ବର୍ତ୍ତମାନର ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଏହା ହେଉଛି ଏକ ଜଣାଶୁଣା ବିଡ଼ମ୍ବନା ଯେ ଭାରତର େଯଉଁସବୁ ରାଜ୍ୟମାନଙ୍କରେ ପ୍ରକୃତି ଅଧିକ ଖଣିଜ ସଂପଦ ଭରିଦେଇଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ କିନ୍ତୁ ହେଉଛନ୍ତି ଅର୍ଥନୈତିକ ଦୃଷ୍ଟିରୁ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ବହୁ ପଛୁଆ ତଥା ସେଠାକାର ବହୁ ସଂଖ୍ୟକ ଅଧିବାସୀ ହେଉଛନ୍ତି ଦାରିଦ୍ର୍ୟ ପ୍ରପୀଡ଼ିତ ବିଭିନ୍ନ ଜନଜାତିମାନଙ୍କର ସଦସ୍ୟ। ସେତିକି ନୁହେଁ, ଏହି ଜନଜାତିମାନଙ୍କର ବସବାସ ଅଞ୍ଚଳରେ ହିଁ ଖଣିଜ ସଂପଦମାନ ଠୁଳ ହୋଇରହିଛି। ସୁପ୍ରିମ୍ କୋର୍ଟଙ୍କର ରାୟ ସଂପୃକ୍ତ ରାଜ୍ୟ ସରକାରମାନଙ୍କର ତହବିଲକୁ ପରିପୁଷ୍ଟ କରିବ ସତ, କିନ୍ତୁ ତା’ଦ୍ବାରା ଏହି ଚିର ଦାରିଦ୍ର୍ୟ ପ୍ରପୀଡ଼ିତ ଜନସମୁଦାୟଙ୍କର ଭାଗ୍ୟରେ ପରିବର୍ତ୍ତନ ଘଟିବ କି ନାହିଁ, ତାହା ହେଉଛି ଏଠାରେ ସର୍ବାଧିକ ଗୁରୁତ୍ବ ବହନ କରୁଥିବା ପ୍ରଶ୍ନ।
ନିଜର ସମ୍ବଳ ସଂଗ୍ରହ ଅଧିକାରକୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ସର୍ବଦା ଟଣାଓଟରା ଲାଗି ରହିଥାଏ। ଦୀର୍ଘ କାଳ ଧରି ଲାଗି ରହିଥିବା ଏହିପରି ଏକ ନିର୍ଦ୍ଦିଷ୍ଟ ଟଣାଓଟରାର ଫଳାଫଳ ଏବେ ସୁପ୍ରିମ୍ କୋର୍ଟ ପ୍ରକାଶ କରିଛନ୍ତି, ଯାହା ଓଡ଼ିଶା ପରି ସମସ୍ତ ଖଣିଜ ସଂପଦ ଧାରଣକାରୀ ରାଜ୍ୟମାନଙ୍କୁ ପୁଲକିତ କରୁଥିବ। ସିଧାସଳଖ କହିଲେ, ସୁପ୍ରିମ୍ କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଦେଇଛନ୍ତି ଯେ ଖଣିଜ ପଦାର୍ଥ ଉପରୁ ସଂଗ୍ରହ କରାଯାଉଥିବା ରୟାଲ୍ଟି ଟିକସ ନୁହେଁ ଏବଂ ଖଣି, ଖଣିଜ ପଦାର୍ଥ ଓ ଖଣିଜ ପଦାର୍ଥ ବହନକାରୀ ଭୂମି ଉପରେ ଟିକସ ବସାଇବା ପାଇଁ ରାଜ୍ୟ ସରକାରମାନଙ୍କର ସଂପୂର୍ଣ୍ଣ ବୈଧାନିକ ଅଧିକାର ରହିଛି।
ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଏ ବାବଦରେ ଯାହା ବିବାଦର କେନ୍ଦ୍ରବିନ୍ଦୁ ହୋଇଆସିଛି, ତାହା ହେଲା ଏହି ଆଇନଟି: ମାଇନ୍ସ ଆଣ୍ଡ୍ ମିନେରାଲ୍ସ (ଡେଭେଲପ୍ମେଣ୍ଟ ଆଣ୍ଡ୍ ରେଗୁଲେସନ୍) ଆକ୍ଟ, ୧୯୫୭। ଏହି ଆଇନକୁ ଆଧାର କରି କେନ୍ଦ୍ର ଏ ପର୍ଯ୍ୟନ୍ତ ଦାବି କରିଆସିଛି ଯେ କେବଳ ପାର୍ଲିଆମେଣ୍ଟର ଖଣିଜ ପଦାର୍ଥ ଉପରେ ଟିକସ ବସାଇବାର ଅଧିକାର ଅଛି। ମୁଖ୍ୟ ବିଚାରପତି ଧନଞ୍ଜୟ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ନ’ଜଣିଆ ବେଞ୍ଚ୍ ଜୁଲାଇ ୨୫ରେ ୮:୧ ସଂଖ୍ୟାଗରିଷ୍ଠତା ଭିତ୍ତିରେ (କେବଳ ଜଷ୍ଟିସ୍ ବି. ଭି. ନାଗରତ୍ନା ଅସହମତି ପ୍ରକାଶ କରିଛନ୍ତି) ପ୍ରଦାନ କରିଥିବା ଉପରୋକ୍ତ ରାୟ ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟମାନଙ୍କରେ ଉପସ୍ଥିତ ରାଜକୋଷୀୟ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଘଟାଇବାର କ୍ଷମତା ବହନ କରୁଛି। ଉପରେ ଉଲ୍ଲେଖ କରାଯାଇଥିବା ଏହି ରାୟର ମର୍ମର ପୁନରାବୃତ୍ତି କରି କୁହାଯାଇପାରେ ଯେ ଏହି ରାୟ ସ୍ପଷ୍ଟ କରିଦେଇଛି ଯେ ନିଜ ଇଲାକାରେ ଅବସ୍ଥିତ ଖଣିମାନଙ୍କରୁ ଖନନ କରାଯାଉଥିବା ଖଣିଜ ପଦାର୍ଥମାନଙ୍କ ଉପରୁ ସଂପୃକ୍ତ ରାଜ୍ୟ ସରକାର ରୟାଲ୍ଟି ସଂଗ୍ରହ କରିବା ପଥରେ ଉପରୋକ୍ତ ଆଇନ କୌଣସି ବାଧା ସୃଷ୍ଟି କରି ନ ଥାଏ। ସେତିକି ନୁହେଁ, ରାଜ୍ୟ ସରକାରମାନଙ୍କ କ୍ଷମତାରେ ଆହୁରି ବୃଦ୍ଧି ଘଟାଇ ସର୍ବୋଚ୍ଚ ଅଦାଲତ ଏହି ରାୟରେ ମଧ୍ୟ କହିଛନ୍ତି େଯ ସେମାନେ ଖଣିଜ ପଦାର୍ଥ ବହନ କରୁଥିବା ଭୂମି ଉପରେ ମଧ୍ୟ ଏକ ଅତିରିକ୍ତ ସେସ୍ ବସାଇ ପାରିବେ। କହିବା ବାହୁଲ୍ୟ, ଓଡ଼ିଶା, ଝାଡ଼ଖଣ୍ଡ, କର୍ଣ୍ଣାଟକ ଆଦି ରାଜ୍ୟମାନଙ୍କ ପାଇଁ ଏହା ଏକ ଅପ୍ରତ୍ୟାଶିତ ତଥା ଆକ୍ଷରିକ ଭାବରେ ଭୂଇଁ ତଳୁ ମିଳିଥିବା ପୋତା ଧନ ସଦୃଶ ମନେ ହୋଇଥାଏ।
ଏଠାରେ ଉଲ୍ଲେଖ କରିବା ଉଚିତ ହେବ ଯେ ସୁପ୍ରିମ୍ କୋର୍ଟଙ୍କର ଏହି ରାୟର ତାତ୍ପର୍ଯ୍ୟ କେବଳ ମାମଲାଟିର ପ୍ରତ୍ୟକ୍ଷ ସଂପୃକ୍ତି ଥିବା ଖଣିଖାଦାନ୍ କ୍ଷେତ୍ର-ମଧ୍ୟରେ ସୀମିତ ନୁହେଁ। ମୁଖ୍ୟ ବିଚାରପତି ଚନ୍ଦ୍ରଚୂଡ଼ ଏହି ରାୟ ପ୍ରଦାନ କରିବା ଅବସରରେ ସ୍ପଷ୍ଟ କରିଦେଇଛନ୍ତି ଯେ ଏକ ବୃହତ୍ତର ଦୃଷ୍ଟିକୋଣରୁ ମାମଲାଟିର ବିଚାର କରି ଅଦାଲତ ଏଭଳି ରାୟ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛି। ସେଇ ବୃହତ୍ତର ଦୃଷ୍ଟିକୋଣଟି ହେଉଛି: ରାଜକୋଷୀୟ ସଂଘୀୟତା ବା ଆଜିକାଲି ବହୁଚର୍ଚ୍ଚିତ ‘ଫିସ୍କାଲ୍ ଫେଡେରାଲିଜ୍ମ’। ଏଠାରେ ତାଙ୍କର ବକ୍ତବ୍ୟର ଏକ କ୍ଷୁଦ୍ର ଅଂଶ ଉଦ୍ଧାର କରିବା ପ୍ରାସଙ୍ଗିକ ହେବ ବୋଲି ମନେ ହୁଏ। ‘‘ଟିକସ ଆଦାୟ ହେଉଛି ଏହି ରାଜ୍ୟମାନଙ୍କର ସମ୍ବଳ ସଂଗ୍ରହର ମୁଖ୍ୟ ଉତ୍ସମାନଙ୍କ ମଧ୍ୟରୁ ଅନ୍ୟତମ, ଯାହା ଲୋକଙ୍କୁ ସମାଜ ମଙ୍ଗଳ କାର୍ଯ୍ୟକ୍ରମମାନ ଓ ସେବା ଯୋଗାଇବାରେ ସେମାନଙ୍କର ସାମର୍ଥ୍ୟକୁ ପ୍ରଭାବିତ କରିଥାଏ। ସଂବିଧାନ ଦ୍ବାରା ନିର୍ଦ୍ଧାରିତ ସୀମା ମଧ୍ୟରେ ରାଜ୍ୟମାନେ ସଂବିଧାନ ଦ୍ବାରା ନିର୍ଦ୍ଦିଷ୍ଟ କରାଯାଇଥିବା କ୍ଷମତା ବ୍ୟବହାର କରି ଟିକସ ଆଦାୟ କରିବାରେ ପାର୍ଲିଆମେଣ୍ଟ ଯେପରି ଅସାଂବିଧାନିକ ଭାବରେ ହସ୍ତକ୍ଷେପ ନ କରେ, ତାହା ନିଶ୍ଚିତ କରିବା ହେଉଛି ଫିସ୍କାଲ୍ ଫେଡେରାଲିଜ୍ମର ଦାୟିତ୍ବ।’’
ଭାରତର ସାଂପ୍ରତିକ ରାଜନୈତିକ ପୃଷ୍ଠଭୂମିରେ ସୁପ୍ରିମ୍ କୋର୍ଟଙ୍କର ଏହି ମତାମତ ଏକ ଯୌଥ ପରିବାରର ଜଣେ ସର୍ବଜ୍ୟେଷ୍ଠ ଗୁରୁଜନଙ୍କର କଳହ-ସମାଧାନକାରୀ ଉପଦେଶ ଭଳି ପ୍ରତୀୟମାନ ହୋଇଥାଏ। ନିକଟ ଅତୀତରେ ଭାରତର କେତେକ ରାଜ୍ୟ ନିଜକୁ ଏକ ଐକ୍ୟବଦ୍ଧ ରାଷ୍ଟ୍ରର ଅଂଶ ରୂପେ ବିଚାର ନ କରି ନିଜକୁ ଏକ ହୁଗୁଳା ସଂଘର ସ୍ବେଚ୍ଛାକୃତ ସଦସ୍ୟ ରୂପେ ବିଚାର କରିବା ଦେଖାଯାଇଛି। ବିଶେଷ କରି ସେମାନେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅନୁସୃତ ହୋଇଆସୁଥିବା ସମ୍ବଳ ବଣ୍ଟନ ବ୍ୟବସ୍ଥା ପ୍ରତି ଅସନ୍ତୋଷ ପ୍ରକଟ କରି ନିଜର ଅଧିକ ବିତ୍ତୀୟ ସ୍ବାଧୀନତା ଦାବି କରିଆସୁଛନ୍ତି। ଏପରିକି କେତେକ ରାଜ୍ୟ ସଂଗୃହୀତ ମୋଟ ସମ୍ବଳରେ ସେମାନଙ୍କର ଅବଦାନ ତୁଳନାରେ ବଣ୍ଟନରେ ସେମାନଙ୍କର ଅଂଶ ଅପେକ୍ଷାକୃତ କମ୍ ହୋଇଥାଏ ବୋଲି ଖୋଲାଖୋଲି ପ୍ରତିବାଦ କରିବାକୁ ପଛାଇ ନାହାନ୍ତି। ରାଜ୍ୟମାନଙ୍କର ଏଇଭଳି ବିରୋଧ ଯୋଗୁଁ ପରୋକ୍ଷ କର ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ଦେଶରେ ‘ଜିଏସ୍ଟି’ର ପ୍ରବର୍ତ୍ତନ କରାଯାଇଥିଲେ ହେଁ, ମଦ, ପେଟ୍ରୋଲ୍, ଡିଜେଲ୍ ଆଦି କେତେକ ବହୁଳ ବିକ୍ରି ହେଉଥିବା ଖାଉଟି ଦ୍ରବ୍ୟମାନଙ୍କୁ ଏ ପର୍ଯ୍ୟନ୍ତ ‘ଜିଏସ୍ଟି’ରେ ଅନ୍ତର୍ଭୁକ୍ତ କରାଯାଇ ପାରିନାହିଁ।
ଏଭଳି ରାଜ୍ୟମାନଙ୍କର ବିଦ୍ରୋହୀ ଭାବକୁ ନରମ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମର ସଂଘୀୟ ବ୍ୟବସ୍ଥାକୁ ‘କୋଅପରେଟିଭ୍ ଫେଡେରାଲିଜ୍ମ’ ବା ସହଯୋଗଭିତ୍ତିକ ସଂଘୀୟ ବ୍ୟବସ୍ଥା ରୂପେ ଅଭିହିତ କରିଥିଲେ ହେଁ, ଅସନ୍ତୁଷ୍ଟ ରାଜ୍ୟମାନଙ୍କୁ ଏହି ବାକ୍ଚାତୁରି ସନ୍ତୁଷ୍ଟ କରିପାରି ନାହିଁ। ଏହି ଅସନ୍ତୋଷର ଏକ ସଦ୍ୟତମ ପରିପ୍ରକାଶ ଏବେ ଦେଖିବାକୁ ମିଳିଛି ସେମାନଙ୍କର ବଜେଟ୍-ପରବର୍ତ୍ତୀ ପ୍ରତିକ୍ରିୟାରେ। ମୋଦୀ ସରକାରଙ୍କର ତୃତୀୟ ପାଳିର ପ୍ରଥମ ବଜେଟ୍ ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଉପସ୍ଥାପିତ ହେବା ପରେ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ବଜେଟ୍ରେ କରାଯାଇଥିବା ସମ୍ବଳ ବଣ୍ଟନରେ ସେମାନଙ୍କ ପ୍ରତି ଘୋର ପାତରଅନ୍ତର କରାଯାଇଛି ବୋଲି ବିରୋଧୀ ଦଳ-ଶାସିତ ରାଜ୍ୟମାନେ ପ୍ରବଳ ପ୍ରତିବାଦ କରିବାରେ ଲାଗିଛନ୍ତି। ଏପରିକି ଏହି କାରଣରୁ ସେମାନେ ସଦ୍ୟସମାପ୍ତ ନିତି ଆୟୋଗ ବୈଠକକୁ ବଏକଟ୍ କରିବାକୁ ମଧ୍ୟ ପଛାଇ ନାହାନ୍ତି।
ସେମାନଙ୍କର ଏଭଳି ଆଭିମୁଖ୍ୟ ଯୁକ୍ତିଯୁକ୍ତ ହୋଇଥାଉ ବା ନ ଥାଉ, ନିଜ ନିଜର ସମାଜ ମଙ୍ଗଳ ଓ ଉନ୍ନୟନ କାର୍ଯ୍ୟକ୍ରମମାନ ରୂପାୟନ ଓ କାର୍ଯ୍ୟକାରୀ କରିବା ନିମିତ୍ତ ରାଜ୍ୟମାନଙ୍କୁ ଅଧିକ ଆର୍ଥିକ ସ୍ବାଧୀନତା ପ୍ରଦାନର ଯେ ଆବଶ୍ୟକତା ରହିଛି, ଏହା ଯୁକ୍ତିସମ୍ମତ ହୋଇଥାଏ। ବର୍ତ୍ତମାନର ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଏହା ହେଉଛି ଏକ ଜଣାଶୁଣା ବିଡ଼ମ୍ବନା ଯେ ଭାରତର େଯଉଁସବୁ ରାଜ୍ୟମାନଙ୍କରେ ପ୍ରକୃତି ଅଧିକ ଖଣିଜ ସଂପଦ ଭରିଦେଇଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ କିନ୍ତୁ ହେଉଛନ୍ତି ଅର୍ଥନୈତିକ ଦୃଷ୍ଟିରୁ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ବହୁ ପଛୁଆ ତଥା ସେଠାକାର ବହୁ ସଂଖ୍ୟକ ଅଧିବାସୀ ହେଉଛନ୍ତି ଦାରିଦ୍ର୍ୟ ପ୍ରପୀଡ଼ିତ ବିଭିନ୍ନ ଜନଜାତିମାନଙ୍କର ସଦସ୍ୟ। ସେତିକି ନୁହେଁ, ଏହି ଜନଜାତିମାନଙ୍କର ବସବାସ ଅଞ୍ଚଳରେ ହିଁ ଖଣିଜ ସଂପଦମାନ ଠୁଳ ହୋଇରହିଛି। ସୁପ୍ରିମ୍ କୋର୍ଟଙ୍କର ରାୟ ସଂପୃକ୍ତ ରାଜ୍ୟ ସରକାରମାନଙ୍କର ତହବିଲକୁ ପରିପୁଷ୍ଟ କରିବ ସତ, କିନ୍ତୁ ତା’ଦ୍ବାରା ଏହି ଚିର ଦାରିଦ୍ର୍ୟ ପ୍ରପୀଡ଼ିତ ଜନସମୁଦାୟଙ୍କର ଭାଗ୍ୟରେ ପରିବର୍ତ୍ତନ ଘଟିବ କି ନାହିଁ, ତାହା ହେଉଛି ଏଠାରେ ସର୍ବାଧିକ ଗୁରୁତ୍ବ ବହନ କରୁଥିବା ପ୍ରଶ୍ନ। କାରଣ ଏ ପର୍ଯ୍ୟନ୍ତ ଦେଶରେ ଯେଉଁ ଉନ୍ନୟନ ମଡେଲ୍ ଅନୁସୃତ ହୋଇଆସିଛି, ତାହା ସେମାନଙ୍କର ଦାରିଦ୍ର୍ୟ ମୋଚନରେ ବିଶେଷ ସହାୟକ ହୋଇନାହିଁ। ବର୍ତ୍ତମାନ ସୁପ୍ରିମ୍ କୋର୍ଟଙ୍କର ଉଦାରତା ଯୋଗୁଁ ଯେଉଁ ରାଜ୍ୟମାନେ ଅତିରିକ୍ତ ସମ୍ବଳର ଅଧିକାରୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି, ସେମାନେ ପ୍ରାକୃତିକ ନ୍ୟାୟ ଅନୁସରଣ କରି ତାହାର ବିନିଯୋଗରେ ସଂପୃକ୍ତ ଜନଜାତିମାନଙ୍କର ଉନ୍ନତି ସାଧନକୁ ଅଗ୍ରାଧିକାର ପ୍ରଦାନ କରିବା ଉଚିତ ହେବ।