୨୦୨୩ରେ ଅର୍ଥନୀତିରେ ନୋବେଲ ପୁରସ୍କାର ଲାଭ କରିଥିବା ଅର୍ଥନୀତିଜ୍ଞା କ୍ଲଡିଆ ଗୋଲ୍ଡିନ୍ଙ୍କ ସମେତ ଅନ୍ୟ ଅନେକ ଅର୍ଥନୀତିଜ୍ଞମାନଙ୍କ ବିଚାରରେ ମହିଳାମାନଙ୍କୁ ବହନ କରିବାକୁ ପଡୁଥିବା ମାତ୍ରାଧିକ ପାରିଶ୍ରମିକହୀନ ଗୃହକର୍ମ ବୋଝ ଯୋଗୁଁ ସେମାନେ ବିଧିବଦ୍ଧ ନିଯୁକ୍ତି କ୍ଷେତ୍ରରେ ପ୍ରବେଶ କରିବାକୁ ସମର୍ଥ ହୋଇ ନଥାନ୍ତି। କାରଣ, ଜଣେ ପୁରୁଷ ତା’ର କାରଖାନା ବା କାର୍ଯ୍ୟାଳୟରୁ ଘରକୁ ଫେରିବା ପରେ ତା’ର ସମୟକୁ ବିଶ୍ରାମ ଓ ମନୋରଞ୍ଜନରେ ନିୟୋଜିତ କରୁଥିବାବେଳେ ଜଣେ କର୍ମଜୀବୀ ନାରୀ ପାଇଁ ସେଭଳି ବିଳାସ ଦୁର୍ଲଭ ହୋଇଥାଏ।
ବର୍ଷିଆନ୍ ଇଟାଲୀୟ-ଆମେରିକୀୟ ନାରୀବାଦୀ ସମାଜତତ୍ତ୍ବବିତ୍ ସିଲ୍ଭିଆ ଫେଡେରିଚିଙ୍କ ବୟସ ଯେତେବେଳେ ମାତ୍ର ୩୦ ବର୍ଷ ହୋଇଥିଲା, ସେତେବେଳେ ସେ ଅନ୍ୟ ଦୁଇ ଜଣ ନାରୀ ଅଧିକାର ଆନ୍ଦୋଳନକାରିଣୀ - ସେଲ୍ମା ଜେମ୍ସ ଓ ମାରିଆରୋଜା ଡାଲା କୋଷ୍ଟା - ସହିତ ମିଳିତ ହୋଇ ୧୯୭୨ରେ ‘ଇଣ୍ଟର୍ନେସନାଲ୍ ଫେମିନିଷ୍ଟ କଲେକ୍ଟିଭ’ ନାମକ ଏକ ସଂଗଠନ ପ୍ରତିଷ୍ଠା କରିଥିଲେ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗୃହକର୍ମ ପାଇଁ ମହିଳାମାନଙ୍କୁ ପାରିଶ୍ରମିକ ପ୍ରଦାନ ନିମିତ୍ତ ଏକ ଅଭିଯାନ ଆରମ୍ଭ କରିବା। ଏହି ଅଭିଯାନର ଅଂଶ ସ୍ବରୂପ ଫେଡେରିଚି ୧୯୭୫ରେ ଏକ ସଂକ୍ଷିପ୍ତ ପୁସ୍ତକ ରଚନା କରିଥିଲେ, ଯାହାର ଶୀର୍ଷକ ଥିଲା, ‘ୱେଜେସ୍ ଏଗେନ୍ଷ୍ଟ ହାଉସ୍ୱର୍କ’ (‘ଗୃହକର୍ମ ପାଇଁ ପାରିଶ୍ରମିକ’)। ଏଥିରେ ସେ ପ୍ରଥମେ ଗୃହକର୍ମ ଓ ପାରିଶ୍ରମିକ ବହନ କରୁଥିବା କୌଣସି କାର୍ଯ୍ୟ (ଜବ୍) ମଧ୍ୟରେ ଥିବା ମୌଳିକ ପାର୍ଥକ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହା ହେଲା, ଯେହେତୁ ଏକ ଜବ୍ ପାରିଶ୍ରମିକ ବହନ କରିଥାଏ, ତାହା ଏହାକୁ ସଂପାଦନ କରୁଥିବା ବ୍ୟକ୍ତିକୁ ସ୍ବାଧୀନ ନିଷ୍ପତ୍ତି ନେବାର ଅଧିକାର ପ୍ରଦାନ କରିଥାଏ, ଯାହାକୁ ସମାଜତତ୍ତ୍ବବିତ୍ମାନେ ‘ଏଜେନ୍ସି’ ରୂପେ ନାମିତ କରିଥାନ୍ତି। ଏହାର ମର୍ମ ହେଲା ସଂପୃକ୍ତ ବ୍ୟକ୍ତି ଯଦି ପାରିଶ୍ରମିକ ତ୍ୟାଗ କରିବାକୁ ପ୍ରସ୍ତୁତ ଥାଏ, ସେ ସେଇ ଜବ୍ ସଂପାଦନ ନ କରିବାକୁ ସ୍ବାଧୀନ ହୋଇଥାଏ। ଗୃହକର୍ମ କୌଣସି ପାରିଶ୍ରମିକ ବହନ କରି ନ ଥାଏ, କାରଣ ତାହା ନାରୀ ପାଇଁ ବାଧ୍ୟତାମୂଳକ ହୋଇଥାଏ, ଅର୍ଥାତ୍ ଏଥିରେ ନାରୀର କୌଣସି ‘ଏଜେନ୍ସି’ ନ ଥାଏ।
ଫେଡେରିଚି ତେଣୁ ଗୃହକର୍ମକୁ ମହିଳାମାନଙ୍କ ପ୍ରତି ଏକ ହିଂସାଚରଣ ରୂପେ ବିବେଚନା କରିଥାନ୍ତି। ତାଙ୍କ ଭାଷାରେ ‘‘ଗୃହକର୍ମ ନାରୀର ଶରୀର ଓ ବ୍ୟକ୍ତିତ୍ବର ଏକ ସ୍ବାଭାବିକ ବିଶେଷତ୍ବ, ତା’ର ଏକ ଅନ୍ତର୍ନିହିତ ଆବଶ୍ୟକତା, ଏକ ଅଭିଳାଷାକୁ ରୂପାନ୍ତରିତ ହୋଇଯାଇଛି, ସତେ ଯେମିତି ନାରୀ ଚରିତ୍ରର ଗଭୀରତମ ପ୍ରଦେଶରୁ ତାହାର ଆବିର୍ଭାବ ଘଟିଥାଏ।’’ ଏହି ନିର୍ଦ୍ଦିଷ୍ଟ ପାରିଶ୍ରମିକହୀନ କାର୍ଯ୍ୟ ନାରୀର ଜୈବିକ ପରିଚୟ ସହିତ ଅବିଚ୍ଛେଦ୍ୟ ଭାବରେ ଯୋଡ଼ି ହୋଇଯାଇ ତାକୁ ସାମାଜିକ ଶୋଷଣର ଶିକାର କରିଦେଇଛି। ପାରିଶ୍ରମିକ ପାଉଥିବା ଶ୍ରମିକମାନେ ଇତିହାସରେ ସମୟେ ସମୟେ ମାଲିକମାନଙ୍କ ବିରୋଧରେ ବିଦ୍ରୋହ କରିବା ଦେଖାଯାଇଥାଏ। କିନ୍ତୁ ଯେହେତୁ ଗୃହକର୍ମ ପାରିଶ୍ରମିକ ବହନ କରି ନ ଥାଏ, ତାହା ମୂଳରୁ ଏକ କାର୍ଯ୍ୟ ରୂପେ ହିଁ ବିବେଚିତ ହୋଇ ନ ଥାଏ ଓ ତେଣୁ ଏହି ପାରିବାରିକ ଶ୍ରମିକମାନେ କୌଣସି ମାଲିକ ବିରୁଦ୍ଧରେ ବିଦ୍ରୋହ କରିବାର ଅବକାଶ ନ ଥାଏ।
ଅପରପକ୍ଷେ ଆଧୁନିକ ନାରୀବାଦର ଅନ୍ୟତମ ଜନ୍ମଦାତ୍ରୀ ଫରାସୀ ଦାର୍ଶନିକା ସିମନ୍ ଡି ବିଭ୍ବାଙ୍କୁ ଅନୁସରଣ କରି ଫେଡେରିଚି କହିଛନ୍ତି ଯେ ନାରୀମାନଙ୍କ ମଧ୍ୟରେ ଏକ ସ୍ବାଭାବିକ ବିଶ୍ବାସ ସୃଷ୍ଟି କରି ଦିଆଯାଇଛି ଯେ ଗୃହକର୍ମ ଓ ସନ୍ତାନ ଲାଳନପାଳନ ଆଦି ହେଉଛି ନାରୀସୁଲଭ ଆଚରଣର ପ୍ରାକୃତିକ ପରିପ୍ରକାଶ। ନାରୀମାନେ ସମସ୍ତେ କେବଳ ଏହି ପାରିଶ୍ରମିକହୀନ କାର୍ଯ୍ୟରେ ଅଂଶଗ୍ରହଣ କରିବା ଆଶା କରାଯାଏ, ତାହା ନୁହେଁ, ସେମାନେ ଏହି କାର୍ଯ୍ୟକୁ ମଧ୍ୟ ଉପଭୋଗ କରିବା ଆଶା କରାଯାଇଥାଏ। ଫେଡେରିଚି ଏହି ବିଶ୍ବବ୍ୟାପୀ ଲିଙ୍ଗଗତ ଅନ୍ୟାୟର ସମାଧାନର ଯେଉଁ ସୂତ୍ର ସୁପାରିସ କରିଛନ୍ତି, ତାହା ହେଲା ଗୃହକର୍ମ ପାଇଁ ପାରିଶ୍ରମିକ ପ୍ରଦାନ। ଏ ପର୍ଯ୍ୟନ୍ତ କିନ୍ତୁ କୌଣସି ଦେଶ ବା ସମାଜରେ ଗୃହିଣୀମାନଙ୍କୁ ସେମାନଙ୍କର କାର୍ଯ୍ୟ ପାଇଁ ବିଧିବଦ୍ଧ ଚୁକ୍ତି ଅନୁସାରେ ପାରିଶ୍ରମିକ ପ୍ରଦାନ କରାଯିବା ଦେଖାଯାଇ ନାହିଁ।
ତେବେ ଅନ୍ୟ ନାରୀ ଅଧିକାର ଆନ୍ଦୋଳନକାରୀମାନେ ବିଶ୍ବାସ କରିଥାନ୍ତି ଯେ ଯେଉଁ ମହିଳାମାନେ ଘରର ଚାରିକାନ୍ଥ ଖୁଆଡ଼ ଭିତରୁ ବାହାରି ବିଧିବଦ୍ଧ ପାରିଶ୍ରମିକ ବହନକାରୀ ନିଯୁକ୍ତି ଗ୍ରହଣ କରିବେ, ସେମାନେ ଏହି ଲିଙ୍ଗଗତ ଅନ୍ୟାୟ ଓ ଦାସତ୍ବରୁ ମୁକ୍ତି ଲାଭ କରିବାରେ ସମର୍ଥ ହେବେ। ଏବଂ ଏହି ମୁକ୍ତି ଲାଭ କରିବାରେ ଯାହା ନିଶ୍ଚିତ ଭାବରେ ସହାୟକ ହେବ, ତାହା ହେଉଛି ଶିକ୍ଷା। ଏହି ଚିନ୍ତାଧାରାକୁ ଅନୁସରଣ କରି ଭାରତରେ ମଧ୍ୟ ଆମେ ଶିକ୍ଷାକୁ ନାରୀମାନଙ୍କର ସଶକ୍ତୀକରଣ ଓ ମୁକ୍ତିର ଅବ୍ୟର୍ଥ ଉପାୟ ରୂପେ ବିଶ୍ବାସ କରିଆସିଛୁ। ଏହାର ଏକ ଶକ୍ତିଶାଳୀ ତାଜା ଉଦାହରଣ ସ୍ବରୂପ ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରକାଶ କରିବା ଦେଖାଯାଇଥିଲା ଯେ ତାଙ୍କର ଜୀବନର ସଫଳ ଯାତ୍ରାରେ ଯେଉଁ ଏକ ସାହିତ୍ୟ କୃତି ତାଙ୍କୁ ଆରମ୍ଭରୁ ଗଭୀର ଭାବରେ ପ୍ରଭାବିତ କରିଥିଲା, ତାହା ହେଉଛି ବ୍ୟାସକବି ଫକୀରମୋହନଙ୍କର ନାରୀଶିକ୍ଷା ଉପରେ ଆଧାରିତ ପ୍ରସିଦ୍ଧ କ୍ଷୁଦ୍ର ଗଳ୍ପ ‘ରେବତୀ’।
ଏଥିରେ କେହି ଦ୍ବିମତ ହେବେ ନାହିଁ ଯେ ଭାରତରେ ମହାମହିମ ରାଷ୍ଟ୍ରପତିଙ୍କ ପରି ଯେଉଁ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ସଫଳତାର ଶିଖରରେ ପହଞ୍ଚି ପାରିଛନ୍ତି, ଶିକ୍ଷା ହିଁ ସେମାନଙ୍କର ସଫଳତାର ମୁଖ୍ୟ ଚାବିକାଠି ରୂପେ କାର୍ଯ୍ୟ କରିଛି- ସେ ବ୍ୟାଙ୍କର୍ ହୁଅନ୍ତୁ କି ବୈଜ୍ଞାନିକ ହୁଅନ୍ତୁ, ପାଇଲଟ୍ ହୁଅନ୍ତି କି ଉଦ୍ୟୋଗପତି ହୁଅନ୍ତୁ। କିନ୍ତୁ ନାରୀମାନଙ୍କର ଚମକପ୍ରଦ ଅଗ୍ରଗତି ପାଇଁ ଶିକ୍ଷାର ଏହି ନିର୍ଣ୍ଣାୟକ ଭୂମିକା ସତ୍ତ୍ବେ ଯାହା ତଥାପି ଆମକୁ ହତାଶ କରିଥାଏ, ତାହା ହେଲା ସିଲ୍ଭିଆ ଫେଡେରିଚି ସମାଜ ସମ୍ମୁଖରେ ଉନ୍ମୋଚିତ କରିଥିବା ଗୃହଦାସୀ ସମସ୍ୟା ସମାଧାନ କରିବାରେ ଶିକ୍ଷା ଓ ନିଯୁକ୍ତିର ବିଫଳତା।
ଭାରତରେ ଏହି ବିଫଳତାର ଯାହା ଏକ ସଦ୍ୟତମ ପ୍ରମାଣ ବହନ କରିଥାଏ, ତାହା ହେଉଛି ନିକଟରେ ପ୍ରକାଶ ପାଇଥିବା ଦ୍ବିତୀୟ ସର୍ବଭାରତୀୟ ‘ଟାଇମ୍ ଇଉଜ୍ ସର୍ଭେ’ (‘ଟିୟୁଏସ୍’) ଯେଉଁଥିରେ ୫୬ଟି ଗୋଷ୍ଠୀରେ ବିଭକ୍ତ ଉତ୍ତରଦାତାମାନେ ୧୬୫ଟି ବିଭିନ୍ନ କାର୍ଯ୍ୟରେ କେତେ ଲେଖାଏଁ ସମୟ ନିୟୋଜିତ କରୁଛନ୍ତି ସେ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଇ ଉପସ୍ଥାପିତ କରାଯାଇଛି। ୨୦୧୯ରେ ସର୍ବପ୍ରଥମ ‘ଟିୟୁଏସ୍’ କରାଯାଇଥିବାବେଳେ, ଏହି ଦ୍ବିତୀୟ ସର୍ବେକ୍ଷଣର ସମୟ କାଳ ହେଉଛି ୨୦୨୪। ଏହି ସଦ୍ୟତମ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଭାରତରେ ପୁରୁଷମାନେ ପାରିଶ୍ରମିକବିହୀନ କାର୍ଯ୍ୟରେ ଦୈନିକ ହାରାହାରି ୩୫-୪୦ ମିନିଟ ସମୟ ନିୟୋଜିତ କରୁଥିବାବେଳେ ମହିଳାମାନେ ଏଭଳି କାର୍ଯ୍ୟରେ ଦୈନିକ ହାରାହାରି ପ୍ରାୟ ୨୮୦ ମିନିଟ ସମୟ ନିୟୋଜିତ କରିଥାନ୍ତି। ଶିକ୍ଷାହୀନା ମହିଳାମାନେ ନିଯୁକ୍ତି ଓ ତତ୍ସମ୍ପର୍କିତ କାର୍ଯ୍ୟରେ ଦୈନିକ ହାରାହାରି ପ୍ରାୟ ୧୦୩ ମିନିଟ ନିୟୋଜିତ କରୁଥିବାବେଳେ ପାରିଶ୍ରମିକବିହୀନ କାର୍ଯ୍ୟରେ ହାରାହାରି ୨୮୧ ମିନିଟ ନିୟୋଜିତ କରିଥାନ୍ତି। ଅତି କମ୍ରେ ଏକ ସ୍ନାତକ ଡିଗ୍ରି ହାସଲ କରିଥିବା ମହିଳାମାନେ ନିଯୁକ୍ତି ସଂପର୍କିତ କାର୍ଯ୍ୟରେ ଦୈନିକ ହାରାହାରି ୧୦୬ ମିନିଟ ନିୟୋଜିତ କରୁଥିବାବେଳେ ପାରିଶ୍ରମିକବିହୀନ କାର୍ଯ୍ୟରେ ନିୟୋଜିତ କରିଥାନ୍ତି ୩୨୩ ମିନିଟ।
ଦେଖାଯାଇଥାଏ ଯେ ବିଭିନ୍ନ ଶିକ୍ଷା ସ୍ତରରେ ବାଳିକା ବା ମହିଳାମାନେ ଅଧିକ ଅନୁପାତରେ ଶିକ୍ଷା ଲାଭ ପାଇଁ ପ୍ରବେଶ କରୁଥିଲେ ହେଁ ଶ୍ରମ ବଜାରରେ ସେମାନଙ୍କର ଅନୁପାତ ନୀଚା ହୋଇଯାଇଥାଏ। ୨୦୨୩ରେ ଅର୍ଥନୀତିରେ ନୋବେଲ ପୁରସ୍କାର ଲାଭ କରିଥିବା ଅର୍ଥନୀତିଜ୍ଞା କ୍ଲଡିଆ ଗୋଲ୍ଡିନ୍ଙ୍କ ସମେତ ଅନ୍ୟ ଅନେକ ଅର୍ଥନୀତିଜ୍ଞମାନଙ୍କ ବିଚାରରେ ମହିଳାମାନଙ୍କୁ ବହନ କରିବାକୁ ପଡୁଥିବା ମାତ୍ରାଧିକ ପାରିଶ୍ରମିକହୀନ ଗୃହକର୍ମ ବୋଝ ଯୋଗୁଁ ସେମାନେ ବିଧିବଦ୍ଧ ନିଯୁକ୍ତି କ୍ଷେତ୍ରରେ ପ୍ରବେଶ କରିବାକୁ ସମର୍ଥ ହୋଇ ନଥାନ୍ତି। କାରଣ, ଜଣେ ପୁରୁଷ ତା’ର କାରଖାନା ବା କାର୍ଯ୍ୟାଳୟରୁ ଘରକୁ ଫେରିବା ପରେ ତା’ର ସମୟକୁ ବିଶ୍ରାମ ଓ ମନୋରଞ୍ଜନରେ ନିୟୋଜିତ କରୁଥିବାବେଳେ ଜଣେ କର୍ମଜୀବୀ ନାରୀ ପାଇଁ ସେଭଳି ବିଳାସ ଦୁର୍ଲଭ ହୋଇଥାଏ। କାରଣ, ସିଲ୍ଭିଆ ଫେଡେରିଚି ସୂଚାଇଥିବା ଭଳି ଖାଦ୍ୟ ପ୍ରସ୍ତୁତିରୁ ସନ୍ତାନ ଲାଳନପାଳନ ପର୍ଯ୍ୟନ୍ତ ଯାବତୀୟ ଗୃହକର୍ମ ନାରୀର ସ୍ବାଭାବିକ ଦାୟିତ୍ବ ରୂପେ ବିବେଚିତ ହୋଇଥାଏ- ସେ କର୍ମଜୀବୀ ହୋଇଥାଉ କି ନ ଥାଉ, ଶିକ୍ଷା ଲାଭ କରିଥାଉ କି ନ ଥାଉ। ସମାଜରେ ପୁରୁଷର ମାନସିକତା ନ ବଦଳିବା ଯାଏ ନାରୀର ଗୃହଦାସୀ ଅବସ୍ଥାରେ ପରିବର୍ତ୍ତନ ଘଟିବ ନାହିଁ।