କୃଷି ବିଜ୍ଞାନୀଙ୍କ ମତରେ ଶୀତଳ ଭଣ୍ଡାରର ଅନୁପଲବ୍‌ଧତା ହେତୁ ଆମ୍ବ ନଷ୍ଟ ହୋଇଯାଇ ରପ୍ତାନି ଲାଗି ଆବଶ୍ୟକ ଯୋଗାଣ ଶୃଙ୍ଖଳ ସୁବ୍ୟବସ୍ଥିତ ହୋଇ ପାରୁନାହିଁ। ସେମାନଙ୍କ ମତରେ ଭିତ୍ତିଭୂମିଗତ ବିକାଶ ଘଟିଲେ ଭାରତ ପୃଥିବୀର ସର୍ବାଧିକ ଆମ୍ବ ରପ୍ତାନିକାରୀ ରାଷ୍ଟ୍ରରେ ପରିଣତ ହେବା ସମ୍ଭବ। ଏବଂ ସେଭଳି ହେଲେ ଭାରତ ସକାଶେ ଆମ୍ବ ଏକ ‘କୋମଳ ମହାଶକ୍ତି’ ରୂପେ ଆବିର୍ଭୂତ ହେବ।

Advertisment

‘ଅପରେସନ ସିନ୍ଦୂର’ କ୍ରମରେ ସଂଘଟିତ ଚାରି ଦିନର ସଂଘର୍ଷ ଓ ଏକ ଅପ୍ରତ୍ୟାଶିତ ଯୁଦ୍ଧ ବିରତି ପରିପ୍ରକ୍ଷୀରେ ଅସୀମ ମୁନୀର, ଶେହବାଜ ସରିଫ, ରିସେଟ ଏର୍ଡୋଗାନ, ପାଶ୍ଚାତ୍ୟ ଗଣମାଧ୍ୟମ, ଏପରିକି ସ୍ବୟଂ ଡୋନାଲ୍‌ଡ ଟ୍ରଂପ ଆମ ଦେଶରେ ଗଭୀର ବିଶ୍ବାସ ସଂକଟର ସମ୍ମୁଖୀନ ହୋଇଥିବା ବେଳେ ଏକ ନୂତନ ଘଟଣା ଟ୍ରଂପଙ୍କୁ ଭାରତୀୟ ଜନମାନସରେ ଅଧିକ ସନ୍ଦେହାସ୍ପଦ କରିଦେଇଛି। ସେହି ଘଟଣାଟି ହେଲା ଆମେରିକାକୁ ରପ୍ତାନି ହୋଇଥିବା ପ୍ରାୟ ଅର୍ଧ ନିୟୁତ ଡଲାର ବା ୪ କୋଟି ୨୦ ଲକ୍ଷ ଟଙ୍କା ମୂଲ୍ୟର ଭାରତୀୟ ଆମ୍ବକୁ ସେଠାକାର କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରବେଶାଧିକାର ପ୍ରତ୍ୟାଖ୍ୟାନ। ପ୍ରକାଶ ଥାଉ କି ୧୫ଟି ଜାହାଜ ବୋଝେଇ ଆମ୍ବକୁ ଲସ ଏଂଜେଲେସ, ସାନ ଫ୍ରାନସିସ୍‌କୋ ଓ ଆଟଲାଣ୍ଟାରେ ପୂରାଇ ଦିଆଯାଇ ନ ଥିଲା, ଯେଉଁଥି ଲାଗି ବିଷଣ୍ଣଚିତ୍ତ ରପ୍ତାନିକାରୀ ଅନ୍ୟୋନପାୟ ହୋଇ ସମସ୍ତ ଆମ୍ବକୁ ସେଠାରେ ଫୋପାଡ଼ି ଦେବାକୁ ବାଧ୍ୟ ହୋଇଛନ୍ତି; କାରଣ ଆମ୍ବ ଏକ ଦ୍ରୁତ ପଚନଶୀଳ କୃଷିଜ ହୋଇଥିବାରୁ ସେ ସବୁର ସ୍ବଦେଶ ପ୍ରତ୍ୟା‌ବର୍ତ୍ତନ ଅହେତୁକ ବ୍ୟୟସାପେକ୍ଷ ଓ ନିରର୍ଥକ ହୁଅନ୍ତା! ତେବେ, ଏ ସଂଦର୍ଭରେ ଅତ୍ୟନ୍ତ ହତାଶାଜନକ ବିଷୟଟି ହେଲା ଗୁଣବତ୍ତା ସଂଦର୍ଭରେ ଆମେରିକା ଦ୍ବାରା ନିର୍ଦ୍ଧାରିତ ଅତ୍ୟୁଚ୍ଚ ମାନକ ପୂରଣ କରିବାରେ ଭାରତୀୟ ଆମ୍ବଗୁଡ଼ିକ ସଂପୂର୍ଣ୍ଣ ସମର୍ଥ ଥିଲେ ହେଁ ରପ୍ତାନି ଲାଗି ଉଦ୍ଦିଷ୍ଟ ଦସ୍ତାବିଜ ପ୍ରସ୍ତୁତି କାଳରେ ହୋଇଥିବା ତ୍ରୁଟି ଯୋଗୁଁ ଏଭଳି ଘଟିଛି। କହିବା ବାହୁଲ୍ୟ ଯେ ଏଭଳି ଏକ ବିଡ଼ମ୍ବିତ ପରିସ୍ଥିତି ଏଠାରେ ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।
ଏହି ଘଟଣା ସଂଦର୍ଭରେ ଅସଂଖ୍ୟ ଭାରତୀୟଙ୍କ ଧାରଣା ଯେ ଏକ ମହାଶକ୍ତି ରୂପେ ଶିରୋତ୍ତୋଳନ କରିବାକୁ ବସିଥିବା ଭାରତର ଅବଦମନ ସକାଶେ ଉଦ୍‌ଗ୍ରୀବ ଟଂପ ଅଧୀନସ୍ଥ ଆମେରିକାର ଏହା ଏକ ହୀନ ଆଚରଣ। ନିକଟରେ ଆପ୍‌ଲ କଂପାନିକୁ ଟଂପଙ୍କ ପ୍ରଦତ୍ତ ଏକ ପରାମର୍ଶର ଦୃଷ୍ଟାନ୍ତ ଦେଇ ସେମାନେ ଏହି ଧାରଣାକୁ ସାବ୍ୟସ୍ତ କରନ୍ତି, ଯହିଁରେ ଭାରତରେ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପରିବର୍ତ୍ତେ ଆମେରିକାରେ ଉଦ୍ୟୋଗ ସ୍ଥାପନ କରିବାକୁ ସେ ସେହି କଂପାନିକୁ କହିଛନ୍ତି, ଯାହା ଭାରତ ସକାଶେ ଅରୁଚିକର ହେବା ସୁନିଶ୍ଚିତ। ସେମାନେ କହିଥାଆନ୍ତି ଯେ ଭାରତୀୟ ଆମ୍ବକୁ ସେଠାରେ ସ୍ବୀକାର କରା ନ ଯିବା ପଛରେ ଦସ୍ତାବିଜଗତ ତ୍ରୁଟି ତୁଳନାରେ ଟ୍ରଂପଙ୍କ ଅସୂୟାର ଭୂମିକା ହୁଏତ ଅଧିକ! କିନ୍ତୁ, ଏହି ବାସ୍ତବତାକୁ ଭୁଲିଯିବା ଉଚିତ ନୁହେଁ ଯେ ଆମେରିକା ପ୍ରବେଶ ସକାଶେ ପହଞ୍ଚୁଥିବା ଦ୍ରବ୍ୟମାନ ଅତ୍ୟନ୍ତ ଜଟିଳ ଓ କଠୋର ଅନୁମୋଦନ ପ୍ରକ୍ରିୟ ମଧ୍ୟ ଦେଇ ଗତି କରନ୍ତି, ଯାହାକୁ ଆଧାର କରି ଏକ ତ୍ରୁଟିଶୂନ୍ୟ ପ୍ରମାଣିକ ଦସ୍ତାବେଜ ପ୍ରସ୍ତୁତ କରିବା ମଧ୍ୟ ଅତ୍ୟନ୍ତ ଆହ୍ବାନଭରା ହୋଇଥାଏ। କୌଣସି କୃଷିଜ ଆମଦାନି କରାଯିବା ପୂର୍ବରୁ ତାହା ସଂପୂର୍ଣ୍ଣ ତଟକା, ସମସ୍ତ ପ୍ରକାର କୃତ୍ରିମ ରାସାୟନିକ ଦ୍ରବ୍ୟ, ଜୀବାଣୁ ଓ ବିଜାଣୁ ଆଦିରୁ ମୁକ୍ତ ହେବା ଯଥେଷ୍ଟ ହୋଇ ନ ଥାଏ, ବରଂ ଅତ୍ୟନ୍ତ ଦୂରମାଗୀ ଆମେରିକୀୟ ଦୃଷ୍ଟି ଏହା ମଧ୍ୟ ନିଧାର୍ଯ୍ୟ କରିଥାଏ ଯେମିତିି ଏହାର ଉତ୍ପାଦନ ପ୍ରକ୍ରିୟାରେ ପରିବେଶ ନିୟମ ବା ମାନବିକ ଅଧିକାର ଆଦିର ଉଲ୍ଲଂଘନ ହୋଇ ନ ଥିବ! ଏଭଳି ସ୍ଥଳେ ଯେ ଛିଦ୍ରହୀନ ଦସ୍ତାବେଜ ନିତାନ୍ତ ଆବଶ୍ୟକ ହେଉଥିବ, ତାହା କହିବା ଅନାବଶ୍ୟକ। ଶଂସିତ ଘଟଣାରେ ଆମ୍ବଗୁଡ଼ିକ କଠିନ ପରୀକ୍ଷାରେ ଅବତୀର୍ଣ୍ଣ ହୋଇ ରପ୍ତାନି ଯୋଗ୍ୟତା ହାସଲ କରିଥିଲେ ହେଁ ତାକୁ ସାବ୍ୟସ୍ତ କରିବା ଲାଗି ଆବଶ୍ୟକ ‘ପି.ପି.କ୍ୟୁ. ୨୦୩ ଫର୍ମ’ ପୂରଣ ବେଳେ ହୋଇଥିବା ତ୍ରୁଟି ହେତୁ ଅଗତ୍ୟା ଶାପଗ୍ରସ୍ତ ହୋଇ ଯାଇଥିଲେ! ତେବେ, ଏଭଳି ମାମଲାରେ ଯୁକ୍ତରାଷ୍ଟ୍ର ଆମେରିକା ଯେ ସଂପୂର୍ଣ୍ଣ ନିର୍ଦୟ ହୋଇଥାଏ, ତାହା ମଧ୍ୟ ସୁବିଦିତ! ଯଦିଓ ଅନେକ ବିଶେଷଜ୍ଞଙ୍କ ମତରେ ‘ସତ’ ବାବଦରେ ସୁନିଶ୍ଚିତ ଥିବା ସତ୍ତ୍ବେ ପ୍ରମାଣିକତା ଲାଗି ଟିକିନିଖି ଦସ୍ତାବେଜ ଉପରେ ନିର୍ଭର କରୁଥିବା କଠୋର ପେସାଦାରି କାରଣରୁ ନିର୍ଦ୍ଦୋଷ ଆମ୍ବ ଚାଷୀ ଓ ବ୍ୟବସାୟୀ ବିପୁଳ କ୍ଷତି ସହିବା ନ୍ୟାୟୋଚିତ ହୋଇ ନ ଥାଏ, ତେବେ ଏହି ପ୍ରକରଣରୁ ବଡ଼ ଶିକ୍ଷାଟି ହେଲା ଏକ ମହାଶକ୍ତି ରୂପେ ଶିରୋତ୍ତୋଳନ କରିବାକୁ ବସିଥିବା ଏକ ରାଷ୍ଟ୍ର ସକାଶେ ତ୍ରୁଟିଶୂନ୍ୟ ଦସ୍ତାବେଜ ପ୍ରସ୍ତୁତ କରି ନ ପାରିବା ମଧ୍ୟ ଭାବମୂର୍ତ୍ତି ବିଘଟନକାରୀ ହୋଇଥାଏ, ଯାହା ମଧ୍ୟ ବରଦାସ୍ତଯୋଗ୍ୟ ନୁହେଁ। 
ଉଦ୍ଭିଦ ବିଜ୍ଞାନରେ ଆମ୍ବର ନାମ ‘ମାଙ୍ଗିଫେରା ଇଣ୍ଡିକା’, ଯହିଁରୁ ଆମ୍ବ ପ୍ରସଙ୍ଗରେ ଭାରତୀୟ ପ୍ରାଧାନ୍ୟର ଇଙ୍ଗିତ ମିଳିଥାଏ। ପ୍ରକାଶ ଥାଉ କି ଭାରତ ହେଉଛି ପୃଥିବୀର ସର୍ବାଧିକ ଆମ୍ବ ଉତ୍ପାନକାରୀ ରାଷ୍ଟ୍ର, ଯେଉଁଠି ପୃଥିବୀର ସମସ୍ତ ଆମ୍ବର ୪୦ରୁ ୫୦ ପ୍ରତିଶତ ଉତ୍ପାଦିତ ହୋଇଥାଏ ଏବଂ ଏଠାରେ ଫଳୁଥିବା ପ୍ରାୟ ୧୫୦୦ କିସମର ଆମ୍ବ ଭାରତକୁ ଏକ ଅପୂର୍ବ ସ୍ବାତନ୍ତ୍ରୢ ପ୍ରଦାନ କରିଥାଏ। କିନ୍ତୁ, ବିଡ଼ମ୍ବନା ହେଲା ଉତ୍ପାଦନର ମାତ୍ର ୦.୧୫% କେବଳ ବିଦେଶକୁ ରପ୍ତାନି ହୋଇଥାଏ ଏବଂ ଭାରତର ଏକ-ଦଶମାଂଶ ଆମ୍ବ ଉତ୍ପାଦନ କରୁଥିବା ମେକ୍‌ସିକୋ ଭଳି ଦେଶ ଭାରତ ତୁଳନାରେ ଆଠ ଗୁଣ ଅଧିକ ଆମ୍ବ ରପ୍ତାନି କରିଥାଏ, ଯାହାର ମୂଲ୍ୟ ୪୫୦ ନିୟୁତ ଡଲାର। ଏହା ସତ୍ତ୍ବେ ଯୁକ୍ତରାଷ୍ଟ୍ର ଆମେରିକାର ବଜାରରେ ବର୍ତ୍ତମାନ ଭାରତୀୟ ଆମ୍ବର ଆଦର ଶୀର୍ଷରେ। ଏହାର ଧାରଣା ମିଳିଥାଏ ‘ଇଣ୍ଡିଆନ ଏକ୍ସପ୍ରେସ’ରେ ପ୍ରକାଶିତ ଏକ ରିପୋର୍ଟରେ, ଯାହା ଅନୁସାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତରୁ ଆମେରିକାକୁ ରପ୍ତାନି ହୋଇଥିବା ଆମ୍ବର ପରିମାଣ ମାତ୍ର ୧୬.୫୧ ଟନ ଥିବାବେଳେ ତା’ ପର ବର୍ଷ ଅର୍ଥାତ୍‌ ୨୦୨୨-୨୩ରେ ତାହା ପହଞ୍ଚି ଥିଲା ୮୧୩.୫ ଟନରେ। ସେମିତି ପି.ଆଇ.ବି.ର ଏକ ସୂଚନା ଅନୁସାରେ ୨୦୨୩-୨୪ ମସିହାର ପ୍ରଥମ ପାଞ୍ଚ ମାସ ମଧ୍ୟରେ ଆମେରିକାକୁ ଭାରତୀୟ ଆମ୍ବ ରପ୍ତାନି ପରିମାଣ ୨୦୦୦ ମେଟ୍ରିକ ଟନକୁ ଅତିକ୍ରମ କରି ସାରିଥିଲା। ତେବେ, କୃଷି ବିଜ୍ଞାନୀଙ୍କ ମତରେ ଶୀତଳ ଭଣ୍ଡାରର ଅନୁପଲବ୍‌ଧତା ହେତୁ ଆମ୍ବ ନଷ୍ଟ ହୋଇଯାଇ ରପ୍ତାନି ଲାଗି ଆବଶ୍ୟକ ଯୋଗାଣ ଶୃଙ୍ଖଳ ସୁବ୍ୟବସ୍ଥିତ ହୋଇ ପାରୁନାହିଁ। ସେମାନଙ୍କ ମତରେ ଭିତ୍ତିଭୂମିଗତ ବିକାଶ ଘଟିଲେ ଭାରତ ପୃଥିବୀର ସର୍ବାଧିକ ଆମ୍ବ ରପ୍ତାନିକାରୀ ରାଷ୍ଟ୍ରରେ ପରିଣତ ହେବା ସମ୍ଭବ। ଏବଂ ସେଭଳି ହେଲେ ଭାରତ ସକାଶେ ଆମ୍ବ ଏକ ‘କୋମଳ ମହାଶକ୍ତି’ ରୂପେ ଆବିର୍ଭୂତ ହେବ।
ଅନବଦ୍ୟ ସ୍ବାଦ ଓ ସୁବାସଯୁକ୍ତ ଏହି ରସାଳ ଫଳଟି କିଭଳି ହୃଦୟ-ଜିଣା ଭାବ-ରସ ଉତ୍ପନ୍ନ କରିପାରେ, ତା’ର ଅନେକ ଦୃଷ୍ଟାନ୍ତ ବିଦ୍ୟମାନ। ୧୯୯୮ ମସିହାରେ ଭାରତରୁ ରପ୍ତାନି ହେଉଥିବା କେତେକ ହତଭାଗ୍ୟ ଆମ୍ବରେ ‘ଫ୍ରୁଟ ଫ୍ଲାଏ’ ବା ‘ଫଳ ମକ୍ଷିକା’ ଥିଲେ ବୋଲି ଆମେରିକା ପକ୍ଷରୁ ଭାରତରୁ ଆମ୍ବ ଆମଦାନିକୁ ନିଷେଧ କରି ଦିଆଯାଇଥିଲା। ଏହାର ୧୮ ବର୍ଷ ପରେ ଅର୍ଥାତ୍‌ ୨୦୦୬ ମସିହାରେ ଭାରତ ପଦାର୍ପଣ କରିଥିବା ଆମେରିକୀୟ ରାଷ୍ଟ୍ରପତି ଜର୍ଜ ବୁଶଙ୍କୁ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଦ୍ବାରା ପରଷା ଯାଇଥିବା ଆମ୍ବର ସ୍ବାଦ ଏଭଳି ବିମୋହିତ କରିଥିଲା ଯେ ସେ ସେହି ନିଷେଧାଦେଶକୁ ଉଠାଇ ଦେଇଥିଲେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ରାଜନୈତିକ ବିଦ୍ବେଷ ତୀବ୍ରତାର ଶିଖର ସ୍ପର୍ଶ କରୁଥିଲେ ହେଁ ପ୍ରତି ବର୍ଷ ମମତା ବାନାର୍ଜୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯାଉଥିବା ଆମ୍ବର ଉପହାର ଏକ ପ୍ରୀତିପ୍ରଦ କ୍ଷଣ ସୃଷ୍ଟି କରିଥାଏ, ଯହିଁରେ ଅନ୍ତର୍ଭୁକ୍ତ ଥାଆନ୍ତି ହେମସାଗର, ଲକ୍ଷ୍ମଣଭୋଗ ଓ ଫଜଲି ଭଳି ଅତ୍ୟନ୍ତ ସ୍ବାଦିଷ୍ଠ ଆମ୍ବମାନ। ଆମ୍ବର ସ୍ବାଦର ସମ୍ମୋହନ କିଭଳି ବିଭାଜନ ଓ ବିଦ୍ବେଷ ଅତିକ୍ରମୀ ହୋଇଥାଏ, ଏହା ତା’ର ଏକ ଉଦାହରଣ ମାତ୍ର। ସେଥି ଲାଗି ପରିହାସ ଛଳରେ କେହି କେହି କହୁଥିବାର ଶୁଣାଯାଉଛି ଯେ ପ୍ରତ୍ୟାଖ୍ୟାତ ହୋଇଥିବା ଭାରତୀୟ ଆମ୍ବରୁ ଯଦି ଗୋଟିଏ ଆମ୍ବ ଦୈବାତ୍‌ ଆମେରିକୀୟ ଅଧିକାରୀମାନେ ଚାଖି ଥାଆନ୍ତେ, ତେବେ ହୁଏତ ଭାବ ରସରେ ଆପ୍ଳୁତ ହୋଇ ସେମାନେ ଅନ୍ୟ ପ୍ରକାର ନିଷ୍ପତ୍ତି ନେଇଥାଆନ୍ତେ! କିନ୍ତୁ, ସେମାନଙ୍କୁ ସତର୍କ କରାଇ ଆଉ ଥୋକେ କହନ୍ତି ଯେ ଶୁଷ୍କ ପେସାଦାରିରେ ମରୁମୟ ସେମାନଙ୍କ ହୃଦୟରେ କେଉଁ ଆମ୍ବ ଅବା ନିର୍ଝର ସୃଷ୍ଟି କରନ୍ତା! ତେଣୁ ସର୍ବାଧିକ ଶ୍ରେୟସ୍କର ହେଉଛି ପୃଥିବୀର ଶ୍ରେଷ୍ଠତମ ଆମ୍ବର ରସ ଆସ୍ବାଦନ କରିବାକୁ ଆମେରିକୀୟମ‌ାନଙ୍କୁ ସୁଯୋଗ ଦେବା ଲାଗି ନିଖୁଣ କାଗଜପତ୍ର ପସ୍ତୁତି ପ୍ରତି ଅଧିକ ଧ୍ୟାନ ଦେବା!