ଅତୀତରେ ବିଭିନ୍ନ ନୀତିଗତ ପ୍ରସଙ୍ଗରେ କମଳା ବାରମ୍ବାର ମତ ପରିବର୍ତ୍ତନ କରି ନିଜର ରାଜନୈତିକ ଭିତ୍ତିଭୂମିକୁ ଦୁର୍ବଳ କରିଛନ୍ତି। ଉପରାଷ୍ଟ୍ରପତି ଭାବରେ ତାଙ୍କର ଉପଲବ୍ଧିମାନ ମଧ୍ୟ ଆଦୌ ଉଲ୍ଲେଖନୀୟ ନୁହେଁ। ତେବେ ଏହା ନିଶ୍ଚିତ ଯେ ମତିଭ୍ରମ-ପ୍ରଦର୍ଶନକାରୀ ୮୧ ବର୍ଷୀୟ ଜୋ ବାଇଡେନ୍ଙ୍କ ଅପେକ୍ଷା ୫୯ ବର୍ଷୀୟା କାଲିଫର୍ନିଆର ପୂର୍ବତନ ବିଚକ୍ଷଣ ଆଟର୍ନି ଜେନେରାଲ୍ ତଥା ପ୍ରଭାବଶାଳୀ ପ୍ରାକ୍ତନ ସିନେଟର୍ କମଳା ହ୍ୟାରିସ୍ଙ୍କ ଦ୍ବାରା ଉଦ୍ଦାମ ଡୋନାଲ୍ଡ ଟ୍ରମ୍ପ ପରାଜିତ ହେବାର ସମ୍ଭାବନା ହେଉଛି ବହୁ ଅଧିକ। ଯେଉଁ ନିର୍ବାଚନଟି ଡେମୋକ୍ରାଟିକ୍ ପାର୍ଟିର ହାତରୁ ପ୍ରାୟ ସଂପୂର୍ଣ୍ଣ ଖସି ଯାଇଥିଲା, ବାଇଡେନ୍ଙ୍କ ତ୍ୟାଗ ସେ ଦଳ ପାଇଁ ସେଥିରେ ବିଜୟ ଲାଭ କରିବାର ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି- ବିଳମ୍ବରେ ହେଲେ ମଧ୍ୟ।
ଶେଷରେ ସମଗ୍ର ପୃଥିବୀବାସୀଙ୍କୁ ଆବିଷ୍ଟ କରି ରଖିଥିବା ଉତ୍କଣ୍ଠାର ଅବସାନ ଘଟିଛି। ଜୋ ବାଇଡେନ୍ ଆମେରିକାରେ ଆସନ୍ନ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଅପସରି ଯିବାକୁ ନିଷ୍ପତ୍ତି ନେଇଛନ୍ତି। ପାଉଲୋ କୁଏଲୋଙ୍କ ବିଶ୍ବବିଶ୍ରୁତ ଉପନ୍ୟାସ ‘ଦି ଆଲ୍କେମିଷ୍ଟ’ର ଏକ ବହୁଳ ଉଦ୍ଧୃତ ଉକ୍ତି ଅନୁସାରେ ତୁମେ ଯଦି କୌଣସି ଏକ ଲକ୍ଷ୍ୟ ହାସଲ କରିବା ପାଇଁ ସର୍ବୋନ୍ତଃକରଣରେ ଚାହୁଁଥାଅ ତେବେ ସମଗ୍ର ବିଶ୍ବ ତାହାକୁ ସାକାର କରିବା ପାଇଁ ଚକ୍ରାନ୍ତ କରି ଏକଜୁଟ ହୋଇ ତୁମ ପଛରେ ଛିଡ଼ା ହୋଇଯାଏ। ମନେ ହୁଏ ଜୋ ବାଇଡେନ୍ଙ୍କ କ୍ଷେତ୍ରରେ କୁଏଲୋଙ୍କର ଏହି ବିଜ୍ଞ ବଚନ ଠିକ୍ ବିପରୀତ ଭାବରେ କାର୍ଯ୍ୟ କରିଛି। େଜା ବାଇଡେନ୍ ତାଙ୍କର ମନମୁନ ଚୈତନ୍ୟ ଦେଇ ଦ୍ବିତୀୟ ଥର ଆମେରିକାର ରାଷ୍ଟ୍ରପତି ପଦ ଲାଭ କରିବା ପାଇଁ ଇଚ୍ଛା କରୁଥିଲେ; ବିଶ୍ବର ସମସ୍ତ ଶକ୍ତି କିନ୍ତୁ ତାଙ୍କୁ ଏହି ଲକ୍ଷ୍ୟ ହାସଲ ନ କରାଇଦେବା ପାଇଁ ଲାଗିପଡ଼ିଥିଲା ଭଳି ମନେ ହେଉଥିଲା।
ଅଦୃଷ୍ଟର ଏହି ବିପରୀତ ଚକ୍ରାନ୍ତର ଉଦାହରଣ ସ୍ବରୂପ ପ୍ରଥମେ ବାଇଡେନ୍ ତାଙ୍କର ବାର୍ଦ୍ଧକ୍ୟଜନିତ ମତିଭ୍ରମର ବିଭିନ୍ନ ନମୁନାମାନ ସର୍ବସମକ୍ଷରେ ପ୍ରଦର୍ଶନ କରିବାରେ ଲାଗିଲେ। ଏହି କାରଣରୁ ଟ୍ରମ୍ପଙ୍କ ସହିତ ଏକ ଟେଲିଭିଜନ ବିତର୍କରେ ସେ ସଂପୂର୍ଣ୍ଣ ଧରାଶାୟୀ ହେବା ପରେ ଦୌଡ଼ରୁ ଓହରିଯିବା ପାଇଁ ତାଙ୍କ ଉପରେ ପ୍ରବଳ ଚାପ ପଡ଼ିବା ସତ୍ତ୍ବେ ସେ ତଥାପି ନଛୋଡ଼ବନ୍ଦା ରହିଥିଲେ। ସେ କହି ଚାଲିଥିଲେ ଯେ କେବଳ ସେ ହିଁ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିପାରିବେ। ଚକ୍ରାନ୍ତକାରୀ ବିଧି ବୋଧହୁଏ ଏହା ଶୁଣିପାରି ଡୋନାଲ୍ଡ ଟ୍ରମ୍ପଙ୍କର ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ତାଙ୍କ ଉପରେ ଏକ ବନ୍ଧୁକ ଆକ୍ରମଣ ରଚନା କରିଦେଲା ଯେଉଁଥିରେ କେବଳ ତାଙ୍କର କାନ ଖଣ୍ଡିଆ ହେଲା, କିନ୍ତୁ ଯାହାର ପ୍ରତିକ୍ରିୟା ସ୍ବରୂପ ତାଙ୍କ ପ୍ରତି ସମର୍ଥନରେ ଦୃଢ଼ୀକରଣ ଘଟିଲା। ଜୋ ବାଇଡେନ୍ ଏହା ପରେ ମଧ୍ୟ ଦବିଗଲେ ନାହିଁ। ଏଥର ଅଦୃଷ୍ଟ ଆଉ ଲକ୍ଷ୍ୟଭ୍ରଷ୍ଟ ନ ହୋଇ ବୃଦ୍ଧ ବାଇଡେନ୍ଙ୍କ ପ୍ରତି ଶେଷ ଅସ୍ତ୍ର ପ୍ରୟୋଗ କଲା: ତାଙ୍କୁ କୋଭିଡ୍ ଦ୍ବାରା ଆକ୍ରାନ୍ତ କରି ଗୃହବନ୍ଦୀ କରାଇଦେଲା। ଅସଲ ସମୟରେ ପ୍ରଚାର ଅଭିଯାନରୁ ଦୂରେଇ ରହିବା ବାଇଡେନ୍ଙ୍କ ପ୍ରାର୍ଥିତ୍ବକୁ ଏପରି ଦୁର୍ବଳ କରିଦେଲା ଯେ ତାଙ୍କର ଦୃଢ଼ ସମର୍ଥକମାନେ ମଧ୍ୟ ତାଙ୍କୁ ଆଉ ବିଳମ୍ବ ନ କରି ପ୍ରତିଯୋଗିତାରୁ ଅପସରି ଯାଇ ଅନ୍ୟ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ସୁଯୋଗ ଦେବା ପାଇଁ ଉପଦେଶ ଦେବାକୁ ଆରମ୍ଭ କଲେ।
ଶେଷରେ ବିଧିର ବିପରୀତ ଚକ୍ରାନ୍ତ ସଫଳ ହୋଇଛି; ଜୋ ବାଇଡେନ୍ ଦୌଡ଼ରୁ ଓହରିଯାଇ ଅନ୍ୟ ଜଣେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ପ୍ରତି ନିଜର ସମର୍ଥନ ଜ୍ଞାପନ କରିଛନ୍ତି। ସେ ପ୍ରାର୍ଥୀ ଜଣକ ହେଉଛନ୍ତି ଏ ପର୍ଯ୍ୟନ୍ତ ଦୃଢ଼ ଭାବରେ ବାଇଡେନ୍ଙ୍କ ପଛରେ ଛିଡ଼ା ହୋଇ ଆସିଥିବା ଉପରାଷ୍ଟ୍ରପତି କମଳା ହ୍ୟାରିସ୍। ନିରପେକ୍ଷ ଦୃଷ୍ଟିରେ ଦେଖିଲେ କୁହାଯାଇପାରେ ଯେ ଜୋ ବାଇଡେନ୍ ଶେଷ ମୁହୂର୍ତ୍ତରେ ନେଇଥିବା ଏହି ନିଷ୍ପତ୍ତି ଆମେରିକାକୁ ଏକ ନୂତନ ରୂପରେଖ ପ୍ରଦାନ କରିବାର ସମ୍ଭାବନା ବହନ କରୁଛି। ଟ୍ରମ୍ପ ଶିବିର ଏ ପର୍ଯ୍ୟନ୍ତ ଏକ ଗୁପ୍ତ ଆଶା ପୋଷଣ କରିଚାଲିଥିଲା ଯେ ଦୁର୍ବଳ ଜୋ ବାଇଡେନ୍ ହିଁ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ହୋଇରହିବେ ଏବଂ ଟ୍ରମ୍ପ ତାଙ୍କୁ ସହଜରେ ପରାସ୍ତ କରିଦେବେ। ଏବେ କିନ୍ତୁ ବାଇଡେନ୍ଙ୍କର ସ୍ବେଚ୍ଛାକୃତ ତ୍ୟାଗ ଉଭୟ ହ୍ବାଇଟ୍ ହାଉସ୍ ଓ କଂଗ୍ରେସ ଡେମୋକ୍ରାଟିକ୍ ପାର୍ଟିର ନିୟନ୍ତ୍ରଣଭୁକ୍ତ ହେବାର ଏକ ନିଶ୍ଚିତ ସମ୍ଭାବନା ସୃଷ୍ଟି କରିଛି। ବାଇଡେନ୍ଙ୍କର ଏହି ନିଷ୍ପତ୍ତି ଯୋଗୁଁ କମଳା ହ୍ୟାରିସ୍ ଯଦି ଆଗାମୀ ନିର୍ବାଚନରେ ଜୟଯୁକ୍ତା ହୋଇ ଆମେରିକାର ରାଷ୍ଟ୍ରପତି ପଦ ମଣ୍ଡନ କରନ୍ତି, ତେବେ ଇତିହାସରେ ସର୍ବପ୍ରଥମ ଥର ପାଇଁ ପୃଥିବୀର ସର୍ବାଧିକ ଶକ୍ତିଶାଳୀ ବ୍ୟକ୍ତିଜଣକ ହେବେ ଜଣେ ନାରୀ। ଏହା ପୃଥିବୀବ୍ୟାପୀ ଲିଙ୍ଗ-ନ୍ୟାୟ ଚିତ୍ରରେ ଯେଉଁଭଳି ବ୍ୟାପକ ପରିବର୍ତ୍ତନ ଘଟାଇବାର ସମ୍ଭାବନା ବହନ କରିଥାଏ, ତାହାର ପୂର୍ବାନୁମାନ କରିବା କଷ୍ଟକର।
ବାଇଡେନ୍ଙ୍କର ଏହି ରାଜନୈତିକ ଆତ୍ମତ୍ୟାଗ ତେଣୁ ତାଙ୍କର ସୁଦୀର୍ଘ ଲଢୁଆ ବ୍ୟକ୍ତିଗତ ତଥା ରାଜନୈତିକ କ୍ୟାରିଅର୍ର ଏକ ଉପଯୁକ୍ତ ଉପସଂହାର ରୂପେ ଆବିର୍ଭୂତ ହୋଇଥାଏ, ଯାହା ତାଙ୍କର ସମ୍ଭାବ୍ୟ ବିଜୟ ଠାରୁ ମଧ୍ୟ ଅଧିକ ଗରିମାମୟ ବୋଧ ହୋଇଥାଏ। ତାଙ୍କର ଏହି ଆତ୍ମ-ଅପସାରଣ ତାଙ୍କର ପ୍ରତିଦ୍ବନ୍ଦ୍ବୀଙ୍କର ଭାବମୂର୍ତ୍ତିକୁ ମଧ୍ୟ ନିଷ୍ପ୍ରଭ କରିବାରେ ସହାୟକ ହୋଇଥାଏ। ଟ୍ରମ୍ପଙ୍କର ସମସ୍ତ ‘ମାଗା’ (‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍’) ଆସ୍ଫାଳନ ସତ୍ତ୍ବେ ତାଙ୍କର ରାଜନୀତି ମୁଖ୍ୟତଃ ଆତ୍ମସ୍ବାର୍ଥ-କୈନ୍ଦ୍ରିକ ହୋଇଥିବା ବେଳେ, ବାଇଡେନ୍ ତାଙ୍କର ଏହି ପଦକ୍ଷେପ ଦ୍ବାରା ସାବ୍ୟସ୍ତ କରି ଦେଇଛନ୍ତି ଯେ ରାଷ୍ଟ୍ର ହିତ ହେଉଛି ତାଙ୍କ ରାଜନୀତିର ମୂଳ ଲକ୍ଷ୍ୟ। ଏଥିରେ କୌଣସି ସେନ୍ଦହ ନାହିଁ ଯେ ବାଇଡେନ୍ ତାଙ୍କର ଗୋଟିଏ ପାଳିର ଶାସନ ସମୟରେ ଯେତିକି କାର୍ଯ୍ୟ କରିପାରିଛନ୍ତି, ଅନେକ ରାଷ୍ଟ୍ରପତି ସେମାନଙ୍କର ଦୁଇ ପାଳିର ଶାସନ ସମୟରେ ମଧ୍ୟ ସେତିକି କରିପାରି ନାହାନ୍ତି।
ଲକ୍ଷ୍ୟ କରିବା କଥା ନିର୍ବାଚନ ପ୍ରଚାର ଅଭିଯାନରେ ବାଇଡେନ୍-ବିରୋଧୀମାନେ ତାଙ୍କ ବିରୋଧରେ ଯେଉଁ ଏକମାତ୍ର ଅଭିଯୋଗ ଉପରେ ଆଶ୍ରୟ କରି ଆସିଛନ୍ତି, ତାହା ହେଉଛି ତାଙ୍କର ବୟସ। ବୟସ ହେଉଛି ଏଭଳି ଏକ ଶତ୍ରୁ, ଯାହାକୁ ଇତିହାସରେ କେହି ହେଲେ କେବେ ପରାସ୍ତ କରିପାରି ନାହାନ୍ତି। ତଥାପି ବୃଦ୍ଧ ବାଇଡେନ୍ ଶେଷ ପର୍ଯ୍ୟନ୍ତ ଏହା ବିରୁଦ୍ଧରେ ଲଢ଼େଇ ଚଳାଇ ଚଳାଇ ତା’ ନିକଟରେ ପରାଜୟ ସ୍ବୀକାର କରିବା ଦୃଶ୍ୟ ହୁଏତ ଆମେରିକାରେ ଆଉ ଏକ ଅଲିଖିତ ପରମ୍ପରାକୁ ଜନ୍ମ ଦେଇପାରେ: ଜରାଗ୍ରସ୍ତ ରାଷ୍ଟ୍ରପତିମାନେ ଆଉ ଦ୍ବିତୀୟ ପାଳି ଶାସନ ପାଇଁ ନିର୍ବାଚନରେ ଅବତୀର୍ଣ୍ଣ ହେବେ ନାହିଁ। କମଳା ହ୍ୟାରିସ୍ଙ୍କ ବିରୁଦ୍ଧରେ ଏବେ ଏକ ଅଭିଯୋଗ ହେଉଛି ଯେ ସେ ବାଇଡେନ୍ଙ୍କର ବୃଦ୍ଧି ପାଇ ଚାଲିଥିବା ଜରାଜନିତ ଅକ୍ଷମତାକୁ ଦେଶବାସୀଙ୍କ ଦୃଷ୍ଟିପଥରୁ ଲୁଚାଇ ରଖିବା ଚକ୍ରାନ୍ତରେ ଜଡ଼ିତ ଥିଲେ। ହୁଏତ ତାଙ୍କର ଏହି ଆନୁଗତ୍ୟର ପୁରସ୍କାର ସ୍ବରୂପ ବିଦାୟୀ ବାଇଡେନ୍ ବର୍ତ୍ତମାନ ତାଙ୍କର ଉତ୍ତରାଧିକାରୀ ରୂପେ କମଳା ହ୍ୟାରିସ୍ଙ୍କୁ ସମର୍ଥନ ପ୍ରଦାନ କରିଛନ୍ତି।
ବାଇଡେନ୍ଙ୍କ ସମର୍ଥନ ନିଶ୍ଚିତ ରୂପେ ଅଗଷ୍ଟ ୧୯ରେ ଅନୁଷ୍ଠିତ ହେବାକୁ ଯାଉଥିବା ଡେମୋକ୍ରାଟିକ୍ ପାର୍ଟି ନେସ୍ନାଲ୍ କନ୍ଭେନ୍ସନ୍ରେ କମଳା ହ୍ୟାରିସ୍ ବିଧିବଦ୍ଧ ଭାବରେ ସେ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ରୂପେ ମନୋନୀତ ହେବା ସମ୍ଭାବନାକୁ ସୁଗମ କରିବ। କିନ୍ତୁ ବାଇଡେନ୍ଙ୍କର ଏହି ଶେଷ ମୁହୂର୍ତ୍ତ-ଉଦାରତା ଦ୍ବାରା ଡେମୋକ୍ରାଟିକ୍ ପାର୍ଟିର ବିଜୟ କେତେଦୂର ନିଶ୍ଚିତ ହେବାକୁ ଯାଉଛି, ପର୍ଯ୍ୟବେକ୍ଷକମାନେ ସେ ନେଇ ସନ୍ଦିହାନ ଅଛନ୍ତି। ଯଦି କମଳା ହ୍ୟାରିସ୍ ଶେଷରେ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ରୂପେ ମନୋନୀତ ହୁଅନ୍ତି, ତାଙ୍କ ପାଇଁ ଟ୍ରମ୍ପଙ୍କୁ ପରାସ୍ତ କରି ନିର୍ବାଚନରେ ବିଜୟ ଲାଭ କରିବା ଏକ ସହଜସାଧ୍ୟ ବ୍ୟାପାର ନ ହୋଇପାରେ। ୨୦୨୦ରେ ସେ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ଯେଉଁ ଅଭିଯାନ ଚଳାଇଥିଲେ, ତାହା ଜନସମର୍ଥନ ଅଭାବରୁ ବିପର୍ଯ୍ୟୟରେ ସମାପ୍ତ ହୋଇଥିଲା। ଅତୀତରେ ବିଭିନ୍ନ ନୀତିଗତ ପ୍ରସଙ୍ଗରେ କମଳା ବାରମ୍ବାର ମତ ପରିବର୍ତ୍ତନ କରି ନିଜର ରାଜନୈତିକ ଭିତ୍ତିଭୂମିକୁ ଦୁର୍ବଳ କରିଛନ୍ତି। ଉପରାଷ୍ଟ୍ରପତି ଭାବରେ ତାଙ୍କର ଉପଲବ୍ଧିମାନ ମଧ୍ୟ ଆଦୌ ଉଲ୍ଲେଖନୀୟ ନୁହେଁ। ତେବେ ଏହା ନିଶ୍ଚିତ ଯେ ମତିଭ୍ରମ-ପ୍ରଦର୍ଶନକାରୀ ୮୧ ବର୍ଷୀୟ ଜୋ ବାଇଡେନ୍ଙ୍କ ଅପେକ୍ଷା ୫୯ ବର୍ଷୀୟା କାଲିଫର୍ନିଆର ପୂର୍ବତନ ବିଚକ୍ଷଣ ଆଟର୍ନି ଜେନେରାଲ୍ ତଥା ପ୍ରଭାବଶାଳୀ ପ୍ରାକ୍ତନ ସିନେଟର୍ କମଳା ହ୍ୟାରିସ୍ଙ୍କ ଦ୍ବାରା ଉଦ୍ଦାମ ଡୋନାଲ୍ଡ ଟ୍ରମ୍ପ ପରାଜିତ ହେବାର ସମ୍ଭାବନା ହେଉଛି ବହୁ ଅଧିକ। ଯେଉଁ ନିର୍ବାଚନଟି ଡେମୋକ୍ରାଟିକ୍ ପାର୍ଟିର ହାତରୁ ପ୍ରାୟ ସଂପୂର୍ଣ୍ଣ ଖସି ଯାଇଥିଲା, ବାଇଡେନ୍ଙ୍କ ତ୍ୟାଗ ସେ ଦଳ ପାଇଁ ସେଥିରେ ବିଜୟ ଲାଭ କରିବାର ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି- ବିଳମ୍ବରେ ହେଲେ ମଧ୍ୟ। ସେମାନେ ଏହାର ସଦ୍ବ୍ୟବହାର କରିବା ହେବ ବାଇଡେନ୍ଙ୍କ ତ୍ୟାଗର ଉପଯୁକ୍ତ ପ୍ରତିଦାନ।