ବିରଳ କ୍ଷଣ

ସ˚ପ୍ରତି ଆମ ଦେଶରେ ଯେତେବେଳେ କୋଭିଡ୍‌ ସ˚କ୍ରମଣର ହାର ନିମ୍ନଗାମୀ ହୋଇଛି ଏବ˚ ମହାମାରୀ କାରଣରୁ ବନ୍ଦ ପଡ଼ିଥିବା ଅନେକ କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠି କୋଭିଡ୍‌ ପୂର୍ବବର୍ତ୍ତୀ ସ୍ଥିତିକୁ ପ୍ରତ୍ୟାବର୍ତ୍ତନ ନେଇ ଆଶାର ଆଲୋକ ଦିଶିବା ଆରମ୍ଭ ହୋଇଛି, ସେତିକି ବେଳେ ଏହି ସ୍ତମ୍ଭର ପ୍ରାରମ୍ଭରେ ରୁଷିଆ ଭୋଗୁଥିବା କରୋନାର ଭୟାବହ ଚତୁର୍ଥ ତରଙ୍ଗ ଏବଂ ତହିଁରେ ହାରାହାରି ଦୈନିକ ହଜାରେ ସରିକି ଜୀବନ ଯାଉଥିବା ଭଳି ବିଷୟର ଅବତାରଣା ଅନେକଙ୍କୁ ଏକ ଅଯଥା ଭୀତି ସ˚ଚାରକାରୀ ଉଦ୍ୟମ ଭଳି ପ୍ରତୀୟମାନ ହୋଇପାରେ। ଏହି ପ୍ରଶ୍ନ ମଧୢ ଉଠିପାରେ ଯେ ଗଲା ୨୧ ତାରିଖରେ ‘୧୦୦ କୋଟି ଡୋଜ୍‌’ କୋଭିଡ୍‌ ଟିକା ପ୍ରଦାନ କରି ଆମ ଦେଶ କୌଣସି ରାଷ୍ଟ୍ର ଦ୍ବାରା ସର୍ବାଧିକ ସ˚ଖ୍ୟକ ଟିକା ଦେବାରେ ଏକ ଈର୍ଷଣୀୟ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଥିବା ବେଳେ ସେହି ବିଷୟ ନ ଉଠାଇ ରୁଷିଆ ସଂକଟର ଅବତାରଣା କାହିଁକି? କିନ୍ତୁ କଥା ହେଲା, ଭାରତର ଏହି ଅତ୍ୟନ୍ତ ବିରଳ ଉପଲବ୍‌ଧିକୁ ଅନୁଭବ କରିବା ସକାଶେ ରୁଷିଆର ସା˚ପ୍ରତିକ ସ୍ଥିତିର ଦୃଷ୍ଟାନ୍ତ ପ୍ରାସଙ୍ଗିକ ମନେ ହୁଏ, କାରଣ ୨୦୨୦ ମସିହା ଅଗଷ୍ଟ ମାସରେ ‘ସ୍ପୁଟ୍‌ନିକ୍‌’ ନାମଧାରୀ ପୃଥିବୀର ସର୍ବ ପ୍ରଥମ କୋଭିଡ୍‌ ଭ୍ୟାକ୍‌ସିନକୁ ସାଙ୍ଗରେ ଧରି ରୁଷିଆ ଆବିର୍ଭୂତ ହୋଇଥିଲେ ମଧୢ ଆଜି ଚଉଦ ମାସ ପରେ ରୁଷିଆରେ ମାତ୍ର ୪ କୋଟି ୮୦ ହଜାର ପାନ (ଜନସ˚ଖ୍ୟାର ୩୪ ପ୍ରତିଶତ) ଟିକା ଦିଆଯାଇପାରିଛି, ଯାହା ଭାରତର ପ୍ରାୟ କୋଡ଼ିଏ ଭାଗରୁ ଏକ ଭାଗ; ପୁନଶ୍ଚ ଏଥିରୁ ୩୨ ପ୍ରତିଶତ ‘ଡବଲ ଡୋଜ୍‌’ ଅର୍ଥାତ୍‌ ସେ‌ ଦେଶରେ ନୂତନ ଟିକା ଆଶାୟୀଙ୍କ ସ˚ଖ୍ୟା ଅତ୍ୟନ୍ତ କ୍ଷୀଣ ହୋଇଛି। ଏହାର କାରଣ ସେ ଦେଶରେ ପରିଦୃଷ୍ଟ ହେଉଥିବା ଟିକା-କୁଣ୍ଠା, ଯହିଁରେ ପରିସ୍ଫୁଟ ଅସ˚ଗତିଟି ହେଉଛି ଉନ୍ନତ, ଶିକ୍ଷିତ ତଥା ସଚେତନ ହୋଇଥିବା ସତ୍ତ୍ବେ ନିଜ ଦେଶର ବୈଜ୍ଞାନିକ, ଗବେଷଣା ଓ ସରକାରଙ୍କ ପ୍ରତି ସେଠାକାର ନାଗରିକମାନଙ୍କର ତୀବ୍ର ଅନାସ୍ଥା ଭାବ। ସେହି ଦୃଷ୍ଟିରୁ ମାତ୍ର ନଅ ମାସର ସମୟ ଖଣ୍ତ ମଧୢରେ ଭାରତରେ ୧୦୦ କୋଟି ଡୋଜ୍‌ ଟିକା ପ୍ରଦାନ କେବଳ ଯେ ଏକ ଅତୁଲ୍ୟ ଉପଲବ୍‌ଧି, ତାହା ନୁହେଁ; ବର˚ ଏହା ହେଉଛି ଭାରତ ଏବ˚ ଭାରତୀୟଙ୍କ ପରିପକ୍ବତାର ଏକ ନିଦର୍ଶନ।

ସମସ୍ତଙ୍କ ସ୍ମରଣରେ ଥିବ ଯେ ପୃଥିବୀର ସର୍ବବୃହତ୍‌ ‘ଟିକାକରଣ ଅଭିଯାନ’ ରୂପେ ଜାନୁଆରି ୧୬ରେ ଭାରତରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ସଫଳତା ନେଇ ପ୍ରାୟ ସର୍ବତ୍ର ଏକ ସନ୍ଦେହ ପ୍ରକାଶ ପାଇଥିଲା। ଏହା ଆରମ୍ଭ ହେବାର ମାତ୍ର ଅଢ଼େଇ ମାସ ମଧୢରେ ଭାରତ ଯେତେବେଳେ କରୋନାର ଅତ୍ୟନ୍ତ ଭୟଙ୍କର ଦ୍ବିତୀୟ ତରଙ୍ଗ ମଧୢରେ ଅସହାୟ ଭାବେ ମଗ୍ନ ହୋଇଗଲା, ସେତିକି ବେଳେ ଟିକାକରଣ ସ˚ଖ୍ୟା ଦୈନିକ ହାରାହାରି ମାତ୍ର ୨୦ ଲକ୍ଷକୁ ଖସି ଆସିଥିଲା। ସେତିକି ବେଳେ ଅନେକ ବିଶେଷଜ୍ଞ ମତ ପ୍ରକାଶ କରିଥିଲେ ଯେ ଭାରତର ୧୧୬ କୋଟି ସାବାଳକଙ୍କ ସ˚ପୂର୍ଣ୍ଣ ଟିକାକରଣ ଲାଗି ଚାରି ବର୍ଷ ପର୍ଯ୍ୟନ୍ତ ସମୟ ଲାଗି ଯାଇପାରେ। କେବଳ ସେତିକି ନୁହେଁ, ମହାମାରୀର ପ୍ରାବଲ୍ୟ ପରିପ୍ରେକ୍ଷୀରେ ଦ୍ରୁତ ଟିକାକରଣ ସକାଶେ ଯଥେଷ୍ଟ ସ˚ଖ୍ୟକ ଭ୍ୟାକ୍‌ସିନର ଉପଲବ୍‌ଧତା, ଭାରତ ଭଳି ଏକ ବିଶାଳ ରାଷ୍ଟ୍ରର ଅତ୍ୟନ୍ତ ଅପା˚କ୍ତେୟ ଅଞ୍ଚଳର ଜନସାଧାରଣଙ୍କ ଲାଗି ଟିକାର ପହଞ୍ଚ ଏବଂ ଟିକା ‘ଭାଇଲ୍‌’ଗୁଡ଼ିକର ପରିବହନ ତଥା ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ସେଗୁଡ଼ିକର ସ˚ରକ୍ଷଣ ଓ ଭଣ୍ତାରଣର ବ୍ୟବସ୍ଥା ଭଳି ପ୍ରସଙ୍ଗ ଟିକାକରଣର ସଫଳତା ନେଇ ଘୋର ସନ୍ଦେହ ସୃଷ୍ଟି କରିଥିଲା। ତା’ ସହିତ ମୁଣ୍ତ ବ୍ୟଥାର ଆଉ ଏକ କାରଣ ହୋଇଥିଲା ପ୍ରବଳ ଟିକା-କୁଣ୍ଠା ଏବ˚ ତାକୁ ଆହୁରି ଘନୀଭୂତ କରିବା ଲାଗି ହେଉଥିବା ଅନେକ ଅବା˚ଛିତ ପ୍ରୟାସ। ଏହି ପ୍ରାରମ୍ଭିକ ସମୟରେ ଆଉ ଯାହା ଦୃଶ୍ୟମାନ ହୋଇଥିଲା, ତାହା ହେଉଛି ‘ଦାନ୍ତ ଗଜୁରିବା କାଳର ସମସ୍ୟା’ ଭଳି ଏକ ପରିଚାଳନାଗତ ତାଳମେଳର ଅଭାବ, ଯହିଁରେ କେନ୍ଦ୍ର ସରକାର ଏବ˚ ରାଜ୍ୟ ସରକାର ନିଜ ନିଜ ଭୂମିକା ନେଇ ପାରସ୍ପରିକ ଟଣାଓଟରାରେ ଲିପ୍ତ ରହିଥିଲେ। ଅଥଚ, ଅବିଳମ୍ବେ ଏ ସବୁ ଦୂର ହୋଇ ଯାହା ଦେଖିବାକୁ ମିଳିଥିିଲା, ତାହା ହେଉଛି ଏକ ଅତ୍ୟନ୍ତ ଦ୍ରୁତ ଟିକାକରଣ ପ୍ରକ୍ରିୟା, ଯାହା ବର୍ତ୍ତମାନ ସୁଦ୍ଧା ବଳବତ୍ତର ରହି ଦୈନିକ ହାରାହାରି ୭୫ ଲକ୍ଷ ଟିକାଦାନରେ ପହଞ୍ଚିଛି।

ଏ ସ˚ଦର୍ଭରେ ଧନ୍ୟବାଦ ଓ କୃତଜ୍ଞତାର ଅନେକ ପାତ୍ରଙ୍କୁ ସ୍ମରଣକୁ ଆଣିବାକୁ ହେବ। ଆମ ଦେଶରେ ଯେ ପୃଥିବୀର ବୃହତ୍ତମ ଟିକା ପ୍ରସ୍ତୁତକାରୀ ଉଦ୍ୟୋଗ ‘ସେରମ ଇନ୍‌ଷ୍ଟିଚ୍ୟୁଟ୍‌’ ରୂପେ ବିଦ୍ୟମାନ ରହିଛି, ତାହା କୋଭିଡ୍‌ ମହାମାରୀ ହୋଇ ନ ଥିଲେ ଅନେକଙ୍କୁ ଆଜି ସୁଦ୍ଧା ଜ୍ଞାତ ହୋଇ ନ ଥାଆନ୍ତା। କୋଭିଡ୍‌ ସ˚କ୍ରମଣର ତୀବ୍ରତା ପରିପ୍ରେକ୍ଷୀରେ ଅତି ସ୍ବଳ୍ପ ସମୟ ମଧୢରେ ‘ସେରମ ଇନ୍‌ଷ୍ଟିଚ୍ୟୁଟ୍‌’ ତା’ର ଟିକା ପ୍ରସ୍ତୁତିର ସାମର୍ଥ୍ୟକୁ ଅନେକ ଗୁଣ ବୃଦ୍ଧି କରି କେବଳ ଭାରତ ସକାଶେ ନୁହେଁ, ପୃଥିବୀର ଅନ୍ୟାନ୍ୟ ରାଷ୍ଟ୍ର ଲାଗି କୋଭିସିଲ୍‌ଡ ଟିକା ଉପଲବ୍‌ଧ କରାଇ ପାରିଥିବା କିଛି କମ୍‌ ଗୁରୁତ୍ବପୂର୍ଣ୍ଣ ସଫଳତା ନୁହେଁ। ସେହିଭଳି ଭାରତୀୟ ବୈଜ୍ଞାନିକମାନଙ୍କ ଦ୍ବାରା ସ˚ପୂର୍ଣ୍ଣ ଭାରତୀୟ ଜ୍ଞାନ-କୌଶଳରେ ‘ଭାରତ ବାୟୋଟେକ୍‌’ ଦ୍ବାରା ପ୍ରସ୍ତୁତ ‘କୋଭାକ୍‌ସିନ୍‌’ ଟିକା ମଧୢ ଭାରତର ଭାବମୂର୍ତ୍ତିକୁ ଉଚ୍ଚତା ପ୍ରଦାନ କରିଛି। ଦେଶର ଅତ୍ୟନ୍ତ ନିକାଞ୍ଚନ ଓ ଦୁର୍ଗମ ସ୍ଥାନରେ ପହଞ୍ଚି ସେଠାକାର ଜନସାଧାରଣଙ୍କ ମନରୁ ଟିକା-ଭୀତି ଓ ଟିକା-କୁଣ୍ଠା ଦୂର କରି ସେମାନଙ୍କୁ ଟିକା-ସୁରକ୍ଷାର କବଚ ପ୍ରଦାନ କରିଥିବା ଅଗଣିତ ସ୍ବାସ୍ଥ୍ୟସେବା କର୍ମୀ ତଥା ସରକାରୀ କର୍ମଚାରୀ ଓ ‌େସ୍ବଚ୍ଛାସେବୀମାନଙ୍କ ଅତୁଳନୀୟ ଅବଦାନ ଅତ୍ୟନ୍ତ ଉଲ୍ଲେଖନୀୟ। ଭାରତର ଅତ୍ୟନ୍ତ ପାରଙ୍ଗମ ଶିଶୁ ଟିକାକରଣ ବ୍ୟବସ୍ଥା ଯୋଗୁ ଯେ ଏହା ସମ୍ଭବ ହୋଇଛି, ତାହା କହିବା ବାହୁଲ୍ୟ ମାତ୍ର। ଏହି ନଅ ମାସ କାଳ ଖଣ୍ତରେ ପ୍ରତି ଦୁଇ ମିନିଟ୍‌ରେ ଗୋଟିଏ କରି ଟିକା ଦିଆଯାଇଛି। ସେହିଭଳି ପୁଣେ ବା ହାଇଦ୍ରାବାଦର ଟିକା ନିର୍ମାଣ କାରଖାନାରୁ ‘ଭାଇଲ୍‌’ଗୁଡ଼ିକୁ ଭାରତର ଅସ˚ଖ୍ୟ ପରିଚୟହୀନ ଗ୍ରାମାଞ୍ଚଳର ପ୍ରାୟ ଅସ୍ତିତ୍ବହୀନ ଟିକା କେନ୍ଦ୍ରଗୁଡ଼ିକରେ ପହଞ୍ଚାଇବାର ଗହନ ଜଟିଳତାକୁ ଅତିକ୍ରମ କରିବାରେ ସଂପୃକ୍ତ ସମସ୍ତେ ଏହି ଶ୍ରେୟର ପ୍ରମୁଖ ଦାବିଦାର। ଏବ˚ ପରିଶେଷରେ କୃତଜ୍ଞତାର ପ୍ରକୃତ ପାତ୍ର ହେଉଛନ୍ତି ସାଧାରଣ ଭାରତୀୟ ନାଗରିକ, ଯେଉଁମାନେ ସେମାନଙ୍କର ଅଶିକ୍ଷା ଓ ଅସଚେତନତା ଏବଂ କୁସ˚ସ୍କାର ସତ୍ତ୍ବେ ଭାରତୀୟ ଗବେଷଣା, ବୈଜ୍ଞାନିକ ଏବ˚ ସରକାରଙ୍କ ପ୍ରତି ଗଭୀର ଆସ୍ଥା ପ୍ରକଟ କରି ଏହି ଅଭିଯାନକୁ ଏକ ଦୁର୍ଲଭ ଚମକ ପ୍ରଦାନ କରିଛନ୍ତି। ଏଭଳି ପରିପକ୍ବତା ପ୍ରଦର୍ଶନ କରି ପାରି ନ ଥିବା ହେତୁ ଅତ୍ୟନ୍ତ ଦୃଢ଼ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ଧାରଣ କରିଥିବା ତଥା ଭାରତ ତୁଳନାରେ ଯଥେଷ୍ଟ କମ୍‌ ଜନସ˚ଖ୍ୟା ବିଶିଷ୍ଟ ଫ୍ରାନ୍‌ସ ବା ଜର୍ମାନି ବା ଯୁକ୍ତରାଷ୍ଟ୍ର ଆମେରିକା ଭଳି ଅତ୍ୟନ୍ତ ବିକଶିତ ରାଷ୍ଟ୍ରଗୁଡ଼ିକ ଦୁଇ ମାସ ପୂର୍ବରୁ ଟିକାଦାନ ଅଭିଯାନ ଆରମ୍ଭ କରିଥିଲେ ସୁଦ୍ଧା ଯଥାକ୍ରମେ ୯.୮ କୋଟି, ୧୧.୧ କୋଟି ଏବ˚ ୪୧.୨ କୋଟି ଡୋଜ୍‌ ଟିକା ଦେଇଛନ୍ତି ଓ ସ˚ପୂର୍ଣ୍ଣ ଟିକାକରଣରେ ବିଫଳ ହୋଇଛନ୍ତି।

ଶହେ କୋଟିର ଟିକା ଜରିଆରେ ଭାରତୀୟ ସାବାଳକଙ୍କ ମଧୢରୁ ୩୧ ପ୍ରତିଶତଙ୍କ ଟିକାକରଣ ସ˚ପୂର୍ଣ୍ଣ ହୋଇଥିବା ବେଳେ ୭୫ ପ୍ରତିଶତ ଅନ୍ତତଃ ଗୋଟିଏ ଡୋଜ୍‌ ନେଇ ସାରିଛନ୍ତି। ଯଦିଓ ତାମିଲନାଡୁ ଭଳି ରାଜ୍ୟରେ ଟିକା-କୁଣ୍ଠା ବଳବତ୍ତର ରହିଛି ବା ପଞ୍ଜାବ ଭଳି ରାଜ୍ୟରେ ଟିକାକରଣ ଅସ୍ବାଭାବିକ ଭାବେ ମନ୍ଥର ହୋଇଛି; ଶହେ କୋଟି ଡୋଜ୍‌ ଟିକାର ‘ଲ୍ୟାଣ୍ତ ମାର୍କ’ ସ୍ଥାପନ ଯେଉଁ ପ୍ରତ୍ୟୟ ସୃଷ୍ଟି କରିଛି, ତହିଁରେ ଉପରୋକ୍ତ ଦୁଇ ପ୍ରତିବନ୍ଧ ଅଚିରେ ଦୂର ହେବ ବୋଲି ଆଶା କରାଯାଇପାରେ। ସରକାର ଏବ˚ ନାଗରିକଙ୍କ ପାରସ୍ପରିକ ସହଯୋଗ କିଭଳି କିମିଆ କରିପାରେ, ତା’ର ଏକ ନିଦର୍ଶନ ଏହି ଉପଲବ୍‌ଧି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ତାଙ୍କ ବାର୍ତ୍ତାରେ କହିଛନ୍ତି। ସୁତରା˚, ଏହା ସେହିଭଳି ଏକ ବିରଳ କ୍ଷଣ, ଯହିଁରେ ସରକାର ଓ ନାଗରିକ ଉଭୟେ ପରସ୍ପର ପ୍ରତି କୃତଜ୍ଞତା ଜ୍ଞାପନ କରିଥାଆନ୍ତି। ଏହି କ୍ଷଣ ପ୍ରଲମ୍ବିତ ହେଉ। ଟିକା ରୂପକ କରୋନା କବଚ ଦ୍ବାରା ଭାରତ ଏହି ମହାମାରୀ ଠାରୁ ସୁରକ୍ଷିତ ରହୁ।

ସମ୍ବନ୍ଧିତ ଖବର