ଗୌରଚନ୍ଦ୍ର ତ୍ରିପାଠୀ
କୁରୁସଭା ଆଜି ଅଲଜ୍ଜା ଓ ବିବସତାର ରଙ୍ଗମଞ୍ଚ। ଧର୍ମରାଜ ଯୁଧିଷ୍ଠିର ପଶା ଖେଳରେ ପତ୍ନୀଙ୍କୁ ବାଜିଲଗାଇ ହାରିଯିବା ପରେ, ଦୁଃଶାସନ ଦ୍ରୌପଦୀଙ୍କ କେଶ ଧରି ରାଜସଭାକୁ ଟାଣି ଆଣିଛନ୍ତି। ଦୁର୍ଯ୍ୟୋଧନ ଆଦେଶ ଦେଇଛନ୍ତି, ପାଞ୍ଚାଳୀଙ୍କୁ ବିବସ୍ତ୍ର କରିବାକୁ! ଲଜ୍ଜା ବାରଣ ପାଇଁ ଦ୍ରୌପଦୀ ଅଶ୍ରୁଳ ନୟନରେ ଅନାଇଛନ୍ତି ପିତାମହ ଭୀଷ୍ମ, ଗୁରୁ ଦ୍ରୋଣ, ଶଲ୍ୟ, କୃପାଚାର୍ଯ୍ୟଙ୍କ ପରି କୁଳବୃଦ୍ଧଙ୍କୁ। କ୍ରୋଧ, ଲଜ୍ଜା, ଘୃଣା ଓ ଯନ୍ତ୍ରଣାର ଜ୍ୱାଳାରେ ପ୍ରପୀଡ଼ିତ ଦ୍ରୌପଦୀ ଆକୁଳ ବିନତି କରୁଛନ୍ତି, “ହେ ବୀରପୁଙ୍ଗବ, ହେ କୁରୁଶ୍ରେଷ୍ଠ, ମୁଁ ଏହି କୁଳର ପୁତ୍ରବଧୂ। କେହି ତ ଆସନ୍ତୁ; ମୋର ସମ୍ମାନ ରକ୍ଷା କରନ୍ତୁ।’’ କୁରୁସଭା ନିରବି ଯାଇଛି। ଧୃତରାଷ୍ଟ୍ର, ପଞ୍ଚୁପାଣ୍ଡବଙ୍କ ସମେତ ଉପସ୍ଥିତ ସମସ୍ତେ ଅନ୍ଧ, ମୂକ ଓ ବଧିର ପାଲଟି ଯାଇଛନ୍ତି। ରାଜଧର୍ମ, ରାଜନୀତି ଓ କ୍ଷମତାର ବୋଝ ତଳେ ଚାପି ଯାଇଛି ନାରୀର କରୁଣ ଚିତ୍କାର, ଭୁଲୁଣ୍ଠିତ ହୋଇଛି ମର୍ଯ୍ୟାଦା।
ବୀରଭୂମି ଓଡ଼ିଶାର ଆଜି ସେଇ ଦୁର୍ଦ୍ଦଶା। ମେଦିନୀପୁର ଜିଲ୍ଲାର ଦିଘା ଠାରେ ମନ୍ଦିର ନିର୍ମାଣ କରାଇ, ପଶ୍ଚିମବଙ୍ଗ ସରକାର ଏହାକୁ ‘ଜଗନ୍ନାଥ ଧାମ’ ଭାବେ ନାମିତ କରିବା ସମଗ୍ର ଓଡ଼ିଆ ଜାତିର ପ୍ରାଣରେ ଗଭୀର କୁଠାରାଘାତ କରିଛି। କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ୨୧ଟି ଗ୍ରାମ, ଗଞ୍ଜାମ ଜିଲ୍ଲାର ମଦନପୁର, ନଳବଣ୍ଟା ଓ ଗଜପତି ଜିଲ୍ଲାର ବେଙ୍କଟପୁର ଗ୍ରାମ ଉପରେ ଆନ୍ଧ୍ରପ୍ରଦେଶର ଲୋଲୁପ ଦୃଷ୍ଟି ପଡ଼ିଛି। ଏତଦ୍ବ୍ୟତୀତ ଗଜପତି ଜିଲ୍ଲାର କୁଲାଡ଼ି ଓ ସିଲେରିସିଙ୍ଗ ଗ୍ରାମକୁ ଆନ୍ଧ୍ରପ୍ରଦେଶ ନିଜ ରେକର୍ଡଭୁକ୍ତ କରିସାରିଛି ଏବଂ ଗଙ୍ଗାବାଦ ପଞ୍ଚାୟତର ଛଅଟି ଗ୍ରାମରେ ଲୋକଙ୍କୁ ରାସନ କାର୍ଡ ବଣ୍ଟନ କରିଛି। କୋଟିଆ ବ୍ଲକର ତଳଗଞ୍ଜେଇପଦର, ଫାଟୁସିନେରି ଓ ଫଗୁଣସିନେରି ଗ୍ରାମରେ ଏବଂ ଗଞ୍ଜାମ ଜିଲ୍ଲାର ପାତ୍ରପୁର ଅଞ୍ଚଳର କିଛି ସୀମାନ୍ତ ଗ୍ରାମରେ ପଞ୍ଚାୟତ ନିର୍ବାଚନ ମଧ୍ୟ କରାଇଛି। ତଞ୍ଚକତା କରି ପୂର୍ବରୁ ବାରମୁଠା ଅଞ୍ଚଳକୁ ଆନ୍ଧ୍ର କରାୟତ କରିସାରିଛି। କିଛିମାସ ପୂର୍ବରୁ ଓଡ଼ିଶା ସୀମା ଭିତରେ ପ୍ରାୟ ୪୦ ଫୁଟ ଭିତରକୁ ଉଦୟପୁର ବେଳାଭୂମିରେ ପଶ୍ଚିମବଙ୍ଗ ପ୍ରଶାସନ ଅନଧିକୃତ ସୀମା କାନ୍ଥ ନିର୍ମାଣର ଚେଷ୍ଟା କରିଥିଲା। ପୂର୍ବରୁ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଓ ଜଳେଶ୍ୱର ବ୍ଲକର ୮୧ଟି ସୀମାନ୍ତ ଗ୍ରାମବାସୀଙ୍କୁ ପଶ୍ଚିମବଙ୍ଗ ପ୍ରଶାସନ ବିଭିନ୍ନ ବିକାଶମୂଳକ ସରକାରୀ ଯୋଜନାର ସୁବିଧା ଯୋଗାଇ ଦେଇଆସୁଛି। କେନ୍ଦୁଝର ଜିଲ୍ଲାର ଲିମିଟୁର, ପୁରୁଷୋତ୍ତମପୁର, କଂକଡ଼ାପଟ, ଜଗନ୍ନାଥପୁର ଓ ଚାମ୍ପୁର ଗ୍ରାମକୁ ଅକ୍ତିଆର କରିବାକୁ ଝାଡ଼ଖଣ୍ଡ ଚେଷ୍ଟାରତ। ଓଡ଼ିଶା ସହ ଏକତ୍ରିତ କରାଯାଇଥିବା ଷଢ଼େଇକଳା-ଖରସୁଆଁ ଅଞ୍ଚଳର ଶାସନ ଭାର, ଏକ ରାଜନୈତକ ଘଟଣାକ୍ରମେ, ୧୯୪୮ ମସିହାରେ କେନ୍ଦ୍ର ସରକାର ଅସ୍ଥାୟୀ ଭାବରେ ବିହାରକୁ ହସ୍ତାନ୍ତର କରିଥିଲେ। ଅତି ଦୁଃଖର କଥା, ପରବର୍ତ୍ତୀ ସମୟରେ ଏହି ଅଞ୍ଚଳକୁ ଆମ ରାଜ୍ୟକୁ ଫେରାଇ ଆଣିବାର ଚେଷ୍ଟା କରାଯାଇନାହିଁ। ନବରଙ୍ଗପୁର ଓ ଝାରସୁଗୁଡ଼ା ଜିଲ୍ଲାର କିଛି ଗ୍ରାମ ସହ ନୂଆପଡ଼ା ଜିଲ୍ଲାର ନୁଆମାଲପଡ଼ା ଓ ବୁର୍ଜାବାହାଲ ଗ୍ରାମ ମଧ୍ୟ ଛତିଶଗଡ଼ ସହ ବିବାଦର ଅନ୍ତର୍ଗତ। ଛତିଶଗଡ଼ ସରକାର ମାଲକାନଗିରି ଜିଲ୍ଲାର ମାଟାପକା ପଞ୍ଚାୟତରେ ପକ୍କା ସଡ଼କ ନିର୍ମାଣ କରିବା ଏବଂ ଦାନ୍ତେୱାଡ଼ା ଜିଲ୍ଲା ଗ୍ରାମବାସୀ ଆମ ମାତିଲି ବ୍ଲକର ସୀମାନ୍ତ ଅଞ୍ଚଳରୁ ଗଛ କାଟିନେବା ଓଡ଼ିଶାର ଦୁର୍ବଳତାର ପରିପ୍ରକାଶ। ପଡ଼ୋଶୀ ରାଜ୍ୟ ପ୍ରଶାସନ ବିବାଦିତ ଗ୍ରାମଗୁଡ଼ିକରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରି ସ୍ଥାନୀୟ ଲୋକଙ୍କ ସମର୍ଥନ ଜିତିବା ସହ ଏହିସବୁ ଅଞ୍ଚଳ ଉପରେ ନିଜର ଦାବିକୁ ଶକ୍ତିଶାଳୀ କରିବାକୁ ଚେଷ୍ଟା ଚଲାଇଛନ୍ତି। ନିକଟରେ ଗଞ୍ଜଇପଦର, ପାନିକା, କୁରୁକୁଟ୍ଟି, ପାଗୁଲୁ ଚେନ୍ନୁରୁ ଓ ପଟ୍ଟୁଚେନ୍ନୁର ଗ୍ରାମବାସୀ ଆନ୍ଧ୍ରପ୍ରଦେଶର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ରହିବା ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି। ପଡ଼ୋଶୀ ରାଜ୍ୟଗୁଡ଼ିକ ଏହିସବୁ ଅଞ୍ଚଳରେ ତାଙ୍କ ମାଲିକାନା ଜାହିର କରିବାପାଇଁ ଯେଉଁସବୁ ସୁବିଧା ପ୍ରଦାନ କରୁଛନ୍ତି ତୁଳନାତ୍ମକ ଭାବେ ଓଡ଼ିଶା ସରକାରଙ୍କ ଯୋଜନାସବୁ ଅପର୍ଯ୍ୟାପ୍ତ ମନେ ହେଉଛି।
ଓଡ଼ିଶାର ଜଳସମ୍ପଦ ଉପରେ ପଡ଼ୋଶୀଙ୍କ ଆଧିପତ୍ୟ ମଧ୍ୟ ଗମ୍ଭୀର ଚିନ୍ତାର ବିଷୟ। ଛତିଶଗଡ଼ ମହାନଦୀ ଓ ଏହାର ଉପନଦୀମାନଙ୍କ ଉପରେ ଅନେକ ବ୍ୟାରେଜ ଅବୈଧ ଭାବେ ନିର୍ମାଣ କରିଛି। ଆନ୍ଧ୍ରପ୍ରଦେଶର କଟ୍ରାଗୋଡ଼ରେ ନିର୍ମିତ ସାଇଡ୍ ଭିଅର୍, ବଂଶଧାରା ନଦୀ ପ୍ରକଳ୍ପ, ବିଶେଷ କରି ନେରାଡି ବ୍ୟାରେଜ୍, ଝଞ୍ଜାବତୀ ନଦୀ ପ୍ରକଳ୍ପ, ବାହୁଦା ନଦୀ ବ୍ୟାରେଜ୍, ଗୋଟ୍ଟା ବ୍ୟାରେଜ୍, ପ୍ରସ୍ତାବିତ ନେରାଡି ବ୍ୟାରେଜ୍ ଓ ଗୋଦାବରୀ ନଦୀ ଉପରେ ପୋଲାଭରମ ପ୍ରକଳ୍ପ ଯୋଗୁଁ କୋରାପୁଟ, ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାର ଆଦିବାସୀ ଗ୍ରାମଗୁଡ଼ିକ ଜଳମଗ୍ନ ହେବାସହ ଚାଷଜମି ହରାଇବାର ଚିନ୍ତା ଉଦ୍ରେକ କରାଇଛି।
ଦୂରଦୃଷ୍ଟି ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବବୋଧ ଯୋଗୁଁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମୟରେ ଅନେକ ଓଡିଆଭାଷୀ ଅଞ୍ଚଳ, ଆମ ହାତମୁଠାରୁ ଚାଲିଯାଇଛି। ମନେ ପଡୁଛି, ବିଗତ ଦିନରେ କୋରାପୁଟ ଅଂଚଳର ସର୍ବଦଳୀୟ ଜନପ୍ରତିନିଧିଙ୍କ କୋଟିଆ ଗସ୍ତର ମହାନାଟକ। ‘ବିନା ଯୁଦ୍ଧେ ନଛାଡ଼ିବୁ ସୂଚ୍ୟଗ୍ରେ ମେଦିନୀ’ର ରଣହୁଙ୍କାର ଦିଆଗଲା; କାର୍ଗିଲ ବିଜୟର ଗର୍ବିତ ଭଙ୍ଗୀରେ ଫୋଟ ସେସନ ହେଲା। ଖବରକାଗଜ ପୃଷ୍ଠାରେ, ଟିଭି ପରଦାରେ ବହୁଳ ପ୍ରଚାରପ୍ରସାର ହେଲା। ‘ଆନ୍ଧ୍ର ଗୋ ବ୍ୟାକ’ର ଗୁରୁଗର୍ଜନ ଶୁଣି ଲାଗିଲା, କୋଟିଆ ମାଟି କୁରୁକ୍ଷେତ୍ର ହେବ। କିନ୍ତୁ, କୋଟିଆ ମାଟିରୁ ‘ପ୍ରଥମେ ମାଟି, ତା’ପରେ ପାର୍ଟି’ ଗର୍ଜନର ମହାନାୟକମାନଙ୍କ ପାଟିରେ ପରିବର୍ତ୍ତିତ ପରିସ୍ଥିତିରେ ପାଳବିଣ୍ଡା। ଯୁଦ୍ଧ ଆରମ୍ଭ ପୂର୍ବରୁ ହିଁ ଶେଷ ହୋଇଗଲା। କେହି ଜଣେ ଠିକ୍ ଲେଖିଥିଲେ, ‘ଆମେରେ ବୀର ଓଡ଼ିଆ ଜାତି/ବିଲୁଆ ଦେଖିଲେ ଡରି ମରୁଥାଉ/ଠେଙ୍ଗା ଧରିବାକୁ ନାହିଁ ଶକତି।’ କୁରୁ ରାଜସଭାରେ, ଦ୍ରୌପଦୀଙ୍କ ବସ୍ତ୍ରହରଣ ସମୟରେ ପଞ୍ଚପତି ନିଷ୍କ୍ରିୟ ରହିବା ପରି ଓଡ଼ିଶାର ମାଟି, ପାଣି, ପବନ, ଜମି, ଜଙ୍ଗଲ ଲୁଣ୍ଠନ ସମୟରେ ଆମେ ସମ୍ପୂର୍ଣ୍ଣ ଭାବରେ ନିରବଦ୍ରଷ୍ଟା, ନିଶ୍ଚଳ, କୁମ୍ଭକର୍ଣ୍ଣପରି ନିଦ୍ରିତ। ଓଡ଼ିଆ ଜାତି ସତରେ କ’ଣ ଦୁର୍ବଳ, ଆମ ରକ୍ତ କ’ଣ ଏତେ ଶିଥିଳ? ଏବେ ଡବଲ ଇଞ୍ଜିନ ସରକାର, ଦିଲ୍ଲୀ ଦରବାରରେ ମାଳମାଳ ଓଡ଼ିଆ। ଏହା ହିଁ ପ୍ରକୃଷ୍ଟ ସମୟ ଆମର ସମ୍ମାନ ଓ ସ୍ବାଭିମାନକୁ ଫେରିପାଇବାର। ସମୟ ଆହ୍ବାନର, ‘ଉଠ କଙ୍କାଳ, ଛିଡୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି/ଉଠୁ ଗତ ଗୌରବ, ମୃତ ଗୌରବ, ହୃତ ଗୌରବ ରାଜି।’ ‘ଓଡ଼ିଆ ଅସ୍ମିତା’ ରାଜନୈତିକ ନାରାବାଜିର ବନ୍ଧନମୁକ୍ତ ହୋଇ ବ୍ୟାପକ ଜନଜାଗରଣର ବାର୍ତ୍ତାବହ ହେଉ; ଜାତୀୟ ଚେତନା ଉଜ୍ଜୀବିତ କରୁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୪୨୫୨୭