ଧାରା-୨୧ ନାଗରିକକୁ ସମ୍ମାନର ସହିତ ବଞ୍ଚିବାକୁ ଯେଉଁ ମୌଳିକ ଅଧିକାର ପ୍ରଦାନ କରିଛି, ପାରିବାରିକ ହିଂସା ଯେ ତା’ ଉପରେ କୁଠାରାଘାତ କରିଥାଏ, ଏହା ସୂଚାଇବା ଅନାବଶ୍ୟକ। ଅତଏବ ଏହି ଉଭୟ ଧାରାକୁ ଅନୁସରଣ କରି ମହିଳାମାନଙ୍କର ମୌଳିକ ସାଂବିଧାନିକ ଅଧିକାର ନିଶ୍ଚିତ କରିବା ପାଇଁ ସରକାରମାନେ ତୁରନ୍ତ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଉଚିତ, ଯେମିତି ପ୍ରୋଟେକ୍ସନ୍ ଅଫିସର ଭୟରେ ଭାରତୀୟ ପତିମାନେ ଆଉ ବାଘ ନଖ, ଦାନ୍ତ ସନ୍ଧାନରେ ବାହାରିବେ ନାହିଁ। ବହୁସଂଖ୍ୟକ ବିବାହିତା ମହିଳା ବାଘ ଭୟରୁ ‘ମୁକ୍ତ’ ହେବେ।
ଏକ ସଦ୍ୟ ପ୍ରକାଶିତ ସମ୍ବାଦ ଅନୁସାରେ ମଧ୍ୟପ୍ରଦେଶର ପେଞ୍ଚ୍ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ପ୍ରାକୃତିକ କାରଣରୁ ମୃତ୍ୟୁବରଣ କରିଥିବା ଏକ ମହାବଳ ବାଘୁଣୀର ମୃତ ଶରୀରରୁ ତା’ର ନଖ, ଦାନ୍ତ ସବୁକୁ କେହି କାଢ଼ି ନେଇଥିବା ଦେଖାଯାଇଥିଲା। େଯତେବେଳେ ଏହି କାଣ୍ଡ ଘଟାଇଥିବା ଅପରାଧୀମାନେ ଧରା ପଡ଼ିଲେ, ସେମାନେ ସେମାନଙ୍କର ଏହି କାର୍ଯ୍ୟ ପଛରେ ଯେଉଁ ଉଦ୍ଦେଶ୍ୟ ନିହିତ ଥିବା ପ୍ରକାଶ କରିଛନ୍ତି, ତାହା ଯେତିକି ବିସ୍ମୟକର, ସେତିକି ମଧ୍ୟ ବିସ୍ମୟକର ନୁହେଁ। ସେମାନଙ୍କର ସ୍ବୀକାରୋକ୍ତି ଅନୁସାରେ ନିଜ ନିଜର ପତ୍ନୀମାନଙ୍କୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ସେମାନେ କରୁଥିବା ଗୁଣିଗାରେଡ଼ିରେ ବ୍ୟବହୃତ ହେବା ପାଇଁ ଗୁଣିଆର ଆଦେଶରେ ସେମାନେ ବାଘର ନଖ, ଦାନ୍ତ, ଚର୍ମ ଆଦି ସଂଗ୍ରହ କରିଥିଲେ। ସିଧାସଳଖ କହିଲେ ଘର ଭିତରେ ଚାଲିଥିବା ଲଢ଼େଇରେ ଶତ୍ରୁକୁ ଦମନ କରିବାରେ ସହାୟକ ହେବା ପାଇଁ ସେମାନେ ଏହି ତଥାକଥିତ ଆୟୁଧସବୁ ଯୋଗାଡ଼ କରିଥିଲେ।
ଦୁଇଟି କାରଣରୁ ଏହା ହେଉଛି ବିସ୍ମୟଜନକ। ଗୋଟିଏ ହେଲା ଏହି ପାରିବାରିକ ଲିଙ୍ଗ-ଯୁଦ୍ଧରେ ଶାରୀରିକ ଭାବରେ ଦୁର୍ବଳ ପତ୍ନୀ ସର୍ବଦା ଅଧିକ ଦୈହିକ ଶକ୍ତିର ଅଧିକାରୀ ପତି ଦ୍ବାରା ନିର୍ଯାତିତ ହୋଇ ଆସୁଥିବାବେଳେ ନିଜର ଆହୁରି ଶକ୍ତି ବୃଦ୍ଧି କରିବା ପାଇଁ ଏହି ପତି ନାମକ ପୁରୁଷମାନେ ବାଘର ନଖ, ଦାନ୍ତ ଭଳି ଦୁର୍ଲଭ ଦ୍ରବ୍ୟ ସନ୍ଧାନରେ ବାହାରି ପଡ଼ିବାର ଆବଶ୍ୟକତା କ’ଣ? ଅନ୍ୟଟି ହେଲା, ଦେଶରେ ନାରୀମାନେ ସମ୍ମୁଖୀନ ହେଉଥିବା ପାରିବାରିକ ହିଂସାରୁ ସେମାନଙ୍କୁ ସୁରକ୍ଷା ପ୍ରଦାନ ନିମିତ୍ତ ଦୀର୍ଘ ଦୁଇ ଦଶନ୍ଧି ପୂର୍ବରୁ ଆଇନ ପ୍ରଣୟନ ହୋଇସାରିଥିଲେ ହେଁ ପୁରୁଷମାନେ ତଥାପି ସେମାନଙ୍କ ପତ୍ନୀମାନଙ୍କୁ ଦମନ କରିବା ପାଇଁ ଉପାୟ ସନ୍ଧାନରେ କିପରି ଲାଗି ପଡ଼ିଛନ୍ତି?
ଏହା ବିସ୍ମୟଜନକ ନ ହେବାର କାରଣ ହେଉଛି ସରଳ। ତାହା ହେଉଛି ପାରିବାରିକ ହିଂସା ସମ୍ବନ୍ଧରେ ଉପଲବ୍ଧ ବାସ୍ତବ ଚିତ୍ର, ଯାହା ଦର୍ଶାଇଥାଏ ଯେ ଏବେ ବି ପାରିବାରିକ ହିଂସାର ବ୍ୟାପକ ଉପସ୍ଥିତି ଆମ ଦେଶରେ ହଜାର ହଜାର ବିବାହିତା ନାରୀମାନଙ୍କ ପାଇଁ ସେମାନଙ୍କର ବୈବାହିକ ଗୃହକୁ ଏକ ବିପଜ୍ଜନକ ଶତ୍ରୁ ଶିବିରରେ ପରିଣତ କରିଥାଏ। ଏହାର ପ୍ରମାଣ ସ୍ବରୂପ ୨୦୦୫ରେ ‘ପ୍ରୋଟେକ୍ସନ୍ ଅଫ୍ ୱିମେନ୍ ଫ୍ରମ୍ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ’ ପ୍ରଣୀତ ହୋଇ ସେବେଠାରୁ ବଳବତ୍ତର ହୋଇ ସାରିଥିଲେ ହେଁ ୨୦୧୯-୨୧ ମଧ୍ୟରେ କରାଯାଇଥିବା ‘ନେସନାଲ୍ ଫାମିଲି ହେଲ୍ଥ ସର୍ଭେ-୫’ରୁ ଉପଲବ୍ଧ ତଥ୍ୟ ଅନୁସାରେ ଭାରତରେ ୧୮-୪୯ ବର୍ଷ ବୟସସୀମା ମଧ୍ୟରେ ଥିବା ମହିଳାମାନଙ୍କ ମଧ୍ୟରୁ ପ୍ରାୟ ଏକ-ତୃତୀୟାଂଶ ମହିଳା ସେମାନଙ୍କ ସ୍ବାମୀମାନଙ୍କ ତରଫରୁ ଶାରୀରିକ, ଯୌନ କିମ୍ବା ମାନସିକ ହିଂସାର ଶିକାର ହୋଇଥାନ୍ତି। ଉଲ୍ଲେଖ ଆବଶ୍ୟକ ଯେ ନିଜର ଅବସ୍ଥା ସମ୍ବନ୍ଧରେ ପ୍ରକାଶ କରିବାକୁ ରାଜି ହୋଇଥିବା ମହିଳାମାନଙ୍କ ଦ୍ବାରା ପ୍ରଦତ୍ତ ଉତ୍ତର ଭିତ୍ତିରେ ଏହି ପରିସଂଖ୍ୟାନ ଉପଲବ୍ଧ ହୋଇଛି। ଏଥିରେ ସନ୍ଦେହ ନାହିଁ େଯ ଆହୁରି ବହୁ ସଂଖ୍ୟକ ଏପରି ମହିଳା ଥିବେ, ଯେଉଁମାନେ ନିଜର ଦୁର୍ଦ୍ଦଶା ସମ୍ବନ୍ଧରେ ମୁହଁ ଖୋଲିବାକୁ କୁଣ୍ଠିତ ହୋଇଥିବେ। ପାରିବାରିକ ହିଂସାର ଉପସ୍ଥିତି ସମ୍ବନ୍ଧରେ ଅନ୍ୟ ଏକ ସୂଚକ ସ୍ବରୂପ ଜାତୀୟ ମହିଳା କମିସନ ପ୍ରକାଶ କରିଛନ୍ତି ଯେ ଗତ ବର୍ଷ କମିସନଙ୍କ ପାଖରେ ମହିଳାମାନଙ୍କ ପକ୍ଷରୁ ଯେତିକି ସଂଖ୍ୟକ (ପ୍ରାୟ ୨୫,୭୦୦) ଅଭିଯୋଗ ଦାଖଲ ହୋଇଥିଲା, ତାହାର ପ୍ରାୟ ଏକ-ଚତୁର୍ଥାଂଶ ଥିଲା ପାରିବାରିକ ହିଂସା ସଂପର୍କିତ।
ଏହି ପରିପ୍ରେକ୍ଷୀରେ ତେଣୁ ଗତ ସପ୍ତାହରେ ସୁପ୍ରିମ୍ କୋର୍ଟ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଦେଇଥିବା ଏକ ନିର୍ଦ୍ଦେଶ ଯେ କେବଳ ଅତ୍ୟନ୍ତ ସମୟୋପଯୋଗୀ, ତାହା ନୁହେଁ, ବରଂ ଏକ ବହୁ ବିଳମ୍ବିତ ପଦକ୍ଷେପ ବୋଲି କହିଲେ ଭୁଲ୍ ହେବ ନାହିଁ। ଉପରୋକ୍ତ ପାରିବାରିକ ହିଂସା ନିବାରଣକାରୀ ଆଇନ ଫଳପ୍ରଦ ଭାବରେ କାର୍ଯ୍ୟ କରୁନାହିଁ ବୋଲି ହୃଦୟଙ୍ଗମ କରି ସର୍ବୋଚ୍ଚ ଅଦାଲତ ଆସନ୍ତା ଛ’ମାସ ମଧ୍ୟରେ ପ୍ରତ୍ୟେକ ଜିଲ୍ଲା ଓ ତାଲୁକା ସ୍ତରରେ ମହିଳା ଓ ଶିଶୁବିକାଶ ବିଭାଗ କିମ୍ବା ସମାଜ ମଙ୍ଗଳ ବିଭାଗର ଜଣେ ଜଣେ ଅଧିକାରୀଙ୍କୁ ‘ପ୍ରୋଟେକ୍ସନ୍ ଅଫିସର’ (‘ସୁରକ୍ଷା ଅଧିକାରୀ’) ରୂପେ ନିଯୁକ୍ତ କରାଯିବା ଲାଗି ସ୍ପଷ୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏହି ଆଇନ ଯେପରି ଅଧିକ ଫଳପ୍ରଦ ଭାବରେ କାର୍ଯ୍ୟ କରେ ତାହା ନିଶ୍ଚିତ କରିବା ହେବ ଏହି ପ୍ରୋଟେକ୍ସନ୍ ଅଫିସରମାନଙ୍କର ଦାୟିତ୍ବ।
ନ୍ୟାୟ ଓ ସୁରକ୍ଷା ସନ୍ଧାନରେ ଆସୁଥିବା ପାରିବାରିକ ହିଂସା ପୀଡ଼ିତାମାନଙ୍କ ପାଇଁ ଏହି ପ୍ରୋଟେକ୍ସନ୍ ଅଫିସରମାନେ ହେବେ ସର୍ବପ୍ରଥମ ସଂପର୍କ ସ୍ଥାପନକାରୀ ସରକାରୀ ଅଧିକାରୀ। ଅଭିଯୋଗର ଚରିତ୍ର ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ, ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ଏବଂ ସଂପୃକ୍ତ ଅଭିଯୋଗକାରିଣୀଙ୍କ ନିରାପତ୍ତା ଓ ମଙ୍ଗଳ ଉପରେ ନଜର ରଖିବା ପାଇଁ ପ୍ରୋଟେକ୍ସନ୍ ଅଫିସରମାନେ ସତତ ସଯତ୍ନ ଉଦ୍ୟମ କରିବେ।
ସୁପ୍ରିମ୍ କୋର୍ଟ ଏପରି ଏକ ନିର୍ଦ୍ଦେଶ ଦେବାର ତାତ୍କାଳିକ କାରଣ ହେଉଛି ‘ୱି ଦି ୱିମେନ୍’ ନାମକ ଏକ ଏନ୍ଜିଓ କରିଥିବା ଏକ ଆବେଦନ। ଏଥିରେ ଅଭିଯୋଗ କରାଯାଇଥିଲା ଯେ ଅଧିକାଂଶ ରାଜ୍ୟରେ ଯେଉଁ ଅଧିକାରୀମାନଙ୍କୁ ପାରିବାରିକ ହିଂସା ଆଇନ ସଂପର୍କିତ ଦାୟିତ୍ବ ପ୍ରଦାନ କରାଯାଇଛି, ସେମାନେ ଏଥିସହିତ ଅନ୍ୟାନ୍ୟ ଅନେକ ଦାୟିତ୍ବ ମଧ୍ୟ ନିର୍ବାହ କରୁଥିବାରୁ ଏଥିପ୍ରତି ଯଥେଷ୍ଟ ଧ୍ୟାନ ଓ ସମୟ ଦେଇପାରୁ ନାହାନ୍ତି। ଏହି ସମସ୍ୟାର ସନ୍ତୋଷଜନକ ସମାଧାନ ନିମିତ୍ତ ଦୀର୍ଘକାଳୀନ ସୂତ୍ରରେ ଏଥିପାଇଁ ଏକ ସ୍ବତନ୍ତ୍ର ଅଫିସର କ୍ୟାଡର୍ ସୃଷ୍ଟି କରାଯିବାର ଆବଶ୍ୟକତା ଥିବା ଉଲ୍ଲେଖ କରିବା ସହିତ ମାନ୍ୟବର ଅଦାଲତ ବର୍ତ୍ତମାନର ଆବଶ୍ୟକତା ପୂରଣ ନିମିତ୍ତ କର୍ତ୍ତବ୍ୟରତ ଅଫିସରମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରୋଟେକ୍ସନ୍ ଅଫିସର ରୂପେ ଚିହ୍ନିତ କରି ସେମାନଙ୍କ ଉପରେ ଆଇନକୁ ଫଳପ୍ରଦ ଭାବରେ କାର୍ଯ୍ୟକାରୀ କରିବା ଦାୟିତ୍ବ ନ୍ୟସ୍ତ କରାଯିବା ନିମିତ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଏଥିସହିତ ସୁପ୍ରିମ୍ କୋର୍ଟ ଉକ୍ତ ଆଇନ ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ହେବାରେ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଓ ‘ନେସନାଲ୍ ଲିଗାଲ୍ ସର୍ଭିସ୍ ଅଥରିଟି’ (‘ନାଲ୍ସା’)ଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପାରିବାରିକ ହିଂସାର ସମ୍ମୁଖୀନ ହେଉଥିବା ମହିଳାଙ୍କ ପାଇଁ ମାଗଣା ଆଇନଗତ ସହାୟତା ଓ ପରାମର୍ଶ ଉପଲବ୍ଧ ଥିବା ସମ୍ବନ୍ଧରେ ଜିଲ୍ଲା ଓ ତାଲୁକା ସ୍ତରରେ ବ୍ୟାପକ ଭାବରେ ପ୍ରଚାର କରିବା ପାଇଁ ସେଠାକାର ଆଇନ ସେବା ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କ ସହିତ ସହଯୋଗ ସ୍ଥାପନ କରିବା ଲାଗି ମାନ୍ୟବର ଅଦଲାତ ‘ନାଲ୍ସା’ର ସଦସ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅାଜିକାଲି କଥା କଥାକେ ରାଜନେତାମାନେ ସଂବିଧାନର ଦ୍ବାହି ଦେବା ଦେଖାଯାଉଥିବାବେଳେ ଏଠାରେ ଉଲ୍ଲେଖ କରିବା ସମୀଚୀନ ହେବ ଯେ ଭାରତୀୟ ସଂବିଧାନର ଧାରା-୧୫(୩) ମହିଳା ଓ ଶିଶୁମାନଙ୍କ ସ୍ବାର୍ଥରକ୍ଷା ପାଇଁ ରାଷ୍ଟ୍ରକୁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଲାଗି କ୍ଷମତା ପ୍ରଦାନ କରିଛି। ଧାରା-୨୧ ନାଗରିକକୁ ସମ୍ମାନର ସହିତ ବଞ୍ଚିବାକୁ ଯେଉଁ ମୌଳିକ ଅଧିକାର ପ୍ରଦାନ କରିଛି, ପାରିବାରିକ ହିଂସା ଯେ ତା’ ଉପରେ କୁଠାରାଘାତ କରିଥାଏ, ଏହା ସୂଚାଇବା ଅନାବଶ୍ୟକ। ଅତଏବ ଏହି ଉଭୟ ଧାରାକୁ ଅନୁସରଣ କରି ମହିଳାମାନଙ୍କର ମୌଳିକ ସାଂବିଧାନିକ ଅଧିକାର ନିଶ୍ଚିତ କରିବା ପାଇଁ ସରକାରମାନେ ତୁରନ୍ତ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଉଚିତ, ଯେମିତି ପ୍ରୋଟେକ୍ସନ୍ ଅଫିସର ଭୟରେ ଭାରତୀୟ ପତିମାନେ ଆଉ ବାଘ ନଖ, ଦାନ୍ତ ସନ୍ଧାନରେ ବାହାରିବେ ନାହିଁ। ବହୁସଂଖ୍ୟକ ବିବାହିତା ମହିଳା ବାଘ ଭୟରୁ ‘ମୁକ୍ତ’ ହେବେ।