ଅଭିଳାଷଗତ ଦାରିଦ୍ର୍ୟ
ସଂପ୍ରତି ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳ, ସେଠାରେ ଗଢ଼ି ଉଠିଥିବା ଅସଂଖ୍ୟ କୋଚିଂ ସେଣ୍ଟରଗୁଡ଼ିକ କାରଣରୁ ‘ସିଭିଲ୍ ସର୍ଭିସ୍’ ଅଭିଳାଷୀଙ୍କ ମକ୍କାରେ ପରିଣତ େହାଇଛି, ଯେଉଁଠାରେ ଭାରତର ସବୁ ପ୍ରାନ୍ତରୁ ଶହ ଶହ ଉଚ୍ଚଶିକ୍ଷିତ ଯୁବକଯୁବତୀ ରୁଣ୍ଡ ହେଉଛନ୍ତି। ସେଠାରୁ ସର୍ବାଧିକ ସଂଖ୍ୟାରେ ସଫଳତାର ଉଦାହରଣମାନ ମଧ୍ୟ ସୃଷ୍ଟି ହେବାରେ ଲାଗିଛନ୍ତି; ସେମାନଙ୍କ ଚେହେରା ଏହି ସ୍ବପ୍ନକୁ ଚରିତାର୍ଥ କରିବାରେ ବ୍ୟାପୃତ ଅଗଣିତ ଯୁବକଯୁବତୀଙ୍କୁ ଉତ୍ସାହ ପ୍ରଦାନ କରି ଚାଲିଛି। କିନ୍ତୁ, ଏକ ବାସ୍ତବବାଦୀ ଆଭିମୁଖ୍ୟ କହିଥାଏ େଯ ସଫଳ ୦.୧ ପ୍ରତିଶତଙ୍କ ପରିବର୍ତ୍ତେ ବିଫଳ ୯୯.୯ ପ୍ରତିଶତଙ୍କ ସହିତ ସଂପର୍କ ସ୍ଥାପନ କରିବା ହୁଏତ ଅଗଣିତ ପରୀକ୍ଷାର୍ଥୀଙ୍କୁ ସ୍ବପ୍ନ ବିଳାସରୁ ମୁକ୍ତ କରନ୍ତା।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟେର ପ୍ରଧାନମନ୍ତ୍ରୀଙ୍କ ଅର୍ଥ-ପରାମର୍ଶଦାତା ସଂଜୀବ ସାନ୍ୟାଲଙ୍କ ଯେଉଁ ଏକ ମନ୍ତବ୍ୟ ଅନେକତ୍ର ଚର୍ଚ୍ଚାର ବିଷୟବସ୍ତୁ ହୋଇଛି, ତାହା ହେଲା ଏହା ଯେ ‘ୟୁ.ପି.ଏସ୍.ସି.’ ଦ୍ବାରା ପରିଚାଳିତ ‘ସିଭିଲ୍ ସର୍ଭିସ୍’ ପରୀକ୍ଷାରେ ଅଂଶ ଗ୍ରହଣ କରିବା ଲାଗି ପ୍ରକାଶ ପାଉଥିବା ଅସାଧାରଣ ଆଗ୍ରହାତିଶଯ୍ୟ ହେଉଛି ଭାରତୀୟ ଯୁବ ବର୍ଗଙ୍କ ‘ଅଭିଳାଷଗତ ଦାରିଦ୍ର୍ୟ’ (‘ଏସ୍ପିରେସନାଲ୍ ପଭର୍ଟି’)ର ପରିଚାୟକ। କହିବା ବାହୁଲ୍ୟ ଯେ ଉପରୋକ୍ତ ମନ୍ତବ୍ୟ ଦ୍ବାରା ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବା ଲାଗି ବିନିଦ୍ର ରଜନୀ ଅତିବାହିତ କରି ଚାଲିଥିବା ଅସଂଖ୍ୟ ଗଳଦ୍ଘର୍ମ ସ୍ବପ୍ନାବିଷ୍ଟଗଣ କ୍ଷୁବ୍ଧ ଓ ବ୍ୟଥିତ ହୋଇଥିବେ; ମତ୍ସ୍ୟର ଗୋଟିଏ ଚକ୍ଷୁ ଉପରେ ଦୃଷ୍ଟି ନିବଦ୍ଧ କରି ଅର୍ଜୁନତୁଲ୍ୟ ଲକ୍ଷ୍ୟ ସାଧିବାକୁ ଉଦ୍ୟତ ପରୀକ୍ଷାର୍ଥୀମାନେ ପ୍ରଶ୍ନ କରି ପାରନ୍ତି ଯେ ପୃଥିବୀର କଠିନତମ ଏବଂ ସର୍ବାଧିକ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ପରୀକ୍ଷା ଭାବେ ପରିଚିତ ‘ସିଭିଲ୍ ସର୍ଭିସ୍’ରେ ସାଫଲ୍ୟ ଅର୍ଜନ କରିବାର ଅଭିଳାଷ ଠାରୁ ଅଧିକ ମହନୀୟ ସ୍ବପ୍ନ ଆଉ କ’ଣ ବା ଥାଇପାରେ? ସୁତରାଂ, ଏଭଳି ସ୍ଥଳେ ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଆଲୋଚନାର ଗଭୀରତାକୁ ପ୍ରବେଶ କରିବା ପୂର୍ବରୁ ଏକ ପରିସଂଖ୍ୟାନ ଉପରେ ଦୃଷ୍ଟି ନିକ୍ଷେପ କରାଯାଇପାରେ। ୨୦୨୩ ମସିହାରେ ସମୁଦାୟ ୧୩ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ। ତିନି ପର୍ଯ୍ୟାୟ ବିଶିଷ୍ଟ ଏହି ପରୀକ୍ଷାରେ ‘ପ୍ରିଲିମିନାରି’ ରାଉଣ୍ଡ୍ ପରେ ୧୪, ୬୨୪ ଜଣ ‘ମେନ୍ସ’ ବା ‘ଲିଖିତ’ ରାଉଣ୍ଡ୍ରେ ବସିବାର ସୁଯୋଗ ପାଇଥିଲେ, ଯହିଁରୁ ୨୯୧୬ ଜଣ ସାକ୍ଷାତ୍କାର ପର୍ଯ୍ୟାୟ ଲାଗି ମନୋନୀତ ହୋଇଥିଲେ। ପରିଶେଷରେ ସେମାନଙ୍କ ମଧ୍ୟରୁ ୧୧୬୦ଟି ଶୂନ୍ୟ ପଦ ପୂରଣ କରିବା ଲାଗି ସଫଳ ପ୍ରାର୍ଥୀଙ୍କ ତାଲିକା ପ୍ରକାଶିତ ହୋଇଥିଲା। ପରିସଂଖ୍ୟାନ ଅନୁସାରେ ‘ସିଭିଲ୍ ସର୍ଭିସ୍’ ପରୀକ୍ଷାରେ ସଫଳତାର ସମ୍ଭାବନା ହେଉଛି ମାତ୍ର ୦.୧ ପ୍ରତିଶତ ଏବଂ ଆରକ୍ଷଣ ବହିର୍ଭୂତ ପ୍ରାର୍ଥୀଙ୍କ ସକାଶେ ଏହି ସମ୍ଭାବନାରେ ଆହୁରି ସଂକୋଚନ ଘଟି ତାହା ୦.୦୫ ପ୍ରତିଶତରେ ପହଞ୍ଚି ପାରେ। ଉଲ୍ଲେଖଯୋଗ୍ୟ ଯେ ୨୧ ବର୍ଷ ବୟସରୁ ସ୍ବପ୍ନ ଚରିତାର୍ଥ କରିବାର ଏହି ଯାତ୍ରା ପ୍ରାରମ୍ଭ କରି ଅଗତ୍ୟା ବିଫଳ ହୋଇ ଚାଲିଥିବା ଯୁବକଯୁବତୀଙ୍କ ମଧ୍ୟରୁ ପ୍ରାୟ ୭୫ ପ୍ରତିଶତ ୨୮ ବର୍ଷ ବୟସ ପର୍ଯ୍ୟନ୍ତ ଏହି ପରୀକ୍ଷା ଦେଉଥାଆନ୍ତି। ସୁତରାଂ, ୭ ବର୍ଷ କାଳ କଠିନ ଅଧ୍ୟବସାୟ, ତ୍ୟାଗ, ହତାଶା, କ୍ଳାନ୍ତି ଓ ତିତିକ୍ଷା ଇତ୍ୟାଦି ଦେଇ ଗତି କରିଥିବା ୯୫%ରୁ ଅଧିକ ପ୍ରାର୍ଥୀ ପରିଶେଷରେ ବିଫଳ ହୋଇ ରହନ୍ତି; ଚୂର୍ଣ୍ଣୀଭୂତ ସ୍ବପ୍ନର ଧ୍ବଂସସ୍ତୂପ ତଳେ ସେମାନଙ୍କ ମଧ୍ୟରୁ କେତେକ ହୁଏତ ନିମ୍ନ ସ୍ତରୀୟ ଚାକିରି ସ୍ବୀକାର କରି ନିଅନ୍ତି ଅଥବା ବେଳେ ବେଳେ କର୍ମ ଶୂନ୍ୟ ହୋଇ ମଧ୍ୟ ରହି ଯାଆନ୍ତି। ‘ଇଣ୍ଟର୍ନେସନାଲ୍ ଲେବର୍ ଅର୍ଗାନାଇଜେସନ୍’ ବା ‘ଅାଇ.ଏଲ୍.ଓ.’ ପକ୍ଷରୁ ଭାରତ ସଂଦର୍ଭରେ ପ୍ରକାଶିତ ସଦ୍ୟତମ ରିପୋର୍ଟ କହିଥାଏ ଯେ ୨୦୨୦ରୁ ୨୦୨୪ ମସିହା ମଧ୍ୟରେ ଉଚ୍ଚ ଶିକ୍ଷିତ ବେକାର ଭାରତୀୟଙ୍କ ସଂଖ୍ୟା ଦ୍ବି-ଗୁଣିତ ହୋଇଛି; ଏହାର ଏକ ବୃହତ୍ ଅଂଶ ‘ସିଭିଲ୍ ସର୍ଭିସ୍’ ପରୀକ୍ଷାରେ ବିଫଳ ହୋଇଥିବା ପ୍ରାର୍ଥୀଙ୍କ ଦ୍ବାରା ଅଧିକୃତ ହୋଇଥିବା ମଧ୍ୟ ସମ୍ଭବ!
ଏଥିରେ ଦ୍ବିରୁକ୍ତି ନାହିଁ ଯେ ‘ସିଭିଲ୍ ସର୍ଭିସ୍’ ପରୀକ୍ଷାର ସଫଳ ପରୀକ୍ଷାର୍ଥୀମାନେ ପ୍ରାୟତଃ ବିରଳ ବିଚକ୍ଷଣତାର ଅଧିକାରୀ ହୋଇଥାଆନ୍ତି। କିନ୍ତୁ, ଏହା ମଧ୍ୟ ଏକ ବାସ୍ତବତା ଯେ ଅସଂଖ୍ୟ ସମତୁଲ ବିଚକ୍ଷଣ ପରୀକ୍ଷାର୍ଥୀ ବିଭିନ୍ନ କାରଣରୁ ଏପରିକି ଭାଗ୍ୟର ଚମକହୀନତା ହେତୁ ନିଷ୍ପ୍ରଭ ହୋଇଯାଆନ୍ତି। ସୁତରାଂ, ଅନେକଙ୍କ ଦୃଷ୍ଟିରେ ଏହି ପରୀକ୍ଷାରେ ସଫଳତା ଏକ ‘ଲଟେରି’ତୁଲ୍ୟ, ଯେଉଁ କାରଣରୁ ହୁଏତ ଅନେକ ବିଫଳ ପରୀକ୍ଷାର୍ଥୀ ସମ୍ଭାବ୍ୟ ଭାଗ୍ୟୋଦୟର ଆଶାରେ ବାରମ୍ବାର ପରୀକ୍ଷାରେ ବସନ୍ତି; ଏପରିକି ଅନେକ ସଫଳ ପରୀକ୍ଷାର୍ଥୀ ସେମାନେ ଲାଭ କରିଥିବା ସ୍ଥାନ (‘ଆଇ.ଆର୍.ଏସ୍.’ ଏପରିକି ‘ଆଇ.ପି.ଏସ୍.’)ରେ ସନ୍ତୁଷ୍ଟ ନ ହୋଇ ଆଇ.ଏ.ଏସ୍. ବା ଆଇ.ଏଫ୍.ଏସ୍. (ବିଦେଶ ସେବା)ରେ ଭର୍ତ୍ତି ହେବା ଲାଗି ପୁନର୍ବାର ପରୀକ୍ଷାରେ ଅବତୀର୍ଣ୍ଣ ହୁଅନ୍ତି। ସଂଜୀବ ସାନ୍ୟାଲଙ୍କ ମତରେ ଏହା ହିଁ ହେଉଛି ‘ଅଭିଳାଷଗତ ଦାରିଦ୍ର୍ୟ’ର ପ୍ରମାଣ; ‘ଆଇଏଏସ୍’ ହେବାର ଏକମାତ୍ର ଅଭିଳାଷର ବାହୁଫାଶରେ ବନ୍ଦୀ ହୋଇ ନ ଥିଲେ ଏହି ପରୀକ୍ଷାର୍ଥୀମାନଙ୍କ ବିଚକ୍ଷଣତା ଏବଂ ଅଧ୍ୟବସାୟ ସେମାନଙ୍କୁ ଅନ୍ୟ ଯେ କୌଣସି ବୃତ୍ତିରେ ଚମକପ୍ରଦ ସଫଳତା ପ୍ରଦାନ କରିପାରନ୍ତା। ତାଙ୍କ ମତରେ ବିଚକ୍ଷଣ ଭାରତୀୟ ଯୁବକଯୁବତୀମାନେ ସେମାନଙ୍କ ସର୍ବାଧିକ ଉତ୍ପାଦନଶୀଳ ଆୟୁ କାଳକୁ ଏକ ‘ଲଟେରି’ତୁଲ୍ୟ ପରୀକ୍ଷାରେ ସଂପୂର୍ଣ୍ଣ ରୂପେ ଜଳାଞ୍ଜଳି କରି ନ ଦେଇ ଅନ୍ୟ ଦିଗନ୍ତ ଆବିଷ୍କାରରେ ମନୋନିବେଶ କରନ୍ତୁ।
ପ୍ରଶ୍ନ ଉଠିଥାଏ ଯେ ‘ସିଭିଲ୍ ସର୍ଭିସ୍’ ପରୀକ୍ଷା ଲାଗି ଏଭଳି ମୋହର କାରଣ କ’ଣ ହୋଇପାରେ? ପ୍ରକାଶ ଥାଉ କି ବ୍ରିଟିସ ଶାସନାଧୀନ ଭାରତରେ ୧୯୫୫ ମସିହାରୁ ପ୍ରଚଳିତ ଥିବା ‘ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍’ ବା ‘ଆଇ.ସି.ଏସ୍.’ର ସ୍ବାଧୀନତା ପରବର୍ତ୍ତୀକାଳୀନ ରୂପାନ୍ତର ହେଉଛି ‘ଆଇ.ଏ.ଏସ୍.’, ଯହିଁରେ ପରାଧୀନ ଭାରତକୁ ଶାସନ କରିବା ଲାଗି ସୃଷ୍ଟ ‘ଆଇ.ସି.ଏସ୍.’ର ‘ଡିଏନ୍ଏ’ ଅଦ୍ୟାପି ଅକ୍ଷୁଣ୍ଣ ରହିଛି। ସୁତରାଂ, ଭାରତୀୟ ପ୍ରଶାସନିକ ସେବା ‘ଗଭର୍ନ’ ବା ଶାସନ କରିବା ପରିବର୍ତ୍ତେ ‘ରୁଲ୍’ ବା ରାଜୁତି କରିବାରେ ବ୍ୟାପୃତ; ଏବଂ ସେହି କ୍ରମରେ ପ୍ରଭୂତ କ୍ଷମତା ଓ ପ୍ରତିପତ୍ତିର ସ୍ରୋତରେ ପରିଣତ ହୋଇଥାଏ। ସମ୍ଭବତଃ ସେହି କାରଣରୁ ଉଦ୍ୟୋଗଶୀଳ ମନୋବୃତ୍ତିର ଅଭାବ ଥିବା ଅଞ୍ଚଳ, ଯେଉଁଠି ସରକାରୀ ଚାକିରିକୁ ନିର୍ବାଣର ପଥ ଭାବେ ଗ୍ରହଣ କରାଯାଏ, ସେଠି ‘ସିଭିଲ୍ ସର୍ଭିସ୍’ର ଆକର୍ଷଣ ସର୍ବାଧିକ; ଯେମିତି ଉତ୍ତରପ୍ରଦେଶ ବା ବିହାର ବା ରାଜସ୍ଥାନ ବା ପଶ୍ଚିମବଙ୍ଗ ବା ଓଡ଼ିଶା! ସଂଜୀବ ସାନ୍ୟାଲ କହନ୍ତି ମୁମ୍ବାଇର ଯୁବକଯୁବତୀମାନେ ଷ୍ଟକ୍ ବ୍ରୋକର୍ ବା ଅଭିନେତା ବା ଉଦ୍ୟୋଗପତି ହେବାକୁ ଅଧିକ ପସନ୍ଦ କରିପାରନ୍ତି, ଯେମିତି ବେଙ୍ଗାଲୁରୁ ଓ ପୁଣେରେ ବିଚକ୍ଷଣ ଯୁବକଯୁବତୀମାନେ ‘ଷ୍ଟାର୍ଟଅପ୍’ ସୃଷ୍ଟିରେ ଅଧିକ ବ୍ୟସ୍ତ। ତାଙ୍କ ମତରେ ‘ସିଭିଲ୍ ସର୍ଭିସ୍’କେନ୍ଦ୍ରିକ ‘ଅଭିଳାଷଗତ ଦାରିଦ୍ର୍ୟ’ ନ ରହିଲେ ଭାରତ ଅଧିକ ଯୁବ ବୈଜ୍ଞାନିକ, ଗବେଷକ, ଖେଳାଳି, ସଂଗୀତଜ୍ଞ ଦେଖନ୍ତା ଏବଂ ଭାରତୀୟ ଯୁବ ଡାକ୍ତର ବା ଇଂଜିନିଅରମାନେ ସେମାନଙ୍କ ବିଦ୍ୟା ଓ ତାଲିମ ପରିତ୍ୟାଗ କରି ଆଇ.ଏ.ଏସ୍ ନାମକ ରୋଲର୍’ ଦ୍ବାରା ସମତଳ ହୋଇ ଯାଆନ୍ତେ ନାହିଁ। ଚଟୁଳତାର ସହିତ ସଂଜୀବ ସାନ୍ୟାଲ କହିଥାଆନ୍ତି ଯେ ‘ସିଭିଲ୍ ସର୍ଭିସ୍’ ପରୀକ୍ଷାରେ ଅକୃତକାର୍ଯ୍ୟ କେତେକ ପରୀକ୍ଷାର୍ଥୀ ଅଗତ୍ୟା ଆଇ.ଏ.ଏସ୍. କୋଚିଂ ସେଣ୍ଟରମାନ ପ୍ରତିଷ୍ଠା କରି ପ୍ରଚୁର ଅର୍ଥ ଉପାର୍ଜନ କରିବା ସହିତ ସଫଳ ଉଦ୍ୟୋଗୀ ହେବାର ଆପଣା ପ୍ରତିଭାରେ ଚମତ୍କୃତ ହେଲେଣି; ଯେଉଁ ପାରଦର୍ଶିତା ସେମାନେ ସଫଳ ହୋଇଥିଲେ ଅଗତ୍ୟା ଅନାବିଷ୍କୃତ ହୋଇ ରହିଯାଇଥାଆନ୍ତା।
ସଂପ୍ରତି ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳ, ସେଠାରେ ଗଢ଼ି ଉଠିଥିବା ଅସଂଖ୍ୟ କୋଚିଂ ସେଣ୍ଟରଗୁଡ଼ିକ କାରଣରୁ ‘ସିଭିଲ୍ ସର୍ଭିସ୍’ ଅଭିଳାଷୀଙ୍କ ମକ୍କାରେ ପରିଣତ େହାଇଛି, ଯେଉଁଠାରେ ଭାରତର ସବୁ ପ୍ରାନ୍ତରୁ ଶହ ଶହ ଉଚ୍ଚଶିକ୍ଷିତ ଯୁବକଯୁବତୀ ରୁଣ୍ଡ ହେଉଛନ୍ତି। ସେଠାରୁ ସର୍ବାଧିକ ସଂଖ୍ୟାରେ ସଫଳତାର ଉଦାହରଣମାନ ମଧ୍ୟ ସୃଷ୍ଟି ହେବାରେ ଲାଗିଛନ୍ତି; ସେମାନଙ୍କ ଚେହେରା ଏହି ସ୍ବପ୍ନକୁ ଚରିତାର୍ଥ କରିବାରେ ବ୍ୟାପୃତ ଅଗଣିତ ଯୁବକଯୁବତୀଙ୍କୁ ଉତ୍ସାହ ପ୍ରଦାନ କରି ଚାଲିଛି। କିନ୍ତୁ, ଏକ ବାସ୍ତବବାଦୀ ଆଭିମୁଖ୍ୟ କହିଥାଏ େଯ ସଫଳ ୦.୧ ପ୍ରତିଶତଙ୍କ ପରିବର୍ତ୍ତେ ବିଫଳ ୯୯.୯ ପ୍ରତିଶତଙ୍କ ସହିତ ସଂପର୍କ ସ୍ଥାପନ କରିବା ହୁଏତ ଅଗଣିତ ପରୀକ୍ଷାର୍ଥୀଙ୍କୁ ସ୍ବପ୍ନ ବିଳାସରୁ ମୁକ୍ତ କରନ୍ତା। କାରଣ ଯେଉଁଠି ସଫଳତାର ହାର ମାତ୍ର ୦.୧ ପ୍ରତିଶତ, ସେଠାରେ ସଫଳତାର କାହାଣୀମାନ ‘ଉଦାହରଣ’ ନ ହୋଇ ଗୋଟିଏ ଗୋଟିଏ ‘ବ୍ୟତିକ୍ରମ’ ହୋଇଥାଆନ୍ତି। ଏତିକି ହୃଦ୍ବୋଧ କରିପାରିଲେ ବାସ୍ତବତା ସହିତ ଅଧିକ ଘନିଷ୍ଠ ହେବା ସମ୍ଭବ।