ବିଦ୍ବାନ ଅର୍ଥନୀତିଜ୍ଞ ରୂପେ ୨୦୪୭ ମସିହା ବେଳକୁ ଭାରତକୁ ଏକ ୫୫ ଟ୍ରିଲିଅନ ଅର୍ଥନୀତି ଭାବେ ଦେଖି ପାରୁଥିବା ଦୂରଦୃଷ୍ଟିସଂପନ୍ନ(?) ସୁବ୍ରମଣ୍ୟମ ଜଣେ ନିତାନ୍ତ ଅପରିଣାମଦର୍ଶୀ ଭଳି ଏକ ସରକାରୀ ବ୍ୟାଙ୍କର ଦୋହନ କରିଛନ୍ତି। ଏହା ଏକ ଦାରୁଣ ଅସଂଗତି ନୁହେଁ କି? ଅବଶ୍ୟ, ଏହି ସ୍କାଣ୍ଡାଲ ପ୍ରକାଶ୍ୟ ହେବା ପରେ ସୁବ୍ରମଣ୍ୟମଙ୍କୁ ତାଙ୍କ ସରକାରୀ ଦାୟିତ୍ବରୁ ଅପସାରଣ କରାଯାଇଛି, କିନ୍ତୁ ବଡ଼ ପ୍ରଶ୍ନ ହେଲା ପ୍ରଧାମମନ୍ତ୍ରୀ ଓ ଗୃହମନ୍ତ୍ରୀ ସଦସ୍ୟ ଥିବା ଏକ ଅତ୍ୟନ୍ତ ଉଚ୍ଚ କ୍ଷମତାସଂପନ୍ନ କମିଟି ଦ୍ବାରା ନିଯୁକ୍ତ ଜଣେ ବ୍ୟକ୍ତି ଏଭଳି ଶୀଳହୀନ ଆଚରଣ କଲେ କିଭଳି?

Advertisment

ଗଲା ୯ ତାରିଖରେ ‘ଆଇ.ଏମ.ଏଫ. (ଅନ୍ତର୍ଜାତୀୟ ମୁଦ୍ରା କୋଷ)ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ପାକିସ୍ତାନକୁ ୧ ବିଲିଅନ ଡଲାର ପରିମାଣର ଅର୍ଥ ରାଶି ମଂଜୁର କରାଯିବା ପରିପ୍ରେକ୍ଷୀରେ ଭାରତ ପକ୍ଷରୁ ପ୍ରତିବାଦ କରାଯାଇଥିଲେ ହେଁ ଅନେକ ପର୍ଯ୍ୟବେକ୍ଷକ କହିଥାଆନ୍ତି ଯେ ‘ଆଇ.ଏମ.ଏଫ.’ରେ ଭାରତ ଦ୍ବାରା ନିଯୁକ୍ତ ‘ଏକଜିକ୍ୟୁଟିଭ ଡାଇରେକ୍ଟର’(ଇ.ଡି.) କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମଙ୍କୁ ବୈଠକର ମାତ୍ର ଦିନ କେଇଟା ପୂର୍ବରୁ ଅତର୍କିତ ଭାବେ ସ୍ବଦେଶ ଫେରାଇ ଅଣାଯାଇଥିବାରୁ ହୁଏତ ଭାରତ ସାମାନ୍ୟ ଅପ୍ରସ୍ତୁତ, ଏପରିକି ଅପ୍ରତିଭ ଦିଶିଲା ଏବଂ ପ୍ରତିବାଦର ସ୍ତର ଆଶାନୁରୂପକ ଉଚ୍ଚତା ଛୁଇଁ ପାରିଲା ନାହିଁ। କିନ୍ତୁ ଏକ ଅସ୍ବସ୍ତିକର ବାସ୍ତବତା ହେଲା ସୁବ୍ରମଣ୍ୟମଙ୍କୁ ଦାୟିତ୍ବରୁ ଅନ୍ତର କରାଯିବା ପଛରେ ଏକ ଯଥାର୍ଥ କାରଣ ମଧ୍ୟ ରହିଛି; ଯାହା ଉଭୟ କୌତୂହଳପ୍ରଦ ଓ ଦୁର୍ଭାଗ୍ୟଜନକ; ଏବଂ ଯହିଁରେ ମତିଭ୍ରଷ୍ଟକାରୀ ଉଚ୍ଚାଭିଳାଷ, ପ୍ରଭାବଶାଳୀଙ୍କ ଦ୍ବାରା ନିୟମ ଉଲ୍ଲଂଘନ ଓ ସେମାନଙ୍କ ଦୁର୍ନୀତି ସମକ୍ଷରେ ଅମେରୁଦଣ୍ଡୀ ସରକାରୀ ବ୍ୟାଙ୍କଗୁଡ଼ିକର ଆତ୍ମ-ସମର୍ପଣ ଏବଂ ସର୍ବୋପରି କୌଣସି ତ୍ରୁଟି ଲାଗି ଉତ୍ତର-ଦାୟିତ୍ବ ନିର୍ଦ୍ଧାରଣରେ ଦୁର୍ବଳକୁ ବଧଯୋଗ୍ୟ ଛେଳିରେ ପରିଣତ କରିବାର ପ୍ରବୃତ୍ତି ଇତ୍ୟାଦି ଭଳି ବିଷୟ ନିହିତ ରହି ସ୍ବତଃ ଆଲୋଚନାର ପରିସରଭୁକ୍ତ ହୋଇଥାଏ। 
ତେବେ, ପ୍ରଥମେ ଘଟଣାର ପୃଷ୍ଠଭୂମି ଉପରେ କ୍ଷିପ୍ର ଦୃଷ୍ଟିପାତ କରାଯାଉ। ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦା‌ତା ଏବଂ ପରବର୍ତ୍ତୀ କାଳରେ ‘ଆଇ.ଏମ.ଏଫ.’ର ‘ଏକଜିକ୍ୟୁଟିଭ ଡାଇରେକ୍‌ଟର’ ଭାବେ ନିଯୁକ୍ତ ପ୍ରଫେସର କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ନିଜ ବଳିଷ୍ଠ ପ୍ରଭାବର ଉପଯୋଗ କରି ସ୍ବରଚିତ ପୁସ୍ତକ ‘ଇଣ୍ଡିଆ@୧୦୦’ର କପିମାନ କ୍ରୟ କରିବା ସକାଶେ ‘ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ’ ଉପରେ ଚାପ ପକାନ୍ତି, ଯାହାର ଫଳ ସ୍ବରୂପ ‘ରୁପା ପବ୍ଲିକସେନ’ ଦ୍ବାରା ପ୍ରକାଶିତ ଏହି ପୁସ୍ତକର ୨ ଲକ୍ଷ କପି ସଂପୃକ୍ତ ବ୍ୟାଙ୍କ ପକ୍ଷରୁ କ୍ରୟ କରାଯାଏ, ଯେଉଁଥି ଲାଗି ଖର୍ଚ୍ଚ ହୁଏ ଏକ ବିଶାଳ ୭.୨୫ କୋଟି ଟଙ୍କା। ସୁବ୍ରମଣ୍ୟମଙ୍କ ଆଦେଶ ଅନୁସାରେ ୨୦୨୪ ମସିହାରେ ଜାରି ଏକ ‘ସର୍କୁଲାର’ରେ କୁହାଯାଏ ଯେ ଏହି ବ୍ୟାଙ୍କର ସମସ୍ତ ୧୮ଟି ଯାକ ଆଞ୍ଚଳିକ ଦପ୍ତର ଏହି ପୁସ୍ତକର ୧୦,୦୦୦ଟି ଲେଖାଏଁ କପି କ୍ରୟ କରି ସେ ସବୁକୁ ଜମାକାରୀ, ପୃଷ୍ଠପୋଷକ, କଲେଜ ଓ ବିଶ୍ବବିଦ୍ୟାଳୟର ଳାଇବ୍ରେରି ଏବଂ ସାଧାରଣ ପାଠାଗାରଗୁଡ଼ିକୁ ମାଗଣାରେ ବଣ୍ଟନ କରିବେ। ପ୍ରକାଶ ଥାଉ କି ସୁବ୍ରମଣ୍ୟମଙ୍କ ଦ୍ବାରା ରଚିତ ପୁସ୍ତକର ବିଷୟବସ୍ତୁ ଅର୍ଥନୀତି-କୈନ୍ଦ୍ରିକ ଏବଂ ତାହାର ନିଷ୍କର୍ଷଟି ହେଲା ଆଗାମୀ ୨୦୪୭ ମସିହା ବେଳକୁ ଭାରତ ୫୫ ଟ୍ରିଲିଅନ ଡଲାରର ଏକ ଏକ ଅତୁଲ୍ୟ ଅର୍ଥଶକ୍ତିରେ ପରିଣତ ହୋଇ ସାରିଥିବ। କହିବା ବାହୁଲ୍ୟ ଯେ ଏହି ପୁସ୍ତକ ଦ୍ବାରା ୟୁନିଅନ ବ୍ୟାଙ୍କର ‘ବ୍ରାଣ୍ଡ’ ଭାବମୂର୍ତ୍ତି ଅଧିକ ଉଜ୍ଜ୍ବଳ ହେବାର ବା ଅଧିକ ଜମାକାରୀ ଆକୃଷ୍ଟ କରିବାର ଆଦୌ କୌଣସି ସମ୍ଭାବନା ନ ଥାଏ, ଯେଉଁ ଉଦ୍ଦେଶ୍ୟରେ କଦବା କେମିତି ବ୍ୟାଙ୍କଗୁଡ଼ିକ କିଛି ଅର୍ଥ ବ୍ୟୟ କରିଥାଆନ୍ତି। ସୁତରାଂ, ଏହା ସ୍ପଷ୍ଟ ଯେ ଏହା ପଛରେ ନିହିତ ଏକମାତ୍ର ଲକ୍ଷ୍ୟ ଥିଲା ପ୍ରଚୁର ବିକ୍ରି ହେଉଥିବା ଏକ ଅନବଦ୍ୟ ପୁସ୍ତକର ରଚୟିତା ଭାବେ ସୁବ୍ରମଣ୍ୟମ ମହାଶୟଙ୍କୁ ପ୍ରତିଷ୍ଠା ପ୍ରଦାନ କରିବା। ଏହା ସୁବିଦିତ ଯେ ୧୦ ହଜାରଟି ପୁସ୍ତକ ବିକ୍ରି ହେବା ସହିତ ସାଧାରଣତଃ ଏହାର ଲେଖକଙ୍କୁ ‘ବେଷ୍ଟ ସେଲିଂ ଅଥର୍‌’ ବା ‘ଅତି ଲୋକପ୍ରିୟ ଲେଖକ’ର ମାନ୍ୟତା ମିଳିଥାଏ। ଏହା ମଧ୍ୟ ସ୍ବାଭାବିକ ଯେ ପ୍ରଚୁର ବିକ୍ରି ହେଉଥିବା ପୁସ୍ତକଗୁଡ଼ିକ ବିମୋହିତ କଲା ଭଳି ସୁଖ ପାଠ୍ୟ ବୋଲି ଏକ ଧାରଣା ସୃଷ୍ଟି ହୋଇଥାଏ, ଯାହା ପ୍ରାୟତଃ ସାବ୍ୟସ୍ତ ମଧ୍ୟ ହୋଇଥାଏ। ସେହି ଦୃଷ୍ଟିରୁ ସୁବ୍ରମଣ୍ୟମଙ୍କ କ୍ଷେତ୍ରରେ ଅଲକ୍ଷଣଟି ହେଉଛି ବହୁଳ ଭାବେ ବିକ୍ରି ହୋଇଥିବା ପୁସ୍ତକ ରୂପେ ପ୍ରଦର୍ଶିତ କିନ୍ତୁ ବଣ୍ଟନ ମାଧ୍ୟମରେ ପ୍ରସାରିତ ‘ଇଣ୍ଡିଆ@୧୦୦’ ପ୍ରକାରାନ୍ତରେ ହେଉଛି ଏଭଳି ଏକ ବିଶାଳ ‘ବେଷ୍ଟ ସେଲର୍‌’ ଯାହାର ପାଠକଙ୍କ ସଂଖ୍ୟା ହୁଏତ ହାତରେ ଗଣି ହେଲା ଭଳି ଅତ୍ୟନ୍ତ ମୁଷ୍ଟିମେୟ! ଉଚ୍ଚାଭିଳାଷର ଆବର୍ତ୍ତ ମଧ୍ୟରେ କିଭଳି ବିଚକ୍ଷଣ, ବୁଦ୍ଧିମାନ ଓ ବିଦ୍ବାନମାନେ ମଧ୍ୟ ଶୋଷି ହୋଇ ଯାଇ ନିଜତ୍ବ ହରାନ୍ତି, ସୁବ୍ରମଣ୍ୟମଙ୍କ ଘଟଣା ହେଉଛି ତା’ର ଏକ ପ୍ରକୃଷ୍ଟ ଦୃଷ୍ଟାନ୍ତ।
ଉଲ୍ଲେଖଯୋଗ୍ୟ ଯେ ଗଣମାଧ୍ୟମରେ ପ୍ରକାଶ୍ୟ ହୋଇଥିବା ଏହି ଘଟଣାଟି ସେ ସମୟରେ ସଂଘଟିତ ପହଲଗାମ ଆତଙ୍କବାଦ ଆକ୍ରମଣ ସମ୍ବନ୍ଧୀୟ ସମ୍ବାଦର ଘନଘଟା ମଧ୍ୟରେ ପ୍ରାୟ ସମାଧି ଲାଭ କରି ଲୋକକ୍ଷେତ୍ରରେ ଚର୍ଚ୍ଚିତ ହୋଇ ନ ଥିଲା ସିନା; କେତେକ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସମ୍ଭବ କରିଥିଲା, ଯହିଁରେ ବ୍ୟାଙ୍କର ଜେନେରାଲ ମ୍ୟାନେଜର ନିଲମ୍ବିତ ହୋଇଛନ୍ତି। କିନ୍ତୁ, ପ୍ରଶ୍ନ ଉଠିଥାଏ ଯେ ଏତେ ବିଶାଳ ପରିମାଣର ଅର୍ଥ ବ୍ୟୟ ୟୁନିଅନ ବ୍ୟାଙ୍କର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକଙ୍କ ଅଗୋଚରରେ ତଥା ଅନୁମୋଦନ ବିନା ହୋଇଥିବା କ’ଣ ସମ୍ଭବ? ତେବେ, ଏହି ପରିପ୍ରେକ୍ଷୀରେ ଅଧ୍ୟକ୍ଷ ଶ୍ରୀନିବାସନ ବର୍ଦ୍ଧରାଜନ ଏକ ଭାବଗମ୍ଭୀର ନିରବତା ଅବଲମ୍ବନ କରିଥିଲେ ହେଁ ପରିଚଳାନା ନିର୍ଦ୍ଦେଶକ ଏ. ମଣିମେଖଳାଙ୍କ ଦ୍ବାରା ପ୍ରଦତ୍ତ ସଫେଇ ଅର୍ବାଚୀନସୁଲଭ ଅପରିପକ୍ବ; କାରଣ ସେ କହିଛନ୍ତି ଯେ ପୁସ୍ତକଟି କ୍ରୟ କରିବା ଲାଗି ସେ କହିଥିଲେ ହେଁ ତହିଁରେ ଯେମିତି ବ୍ୟାଙ୍କର ନିୟମ ଭଙ୍ଗ ନ ହୁଏ ତା’ ଉପରେ ମଧ୍ୟ ସେ ଗୁରୁତ୍ବ ଆରୋପ କରିଥିଲେ। କିନ୍ତୁ, କହିବା ବାହୁଲ୍ୟ ଯେ ବ୍ୟାଙ୍କର ନିୟମ ଭଙ୍ଗ ନ କରି ଏଭଳି କାର୍ଯ୍ୟ ସଂପାଦନ କରିବା ଆଦୌ ସମ୍ଭବ ହୁଅନ୍ତା ନାହିଁ। ଏଭଳି ଏକ ଅବାନ୍ତର ମନ୍ତବ୍ୟ ସତ୍ତ୍ବେ ଯେଉଁ ଜଣେ ମାତ୍ର ବ୍ୟକ୍ତି କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ସେ ହେଉଛନ୍ତି ୟୁନିଅନ ବ୍ୟାଙ୍କର ଜେନେରାଲ ମ୍ୟାନେଜର। ସୁତରାଂ, ଦୁର୍ବଳକୁ ଚିହ୍ନଟ କରି ତା’ ଉପରେ ଦୋଷ ଲଦି ଦେବାର ସେହି ବିକୃତିର ସେ ଶରବ୍ୟ ହୋଇଛନ୍ତି, ଯାହା ଆମ ସରକାରୀ ବ୍ୟବସ୍ଥାରେ ଅଗତ୍ୟା ଅଭ୍ୟାସଗତ ହୋଇସାରିଲାଣି। 
କହିବା ଅନାବଶ୍ୟକ ଯେ ସରକାରୀ ବ୍ୟାଙ୍କଗୁଡ଼ିକୁ କ୍ଷମତା କେନ୍ଦ୍ରର ନିକଟବର୍ତ୍ତୀ ପ୍ରଭାବଶାଳୀମାନେ କିଭଳି ‘ପା’ପୋଛ’ ଭଳି ବ୍ୟବହାର କରନ୍ତି, ଏହା ତା’ର ଆଉ ଏକ ପ୍ରକୃଷ୍ଟ ଉଦାହରଣ। ବ୍ୟାଙ୍କ ପକ୍ଷରୁ ଜମାକାରୀଙ୍କ ଅର୍ଥର ଏଭଳି ଦୁରୁପଯୋଗ ଅକ୍ଷମଣୀୟ। ତେବେ, ଏହି ସଂଦର୍ଭରେ ଯାହା ସର୍ବାଧିକ ବିଚଳିତକର, ତାହା ହେଲା ବିଦ୍ବାନ ଅର୍ଥନୀତିଜ୍ଞ ରୂପେ ୨୦୪୭ ମସିହା ବେଳକୁ ଭାରତକୁ ଏକ ୫୫ ଟ୍ରିଲିଅନ ଅର୍ଥନୀତି ଭାବେ ଦେଖି ପାରୁଥିବା ଦୂରଦୃଷ୍ଟିସଂପନ୍ନ(?) ସୁବ୍ରମଣ୍ୟମ ଜଣେ ନିତାନ୍ତ ଅପରିଣାମଦର୍ଶୀ ଭଳି ଏକ ସରକାରୀ ବ୍ୟାଙ୍କର ଦୋହନ କରିଛନ୍ତି। ଏହା ଏକ ଦାରୁଣ ଅସଂଗତି ନୁହେଁ କି? ଅବଶ୍ୟ, ଏହି ସ୍କାଣ୍ଡାଲ ପ୍ରକାଶ୍ୟ ହେବା ପରେ ସୁବ୍ରମଣ୍ୟମଙ୍କୁ ତାଙ୍କ ସରକାରୀ ଦାୟିତ୍ବରୁ ଅପସାରଣ କରାଯାଇଛି, କିନ୍ତୁ ବଡ଼ ପ୍ରଶ୍ନ ହେଲା ପ୍ରଧାମମନ୍ତ୍ରୀ ଓ ଗୃହମନ୍ତ୍ରୀ ସଦସ୍ୟ ଥିବା ଏକ ଅତ୍ୟନ୍ତ ଉଚ୍ଚ କ୍ଷମତାସଂପନ୍ନ କମିଟି ଦ୍ବାରା ନିଯୁକ୍ତ ଜଣେ ବ୍ୟକ୍ତି ଏଭଳି ଶୀଳହୀନ ଆଚରଣ କଲେ କିଭଳି? ସୁତରାଂ, ଏଭଳି ନିଯୁକ୍ତି ବେଳେ ପ୍ରାର୍ଥୀଙ୍କ ଚାରିତ୍ରିକ ଐକାନ୍ତିକତା ଉପରେ ମଧ୍ୟ ସତର୍କ ଦୃଷ୍ଟି ରହିବା ଏକାନ୍ତ ଆବଶ୍ୟକ। 
ଏବେ ଆସିବା ଜଣେ ଲେଖକର ଅତୀବ ଅନ୍ତରଙ୍ଗ ସ୍ବପ୍ନ ସଂଦର୍ଭକୁ, ଯାହା ନିଃସନ୍ଦେହରେ ହୋଇଥାଏ ପାଠକୀୟ ସ୍ବୀକୃତି। ସେହି ପରିପ୍ରେକ୍ଷୀରେ ପାଠକର ଅବଜ୍ଞା କିଭଳି ଲେଖକକୁ ଅଭିମାନ ଜର୍ଜର କରିପାରେ, ତାହା ପଣ୍ଡିତ ଗୁଣାଢ଼୍ୟଙ୍କୁ କେନ୍ଦ୍ର କରି ଥିବା ପ୍ରାଚୀନ କିଂବଦନ୍ତିରୁ ସ୍ପଷ୍ଟ। କଥିତ ଅଛି ତାଙ୍କ ଦ୍ବାରା ରଚିତ କଳ୍ପ ସମ୍ଭାର ‘ବୃହତ୍‌ କଥା’କୁ ସେ ରାଜା ସାତବାହନଙ୍କୁ ପଢ଼ି ଶୁଣାଇବା ବେଳେ ରାଜା ଆନମନା ହେଉଥିବା ଲକ୍ଷ୍ୟ କରି ନିରବରେ ସେଠାରୁ ନିଷ୍କ୍ରାନ୍ତ ହୋଇଯାଇ ପହଞ୍ଚି ଥିଲେ ବିନ୍ଧ୍ୟ ପର୍ବତରେ। ସେଠାରେ ସେହି ଗଳ୍ପଗୁଡ଼ିକୁ ନିଜ ଶିଷ୍ୟମାନଙ୍କୁ ଶୁଣାଇବା ସହିତ ଗୋଟି ଗୋଟି କରି ଅଗ୍ନି ଗର୍ଭରେ ନିକ୍ଷେପ କରିବାରେ ଲାଗିଥିଲେ। ଏହି ସମ୍ବାଦ ପାଇ ବ୍ୟତିବ୍ୟସ୍ତ ରାଜା ସେଠାରେ ପହଞ୍ଚିବା ବେଳକୁ ‘ବୃହତ୍‌ କଥା’ର କେବଳ ଅନ୍ତିମ ଭାଗଟି ଅବଶିଷ୍ଟ ଥିଲା। ଅବଶ୍ୟ, ପରବର୍ତ୍ତୀ କାଳରେ ଶିଷ୍ୟମାନଙ୍କ ସ୍ମୃତିରୁ କିଛି ଗଳ୍ପ ଆହରଣ କରି ସୋମଦେବ ଏକ ସଂକଳନ ପ୍ରସ୍ତୁତ କରିଥିଲେ, ଯାହା ‘କଥା ସରିତ ସାଗର’ ଭାବେ ଖ୍ୟାତ। କହିବାର ତାତ୍ପର୍ଯ୍ୟ ହେଲା ଜଣେ ପ୍ରକୃତ ଲେଖକ ଠାରେ ଥିବା ଏଭଳି ଅଭିମାନର ଲେଶ ମାତ୍ର ସୁବ୍ରମଣ୍ୟମଙ୍କ ନିକଟରେ ନ ଥାଏ, କାରଣ ତାଙ୍କ ସକାଶେ ପାଠକୀୟ ସ୍ବୀକୃତି ହିଁ ଗୁରୁତ୍ବହୀନ; ଅଥଚ ଜଣେ ଲେଖକ ଭାବେ ପରିଚିତ ହେବାର ଉଚ୍ଚାଭିଳାଷ ଦ୍ବାରା ସେ ମୋହଗ୍ରସ୍ତ। ତେଣୁ ତାଙ୍କ ପୁସ୍ତକର ଗୁଣବତ୍ତା ଯାହା ହୋଇଥାଉ ନା କାହିଁକି ସୁବ୍ରମଣ୍ୟମ ଜଣେ ଅପଲେଖକର ଅପଖ୍ୟାତି ନେଇ କାଳାତିପାତ କରିବାକୁ ବାଧ୍ୟ ହେବେ!