ଚଳିତ ‘କପ୍‌’ ସମ୍ମିଳନୀ ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରିପ୍ରେକ୍ଷୀରେ ବିଚାର କଲେ ଦିଶିଥାଏ ଯେ ୭୦,୦୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ଦୁବାଇକୁ ପରିବହନ କରି ଆଣିଥିବା ଅସଂଖ୍ୟ ବିମାନ, ଏହି ଅଭ୍ୟାଗତମାନଙ୍କ ରହଣି ସକାଶେ ଭରପୂର ହୋଇ ଉଠିଥିବା ହୋଟେଲମାନ, ‘କପ୍‌’ ହେତୁ ସୃଷ୍ଟ ଉତ୍ସବମୁଖର ପରିବେଶରେ ଦିନ ରାତି ଖୋଲା ରହୁଥିବା ରେସ୍ତୋରାଁ, ସଡ଼କରେ ଅବିଶ୍ରାନ୍ତ ଭାବେ ଚଳାଚଳ କରୁଥିବା ଯାନବାହନ, ଅସରନ୍ତି ଭୋଜିଭାତ ଇତ୍ୟାଦି କାରଣରୁ ଅଙ୍ଗାରକ ଉତ୍ସର୍ଜନ ମାତ୍ରାରେ ନିଶ୍ଚିତ ତୀବ୍ର ବୃଦ୍ଧି ଘଟିଥିବ! ଏହା ମଧ୍ୟ ‘କପ୍‌’ର ଏକ ‘ପାରାଡକ୍‌ସ’!

Advertisment

ଗଲା ଗୁରୁବାର ଦିନ ସଂଯୁକ୍ତ ଆରବ ଏମିରେଟ୍‌ସ ବା ୟୁ.ଏ.ଇ.ର ସମୃଦ୍ଧତମ ନଗରୀ ଦୁବାଇ ଠାରେ ‘କନ୍‌ଫରେନ୍‌ସ ଅଫ୍ ପାର୍ଟିଜ୍‌’ର ୨୮ତମ ମହାଅଧିବେଶନର ଶୁଭାରମ୍ଭ ହୋଇଯାଇଛି, ଯାହା ‘କପ୍‌-୨୮’ ଭାବେ ହିଁ ପରିଚିତ। ଏହି ସମ୍ମିଳନୀରେ ୨୦୦ରୁ ଅଧିକ ଦେଶର ପ୍ରାୟ ୭୦,୦୦୦ ସରିକି ପ୍ରତିନିଧି ଯୋଗ ଦେଇଛନ୍ତି; ଅର୍ଥାତ୍‌ ଉପସ୍ଥାନ ସଂଖ୍ୟା ଦୃଷ୍ଟିରୁ ‘କପ୍‌’ର ଅଠେଇଶ ବର୍ଷର ଇତିହାସରେ ଏହା ସର୍ବାଧିକ ଏବଂ ଏଥିରେ ରାଷ୍ଟ୍ରମୁଖ୍ୟମାନଙ୍କ ଠାରୁ ଆରମ୍ଭ କରି ଉଚ୍ଚ ସ୍ତରୀୟ ପ୍ରତିନିଧି, ବୈଜ୍ଞାନିକ, ଗବେଷକ, ବିଦ୍ବାନ, ପରିବେଶ କର୍ମୀ, ଏନ୍‌.ଜି.ଓ. ସଦସ୍ୟ, ଧର୍ମ-ଗୁରୁ, ଲେଖକ, ଚଳଚ୍ଚିତ୍ର-ନିର୍ମାତା, ପୁଂଜିପତି, ଉଦ୍ୟୋଗପତି, ‘ଲବିଷ୍ଟ’ ବା ପ୍ରଭାବ ବିସ୍ତାରକାରୀ, ଛାତ୍ରଛା‌ତ୍ରୀ ଇଦ୍ୟାଦି ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଉପସ୍ଥିତି ଅନ୍ତର୍ଭୁକ୍ତ; ଯହିଁରୁ ଇଙ୍ଗିତ ମିଳିଥାଏ ଯେ ଜଳବାୟୁ ପରିବର୍ତ୍ତନ ଓ ତଜ୍ଜନିତ ବିଭୀଷିକାକୁ ନେଇ ସମଗ୍ର ପୃଥିବୀ ଘୋର ଉଦ୍‌ବିଗ୍ନ। ପ୍ରକାଶ ଥାଉ କି ପ୍ରାରମ୍ଭିକ ‘କପ୍’ ସମ୍ମିଳନୀଗୁଡ଼ିକ ମାତ୍ର କେଇ ଶହ ସଂଖ୍ୟକ ପ୍ରତିନିଧିରେ ସୀମିତ ଥିଲେ ଏବଂ ସେହି ଦୃଷ୍ଟିରୁ ‘କପ୍‌-୮’ (ଅଷ୍ଟମ ବର୍ଷ) ସମ୍ମିଳନୀଟି ଭାରତର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବିଷୟ ବିସ୍ମୃତ ହୋଇ ଯାଇଥିବାରେ ବିସ୍ମୟର ବିଶେଷ କାରଣ ନାହିଁ। ସୁତରାଂ, ଏହା ମଧ୍ୟ ହୃଦ୍‌ବୋଧ ହୋଇଥାଏ ଯେ ସମଗ୍ର ପୃଥିବୀକୁ ଶରବ୍ୟ କରିଥିବା ଜଳବାୟୁ ପରିବର୍ତ୍ତନଜନିତ ଭୟାବହ ବାସ୍ତବତା ହେତୁ କ୍ରମ ବର୍ଦ୍ଧମାନ ତୀବ୍ର ଉଦ୍‌ବେଗ ‘କପ୍’ ସମ୍ମିଳନୀର ଆକାରକୁ ଏତାଦୃଶ ସ୍ଫୀତ କରିଛି। କିନ୍ତୁ ଏହା ସତ୍ତ୍ବେ ପ୍ରଶ୍ନ ଉଠିଥାଏ ଯେ ଯେତେବେଳେ ପୃଥିବୀ ତା’ର ବିଲୟ ଦିଗରେ ମନ୍ଥର ଅଥଚ ସ୍ଥିର ପଦବ୍ରଜରେ ଅଗ୍ରସର ହେବାରେ ଲାଗିଛି, ସେତିକି ବେଳେ ‘କପ୍‌’ଗୁଡ଼ିକ କେବଳ ଉଚ୍ଚାଟ ସୃଷ୍ଟି କରୁଥିବା ବିଶୁଦ୍ଧ କପଟାଚାରର ଭବ୍ୟ ମଞ୍ଚ ମାତ୍ରରେ ସୀମିତ ହୋଇଯାଇ ନାହିଁ ତ? ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟାଗୁଡ଼ିକର ସମାଧାନ ସକାଶେ ଉନ୍ନତ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଯେଉଁ ତ୍ୟାଗ ଏବଂ ନିଃସ୍ବାର୍ଥପର ଅଙ୍ଗୀକାରବଦ୍ଧତା ଲୋଡ଼ା, ସେଥି ଲାଗି ସେମାନେ ପ୍ରସ୍ତୁତ ତ?
ଏଭଳି ପ୍ରଶ୍ନ ଉଠିବାର କାରଣ ହେଲା ଏହି ‘କପ୍‌’ରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ ଭଳି ପୃଥିବୀର ଦୁଇ ସର୍ବାଧିକ ପ୍ରମୁଖ ରାଷ୍ଟ୍ରର ଶାସନ ମୁଖ୍ୟଙ୍କ ଅନୁପସ୍ଥିତି; ଏବଂ ପ୍ରସଙ୍ଗ କ୍ରମେ ଆମେରିକା ସର୍ବାଧିକ ମୁଣ୍ଡପିଛା ଅଙ୍ଗାରକ ନିର୍ଗମନକାରୀ ରାଷ୍ଟ୍ର ହୋଇଥିବା ବେଳେ ଚୀନ ଦ୍ବାରା ଉତ୍ସର୍ଜିତ ସମୁଦାୟ ଅଙ୍ଗାରକର ପରିମାଣ ପୃଥିବୀର ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ସର୍ବାଧିକ। ପୃଥିବୀର ଉତ୍ତପ୍ତୀକରଣ ତଥା ଜଳବାୟୁ ପରିବର୍ତ୍ତନ ସକାଶେ ଅଙ୍ଗାରକର ପରିମାଣ ଯେ ପ୍ରମୁଖ ଭାବେ ଦାୟୀ ତାହା ଏବେ ବୁଝାଇ କହିବାର କୌଣସି ଆବଶ୍ୟକତା ନାହିଁ। ଏଠାରେ ସ୍ମରଣଯୋଗ୍ୟ ଯେ ୨୦୨୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ୟାରିସ ଚୁକ୍ତିରୁ ଓହରି ଯାଇଥିଲା, ଯହିଁରେ ପୃଥିବୀର ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରି ସେଲସିଅସ ମଧ୍ୟରେ ସୀମିତ ରଖିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ପ୍ୟାରିସ ଚୁକ୍ତିକୁ ତ୍ୟାଜ୍ୟ କରିବା ପଛରେ ଆମେରିକା ପ୍ରଦତ୍ତ ଯୁକ୍ତି ଥିଲା ଯେ ଏଭଳି ଏକ ଲକ୍ଷ୍ୟ ପୂରଣ କରିବା ସକାଶେ ଆମେରିକାକୁ ଯେଉଁ ସଂଯମ ଅବଲମ୍ବନ କରିବାକୁ ପଡ଼ିବ, ତହିଁରେ ତା’ର ଅର୍ଥନୀତି ମନ୍ଥର ପଡ଼ିଯିବ! ତେଣୁ ୨୭ଟି ‘କପ୍‌’ ପରେ ସୁଦ୍ଧା ପରିବେଶ ଅନୁକୂଳ ଲକ୍ଷ୍ୟମାନ କିଭଳି ଅଲଂଘ୍ୟ ହୋଇ ରହିଛି, ତାହାର ପ୍ରମାଣ କେବଳ ଏହି ଗୋଟିଏ ଉଦାହରଣରୁ ମିଳିବ ଯେ ୨୦୩୦ ମସିହା ସୁଦ୍ଧା ବିଶ୍ବବ୍ୟାପୀ ଅଙ୍ଗାରକ ନିର୍ଗମନରେ ୪୩% ହ୍ରାସ କରାଯିବାର ଲକ୍ଷ୍ୟ ଚଳିତ ବର୍ଷ ଅର୍ଥାତ୍‌ ୨୦୨୩ ମସିହା ସୁଦ୍ଧା ମାତ୍ର ୨.୫%ରେ ପହଞ୍ଚି ପାରିଛି। ଏଥିରୁ ଯାହା ସ୍ପଷ୍ଟ ହୋଇଥାଏ ତାହା ହେଲା ଲକ୍ଷ୍ୟ ପୂରଣ ଦିଗରେ ରାଷ୍ଟ୍ରଗୁଡ଼ିକ ନିଷ୍ଠା ପ୍ରଦର୍ଶନ କରି ନାହାନ୍ତି।
ଚଳିତ ‘କପ୍‌’ଟି ଅନ୍ୟ ଏକ କାରଣରୁ ତା’ର ଉଦ୍ଦେଶ୍ୟ ନେଇ ଭ୍ରୂକୁଂଚନ ଏବଂ ପ୍ରଶ୍ନମାନ ସୃଷ୍ଟି କରିଛି। କଥା ହେଲା, ଅଙ୍ଗାରକ ଉତ୍ସର୍ଜନ ପଛର ମୁଖ୍ୟ ଖଳନାୟକ ଜୀବା‌ଶ୍ମ ଇନ୍ଧନର ଦହନ (ତାପଜ ଶକ୍ତି) ହୋଇଥିବା ବେଳେ ଏହି ‘କପ୍‌’ର ଆୟୋଜକ ୟୁ.ଏ.ଇ. ହେଉଛି ପୃଥିବୀର ଅନ୍ୟତମ ସର୍ବବୃହତ୍‌ ଜୀବାଶ୍ମ ଇନ୍ଧନ (ଖଣିଜ ତୈଳ ଓ ପ୍ରାକୃତିକ ଗ୍ୟାସ)ର ଉତ୍ପାଦନକାରୀ ଏବଂ ଯୋଗାଣକାରୀ ରାଷ୍ଟ୍ର। ସୁତରାଂ, ପ୍ରଶ୍ନ ଉଠିଥାଏ ଯେ ବିକଳ୍ପ ସ୍ବରୂପ ‘ନବୀକରଣକ୍ଷମ ଶକ୍ତି’ ବା ‘ସବୁଜ ଶକ୍ତି’ ଦ୍ବାରା ‘ତାପଜ ଶକ୍ତି’ର କ୍ରମ ବିସ୍ଥାପନ ୟୁ.ଏ.ଇ. ଭଳି ଅମିତ ବିତ୍ତଶାଳୀ ଜୀବାଶ୍ମ ଇନ୍ଧନର ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକର ସ୍ବାର୍ଥହାନି କରୁଥିବାରୁ ସେମାନଙ୍କ ଦ୍ବାରା ଗ୍ରହଣୀୟ ହେବ ତ? ଅନେକ ବିଶେଷଜ୍ଞ ସନ୍ଦେହ କରନ୍ତି ଯେ ଚଳିତ ‘କପ୍‌’ରେ ଅତିକାୟ ତୈଳ କଂପାନିଗୁଡ଼ିକର ପଦସ୍ଥ କର୍ମକର୍ତ୍ତାମାନଙ୍କ ବିଶାଳ ଉପସ୍ଥିତି ଅବଲୀଳା କ୍ରମେ ସେମାନଙ୍କ ମଧ୍ୟରେ ବ୍ୟାବସାୟିକ ସଂପର୍କ ବୃଦ୍ଧିରେ ସହାୟକ ହେବ; ଯାହା ପ୍ରକାରାନ୍ତରେ ‘କପ୍‌’ର ଉଦ୍ଦେଶ୍ୟ ସାଧନକୁ ପରାହତ କରିବ। ତେବେ, ଏ ସବୁ ସତ୍ତ୍ବେ ଆଉ ଏକ ବାସ୍ତବତା ହେଲା ‘ଜୀବାଶ୍ମ ଇନ୍ଧନ’ ତୁଳନାତ୍ମକ ଭାବେ ଶସ୍ତା ହୋଇଥିବାରୁ ଏହା ସର୍ବାଧିକ ଆଦୃତ ଏବଂ ଏହାର ବ୍ୟବହାରରେ କ୍ରମ ସଂକୋଚନ ଆଣିବାକୁ ହେଲେ ସେହି ତୈଳ ସମୃଦ୍ଧ ରାଷ୍ଟ୍ରଗୁଡ଼ିକର ପ୍ରତ୍ୟକ୍ଷ ସହଯୋଗ ମଧ୍ୟ ଏକାନ୍ତ ଆବଶ୍ୟକ; ସେହି ଦୃଷ୍ଟିରୁ ୟୁ.ଏ.ଇ.ରେ ‘କପ୍’ର ଆୟୋଜନକୁ ଏକ ସକାରାତ୍ମକ ଦୃଷ୍ଟିରେ ଦେଖାଗଲେ ମଧ୍ୟ ଏହା ବିରୋଧାଭାସ ମୁକ୍ତ ହୋଇ ପାରି ନ ଥାଏ।
ଏବେ ‘କପ୍‌’ର ବିରୋଧାଭାସ ବା ‘ପାରାଡକ୍‌ସ’କୁ ଅତିକ୍ରମ କରି ସାମଗ୍ରିକ ଭାବେ ପ୍ରଦୂଷଣର ‘ପାରାଡକ୍‌ସ’ ଉପରେ କ୍ଷିପ୍ର ଦୃଷ୍ଟି ପକାଇବା। ବନାଗ୍ନିରୁ ଆରମ୍ଭ କରି ଅସହ୍ୟ ଗ୍ରୀଷ୍ମ ଓ ଶୀତ ଲହରି ବା ପ୍ରଳୟଙ୍କରୀ ବାତ୍ୟା ଓ ବନ୍ୟା ବା ସମୁଦ୍ରର କୂଳ ଲଂଘନ ଅଥବା ଭୀଷଣ ଦୁର୍ଭିକ୍ଷ ପର୍ଯ୍ୟନ୍ତ ପ୍ରାକୃତିକ ବିପର୍ଯ୍ୟୟମାନ ଦ୍ବାରା ସମଗ୍ର ପୃଥିବୀ ସଂପ୍ରତି ତଟସ୍ଥ। କିନ୍ତୁ, ଏ ସଂଦର୍ଭରେ ବିଡ଼ମ୍ବନା ହେଲା ସବୁଠାରୁ କମ୍‌ ଅଙ୍ଗାରକ ଉତ୍ସର୍ଜନକାରୀ ରାଷ୍ଟ୍ର ରୂପେ ପରିଗଣିତ ଆଫ୍ରିକା ଏବଂ ଦକ୍ଷିଣ ଏସିଆ ଭୂଖଣ୍ଡର ରାଷ୍ଟ୍ରମାନ ଜଳବାୟୁ ପରିବର୍ତ୍ତନଜନିତ ବିଭୀଷିକା ଦ୍ବାରା ସର୍ବାଧିକ ପ୍ରପୀଡ଼ିତ; ଯେମିତି ମାତ୍ର ୧% ଅଙ୍ଗାରକ ଉତ୍ସର୍ଜନକାରୀ ରାଷ୍ଟ୍ର ପାକିସ୍ତାନ ଗଲା ବର୍ଷ ଏକ ଅଭୂତପୂର୍ବ ଏବଂ ଅଶ୍ରୁତପୂର୍ବ ବନ୍ୟାର ସମ୍ମୁଖୀନ ହେଲା, ଯଦ୍ଦ୍ବାରା ସେହି ଦରିଦ୍ର ରାଷ୍ଟ୍ର ୩୦ ବିଲିଅନ ଡଲାର (ଏକ ବିଲିଅନ ଅର୍ଥାତ୍‌ ଶହେ କୋଟି)ର କ୍ଷତି ସହିବାକୁ ବାଧ୍ୟ ହୋଇଛି। ଏହା ହିଁ ହେଉଛି ପ୍ରଦୂଷଣର ସବୁଠାରୁ ବଡ଼ ବିରୋଧାଭାସ।
କହିବା ବାହୁଲ୍ୟ ଯେ ଜଳବାୟୁ ପରିବର୍ତ୍ତନ ଓ ତଜ୍ଜନିତ ସମସ୍ୟାକୁ କେନ୍ଦ୍ର କରି ସଘନ ଆଲୋଚନାମାନ ଉଚ୍ଚାଟର ଶୀର୍ଷରେ ପହଞ୍ଚୁଛି ସିନା, ଆଲୋଚନାରୁ ନିର୍ଗତ ନିଷ୍କର୍ଷଗୁଡ଼ିକୁ କାର୍ଯ୍ୟରେ ପରିଣତ କରିବା ନେଇ ଅଙ୍ଗୀକାରବଦ୍ଧତା ପ୍ରକାଶ ପାଉ ନାହିଁ; ଯାହାର ନେତୃତ୍ବ ବିକଶିତ ଓ ଉନ୍ନତ ରାଷ୍ଟ୍ରଗୁଡ଼ିକ ନେବା କଥା। ଅପର ପକ୍ଷେ ସେମାନେ ନିଜ ପକ୍ଷର ବିପୁଳ ଅଙ୍ଗାରକ ଉତ୍ସର୍ଜନ ଆଡ଼କୁ ଦୃଷ୍ଟି ନ ଦେଇ ବିକାଶଶୀଳ ଓ ଅଣବିକଶିତ ରାଷ୍ଟ୍ରଗୁଡ଼ିକ ତାହା ହ୍ରାସ କରନ୍ତୁ ବୋଲି ପରାମର୍ଶ ଦେବାରେ ବ୍ୟସ୍ତ। ଏହି କାରଣରୁ ‘କପ୍‌’ଗୁଡ଼ିକ ବହ୍ବାଡ଼ମ୍ବରୀ ଅଥଚ ନିଷ୍ଫଳା ପ୍ରକରଣରେ ପରିଣତ ହେବାରେ ଲାଗିଛନ୍ତି। ଏହା ମଧ୍ୟ ଏକ ବିଡ଼ମ୍ବନା।
ଚଳିତ ‘କପ୍‌’ ସମ୍ମିଳନୀ ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରିପ୍ରେକ୍ଷୀରେ ବିଚାର କଲେ ଦିଶିଥାଏ ଯେ ୭୦,୦୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ଦୁବାଇକୁ ପରିବହନ କରି ଆଣିଥିବା ଅସଂଖ୍ୟ ବିମାନ, ଏହି ଅଭ୍ୟାଗତମାନଙ୍କ ରହଣି ସକାଶେ ଭରପୂର ହୋଇ ଉଠିଥିବା ହୋଟେଲମାନ, ‘କପ୍‌’ ହେତୁ ସୃଷ୍ଟ ଉତ୍ସବମୁଖର ପରିବେଶରେ ଦିନ ରାତି ଖୋଲା ରହୁଥିବା ରେସ୍ତୋରାଁ, ସଡ଼କରେ ଅବିଶ୍ରାନ୍ତ ଭାବେ ଚଳାଚଳ କରୁଥିବା ଯାନବାହନ, ଅସରନ୍ତି ଭୋଜିଭାତ ଇତ୍ୟାଦି କାରଣରୁ ଅଙ୍ଗାରକ ଉତ୍ସର୍ଜନ ମାତ୍ରାରେ ନିଶ୍ଚିତ ତୀବ୍ର ବୃଦ୍ଧି ଘଟିଥିବ! ଏହା ମଧ୍ୟ ‘କପ୍‌’ର ଏକ ‘ପାରାଡକ୍‌ସ’!