ସୁପ୍ରିମ୍ କୋର୍ଟ ତାଙ୍କର ଏହି ରାୟରେ ୧୯୭୧ ସମୟସୀମାକୁ ଯୁକ୍ତିଯୁକ୍ତ ବୋଲି ଘୋଷଣା କରିଛନ୍ତି। ଅଦାଲତଙ୍କ ବିଚାରରେ ଏହି ସମୟସୀମା ଯେହେତୁ ବାଂଲାଦେଶ ମୁକ୍ତି ସଂଗ୍ରାମର ଅନ୍ତ ଭଳି ଏକ ଗୁରୁତ୍ବପୂର୍ଣ୍ଣ ଐତିହାସିକ ଘଟଣା ସହିତ ସଂପୃକ୍ତ, ଯାହା ଯୋଗୁଁ ଗଣବିସ୍ଥାପନ ଘଟି ବହୁସଂଖ୍ୟକ ବିଦେଶୀମାନଙ୍କର ଅନୁପ୍ରବେଶ ଘଟିଥିଲା, ଏହି ବର୍ଗକୁ ସ୍ବୀକୃତି ପ୍ରଦାନ ହେଉଛି ସଂପୂର୍ଣ୍ଣ ସଂବିଧାନ ସମ୍ମତ।

Advertisment

ଦେଶର ସୀମାନ୍ତ ରାଜ୍ୟମାନେ ସମ୍ମୁଖୀନ ହୋଇଥିବା ବହିରାଗତ ଅନୁପ୍ରବେଶ ସମସ୍ୟା ଯଦି କୌଣସି ରାଜ୍ୟ ପାଇଁ ସର୍ବାଧିକ ଜଟିଳ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ସମସ୍ୟା ସୃଷ୍ଟି କରିଥାଏ, ସେ ‌ରାଜ୍ୟ ହେଉଛି ଆସାମ। ୧୯୭୦ ଓ ୮୦ ଦଶକରେ ଏଥିଯୋଗୁଁ ସେ ରାଜ୍ୟରେ ଯେଉଁ ବ୍ୟାପକ ହିଂସାତ୍ମକ ବହିରାଗତ-ବିରୋଧୀ ଆନ୍ଦୋଳନ ଦେଖାଦେଇଥିଲା, ତାହା ଏବେ ମଧ୍ୟ କେବଳ ସେ ରାଜ୍ୟର ନୁହେଁ, ସାରା ଦେଶର ଯୌଥ ସ୍ମୃତିରେ ତାଜା ହୋଇ ରହିଛି। ରାଜୀବ ଗାନ୍ଧୀଙ୍କର ପ୍ରଧାନମନ୍ତ୍ରିତ୍ବ ସମୟରେ ଏହି ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ୧୯୮୫ରେ ‘ଆସାମ ବୁଝାମଣା’ ନାମକ ଏକ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ‘ଅଲ୍ ଆସାମ ଷ୍ଟୁଡେଣ୍ଟସ୍ ୟୁନିଅନ୍’ (‘ଆସୁ’), ‘ଅଲ୍ ଆସାମ ଗଣସଂଗ୍ରାମ ପରିଷଦ’ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ସ୍ବାକ୍ଷରିତ ଏହି ତ୍ରିପାକ୍ଷିକ ଚୁକ୍ତି ସେ ରାଜ୍ୟରୁ ବହିରାଗତଙ୍କର ବହିଷ୍କାର ନିମିତ୍ତ ପ୍ରସ୍ତୁତ କରିଥିବା ଏକ ବିଧିବଦ୍ଧ ପ୍ରୟୋଗାତ୍ମକ ନିୟମାବଳୀ ସେ ବିକ୍ଷୁବ୍‌ଧ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଦିଗରେ ଏକ ବୃହତ୍ ପଦକ୍ଷେପ ରୂପେ ବିବେଚିତ ହୋଇଥାଏ। 
କିନ୍ତୁ ତଥାପି ସେଇ ରାଜିନାମାରେ ଏକ ଜଟିଳ ଗଣ୍ଠି ଅଫିଟା ହୋଇ ରହିଯାଇଥିଲା, ଯାହା ଏ ପର୍ଯ୍ୟନ୍ତ ସେଠାରେ ସମ୍ଭାବ୍ୟ ଅସ୍ଥିରତା ସୃଷ୍ଟି ନିମିତ୍ତ ବିଶେଷ କ୍ଷମତା ବହନ କରୁଥିଲା। ଏବେ ଅକ୍‌ଟୋବର ୧୭ରେ ସୁପ୍ରିମ୍ କୋର୍ଟ ସେଇ ଅଫିଟା ଗଣ୍ଠିଟିକୁ ଫିଟାଇ ଆସାମରେ ଶେଷରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନିମିତ୍ତ ବାଟ ଖୋଲିଥିବା ଭଳି ମନେ ହେଉଛି। ଏହି ଗଣ୍ଠିର ନାମ ହେଉଛି ନାଗରିକ ଆଇନ ବା ‘ସିଟିଜେନ୍‌ସିପ୍ ଆକ୍‌ଟ’ର ଧାରା ବା ‘ସେକ୍‌ସନ୍ ୬-ଏ’।
ଆସାମରେ ଦେଖାଦେଇଥିବା ଭୟଙ୍କର ଆନ୍ଦୋଳନ ପଛରେ ଯେଉଁ କାରଣ ନିହିତ ଥିଲା, ତାହା ହେଲା ବାଂଲାଦେଶ (ଅତୀତର ପୂର୍ବ ପାକିସ୍ତାନ)ରୁ ସେ ରାଜ୍ୟରେ ଅନୁପ୍ରବେଶ କରୁଥିବା ବିଦେଶୀମାନେ, ଯେଉଁମାନଙ୍କର ଅବାଧ ଅନୁପ୍ରବେଶ ଯୋଗୁଁ ଆସାମର ମୂଳ ବାସିନ୍ଦା‌ମାନେ ନିଜ ରାଜ୍ୟରେ ଏକ ସଂଖ୍ୟାଲଘୁ ସାଂସ୍କୃତିକ ସମୁଦା‌ୟରେ ପରିଣତ ହେବା ସଙ୍ଗେ ସଙ୍ଗେ ରାଜନୀତିରୁ ନିଯୁକ୍ତି ପର୍ଯ୍ୟନ୍ତରେ କୋଣଠେସା ହେବାର ନିଶ୍ଚିତ ସମ୍ଭାବନା ଦେଖାଦେଇଥିଲା। ଏହି ସମସ୍ୟାର ଏକ ସମାଧାନ ସୂତ୍ର ବାହାର କରିବାକୁ ଯାଇ ଆସାମ ରାଜିନାମା ବହିରାଗତମାନଙ୍କୁ ତିନିଟି ଶ୍ରେଣୀରେ ବିଭକ୍ତ କରିଥିଲା। ଏହା ଅନୁସାରେ (୧) ଯେଉଁମାନେ ୧ ଜାନୁଆରି ୧୯୬୬ ପୂର୍ବରୁ ଆସାମରେ ପ୍ରବେଶ କରିଥିବେ, ସେମାନେ ଭାରତୀୟ ନାଗରିକ ରୂପେ ବିବେଚିତ ହେବେ; (୨) ଯେଉଁମାନେ ୧ ଜାନୁଆରି ୧୯୬୬ରୁ ୨୪ ମାର୍ଚ୍ଚ ୧୯୭୧ରେ ବାଂଲାଦେଶ ମୁକ୍ତି ସଂଗ୍ରାମର ସମାପ୍ତି ମଧ୍ୟରେ ପ୍ରବେଶ କରିଥିବେ ସେମାନେ ନାଗରିକତ୍ବ ପାଇବା ପାଇଁ ଦାବି କରିପାରିବେ କିନ୍ତୁ ସେମାନେ ୧୦ ବର୍ଷ ପର୍ଯ୍ୟନ୍ତ ନିର୍ବାଚନରେ ମତଦାନ କରିପାରିବେ ନାହିଁ‌; ଏବଂ (୩) ଯେଉଁମାନେ ୨୫ ମାର୍ଚ୍ଚ ୧୯୭୧ ପରେ ଆସାମରେ ପ୍ରବେଶ କରିଥିବେ, ସେମାନେ ଅବୈଧ ଅନୁପ୍ରବେଶକାରୀ ରୂପେ ବିବେଚିତ ହେବେ ଓ ସେମାନଙ୍କୁ ଦେଶରୁ ବହିଷ୍କାର କରାଯିବ। ‘ଧାରା ୬-ଏ’ ଏହି ବ୍ୟବସ୍ଥାକୁ ଆଇନଗତ ମର୍ଯ୍ୟାଦା ପ୍ରଦାନ କରିଥିଲା।
ଏହା ଅନୁସାରେ ୧୯୭୧କୁ ଆସାମରେ ନାଗରିକତ୍ବ ପାଇଁ ବିଭାଜକ ତାରିଖ ରୂପେ ଧାର୍ଯ୍ୟ କରାଯାଇଥିଲା। ତେବେ ଯେହେତୁ ଏହି ଆଇନଗତ ବ୍ୟବସ୍ଥା କେବଳ ଆସାମ ରାଜ୍ୟ ପ୍ରତି ପ୍ରଯୁଜ୍ୟ, ସ୍ବାଭାବିକ ଭାବରେ ଅନେକ ଗୋଷ୍ଠୀମାନଙ୍କ ମଧ୍ୟରେ ଏହା ଅସନ୍ତୋଷ ଓ ବିରୋଧ ଭାବ ସୃଷ୍ଟି କରିଥିଲା। ସେମାନେ ଚୁପ୍ ହୋଇ ନ ବସି ଏହା ବିରୋଧରେ ଆଇନଗତ ପଦକ୍ଷେପ ନେଇ ଅଦାଲତର ଦ୍ବାରସ୍ଥ ହୋଇଥିଲେ। ୨୦୧୨ରେ ‘ଆସାମ ସମ୍ମିଳିତ ମହାସଂଘ’ ନାମକ ଏକ ନାଗରିକ ସଂଗଠନ ‘ଧାରା ୬-ଏ’ର ସାଂବିଧାନିକ ବୈଧତାକୁ ପ୍ରଶ୍ନ କରି ଏକ ରିଟ୍ ଆବେଦନ ଦାଖଲ କରିଥିଲା। ଏହାର ଯୁକ୍ତି ଅନୁସାରେ ବହୁସଂଖ୍ୟକ ବହିରାଗତମାନଙ୍କୁ ନାଗରିକତ୍ବ ପ୍ରଦାନ କରିବା ଦ୍ବାରା ଏହି ଧାରା ରାଜ୍ୟ‌ର ରାଜନୈତିକ ଓ ସ‌ାଂସ୍କୃତିକ ଅଖଣ୍ଡତାକୁ ବିପଦଗ୍ରସ୍ତ କରିଛି, ଯାହା ସେ ରାଜ୍ୟର ମୂଳ ବାସିନ୍ଦାମାନଙ୍କର ମୌଳିକ ଅଧିକାର କ୍ଷୁଣ୍ଣ କରିଥାଏ।
ଏହି ଧାରା ସଂବିଧାନର ବିଭିନ୍ନ ଧାରା ନାଗରିକକୁ ପ୍ରଦାନ କରିଥିବା ଅଧିକାରମାନର ମଧ୍ୟ ଉଲ୍ଲଂଘନ କରିଥାଏ ବୋଲି ଏଥିରେ ଅଭିଯୋଗ କରାଯାଇଥିଲା। ଉଦାହରଣ ସ୍ବରୂପ ‘ଧାରା ୬-ଏ’ କେବଳ ଆସାମ ରାଜ୍ୟ ପ୍ରତି ଲାଗୁ ହେଉଥିବାରୁ ଏବଂ ଅନ୍ୟ ରାଜ୍ୟମାନଙ୍କ ପ୍ରତି ଲାଗୁ ହେଉ ନ ଥିବାରୁ, ଏହା ସଂବିଧାନର ‘ଧାରା ୧୪’ ଦ୍ବାରା ପ୍ରଦତ୍ତ ସମାନତା ପାଇଁ ମୌଳିକ ଅଧିକାରର ଉଲ୍ଲଂଘନ କରିଥାଏ। ସେଇଭଳି ‌େଯହେତୁ ‘ଧାରା ୬-ଏ’ ବଳରେ ଭୋଟର ତାଲିକାରେ ବହିରାଗତମାନଙ୍କୁ ଅନ୍ତର୍ଭୁକ୍ତ କରିବା ଦ୍ବାରା ନିର୍ବାଚନ ଫଳାଫଳ ପ୍ରଭାବିତ ହୋଇପାରେ, ତାହା ଦ୍ବାରା ସଂବିଧାନର ଧାରା ୩୨୫ ଓ ୩୨୬ ନାଗରିକମାନଙ୍କୁ ପ୍ରଦାନ କରିଥିବା ରାଜନୈତିକ ଅଧିକାରର ଉଲ୍ଲଂଘନ ଘଟିଥାଏ। ପୁଣି ବହୁସଂଖ୍ୟକ ବହିରାଗତମାନଙ୍କର ପ୍ରବେଶ ଦ୍ବାରା ସଂବିଧାନର ‘ଧାରା ୨୯’ ସଂଖ୍ୟାଲଘୁମାନଙ୍କୁ ପ୍ରଦାନ କରିଥିବା ସାଂସ୍କୃତିକ ଓ ଭାଷାଗତ ଅଧିକାର ବ୍ୟାହତ ହେବାର ସମ୍ଭାବନା ଦେଖାଦେଇଥାଏ।
୨୦୧୪ରେ ଏକ ଦୁଇଜଣିଅା ବେଞ୍ଚ ଏହି ମାମଲାକୁ ଏକ ସାଂବିଧାନିକ ବେଞ୍ଚ ଦ୍ବାରା ଶୁଣାଣି କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ନ୍ୟାୟମୂର୍ତ୍ତିମାନଙ୍କର ଅବସର ଗ୍ରହଣ ଯୋଗୁଁ ଏହି ସାଂବିଧାନିକ ବେଞ୍ଚ ବାରମ୍ବାର ପୁନର୍ଗଠିତ ହୋଇ ଶେଷରେ ମୁଖ୍ୟ ବିଚାରପତି ଧନଞ୍ଜୟ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ବେଞ୍ଚ ୨୦୨୩ ଡିସେମ୍ବରରେ କରିଥିବା ଶୁଣାଣିର ରାୟ ଏବେ ପ୍ରକାଶ ପାଇଛି। ସୁପ୍ରିମ୍ କୋର୍ଟ ତାଙ୍କର ଏହି ରାୟରେ ୧୯୭୧ ସମୟସୀମାକୁ ଯୁକ୍ତିଯୁକ୍ତ ବୋଲି ଘୋଷଣା କରିଛନ୍ତି। ଅଦାଲତଙ୍କ ବିଚାରରେ ଏହି ସମୟସୀମା ଯେହେତୁ ବାଂଲାଦେଶ ମୁକ୍ତି ସଂଗ୍ରାମର ଅନ୍ତ ଭଳି ଏକ ଗୁରୁତ୍ବପୂର୍ଣ୍ଣ ଐତିହାସିକ ଘଟଣା ସହିତ ସଂପୃକ୍ତ, ଯାହା ଯୋଗୁଁ ଗଣବିସ୍ଥାପନ ଘଟି ବହୁସଂଖ୍ୟକ ବିଦେଶୀମାନଙ୍କର ଅନୁପ୍ରବେଶ ଘଟିଥିଲା, ଏହି ବର୍ଗକୁ ସ୍ବୀକୃତି ପ୍ରଦାନ ହେଉଛି ସଂପୂର୍ଣ୍ଣ ସଂବିଧାନ ସମ୍ମତ। ଅବଶ୍ୟ ଅଦାଲତ ସ୍ବୀକାର କରିଛନ୍ତି ଯେ ବାଂଲାଦେଶ ମୁକ୍ତି ସଂଗ୍ରାମ ଯୋଗୁଁ ଆସାମକୁ ଅଧିକ ବହିରାଗତ ବୋଝ ବହନ କରିବାକୁ ପଡ଼ିଛି। କିନ୍ତୁ ଏଥିସହିତ ଅଦାଲତ ମଧ୍ୟ ଏ କଥା କହିଛନ୍ତି ଯେ ଏ କ୍ଷେତ୍ରରେ ବହୁସଂଖ୍ୟକ ବହିରାଗତଙ୍କର ମାନବାଧିକାର ଓ ମୂଳ ବାସିନ୍ଦାମାନଙ୍କର କେତେକ ସାଂବିଧାନିକ ଅଧିକାର ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବାକୁ ହେବ।
ଏଠାରେ ଏହା ମଧ୍ୟ ସୂଚନାଯୋଗ୍ୟ ଯେ ଯେହେତୁ ନାଗରିକ ପଞ୍ଜୀକରଣ ଖସଡ଼ା‌ ‘ଏନ୍‌ଆର୍‌ସି’ର ପ୍ରସ୍ତୁତିର ଅାଧାର ହେଉଛି ‘ଧାରା ୬-ଏ’, ସୁପ୍ରିମ୍ କୋର୍ଟଙ୍କର ଏହି ରାୟ ଏହି ଧାରାର ସାଂବିଧାନିକତାକୁ କାଏମ ରଖିବା ପରେ ଏଥର ‘ଏନ୍‌ଆର୍‌ସି’ ପ୍ରସ୍ତୁତି ତ୍ବରାନ୍ବିତ ହେବାର ଦୃଢ଼ ସମ୍ଭାବନା ସୃଷ୍ଟି ହୋଇଛି। ସୁପ୍ରିମ୍ କୋର୍ଟ ଏଥର ‘ଏନ୍‌ଆର୍‌ସି’ର ପୁନଃ ସମୀକ୍ଷା ନିମିତ୍ତ ଆସାମ ସରକାର କରିଥିବା ଅନୁରୋଧର ତୁରନ୍ତ ଫଇସଲା କରିବା ଉଚିତ।