ଗାନ୍ଧୀ ପ୍ରେରଣା, ଓଡ଼ିଶାରେ ଚାରି ମହାପୁରୁଷ

ପାବକ କାନୁନ୍‌ଗୋ

ପ୍ରଭୁ ରାମଚନ୍ଦ୍ର ସୀତାଙ୍କୁ ଠାବ କରିବାକୁ ଲଙ୍କା ଯିବା ପୂର୍ବରୁ ଯେପରି ସେଥିପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ ଓ ବାଳୀ, ସୁଗ୍ରୀବଙ୍କ ଭଳି ବହୁ ସଚ୍ଚା ଭକ୍ତ ତାଙ୍କୁ ଏଥିରେ ସାହାଯ୍ୟ କରିଥିଲେ, ଗାନ୍ଧୀଜୀ ତାଙ୍କର ଅହି˚ସା ସ˚ଗ୍ରାମ ଆରମ୍ଭ କଲା ପୂର୍ବରୁ ଓ ପରେ ସେହିଭଳି କେତେ ଲୋକଙ୍କୁ ଭାରତର ବିଭିନ୍ନ ଅ˚ଶକୁ ପଠାଇଥିଲେ। ଗାନ୍ଧୀଜୀ ନଦୀ ହେଲେ ସେମାନେ ହୋଇଗଲେ ଗୋଟିଏ ଗୋଟିଏ ଶାଖା ବା ଉପନଦୀ। ତାଙ୍କରି ଗୁଜରାଟରୁ ସେ ଅନ୍ତତଃ ତିନି ଜଣଙ୍କୁ ଓଡ଼ିଶା ପଠାଇଥିଲେ, ଯେଉଁମାନେ ଓଡ଼ିଶାର ପାଣି, ମାଟି, ପବନ ସହିତ ନିଜକୁ ମିଶାଇ ଦେଇଥିଲେ। ଗେରୁଆ ବସ୍ତ୍ର ପରିଧାନ ନ କଲେ ମଧୢ ସେମାନେ ଥିଲେ ସନ୍ନ୍ୟାସୀ। ଶାନ୍ତି ଓ ସେବାର ଏହି ଦୂତମାନେ ଦୀନ, ଦରିଦ୍ର, ବୁଭୁକ୍ଷୁଙ୍କ ଭିତରେ ଈଶ୍ବରଙ୍କ ସତ୍ତା ଉପଲବ୍‌ଧି କରିଥିଲେ।

ଏହି ବିଷୟ ଆଲୋଚନା କଲାବେଳେ ପ୍ରଥମେ ଆସିଯାଏ ଠକ୍‌କର ବାପାଙ୍କ ନାମ। ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିବା ପରେ ପ୍ରଥମେ ବାପୁଜୀ ଏହାଙ୍କ ଠାରୁ ହିଁ ସଠିକ ଖବର ପାଇଲେ। ସାବରମତୀ ଆଶ୍ରମରେ ଥିବା ବିପ୍ଳବୀ ପଣ୍ତିତ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଠାରୁ ମଧୢ କିଛି ଶୁଣିଥିଲେ। ୧୯୧୯-୨୦ରେ ପୁରୀ ଜିଲ୍ଲାର ଗୋଟିଏ ବଡ଼ ଅ˚ଶରେ ଯେଉଁ ଦୁର୍ଭିକ୍ଷ ଦେଖାଦେଲା (ଯାହାକୁ ସାଧାରଣରେ ଡଭାର ଦୁର୍ଭିକ୍ଷ ବୋଲି କୁହାଯାଏ), ସେଠାରେ ସେବା କାର୍ଯ୍ୟ କରିବାକୁ ସେ ଠକ୍‌କର ବାପାଙ୍କୁ ଓଡ଼ିଶା ପଠାଇଥିଲେ। ସେ ଏଠାରେ ରହି ଗାଁକୁ ଗାଁ ରିଲିଫ ବାଣ୍ଟିଲେ, ଆହୁରି ବ୍ୟାପକ ଭାବରେ ଏହି କାର୍ଯ୍ୟ ଚଳାଇବାକୁ କ’ଣ କରାଯାଇପାରେ ସେ ସମ୍ପର୍କରେ ଗାନ୍ଧୀଜୀଙ୍କୁ ସବୁକଥା ଜଣାଇଲେ। ତାଙ୍କରି ଉଦ୍ୟମ ଫଳରେ ବିପୁଳ ପାଣ୍ଠି ସ˚ଗ୍ରହ ହୋଇ ଓଡ଼ିଶାକୁ ଆସିଲା। ସେହି ଅବସରରେ ଏହି ନିରଳସ ସାଧକ ଓଡ଼ିଶାର ଜଣାଶୁଣା ସବୁ ନେତା ଓ କର୍ମୀଙ୍କ ସହିତ ପରିଚିତ ହୋଇଗଲେ। ଏହା ପରେ ଯେତେବେଳେ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଉଥିଲା, ଗାନ୍ଧୀଜୀଙ୍କର ‘ପ୍ରତିନିଧି’ ଭାବରେ ସେ ଓଡ଼ିଶା ଆସୁଥିଲେ।

ଗାନ୍ଧୀଜୀଙ୍କର ଅସ୍ପୃଶ୍ୟତା ନିବାରଣ କାର୍ଯ୍ୟକ୍ରମରେ ଠକ୍‌କର ବାପା ଥିଲେ ତାଙ୍କର ପ୍ରଧାନ ସେନାପତି। ଏଥିପାଇଁ ଯେଉଁ ନିଖିଳ ଭାରତ ହରିଜନ ସେବକ ସ˚ଘ ଗଠିତ ହୋଇଥିଲା ତାହାର ମୁଖ୍ୟ ଥିଲେ ଠକ୍‌କର ବାପା। ଆଚାର୍ଯ୍ୟ ହରିହର ଦାସ ସଭାପତି ଓ ପଣ୍ତିତ ଲିଙ୍ଗରାଜ ମିଶ୍ର ସ˚ପାଦକ ଥାଇ ଉତ୍କଳ ହରିଜନ ସେବକ ସ˚ଘ ଗଠିତ ହୋଇଥିଲା। ୧୯୩୪ରେ ଭଦ୍ରକରୁ ପୁରୀ ପର୍ଯ୍ୟନ୍ତ ଐତିହାସିକ ହରିଜନ ପଦଯାତ୍ରା ହୋଇଥିଲା। ତାହାର ପ୍ରଧାନ ପରିଚାଳକ ଥିଲେ ଠକ୍‌କର ବାପା।

ଏହାଙ୍କର ପୂରା ନାମ ଅମୃତଲାଲ ବିଠଲଦାସ ଠକ୍‌କର। ଗୁଜରାଟର ଭବନଗରରେ ତାଙ୍କର ଜନ୍ମ। ସରକାରୀ ଚାକିରି କରୁଥିବା ବେଳେ ଅସ୍ପୃଶ୍ୟମାନଙ୍କ ଅବସ୍ଥା ଦେଖି ତାଙ୍କ ମନରେ କଠୋର ଆଘାତ ଲାଗିଥିଲା। ସଙ୍ଗେ ସଙ୍ଗେ ଚାକିରି ଛାଡ଼ି ଦେଇ ଗୋପାଳକୃଷ୍ଣ ଗୋଖ୍‌ଲେଙ୍କ ହିନ୍ଦ୍‌ ସେବକ ସମାଜର ସଭ୍ୟ ଭାବରେ ଯୋଗ ଦେଲେ। ରାଜନୀତିରୁ ଦୂରରେ ରହି, କଠୋର ତପସ୍ବୀ ଜୀବନ ଯାପନ କରି ଏହି ନିଷ୍ଠାବାନ ଈଶ୍ବର ଭକ୍ତ ଶ୍ରଦ୍ଧାର ସହିତ ନର ନାରାୟଣଙ୍କ ସେବାରେ ନିଜକୁ ଉତ୍ସର୍ଗ କଲେ। ଓଡ଼ିଆମାନଙ୍କ ପାଇଁ ତାଙ୍କ ମନରେ ଥିଲା ଅଜସ୍ର ଶ୍ରଦ୍ଧା ଓ କରୁଣା। ଉତ୍କଳମଣି ଗୋପବନ୍ଧୁ, ଗୋପବନ୍ଧୁ ଚୌଧୁରୀ, ହରେକୃଷ୍ଣ ମହତାବ ଓ ରମାଦେବୀଙ୍କ ସହିତ ତାଙ୍କର ଥିଲା ଅତ୍ୟନ୍ତ ଘନିଷ୍ଠତା ଓ ଆତ୍ମୀୟତା। ତାଙ୍କ ସେବା ଭିତରେ ଅହ˚ ନ ଥିଲା।

ଆଉ ଜଣେ ଗାନ୍ଧୀ ଭକ୍ତ ଥିଲେ ଜୀବରାମ କଲ୍ୟାଣଜୀ କୋଠାରୀ। ୧୯୨୭ରେ ବାଲେଶ୍ବରରେ ଭୀଷଣ ବନ୍ୟା ହେଲା। ଗାନ୍ଧୀଜୀ ସେତେବେଳେ ଓଡ଼ିଶାକୁ ଆସିଥାନ୍ତି ଖଦି ଗସ୍ତରେ। ଗୁଜରାଟର ଜୀବରାମ କଲ୍ୟାଣଜୀ କୋଠାରୀ ମଧୢ ତାଙ୍କ ସହିତ ଆସିଥାନ୍ତି। ଗାନ୍ଧୀଜୀ ଆଲୋଚନା ପ୍ରସଙ୍ଗରେ କହିଲେ, ‘ଓଡ଼ିଶା ପ୍ରଦେଶ ତ ଅତି ଗରିବ। ଏଠି କାମ କିପରି ହେବ?’ ସଙ୍ଗେ ସଙ୍ଗେ ଜୀବରାମଜୀ କହି ପକାଇଲେ- ଓଡ଼ିଶାରେ ଖଦି କାମ ପାଇଁ ମୁଁ ଏକ ଲକ୍ଷ ଟଙ୍କା ଦେବି। ବାପୁଜୀ ସଙ୍ଗେ ସଙ୍ଗେ କହିଲେ- ଓଡ଼ିଶାରେ ତୁମେ ନିଜେ ରହି ଏସବୁ କାମକୁ ସ˚ଗଠିତ କର। ବେଶ୍ ସେହି ଗୋଟିଏ ଧାଡ଼ିର କଥାରେ ଦରିଦ୍ର ନାରାୟଣଙ୍କ ସେବାର ଦୀକ୍ଷା ନେଇ ସେ ଦୁର୍ଗତ ଲୋକଙ୍କ ସେବାରେ ଲାଗିପଡ଼ିଲେ ଓ ଏହି ଠାରେ ହିଁ ଶେଷ ନିଃଶ୍ବାସ ତ୍ୟାଗ କଲେ। ଦରିଦ୍ର ଲୋକଙ୍କ ପ୍ରାଣରେ ସେ ଆଶାର ସଞ୍ଚାର କରିଥିଲେ।

ପରାଧୀନ ଭାରତରେ ଯେଉଁ କେତେ ଜଣ ଉଦାରଚେତା ବ୍ୟକ୍ତି ସେମାନଙ୍କ ସୁଖ ସ୍ବଚ୍ଛନ୍ଦ୍ୟକୁ ଭୁଲି ଯାଇ ଭାରତର ନିର୍ଯାତିତ ଜନତାର ସେବାରେ କାୟମନୋବାକ୍ୟରେ ନିଜ ନିଜକୁ ନିୟୋଜିତ କରିଥିଲେ ସେମାନଙ୍କ ଭିତରୁ ଜୀବରାମଜୀ ଅନ୍ୟତମ। ବମ୍ବେରେ ବଡ଼ ବ୍ୟବସାୟ ଛାଡ଼ି ସବୁ ଦିନ ପାଇଁ ସେ ଓଡ଼ିଶାକୁ ଚାଲି ଆସିଲେ। ଭଗବତ ପ୍ରେମୀ, ଉଦାର ହୃଦୟର ଅଧିକାରୀ, ନିଃସ୍ବାର୍ଥପର, ନିଷ୍ଠାପର ଏହି ଗାନ୍ଧୀ ସେବକ ଉତ୍କଳବାସୀଙ୍କୁ ନିରଳସ ଓ କର୍ମଠ କରିବା ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ। ସେଥିପାଇଁ ଗାନ୍ଧୀ ତାଙ୍କୁ କହିଥିଲେ ‘ଭକ୍ତ ଜୀବରାମ’। ହରିଜନ ସେବା ଓ ଅସ୍ପୃଶ୍ୟତା ନିବାରଣ କାର୍ଯ୍ୟରେ ତାଙ୍କର ଥିଲା ଅନବଦ୍ୟ ଅବଦାନ। ଗାନ୍ଧୀଜୀ କହିଥିଲେ- କେବଳ ଧନ ଦାନ କରି ସେ ସନ୍ତୋଷ ପାଇଲେ ନାହିଁ। ନିଜର ମନ ଓ ଶରୀରକୁ ଖଦି କାମରେ ସମର୍ପଣ କଲେ।

ଡକ୍ଟର ମହତାବ ଲେଖିଛନ୍ତି- ଜୀବରାମଜୀ ନିଜେ ଯେପରି ସର୍ବସ୍ବ ଦାନ କରି ନିଜକୁ ମଧୢ ଦାନ କରିଦେଲେ, ସେହିପରି ତାଙ୍କ ପ୍ରୋତ୍ସାହନରେ ଶ୍ରୀ ଈଶ୍ବରଲାଲ ବ୍ୟାସ ଓ ପୁରୁବାଈ ମଧୢ ଭଦ୍ରକ ଅଞ୍ଚଳରେ କାର୍ଯ୍ୟ କରିବା ପାଇଁ ସର୍ବସ୍ବ ତ୍ୟାଗ କଲେ। ଈଶ୍ବରଲାଲ ବ୍ୟାସ ଭଦ୍ରକ ଆଶ୍ରମରେ ରହିଲେ ଓ ପୁରୁବାଈ ସୋରରେ ଏକ ଆଶ୍ରମ ସ୍ଥାପନ କଲେ। ଗାନ୍ଧୀଜୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମହାପୁରୁଷମାନଙ୍କ ମଧ୍ୟରେ ଜୀବରାମଜୀ, ଈଶ୍ବରଲାଲ ବ୍ୟାସ ଓ ପୁରୁବାଈ ସେହିପରି ପ୍ରସିଦ୍ଧ। ସେମାନଙ୍କର ତ୍ୟାଗ ଓ ସେବା ବ୍ରତ ଆଗରେ ଇତିହାସର ମୁଣ୍ତ ନଇଁଯାଏ। ଅତି ଅସୁସ୍ଥ ହେବା ପରେ ମଧୢ ଜୀବରାମଜୀ ଆଶ୍ରମ ଛାଡ଼ି ଅନ୍ୟତ୍ର ଚିକିିତ୍ସା ପାଇଁ ଗଲେ ନାହିଁ। ଯଦି ମରିବି ଓଡ଼ିଶାରେ ହିଁ ମରିବି ବୋଲି କହି ସେ ଏଠାରେ ଶରୀର ତ୍ୟାଗ କଲେ।
ମୋ: ୯୭୭୬୦୪୪୭୩୬

ସମ୍ବନ୍ଧିତ ଖବର