ଯେଉଁ ଆନ୍ତର୍ଜାତିକ ସମୁଦାୟ ଏ ପର୍ଯ୍ୟନ୍ତ ଭାରତ ଅବଲମ୍ବନ କରିଆସିଥିବା ନିଷ୍କ୍ରିୟତା ଯୋଗୁଁ ପାକିସ୍ତାନ ଏଠାରେ ନିୟମିତ ଭାବରେ ଚଳାଇଥିବା ଇସଲାମୀୟ ଆତଙ୍କବାଦୀ ଆକ୍ରମଣମାନଙ୍କୁ ଗୁରୁତ୍ବ ପ୍ରଦାନ କରୁ ନ ଥିଲେ, ଏଣିକି ସେମାନଙ୍କୁ ସ୍ବୀକାର କରିବାକୁ ହେବ ଯେ ପାକିସ୍ତାନ-ସୃଷ୍ଟ ଆତଙ୍କବାଦ ହିଁ ହେଉଛି ଏ ଅଞ୍ଚଳରେ ଅସ୍ଥିରତା ସୃଷ୍ଟିର ମୂଳ କାରଣ, ଯାହାକୁ ନିୟନ୍ତ୍ରଣ କରା ନ ଗଲେ ତାହା ସାରା ପୃଥିବୀକୁ ଏକ ଆଣବିକ ପ୍ରଳୟ ମଧ୍ୟକୁ ଠେଲି ଦେଇପାରେ।
ଆମେରିକାର ସୁବିଧାବାଦୀ ପ୍ରଗଳ୍ଭ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେ ହସ୍ତକ୍ଷେପ କରି ଭାରତୀୟ ଉପମହାଦେଶକୁ ଏକ ଆଣବିକ ପ୍ରଳୟରୁ ରକ୍ଷା କଲେ ବୋଲି ଯେତେ ବାହାସ୍ଫୋଟ ମାରନ୍ତୁ ନା କାହିଁକି, ପହଲଗାମ ଇସଲାମୀୟ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ଚଳାଇଥିବା ‘ଅପରେସନ ସିନ୍ଦୂର’ ସାମରିକ ଅଭିଯାନ ଉପମହାଦେଶରେ ଏ ପର୍ଯ୍ୟନ୍ତ ଅନୁସୃତ ହୋଇ ଆସୁଥିବା ସାମରିକ କୌଶଳ ହିସାବପତ୍ରକୁ ସଂପୂର୍ଣ୍ଣ ଓଲଟପାଲଟ କରିଦେଇଛି। ପାକିସ୍ତାନ ୧୯୯୮ରେ ପରମାଣୁ ଅସ୍ତ୍ରର ଅଧିକାରୀ ହେବା ଦିନଠାରୁ ଏହାକୁ ଏକ ଧମକ ଭାବରେ ବ୍ୟବହାର କରି ନିରାପଦରେ ଭାରତରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ଚଳାଇ ଆସିଥିଲା। ଯେହେତୁ ଏଭଳି ଆକ୍ରମଣରେ ପାକିସ୍ତାନର ସେନାବାହିନୀ ସିଧାସଳଖ ଅଂଶଗ୍ରହଣ କରି ନ ଥାଏ, ଭାରତ ଏହାର ପ୍ରତ୍ୟୁତ୍ତରରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ କରୁ ନ ଥିଲା। ଏଥିରେ ପାକିସ୍ତାନର ଯେଉଁ ପ୍ରଚ୍ଛନ୍ନ ଧମକ କାର୍ଯ୍ୟ କରୁଥିଲା, ତାହା ହେଲା, ଭାରତ ଯଦି ସାମରିକ କାର୍ଯ୍ୟାନୁଷ୍ଠାନ କରେ, ପାକିସ୍ତାନ ତାହାର ମୁକାବିଲା କରିବା ପାଇଁ ଆଣବିକ ଅସ୍ତ୍ର ବ୍ୟବହାର କରିବ ଏବଂ ଏହାର ଜବାବରେ ଭାରତ ମଧ୍ୟ ଆଣବିକ ଆକ୍ରମଣ ଆରମ୍ଭ କଲେ ଉଭୟ ଦେଶ ପ୍ରଳୟର ସମ୍ମୁଖୀନ ହେବେ।
ଏହି ଆଣବିକ ଭୟ ଯେ ପାକିସ୍ତାନ ପାଇଁ ଏଯାଏ ତା’ର ସଇତାନୀ ଉଦ୍ଦେଶ୍ୟ ସାଧନରେ ବେଶ୍ ଫଳପ୍ରଦ ହୋଇ ଆସିଥିଲା, ୨୦୦୧ରେ ଭାରତୀୟ ପାର୍ଲିଆମେଣ୍ଟ ଉପରେ ଆତଙ୍କବାଦୀ ଆକ୍ରମଣରୁ ଆରମ୍ଭ କରି ୨୬/୧୧ ମୁମ୍ବାଇ ଆକ୍ରମଣ, ପଠାଣକୋଟ୍ ଓ ଉରି ଆକ୍ରମଣ ଆଦି ପର୍ଯ୍ୟନ୍ତ ତା’ର ପ୍ରମାଣ ବହନ କରିଥାନ୍ତି। ଇସଲାମୀୟ ଜିହାଦୀ ଆତଙ୍କବାଦୀମାନଙ୍କ ମାଧ୍ୟମରେ ପାକିସ୍ତାନ ଭାରତକୁ ବାରମ୍ବାର କ୍ଷତବିକ୍ଷତ କରି ଚାଲିଥିଲେ ହେଁ ସେ ଦେଶର ଆଣବିକ ପ୍ରତିକ୍ରିୟା ଭୟରେ ଭାରତ ଅଥର୍ବପ୍ରାୟ ହୋଇଯାଇ ପାକିସ୍ତାନ ବିରୁଦ୍ଧରେ କୌଣସି ସାମରିକ ପଦକ୍ଷେପ ନେବାରୁ ନିବୃତ୍ତ ରହି ଆସିଥିଲା।
ମନସ୍ତତ୍ତ୍ବବିତ୍ମାନେ କହିଥାନ୍ତି ଯେ ଭୟ ମନୁଷ୍ୟ ଠାରୁ ଚାରିଟି ସମ୍ଭାବ୍ୟ ପ୍ରତିକ୍ରିୟା ସୃଷ୍ଟି କରିଥାଏ: ଲଢ଼େଇ (ଫାଇଟ୍), ପଳାୟନ (ଫ୍ଲାଇଟ୍), ସ୍ଥାଣୁ ବା ଅଥର୍ବ ଅବସ୍ଥା (ଫ୍ରିଜ୍) କିମ୍ବା ଖୋସାମତି (ଫନିଙ୍ଗ୍)। ପାକିସ୍ତାନ ଏ ପର୍ଯ୍ୟନ୍ତ ବିଶ୍ବାସ କରିଆସିଥିଲା ଯେ ସେ ଅବଲମ୍ବନ କରିଆସିଥିବା ପରମାଣୁ ଯୁଦ୍ଧ ଭୟ ପ୍ରଦର୍ଶନ କୌଶଳ ଭାରତ ଠାରେ ଏଥିମଧ୍ୟରୁ ସ୍ଥାଣୁତ୍ବ ସୃଷ୍ଟି କରିବାରେ ସଫଳ ହୋଇଥିଲା। ‘ଅପରେସନ ସିନ୍ଦୂର’ ପାକିସ୍ତାନ ଅଭ୍ୟନ୍ତରରେ ପ୍ରବେଶ କରି ନିୟନ୍ତ୍ରିତ ଆକ୍ରମଣ ଚଳାଇ ସାମରିକ ଲକ୍ଷ୍ୟସ୍ଥଳୀମାନ ଧ୍ବଂସ କରିବା ସହିତ ଭାରତର ସେଇ ସ୍ଥାଣୁତ୍ବକୁ ମଧ୍ୟ ଧ୍ବଂସ କରିଛି। ଏହା ପାକିସ୍ତାନ ତରଫରୁ କୌଣସି ଆଣବିକ ପ୍ରତିଆକ୍ରମଣ ସୃଷ୍ଟି କରି ନ ଥିବାରୁ ଏଥିସହିତ ପାକିସ୍ତାନ ଏ ପର୍ଯ୍ୟନ୍ତ ଅବଲମ୍ବନ କରିଆସିଥିବା ଆଣବିକ ଭୟ ପ୍ରଦର୍ଶନ କୌଶଳର କାର୍ଯ୍ୟକାଳ ସମାପ୍ତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
‘ଗେମ୍ ଥିଓରି’କୁ ତାଙ୍କର ଅବଦାନ ପାଇଁ ଅର୍ଥଶାସ୍ତ୍ରରେ ନୋବେଲ୍ ପୁରସ୍କାର ଲାଭ କରିଥିବା ଆମେରିକୀୟ ଅର୍ଥନୀତିଜ୍ଞ ଥମାସ୍ ସ୍କେଲିଙ୍ଗ୍ ତାଙ୍କର ପ୍ରସିଦ୍ଧ ରଚନା, ‘ଦି ଷ୍ଟ୍ରାଟେଜି ଅଫ୍ କନ୍ଫ୍ଲିକ୍ଟ’ (‘ରଣକୌଶଳ’)ରେ କହିଛନ୍ତି ଯେ ଶକ୍ତିର ପ୍ରକୃତ ପ୍ରୟୋଗ ନୁହେଁ, ଶତ୍ରୁ ପାଇଁ ତୁମର ଶକ୍ତି ପ୍ରୟୋଗର ଧମକ କେତେଦୂର ବିଶ୍ବସନୀୟ ଓ ଯୁକ୍ତିସମ୍ମତ ମନେ ହୋଇଥାଏ, ତାହା ଉପରେ ହିଁ ଶତ୍ରୁ ତୁମ ବିରୁଦ୍ଧରେ ଆକ୍ରମଣ କରିବାକୁ ପ୍ରବୃତ୍ତ ହେବା କିମ୍ବା ନିବୃତ୍ତ ହେବା ନିର୍ଭର କରିଥାଏ। ଶତ୍ରୁକୁ ଯୁଦ୍ଧରୁ ନିବୃତ୍ତ କରିବାର ନିଶ୍ଚିତ ଉପାୟ ହେଉଛି ତୁମେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଅଛ ବୋଲି ତା’ର ହୃଦ୍ବୋଧ କରାଇବା। କୁହାଯାଇପାରେ ଯେ ‘ଅପରେସନ ସିନ୍ଦୂର’ ପ୍ରମାଣ କରିଛି ଯେ ସ୍କେଲିଙ୍ଗ୍ଙ୍କ ନିୟମ ଅନୁସାରେ ପାକିସ୍ତାନ ତା’ର ରଣକୌଶଳରେ ବିଫଳ ହୋଇଥିବାବେଳେ ଭାରତର ରଣକୌଶଳ ସଫଳ ହୋଇଛି। ପାକିସ୍ତାନ ପାଖରେ ଆଣବିକ ଅସ୍ତ୍ରର ଉପସ୍ଥିତି ସତ୍ତ୍ବେ ଭାରତ ଏପରି ଏକ ଅଣ-ଆଣବିକ ବା ପାରମ୍ପରିକ ଆକ୍ରମଣ ପରିକଳ୍ପନା କରି ତାହାକୁ କାର୍ଯ୍ୟକାରୀ କରିପାରିଛି, ଯାହା ପାକିସ୍ତାନକୁ ଆହତ କରିବା ପାଇଁ ଯଥେଷ୍ଟ, କିନ୍ତୁ ଯାହାର ପ୍ରତିକ୍ରିୟାରେ ପାକିସ୍ତାନ ଆଣବିକ ଅସ୍ତ୍ର ବ୍ୟବହାର କରି ନିଜର ସଂପୂର୍ଣ୍ଣ ବିଲୟ ସାଧନ ପାଇଁ ବାହାରି ପଡ଼ିବାର ସମ୍ଭାବନା କ୍ଷୀଣ। ସ୍କେଲିଙ୍ଗ୍ଙ୍କ ନିବାରଣ (ଡେଟରେନ୍ସ) ନିୟମ ଅନୁସାରେ ପାକିସ୍ତାନ ଏଣିକି ସର୍ବଦା ଭୟଭୀତ ହୋଇ ରହିବ ଯେ ଭବିଷ୍ୟତରେ ଯଦି ସେ ଭାରତରେ କୌଣସି ଆତଙ୍କବାଦୀ ଆକ୍ରମଣ ଘଟାଏ, ତେବେ ଭାରତ ‘ଅପରେସନ ସିନ୍ଦୂର’ ପରି ସାମରିକ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ତାହାର ଜବାବ ଦେବ। ବଜାରର ଭାଷାରେ କହିଲେ, ଏଣିକି ଆତଙ୍କବାଦର ପୃଷ୍ଠପୋଷଣ ପାକିସ୍ତାନ ପାଇଁ ଘୋର ମହଙ୍ଗା ସାବ୍ୟସ୍ତ ହେବ।
ଥମାସ୍ ସ୍କେଲିଙ୍ଗ୍ଙ୍କ ଆଣବିକ ନିବାରଣ ତତ୍ତ୍ବ ଦ୍ବାରା ଉତ୍ସାହିତ ହୋଇ ପ୍ରଖ୍ୟାତ ଫିଲ୍ମ ନିର୍ମାତା ଷ୍ଟାନ୍ଲି କ୍ୟୁବ୍ରିକ୍ଙ୍କ ଦ୍ବାରା ୧୯୬୪ରେ ନିର୍ମିତ ଶୀଳତ ଯୁଦ୍ଧକାଳୀନ ବ୍ୟଙ୍ଗାତ୍ମକ ଫିଲ୍ମ ‘ଡକ୍ଟର୍ ଷ୍ଟ୍ରେଞ୍ଜଲଭ୍’ରେ ସୋଭିଏତ ୟୁନିଅନ୍ ‘ଡୁମ୍ସଡେ ମେସିନ୍’ ବା ‘ପ୍ରଳୟ ଯନ୍ତ୍ର’ ନାମକ ଏକ ବିଧ୍ବଂସକ ଅସ୍ତ୍ର ନିର୍ମାଣ କରିଛି। ଶତ୍ରୁ ଆକ୍ରମଣ ଘଟିଲେ ଏହି ଅସ୍ତ୍ର ଆପଣାଛାଏଁ ସକ୍ରିୟ ହୋଇଯାଇ ସାରା ପୃଥିବୀର ଧ୍ବଂସ ସାଧନ କରିବ। ସୋଭିଏତ ୟୁନିଅନ୍ କିନ୍ତୁ ଏହାର ଉପସ୍ଥିତି ସମ୍ବନ୍ଧରେ କାହାରିକୁ ଜଣାଇବାକୁ ଭୁଲି ଯାଇଛି। ଏହା ତେଣୁ ଏକ ଆଣବିକ ନିବାରଣ ରୂପେ କାର୍ଯ୍ୟ କରି ନ ଥାଏ। ପାକିସ୍ତାନ ବର୍ତ୍ତମାନ ‘ଅପରେସନ ସିନ୍ଦୂର’ ପରେ ନିଜକୁ ଏହିଭଳି ଏକ ଉଦ୍ଭଟ ଅବସ୍ଥାରେ ଆବିଷ୍କାର କରିଛି। ସେ ଆଣବିକ ଅସ୍ତ୍ର ବ୍ୟବହାର କରିବାକୁ ପ୍ରସ୍ତୁତ ଅଛି ବୋଲି ଧମକ ଦେଇ ଚାଲିଥିବାବେଳେ ଶତ୍ରୁ କେଉଁ ନାଲିଗାର ଅତିକ୍ରମ କଲେ ସେ ଏହି ପ୍ରଳୟଙ୍କରୀ ପଦକ୍ଷେପ ଗ୍ରହଣ କରିବ, ତାହାକୁ ସେ ଜାଣିଶୁଣି ଅସ୍ପଷ୍ଟ ରଖିଛି। ଏହି ଅସ୍ପଷ୍ଟତାକୁ ଆଶ୍ରୟ କରି ସେ ପ୍ରତିପକ୍ଷ ଠାରେ ଭୟ ଉଦ୍ରେକ କରି ଏ ପର୍ଯ୍ୟନ୍ତ ସେଥିପାଇଁ କୌଣସି ମୂଲ୍ୟ ନ ଦେଇ ଯେଉଁ ଆତଙ୍କବାଦୀ ଆକ୍ରମଣମାନ ଚଳାଇ ଆସିଥିଲା, ‘ଅପରେସନ ସିନ୍ଦୂର’ ସେଥିରେ ଅନ୍ତ ଘଟାଇଛି। ‘ଡକ୍ଟର୍ ଷ୍ଟ୍ରେଞ୍ଜଲଭ୍’ରେ ସୋଭିଏତ ପକ୍ଷ ଯେଉଁଭଳି ସେମାନେ ‘ପ୍ରଳୟ ଯନ୍ତ୍ର’ ବ୍ୟବହାର କରିବାର ବିଶ୍ବସନୀୟତା ହରାଇଛି, ପାକିସ୍ତାନ ବର୍ତ୍ତମାନ ସେଇଭଳି ଆଣବିକ ଆକ୍ରମଣ ଆରମ୍ଭ କରିବାର ବିଶ୍ବସନୀୟତା ହରାଇଛି।
ଭାରତ ବର୍ତ୍ତମାନ ପାକିସ୍ତାନ ସମ୍ମୁଖରେ ଯେଉଁ ନୂତନ ଆହ୍ବାନ ଛିଡ଼ା କରାଇଛି, ତାହା ହେଲା- ପାକିସ୍ତାନ ତା’ଦ୍ବାରା ପ୍ରତିପାଳିତ ତଥାକଥିତ ଅଣ-ରାଷ୍ଟ୍ର ଆତଙ୍କବାଦୀମାନଙ୍କୁ ଲଗାମ ଦେଉ, ନଚେତ ଭାରତ ତରଫରୁ ‘ଅପରେସନ ସିନ୍ଦୂର’ ପରି କ୍ଷତିକାରକ ସାମରିକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉ, ଯାହା ତା’ ପାଇଁ ଘୋର ଯନ୍ତ୍ରଣାଦାୟକ ହେବ, କିନ୍ତୁ ଯାହା ତାକୁ ଏକ ଆତ୍ମ-ବିଧ୍ବଂସକାରୀ ଆଣବିକ ଯୁଦ୍ଧ ଆରମ୍ଭ କରିବା ପାଇଁ ପ୍ରବୃତ୍ତ କରିବା ଲାଗି ଏକ ଯଥେଷ୍ଟ କାରଣ ରୂପେ ବିବେଚିତ ହେବ ନାହିଁ। ଯେଉଁ ଆନ୍ତର୍ଜାତିକ ସମୁଦାୟ ଏ ପର୍ଯ୍ୟନ୍ତ ଭାରତ ଅବଲମ୍ବନ କରିଆସିଥିବା ନିଷ୍କ୍ରିୟତା ଯୋଗୁଁ ପାକିସ୍ତାନ ଏଠାରେ ନିୟମିତ ଭାବରେ ଚଳାଇଥିବା ଇସଲାମୀୟ ଆତଙ୍କବାଦୀ ଆକ୍ରମଣମାନଙ୍କୁ ଗୁରୁତ୍ବ ପ୍ରଦାନ କରୁ ନ ଥିଲେ, ଏଣିକି ସେମାନଙ୍କୁ ସ୍ବୀକାର କରିବାକୁ ହେବ ଯେ ପାକିସ୍ତାନ-ସୃଷ୍ଟ ଆତଙ୍କବାଦ ହିଁ ହେଉଛି ଏ ଅଞ୍ଚଳରେ ଅସ୍ଥିରତା ସୃଷ୍ଟିର ମୂଳ କାରଣ, ଯାହାକୁ ନିୟନ୍ତ୍ରଣ କରା ନ ଗଲେ ତାହା ସାରା ପୃଥିବୀକୁ ଏକ ଆଣବିକ ପ୍ରଳୟ ମଧ୍ୟକୁ ଠେଲି ଦେଇପାରେ। ‘ଗେମ୍ ଥିଓରି’ ଭାଷାରେ କୁହାଯାଇପାରେ ଯେ ‘ଅପରେସନ ସିନ୍ଦୂର’ ଯୋଗୁଁ ଉପମହାଦେଶରେ ଗେମ୍ ବା ଖେଳ ବଦଳି ଯାଇଛି, ଯାହା ସ୍କେଲିଙ୍ଗ୍ଙ୍କୁ ଚମତ୍କୃତ କରନ୍ତା।