୯୦ ଘଣ୍ଟା କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଉଥିବା ଚେଆର୍ମ୍ୟାନ୍ ସୁବ୍ରମଣ୍ୟନ୍ ୨୦୨୪ ବିତ୍ତ ବର୍ଷରେ କଂପାନିରୁ ପାଇଥିବା ମୋଟ ପାରିଶ୍ରମିକର ପରିମାଣ ଥିଲା ୫୧ କୋଟି ଟଙ୍କାରୁ ଅଧିକ, ଯାହା ଥିଲା ତାଙ୍କର କଂପାନିର କର୍ମଚାରୀମାନଙ୍କର ହାରାହାରି ପାରିଶ୍ରମିକର ୫୩୫ ଗୁଣ! ବୋଧହୁଏ ଏଇଭଳି ପାରିଶ୍ରମିକ ପାଇଲେ ତାଙ୍କ କର୍ମଚାରୀମାନେ ବ୍ରିଟେନ୍ର ସେଇ ଶିଶୁ ଶ୍ରମିକମାନଙ୍କ ଭଳି ଦିନକୁ ୧୬ ଘଣ୍ଟା ଲେଖାଏଁ ସପ୍ତାହକୁ - ରବିବାର ଦିନ ମଧ୍ୟ ବିଶ୍ରାମ ନ ନେଇ - ୧୧୨ ଘଣ୍ଟା କାମ କରିବାକୁ ମଧ୍ୟ ପଛାନ୍ତେ ନାହିଁ।
ବ୍ରିଟେନ୍ରେ ଜନ୍ମଲାଭ କରି ଆଜିର ଶିଳ୍ପ ସଭ୍ୟତାକୁ ସମ୍ଭବ କରିଥିବା ଶିଳ୍ପ ବିପ୍ଳବର ଆଦ୍ୟକାଳରେ ଉତ୍ତର-ଅଷ୍ଟାଦଶ ଶତାବ୍ଦୀରେ ରିଚାର୍ଡ ଆର୍କରାଇଟ୍ ନାମକ ମହିଳାମାନଙ୍କ କେଶ ବିକ୍ରେତା ଯେତେବେଳେ ସୂତା କାଟିବା ପାଇଁ ‘ସ୍ପିନିଙ୍ଗ ଥ୍ରସ୍ଲ’ ଯନ୍ତ୍ର ଉଦ୍ଭାବନ କଲେ, ସେତେବେଳେ ସେ କାରଖାନାରେ ତାହାର ବ୍ୟବହାର ପଥରେ ଏକ ଅପ୍ରତ୍ୟାଶିତ ସାଂସ୍କୃତିକ ପ୍ରତିବନ୍ଧକର ସମ୍ମୁଖୀନ ହେଲେ। ଶ୍ରମଜୀବୀମାନେ ସେ ସମୟରେ ମୁଖ୍ୟତଃ କ୍ଷେତରେ କାର୍ଯ୍ୟ କରୁଥିଲେ କିମ୍ବା ହସ୍ତ ଶିଳ୍ପରେ ନିୟୋଜିତ ଥିଲେ ଯେଉଁଠି କାରଖାନାର କଠୋର ଯାନ୍ତ୍ରିକ ଶୃଙ୍ଖଳା ଅନୁପସ୍ଥିତ ଥାଏ; ସେମାନେ ଯନ୍ତ୍ରର ଦାସ ପରି କାର୍ଯ୍ୟ କରିନଥାନ୍ତି। ସେମାନେ ତେଣୁ ନୂତନ କରି ସ୍ଥାପିତ ହେଉଥିବା ଯନ୍ତ୍ରଚାଳିତ କାରଖାନାମାନଙ୍କରେ କାର୍ଯ୍ୟ କରିବା ପ୍ରତି ବିମୁଖ ଥିଲେ। ସେମାନେ ନିଜର ସ୍ବାଧୀନତା ତ୍ୟାଗ କରି ଦୀର୍ଘ ସମୟ ଧରି କାରଖାନାର ବିଷାଦଜନକ ପରିବେଶରେ ବନ୍ଦୀ ହୋଇ କାର୍ଯ୍ୟ କରିବାକୁ ଅରାଜି ଥିଲେ।
ଏହି ପ୍ରତିବନ୍ଧକ ଅତିକ୍ରମ କରିବା ପାଇଁ ଆର୍କରାଇଟ୍ ଯେଉଁମାନଙ୍କୁ ତାଙ୍କ କାରଖାନାରେ ନିଯୁକ୍ତ କଲେ, ସେମାନେ ଥିଲେ ଅଧିକାଂଶ ଅପ୍ରାପ୍ତବୟସ୍କ ବାଳକବାଳିକା। (ସେ ସମୟରେ ଏହାକୁ ନିଷେଧ କରୁଥିବା ଶ୍ରମ ଆଇନର ଅାବିର୍ଭାବ ଘଟି ନ ଥିଲା) ପିଲାମାନେ ଯେହେତୁ ଚାଷ ବା ହସ୍ତଶିଳ୍ପ ଭଳି ସ୍ବାଧୀନ ବୃତ୍ତି ସହିତ ଅଭ୍ୟସ୍ତ ନ ଥିଲେ, ସେମାନେ ସହଜରେ ନିଜକୁ କାରଖାନାର ଶୃଙ୍ଖଳା ସହିତ ଖାପ ଖୁଆଇ ପାରୁଥିଲେ ବୋଲି ବିଶ୍ବାସ କରାଯାଉଥିଲା, ଯଦିବା ସତ କଥା ହେଲା ପିଲାମାନଙ୍କ ଠାରେ ଏହାକୁ ପ୍ରତିରୋଧ କରିବା କିମ୍ବା ପ୍ରତିବାଦ କରିବାର କ୍ଷମତା ନ ଥିଲା। ସେ ସମୟରେ ବ୍ରିଟେନ୍ରେ କାରଖାନାମାନଙ୍କରେ ଏଭଳି ଦଶ/ବାର ବର୍ଷ ବୟସର ବାଳଶ୍ରମିକମାନଙ୍କୁ ନିୟୋଜିତ କରିବା ଏକ ନିୟମିତ ଧାରାରେ ପରିଣତ ହୋଇଥିଲା, ଯେଉଁଠାରେ ସେମାନଙ୍କୁ ଅକଥନୀୟ ଭାବରେ ଅମାନବୀୟ ପରିବେଶରେ ଦିନକୁ ୧୬ ଘଣ୍ଟା ଲେଖାଏଁ କାର୍ଯ୍ୟ କରିବାକୁ ପଡୁଥିଲା। ସମସାମୟିକ ବ୍ରିଟେନ୍ରେ କିନ୍ତୁ ଏଥିପ୍ରତି ବିରୋଧ ପ୍ରକାଶ ପାଇବା ପରିବର୍ତ୍ତେ ଏହା ଦରିଦ୍ରମାନଙ୍କ ଉନ୍ନତି ସାଧନରେ ସହାୟକ ହେବ ବୋଲି କୁହାଯାଇ ଏହାକୁ ସ୍ବାଗତ କରାଯାଉଥିଲା।
ଠିକ୍ ଏବେ ଯେମିତି ପ୍ରମୁଖ ଭିତ୍ତିଭୂମି ନିର୍ମାଣକାରୀ କଂପାନି ‘ଲାର୍ସେନ୍ ଆଣ୍ଡ୍ ଟୁବ୍ରୋ’ର ଚେଆର୍ମ୍ୟାନ୍ ଏସ୍ ଏନ୍ ସୁବ୍ରମଣ୍ୟନ୍ ରାଷ୍ଟ୍ର ନିର୍ମାଣରେ ସହାୟକ ହେବା ପାଇଁ ତାଙ୍କ କଂପାନିର କର୍ମଚାରୀମାନଙ୍କୁ ରବିବାର ଦିନ ମଧ୍ୟ ବିଶ୍ରାମ ନ ନେଇ ସପ୍ତାହକୁ ୯୦ ଘଣ୍ଟା ଲେଖାଏଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି। ତାଙ୍କର ଏହି ଆହ୍ବାନ ସୃଷ୍ଟି କରିଥିବା ବ୍ୟାପକ ପ୍ରତିବାଦକୁ ଦେଖି ସୁବ୍ରମଣ୍ୟନ୍ ନିଶ୍ଚିତ ରୂପେ ଆର୍କରାଇଟ୍ଙ୍କୁ ଈର୍ଷା କରୁଥିବେ ଯେ ଏକବିଂଶ ଶତାବ୍ଦୀର ଭାରତରେ ସେ ଏ ପ୍ରତିରୋଧକୁ ଅତିକ୍ରମ କରିବା ପାଇଁ ତାଙ୍କ ଭଳି ଶିଶୁ ଶ୍ରମିକମାନଙ୍କୁ ତାଙ୍କ କଂପାନିରେ ନିଯୁକ୍ତ କରିପାରୁ ନାହାନ୍ତି।
ତାଙ୍କ ପୂର୍ବରୁ କେତେଦିନ ତଳେ ପ୍ରମୁଖ ‘ଆଇଟି’ କଂପାନି ‘ଇନ୍ଫୋସିସ୍’ର ଅନ୍ୟତମ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ସପ୍ତାହକୁ ୭୦ ଘଣ୍ଟା ଲେଖାଏଁ କାର୍ଯ୍ୟ କରିବାକୁ ଦେଇଥିବା ଆହ୍ବାନରେ ଆହୁରି ୨୦ ଘଣ୍ଟା ଲେଖାଏଁ ଯୋଗ କରିବାବେଳେ ସୁବ୍ରମଣ୍ୟନ୍ ଏପରି ଏକ ଲିଙ୍ଗ-ବିଦ୍ବେଷୀ ମନ୍ତବ୍ୟ ମଧ୍ୟ ପ୍ରଦାନ କରିଛନ୍ତି, ଯାହା ସମସ୍ତଙ୍କୁ ହତଭମ୍ଭ କରିଦେଇଛି। ଏକ ପୁରୁଷ-ପ୍ରଧାନ ସମାଜରେ ନାରୀର ବସ୍ତୁକରଣ ପରମ୍ପରାକୁ ଅନୁସରଣ କରି ସୁବ୍ରମଣ୍ୟନ୍ ତାଙ୍କ କଂପାନିର କର୍ମଚାରୀମାନଙ୍କୁ ଘରେ କମ୍ ସମୟ ଓ ଅଫିସରେ ଅଧିକ ସମୟ ବିତାଇବାକୁ ଅାହ୍ବାନ ଦେବାବେଳେ ପ୍ରଶ୍ନ କରିଛନ୍ତି: ‘‘ତୁମେ ଘରେ ବସି ରହି କ’ଣ କରୁଛ? ତୁେମ କେତେ ସମୟ ଧରି ତୁମର ପତ୍ନୀଙ୍କୁ ଅନାଇ ରହିଥିବ?’’ ଚେଆର୍ମ୍ୟାନ୍ ସୁବ୍ରମଣ୍ୟନ୍ଙ୍କ ବେଲଗାମ ତୁଣ୍ଡ ଏହା ଦ୍ବାରା ଅସୁବିଧାଜନକ ଭାବରେ ଦୁଇ ଦୁଇଟି ଔଚିତ୍ୟର ସୀମା ଲଂଘନ କରିଛନ୍ତି: ପୃଥିବୀବ୍ୟାପୀ କର୍ପୋରେଟ୍ କର୍ମ ସଂସ୍କୃତିରେ କର୍ମ ଓ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା (ୱାର୍କ-ଲାଇଫ୍ ବାଲାନ୍ସ)କୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ସୁବ୍ରମଣ୍ୟନ୍ କେବଳ କର୍ମକୁ ହିଁ ସ୍ବୀକୃତି ପ୍ରଦାନ କରିଛନ୍ତି; ଅତୀତରେ ପୁରାଣରେ ରମ୍ଭା, ଉର୍ବଷୀମାନେ ମୁନିଋଷିମାନଙ୍କର ଧ୍ୟାନ ଭଗ୍ନର କାରଣ ହୋଇଥିବା ଭଳି ବର୍ତ୍ତମାନ ନାରୀମାନେ ସେମାନଙ୍କର ପତିମାନଙ୍କର ଘରମୁହଁା ହେବାର କାରଣ ବୋଲି ଅଭିଯୋଗ କରି ସୁବ୍ରମଣ୍ୟନ୍ ବର୍ତ୍ତମାନ ସମସ୍ତ ସଭ୍ୟ, ସଚେତନ ସମାଜରେ ଅନୁସୃତ ଲିଙ୍ଗ-ନ୍ୟାୟ ବିଚାରଧାରାର ଉଲ୍ଲଂଘନ କରିଛନ୍ତି।
‘ଏଲ୍ଆଣ୍ଡ୍ଟି’ର ଚେଆର୍ମ୍ୟାନ୍ଙ୍କର ଏପରି ବିପରୀତ ବିଚାର ଏହା ପଛରେ ନିହିତ ଥିବା ତାଙ୍କର ଆନ୍ତରିକତାକୁ ପ୍ରମାଣିତ କରିଥାଏ। ଏହାର କାରଣ, ଜଣେ ଯେତେବେଳେ ମୁଖ୍ୟସ୍ରୋତ ସହିତ ମେଳ ଖାଇବା ଭଳି କିଛି କହେ, ସେତେବେଳେ ସେଥିରେ ତା’ର ଆନ୍ତରିକତା ଥାଇପାରେ ବା ନ ଥାଇପାରେ- ତାହା କେବଳ ଲୋକଦେଖାଣିଆ ହୋଇଥାଇପାରେ; କିନ୍ତୁ ସେ ଯେତେବେଳେ ସମ୍ଭାବ୍ୟ ସମାଲୋଚନାକୁ ଭ୍ରୂକ୍ଷେପ ନ କରି ଏଭଳି ବିରୋଧାତ୍ମକ ମନ୍ତବ୍ୟ ପ୍ରଦାନ କରେ, ତାହା ନିଃସେନ୍ଦହରେ ତା’ର ଶତପ୍ରତିଶତ ଆନ୍ତରିକତା ବହନ କରିଥାଏ। ସୁବ୍ରମଣ୍ୟନ୍ଙ୍କ କଂପାନି ପାରମ୍ପରିକ ଭାବରେ ଏଇଭଳି ଏକ କର୍ମସଂସ୍କୃତି ପାଇଁ ପରିଚିତ ଥିବାରୁ ପରିବର୍ତ୍ତିତ ସମୟରେ ମଧ୍ୟ କଂପାନିର ବରିଷ୍ଠ ପରିଚାଳକମାନେ ସେଇଭଳି ଅସନ୍ତୁଳିତ କର୍ମସଂସ୍କୃତିକୁ ଜାବୁଡ଼ି ଧରିଥିବା ଭଳି ମନେ ହୋଇଥାଏ।
କୁହାଯାଇପାରେ ଯେ ଯେ ପର୍ଯ୍ୟନ୍ତ କୌଣସି ଆଇନର ଉଲ୍ଲଂଘନ ଘଟି ନ ଥାଏ, ସେ ପର୍ଯ୍ୟନ୍ତ ଏକ କଂପାନି ତା’ର ନିଜର ପସନ୍ଦ ଅନୁସାରେ କୌଣସି ସାଂଗଠନିକ ସଂସ୍କୃତି ଅବଲମ୍ବନ କରିବାର ଅଧିକାର ଉପଭୋଗ କରିଥାଏ। ନିଯୁକ୍ତି ପ୍ରାର୍ଥୀମାନଙ୍କୁ ସେ ସଂସ୍କୃତି ପସନ୍ଦ ହେଲେ ସେମାନେ ସେ କଂପାନିରେ ଯୋଗଦେବେ ଅଥବା ନ ଦେବେ। ସୁବ୍ରମଣ୍ୟନ୍ଙ୍କର ପ୍ରସ୍ତାବର ପ୍ରଥମ ଦୁର୍ବଳତା ହେଲା ଏହା ଯେ ଏହା ପ୍ରଚଳିତ ଆଇନର ଉଲ୍ଲଂଘନ କରିଥାଏ। ତାଙ୍କର ଏହି ପ୍ରସ୍ତାବର ପ୍ରତିକ୍ରିୟାରେ ଲୋକସଭାରେ ‘ସିପିଆଇଏମ୍ଏଲ୍ (ଲିବରେସନ୍)’ ଦଳର ସାଂସଦ ଥିବା ରାଜାରାମ ସିଂହ ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ନିକଟକୁ ଏକ ପତ୍ର ଲେଖି ସାବଧାନ କରିଦେଇଛନ୍ତି ଯେ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଆଇନର ଉଲ୍ଲଂଘନ ଘଟିପାରେ ଏବଂ ସେପରି ସ୍ଥଳେ ଉପଯୁକ୍ତ ଦଣ୍ଡଦାନ କରାଯାଉ।
ସାଂସଦ ସିଂହ ତାଙ୍କ ପତ୍ରରେ ସୁବ୍ରମଣ୍ୟନ୍ଙ୍କ ସହିତ ‘ଓଲା’ର ମୁଖ୍ୟ ଭବିଶ ଅଗ୍ରୱାଲ ଓ ‘ଜିନ୍ଦଲ୍ ଷ୍ଟିଲ୍ ୱର୍କସ୍’ର ମୁଖ୍ୟ ସଜ୍ଜନ ଜିନ୍ଦଲଙ୍କୁ ମଧ୍ୟ ଅନୁରୂପ ପ୍ରସ୍ତାବ ପ୍ରଦାନ କରିଥିବା ହେତୁ ଉତ୍ତରଦାୟୀ କରିଛନ୍ତି। ସାଂସଦ ସୂଚାଇ ଦେଇଛନ୍ତି ଯେ ବହୁ ସଂଘର୍ଷ ଓ ପ୍ରାଣପାତ ପରେ ଭାରତରେ ଆଠ-ଘଣ୍ଟିଆ କାର୍ଯ୍ୟ ଦିବସ ନିୟମ ଲାଗୁ ହୋଇଥିଲା। ତତ୍କାଳୀନ ଭାଇସ୍ରଏଙ୍କର ‘ଏଗ୍ଜିକ୍ୟୁଟିଭ୍ କାଉନ୍ସିଲ୍’ର ‘ଲେବର ମେମ୍ବର’ ଥିବା ବାବାସାହେବ ଆମ୍ବେଦକର ଆଗତ କରିଥିବା ବିଲ୍ ଅନୁସାରେ ୧୯୪୬ରେ ‘ଫାକ୍ଟ୍ରିଜ୍ ଆକ୍ଟ ୧୯୩୪’ର ଯେଉଁ ସଂଶୋଧନ କରାଯାଇଥିଲା, ତାହା ଅନୁସାରେ ଏହି ଆଠ-ଘଣ୍ଟିଆ ଶ୍ରମ ଦିବସ ନିୟମ ଏଠାରେ କାର୍ଯ୍ୟକାରୀ ହୋଇଥିଲା। ସାଂସଦ ମଧ୍ୟ ସଂବିଧାନର ‘ଡିରେକ୍ଟିଭ୍ ପ୍ରିନ୍ସିପଲସ୍ ଅଫ୍ ଷ୍ଟେଟ୍ ପଲିସି’ ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି, ଯେଉଁଥିରେ କର୍ମସ୍ଥଳୀରେ ଶ୍ରମଜୀବୀମାନଙ୍କର ସ୍ବାସ୍ଥ୍ୟ ଓ ଶକ୍ତିର ସୁରକ୍ଷା ନିଶ୍ଚିତ କରିବା ରାଷ୍ଟ୍ରର ଦାୟିତ୍ବ ବୋଲି ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ପ୍ରସାରିତ ଏକ ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି େଯ ଦୀର୍ଘ ସମୟ ଧରି ଅବିରାମ କାର୍ଯ୍ୟ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପ୍ରତି ଗୁରୁତର ବାଧା ପହଞ୍ଚାଇଥାଏ।
ଶେଷରେ, ୯୦ ଘଣ୍ଟା କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଉଥିବା ଚେଆର୍ମ୍ୟାନ୍ ସୁବ୍ରମଣ୍ୟନ୍ ୨୦୨୪ ବିତ୍ତ ବର୍ଷରେ କଂପାନିରୁ ପାଇଥିବା ମୋଟ ପାରିଶ୍ରମିକର ପରିମାଣ ଥିଲା ୫୧ କୋଟି ଟଙ୍କାରୁ ଅଧିକ, ଯାହା ଥିଲା ତାଙ୍କର କଂପାନିର କର୍ମଚାରୀମାନଙ୍କର ହାରାହାରି ପାରିଶ୍ରମିକର ୫୩୫ ଗୁଣ! ବୋଧହୁଏ ଏଇଭଳି ପାରିଶ୍ରମିକ ପାଇଲେ ତାଙ୍କ କର୍ମଚାରୀମାନେ ବ୍ରିଟେନ୍ର ସେଇ ଶିଶୁ ଶ୍ରମିକମାନଙ୍କ ଭଳି ଦିନକୁ ୧୬ ଘଣ୍ଟା ଲେଖାଏଁ ସପ୍ତାହକୁ - ରବିବାର ଦିନ ମଧ୍ୟ ବିଶ୍ରାମ ନ ନେଇ - ୧୧୨ ଘଣ୍ଟା କାମ କରିବାକୁ ମଧ୍ୟ ପଛାନ୍ତେ ନାହିଁ।