ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ପୂର୍ବତନ ‘ସାମ୍ରାଜ୍ୟବିସ୍ତାର ଓ ଜଗତ୍କରଣ ଇତିହାସ’ ବିଭାଗର ପ୍ରଫେସର୍ ଜନ୍ ଡାର୍ଵିନ୍ଙ୍କର ସଦ୍ୟ ପ୍ରକାଶିତ ଜଗତ୍କରଣ ଇତିହାସ ସମ୍ପର୍କିତ ପୁସ୍ତକର ଶୀର୍ଷକ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ: ‘ଅନ୍ଲକିଙ୍ଗ୍ ଦି ଵାର୍ଲଡ’ (‘ଜଗତ୍ର ତାଲା ଖୋଲା’)। ଆଜିର ଚୀନା କରୋନାଗ୍ରସ୍ତ ସମୟରେ ଆମେ ଲକ୍ଡାଉନ୍-ଅନ୍ଲକିଙ୍ଗ୍ ସହିତ ଏତେ ସୁପରିଚିତ ଯେ ଡାର୍ଵିନ୍ଙ୍କ ପୁସ୍ତକର ଶୀର୍ଷକରେ ବ୍ୟବହାର କରାଯାଇଥିବା ଏହି ରୂପକର ଅର୍ଥ ବୁଝିବା କାହାରି ପକ୍ଷରେ କଷ୍ଟକର ହେବ ନାହିଁ। ବୈଦେଶିକ ବଜାରରେ ପ୍ରବେଶ ହେଉଛି ଜଗତ୍କରଣର ଅ˚ଶ। ଏକ ତାଲା ପଡ଼ିଥିବା କୋଠରିରେ ପ୍ରବେଶ କରିବା ପାଇଁ ଚାବି ଦରକାର ହୋଇଥାଏ। ଏସିଆ, ଆଫ୍ରିକା ଓ ଆମେରିକାର ବନ୍ଦ ବଜାରମାନଙ୍କରେ ପ୍ରବେଶ କରିବା ପାଇଁ ଇଉରୋପୀୟ ସାମ୍ରାଜ୍ୟବାଦୀମାନଙ୍କୁ ଯେଉଁ ଚାବି ମିଳି ଯାଇଥିଲା, ତାହା ଥିଲା ବାଷ୍ପଶକ୍ତି ବୋଲି ଡାର୍ଵିନ୍ ତାଙ୍କ ପୁସ୍ତକରେ କହିଛନ୍ତି। ସେ ଲେଖିଛନ୍ତି ଯେ ୧୮୩୦ରୁ ୧୯୩୦ ମଧୢରେ ବାଷ୍ପଚାଳିତ ରେଳ ଓ ଜାହାଜ ବ୍ୟବହାର ଦ୍ବାରା ପରିବହନ କ୍ଷେତ୍ରରେ ଘଟିଥିବା ବିପ୍ଳବ ଇଉରୋପୀୟମାନଙ୍କୁ ଏସବୁ ଦୂରଦୂରାନ୍ତର ନିବୁଜ ବଜାରରେ ପ୍ରବେଶ କରିବାରେ ସହାୟକ ହୋଇଥିଲା। ସେଥିପାଇଁ ଏହି ସମୟର ଜଗତ୍କରଣ ଲହରୀକୁ ଡାର୍ଵିନ୍ ‘ଷ୍ଟିମ୍ ଗ୍ଲୋବାଲାଇଜେସନ୍’ (‘ବାଷ୍ପ ଜଗତ୍କରଣ’) ଆଖ୍ୟା ଦେଇଛନ୍ତି। ତେବେ ବାଷ୍ପ ଶକ୍ତି ଯେ ସେମାନଙ୍କ ଦ୍ବାରା ବ୍ୟବହୃତ ଏକ ମାତ୍ର ଚାବି ଥିଲା, ତାହା ନୁହେଁ; ସାମ୍ରାଜ୍ୟବାଦୀ ସାମରିକ ଶକ୍ତି ମଧୢ ଥିଲା ଅନ୍ୟ ଏକ ଅତ୍ୟନ୍ତ ଉପଯୋଗୀ ବହୁଳ ବ୍ୟବହୃତ ଉପାୟ। ଅନେକ ବଜାରରେ ପ୍ରବେଶ ପାଇଁ ସେମାନେ ଚାବି ବ୍ୟବହାର ନ କରି ବଳ ପ୍ରୟୋଗ କରି କବାଟ ଭାଙ୍ଗି ଦେଇଥିଲେ।
ଯଦି ଡାର୍ଵିନ୍ଙ୍କୁ ଅନୁସରଣ କରାଯାଏ, ତେବେ ବର୍ତ୍ତମାନର ଜଗତ୍କରଣକୁ ‘ଇଣ୍ଟର୍ନେଟ୍ ଗ୍ଲୋବାଲାଇଜେସନ୍’ କହିଲେ ଭୁଲ୍ ହେବ ନାହିଁ। ଇଣ୍ଟର୍ନେଟ୍ ରୂପକ ଚାବି ବ୍ୟବହାର କରି ପୃଥିବୀର ପ୍ରାୟ ସମସ୍ତ ବଜାରରେ ପ୍ରବେଶ କରି ଯେଉଁ କମ୍ପାନି ଏବେ ପୃଥିବୀର ସର୍ବାଧିକ ବିତ୍ତଶାଳୀ ଉଦ୍ୟୋଗପତିଙ୍କୁ ସୃଷ୍ଟି କରିଛି, ସେ ହେଉଛି ଆମେରିକୀୟ କମ୍ପାନି ‘ଆମାଜନ୍’। ଜଗତ୍କରଣର ଅ˚ଶ ସ୍ବରୂପ ସେଇ ‘ଆମାଜନ୍’ ବର୍ତ୍ତମାନ ଭାରତୀୟ ବଜାରରେ ପ୍ରବେଶ କରି ଏଠାକାର ଏକ ପ୍ରତିଷ୍ଠିତ ବ୍ୟବସାୟକୁ ଦଖଲ କରିବାକୁ ଚାହୁଁଛି, କିନ୍ତୁ ବନ୍ଦ କବାଟକୁ ଖୋଲି ପାରୁନାହିଁ। ଏହା ଡାର୍ଵିନ୍ ବର୍ଣ୍ଣିତ ଊନବି˚ଶ ଶତାବ୍ଦୀ ନୁହେଁ କିମ୍ବା ‘ଆମାଜନ୍’ର ମାଲିକ ଜେଫ୍ ବେଜସ୍ ଜଣେ ସମ୍ରାଟ ନୁହଁନ୍ତି ଯେ ଲକ୍ଷ୍ୟ ହାସଲ ପାଇଁ ସାମରିକ ଶକ୍ତି ପ୍ରୟୋଗ କରି ବନ୍ଦ କବାଟକୁ ଭାଙ୍ଗି ଦେଇପାରିବେ। ‘ଆମାଜନ’ ତେଣୁ ଏଥିପାଇଁ ଜଗତ୍କୃତ ଦୁନିଆରେ ଉପଲବ୍ଧ ଆନ୍ତର୍ଜାତିକ ଅଦାଲତୀ କୌଶଳ ବ୍ୟବହାର କରି ଯେଉଁପରି ଉଦ୍ୟମ ଚଳାଇଛିି, ଯଦି ପ୍ରଫେସର୍ ଡାର୍ଵିନ୍ ଚାହାଁନ୍ତେ, ତାହାକୁ ବିଷୟବସ୍ତୁ ରୂପେ ବ୍ୟବହାର କରି ସାମ୍ପ୍ରତିକ ସମୟରେ ଜଗତ୍କରଣର ଏକ ଚିତ୍ତାକର୍ଷକ ନମୁନା ଇତିହାସ ବା ‘କେସ୍ ଷ୍ଟଡି’ ରଚନା କରିପାରନ୍ତେ। ‘ଆମାଜନ’ ଏଠାରେ ଦଖଲ କରିବାକୁ ଚାହୁଥିବା ବ୍ୟବସାୟଟି ହେଉଛି ଶିଳ୍ପପତି କିଶୋର ବିୟାନିଙ୍କ ଦ୍ବାରା ପ୍ରତିଷ୍ଠିତ ‘ଫିଉଚର୍ ଗ୍ରୁପ୍’ (ଭାରତୀୟ ଖାଉଟିମାନଙ୍କର ସୁପରିଚିତ ‘ବିଗ୍ ବଜାର’, ‘ଏଫ୍ବିବି’, ‘ସେଣ୍ଟ୍ରାଲ୍’, ‘ଇଜିଡେ’, ‘ଫୁଡ୍ ଫର୍ମାଟ୍’ ଆଦି ବ୍ୟବସାୟ ପ୍ରତିଷ୍ଠାନମାନଙ୍କର ମାଲିକ), ଯାହାର ଦେଶର ପ୍ରାୟ ୪୨୦ଟି ସହରରେ ପ୍ରାୟ ୧୮,୦୦୦ ସରିକି ଷ୍ଟୋର୍ମାନ ବିଛାଇ ହୋଇ ରହିଛି। ଏହି ଗ୍ରୁପ୍ରେ ନିଯୁକ୍ତ ଥିବା ଏବ˚ ଏହା ସହିତ ବ୍ୟାବସାୟିକ ସମ୍ପର୍କ ଥିବା ଲକ୍ଷ ଲକ୍ଷ ଭାରତୀୟ ଜୀବିକା ଅର୍ଜନ ପାଇଁ ଏହି ବ୍ୟବସାୟ ଗୋଷ୍ଠୀ ଉପରେ ନିର୍ଭର କରନ୍ତି ଏବ˚ ଉତ୍ତମ ମାନର ସେବା ପ୍ରଦାନ କରି ବିଗତ ଦଶନ୍ଧିମାନଙ୍କରେ ଏହା ଏ ଦେଶର ଖାଉଟିମାନଙ୍କର ବିଶ୍ବାସଭାଜନ ହୋଇପାରିଛି।
କିନ୍ତୁ ଖାଉଟିମାନଙ୍କ ସଦିଚ୍ଛା ଯେତେ ମଜଭୁତ ହୋଇଥାଉନା କାହିଁକି, ଯଦି ସେମାନଙ୍କ ପକେଟରୁ ପଇସା ଉଭେଇ ଯାଏ ଏବ˚ ସେମାନେ ଘରୁ ପଦାକୁ ଗୋଡ଼ ନ କାଢ଼ନ୍ତି, ସମ୍ପୃକ୍ତ ବ୍ୟବସାୟଟି କେବଳ ସେଇ ସଦିଚ୍ଛା ନାମକ ଗୁଣବାଚକ ବିଶେଷ୍ୟକୁ ପାଥେୟ କରି ତିଷ୍ଠି ରହିପାରିବ ନାହିଁ। ଭାରତରେ ଚୀନା କରୋନାର ଅନୁପ୍ରବେଶ କିଶୋର ବିୟାନିଙ୍କ ‘ଫିଉଚର୍ ଗ୍ରୁପ୍’ ପାଇଁ ଏଇଭଳି ଏକ ଅଚଳାବସ୍ଥା ସୃଷ୍ଟି କରିଛି। ଗତ ମାସରେ କିଶୋର ବିୟାନି ପ୍ରକାଶ କରିଥିବା ସୂଚନା ଅନୁସାରେ କୋଭିଡ୍-୧୯ ପାଣ୍ତେମିକ୍ ଆବିର୍ଭାବର ପ୍ରଥମ ତିନି-ଚାରି ମାସ ମଧୢରେ ତାଙ୍କର ଷ୍ଟୋର୍ ମାନ ବନ୍ଦ ରହିବା ଯୋଗୁଁ ‘ଫିଉଚର୍ ଗ୍ରୁପ୍’କୁ ପ୍ରାୟ ୭,୦୦୦ କୋଟି ଟଙ୍କାର ଆୟ ହରାଇବାକୁ ପଡ଼ିଛି। ଏହି ବିଶାଳ କ୍ଷତି ବହନ କରିବାର ସାମର୍ଥ୍ୟ ନ ଥିବାରୁ ସେ ତାଙ୍କର ବ୍ୟବସାୟକୁ ଗତ ଅଗଷ୍ଟରେ ଭାରତର ସର୍ବାଧିକ ବିତ୍ତଶାଳୀ କମ୍ପାନି ମୁକେଶ ଅମ୍ବାନିଙ୍କ ମାଲିକାନାରେ ଥିବା ରିଲାଏନ୍ସ ଇଣ୍ତଷ୍ଟ୍ରିଜ୍କୁ ବିକ୍ରି କରିଦେଲେ। କୋଭିଡ ଜନିତ ଦୁଃସମୟରେ କ୍ଷତି ବହନ କରି ‘ଫିଉଚର୍ ଗ୍ରୁପ୍’କୁ ଭାସମାନ ରଖିବା ପାଇଁ ଆବଶ୍ୟକ ସମ୍ବଳ ରିଲାଏନ୍ସ ଇଣ୍ତଷ୍ଟ୍ରି ନିକଟରେ ମହଜୁଦ ଅଛି ଏବ˚ ରିଲାଏନ୍ସ ଆରମ୍ଭ କରିଥିବା ଅନ୍ଲାଇନ୍ ଖାଉଟି ବ୍ୟବସାୟକୁ ଆଗେଇ ନେବା ପାଇଁ ଫିଉଚର୍ ଗ୍ରୁପ୍ର ବ୍ୟବସାୟ ନେଟ୍ଵାର୍କ ବେଶ୍ ଉପଯୋଗୀ ହେବ।
କିଶୋର ବିୟାନି ସ୍ବୀକାର କରିଥିଲେ ଯେ ଆୟ ସ୍ରୋତ ସମ୍ପୂର୍ଣ୍ଣ ଶୁଷ୍କ ହୋଇଯାଇଥିଲେ ହେଁ ସେ ନିକଟରେ ସମ୍ପ୍ରସାରିତ କରିଥିବା ଷ୍ଟୋର୍ମାନଙ୍କ ପାଇଁ ତାଙ୍କୁ ଘରଭଡ଼ା ଦେବାକୁ ହେବ, ଋଣ ଉପରେ ସୁଧ ଦେବାକୁ ହେବ... ଇତ୍ୟାଦି। ଅମ୍ବାନିଙ୍କ ଠାରୁ ୨୫,୦୦୦ କୋଟି ଟଙ୍କା ମିଳିଲେ ସେ ଏସବୁ ପ୍ରତିବନ୍ଧ ଦେୟ ତୁଟାଇବା ସହିତ କୌଣସି ନୂତନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉଦ୍ୟମ କରିବେ। ତାଙ୍କ ସମସ୍ୟାର ନିଜ ଦେଶ ଭିତରେ ଏହି ସମାଧାନ ପଥରେ କିନ୍ତୁ କଣ୍ଟା ହୋଇ ଆବିର୍ଭୂତ ହୋଇଛି ବିଦେଶୀ କମ୍ପାନି ଆମାଜନ୍- ଯାହାକୁ ଦିଲ୍ଲୀ ହାଇକୋର୍ଟରେ ଜବାବ ସୁଆଲ୍ ଅବସରରେ ରିଲାଏନ୍ସ ପକ୍ଷର ଓକିଲ ହରିଶ ସାଲ୍ଭେ ଡାରଵିନ୍ଙ୍କ ପୁସ୍ତକରୁ ଉଦ୍ଧାର କଲା ଭଳି ଆଜିର ‘ଇଷ୍ଟ ଇଣ୍ତିଆ କମ୍ପାନି’ ରୂପେ ଅଭିହିତ କରିଥିଲେ। ଭାରତରେ ତେଜରାତି ଓ ଖାଦ୍ୟ ଦ୍ରବ୍ୟ ପାଇଁ ଅନ୍ଲାଇନ୍ ବଜାର ହେଉଛି ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ବଜାର। ଏହି ବଜାର ଦଖଲ କରିବା ପାଇଁ ଦୁଇଟି ଆମେରିକୀୟ ଇ-କମର୍ସ କମ୍ପାନି ‘ଆମାଜନ୍’ ଓ ‘ଫ୍ଲିପ୍କାଟ୍’କୁ କ୍ରୟ କରିଥିବା ‘ଵାଲ୍ମାର୍ଟ’ ପ୍ରତିଯୋଗିତାରେ ବ୍ୟାପୃତ ଥିବା ବେଳେ ଏକ କୋଠରି ଭିତରେ ହାତୀଟିଏ ପ୍ରବେଶ କରିବା ଭଳି ‘ରିଲାଏନ୍ସ’ ନିକଟରେ ଭାରତୀୟ ଇ-କମର୍ସ କ୍ଷେତ୍ରରେ ପ୍ରବେଶ କରି ଏହି ବିଦେଶୀ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ଛାନିଆ କରି ଦେଇଛି। ‘ରିଲାଏନ୍ସ’ ପୂର୍ବରୁ ରହିଥିବା ଖାଉଟି ବ୍ୟବସାୟ (ତା’ର ଦେଶସାରା ପ୍ରାୟ ୧୨,୦୦୦ଟି ଷ୍ଟୋର ରହିଛି) ସହିତ ଫିଉଚର୍ ଗ୍ରୁପ୍ ମିଳିତ ହୋଇଗଲେ ଯେଉଁ ବିଶାଳ ଶକ୍ତି ସୃଷ୍ଟି ହେବ, ତାହା ଆମାଜନ୍ର ଉପସ୍ଥିତ ବ୍ୟବସାୟର ମଧୢ କ୍ଷୟ ସାଧନ କରିବ ବୋଲି ଆଶଙ୍କା କରି ଆମାଜନ୍ ଏ ଦୁଇ ଭାରତୀୟ ବ୍ୟବସାୟ ଗୋଷ୍ଠୀ ମିଳିତ ହେବା ପଥରେ ଅନ୍ତରାୟ ସୃଷ୍ଟି କରିବାକୁ ପ୍ରାଣାନ୍ତକ ଉଦ୍ୟମ ଚଳାଇଛି।
ଆମାଜନ୍ ଏଥିରେ ବୁଡ଼ିଯିବା ଲୋକ କୁଟାଖିଏକୁ ଆଶ୍ରା କଲାଭଳି ଯାହାକୁ ଆଶା କରିଛି ତାହା ହେଲା ‘ଫିଉଚର୍ କୁପନ୍’ ନାମକ ଅନ୍ୟ ଏକ ଶାଖା କମ୍ପାନିରେ ଆମାଜନ୍ ଗତ ବର୍ଷ କ୍ରୟ କରିଥିବା ୪୯ ପ୍ରତିଶତ ଅ˚ଶଧନ। ‘ଫିଉଚର୍ କୁପନ୍’ ମାଲିକାନାରେ ‘ଫିଉଚର୍ ରିଟେଲ୍’ର ମାତ୍ର ୭.୩ ପ୍ରତିଶତ ଅ˚ଶଧନ ଅଛି। ‘ଫିଉଚର୍ ରିଟେଲ୍’ ଯଦି କେବେ ବିକ୍ରି ହୁଏ ତେବେ ‘ଆମାଜନ’କୁ କିଣିବା ପାଇଁ ପ୍ରଥମ ସୁଯୋଗ ଦିଆଯିବ ବୋଲି ସେଇ ଚୁକ୍ତିରେ ସର୍ତ୍ତ ଥିଲା। ଆମାଜନ୍ କିନ୍ତୁ ସେଇ ଅନୁସାରେ କିଶୋର ବିୟାନିଙ୍କୁ ଯେଉଁ ମୂଲ୍ୟ ଦେବାକୁ ପ୍ରସ୍ତୁତ ଥିଲା, ତାହା ମୁକେଶ ଅମ୍ବାନି ଦେବାକୁ ପ୍ରସ୍ତୁତ ଥିବା ମୂଲ୍ୟଠାରୁ ବହୁତ କମ୍ ଥିଲା। ବର୍ତ୍ତମାନ ‘ଆମାଜନ’ କିନ୍ତୁ ସେଇ ଚୁକ୍ତିକୁ ଆଧାର କରି ରିଲାଏନ୍ସ ଦ୍ବାରା ‘ଫିଉଚର୍ ରିଟେଲ୍’ କ୍ରୟକୁ ପ୍ରତିରୋଧ କରିବା ପାଇଁ ସିଙ୍ଗାପୁରର ‘ଆର୍ବିଟ୍ରେସନ’ ଅଦାଲତର ଦ୍ବାରସ୍ଥ ହୋଇ ସେଠାରୁ ଏକ ସ୍ଥଗିତାଦେଶ ହାସଲ କରିବାରେ ସଫଳ ହେବା ପରେ ଦିଲ୍ଲୀ ହାଇକୋର୍ଟରେ ଅନ୍ୟ ଏକ ମାମଲା ବିଚାର ସରି ରାୟ ସ୍ଥଗିତ ରହିଛି। ଇତି ମଧୢରେ କିନ୍ତୁ ‘ଭାରତର କମ୍ପିଟିସନ୍ କମିସନ୍’ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ‘ରିଲାଏନ୍ସ-ଫିଉଚର୍ ଗ୍ରୁପ୍’ ମିଶ୍ରଣକୁ ଅନୁମୋଦନ ପ୍ରଦାନ କରିଛି। ଏହାପରେ ‘ସେବି’ର ଅନୁମୋଦନ ଲାଭ କେବଳ ଏକ ଔପଚାରିକତା ମାତ୍ର। ଫିଉଚର୍ କୁପନ୍ରେ ମାତ୍ର ୧୪୦୦ କୋଟି ଟଙ୍କା ନିବେଶ କରି ପ୍ରାୟ ୩୦,୦୦୦ କୋଟି ଟଙ୍କାର ସମ୍ପତ୍ତି ନିୟନ୍ତ୍ରଣ କରିବାକୁ ‘ଆମାଜନ’ ଚଳାଇଥିବା ଉଦ୍ୟମ ପଣ୍ତ ହେବାର ସମସ୍ତ ଲକ୍ଷଣ ଏବେ ଦେଖାଯାଉଛି। ଯଦି ତାହା ହୁଏ, ତେବେ ତାଲା ଖୋଲି ନ ପାରି କିମ୍ବା କବାଟ ଭାଙ୍ଗି ନ ପାରି ଏ ଅନୁପ୍ରବେଶକାରୀ ହତାଶ ହେଲା ବୋଲି କୁହାଯିବ।