ସୁନ୍ଦରୀ ଭୁବନେଶ୍ୱର ପ୍ରେମରେ ଥରେ ଯିଏ ପଡ଼ିଛି, ସେ ପାଗଳ ହୋଇଛି। ଦିନ ମଜୁରିଆ ଠୁ ଆରମ୍ଭ କରି ଅଫିସର, ନେତା ପର୍ଯ୍ୟନ୍ତ। ତା’ ଠାରୁ ଯେ ଅନ୍ୟ ସରସ ସୁନ୍ଦର ସହର ନାହାନ୍ତି- ତାହା ମଧ୍ୟ ନୁହଁ। ହେଲେ, ଥରେ ଯିଏ ଏ ସହରରେ ପାଦ ଥାପିଛି- ସେ ଆଉ ଫେରିବାକୁ ଚାହିଁ ନାହିଁ। କୁହୁକିନୀ ଭୁବନେଶ୍ୱରର ମାୟା ପାଶରୁ ମୁକୁଳିବା କ’ଣ ଏତେ ସହଜ? ତା’ର ମାଟି ଅଲଗା, ତା’ର ପାଣି, ପବନ ମଧ୍ୟ ଅଲଗା। ଏଠି ମଣିଷ-ମଣିଷ ଭିତରେ ସମ୍ପର୍କ ସୌଜନ୍ୟମୂଳକ ହୋଇଥାଇପାରେ; ହେଲେ ଏହାର ମାଦକତା ଭିନ୍ନ।
ଏହିଭଳି ଏକ ପୃଷ୍ଠଭୂମିରେ ଦୁଇ ଭୁବନେଶ୍ବରିଆ ବନ୍ଧୁଙ୍କର ସାକ୍ଷାତ୍ ହୋଇଛି କୌଣସି ଏକ ରବିବାର ସକାଳେ। ଗଲା ଦୁଇ ବର୍ଷ ଧରି ବ୍ୟକ୍ତିଗତ ସାକ୍ଷାତ୍-ଆଲୋଚନା ତ ଥିଲା ଏକ ଦୁରନ୍ତ ସ୍ବପ୍ନ। କରୋନାର ତୃତୀୟ ଲହରି ପରେ ପରେ ଏବେ ଜୀବନ ଯାତ୍ରା ସାମାନ୍ୟ ହେବାକୁ ଆରମ୍ଭ ହୋଇଥିବା ବେଳେ ଦ୍ବିବେଦୀ ବାବୁ ଏବଂ ପଟ୍ଟନାୟକ ବାବୁଙ୍କର ଭେଟ ହୋଇଛି। ଦୁଇ ଜଣ ଭୁବନେଶ୍ୱରର ବାସିନ୍ଦା, ପ୍ରାୟ ତିନି ଦଶନ୍ଧିରୁ ଅଧିକ କାଳ ଏଇଠି କାଟି ଦେଲେଣି। ବାଣୀବିହାରରେ ପିଜି କରିବା ପରଠୁ ସେମାନଙ୍କର ରହଣି। ଦ୍ବିବେଦୀ ବାବୁ ଏହି ଦୀର୍ଘ ସମୟ ମଧ୍ୟରେ ଭୁବନେଶ୍ୱର ବାହାରକୁ ଯିବାର ସୁଯୋଗ ପାଇ ନ ଥିବା ବେଳେ ପଟ୍ଟନାୟକ ବାବୁ କିନ୍ତୁ ୩-୪ ଥର ବଦଳି ହୋଇଛନ୍ତି। କିନ୍ତୁ, ବାହାରକୁ ଗଲେ ମଧ୍ୟ ଭୁବନେଶ୍ୱରରେ ମନ। ଘର ଦ୍ୱାର କରି ସେ ସ୍ଥାୟୀ ଭୁବନେଶ୍ବରିଆ ପାଲଟି ଯାଇଥିବା ବେଳେ ଦ୍ବିବେଦୀ ବାବୁ କିନ୍ତୁ ସେ ଦୃଷ୍ଟିରୁ ଆଗେଇ ପାରି ନାହାନ୍ତି। ଘର କରିବା ତ ଦୂରର କଥା, ଜାଗା ଖଣ୍ଡେ ବି କିଣି ପାରି ନାହାନ୍ତି। ସରକାରୀ କ୍ୱାର୍ଟର୍ସ୍ରେ ୨୫-୩୦ ବର୍ଷ କାଟି ଦେଲେଣି। ଏବେ ଚାକିରିରୁ ଅବ୍ୟାହତି ନେବାର ସମୟ ଆସନ୍ତେ, ଏହା ପରେ କେଉଁଠି ରହିବେ- ତାହା ହିଁ ମୁଖ୍ୟ ଚିନ୍ତା। ଗାଁକୁ ଫେରିବା ପାଇଁ ଯେ ମନ ନାହିଁ, ତାହା ନୁହଁ। ହେଲେ ଆଗକୁ ବୟସ ବଢ଼ିବା ସହିତ ଦେହ ପା ଭଲ ମନ୍ଦ କଥା ଅଛି। ସେତେବେଳେ ତ ପୁଣି ଭୁବନେଶ୍ୱର କିମ୍ବା କଟକ ଦୌଡ଼ିବାକୁ ପଡ଼ିବ!
ପଟ୍ଟନାୟକ ବାବୁ ସ୍କୁଟିଟାକୁ ଠିଆ କରି ପଚାରିଲେ- ‘ଆଉ କେମିତି ଅଛ? ଢେର୍ ଦିନ ପରେ ଦେଖା ସାକ୍ଷାତ୍ ହେଲା। ଜାଗା ଫାଗା କେଉଁଠି କିଛି କଲ?’
- ‘ନା, ଏଯାଏ ବି କିଛି କରିନାହିଁ।’ - ‘ଆରେ କିଛି ବି କଲ ନାହିଁ? ଆଉ କେବେ କରିବ? ଦିନକୁ ଦିନ ଭୁବନେଶ୍ୱରରେ ଜାଗାର ଦାମ ଯେମିତି ହୁ ହୁ ବଢ଼ି ଚାଲିଛି, ଏବେ ଲାଗିଲେ ବି ଭୁବନେଶ୍ୱର ଭିତରେ ପାଇବେ ନାହିଁ। ଟାଉନ୍ରୁ ୧୦-୧୫ କିଲୋମିଟର ଦୂରରେ ମିଳିବ। ଦେଖୁ ଦେଖୁ ଏ ସହର କେଉଁଠୁ କେଉଁଠି ପହଞ୍ଚି ଗଲା? ଏ ପଟେ ବାରଙ୍ଗ ପାରେଇ ତ୍ରିଶୂଳିଆ, ସେପଟେ ପିପିଲି ଯାଏ ଛୁଇଁ ଗଲାଣି। ଖୋର୍ଦ୍ଧା ତ ଅଲଗା ଗୋଟାଏ ଟାଉନ୍ ବୋଲି ଲାଗୁନାହିଁ। ଆଗରୁ କେତେ ଥର କହିଥିଲି ପଟିଆ ରେଳ ଷ୍ଟେସନ ପାଖରେ ୨୪୦୦ ସ୍କୋୟାର ଫୁଟ ଜାଗାଟାଏ ଅଛି। ବାଉଣ୍ଡ୍ରି ସହିତ। ତୁମେ ମଙ୍ଗିଲ ନାହିଁ।’
-‘ହଁ, ସତ କଥା। ହେଲେ ସେଥି ପାଇଁ ପୁଣି ମୋ ପାଖରେ ସମ୍ବଳ ଥିଲେ ତ? ତା’ ପରେ, ସାଙ୍ଗେସାଙ୍ଗେ ଘର କରି ନ ଥିଲେ ମୁଁ ନିଜେ ମୋ ଜାଗା ଚିହ୍ନି ପାରି ନ ଥା’ନ୍ତି। ଆଉ କିଏ ମାଡ଼ି ବସି ଥା’ନ୍ତା। ପୁଣି କାମ ଆରମ୍ଭ କରି ଦେଇଥିଲେ ବି କଣ୍ଟ୍ରାକ୍ଟରମାନଙ୍କ ଯେଉଁ ମନମାନି! ତା’ ସାଙ୍ଗକୁ ଅଫିସ ବ୍ୟସ୍ତତା। ଛାଡ଼, ମୋ କଥା। ତୁମ କଥା କୁହ। ସେହି ନୟାପଲ୍ଲୀ ଭଡ଼ା ଘରେ ଅଛଟି?’
-‘ଆରେ ନା। ନୀଳାଦ୍ରି ବିହାରରେ ଶସ୍ତାରେ ଗୋଟାଏ ଜାଗା ପାଇଗଲି। ମାତ୍ର ୩୦ ଲକ୍ଷରେ। ଛଅ ମାସରେ ଏକା ଥରକେ ୩ ମହଲା ଠିଆ କରିଦେଇଛି। ତଳ ମହଲାରେ ଗୋଟାଏ ଅଫିସ୍, ମଝିରେ ଆମେ ରହୁଛୁ। ଉପର ତାଲାରେ ଭଡ଼ାଟିଆ। ଝିଅ ଜ୍ୱାଇଁ ଜିଦ୍ କଲାରୁ ତାଙ୍କ ପାଇଁ ଶ୍ରୀରାମ ନଗରରେ ଭଲ କର୍ନର ପ୍ଲଟ୍ଟେ ରଖିଛି। ପୁଅ ବୋହୂ ବେଙ୍ଗାଲୁରୁରେ ରହିଯିବେ ବୋଲି ଲାଗୁଛି। ତଥାପି ତାଙ୍କ ପାଇଁ ରଘୁନାଥପୁର ପାଖରେ ଗୋଟାଏ ଡୁପ୍ଲେକ୍ସ କିଣିଛି। ଜମି ଦଲାଲ ଶଙ୍କର ଲଗେଇଛି ଡେରାସ ପାଖାପାଖି ଫାର୍ମ ହାଉସ୍ ଲାଗି ଜାଗା ରଖିବା ପାଇଁ। ଆଗକୁ ଭଲ ରେଟ୍ରେ ଯିବ। ଆଉ କିଛି କରି ପାରି ନାହିଁ। କେତେବେଳେ କିଏ କେମିତି କହିଲେ ଜମି କିଣା ବିକାରେ ମଧ୍ୟସ୍ଥି ହୋଇ ସାହାଯ୍ୟ କରିଦେଉଛି। ଯେତେ ଯାହା ହେଲେ ବି ଭୁବନେଶ୍ୱରରେ ମିଳିମିଶି ଚଳିବୁ। ଆଜି କରିଥିଲେ କାଲି ସେମାନେ ମୋତେ ବିପଦ ଆପଦରେ ସାହାଯ୍ୟ କରିବେ। ଗାଁ ସହିତ ସମ୍ପର୍କ ତ ପ୍ରାୟ ନାହିଁ କହିଲେ ଚଳେ। ଜ୍ଞାତିକୁଟୁମ୍ବ ଆମକୁ ଚିହ୍ନି ପାରୁ ନାହାନ୍ତି। ଆଉ ଆମେ ଗାଁ ଗାଁ ହେଲେ ବି ଆମ ପିଲାମାନେ କ’ଣ ଗାଁରେ ଚଳି ପାରିବେ? ଝିଅ ଜ୍ୱାଇଁ ଗତ ମାସ ଗୋଟାଏ ବାହାଘରକୁ ଯାଇଥିଲେ ଯେ ସେଠାକାର ଅବସ୍ଥା ଦେଖି ଟାଉନ୍ରେ ଗୋଟାଏ ହୋଟେଲ୍ରେ ରାତିକ ରହିଲେ। ଛାଡ଼ ମୋ କଥା। ଏଥର ଟିକିଏ ସିରିଅସ୍ଲି ଭାବ। ଅବସର ପରେ ସବୁ ଦିନ କ’ଣ ଭଡ଼ା ଘରେ ରହିବ?’
-‘ନା କିଛି ବି ଭାବିନାହିଁ। ଭାବି ମଧ୍ୟ ପାରୁ ନାହିଁ। ସେଥିଲାଗି ସାହସ ମଧ୍ୟ କୁଳଉ ନାହିଁ। ଦେଖେ କେଉଁ ପାଣି କେଉଁ ଆଡ଼କୁ ଯାଉଛି? ପୁଅର ପାଠ ପଢ଼ାଟା ପ୍ରଥମେ ସରିଯାଉ। ତା’ପରେ ଦେଖିବା। ତୁମେ ସାହସୀ ଲୋକ। ତେଣୁ ମାଡ଼ି ଗଲ।’
ଏତକ କହି ଦ୍ବିବେଦୀ ବାବୁ ତରତର ହୋଇ ପଟ୍ଟନାୟକ ବାବୁଙ୍କ ପାଖରୁ ମେଲାଣି ନେଲେ। ଭାବି ଥିଲେ ରବିବାରଟା ଭଲରେ କଟିବ। ହେଲେ ପଟ୍ଟନାୟକ ବାବୁଙ୍କର ଭୁବନେଶ୍ୱର ଜମି ଜାଗା ଅଭିଯାନ ବିଷୟରେ ବିସ୍ତାରିତ ବିବରଣୀ ଶୁଣି ମନଟା ଭାରାକ୍ରାନ୍ତ ହୋଇଗଲା। ମନକୁ ମନ ନିଜକୁ ବହେ ଶୋଧିଲେ- ଭୁବନେଶ୍ୱର ମାୟାରେ ସେ ପଡ଼ିଥିଲେ ସତ, ହେଲେ ତାଙ୍କ ଅନୁଭୂତିଟା ଥିଲା ଭିନ୍ନ। ସେଥିଲାଗି ଆଜି ଯେ କେହି ତାଙ୍କୁ ପଚାରି ଯେବେ ଜାଣନ୍ତି ଯେ ୩୦ ବର୍ଷ ରହଣି ମଧ୍ୟରେ ସେ ଭୁବନେଶ୍ୱରରେ ଖଣ୍ଡେ ଘର କିମ୍ବା ଜାଗା କରି ପାରି ନାହାନ୍ତି- ସେମାନେ ତାଙ୍କୁ କେମିତି କେଜାଣି ଗୋଟାଏ ବିଚିତ୍ର ଚାହାଣିରେ ଦେଖନ୍ତି। ସେ ଚାହାଣିର ତର୍ଜମା ଆହୁରି କଷ୍ଟଦାୟକ- ତା’ର ଆଲୋଚନା ଅନାବଶ୍ୟକ।
ମୋ- ୯୪୩୮୧୪୯୭୬୧
[email protected]