ଭାରତରେ ଅଧିକ ନିବେଶକ ଡଲାର୍ ପ୍ରବେଶ କଲେ ଭାରତୀୟ ମୁଦ୍ରା ‘ଟଙ୍କା’ର ଶକ୍ତିରେ ବୃଦ୍ଧି ଘଟି ତା’ର ବିନିମୟ ମୂଲ୍ୟରେ ବୃଦ୍ଧି ଘଟିପାରେ। ତାହା ଘଟିଲେ ଭାରତୀୟ ରପ୍ତାନି ବିଦେଶରେ ମହଙ୍ଗା ହୋଇ ରପ୍ତାନିକାରୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଏହାକୁ ପ୍ରତିହତ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ଯଦି ବଜାରରୁ ଅଧିକ ଡଲାର୍ କ୍ରୟ କରେ ତାହା ଅର୍ଥନୀତିରେ ଟଙ୍କାର ଯୋଗାଣରେ ବୃଦ୍ଧି ଘଟାଇ ମୁଦ୍ରାସ୍ଫୀତି ସୃଷ୍ଟି କରିପାରେ। ସର୍ବୋପରି ଏହି ସୂତ୍ରରୁ ଆସୁଥିବା ବୈଦେଶିକ ମୁଦ୍ରା ଯେହେତୁ ହେଉଛି ବସ୍ତୁତଃ ଋଣ, ସେ ଋଣଦାତାମାନେ କୌଣସି ସମସ୍ୟାର ଗନ୍ଧ ପାଇଲେ କାଳ ବିଳମ୍ବ ନକରି ସେମାନଙ୍କର ପୁଞ୍ଜିକୁ ଏଠାରୁ ପ୍ରତ୍ୟାହାର କରି ପଳାୟନ କରିପାରନ୍ତି।
କୋଭିଡ୍-୧୯ ପାଣ୍ଡେମିକ୍-ପରବର୍ତ୍ତୀ ସମୟର ପୃଥିବୀରେ ଭାରତୀୟ ଅର୍ଥନୀତି କେବଳ ଦ୍ରୁତତମ ବର୍ଦ୍ଧିଷ୍ଣୁ ବୃହତ୍ ଅର୍ଥନୀତି ରୂପେ ନୁହେଁ, ମୁଖ୍ୟତଃ ଏକ ଅସ୍ଥିରତାଶୂନ୍ୟ ଅର୍ଥନୀତି ରୂପେ ପ୍ରାୟ ସମସ୍ତ ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ବିତ୍ତୀୟ ଅନୁଷ୍ଠାନ ଓ ପର୍ଯ୍ୟବେକ୍ଷକମାନଙ୍କର ପ୍ରଶଂସାଭାଜନ ହେବାରେ ଲାଗିଛି। ଏହି ଧାରାର ଏକ ସଦ୍ୟତମ ଅଂଶ ସ୍ବରୂପ ଏବେ ପ୍ରଖ୍ୟାତ ଆମେରିକୀୟ ନିବେଶ ବ୍ୟାଙ୍କ୍ ଜେପି ମୋର୍ଗାନ୍ ଠାରୁ ଭାରତୀୟ ଅର୍ଥନୀତିକୁ ଯେଉଁ ସାର୍ଟିଫିକେଟ ମିଳିଛି, ତାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଜେପି ମୋର୍ଗାନ୍ ତା’ର ‘ଏମର୍ଜିଙ୍ଗ୍ ମାର୍କେଟ୍ ବଣ୍ଡ୍ ଇଣ୍ଡିସିଜ୍’ (ବିକାଶୋନ୍ମୁଖୀ ଅର୍ଥନୀତିମାନଙ୍କର ଋଣପତ୍ର ସୂଚକ)ରେ ଭାରତୀୟ ବଣ୍ଡ୍କୁ ଅନ୍ତର୍ଭୁକ୍ତ କରିଛି। ଏହା ଭାରତର ଅର୍ଥନୈତିକ ସ୍ଥିରତା ଓ ବିତ୍ତୀୟ ଶୃଙ୍ଖଳା ପ୍ରତି ନିବେଶକମାନଙ୍କର ବିଶ୍ବାସର ପରିଚାୟକ ହୋଇଥାଏ।
ଏଠାରେ ଯାହା ବିଶେଷ ଭାବରେ ଉଲ୍ଲେଖନୀୟ, ତାହା ହେଲା ଭାରତ ପ୍ରତିବଦଳରେ ଅଂଶଗ୍ରହଣକାରୀ ନିବେଶକମାନଙ୍କୁ କୌଣସି ଟିକସ ରିହାତି ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରି ନଥିଲେ ମଧ୍ୟ, ଜେପି ମୋର୍ଗାନ୍ ଏପରି ଏକ ପଦକ୍ଷେପ ନେବାକୁ ଆଗେଇ ଆସିଛି। ଭାରତ ଜେପି ମୋର୍ଗାନ୍ର ଯେଉଁ ଏମର୍ଜିଙ୍ଗ୍ ମାର୍କେଟ୍ ବଣ୍ଡ୍ ଇଣ୍ଡିସିଜ୍ରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛି, ତାହା ହେଉଛି ‘ଜିବିଆଇ-ଇଏମ୍ ଗ୍ଲୋବାଲ୍ ଡାଇଭର୍ସିଫାଏଡ୍ ଇଣ୍ଡେକ୍ସ ସୁଇଟ୍’ ଭଳି ଏକ ମର୍ଯ୍ୟାଦାଜନକ ସୁଇଟ୍, ଯାହା ୨୮ ଜୁନ୍, ୨୦୨୪ ଠାରୁ ବଳବତ୍ତର ହେବାକୁ ଆରମ୍ଭ କରିବ। ପରବର୍ତ୍ତୀ ଦଶ ମାସ ମଧ୍ୟରେ ତାହା ସେଇ ଇଣ୍ଡେକ୍ସର ୧୦ ଶତାଂଶରେ ପରିଣତ ହେବ।
ଆନ୍ତର୍ଜାତିକ ସ୍ତରରେ ଯେଉଁ ତିନିଗୋଟି ବୃହଦାକାର ‘ବଣ୍ଡ୍ ଇଣ୍ଡେକ୍ସ’ କାର୍ଯ୍ୟ କରିଥାନ୍ତି, ‘ଜେପି ମୋର୍ଗାନ୍ ବଣ୍ଡ୍ ଇଣ୍ଡେକ୍ସ’ ହେଉଛି ସେଥିମଧ୍ୟରୁ ଅନ୍ୟତମ। ଅନ୍ୟ ଦୁଇଗୋଟି ହେଉଛନ୍ତି ‘ଏଫ୍ଟିଏସ୍ଇ ରସେଲ୍’ ଏବଂ ‘ବ୍ଲୁମବର୍ଗ ବାର୍କଲେଜ୍’ ଇଣ୍ଡିସିଜ୍। ଭାରତୀୟ ବଣ୍ଡ୍ମାନଙ୍କରୁ ମିଳୁଥିବା ଅପେକ୍ଷାକୃତ ଉଚ୍ଚ ଆୟ ବା ‘ୟିଲ୍ଡ’ ଏବଂ ଭାରତୀୟ ମୁଦ୍ରା ‘ଟଙ୍କା’ର ଅପେକ୍ଷାକୃତ ସ୍ଥିର ବିନିମୟ ହାର ଦ୍ବାରା ଆକର୍ଷିତ ହୋଇ ସେମାନେ ମଧ୍ୟ ଅନତି ବିଳମ୍ବେ ଭାରତୀୟ ବଣ୍ଡ୍ମାନଙ୍କୁ ସେମାନଙ୍କର ଇଣ୍ଡିସିଜ୍ରେ ଅନ୍ତର୍ଭୁକ୍ତ କରିବାକୁ ଯାଉଛନ୍ତି ବୋଲି ଆଶା କରାଯାଉଛି। ଯଦି ଭାରତ ତା’ର ପୁଞ୍ଜି ହିସାବ ବା ‘କ୍ୟାପିଟାଲ୍ ଆକାଉଣ୍ଟ’ ନିୟନ୍ତ୍ରଣକୁ ଆଉ ଟିକିଏ ହୁଗୁଳା କରେ ତେବେ ଏହି ଇଣ୍ଡିସିଜ୍ମାନଙ୍କ ପାଇଁ ଭାରତୀୟ ବଣ୍ଡ୍ମାନଙ୍କର ଆକର୍ଷଣ ଆହୁରି ଶକ୍ତିଶାଳୀ ହେବ।
୨୦୧୯ରେ ବସ୍ତୁତଃ ଏହିପରି ଏକ ଆଂଶିକ ପୁଞ୍ଜି ନିୟନ୍ତ୍ରଣ କୋହଳ କରିବା ଦିଗରେ ପଦେକ୍ଷପ ନିଆଯାଇଥିଲା ଯେତେବେଳେ ସେଆର୍ ବଜାରରେ ବିଦେଶୀ ନିବେଶକ ବା ‘ପୋର୍ଟଫୋଲିଓ ଇନ୍ଭେଷ୍ଟର’ମାନଙ୍କ ପାଇଁ ଇଚ୍ଛାମୂଳକ ଧାରଣପଥ ବା ‘ଭଲ୍ୟୁଣ୍ଟାରି ରିଟେନ୍ସନ୍ ରୁଟ୍’ ନାମକ ଏକ ସୁବିଧା ଉପଲବ୍ଧ କରାଯାଇଥିଲା। ଏହା ସେଇ ନିବେଶକମାନଙ୍କ ସମ୍ମୁଖରେ ଅଧିକ ପ୍ରକାର ଋଣପତ୍ରରେ ନିବେଶ କରିବା ପାଇଁ ସୁଯୋଗ ପ୍ରଦାନ କରିଥିଲା ଏବଂ କେତେକ ନିୟନ୍ତ୍ରଣରୁ ସେମାନଙ୍କୁ ମୁକ୍ତ କରିଥିଲା। ୨୦୨୦ରେ ଏହି ସୁଯୋଗ ଆହୁରି ସଂପ୍ରସାରିତ ହୋଇଥିଲା ଯେତେବେଳେ ପ୍ରବାସୀ ନିବେଶକମାନଙ୍କୁ କୌଣସି ସର୍ବୋଚ୍ଚ ସୀମା ଲାଗୁ ନହୋଇ କେତେକ ସରକାରୀ ଋଣପତ୍ର ବା ‘ଜି-ସେକ୍’ରେ ପୁଞ୍ଜି ନିବେଶ କରିବାକୁ ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ‘ଫୁଲି ଆକ୍ସେସିବ୍ଲ ରୁଟ୍’ (‘ଫାର୍’) ନାମକ ସିରିଜ୍ର ବଣ୍ଡ୍ ଇସ୍ୟୁ ହେବା ଆରମ୍ଭ ହୋଇଥିଲା।
‘ଜେପି ମୋର୍ଗାନ୍ ଇଣ୍ଡିସିଜ୍’ରେ ଯେଉଁ ୨୩ଟି ଭାରତ ସରକାରଙ୍କର ବଣ୍ଡ୍ ଅନ୍ତର୍ଭୁକ୍ତ ହେବା ପାଇଁ ଉପଯୁକ୍ତ ବିବେଚିତ ହେବେ ସେମାନଙ୍କର ମୋଟ ଆନୁମାନିକ ମୂଲ୍ୟ ବା ‘ନୋସନାଲ୍ ଭାଲ୍ୟୁ’ ହେଉଛି ପ୍ରାୟ ୨୭ ଲକ୍ଷ କୋଟି ଟଙ୍କାରୁ କିଛି ଅଧିକ ବା ଆମେରିକୀୟ ଡଲାର୍ ଆକାରରେ ୩୩୦ ବିଲିଅନ୍ ଡଲାର୍। ଭାରତ ସରକାରଙ୍କର ଯେତିକି ବଣ୍ଡ୍ ବର୍ତ୍ତମାନ ପ୍ରଚଳିତ ଅଛି ତାହାର ମୋଟ ମୂଲ୍ୟ ହେଉଛି ପ୍ରାୟ ୯୬ ଲକ୍ଷ କୋଟି ଟଙ୍କାରୁ ଅଧିକ। ଏମାନଙ୍କ ମଧ୍ୟରୁ ଉପରୋକ୍ତ ‘ଫାର୍’ ବଣ୍ଡ୍ମାନଙ୍କର ମୋଟ ଆନୁମାନିକ ମୂଲ୍ୟ ହେବ ପ୍ରାୟ ୨୭ ଲକ୍ଷ କୋଟି ଟଙ୍କାରୁ ଅଧିକ। ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ଏହି ‘ଫାର୍’ ବଣ୍ଡ୍ରେ ଖଟାଇଥିବା ପୁଞ୍ଜିର ପରିମାଣ ହେବ ପ୍ରାୟ ୯୫,୦୦୦ କୋଟି ଟଙ୍କା ବୋଲି ସୂଚନା ପ୍ରକାଶ ପାଇଛି।
ଜେପି ମୋର୍ଗାନ୍ର ଉପରୋକ୍ତ ପଦକ୍ଷେପର ଫଳସ୍ବରୂପ ୨୦୨୪ ଜୁନ୍ ପରେ କେତେ ମାସ ମଧ୍ୟରେ ଭାରତରେ ପ୍ରାୟ ୨୦-୨୫ ବିଲିଅନ୍ ଡଲାର୍ ଅଧିକ ବୈଦେଶିକ ପୁଞ୍ଜି ନିବେଶ ଘଟିବ ବୋଲି ଅନୁମାନ କରାଯାଉଛି। ଅବଶ୍ୟ ଏହା ଋଣକୁ ଅପେକ୍ଷାକୃତ ଶସ୍ତା କରି ସରକାରଙ୍କ ଉପରେ ଋଣବୋଝ ଲାଘବ କରିବ। କିନ୍ତୁ କର୍ପୋରେଟ୍ ବଣ୍ଡ୍ ବଜାରରେ ଏହାକୁ ଆଦର୍ଶ ରୂପେ ଗ୍ରହଣ କରାଯାଉଥିବାରୁ ସେଠାରେ ମଧ୍ୟ ଏହାର ପ୍ରଭାବରେ ଋଣ ଅପେକ୍ଷାକୃତ ଶସ୍ତା ହେବାର ଦୃଢ଼ ସମ୍ଭାବନା ରହିଛି। କମ୍ପାନିମାନେ ଏଥିଯୋଗୁଁ ଯଦି ଶସ୍ତାରେ ପୁଞ୍ଜି ସଂଗ୍ରହ କରିପାରିବେ, ସେମାନେ ନିଶ୍ଚିତ ରୂପେ ସେମାନଙ୍କର ଉତ୍ପାଦନ କ୍ଷମତାରେ ସଂପ୍ରସାରଣ କରିବା ପାଇଁ ତଥା ନୂତନ ଉଦ୍ୟୋଗ ଆରମ୍ଭ କରିବା ପାଇଁ ପୁଞ୍ଜି ନିବେଶ କରିବା ପାଇଁ ଆଗେଇ ଆସିବେ। ଏଭଳି ଏକ ସକାରାତ୍ମକ ନିବେଶ ପରିବେଶରେ ବ୍ୟାଙ୍କ୍ମାନେ ଉଦ୍ୟୋଗୀମାନଙ୍କୁ ଅଧିକ ଋଣ ଦେବା ପାଇଁ ଆଗ୍ରହୀ ହେବା ସ୍ବାଭାବିକ।
ଏଭଳି ଏକ ସମ୍ଭାବନା ରିଜର୍ଭ ବ୍ୟାଙ୍କ୍କୁ ମଧ୍ୟ ସତର୍କ କରି ଦେଉଥିବ। ଭାରତରେ ଅଧିକ ନିବେଶକ ଡଲାର୍ ପ୍ରବେଶ କଲେ ଭାରତୀୟ ମୁଦ୍ରା ‘ଟଙ୍କା’ର ଶକ୍ତିରେ ବୃଦ୍ଧି ଘଟି ତା’ର ବିନିମୟ ମୂଲ୍ୟରେ ବୃଦ୍ଧି ଘଟିପାରେ। ତାହା ଘଟିଲେ ଭାରତୀୟ ରପ୍ତାନି ବିଦେଶରେ ମହଙ୍ଗା ହୋଇ ରପ୍ତାନିକାରୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଏହାକୁ ପ୍ରତିହତ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ଯଦି ବଜାରରୁ ଅଧିକ ଡଲାର୍ କ୍ରୟ କରେ ତାହା ଅର୍ଥନୀତିରେ ଟଙ୍କାର ଯୋଗାଣରେ ବୃଦ୍ଧି ଘଟାଇ ମୁଦ୍ରାସ୍ଫୀତି ସୃଷ୍ଟି କରିପାରେ। ସର୍ବୋପରି ଏହି ସୂତ୍ରରୁ ଆସୁଥିବା ବୈଦେଶିକ ମୁଦ୍ରା ଯେହେତୁ ହେଉଛି ବସ୍ତୁତଃ ଋଣ, ସେ ଋଣଦାତାମାନେ କୌଣସି ସମସ୍ୟାର ଗନ୍ଧ ପାଇଲେ କାଳ ବିଳମ୍ବ ନକରି ସେମାନଙ୍କର ପୁଞ୍ଜିକୁ ଏଠାରୁ ପ୍ରତ୍ୟାହାର କରି ପଳାୟନ କରିପାରନ୍ତି। ଅବଶ୍ୟ ନିଜର ଦକ୍ଷ ପରିଚାଳନା ପାଇଁ ବର୍ତ୍ତମାନ ଆନ୍ତର୍ଜାତିକ ସୁଖ୍ୟାତି ଅର୍ଜନ କରିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଚତୁରତାର ସହିତ ଏ ସମସ୍ତ ସମସ୍ୟାର ମୁକାବିଲା କରିବ ବୋଲି ଆମର ଦୃଢ଼ ବିଶ୍ବାସ। ବର୍ତ୍ତମାନ ପାଇଁ ଭାରତୀୟ ଅର୍ଥନୀତି ଲାଭ କରିଥିବା ଏହି ନୂତନ ପ୍ରଶଂସାପତ୍ର ହେଉଛି ନିଶ୍ଚିତ ରୂପେ ଆମ ପାଇଁ ଗର୍ବ ଓ ସନ୍ତୋଷର ବିଷୟ।