ଗଲା ୩ ତାରିଖରେ ଘୋଷିତ ନିର୍ବାଚନ ଫଳାଫଳ କଂଗ୍ରେସକୁ ହତାଶା ଜର୍ଜର କରିବା ସହିତ ବିରୋଧୀ ମେଣ୍ଟ ‘ଇନ୍‌ଡିଆ’କୁ ଚିନ୍ତାଗ୍ରସ୍ତ କରି ପକାଇଥିବା ସ୍ବାଭାବିକ। ସେହି ଦୃଷ୍ଟିରୁ ଗଲା ୬ ତାରିଖରେ କଂଗ୍ରେସ ଦ୍ବାରା ଆହୂତ ‘ଇନ୍‌ଡିଆ’ ମେଣ୍ଟର ବୈଠକ ସମ୍ଭବ ହୋଇ ନ ପାରିବା ବିଶେଷ ପ୍ରଣିଧାନଯୋଗ୍ୟ, ଯାହାର କାରଣ ହେଲା ମେଣ୍ଟର ପ୍ରଧାନ ଅଂଶୀଦାର ଦଳଗୁଡ଼ିକର ଶୀର୍ଷ ନେତୃତ୍ବ ବିଭିନ୍ନ କାରଣ ଦର୍ଶାଇ ଏଥିରେ ଯୋଗ ଦେବାକୁ ଅସାମର୍ଥ୍ୟ ପ୍ରକାଶ କରିବା। ଏଥିରେ ଦ୍ବିଧା ନାହିଁ ଯେ ନିର୍ବାଚନ ଫଳାଫଳ ପ୍ରକାଶିତ ହେବା ପରେ ବିରୋଧୀ ପକ୍ଷଙ୍କ ଉତ୍ସାହରେ ଭଟ୍ଟା ପଡ଼ିଛି; ଏପରିକି ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ ଏହି ମେଣ୍ଟର ଅସ୍ତିତ୍ବ ସଂକଟ ଆଡ଼କୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କଲେଣି! ଏହି ପରିପ୍ରେକ୍ଷୀରେ ସାଂପ୍ରତିକ ରାଜନୈତିକ ସ୍ଥିତି ଓ ଭବିଷ୍ୟତକୁ ନେଇ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
୨୦୧୪ ମସିହାରେ ବିଜେପିର ପ୍ରଭାବବିସ୍ତାରୀ ଜୟଯାତ୍ରାର ପ୍ରାରମ୍ଭ ଘଟିବାର ପରବର୍ତ୍ତୀ ଏକ ଦଶନ୍ଧି ମଧ୍ୟରେ ଏତିକି ଅନ୍ତତଃ ସ୍ପଷ୍ଟ ହୋଇଛି ଯେ ରାଜ୍ୟ ବିଧାନସଭା ଲାଗି ବଳିଷ୍ଠ ଆଞ୍ଚଳିକ ଦଳଗୁଡ଼ିକ ବିଜେପି ସକାଶେ ପ୍ରମୁଖ ‘ଚ୍ୟାଲେଂଜର’ ରୂପେ ଉଭା ହୋଇଛନ୍ତି; ଏଭଳି ଆଞ୍ଚଳିକ ଦଳଙ୍କ ଅନୁପସ୍ଥିତି ବା ଦୌର୍ବଲ୍ୟ ପରିପ୍ରେକ୍ଷୀରେ ଯଦି ଦୁଇ ପ୍ରମୁଖ ଜାତୀୟ ଦଳ ରୂପେ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହୁଅନ୍ତି, ତେବେ ତହିଁରେ ବିଜେପି ଜୟଯୁକ୍ତ ହେବାର ସମ୍ଭାବନା ଅଧିକ। କର୍ଣ୍ଣାଟକ ଭଳି ସ୍ଥିତି (ବିଜେପିର ପରାଜୟ)ର ପୁନରାବୃତ୍ତି କେବଳ ସେତିକି ବେଳେ ଘଟିପାରେ, ଯେତେବେଳେ କୌଣସି ରାଜ୍ୟର ବିଜେପି ସରକାର କର୍ଣ୍ଣାଟକର ବୋମାଇ ସରକାର ତୁଲ୍ୟ ମାତ୍ରାତିରିକ୍ତ ଅପାରଗ ଏବଂ ଦୁର୍ନୀତିଗ୍ରସ୍ତ ହୋଇ ପଡ଼ିବ। ସେହି ଦୃଷ୍ଟିରୁ ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ତେଲେଙ୍ଗାନାର ଶକ୍ତିଶାଳୀ ଆଞ୍ଚଳିକ ଦଳ ‘ଟି.ଆର୍‌.ଏସ୍‌.’ ବା ‘ତେଲେଙ୍ଗାନା (ଭାରତ) ରାଷ୍ଟ୍ରୀୟ ସମିତି’ ଏକ ଦଶନ୍ଧି ଧରି କ୍ଷମତାସୀନ ହୋଇ ରହିଥିବା ସତ୍ତ୍ବେ ହୁଏତ କଂଗ୍ରେସ ଦ୍ବାରା ବିସ୍ଥାପିତ ହୋଇ ନ ଥାଆନ୍ତା, ଯଦି ଏହାର ମୁଖ୍ୟ ଚନ୍ଦ୍ରଶେଖର ରାଓ ନିଜ ଦଳର ଆଞ୍ଚଳିକ ଆବେଦନକୁ ଏକ ରାଷ୍ଟ୍ରୀୟ ରୂପ ଦେବାର ଉଚ୍ଚାଭିଳାଷୀ ଉଦ୍ୟମ କରି ନ ଥାଆନ୍ତେ! ସେମାନେ କହନ୍ତି ଯେ ‘ଟି.ଆର୍‌.ଏସ୍‌.’ର ନାମରୁ ‘ତେଲେଙ୍ଗାନା’ ବିସ୍ଥାପିତ ହୋଇ ‘ଭାରତ’ ସ୍ଥାନିତ ହେବା ସହିତ ଦଳର ଜନାଧାର କ୍ଷୟ ହେବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା, ଯାହାର ଲାଭ କଂଗ୍ରେସ ପାଇଲା। ଏହି ନିର୍ବାଚନରେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସ ଦଳ ୨୦୧୮ ମସିହାରେ ଲାଭ କରିଥିବା ଭୋଟ ସଂଖ୍ୟାକୁ ପ୍ରାୟ ବଜାୟ ରଖିଛି; ଅଥଚ ପୂର୍ବ ଥର ଭଳି ବିଜୟୀ ନ ହୋଇ ପରାଜିତ ହୋଇଛି। ଏହାର କାରଣ କଂଗ୍ରେସର ଜନାଧାର ସ୍ଥିର ଥିବା ବେଳେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ବିଜେପିର ଜନାଧାର ଅଧିକ ସ୍ଫୀତ ହୋଇଛି; ପରିସଂଖ୍ୟାନ ଅନୁସାରେ ଉପରୋକ୍ତ ତିନିଟି ରାଜ୍ୟରେ ଏହା ଯଥାକ୍ରମେ ୭ ପ୍ରତିଶତ ପଏଣ୍ଟ, ୪ ପ୍ରତିଶତ ପଏଣ୍ଟ ଏବଂ ୧୩ ପ୍ରତିଶତ ପଏଣ୍ଟ ବୃଦ୍ଧି ପାଇଛି; ଅର୍ଥାତ୍‌ ରାଜ୍ୟର ବିଭିନ୍ନ କ୍ଷୁଦ୍ର ଦଳଗୁଡ଼ିକ ନିକଟରେ ରହିଥିବା ଭୋଟମାନ ଗଲା ନିର୍ବାଚନରେ କଂଗ୍ରେସ ପରିବର୍ତ୍ତେ ବିଜେପିକୁ ଯାଇଛି। ଏଥିରେ ପ୍ରାୟ ଦ୍ବିରୁକ୍ତି ନାହିଁ ଯେ ନିର୍ବାଚନ କାଳୀନ ପ୍ରତିଶ୍ରୁତି ରକ୍ଷା ସଂଦର୍ଭରେ ‘ମୋଦୀଙ୍କ ଗ୍ୟାରେଣ୍ଟି’ ଭୋଟରଙ୍କ ସକାଶେ ଅପେକ୍ଷାକୃତ ଅଧିକ ଭରସାଯୋଗ୍ୟ ହୋଇଛି।
ଅନେକ ବିଶେଷଜ୍ଞ କହିଥାଆନ୍ତି ଯେ ବିଜେପି ସକାଶେ କଂଗ୍ରେସ ଆଉ ଏକ ବିପଦ ହୋଇ ରହିନାହିଁ, ଯଦିଓ କଂଗ୍ରେସ ନିକଟରେ ଏକ ବିଶାଳ ଜନାଧାର ବିଦ୍ୟମାନ (୨୦୧୯ ମସିହା ନିର୍ବାଚନରେ କଂ‌େଗ୍ରସ ଲାଭ କରିଥିଲା ପ୍ରାୟ ୧୧.୫ କୋଟି ଭୋଟ); ତହିଁରେ ବୃଦ୍ଧି ଘଟୁନାହିଁ, ବରଂ ତହିଁରେ ସଂକୋଚନ ଦେଖାଯିବାରେ ଲାଗିଛି। ସୁତରାଂ, ବିଜେପିକୁ ତୀବ୍ର ପ୍ରତିଦ୍ବନ୍ଦ୍ବିତା ପ୍ରଦାନ କରିବାକୁ ହେଲେ କଂଗ୍ରେସକୁ ଯେ ତା’ର ଚିନ୍ତନ, ବ୍ୟାଖ୍ୟାନ ଏବଂ କାର୍ଯ୍ୟରେ ପରିବର୍ତ୍ତନ ଆଣିବାକୁ ହେବ, ଏଥିରେ ସନ୍ଦେହ ନାହିଁ। ଏକ ବିଡ଼ମ୍ବନା ହେଲା, ସ୍ବାଧୀନତା ପରବର୍ତ୍ତୀ ଭାରତରେ ପ୍ରାୟ ନିରବଚ୍ଛିନ୍ନ ଭାବେ ଦୀର୍ଘ ଛଅ ଦଶନ୍ଧି ଧରି କ୍ଷମତାସୀନ ଥିବା କଂଗ୍ରେସ ଉତ୍ତାଧିକାର ସୂତ୍ରରେ ଲାଭ କରିଥିବା ‘ଲିଗାସି’ ବା ଐତିହ୍ୟକୁ ହାତରୁ ଖସିଯିବାକୁ ଛାଡ଼ି ଦେଇଛି, ଯହିଁରେ ଆଧୁନିକ ଭାରତର ଆଦ୍ୟ ସ୍ଥପତି ଭାବେ ପଣ୍ଡିତ ଜୱାହରଲାଲ ନେହରୁଙ୍କ ଅବଦାନ ବା ‘ଶ୍ବେତ’ ଓ ‘ସବୁଜ’ ବିପ୍ଳବର ଉଦ୍‌ଗାତା ଭାବେ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ଅଥବା ମୁକ୍ତ ଅର୍ଥନୀତି ଓ ଆର୍ଥିକ ଉଦାରୀକରଣର ଆବାହକ ଭାବେ ପି. ଭି. ନରସିଂହ ରାଓ ଓ ଡକ୍ଟର ମନମୋହନ ସିଂହଙ୍କ ଦୂରଦର୍ଶିତା ଭଳି ବିଷୟ ଅନ୍ତର୍ଭୁକ୍ତ। ଅଥଚ ବିଡ଼ମ୍ବନା ହେଲା କଂଗ୍ରେସ ସଂପ୍ରତି ଚିହ୍ନିତ ହେଉଛି ନେହରୁଙ୍କ ତଥାକଥିତ କତିପୟ ଭ୍ରମାତ୍ମକ ବିଦେଶ ନୀତି ବା ଇନ୍ଦିରା ଗାନ୍ଧୀଙ୍କ ‘ଇମର୍ଜେନ୍‌ସି’ ଅଥବା ରାଜୀବ ଗାନ୍ଧୀଙ୍କ ସଂଖ୍ୟାଲଘୁ ତୁଷ୍ଟୀକରଣ ରାଜନୀତି କାରଣରୁ କିମ୍ବା ବୋଫର୍ସ ବା ୨ଜି ବା କୋଇଲା ବ୍ଲକ୍ ଆବଣ୍ଟନ ଭଳି ଦୁର୍ନୀତି ସହ ସଂପୃକ୍ତିରୁ। ଏହାର ଅର୍ଥ ଏହି ଦଳ ନିଜକୁ ନେଇ ଏକ ଦୃଢ଼ ଓ ଭରସାଯୋଗ୍ୟ ବ୍ୟାଖ୍ୟାନ ସୃଷ୍ଟି କରି ପାରିନାହିଁ, ଯାହା ବିଜେପି ଦ୍ବାରା ସୃଷ୍ଟ ଧାରଣାକୁ ନିଷ୍ପ୍ରଭ କରି ପାରନ୍ତା। ଏଥିରେ ଦ୍ବିରୁକ୍ତି ନାହିଁ ଯେ କଂଗ୍ରେସକୁ ହିନ୍ଦୁ ବିରୋଧୀ ଏବଂ ସଂଖ୍ୟାଲଘୁ ତୁଷ୍ଟୀକରଣରେ ବ୍ରତୀ ଦଳ ରୂପେ ଚିତ୍ରଣ କରାଯିବାରେ ସଫଳତା ଅସଂଖ୍ୟ କଂଗ୍ରେସ ଅନୁରକ୍ତ ହିନ୍ଦୁଙ୍କୁ ବିଜେପିର ସମର୍ଥକରେ ପରିଣତ କରି ସାରିଛି। ଏହା ସତ୍ତ୍ବେ କଂଗ୍ରେସର ବ୍ୟାଖ୍ୟାନରେ ବାରମ୍ବାର ‘ହିନ୍ଦୁତ୍ବ’ ବା ‘ଆର.ଏସ୍‌.ଏସ୍‌.’ ବା ବୀର ସବରକରଙ୍କ ବିରୋଧୀ ମନ୍ତବ୍ୟମାନ ଆବିର୍ଭୂତ ହୋଇ ଅଧିକରୁ ଅଧିକ ହିନ୍ଦୁଙ୍କୁ ରୁଷ୍ଟ କରିବାରେ ଲାଗିଛି, ଯାହା ପ୍ରକାରାନ୍ତରେ ବିଜେପିର ଜନାଧାରକୁ ବୃଦ୍ଧି କରୁଛି ମଧ୍ୟ। କୌଣସି ଠାରେ କଂଗ୍ରେସ ପକ୍ଷରୁ ଏହା କୁହାଯାଉଥିବା ଶୁଣାଯାଇନାହିଁ ଯେ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ବୀର ସବରକରଙ୍କ ସ୍ମୃତି ରକ୍ଷା ସକାଶେ ଡାକ ଟିକଟ ଉନ୍ମୋଚିତ ହେବା ସହିତ ପାଞ୍ଚ ଲକ୍ଷ ଟଙ୍କାର ଏକ ପାଣ୍ଠି ସୃଷ୍ଟି କରାଯାଇଥିଲା। ସମ୍ଭବତଃ କଂଗ୍ରେସ ନେତୃତ୍ବ ଇନ୍ଦିରା ଗାନ୍ଧୀଙ୍କ ବିରଳ ରାଜନୈତିକ ବୁଦ୍ଧିମତ୍ତାକୁ ହୃଦ୍‌ବୋଧ କରି ପାରି ନାହିଁ, ଯାହା ଅପୂର୍ବ ଦୂରଦର୍ଶିତାର ପରିଚୟ ଦେଇ କଂଗ୍ରେସର ହିନ୍ଦୁ ସମର୍ଥନକୁ ଦକ୍ଷିଣପନ୍ଥୀଙ୍କ କବଳିତ ହେବାକୁ ନ ଦେବା ଦିଗରେ ଅଭିପ୍ରେତ ଥିଲା। ସଂପ୍ରତି ବିଜେପିର ମୁକାବିଲା ସକାଶେ କଂଗ୍ରେସ କୋମଳ ‘ହିନ୍ଦୁତ୍ବ’ ଆବେଦନ ସହିତ ଅବତୀର୍ଣ୍ଣ ହେଉଛି, ଅଥଚ ତାହା ନିଷ୍ଠାଶୂନ୍ୟ ଭଳି ପ୍ରତୀତ ହେଉଛି। ଏହା ମଧ୍ୟ ସତ ଯେ କଂଗ୍ରେସକୁ ଅପଦସ୍ଥ ଏବଂ ବଦନାମ କରିବା ଲାଗି ସୃଷ୍ଟ ପ୍ରଚାରତନ୍ତ୍ରରେ ମିଥ୍ୟା, ଅପଯଶ, ଉଦ୍ଭଟତା ଓ ଅତିରଂଜନର ଝଡ଼ ଦେଖିବାକୁ ମିଳିଥାଏ। କିନ୍ତୁ ଛଅ ଦଶନ୍ଧିର ଶାସନ କାଳ ମଧ୍ୟରେ ଅନେକ ଉପଲବ୍‌ଧିର ଉତ୍ତରାଧିକାରୀ ରୂପେ କଂଗ୍ରେସ ଏକ ପ୍ରତି-ବ୍ୟାଖ୍ୟାନ ସୃଷ୍ଟି କରିବାରେ ବିଫଳ ହେବା ଏକ ଘୋର ବିଡ଼ମ୍ବନା।
ଅନେକ ବିଶାରଦଙ୍କ ମତରେ ଏହି ନିର୍ବାଚନକୁ ଏକ ରିହର୍ସାଲ ରୂପେ ‘ଇନ୍‌ଡିଆ’ ମେଣ୍ଟ ପକ୍ଷରୁ ଯଦି ଲଢ଼ା ଯାଇଥାନ୍ତା, ତେବେ ହୁଏତ ପ୍ରଦର୍ଶନ ଭିନ୍ନ ‌ହୋଇଥାନ୍ତା। କିନ୍ତୁ ଏଭଳି ସ୍ଥିତିରେ ‘ଇନ୍‌ଡିଆ’ର ଅଂଶୀଦାର ଦଳଗୁଡ଼ିକୁ କେତେକ ଆସନ ଛାଡ଼ିବାକୁ ପଡ଼ନ୍ତା, ଯେଉଁଥି ଲାଗି କଂଗ୍ରେସ ପ୍ରସ୍ତୁତ ନ ଥିଲା। ସମ୍ଭବତଃ ନିଜ ଦମ୍‌ରେ ଜିତି ପାରିବାର ଅହଙ୍କାର ଏବଂ ସଫଳତାର ସମସ୍ତ ଶ୍ରେୟ ନିଜେ ନେବାର ଲୋଭ କଂଗ୍ରେସକୁ ଏକୁଟିଆ ନିର୍ବାଚନ ଲଢ଼ିବାକୁ ପ୍ରରୋଚିତ କରିଥିବ, ଯେଉଁ କାରଣରୁ ଇନ୍‌ଡିଆ ମଧ୍ୟରେ କଂଗ୍ରେସ ‘ଆହୁରି ଅଧିକ’ ଏକଘରିକିଆ ହୋଇ ପଡ଼ିବା ସ୍ବାଭାବିକ। ଏଠାରେ ‘ଆହୁରି ଅଧିକ’ ବୋଲି ଲେଖାଯିବାର କାରଣ ହେଲା ‘ଇନ୍‌ଡିଆ’ର ଅଂଶୀଦାର ଥିବା ଅନେକ ପ୍ରମୁଖ ଦଳ ମୂଳତଃ କଂଗ୍ରେସ ବିରୋଧୀ ଏବଂ କେବଳ ‘ବିଜେପି’କୁ କ୍ଷମତାଚ୍ୟୁତ କରିବା ଲାଗି ଏକ ମେଣ୍ଟ ଗଠନ କରିବାକୁ ବାଧ୍ୟ ହୋଇଛନ୍ତି। ସୁତରାଂ, କଂଗ୍ରେସ ସହିତ ସେହି ଦଳଗୁଡ଼ିକର ଭାବଗତ ଅନ୍ତରଙ୍ଗତା ନ ଥିବା ସ୍ବାଭାବିକ। ଏଭଳି ସ୍ଥିତିରେ ନିର୍ବାଚନ ନିକଟବର୍ତ୍ତୀ ହେଲା ବେଳକୁ ‘ଇନ୍‌ଡିଆ’ ଅନେକ ଆହ୍ବାନର ସମ୍ମୁଖୀନ ହେବା ନିଶ୍ଚିତ, ଯାହାର କାରଣ ହେବ ଅଂଶୀଦାର ଦଳଗୁଡ଼ିକର ନେତାମାନଙ୍କ ଅହମିକା ଏବଂ ଉଚ୍ଚାଭିଳାଷ। ଏଭଳି ସ୍ଥିତିରେ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ଏକ ପ୍ରଧାନମନ୍ତ୍ରୀ ଚେହେରାର ଚୟନ ମେଣ୍ଟ ଲାଗି ଏକ ଅନତିକ୍ରମ୍ୟ ପ୍ରତିବନ୍ଧ ରୂପେ ଆବିର୍ଭୂତ ହୋଇପାରେ। ଅବଶ୍ୟ, ଅନ୍ତଃକରଣରେ ବିଜେପି ଏହା ହିଁ ଚାହିଁଥାଏ। କାରଣ ଯଦି ଏହି ମେଣ୍ଟ ଆଭ୍ୟନ୍ତରୀଣ କଳହରେ ଲିପ୍ତ ରହେ ଓ ପରିଶେଷରେ ନିଜକୁ ଏକତ୍ର କରି ରଖି ନ ପାରେ; ତେବେ ବିଜେପି ବିରୋଧରେ ଆଉ କୌଣସି ମେଣ୍ଟର ପରିକଳ୍ପନା କେବଳ ଧୃଷ୍ଟତା ବୋଲି ବିବେଚିତ ହେବ ଏବଂ ତାହା ବିଜେପିକୁ ଅଧିକ ନିରଙ୍କୁଶତା ପ୍ରଦାନ କରିବ।