ଅଷ୍ଟାଦଶ ଶତାବ୍ଦୀର ଇଂେରଜ୍ ପ୍ରେସ୍ବିଟାରିଆନ୍ ଧର୍ମାଧୀଶ ରେଭରେଣ୍ଡ୍ ଥମାସ୍ ବାୟେସ୍ ଆଧ୍ୟାତ୍ମିକ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଯେତିକି ସ୍ମରଣଯୋଗ୍ୟ ହୋଇ ନାହାନ୍ତି, ତା’ଠାରୁ ବହୁ ଗୁଣ ଅଧିକ ହୋଇଛନ୍ତି ଏକ ସମ୍ପୂର୍ଣ୍ଣ ଅଣ-ଆଧ୍ୟାତ୍ମିକ କ୍ଷେତ୍ରରେ ସେ ଛାଡ଼ି ଯାଇଥିବା ଅଲିଭା ପଦଚିହ୍ନ ପାଇଁ। ଏ କ୍ଷେତ୍ର ହେଉଛି- ପରିସଂଖ୍ୟାନ ବିଜ୍ଞାନ। ରେଭରେଣ୍ଡ୍ ବାୟେସ୍ ଥିଲେ ପ୍ରବୃତ୍ତିରେ ଜଣେ ଉତ୍ସାହୀ ଗଣିତଜ୍ଞ। ତାଙ୍କର ଏହି ଉତ୍ସାହ ପ୍ରତିଫଳିତ ହୋଇଥିବା ଯେଉଁ ଏକ ଧାରଣା ପାଇଁ ପରିସଂଖ୍ୟାନ ଶାସ୍ତ୍ରରେ ଚିର ଦିନ ପାଇଁ ତାଙ୍କର ସ୍ଥାନ ସୁରକ୍ଷିତ ହୋଇ ରହିଛି, ତାହା ଏକ ଉପପାଦ୍ୟ ବା ‘ଥିଓରମ୍’ ଆକାରରେ ସୁପରିଚିତ: ‘ବାୟେସ୍ ଥିଓରମ୍’।
ଏହା ହେଉଛି ପରିସଂଖ୍ୟାନ ଶାସ୍ତ୍ରର ‘ସମ୍ଭାବନା’ ବା ‘ପ୍ରୋବାବିଲିଟି’ ବିଷୟ ସମ୍ପର୍କିତ ଏକ ଧାରଣା, ଯାହାର ସରଳ ମର୍ମ ହେଉଛି- କୌଣସି ଏକ ଘଟଣା ଘଟବାର ସମ୍ଭାବନା ଏହା ପୂର୍ବରୁ ଏକ ଘଟଣା ଘଟିଥିବାର ସମ୍ଭାବନା ଉପରେ ନିର୍ଭର କରିଥାଏ, ଯାହାକୁ ସର୍ତ୍ତମୂଳକ ସମ୍ଭାବନା ରୂପେ ବର୍ଣ୍ଣନା କରାଯାଇପାରେ। ଏକ ତାସ ମୁଠାକୁ ବ୍ୟବହାର କରି ଏହି ବାୟେସୀୟ ଧାରଣାକୁ ସରଳ ଭାବରେ ବୁଝିବାକୁ ଚେଷ୍ଟା କରାଯାଇ ପାରେ। ଏକ ମୁଠାରେ ୫୨ଟି ତାସ ଥାଏ। ତୁମେ ଆଖି ବନ୍ଦ କରି ସେଥି ମଧ୍ୟରୁ ଯେ କୌଣସି ଗୋଟିଏ ତାସକୁ ଟାଣି ଆଣିଲେ, ତାହା ଏକ ‘ଟୀକା’ ହୋଇଥିବାର ସମ୍ଭାବନା କେତେ ହେବ? ଏକ ମୁଠାରେ ଚାରିଟି ‘ଟୀକା’ ଥାଏ; ଏଣୁ ଏହି ସମ୍ଭାବନା ହେବ: ୪/୫୨ ବା ୧/୧୩। ମନେକର ତୁମେ ପ୍ରଥମ ଥର ଟାଣିଥିବା ତାସ୍ଟି ‘ଟୀକା’ ହୋଇଥିବା ଦେଖାଗଲା। ତୁମେ ଯଦି ଦ୍ବିତୀୟ ଥର ଆଉ ଏକ ତାସ ଟାଣ, ତେବେ ତାହା ମଧ୍ୟ ପୁଣି ‘ଟୀକା’ ଟିଏ ହୋଇଥିବା ସମ୍ଭାବନା କେତେ ହେବ? ଏଥର ମୁଠାରେ ୫୧ଟି ତାସ ଅଛି ଓ ସେଥିରେ ଅଛି ତିନିଟି ‘ଟୀକା’; ଏଣୁ ଏଥର ତୁମେ ‘ଟୀକା’ଟିଏ ଟାଣିଥିବାର ସମ୍ଭାବନା ହେବ ୩/୫୧। ଏହାର ଅର୍ଥ ଦ୍ବିତୀୟ ଥର ତୁମେ ଏକ ‘ଟୀକା’ ଟାଣିବାର ସମ୍ଭାବନା ହେଉଛି ସର୍ତ୍ତମୂଳକ; ଏହା ତୁମର ଏକ ପୂର୍ବ କାର୍ଯ୍ୟ ଉପରେ ନିର୍ଭର କରିଥାଏ: ସେ କାର୍ଯ୍ୟ ହେଲା- ତୁମେ ପୂର୍ବ ଥର ମୁଠାରୁ ଗୋଟିଏ ପଟ ତାସ କାଢ଼ି ଅଲଗା କରି ଦେଇଛ, ଯେଉଁଟି ଥିଲା ଏକ ‘ଟୀକା’। ତେଣୁ ପ୍ରତି ଥର ତୁମେ ଯଦି ମୁଠାରୁ ଏକ ‘ଟୀକା’ ଟାଣିବାର ସମ୍ଭାବନା ନିର୍ଣ୍ଣୟ କରିବାକୁ ଚାହଁ, ତେବେ ତୁମକୁ ତୁମର ପୂର୍ବ କାର୍ଯ୍ୟର ଫଳାଫଳକୁ ହିସାବରେ ଅନ୍ତର୍ଭୁକ୍ତ କରିବାକୁ ହେବ।
ବୋଧହୁଏ, ସରକାରଙ୍କର ଅର୍ଥ ମନ୍ତ୍ରଣାଳୟ ସୋମବାର ଦିନ ସଂସଦରେ ଉପସ୍ଥାପିତ କରିଥିବା ବାର୍ଷିକ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ୍ଟିକୁ ଏକ ଓଜନଦାର ପରିଚୟ ପ୍ରଦାନ କରିବା ପାଇଁ ରେଭରେଣ୍ଡ୍ ବାୟେସ୍ଙ୍କର ସାହାଯ୍ୟ ନିଆଯାଇ କୁହାଯାଇଛି ଯେ ତାଙ୍କ ଉପଦେଶ ଗ୍ରହଣ କଲା ଭଳି ସରକାର ଚଳିତ ବିତ୍ତ ବର୍ଷ ସାରା ଅର୍ଥନୀତିର ଶୁଶ୍ରୂଷା କରିବା ସମୟରେ ଅନବରତ ଭାବରେ ଏ ବାବଦରେ ନିଆ ହୋଇ ଚାଲିଥିବା ପଦକ୍ଷେପମାନଙ୍କର ଫଳାଫଳକୁ ହିସାବକୁ ନେଇଛନ୍ତି। ଏହା ସତ ଯେ ପାଣ୍ଡେମିକ୍ ଆହତ ଦୁର୍ବଳ ଶ୍ରେଣୀକୁ ବଞ୍ଚାଇ ରଖିବା ପାଇଁ ସରକାର ଏହି ସମୟରେ କିଛି ସୁରକ୍ଷା ଜାଲ ବିସ୍ତାର କରିଛନ୍ତି; କିନ୍ତୁ ଏହା ମଧ୍ୟ ସତ ଯେ ସମସ୍ତ ବିଶେଷଜ୍ଞ ଉପଦେଶକୁ ଉପେକ୍ଷା କରି ସରକାର ସାମଗ୍ରିକ ଚାହିଦାରେ ଉନ୍ନତି ଘଟାଇବା ପାଇଁ କୌଣସି ବିଶାଳ ଆୟ ସୃଷ୍ଟିକାରୀ ପଦକ୍ଷେପ ନେଇ ନାହାନ୍ତି। ଯୋଗାଣ ପାର୍ଶ୍ବରେ ମଧ୍ୟ କୋଭିଡ୍ଗ୍ରସ୍ତ ଅସ୍ବାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗାଣ ଶୃଙ୍ଖଳକୁ ସାବଲୀଳ କରିବା ପାଇଁ ସରକାର କୌଣସି ବିଶେଷ ସହାୟକ ପଦକ୍ଷେପ ନେବା ଦେଖାଯାଇ ନାହିଁ। ତେଣୁ ତାସ ମୁଠାରୁ ଆଦୌ ତାସ ନ ଟାଣି ମଧ୍ୟ ତାସ ଟାଣି ତା’ର ଫଳାଫଳକୁ ହିସାବକୁ ନେଇ ନିଜକୁ ବାୟେସ୍ଙ୍କ ଅନୁଗାମୀ ବୋଲି ଦାବି କରିବା ବାସ୍ତବତା ଉପରେ ଆଧାରିତ ହୋଇଥିବା ଭଳି ମନେ ହୁଏ ନାହିଁ।
ଏଭଳି ଦୁଃସମୟରେ ଭାରତୀୟ ଅର୍ଥନୀତି ଯଦି ଏକ ଅପେକ୍ଷାକୃତ ଉତ୍ତମ ପ୍ରଦର୍ଶନ ହାସଲ କରିପାରିଥାଏ, ତାହା ସରକାରଙ୍କର ପ୍ରତ୍ୟକ୍ଷ ସାହାଯ୍ୟ ଯୋଗୁଁ ନୁହେଁ, ଅର୍ଥନୀତିର ଅନ୍ତର୍ନିହିତ ଶକ୍ତି ଯୋଗୁଁ ସମ୍ଭବ ହୋଇଛି ବୋଲି କହିବା ଅଧିକ ଯଥାର୍ଥ ହେବ। ଭାରତୀୟ ଅର୍ଥନୀତି ୨୦୨୧-୨୨ରେ ହାସଲ କରି ୯.୨ ଶତାଂଶ ବାର୍ଷିକ ବାସ୍ତବ ଅଭିବୃଦ୍ଧି ହାର ହେଉଛି ସର୍ବେକ୍ଷଣରେ ଦର୍ଶା ଯାଇଥିବା ଏହି ଉତ୍ତମ ପ୍ରଦର୍ଶନର ପ୍ରମାଣ। କେବଳ ଏହି ଅଭିବୃଦ୍ଧି ହାର ଯେ ପ୍ରାକ୍-ପାଣ୍ଡେମିକ୍ ହାରକୁ ଅତିକ୍ରମ କରିଛି, କେବଳ ତାହା ନୁହେଁ, ଦେଶର ‘ମୋଟ ବାର୍ଷିକ ଜାତୀୟ ଉତ୍ପାଦ’ ବା ‘ଜିଡିପି’ର ଆକାର ମଧ୍ୟ ପାଣ୍ଡେମିକ୍-ପୂର୍ବ ସ୍ତର ଅତିକ୍ରମ କରିବାକୁ ଉଭୟ ଏକ ଅର୍ଥନୈତିକ ତଥା ମନସ୍ତାତ୍ତ୍ବିକ ପ୍ରତିବନ୍ଧ ଅତିକ୍ରମ ବୋଲି ବିଚାର କରିବା ଯଥାର୍ଥ ହେବ। ୨୦୨୨-୨୩ ପାଇଁ ସର୍ବେକ୍ଷଣରେ ପ୍ରଦାନ କରା ଯାଇଥିବା ଅର୍ଥନୈତିକ ଅଭିବୃଦ୍ଧି ହାର ଏହା ଠାରୁ ସାମାନ୍ୟ କମ୍ (୮-୮.୫ ଶତାଂଶ) ହୋଇଥିବାରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ। ଚଳିତ ବିତ୍ତ ବର୍ଷରେ ଅର୍ଥନୀତିକୁ ଏକ ନୀଚା ଭୂମିରୁ ଉଠି ଅଭିବୃଦ୍ଧି ପଥରେ ଆରୋହଣ କରିବାକୁ ହୋଇଥିଲା, ଯାହା ଅପେକ୍ଷାକୃତ କମ୍ ଆୟାସସାଧ୍ୟ ହୋଇଥାଏ। ଆଗାମୀ ବର୍ଷ ଅର୍ଥନୀତିକୁ ଏହି ନୀଚା ଭୂମି ସହାୟତା ଉପଲବ୍ଧ ହେବ ନାହିଁ।
ସରକାରଙ୍କ ସମସ୍ତ ନିଷ୍କ୍ରିୟତା ମଧ୍ୟରେ ଯେଉଁ ଏକ ପଦକ୍ଷେପ ଅବଶ୍ୟ ଶକ୍ତିଶାଳୀ, ବ୍ୟାପକ ଓ ପ୍ରଭାବଶାଳୀ ହୋଇଛି, ତାହା ହେଉଛି ଟିକାକରଣ। ଟିକା ନେଇ ଉଭୟ ସ୍ବାସ୍ଥ୍ୟଗତ ଓ ମନସ୍ତାତ୍ତ୍ବିକ ଭାବରେ ନିଜକୁ କରୋନା ଠାରୁ ସୁରକ୍ଷିତ ଅନୁଭବ କଲା ପରେ ଲୋକମାନେ ଘର ଭିତରୁ ବାହାରି କର୍ମ କ୍ଷେତ୍ର ଦିଗରେ ମୁହାଁଇବା ସହିତ ତାଳ ଦେଇ କର୍ମସ୍ଥଳୀମାନ ମଧ୍ୟ ପୁଣି ଉନ୍ମୁକ୍ତ ଓ ଚଳଚଞ୍ଚଳ ହେବାକୁ ଆରମ୍ଭ କରିଛନ୍ତି। କିନ୍ତୁ ଥରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇ ପୂର୍ବାବସ୍ଥା ଫେରି ଆସିବା ପରେ ଆଉ ଅଧିକ ଦ୍ରୁତ ଅଭିବୃଦ୍ଧି ସହଜଲବ୍ଧ ହେବ ନାହିଁ। କୃଷି କ୍ଷେତ୍ରରେ ଏହି ସମୟରେ ଯେଉଁ ଅତ୍ୟନ୍ତ ସନ୍ତୋଷଜନକ ପ୍ରଦର୍ଶନ ଦେଖାଯାଇଛି, ତାହାର ମୁଖ୍ୟ କାରଣ ହେଉଛି ଲଗାତାର ଅନୁକୂଳ ପାଣିପାଗ। ନିକଟ ଭବିଷ୍ୟତରେ ସେଥିରେ ଆଉ ଅଧିକ ଅଭିବୃଦ୍ଧି ଆଶା କରାଯାଇ ପାରିବ ନାହିଁ। ଅତଏବ ଚାହିଦା ଅଭାବର ସମ୍ମୁଖୀନ ଶିଳ୍ପ ବାଣିଜ୍ୟ କ୍ଷେତ୍ରକୁ ପ୍ରକୃତ ପ୍ରୋତ୍ସାହନ ଦେବା ପାଇଁ ସରକାର ଏଥର ବାସ୍ତବ ପଦକ୍ଷେପ ମାନ ନେବା ଆବଶ୍ୟକ। ତାସ ମୁଠାରୁ ପ୍ରକୃତରେ ତାସ ଟାଣିବା ଆବଶ୍ୟକ।