଷୟ ଅସ୍ବୀକାର କରନ୍ତି, ତେବେ ଏଭଳି ସ୍କାଣ୍ଡାଲ କିଭଳି ସମ୍ଭବ ହେଲା, ସେ ନେଇ ତୁରନ୍ତ ଏକ ଅନୁସନ୍ଧାନର ସୂତ୍ରପାତ କରାଯିବା ସର୍ବନିମ୍ନ ଦାୟିତ୍ବ ଥିଲା। କିନ୍ତୁ ଏ ନେଇ ସରକାରଙ୍କ ନିରୁଦ୍‌ବିଗ୍ନତା କେବଳ ଦେଶବାସୀଙ୍କ ଚକିତ କରି ନ ଥିଲା, ଖଣ୍ତପୀଠଙ୍କୁ ମଧୢ ବିସ୍ମିତ କରିଛି ଏବ˚ ସରକାରଙ୍କ ଏଭଳି ଅସ୍ପଷ୍ଟ ଆଭିମୁଖ୍ୟ ହିଁ ତାଙ୍କୁ ଅଦାଲତ ଦ୍ବାରା ଭର୍ତ୍ସନାର ଶରବ୍ୟ କରିଛି।

ଖଣ୍ଡପୀଠ କହିଛନ୍ତି ଯେ ମୌଳିକ ଅଧିକାର ପର୍ଯ୍ୟାୟଭୁକ୍ତ ‘ବ୍ୟକ୍ତିଗତ ଗୋପନୀୟତା ରକ୍ଷା’କୁ ଯଥେଷ୍ଟ କାରଣ ନ ଥାଇ ‘ରାଷ୍ଟ୍ରୀୟ ସୁରକ୍ଷା’ ଆଳରେ କ୍ଷୁଣ୍ଣ କରା ଯାଇ ନ ପାରେ। ତା ଛଡ଼ା’ ଏହି ରାୟରେ ଆଉ ଯେଉଁ ମହତ୍ତ୍ବପୂର୍ଣ୍ଣ ବିଷୟଟି ସ୍ପଷ୍ଟତା ଲାଭ କରିଛି, ତାହା ହେଲା ଗଣମାଧୢମର ସ୍ବାଧୀନତା; ଯାହା ସରକାରଙ୍କ ନିରବଚ୍ଛିନ୍ନ ମର୍ମଭେଦୀ ଦୃଷ୍ଟି ତଳେ କଣ୍ଠରୁଦ୍ଧ ହେବା ଅବସ୍ଥାକୁ ଚାଲି ଆସିପାରେ। ଏହି କ୍ରମରେ ସାମ୍ବାଦିକମାନେ ସେମାନଙ୍କ ତଥ୍ୟର ଉତ୍ସକୁ ଉନ୍ମୋଚନ କରିବାକୁ କୌଣସିମତେ ବାଧୢ ନୁହନ୍ତି ବୋଲି ମଧୢ ଏହି ରାୟରେ କୁହାଯାଇଛି। ସୁତରାଂ, ନାଗରିକର ‘ବ୍ୟକ୍ତିଗତ ଗୋପନୀୟତାର ଅଧିକାର’ ସ˚ଦର୍ଭରେ ରାଷ୍ଟ୍ରର ହସ୍ତକ୍ଷେପକୁ ନାପସନ୍ଦ କରିଥିବାର ସ୍ପଷ୍ଟ ବାର୍ତ୍ତା ପ୍ରେରଣ କରି ଏହି ରାୟ ଏକ ଐତିହାସିକ ନିଷ୍ପତ୍ତିରେ ପରିଣତ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

ବ୍ୟକ୍ତିଗତ ଗୋପନୀୟତା ସ˚ପର୍କରେ ତାଙ୍କ ପ୍ରସିଦ୍ଧ ଉପନ୍ୟାସ ‘୧୯୮୪’ରେ ଜର୍ଜ ଅର‍େଵଲଙ୍କ ଯେଉଁ ଏକ ଅତ୍ୟନ୍ତ ଲୋକପ୍ରିୟ ବାକ୍ୟ ରହିଛି, ତାର ଓଡ଼ିଆ ମର୍ମାର୍ଥ ହେଲା- ତୁମେ ଯାହାକୁ ଅତ୍ୟନ୍ତ ଗୋପନୀୟ ରଖିବାକୁ ଚାହଁ, ତାକୁ ନିଜ ଠାରୁ ମଧୢ ଲୁଚାଇ ରଖ।’(ଏହି ରାୟରେ ଏହା ଏକ ଉଦ୍ଧୃତି ଭାବେ ମଧ୍ୟ ବ୍ୟବହୃତ)। ୧୯୮୪ ଉପନ୍ୟାସର ବିଷୟବସ୍ତୁ ଅନୁଯାୟୀ ତା’ ନ ହେଲେ ତୁମର ଅତ୍ୟନ୍ତ ଗୋପନୀୟ କଥା କାନକୁ ଦି କାନ ହେବା ମାତ୍ରକେ ‘ବିଗ୍‌ ବ୍ରଦର‌୍‌’ଙ୍କ ନିକଟରେ ପହଞ୍ଚିଯିବ। ଉଲ୍ଲେଖଯୋଗ୍ୟ ଯେ ସେହି ଉପନ୍ୟାସରେ ‘ବିଗ୍‌ ବ୍ରଦର’ ହେଉଛନ୍ତି ଏକ ଅତ୍ୟନ୍ତ ସ୍ବେଚ୍ଛାଚାରୀ ଶାସକଙ୍କ ରୂପକଳ୍ପ। କିନ୍ତୁ ଏହା ମଧୢ ସତ ଯେ କୌଣସି ବ୍ୟକ୍ତି ତା’ର ଗୋପନୀୟ ତଥ୍ୟକୁ କେବଳ ନିଜ ହୃଦୟ ଗହ୍ବରରେ ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ସାଇତି ରଖିପାରିବା ଏକ ଅସମ୍ଭବ ବ୍ୟାପାର। ସୁତରା˚, ସେ ବିଶ୍ବାସ କରୁଥିବା ତା’ର ଅତ୍ୟନ୍ତ ଅନ୍ତରଙ୍ଗଙ୍କ ନିକଟରେ ଏହା ପ୍ରକାଶ କରିବ, ଯେଉଁ କାରଣରୁ ତଥ୍ୟଟି ତା’ର ଗୋପନୀୟତା ଆ˚ଶିକ ଭାବେ ହରାଇବ। କିନ୍ତୁ, ଏଥିରେ ବ୍ୟକ୍ତିର ଯେଉଁ ଅଧିକାରଟି ପ୍ରା˚ଜଳ, ତାହା ହେଲା ନିଜ ଗୋପନୀୟତାକୁ ଉନ୍ମୋଚନ କରିବାରେ ନିଜ ପସନ୍ଦର ଉପଯୋଗ। ସରକାର ଯେ ନାଗରିକର ଏହି ପସନ୍ଦ ତାଲିକାରେ ଆଦୌ ନ ଥାଆନ୍ତି, ତାହା କହିବାର ଆବଶ୍ୟକତା ନାହିଁ। ସେଥି ଲାଗି ବିଭିନ୍ନ ସମୟରେ ସରକାର ଲୋଡୁଥିବା ବ୍ୟକ୍ତିଗତ ‘ଡାଟା’ ହସ୍ତାନ୍ତର କରିବା ବେଳେ ନାଗରିକମାନଙ୍କ ପକ୍ଷରୁ ଅଜସ୍ର ଆପତ୍ତି ଉଠିଥାଏ; ଏହାର କାରଣ ସରକାରଙ୍କ ଏଭଳି ଉଦ୍ଦେଶ୍ୟ ପଛରେ ସରକାର ବିରୋଧୀ ବ୍ୟକ୍ତିବିଶେଷଙ୍କ ଦମନର ଇଚ୍ଛା ନିହିତ ବୋଲି ଏକ ଆଶଙ୍କା ବଦ୍ଧମୂଳ ହୋଇଥାଏ। କହିବା ଅନାବଶ୍ୟକ ଯେ ଅନେକ ସମୟରେ ଏହି ଭଳି ବ୍ୟକ୍ତିବିଶେଷଙ୍କ ଗିରଫଦାରି ଇତ୍ୟାଦି ଦ୍ବାରା ଏହା ସାବ୍ୟସ୍ତ ହୋଇଯାଇଛି ମଧୢ।

‘ପେଗାସସ୍‌’ ନେଇ ଏତେ ବାଦ-ବିବାଦ ଚାଲିଥିବା ବେଳେ ଏକ ଘୋର ବିଡ଼ମ୍ବନା ସ୍ବରୂପ ଯାହା ଦୃଶ୍ୟମାନ ହେଉଛି, ତାହା ହେଲା ଅତ୍ୟନ୍ତ ଶସ୍ତାରେ ଗୁପ୍ତଚରଗିରି କରିପାରୁଥିବା କ୍ଷୁଦ୍ରାତିକ୍ଷୁଦ୍ର ଯନ୍ତ୍ରମାନ ସର୍ବତ୍ର ଉପଲବ୍‌ଧ ହୋଇ ଆମର ଅତ୍ୟନ୍ତ ଗୋପନୀୟ ବ୍ୟକ୍ତିଗତ ବ୍ୟାପାରଗୁଡ଼ିକୁ ଏଭଳି ଅନାୟାସରେ ଉନ୍ମୋଚନ କରିବାରେ ଲାଗିଛନ୍ତି ଯେ ଜନସାଧାରଣ ନିଜ ଗୃହର ଚାରି କାନ୍ଥ ମଧୢରେ ଯେ କୌଣସି ଏକ ଗୁପ୍ତ କ୍ୟାମେରା ବା ଲୁକ୍କାୟିତ ‘ବଗି˚’ ଯନ୍ତ୍ରର ଅଧୀନରେ ନାହାନ୍ତି, ସେ ନେଇ ନିଶ୍ଚିତ ହୋଇପାରୁନାହାନ୍ତି। ଏଭଳି ଏକ ବିଶ୍ବାସ-ହାନିର ବାତାବରଣରେ କୌଣସି ବିଶେଷ କାରଣ ନ ଥାଇ ସରକାର ଏକ ସର୍ବଦ୍ରଷ୍ଟା ଭୂମିକାରେ ଅବତୀର୍ଣ୍ଣ ହେବାର ଅର୍ଥ ସାଧାରଣ ଜୀବନକୁ ଦୁର୍ବିଷହ କରି ପକାଇବା। ଏହା ମଧୢ ସ୍ବୀକାର୍ଯ୍ୟ ଯେ ରାଷ୍ଟ୍ରୀୟ ସୁରକ୍ଷା ବ୍ୟାପାର ସର୍ବାଧିକ ଗୁରୁତ୍ବ ଲାଭ କରିବା ଜରୁରୀ। କିନ୍ତୁ ଏହାକୁ ଏକ ସହଜ ଆଳ କରି କାନ୍ଥରେ କାନ ଗଜୁରାଇବାର ସରକାରୀ ପ୍ରଚେଷ୍ଟା ଅବା˚ଛନୀୟ।

ସମ୍ବନ୍ଧିତ ଖବର