ଚାଇନା ବେଲ୍‌ଟ

ଏହି ପରିପ୍ରେକ୍ଷୀରେ ନିକଟରେ ଭାରତ ପରିଭ୍ରମଣରେ ଆସିଥିବା ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କ ଏକ ବକ୍ତବ୍ୟ ସ୍ମରଣକୁ ଆସିଥାଏ, ଯହିଁରେ ସେ ଗଲା ମାର୍ଚ୍ଚ ମାସରେ ନେପାଳ ଗସ୍ତରେ ଆସିଥିବା ଚୀନ୍‌ର ବୈ‌େଦଶିକ ମନ୍ତ୍ରୀ ଵାଙ୍ଗ ୟିଙ୍କ ସହିତ ଏକ ବାର୍ତ୍ତାଳାପର ଉଦାହରଣ ଦେଇଥିଲେ। ସେଥିରେ ପ୍ରଧାନମନ୍ତ୍ରୀ ଦେଉବା କୁଆଡ଼େ ଚୀନା ବୈଦେଶିକ ମନ୍ତ୍ରୀଙ୍କୁ କହିଥିଲେ ଯେ ନେପାଳ ଚୀନ ଠାରୁ ଆର୍ଥିକ ସହାୟତା ଗ୍ରହଣ କରିପାରେ, କିନ୍ତୁ ଋଣ ଆଦୌ ନୁହେଁ! ସୁତରା˚, ଚୈତନ୍ୟ ଉଦୟର ପର୍ବ ଆରମ୍ଭ ହେଲାଣି ବୋଲି ଧରି ନିଆଯାଇପାରେ। କିନ୍ତୁ ହାୟ, ଦୁର୍ଭାଗ୍ୟ ହେଲା ଏତେ ବେଳକୁ ଚୀନ ଅନେକ ରାଷ୍ଟ୍ରଙ୍କୁ ତା’ର ବେଲ୍‌ଟ ପିନ୍ଧାଇ ସାରିଲାଣି!

ଯଦି ଜଣେ ବ୍ୟକ୍ତି ଏକ ବଶମ୍ବଦ ବୁଲା କୁକୁରକୁ ନିଜ ଘରେ ନ ପାଳି ସୁଦ୍ଧା ତା’ ଉପରେ ମାଲିକାନା ସାବ୍ୟସ୍ତ କରିବାକୁ ଚାହାନ୍ତି, ତେବେ ସେ ତା’ ବେକରେ ଗୋଟିଏ ବେଲ୍‌ଟ ବାନ୍ଧି ଦେଇ ପାରନ୍ତି। ସଡ଼କରେ ବୁଲୁଥିବା ଏବ˚ ରହୁଥିବା ସତ୍ତ୍ବେ ତା’ ଗଳାକୁ ଭିଡ଼ି ରଖିଥିବା ବେଲ୍‌ଟଟି ଏକ ଧାରଣା ଜନ୍ମାଇବାକୁ ଯଥେଷ୍ଟ ହୋଇଥାଏ ଯେ ତାହା କୌଣସି ଜଣେ ମାଲିକ ଦ୍ବାରା ଅଧିକୃତ। ଏହା ସହିତ ଚୀନ୍‌ର ସର୍ବାଧିକ ଉଚ୍ଚାଭିଳାଷୀ ପ୍ରକଳ୍ପ ‘ବେଲ୍‌ଟ ରୋଡ୍‌ ଇନିସିଏଟିଭ୍‌’ ବା ‘ବିଆର‌୍‌୍‌ଆଇ’ର ଏକ ସାଦୃଶ୍ୟ ରହିଥିବା ଭଳି ମନେ ହୋଇଥାଏ; କାରଣ କ୍ରମେ ସ୍ପଷ୍ଟ ହେବାରେ ଲାଗିଲାଣି ଯେ ଏହି ‘ବେଳ୍‌ଟ’ ପ୍ରକଳ୍ପରେ ନିହିତ ଥିବା ପ୍ରକୃତ ଅଭିସନ୍ଧିଟି ହେଉଛି ଅତି ସନ୍ତର୍ପଣରେ ପୃଥିବୀର ବିଭିନ୍ନ ରାଷ୍ଟ୍ରକୁ ଅଧୀନସ୍ଥ କରିବା।

ଉଲ୍ଲେଖଯୋଗ୍ୟ ଯେ ୨୦୧୩ ମସିହାରେ କାଜାକିସ୍ତାନରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଥମେ ଏହି ଅତ୍ୟନ୍ତ ଉଚ୍ଚାଭିଳାଷୀ ଲକ୍ଷ୍ୟ ସ˚ପର୍କରେ କହିଥିଲେ; ଯାହା ପ୍ରଥମ ଦୃଷ୍ଟିରେ ଦୁଇଟି ବାଣିଜ୍ୟ ସଡ଼କ ପଥର ନିର୍ମାଣ ଉଦ୍ୟମ ଭଳି ନିରୀହ ଦିଶିଥିଲା; ଏବଂ ଲାଗୁଥିଲା ଚୀନ୍‌କୁ ଅବଶିଷ୍ଟ ପୃଥିବୀ ସହିତ ଯୋଡ଼ିବାରେ ଏହା କେବଳ ସାହାଯ୍ୟ କରିବ ଯାହା! ତେବେ, ଏଥିରେ ଚୀନ୍‌ର ବାଣିଜ୍ୟ ସ˚ପ୍ରସାରଣର ଉଦ୍ଦେଶ୍ୟ ରହିଥିବା ବିଷୟ ମଧ୍ୟ ବୁଝି ହେଉଥିଲା। ଏହା ସହିତ ବିଭିନ୍ନ ରାଷ୍ଟ୍ରକୁ ସ୍ପର୍ଶ କରି ଯାଉଥିବା ଏହି ଅନ୍ତର୍ରାଷ୍ଟ୍ରୀୟ ସଡ଼କ ପଥର ଧାରେ ଧାରେ ଅତି ଉଚ୍ଚ ମାନର ଭିତ୍ତିଭୂମି ବିକାଶର ସ୍ବପ୍ନ ମଧୢ ଚୀନ୍‌ ଦ୍ବାରା ସୃଷ୍ଟି କରାଯାଇଥିଲା, ଯାହାର କୁହୁକରେ ଭଳି ଯାଇ ଅନେକ ରାଷ୍ଟ୍ର ତହିଁରେ ଅନ୍ତର୍ଭୁକ୍ତ ମଧୢ ହୋଇଥିଲେ (ଭାରତ ପ୍ରଥମରୁ ଏଥିରେ ସମ୍ମତ ହୋଇନାହିଁ)। କିନ୍ତୁ, ଏହି ସ˚ଦର୍ଭରେ ଯାହା ବିଓ୍ମୟକର ଥିଲା, ତାହା ହେଉଛି ନେପାଳ ବା ଶ୍ରୀଲଙ୍କା ବା ବା˚ଲାଦେଶ ଭଳି ଭାରତର ପୁରୁଣା ପଡ଼ୋଶୀ ମିତ୍ର ରାଷ୍ଟ୍ରଗୁଡ଼ିକ କେବଳ ଚୀନ ସପକ୍ଷରେ ଢଳି ନ ଥିଲେ, ସେମାନେ ଭାରତ ଠାରୁ ଦୂରେଇ ଯିବାର ବା ଭାରତ ବିରୋଧୀ ହେବାର ଆଭିମୁଖ୍ୟ ମଧ୍ୟ ପୋଷଣ କରିଥିଲେ; ଯେମିତି ନେପାଳ ସରକାର ନିଜ ମାନଚିତ୍ରରେ ପରିବର୍ତ୍ତନ ଘଟାଇ କେତେକ ଭାରତୀୟ ଅଞ୍ଚଳକୁ ନିଜର ବୋଲି ଦାବି କରିଥିଲେ। ଏହି ସମୟ‌େର ସ˚ପୃକ୍ତ ରାଷ୍ଟ୍ରଗୁଡ଼ିକରେ ‘ସ୍ବପ୍ନର ଭିତ୍ତିଭୂମି’ ନିର୍ମାଣ ଲାଗି ଚୀନ ପକ୍ଷରୁ ଅର୍ଥର ବନ୍ୟା ଛୁଟିଥିଲା। ଗୋଟିଏ ନୂତନ ମିତ୍ର ରାଷ୍ଟ୍ର ଦ୍ବାରା ନିର୍ମାଣ କରାଯାଇଥିବା ସ୍ବପ୍ନ ଦ୍ବାରା ବିଭୋର ରାଷ୍ଟ୍ରଗୁଡ଼ିକ କିନ୍ତୁ ସମ୍ଭବତଃ ଭୁଲି ଯାଇଥିଲେ ଯେ ଏହି ଅର୍ଥରାଶି ପ୍ରକୃତରେ ହେଉଛି ଉଚ୍ଚ ସୁଧ ଯୁକ୍ତ ଋଣ, ଯାହାର ପରିଶୋଧ କରାଯିବା ଅନିବାର୍ଯ୍ୟ ହେବ।

କିନ୍ତୁ ଯାହା ଏବେ ପ୍ରାୟ ସମସ୍ତଙ୍କୁ ଅବଗତ ଯେ ଏହି ଅର୍ଥ ରାଶି ଶ୍ରୀଲଙ୍କା ଏବ˚ ପାକିସ୍ତାନ ଲାଗି ଏକ ଋଣ ଯନ୍ତା ସୃଷ୍ଟି କରିଛି, ଯହିଁରୁ ଶୀଘ୍ର ନିସ୍ତାର ଲାଭ କରିବାର ଆଶା ଅତି କ୍ଷୀଣ। ଅବଶ୍ୟ, ଇତିମଧୢରେ କେତେକ ରାଷ୍ଟ୍ର‌‌େର ସ୍ବପ୍ନ ଓ ମୋହ ଭଙ୍ଗ ଘଟି ସାରିଛି ଏବ˚ ‘ବିଆର‌୍‌ଆଇ’ ଯେ ପ୍ରକୃତରେ ଖାତକ ରାଷ୍ଟ୍ରଗୁଡ଼ିକର ସାର୍ବଭୌମତ୍ବ ଅପହରଣ କରିବାକୁ ଉଦ୍ଦିଷ୍ଟ ଏକ ଚୀନୀୟ ସ୍ବପ୍ନ, ଏହା ମଧୢ ଏବେ କ୍ରମେ ପ୍ରାଂଜଳ ହେବାରେ ଲାଗିଲାଣି। କେତେକ ଉଦାହରଣରୁ ଚୀନ୍‌ର ଏହି ଅଭିସନ୍ଧି ସ୍ପଷ୍ଟ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦର ବିକାଶ ସ˚ଦର୍ଭଟି ଅବଶ୍ୟ ବହୁଚର୍ଚ୍ଚିତ, ଯହିଁରେ ଶ୍ରୀଲଙ୍କା ଦ୍ବାରା ଋଣ ପରିଶୋଧରେ ଅସାମର୍ଥ୍ୟ; ଏହି ବନ୍ଦରକୁ ଏକ ୯୯ ବର୍ଷୀୟ ଲିଜ୍‌ ଆଧାରରେ ଚୀନ ହସ୍ତକୁ ଟେକି ଦିଆ ଯାଇସାରିଲାଣି। ସେମିତି ଆଉ ଏକ ପ୍ରକଳ୍ପ ହେଉଛି ହମ୍ବନଟୋଟା ବନ୍ଦର ଠାରୁ ୧୮ କିଲୋମିଟର ଦୂରରେ ଅବସ୍ଥିତ ଅତ୍ୟାଧୁନିକ ମାଟାଲା ରାଜପକ୍ଷ ଆନ୍ତର୍ଜାତିକ ବିମାନବନ୍ଦର। ସମ୍ଭବତଃ ଏହା ହେଉଛି ପୃଥିବୀର ସବୁଠାରୁ କମ୍‌ ବ୍ୟବହୃତ ହୋଇଥିବା ବିମାନବନ୍ଦର, ଯାହାର ଏକ ବୃହତ୍‌ ଅ˚ଶ ସ˚ପ୍ରତି ଶସ୍ୟ ଗୋଦାମରେ ପରିଣତ ହୋଇଛି। ସେମିତି ପାକିସ୍ତାନରେ ଚୀନ ଦ୍ବାରା ବିକଶିତ ହେଉଥିବା ଗ୍ବାଦାର (ବେଲୁଚିସ୍ତାନ) ବନ୍ଦର, ଯାହା ମଧ୍ୟ ଅଚିରେ ଋଣ ଅନାଦାୟ କାରଣରୁ ହମ୍ବନଟୋଟାର ଦଶା ଭୋଗିବାର ଆଶଙ୍କା ଘନୀଭୂତ ହେଲାଣି। ଏଠାରେ ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା ହମ୍ବନଟୋଟା ଏବ˚ ଗ୍ବାଦାର ବନ୍ଦର ଦ୍ବୟ କାରବାର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବହୀନ। ଶ୍ରୀଲଙ୍କାରେ କଲୋ‌େମ୍ବା ଏବ˚ ପାକିସ୍ତାନରେ କରାଚୀ ବନ୍ଦର ହିଁ କାରବାରର ପ୍ରମୁଖ ପେଣ୍ଠ ସ୍ଥଳୀ। ତେଣୁ ପ୍ରଥମେ ପ୍ରଥମେ ଏକ ରହସ୍ୟାବୃତ ପ୍ରଶ୍ନ ଉଠୁଥିଲା ଯେ ମାଟାଲା ରାଜପକ୍ଷ ବିମାନବନ୍ଦର ହେଉ ଅଥବା ହମ୍ବନଟୋଟା ବା ଗ୍ବାଦାର ବନ୍ଦର; ଏଭଳି ବ୍ୟବହାର ଅଯୋଗ୍ୟ ପ୍ରକଳ୍ପଗୁଡ଼ିକରେ ଚୀନ କାହିଁକି ପ୍ରଭୂତ ବିତ୍ତ ବିନିଯୋଗ କରିଛି? ତାହାର ଉତ୍ତର ଏବେ ରହସ୍ୟର ଧୂମ ପଟଳ ଭେଦ କରି ବାହାରକୁ ଆସିଛି, ଯାହା ହେଲା ଋଣ ପରିଶୋଧରେ ଅସାମର୍ଥ୍ୟ ଚୀନକୁ ସେହି ସବୁ ଅଞ୍ଚଳକୁ ଦୀର୍ଘକାଳୀନ ଦଖଲରେ ରଖିବା ଲାଗି ସୁଯୋଗ ସୃଷ୍ଟି କରିବ। ଉଲ୍ଲେଖନୀୟ ଯେ ଋଣ ପରିଶୋଧ ଲାଗି ବର୍ତ୍ତମାନ ସ˚ପୂର୍ଣ୍ଣ ଅସମର୍ଥ ହୋଇ ପଡ଼ିଥିବା ଶ୍ରୀଲଙ୍କା ଏବ˚ ପାକିସ୍ତାନ ଦ୍ବାରା ଋଣ ସର୍ତ୍ତରେ କିଛିଟା କୋହଳତା ଲାଗି ଆବେଦନ ଚୀନ ଦ୍ବାରା ସିଧାସଳଖ ପ୍ରତ୍ୟାଖ୍ୟାତ ହୋଇ ସାରିଛି। କହିବା ବାହୁଲ୍ୟ ଯେ ଏହା ହେଉଛି ଚୀନ୍‌ର ସେହି ମହାଜନୀ ଶଠତା ଯାହା ଖାତକକୁ ଋଣ ବୋଝରେ ଭାରାକ୍ରାନ୍ତ କରି ପରିଶେଷରେ ଏକ ନିରବ ଦାସରେ ପରିଣତ କରିଥାଏ।

ତେବେ ଚୀନ୍‌ର ଏହି ଶଠତା ଯେ କେବଳ କିଛି ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କୁ ନେଇ ସୀମିତ, ତାହା ନୁହେଁ। ଏହା ସୁଦୂର ଆଫ୍ରିକାର ଅତ୍ୟନ୍ତ ଦରିଦ୍ର ରାଷ୍ଟ୍ର ଏବ˚ ଅନେକ ମଧୢମ ବିତ୍ତ ସ˚ପନ୍ନ ରାଷ୍ଟ୍ରରେ ମଧୢ ପରିଦୃଷ୍ଟ। ଏହି ସ˚ଦର୍ଭରେ ଇସ୍ରାଏଲ୍‌ସ୍ଥିତ ଗବେଷଣା ଅନୁଷ୍ଠାନ ‘ସେଣ୍ଟର ଫର ପଲିଟିକାଲ ଏଣ୍ତ ଫରେନ୍‌ ଆଫାୟାର୍ସ‌୍‌’ର ଅଧୢକ୍ଷ ଫାବିଏନ୍‌ ବୋସର୍ଟଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟ କହିଥାଏ ଯେ ଚୀନ ଦ୍ବାରା ୪୦ଟି ଦରିଦ୍ର ରାଷ୍ଟ୍ରରେ ପ୍ରାୟ ୩୮୫ ବିଲିଅନ ଆମେରିକୀୟ ଡଲାର୍‌ ବିଭିନ୍ନ ଭିତ୍ତିଭୂମି ବିକାଶରେ ବିନିଯୁକ୍ତ, ଯାହା ପ୍ରକୃତରେ ହେଉଛି ସେହି ରାଷ୍ଟ୍ରଗୁଡ଼ିକ ସେମାନଙ୍କ ମୁଣ୍ତରେ ଧାରଣ କରିଥିବା ବିପୁଳ ମହାଜନୀ ଋଣ। ଏହି ରାଷ୍ଟ୍ରଗୁଡ଼ିକ ମଧୢରେ ଅଛନ୍ତି ଲାଓସ, ଜାମ୍ବିୟା ଓ କିରଗୀଜସ୍ତାନ ଭଳି ଦରିଦ୍ର ଏବ˚ ମାଲେସିଆ ଭଳି ମଧୢମ ବର୍ଗୀୟ ରାଷ୍ଟ୍ର। ସେହି ଭଳି ଯୁକ୍ତରାଷ୍ଟ୍ର ଆମେରିକାର ଏକ ସମ୍ମାନାସ୍ପଦ ବିତ୍ତୀୟ ଗବେଷଣା ଅନୁଷ୍ଠାନ ‘ଏଡ୍‌ ଡାଟା’ କହିଥାଏ ଯେ ସ˚ପ୍ରତି ପ୍ରାୟ ୧୬୩ଟି ଦରିଦ୍ର ଏବ˚ ମଧୢମ ବର୍ଗୀୟ ଦେଶରେ ଚୀନା ପ୍ରଦତ୍ତ ଅର୍ଥରେ ୧୩,୦୦୦ଟି ପ୍ରକଳ୍ପ ଅଗ୍ରଗତି ଲାଭ କରୁଛି ଯହିଁରେ ବିନିଯୁକ୍ତ ହୋଇଥିବା ୮୪୩ ବିଲିଅନ ଡଲାର୍‌ ହେଉଛି ଉଚ୍ଚ ସୁଧ ଯୁକ୍ତ ନିରୋଳା ଋଣ। ସେହି ତଥ୍ୟ ଆହୁରି ପ୍ରକାଶ କରିଥାଏ ଯେ ଏଥିରୁ ଅନ୍ତତଃ ୪୦ଟି ରାଷ୍ଟ୍ର ଉପରେ ଚୀନା ଋଣର ପରିମାଣ ସେହି ରାଷ୍ଟ୍ରଗୁଡ଼ିକର ଜି.ଡି.ପି.ର ୧୦ ପ୍ରତିଶତରୁ ଅଧିକ, ଯାହାର ପରିଶୋଧ ଏକ ଅତ୍ୟନ୍ତ ଦୁରୂହ ବ୍ୟାପାର।

ଏହି ଉଚ୍ଚାଭିଳାଷୀ ‘ବିଆର‌୍‌ଆଇ’ ପ୍ରକଳ୍ପ ପ୍ରାରମ୍ଭ ହେବା ପର ଠାରୁ ପ୍ରାୟ ଏକ ଦଶନ୍ଧି ଅତିକ୍ରାନ୍ତ ହୋଇସାରିଲାଣି। ଏହା ସତ୍ତ୍ବେ କୌଣସି ରାଷ୍ଟ୍ର ଏହା ଦ୍ବାରା ପ୍ରତିଶ୍ରୁତ ସ୍ବପ୍ନ ଭୂମିରେ ବିଚରଣ କରିବାକୁ ସମର୍ଥ ହୋଇ ନାହାନ୍ତି; ବର˚ ଓଲଟି ଶ୍ରୀଲଙ୍କା ବା ପାକିସ୍ତାନ ଭଳି ଆର୍ଥିକ ଧ୍ବ˚ସସ୍ତୂପମାନ ସୃଷ୍ଟି ହୋଇଛନ୍ତି ଏବ˚ ଆଗକୁ ଏଭଳି ଆହୁରି ଅନେକ ଧ୍ବ˚ସସ୍ତୂପ ଦେଖିବାକୁ ମିଳିବାର ଆଶଙ୍କା ଜାତ ହେଲାଣି; ଯେଉଁମାନଙ୍କ ମଧୢରୁ କିଛି ଅବଲୀଳା କ୍ରମେ ନିରବରେ ଚୀନ୍‌ର ଉପନିବେଶରେ ମଧୢ ପରିଣତ ହୋଇ ଯାଇପାରନ୍ତି। ଏହି ପରିପ୍ରେକ୍ଷୀରେ ନିକଟରେ ଭାରତ ପରିଭ୍ରମଣରେ ଆସିଥିବା ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କ ଏକ ବକ୍ତବ୍ୟ ସ୍ମରଣକୁ ଆସିଥାଏ, ଯହିଁରେ ସେ ଗଲା ମାର୍ଚ୍ଚ ମାସରେ ନେପାଳ ଗସ୍ତରେ ଆସିଥିବା ଚୀନ୍‌ର ବୈ‌େଦଶିକ ମନ୍ତ୍ରୀ ଵାଙ୍ଗ ୟିଙ୍କ ସହିତ ଏକ ବାର୍ତ୍ତାଳାପର ଉଦାହରଣ ଦେଇଥିଲେ। ସେଥିରେ ପ୍ରଧାନମନ୍ତ୍ରୀ ଦେଉବା କୁଆଡ଼େ ଚୀନା ବୈଦେଶିକ ମନ୍ତ୍ରୀଙ୍କୁ କହିଥିଲେ ଯେ ନେପାଳ ଚୀନ ଠାରୁ ଆର୍ଥିକ ସହାୟତା ଗ୍ରହଣ କରିପାରେ, କିନ୍ତୁ ଋଣ ଆଦୌ ନୁହେଁ! ସୁତରା˚, ଚୈତନ୍ୟ ଉଦୟର ପର୍ବ ଆରମ୍ଭ ହେଲାଣି ବୋଲି ଧରି ନିଆଯାଇପାରେ। କିନ୍ତୁ ହାୟ, ଦୁର୍ଭାଗ୍ୟ ହେଲା ଏତେ ବେଳକୁ ଚୀନ ଅନେକ ରାଷ୍ଟ୍ରଙ୍କୁ ତା’ର ବେଲ୍‌ଟ ପିନ୍ଧାଇ ସାରିଲାଣି!

ସମ୍ବନ୍ଧିତ ଖବର