ବିଜେପିର କପଟାଚାର

ଅରୁଣ ସିହ୍ନା

କର୍ଣ୍ଣାଟକର ବିଜେପି ନେତାମାନେ ହିଜାବ ମାମଲାକୁ ଯେପରି ନିୟନ୍ତ୍ରଣ କରୁଛନ୍ତି, ତାହା ଦଳର ହିତ ପାଇଁ ନା କ୍ଷତି ପାଇଁ ତାହାକୁ ଦଳର ଶୀର୍ଷ ସ୍ଥାନୀୟ ନେତାମାନେ ସମୀକ୍ଷା କରିବାର ଆବଶ୍ୟକତା ରହିଛି। ପ୍ରଥମ ନଜରରେ, ଅଢ଼େଇ ବର୍ଷ ତଳେ ଏହା ମୁସଲିମ୍‌ ମହିଳାଙ୍କ ବିବାହ (ଅଧିକାର ସୁରକ୍ଷା) ଆଇନ ଯାହା ତିନି ତଲାକ ଆଇନ ଭାବେ ଜଣାଶୁଣା; ତାକୁ ପାରିତ କରି ମୁସଲିମ୍‌ ମହିଳାଙ୍କ ମଧ୍ୟରେ ଯେଉଁ ସଦିଚ୍ଛା ହାସଲ କରିଥିଲା, କିଛି ପରିମାଣରେ ତାହା ହରେଇ ବସିଛି। ମୁସଲିମ୍‌ ମହିଳାଙ୍କୁ ତତ୍କାଳ ଛାଡ଼ପତ୍ର ଭଳି ଅତ୍ୟାଚାରରୁ ସୁରକ୍ଷା ଦେବା ଏହି ଆଇନର ଉଦ୍ଦେଶ୍ୟ ନୁହେଁ, ବରଂ ମୁସଲମାନ ବ୍ୟକ୍ତିଗତ ଆଇନ ଦୁର୍ଗର ଏକ ଅଂଶକୁ ଭୁଶୁଡ଼ାଇବା ପାଇଁ ଏହା ବିଜେପିର ପ୍ରୟାସ ବୋଲି ଉଦାରବାଦୀ ଓ ବାମପନ୍ଥୀମାନେ ସେତେବେଳେ ଉପହାସ କରିଥିଲେ। ମାତ୍ର ତାହାକୁ ଭ୍ରୂକ୍ଷେପ ନ କରି ମୁସଲିମ୍‌ ମହିଳାମାନଙ୍କର ସଂଗଠନ ‘ଭାରତୀୟ ମୁସଲିମ୍‌ ମହିଳା ଆନ୍ଦୋଳନ’ ମଧ୍ୟ ପୂର୍ଣ୍ଣ ପ୍ରାଣରେ ଉକ୍ତ ଆଇନ ପାଇଁ ମୋଦୀ ସରକାରଙ୍କୁ ସମର୍ଥନ କରିଥିଲା। ଏବେ ସେହି ସଂଗଠନ, ହିଜାବ ପିନ୍ଧା ଛାତ୍ରୀମାନଙ୍କୁ ଶ୍ରେଣୀ କକ୍ଷକୁ ବାରଣ କରାଯିବା ପରିପ୍ରେକ୍ଷୀରେ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛି।

ସଂସଦରେ କି ଅଭୂତପୂର୍ବ ଉତ୍ସାହର ସହ ବିଜେପି ତିନି ତଲାକ ଆଇନକୁ ପାରିତ କରାଇଥିଲା! ଏହା ମୁସଲମାନ ମହିଳାମାନଙ୍କର ସଶକ୍ତୀକରଣ ପାଇଁ ବୋଲି ଦଳ ଦାବି କରିଥିଲା। ସଂସଦ ତିନି ତଲାକ ବ୍ୟବସ୍ଥାକୁ ଉଚ୍ଛେଦ କରିଦେଲା। ଲିଙ୍ଗଗତ ନ୍ୟାୟର ଏହା ଏକ ବିଜୟ। ଏହା ମହିଳା ସଶକ୍ତୀକରଣକୁ ଆହୁରି ପରିପୁଷ୍ଟ କରିବ। ‘ଭାରତ ଆଜି ଆନନ୍ଦିତ’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସେତେବେଳେ ଟ୍ବିଟ୍‌ କରିଥଲେ। ବାସ୍ତବରେ ଉକ୍ତ ଆଇନ ପାରିତ ହେବା ପରେ ମୁସଲିମ୍‌ ମହିଳାଙ୍କ ତତ୍କାଳ ଛାଡ଼ପତ୍ର ଅଭିଯୋଗ ମାମଲା ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇଥିଲା। ମାତ୍ର ବିଜେପିର ମୁସଲିମ୍‌ ମହିଳା ସଶକ୍ତୀକରଣ ରଥ ସେଇଠି ଅଟକି ଯାଇଥିଲା। କିନ୍ତୁ ଏହା ଆହୁରି ଅଧିକ ଗଡ଼ିବାର ଆବଶ୍ୟକତା ଥିଲା। ତିନି ତଲାକ ଉଚ୍ଛେଦ ବଳରେ ଜଣେ ମୁସଲମାନ ସ୍ବାମୀ ତିନି ଥର ‘ତଲାକ’ ଉଚ୍ଚାରଣ କରି ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ପାରିଲେ ନାହିଁ ସିନା, ମାତ୍ର ସେଥିରେ ତାଙ୍କୁ ସେହି ପତ୍ନୀଙ୍କ ପ୍ରତି ଥରେ ‘ତଲାକ’ ଉଚ୍ଚାରଣ କରିବାରୁ ବାରଣ କରାଯାଇ ନ ଥିଲା ଏବଂ ତିନି ଋତୁସ୍ରାବ କି ତିନି ଚାନ୍ଦ୍ର ମାସର ପ୍ରତୀକ୍ଷା ଅବଧି ମଧ୍ୟରେ ତାହାକୁ ଫେରାଇ ନେବା ପାଇଁ ବାଧ୍ୟ କରାଯାଇ ନ ଥିଲା। ଅଧିକାର ଦୃଷ୍ଟିରୁ ମୁସଲିମ୍‌ ପୁରୁଷଟିଏ ତେଣୁ ପୂର୍ବ ପରି ମହିଳାଙ୍କ ଉପରେ ରହିଲା। ମହିଳାମାନେ କିଛି କରିପାରିଲେ ନାହିଁ। ନବେ ଦିନ ପରେ ସେମାନେ ସ୍ବାମୀଙ୍କ ଜୀବନରୁ ଓ ତାଙ୍କ ଘରୁ ବିତାଡ଼ିତ ହେବାକୁ ବାଧ୍ୟ ହେଲେ। ସ୍ବାମୀଙ୍କୁ କେବଳ ନବେ ଦିନର ଭରଣପୋଷଣ ଖର୍ଚ୍ଚ ଓ ବିବାହ ସମୟରେ ରାଜି ହୋଇଥିବା ଛାଡ଼ପତ୍ର ଦେୟ ବା ‘ମହର’ ଦେବାକୁ ପଡ଼ିଲା। ତେଣୁ ବାସ୍ତବରେ ମୁସଲିମ୍‌ ମହିଳାମାନେ କେବଳ ଏତିକି ପାଇ ବିଦାୟ ନେଲେ।

ତିନି ତଲାକ ଉଚ୍ଛେଦ ପରେ ବିଜେପି ଆଉ କିଛି ଅଧିକ ପଦକ୍ଷେପ ନେବାର ଥିଲା। ଛାଡ଼ପତ୍ର ପାଉଥିବା ମହିଳାଙ୍କୁ କେବଳ ପ୍ରତୀକ୍ଷା ଅବଧି ଲାଗି ନୁହେଁ, ବରଂ ସାରା ଜୀବନ ପାଇଁ ସ୍ବାମୀଙ୍କ ଠାରୁ ଭରଣପୋଷଣ ପାଇବାର ଅଧିକାର ଦେଇଥିବା ୧୯୮୬ର ସାହବାନୋ ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ବଳବତ୍ତର କରିବାର ଥିଲା ଏବଂ ରାଜୀବ ଗାନ୍ଧୀ ସରକାର ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ରଦ୍ଦ କରି ଆଣିଥିବା ଆଇନକୁ ମଧ୍ୟ ଖତମ କରିଦେବାର ଥିଲା। ରାଜୀବ ଗାନ୍ଧୀ ମୁଲ୍ଲା (ମୁସଲମାନ ଧର୍ମଯାଜକ)ମାନଙ୍କ ଚାପର ଶିକାର ହୋଇଥିଲେ ବୋଲି ବିଜେପି ଅଭିଯୋଗ କରିଥିଲା। ନିଜ ପାଇଁ ପ୍ରଭୂତ ସମର୍ଥନ ଗୋଟାଇବା ପାଇଁ ବିଜେପି ଏହି ପ୍ରସଙ୍ଗରେ ହିନ୍ଦୁ ଆବେଗକୁ ଉସୁକାଇଥିଲା। ମାତ୍ର ଦଳ ଅଦ୍ୟାବଧି କେନ୍ଦ୍ରରେ ପାଖାପାଖି ଆଠ ବର୍ଷ ରହିଥିବା ସତ୍ତ୍ବେ ଉକ୍ତ ଆଇନକୁ ରଦ୍ଦ କରିପାରିନାହିଁ। ଛାଡ଼ପତ୍ର ପାଉଥିବା ମୁସଲମାନ ମହିଳାଙ୍କୁ ଜୀବନ ତମାମ ଭରଣପୋଷଣ ମିଳିବା ମଧ୍ୟ ନିଶ୍ଚିତ ହେବା ଦରକାର। ଆଉ ପ୍ରକୃତରେ ବିଜେପି ଯଦି ମୁସଲମାନ ମହିଳାଙ୍କର ସଶକ୍ତୀକରଣ କରିବାକୁ ଚାହୁଛି, ତେବେ ଆହୁରି ଅଧିକ କିଛି କରିବାକୁ ପଡ଼ିବ। କାରଣ ଜଣେ ମୁସଲମାନ ମହିଳା ପାଇଁ କେବଳ ଜୀବନ ତମାମ ଭରଣପୋଷଣ ଖର୍ଚ୍ଚ ଯଥେଷ୍ଟ ନୁହେଁ। ଏହା ପାଇଲେ ବି , ଯେହେତୁ ପ୍ରାପ୍ତ ରାଶି ପର୍ଯ୍ୟାପ୍ତ ନୁହେଁ, ଜଣେ ମହିଳାଙ୍କୁ ସବୁବେଳେ କାହାରି ନା କାହାରି ଉପରେ ନିର୍ଭରଶୀଳ ହୋଇ ବଞ୍ଚିବାକୁ ପଡ଼ିଥାଏ। ଏହି ଦୃଶ୍ୟପଟ ହିଁ ହିନ୍ଦୁ ମହିଳାଙ୍କୁ ମଧ୍ୟ ପୀଡ଼ା ଦେଉଥିବା ବୈବାହିକ ସମ୍ପର୍କରୁ ମୁକ୍ତି ଲାଗି ଛାଡ଼ପତ୍ର ଦେବା ପାଇଁ ନିରୁତ୍ସାହିତ କରୁଛି, ଯଦିଓ ଆଇନ ଅନୁଯାୟୀ ଭରଣପୋଷଣ ଖର୍ଚ୍ଚ ମିଳୁଛି। ସ୍ବାମୀ ଛାଡ଼ପତ୍ର ଦିଅନ୍ତୁ ବା ସ୍ତ୍ରୀ ଛାଡ଼ପତ୍ର ଦିଅନ୍ତୁ; ସଂପୃକ୍ତ ମହିଳାଙ୍କୁ ସ୍ବାଧୀନ ଭାବରେ ସମ୍ମାନ ଓ ଗରିମାର ସହ ଜୀବନ ନିର୍ବାହ କରିବାର ଆବଶ୍ୟକତା ରହିଛି।

ସାଂପ୍ରତିକ ଚଳଣିରେ ଯୁବପିଢ଼ିଙ୍କ ମଧ୍ୟରେ ଆର୍ଥିକ ସ୍ବାଧୀନତା ହିଁ ସେମାନଙ୍କୁ ମୁକ୍ତ ଭାବରେ ପସନ୍ଦ କରିବା ଲାଗି ପ୍ରୋତ୍ସାହନ ଦେଉଛି। ଜଣେ ମହିଳା ମଧ୍ୟ ରୋଜଗାରିଆ ହୋଇଥିବାରୁ ସେ ସେଭଳି ନିପୀଡ଼ନକାରୀ ବୈବାହିକ ସମ୍ପର୍କକୁ ଜାବୁଡ଼ି ଧରି ବଞ୍ଚିବାକୁ ଚାହୁନାହିଁ। ତେଣୁ ମହିଳାଙ୍କ ଲାଗି ଅଧିକ ନିଯୁକ୍ତିର ସୁଯୋଗ ହେଉଛି ନାରୀ ସଶକ୍ତୀକରଣର ଚାବିକାଠି ଏବଂ ତାହା ନାରୀ ଶିକ୍ଷା ବିନା ସମ୍ଭବ ନୁହେଁ। ମହିଳାମାନେ ସ୍କୁଲ୍‌ ବା କଲେଜ ନ ଗଲେ ନାରୀ ଶିକ୍ଷା ମଧ୍ୟ ସାର୍ଥକ ହେବ ନାହିଁ। ତେଣୁ ବିଜେପି ଯଦି ପ୍ରକୃତରେ ମୁସଲମାନ ମହିଳାଙ୍କ ସଶକ୍ତୀକରଣ ଚାହୁଛି, ତେବେ ହିଜାବ ପିନ୍ଧି ଶ୍ରେଣୀ କକ୍ଷକୁ ଯାଉଥିବା ଛାତ୍ରୀଙ୍କୁ ବାରଣ କରିବାରୁ ନିବୃତ୍ତ ରହିବା ଦରକାର।
ହିଜାବ ଏକ ପସନ୍ଦର କଥା। କିଛି ମୁସଲମାନ ଛାତ୍ରୀ ଏହାକୁ ପିନ୍ଧୁଛନ୍ତି, କିଛି ମଧ୍ୟ ପିନ୍ଧୁନାହାନ୍ତି। ଏପରିକି ବିଜେପି ଯଦି ଅନୁଭବ କରୁଛି କି ଏହା ପଶ୍ଚାତ୍‌ଗାମୀ ଏବଂ ଅଭିଭାବକ ଓ ରୂଢ଼ିବାଦୀଙ୍କ ଚାପରେ ଛାତ୍ରୀମାନେ ତାହା ପିନ୍ଧୁଛନ୍ତି, ତେବେ ମଧ୍ୟ ତାହାକୁ ଅନୁମତି ଦେବା ଦରକାର। ଅପର ପକ୍ଷେ, ଦଳ ଏ କଥା ମଧ୍ୟ ହୃଦୟଙ୍ଗମ କରିବା ଉଚିତ ଯେ ହିଜାବ ପିନ୍ଧା ଛାତ୍ରୀମାନଙ୍କୁ ଏପରି ବାରଣ କରିବା ଦ୍ବାରା ସେମାନଙ୍କୁ ରୂଢ଼ିବାଦର କବ୍‌ଜା ଭିତରକୁ ଅଧିକ ଠେଲି ଦିଆଯାଉଛି। ମୁସଲମାନ ମହିଳାମାନେ ଅଧିକରୁ ଅଧିକ ଶିକ୍ଷା ଲାଭ କରିବା ବିଜେପିର ଲକ୍ଷ୍ୟ ହେବା ଉଚିତ। ନିଯୁକ୍ତି ଆଡ଼କୁ ଶିକ୍ଷା ବାଟ କଢ଼ାଇବ। ନିଯୁକ୍ତି ସେମାନଙ୍କୁ କାର୍ଯ୍ୟ ସ୍ଥଳକୁ ନେଇଯିବ। ଏକ ଗତିଶୀଳ ବିବିଧ ସଂସ୍କୃତି ବିଶିଷ୍ଟ ପରିବେଶରେ ସେମାନଙ୍କ ଆବିର୍ଭାବ ସେମାନଙ୍କୁ ରୂଢ଼ିବାଦୀ ସାଂସ୍କୃତିକ ପ୍ରଥା ସମ୍ପର୍କରେ ପୁନର୍ଚିନ୍ତନ ଲାଗି ବାଧ୍ୟ କରିବ। ଏହାଦ୍ବାରା ଅଧିକରୁ ଅଧିକ ମୁସଲମାନ ମହିଳା ଅନ୍ୟ ଧର୍ମର ପୁରୁଷଙ୍କୁ ବିବାହ କରିବା ପାଇଁ ବାଟ ଫିଟିବ, ଯାହା ଭାରତରେ ଘଟୁନାହିଁ। ଏହା ଧର୍ମ ନିରପେକ୍ଷ ବା ଦ୍ବୈତ ଧର୍ମାବଲମ୍ବୀ ଦମ୍ପତିଙ୍କ ସଂଖ୍ୟାକୁ ବଢ଼ାଇବା ସହ ଏକ ସାଂସ୍କୃତିକ ରୂ‌େପ ସୁସ୍ଥ ଭାରତ ଗଠନରେ ସହାୟକ ହେବ, ଯାହା ଆମେରିକାରେ ଘଟି ଚାଲିଛି।

ବିଜେପି ମଧ୍ୟ ଏ କଥା ହୃଦୟଙ୍ଗମ କରିବା ଉଚିତ ଯେ ମୁସଲମାନ ବାଳିକାମାନେ ମୋଟାମୋଟି ଭୟ ଓ ଅସୁରକ୍ଷା ମଧ୍ୟରେ କାଳାତିପାତ କରୁଛନ୍ତି। ଦଙ୍ଗା ବେଳେ ମୁସଲମାନ ମହିଳାମାନେ ଦୁଷ୍କର୍ମର ଶିକାର ହେବାଟା ଏକ ସାଧାରଣ ଘଟଣା ପାଲଟିଛି। ସାମ୍ପ୍ରଦାୟିକ ହିଂସା ଓ ପକ୍ଷପାତିତା ଯୋଗୁଁ ସଂଖାଧିକ ମୁସଲମାନ ‘ଘେଟ୍ଟୋ’ (ପୃଥକ୍‌ ବସ୍ତି)ରେ ବସବାସ କରିବା ପାଇଁ ବାଧ୍ୟ ହୋଇଛନ୍ତି। ‘ଘେଟ୍ଟୋ’ମାନଙ୍କରେ ସାଧାରଣତଃ ପୁରୁଷ ପ୍ରାଧାନ୍ୟ ଓ ରୂଢ଼ିବାଦର ଶାସନ ଚାଲେ। ନିଜ ପରିବାରର ମହିଳାମାନଙ୍କ ସୁରକ୍ଷା ଦାୟିତ୍ବ ନିର୍ବାହ କରିବା ପାଇଁ ପୁରୁଷମାନେ ସେମାନଙ୍କୁ ଘରୁ ବାହାରକୁ ବାହାରିଲେ ବୁର୍ଖା ଓ ହିଜାବ ପିନ୍ଧିବାକୁ ବାଧ୍ୟ କରିଥା’ନ୍ତି, ଯଦ୍ଦ୍ବାରା ସେମାନେ ଅନ୍ୟ କାହା ପ୍ରତି ଆକର୍ଷିତ ହେବେନାହିଁ। ଝିଅମାନଙ୍କୁ ଉଚ୍ଚ ଶିକ୍ଷା ଦେବାକୁ ସେମାନେ ଆଦୌ ଆଗ୍ରହୀ ନୁହନ୍ତି। କାରଣ ‘ଘେଟ୍ଟୋ’ରୁ ବହୁ ଦୂରକୁ ଯାଇ ବାଳିକାମାନେ ନିଜକୁ ଅଧିକ ଅସୁରକ୍ଷିତ କରିବା ସହ ଆଧୁନିକ ଓ ପାଶ୍ଚାତ୍ୟ ଶିକ୍ଷା ସେମାନଙ୍କୁ ବିଗାଡ଼ିବ ବୋଲି ପରିବାରର ପୁରୁଷ କର୍ତ୍ତାମାନେ ଆଶଙ୍କା କରନ୍ତି। ମୁସଲମାନ ‘ଘେଟ୍ଟୋ’ଗୁଡ଼ିକର ବିଲୟ ହେବା ଦରକାର। ସମ୍ମିଳିତ ପରିବେଶରେ ମୁସଲମାନମାନେ କାଳ କାଟିବା ମଧ୍ୟ ଆବଶ୍ୟକ। ତାହା ସମ୍ଭବ ହେବ ଯେତେବେଳେ ରାଜନୈତିକ ଦଳ ଓ ସରକାରମାନେ କୌଣସି ସାଂପ୍ରଦାୟିକ ହିଂସାକୁ ପ୍ରଶ୍ରୟ ଦେବେନାହିଁ କି ମୁସଲମାନଙ୍କ ପ୍ରତି କୌଣସି ପକ୍ଷପାତିତା ରହିବ ନାହିଁ। ଏହା ଘଟିଲେ ମୁସଲମାନ ବାଳିକାମାନେ ନିଜକୁ ଅଧିକ ସୁରକ୍ଷିତ ମଣିବେ ଓ ଅଧିକରୁ ଅଧିକ ଛାତ୍ରୀ ସ୍କୁଲ୍‌, କଲେଜକୁ ଆସିବେ। ଏପରିକି ସେମାନଙ୍କୁ ଉଚ୍ଚ ଶିକ୍ଷାରୁ ବାରଣ କରିବା ପାଇଁ ସେମାନଙ୍କ ପିତାମାତାଙ୍କ ପାଖରେ କୌଣସି ବାହାନା ନ ଥିବ। ଯଦି ହିଜାବ ପିନ୍ଧି ସେମାନଙ୍କ ପିଲାମାନେ ଶିକ୍ଷାଳୟ ଯିବାକୁ ଚାହୁଛନ୍ତି, ତାହା କରିବାକୁ ଦିଆଯାଉ। ଅନ୍ତତଃ ମୁସଲମାନ ବାଳିକାମାନେ ତ ଉଚ୍ଚ ଶିକ୍ଷା ଲାଭ କରିପାରିବେ! ତାହା ସେମାନଙ୍କ ପାଇଁ ନୂତନ ଦ୍ବାର ଉନ୍ମୁକ୍ତ କରିଦେବ। ତାହା ସେମାନଙ୍କୁ ଭିନ୍ନ ରାଇଜକୁ ନେଇଯିବ।

ମୁସଲମାନଙ୍କ ବିରୋଧରେ କୌଣସି ହିଂସା କି ପକ୍ଷପାତିତା ନାହିଁ ବୋଲି ବିଜେପି ନିଶ୍ଚିତ କରାଇବ କି? ମୁସଲମାନ ବାଳିକାଙ୍କ ଶିକ୍ଷା ଉପରେ ସଂପୂର୍ଣ୍ଣ ମନୋନିବେଶ କରି ଏହା ଭବିଷ୍ୟତ୍‌ ଉପରେ ହିଜାବର ଭବିଷ୍ୟତ୍‌କୁ ଛାଡ଼ିଦେବ କି? ଅବା ମୁସଲମାନ ମହିଳାଙ୍କ ସଶକ୍ତୀକରଣର ଦାୟିତ୍ବ କେବଳ ତିନି ତଲାକ ଆଇନରେ ସୀମିତ ବୋଲି ଲୋକେ ବିଶ୍ବାସ କରନ୍ତୁ ବୋଲି ଦଳ ଚାହୁଛି? ମୁସଲମାନ ମହିଳାଙ୍କ ମହାନ୍‌ ତ୍ରାଣକର୍ତ୍ତାଙ୍କ ବାବଦରେ ଆମେ କ’ଣ ଅଧିକ ପ୍ରଶ୍ନ କଲେ କି?
[email protected]

ସମ୍ବନ୍ଧିତ ଖବର