ହିନ୍ଦୁ ପୁରାଣ ଶାସ୍ତ୍ର ଅନୁସାରେ ଶିବ ଯଦି ତାହାକୁ ପାନ କରି ନ ଥା’ନ୍ତେ, ତା’ହେଲେ ସମୁଦ୍ର ମନ୍ଥନରୁ ବାହାରିଥିବା ହଳାହଳ ସାରା ଜଗତ୍ରେ ସଞ୍ଚରି ଯାଇ ସମଗ୍ର ଜୀବ ଜଗତ୍ର ଧ୍ବ˚ସ ସାଧନ କରନ୍ତା। କୁହାଯାଇପାରେ ସେହିପରି ଭାରତରେ ବିତ୍ତୀୟ ମନ୍ଥନରୁ ବାହାରିଥିବା ଏକ ହଳାହଳ କବଳରୁ ଅର୍ଥନୀତିକୁ ରକ୍ଷା କରିବା ପାଇଁ ଗତ ସପ୍ତାହରେ ଜଣେ ମହାଦେବଙ୍କର ଆବିର୍ଭାବ ଘଟିଛି, ଯାହାର ନାମ ତା’ର ବିପଜ୍ଜନକ କାମ ସହିତ ତାଳ ଦେଇ କଥିତ ଭାଷାରେ ହେଉଛି- ‘ବ୍ୟାଡ୍ ବ୍ୟାଙ୍କ୍’ ବା ‘ଖରାପ ବ୍ୟାଙ୍କ୍’। ୨୦୨୧-୨୨ ବଜେଟ୍ରେ ଘୋଷିତ ଏହାର ଅସଲ ନାମ ହେଉଛି, ‘ନେସନାଲ୍ ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନି ଲିମିଟେଡ୍’ (‘ଏନ୍ଏଆର୍ସିଏଲ୍’), ଯାହାର କାମ ହେଉଛି ଅନ୍ୟ ଋଣ ପ୍ରଦାନକାରୀ ବ୍ୟାଙ୍କ୍ ମାନଙ୍କର ଖାତାରେ ପଡ଼ି ରହି ସେମାନଙ୍କ ପାଇଁ ଅସହନୀୟ ବୋଝ ସୃଷ୍ଟି କରୁଥିବା ପରିଶୋଧ ହୋଇ ପାରୁନଥିବା ବିଷାକ୍ତ ଋଣ ବା ଖରାପ ଋଣ ସବୁକୁ କ୍ରୟ କରି ନେଇ ସେଗୁଡ଼ିକର ବିଷ କାଢ଼ି ଦେବାକୁ ଚେଷ୍ଟା କରିବା।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ସପ୍ତାହରେ ସରକାର ଘୋଷଣା କରିଛନ୍ତି ଯେ ‘ଏନ୍ଏଆର୍ସିଏଲ୍’କୁ ୩୦,୬୦୦ କୋଟି ଟଙ୍କାର ଗ୍ୟାରେଣ୍ଟି ପ୍ରଦାନ କରାଯିବ, ଯାହା ବଳରେ ଏହି ‘ବ୍ୟାଡ୍ ବ୍ୟାଙ୍କ୍’ ଅନ୍ୟ ବ୍ୟାଙ୍କ୍ମାନଙ୍କ ଠାରୁ ୨ ଲକ୍ଷ କୋଟି ଟଙ୍କାର ଖରାପ ଋଣ ସ˚ଗ୍ରହ କରିବ। ‘ଇଣ୍ତିଆ ଡେଟ୍ ରେଜଲ୍ୟୁସନ୍ କମ୍ପାନି ଲିମିଟେଡ୍’ (‘ଆଇଡିଆର୍ସିଏଲ୍’) ନାମକ ଆଉ ଏକ କମ୍ପାନି ମାଧୢମରେ ଏହି ‘ବ୍ୟାଡ୍ ବ୍ୟାଙ୍କ୍’ ନିଜ ଖାତାକୁ ନେଇ ଆସିଥିବା ଏହି ଖରାପ ଋଣ ସବୁର ଉପଯୁକ୍ତ ପରିଚାଳନା କରି ଆସନ୍ତା ପାଞ୍ଚ ବର୍ଷ ମଧୢରେ ସେ ସମସ୍ତର ସମାଧାନ କରିବାକୁ ଲକ୍ଷ୍ୟ ରଖିଛି। ‘ଏନ୍ଏଆର୍ସିଏଲ୍’ର ୫୧ ଶତା˚ଶ ଅ˚ଶପତ୍ର ରହିଛି ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନଙ୍କ ମାଲିକାନାରେ।
ନୀଳକଣ୍ଠ ମହାଦେବଙ୍କ ଭଳି ନିଜର କଣ୍ଠରେ ଗରଳ ଧାରଣ କରିବାକୁ ବାହାରିଥିବା ଏହି ବ୍ୟାଡ୍ ବ୍ୟାଙ୍କ୍ର ପରିକଳ୍ପନା ଓ କାର୍ଯ୍ୟକଳାପ ବ୍ୟାଙ୍କମାନଙ୍କ ସହିତ ନିୟମିତ କାରବାର କରୁଥିବା ସାଧାରଣ ନାଗରିକମାନଙ୍କ ପାଇଁ ହଠାତ୍ ବୋଧଗମ୍ୟ ନ ହୋଇ ପାରୁଥାଏ। ଏକ ସମ୍ୟକ୍ ଧାରଣା ପାଇବା ପାଇଁ ଏହି ପରି ଏକ ଚିତ୍ରର ପରିକଳ୍ପନା କରାଯାଇପାରେ। ମନେକର କେତେକ ବ୍ୟାଙ୍କ୍ ଏକାଠି ହୋଇ ‘କିଙ୍ଗ୍ କ୍ରୋ ଏଆର୍ଲାଇନ୍ସ’ ନାମକ କମ୍ପାନିକୁ ୭୦୦ କୋଟି ଟଙ୍କାର ଋଣ ପ୍ରଦାନ କରିଥିଲେ, କିନ୍ତୁ ଏହି କମ୍ପାନିର ବ୍ୟବସାୟ ବୁଡ଼ିଗଲା- କିଙ୍ଗ୍ କ୍ରୋ ଡେଣା ମେଲାଇ ଉଡ଼ିବା ବନ୍ଦ କରିଦେଲା। ଋଣ ଦେଇଥିବା ବ୍ୟାଙ୍କ୍ମାନେ ସେମାନଙ୍କର ଋଣ ଆଉ ପରିଶୋଧ ହେବା ଆଶା ତ୍ୟାଗ କରି ବସିଲେ। ଏହି ସମୟରେ ନୀଳକଣ୍ଠ ସଦୃଶ ବ୍ୟାଡ୍ ବ୍ୟାଙ୍କ୍ର ଆବିର୍ଭାବ ଘଟିଲା। ଏହା ସେମାନଙ୍କୁ ଘର ପୋଡ଼ିରୁ ସୂତା ଖିଏ ଉଦ୍ଧାର କରିପାରିବାର ସୁଯୋଗ ପ୍ରଦାନ କଲା। ସେମାନେ ଏହି ୭୦୦ କୋଟି ଟଙ୍କାର ଋଣକୁ ୪୦୦ କୋଟି ଟଙ୍କା ମୂଲ୍ୟରେ ବ୍ୟାଡ୍ ବ୍ୟାଙ୍କ୍କୁ ‘ବିକ୍ରି’ କରି ଦେଲେ- ୩୦୦ କୋଟି ଟଙ୍କା ହରାଇବାକୁ ପ୍ରସ୍ତୁତ ହେଲେ। ସେମାନେ କିନ୍ତୁ ନିଜ ହାତରୁ ଯାଇଥିବା ଅର୍ଥର ତଥାପି ପ୍ରାୟ ୫୭ ଶତା˚ଶ ଉଦ୍ଧାର କରି ପାରିଲେ।
ବ୍ୟାଡ୍ ବ୍ୟାଙ୍କ୍ ଶସ୍ତାରେ କ୍ରୟ କରିଥିବା ଏହି ଋଣ ବା ପରିସମ୍ପତ୍ତି (ଆସେଟ୍)କୁ ବିକ୍ରି କରି କିଛି ଲାଭ ଅର୍ଜନ କରିବାକୁ ଉଦ୍ୟମ କରିବ। ମୂଳ ଋଣପ୍ରଦାନକାରୀ ବ୍ୟାଙ୍କ୍ ପ୍ରଦତ୍ତ ଋଣର ଆ˚ଶିକ ପରିଶୋଧ ହାସଲ କଲା ପରେ ତାହାର ବାକି ଅ˚ଶକୁ ‘ରାଇଟ୍ ଅଫ୍’ ବା ଛାଡ଼ କରି ଖାତାରୁ ନିଶ୍ଚିହ୍ନ କରି ଦେଇ ଖାତାକୁ ପରିଷ୍କାର କରି ଦେଇ ପାରିବ। ରୁଗ୍ଣ ହୋଇ ପଡ଼ିଥିବା ବ୍ୟାଙ୍କ୍ ପୁଣି ତା’ର ସ୍ବାସ୍ଥ୍ୟ ଫେରିପାଇବ। ଯେହେତୁ ପ୍ରଥମ କିସ୍ତିରେ ବ୍ୟାଡ୍ ବ୍ୟାଙ୍କ୍ ପ୍ରାୟ ୯୦,୦୦୦ କୋଟି ଟଙ୍କାର ଖରାପ ଋଣ ପରିଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି, ବ୍ୟାଡ୍ ବ୍ୟାଙ୍କ୍ ହାତରେ ସେଥିପାଇଁ ଯଥେଷ୍ଟ ନଗଦ ଅର୍ଥ ଉପଲବ୍ଧ ହେବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ ଯେ ଯେଉଁ ବ୍ୟାଙ୍କମାନେ ସେମାନଙ୍କର ଖରାପ ଋଣ ସବୁକୁ ବ୍ୟାଡ୍ ବ୍ୟାଙ୍କ୍କୁ ହସ୍ତାନ୍ତରିତ କରିବେ, ସେମାନେ ସେ ଋଣ ମୂଲ୍ୟର ଅନ୍ୟୂନ ୧୫ ଶତା˚ଶ ନଗଦ ଅର୍ଥ ଆକାରରେ ପାଇବାକୁ ଚାହିଁବେ। ବାକି ଅ˚ଶ ସେମାନଙ୍କୁ ପ୍ରତିଭୂତି ରସିଦ ବା ‘ସିକ୍ୟୁରିଟି ରିସିଟ୍’ ଆକାରରେ ପ୍ରଦାନ କରାଯିବ। ଭାରତ ସରକାର ଏହି ରସିଦକୁ ଗ୍ୟାରେଣ୍ଟି ପ୍ରଦାନ କରିବେ। ବ୍ୟାଡ୍ ବ୍ୟାଙ୍କ୍ ଯଦି ତା’ର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୁଏ, ତେବେ ସରକାର ସମ୍ପୃକ୍ତ ବ୍ୟାଙ୍କ୍ମାନଙ୍କୁ ସେମାନଙ୍କ ଦେୟ ପ୍ରଦାନ କରିବାକୁ ଆଗେଇ ଆସିବେ।
ଏ ସମଗ୍ର ପ୍ରକ୍ରିୟା ଆରମ୍ଭ ହେବା ପାଇଁ ବର୍ତ୍ତମାନ କେବଳ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ତିଆ ଠାରୁ ସବୁଜ ସ˚କେତକୁ ଅପେକ୍ଷା। ଋଣ ପ୍ରଦାନ କରିଥିବା ବ୍ୟାଙ୍କ୍ମାନେ ସେମାନଙ୍କ ଖାତାରେ ଥିବା ବିଷାକ୍ତ ଋଣ ସବୁର ଚିହ୍ନଟ ପ୍ରକ୍ରିୟା ପ୍ରାୟ ସମାପ୍ତ କରି ସାରିଲେଣି, ଯେଉଁଗୁଡ଼ିକୁ ‘ଏନ୍ଏଆର୍ସିଏଲ୍’କୁ ହସ୍ତାନ୍ତରିତ କରାଯିବ। ଏହି କମ୍ପାନି ମଧୢ ସେ ସବୁର ମୂଲ୍ୟାୟନ କରିବା ଆରମ୍ଭ କଲାଣି। ମନେ ରଖିବା କଥା, ବ୍ୟାଡ୍ ବ୍ୟାଙ୍କ୍ର ପରିକଳ୍ପନା କେବଳ ବିଷାକ୍ତ ଋଣ ସମସ୍ୟା ସମ୍ମୁଖୀନ ବ୍ୟାଙ୍କ୍ମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ଯେଉଁ କମ୍ପାନିମାନେ (ଯେମିତି ‘କିଙ୍ଗ୍ କ୍ରୋ ଏଆର୍ଲାଇନ୍ସ’) ବ୍ୟାଙ୍କ୍ରୁ ଋଣ ନେଇ ପରିଶୋଧ କରିବାକୁ ସକ୍ଷମ ହୋଇ ପାରି ନାହାନ୍ତି, ସେମାନଙ୍କୁ ଯଥାସମ୍ଭବ ସେ ସ˚କଟରୁ ମୁକ୍ତ କରିବା ମଧୢ ହେଉଛି ଏହି ପରିକଳ୍ପନାର ଉଦ୍ଦେଶ୍ୟ।
‘ଏନ୍ଏଆର୍ସିଏଲ୍’ ଠାରୁ ନଗଦ ଅର୍ଥ ଆକାରରେ ସମ୍ପୃକ୍ତ ବ୍ୟାଙ୍କ୍ ପ୍ରଥମେ ଋଣ ମୂଲ୍ୟର ୧୫ ଶତା˚ଶ ପାଇଯିବା ପରେ ଅନ୍ତତଃ ଖରାପ ଋଣ ସ୍ଥାନରେ ସେତିକି ପରିମାଣର ନଗଦ ଅର୍ଥ ଉପଲବ୍ଧ ହେବ। ପରେ ଅବଶିଷ୍ଟା˚ଶ ପାଇଁ ପାଇଥିବା ‘ସିକ୍ୟୁରିଟି ରିସିଟ୍’କୁ ବ୍ୟାଙ୍କ୍ ବଜାରରେ ବିକ୍ରି କରି ଅର୍ଥ ଉଠାଇ ପାରିବ। ତେବେ ସେଥି ପାଇଁ ଏକ ଉପଯୁକ୍ତ ବଜାର ମଧୢ ସୃଷ୍ଟି ହେବା ଆବଶ୍ୟକ। ଏହି ନୂତନ ବ୍ୟବସ୍ଥା ସମ୍ପୂର୍ଣ୍ଣ ସନ୍ତୋଷଜନକ ଭାବରେ କାର୍ଯ୍ୟ କରିବା ପାଇଁ ଯେ ସମୟ ଲାଗିବ, ଏଥିରେ ସନ୍ଦେହ ନାହିଁ।
ତେବେ ଏହି ସମୟରେ ଏକ ପ୍ରଶ୍ନ ଉଙ୍କି ମାରିବାକୁ ଆରମ୍ଭ କଲାଣି ଯେ ଏହି ନୀଳକଣ୍ଠ ବ୍ୟାଙ୍କ୍ର ଗରଳ ପାନ ପ୍ରକୃତରେ କାହାକୁ ଲାଭବାନ କରିବାକୁ ଉଦ୍ଦିଷ୍ଟ? ଏହା ସତ ଯେ ଖରାପ ଋଣ ପାହାଡ଼ ତଳେ ଚାପି ହୋଇ ରହିଥିବା ଅଧିକା˚ଶ ବ୍ୟାଙ୍କ୍ମାନ ହେଉଛନ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍। ଏହା ମଧୢ ସତ ଯେ କମ୍ପାନିମାନଙ୍କୁ ଋଣପ୍ରଦାନ ସମୟରେ ଏହି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନେ ସୁସ୍ଥ ବ୍ୟାଙ୍କିଙ୍ଗ୍ ନୀତି ଦ୍ବାରା ଯେତିକି ପ୍ରଭାବିତ ହୋଇଥାନ୍ତି, ତା’ଠାରୁ ଅଧିକ ପ୍ରଭାବିତ ହୋଇଥାନ୍ତି କ୍ଷମତାସୀନ ରାଜନୈତିକ ଓ ପ୍ରଶାସନିକ ଚାପ ଦ୍ବାରା। ଏହି କମ୍ପାନିମାନେ ଋଣ ପରିଶୋଧ କରି ନ ପାରିଲେ ତାହା ବିଷାକ୍ତ ପରିସମ୍ପତ୍ତିରେ ପରିଣତ ହୋଇ ବ୍ୟାଙ୍କ୍ର ଭବିଷ୍ୟତ୍ର ଋଣଦାନ କ୍ଷମତା ଓ ସ୍ବାଧୀନତାକୁ ସ˚କୁଚିତ କରିଥାଏ।
ବର୍ତ୍ତମାନ ‘ବ୍ୟାଡ୍ ବ୍ୟାଙ୍କ୍’ ପ୍ରତିଷ୍ଠା ମାଧୢମରେ ଏହି ବ୍ୟାଙ୍କ୍ମାନଙ୍କର ଖାତାକୁ ପୁଣି ସଫା କରି ଦିଆଗଲେ ସେମାନେ ପୁଣି ଯେତେବେଳେ ପୂର୍ବଭଳି ଋଣ ପ୍ରଦାନ କରିବାକୁ ଆରମ୍ଭ କରିବେ, ସେତେବେଳେ ଋଣପ୍ରାର୍ଥୀ କମ୍ପାନିମାନେ ହିଁ ଏହା ଦ୍ବାରା ଲାଭବାନ୍ ହେବେ। ଆଶା କରିବା କଥା ଏହା ଯେପରି ପୁଣି ଏକ ପାପଚକ୍ରକୁ ଜନ୍ମ ନ ଦିଏ। କାରଣ ଏହି ‘ବ୍ୟାଡ୍ ବ୍ୟାଙ୍କ୍’ ପରିକଳ୍ପନା ହେଉଛି ଶେଷରେ ସରକାରୀ ଗ୍ୟାରେଣ୍ଟି ଉପରେ ନିର୍ଭରଶୀଳ, ଅର୍ଥାତ୍ ସାଧାରଣ କରଦାତାଙ୍କ ଅର୍ଥ ଉପରେ ନିର୍ଭରଶୀଳ। ଉଭୟ ଋଣଦାତା ବ୍ୟାଙ୍କ୍ ଓ ଋଣଗ୍ରହୀତା ବ୍ୟବସାୟର ଅପରିଣାମଦର୍ଶିତା ପାଇଁ ଶେଷରେ ଯାହାକୁ ନୀଳକଣ୍ଠ ହେବାକୁ ପଡ଼ିବ, ସେ ‘ବ୍ୟାଡ୍ ବ୍ୟାଙ୍କ୍’ନୁହେଁ, ସେ ହେଉଛି କରଦାତା!