ଡାରୱିନ୍ ଓ ଦଶାବତାର

ଅଲେଖ ଚନ୍ଦ୍ର ମିଶ୍ର

ଜୀବଜଗତ୍‌ର ସୃଷ୍ଟି ବିଷୟରେ ଯେତେସବୁ ମତବାଦ ରହିଛି ତା’ ମଧ୍ୟରେ ସବୁଠାରୁ ଅଧିକ ଗ୍ରହଣଯୋଗ୍ୟ ହେଉଛି ଚାର୍ଲସ ରବର୍ଟ ଡାରୱିନ୍‌ଙ୍କ ଦ୍ବାରା ପ୍ରଣୀତ ‘ଥିଓରି ଅଫ୍‌ ଇଭୋଲ୍ୟୁସନ୍’ (“ଅରିଜିନ୍ ଅଫ୍ ସ୍ପେସିଜ୍”) ବା ବିବର୍ତ୍ତନର ତତ୍ତ୍ବ। ୧୮୫୯ ମସିହାରେ ପ୍ରକାଶିତ ଏହି ମତବାଦ ଅନୁସାରେ ପୃଥିବୀ କକ୍ଷରେ ବିଭିନ୍ନ ଜାତିର ଜୀବଙ୍କର ସୃଷ୍ଟି ଏକ ପ୍ରାକୃତିକ ଚୟନ ପ୍ରଣାଳୀ (ଇଭୋଲ୍ୟୁସନ୍ ବାଇ ନାଚୁରାଲ୍ ସିଲେକ୍‌ସନ୍) ଦ୍ୱାରା ହୋଇଥାଏ ଏବଂ ସେହି ପ୍ରକ୍ରିୟାରେ ଜୀବମାନଙ୍କ ଆକୃତି ଓ ପ୍ରକୃତିରେ ଜାଣି ହେଉ ନ ଥିବା ଭଳି ଅତ୍ୟନ୍ତ ସୂକ୍ଷ୍ମ କ୍ରମ ପରିବର୍ତ୍ତନମାନ ଦେଖିବାକୁ ମିଳିଥାଏ। ଡାରୱିନ୍‌ଙ୍କ ମତରେ ସର୍ବ ପ୍ରଥମ ପୃଥିବୀରେ ଟିକିଏ ଜଟିଳ ଜୀବର ସୃଷ୍ଟି ଜଳ ମଧ୍ୟରେ ଘଟିଥିଲା ଏବଂ ତାହା ପୁଣି ‘ଜେଲି ଫିସ୍’ ରୂପରେ। ତା’ ପରେ ହଜାର ହଜାର ବର୍ଷ ଉପରାନ୍ତ ସୃଷ୍ଟି ହେଲେ ଉଭୟଚର ପ୍ରାଣୀ। ତା’ ପରେ ବିବର୍ତ୍ତନ ମଧ୍ୟ ଦେଇ ସ୍ଥଳଚର ପ୍ରାଣୀ ଜନ୍ମ ହୋଇଥିଲେ। ଏହାର ଅନେକ କାଳ ପରେ (ଆନୁମାନିକ ୨.୮ ନିୟୁତ ବର୍ଷ) ମାନବ ଜାତିର ଆଦ୍ୟ ପୂର୍ବପୁରୁଷମାନେ ସମ୍ଭବ ହୋଇଥିଲେ। ଏମାନେ ଥିଲେ ‘ହୋମୋ ହାବିଲିସ୍’। ତା’ପରେ ଆଧୁନିକ ମାନବ ପର୍ଯ୍ୟନ୍ତ ଏହି ବିବର୍ତ୍ତନ ପ୍ରକ୍ରିୟା ତା’ର ଗତି ବଜାୟ ରଖିଛି ଏବଂ ଆଗକୁ ବଢ଼ି ଚାଲିଛି ମଧ୍ୟ।

ଡାରୱିନ୍‌ଙ୍କ ତତ୍ତ୍ବ ଏକ ମନନଶୀଳ ବୈଜ୍ଞାନିକ ଦୃଷ୍ଟିର ଅନୁଧ୍ୟାନ ଦ୍ବାରା ସମ୍ଭବ ହୋଇଥିଲା। ତେବେ ଭାରତୀୟ ପୁରାଣରେ ବର୍ଣ୍ଣିତ ଈଶ୍ବରଙ୍କ ଦଶାବତାରରେ ଏହି ବିବର୍ତ୍ତନର ଏକ ଆଭାସ ଦେଖିବାକୁ ମିଳିଥାଏ। ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରେ ଓଡ଼ିଶାର ବିଖ୍ୟାତ ସଂସ୍କୃତ କବି ଜୟଦେବଙ୍କ ଦ୍ୱାରା ରଚିତ ଏବଂ ଘରେ ଘରେ ପରିଚିତ ‘ଦଶାବତାର ସ୍ତୋତ୍ର’କୁ ଏକ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ। ଏଥିରେ ଈଶ୍ବର ଧାରଣ କରିଥିବା ଦଶଟି ଅବତାରକୁ ପ୍ରତୀକାତ୍ମକ ଭାବେ ଜୀବନ ସୃଷ୍ଟିର କ୍ରମ ବିକାଶ ରୂପେ ଦେଖାଯାଇପାରେ। ସେହି ବର୍ଣ୍ଣନାରେ ପ୍ରଥମେ ଆସିଥାଏ ମୀନ ଅବତାର ଯାହା ଜଳଚର ଜୀବନର ପ୍ରତୀକ। ତା’ ପରେ କଚ୍ଛପ ବା କୂର୍ମ ଅବତାର ଯାହା ଉଭୟଚର। ତା’ ପରେ ବରାହ ରୂପ ଯାହା ସ୍ଥଳଚର ଜୀବନର ଦୃଷ୍ଟାନ୍ତ। ତା’ ପରେ ନରସିଂହ ରୂପ ଯହିଁରେ ଆମେ ମାନବ ବା ନର ଓ ସିଂହଙ୍କ ଏକ ମିଶ୍ରିତ ରୂପ ଦେଖୁଁ, ପ୍ରକୃତରେ ହେଉଛି ଚତୁଷ୍ପଦ ସ୍ଥଳଚର ଜୀବ ଦ୍ବିପଦ ମନୁଷ୍ୟରେ ପରିଣତ ହେଉଥିବା ବେଳର କ୍ରମ ବିକାଶର ଚିତ୍ର। ତା’ ପରେ ବାମନ ଅବତାର ଅର୍ଥାତ୍‌ କ୍ଷୁଦ୍ରାକୃତିର ମଣିଷ ବା ଏକ କିଞ୍ଚିତ୍‌ ଊଣା ଗୁଣ ସଂପନ୍ନ ମନୁଷ୍ୟର ଆବିର୍ଭାବ। ତା’ ପରେ ପର୍ଶୁରାମ ଅବତାର ଯାହା ଥିଲା ଅସ୍ତ୍ର ଧାରଣ କରି ଅଶାନ୍ତ ଗ୍ରହ ଭଳି ବିଚରଣ କରୁଥିବା ବୀର ମନୁଷ୍ୟଙ୍କ ଉଦାହରଣ। ତା’ପରେ ଆସେ ଶ୍ରୀରାମ ଅବତାର; ଯାହା ଶୀଳବନ୍ତ ମାନବଙ୍କ ପ୍ରତୀକ।

ଏହା ବିଚାରବନ୍ତ ମାନବଙ୍କ କଥା କହିବା ସହିତ ସଂକେତ ଦେଇଥାଏ ଯେ ଏହା ସହିତ ମାନବ ମସ୍ତିଷ୍କର ବିକାଶ ପ୍ରାରମ୍ଭ ହୋଇଥିଲା। ଏହାର ପରବର୍ତ୍ତୀ ଅବତାର ପ୍ରଭୁ ଶ୍ରୀକୃଷ୍ଣ- ବଳରାମଙ୍କ ଅବତାର; ଯହିଁରେ ଏକ ପ୍ରେମମୟ ଏବଂ ଜ୍ଞାନଦୀପ୍ତ ସ୍ବରୂପକୁ ଦେଖିହୁଏ। ଭଗବାନ ଶ୍ରୀକୃଷ୍ଣଙ୍କ ଗାଥା କାହାକୁ ବା ଅଜଣା। ତେବେ, କେବଳ ସେତିକି ନୁହେଁ, ମାନବ ଜୀବନରେ ଗୋ-ପାଳନ ଏବଂ କୃଷିର ମହତ୍ତ୍ବ ମଧ୍ୟ ଏଥିରେ ଦିଶିଥାଏ। ପ୍ରଭୁ ବଳରାମଙ୍କ ଆୟୁଧ ଥିଲା ହଳ ଲଙ୍ଗଳ ଯାହା କୃଷି କର୍ମର ମୂଳ ଉପକରଣ। ପରବର୍ତ୍ତୀ ଅବତାର ହେଉଛି ବୁଦ୍ଧଙ୍କ ଅବତାର। ଏହା କରୁଣାବନ୍ତ ମା‌ନବର ଆବିର୍ଭାବ କଥା କହିଥାଏ। ସୁତରାଂ, ସଭ୍ୟତାର କ୍ରମବିକାଶରେ ଶୀଳବନ୍ତ, ପ୍ରେମବନ୍ତ, ଜ୍ଞାନବନ୍ତ ଏବଂ କରୁଣାବନ୍ତ ମାନବଙ୍କ ଆବିର୍ଭାବ ଦଶାବତାର ସ୍ତୋତ୍ରରେ ମିଳିଥାଏ। ଏହି କ୍ରମରେ ଶେଷରେ ଆମେ‌ ଦେଖୁ କଳ୍‌କୀ ଅବତାର। ଏହା ଏଭଳି ଜଣେ ପରିତ୍ରାଣ କର୍ତ୍ତାଙ୍କ କଥା କହିଥାଏ ଯାହାଙ୍କ ଆବିର୍ଭାବ ଏକ ସଂପୂର୍ଣ୍ଣ ଖଳ ଓ ଦୁଷ୍ଟ ପୃଥିବୀରେ ଘଟିବ ଏବଂ ସେ ଦୁଷ୍ଟଙ୍କୁ ନିପାତ କରି ପୁଣି ପୃଥିବୀକୁ ସୁଶୀଳ କରିବେ। ବିଶ୍ବାସ କରାଯାଏ ଯେ କଳ୍‌କୀ ଅବତାର ଏଯାବତ୍‌ ଧରା ପୃଷ୍ଠକୁ ଓହ୍ଲାଇ ନାହାନ୍ତି। ଏବେ ଆମ ପୃଥିବୀ ଦୁଷ୍ଟ ମାନବଙ୍କ ଦ୍ବାରା ଭରପୂର ଏବଂ ସେମାନଙ୍କ ସଂଖ୍ୟା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ କଳ୍‌କୀଙ୍କ ଅାଗମନକୁ ଅପେକ୍ଷା କରାଯାଇପାରେ। ଏତିକି ବେଳେ ଡାରୱିନ୍‌ଙ୍କ ବିବର୍ତ୍ତନବାଦ ଏବଂ ଜୟଦେବଙ୍କ ଦଶାବତାର ମଧ୍ୟରେ ରହିଥିବା ସାଦୃଶ୍ୟରେ ଚମତ୍କୃତ ହେବାକୁ ମଧ୍ୟ ପଡ଼ିଥାଏ।
ମୋ- ୯୪୩୮୬୭୩୮୯୮

ସମ୍ବନ୍ଧିତ ଖବର