ବ୍ରାୟନ ନିକୋଲ ହୁଅନ୍ତୁ ବା ଏଲନ୍ ମସ୍କ ବା ଟେଲର୍ ସ୍ବିଫ୍ଟ; ଏମାନେ ସମସ୍ତେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥିବାରୁ ଏହା ବୁଝିଥିବେ ଯେ ପ୍ରକୃତି କଦାପି କପଟାଚରଣ କରି ନ ଥାଏ। ତେଣୁ ଜଳବାୟୁ ପରିବର୍ତ୍ତନର ବିଭୀଷିକା କାଲିଫର୍ନିଆର ମନୋରମ ପାଣିପାଗେର ପରିବର୍ତ୍ତନ ଘଟାଇବାକୁ ହୁଏତ ସଂକୋଚ କରିବ ନାହିଁ; ବା ନ୍ୟୁ ପୋର୍ଟ ବିଚ୍ ସହରର ବେଳାଭୂମି ମଧ୍ୟ ସାଗରରେ ବିଲୀନ ହୋଇଯିବାର ନିଷ୍ଠୁର ବାସ୍ତବତା ଦିନେ ହୁଏତ ଉଜାଗର ହୋଇପାରେ! ଏବଂ ‘କାର୍ବନ କପଟୀ’ମାନଙ୍କ ସଂଖ୍ୟା ବୃଦ୍ଧି ଘଟିଲେ ଏଭଳି ସ୍ଥିତି ହୁଏତ ଶୀଘ୍ର ଉପସ୍ଥିତ ହୋଇପାରେ!
ପୃଥିବୀର ଅନ୍ୟତମ ସର୍ବବୃହତ୍ କଫି-ପାନୀୟ ପରଷୁଥିବା କଂପାନି ‘ଷ୍ଟାର୍ବକ୍ସ’ ନିକଟରେ ବ୍ରାୟାନ ନିକୋଲଙ୍କୁ ତା’ର ନୂତନ ‘ସି.ଇ.ଓ.’ (ପରିଚାଳନା ମୁଖ୍ୟ) ଭାବେ ନିଯୁକ୍ତି ଦେବା ସହିତ ଏକ ତୁମୂଳ ପର୍ଯ୍ୟାବରଣ ସଂପର୍କିତ ବିବାଦର ସୂତ୍ରପାତ ହୋଇଯାଇଛି; ଯାହାର ହେତୁ ହେଉଛି ନିକୋଲଙ୍କ ନିଯୁକ୍ତିରେ ରହିଥିବା ଏକ ଅଭିନବ ସର୍ତ୍ତ, ଯାହା ଅନୁସାରେ କଂପାନି ପ୍ରଦତ୍ତ ଏକ ବ୍ୟକ୍ତିଗତ େଜଟ୍ ବିମାନରେ ସେ କାଲିଫର୍ନିଆସ୍ଥିତ ତାଙ୍କ ବାସଭବନରୁ ୧୦୦୦ ମାଇଲ ଅର୍ଥାତ୍ ୧୬୦୦ କିଲୋମିଟର ଦୂରବର୍ତ୍ତୀ ସିଆଟେଲ୍ରେ ଅବସ୍ଥିତ ‘ଷ୍ଟାର୍ବକ୍ସ’ର ମୁଖ୍ୟ ଦପ୍ତରରେ ସପ୍ତାହକୁ ମାତ୍ର ତିନି ଦିନ ଲାଗି ଯାଇ କାର୍ଯ୍ୟ ତଦାରଖ କରିବେ। କହିବା ବାହୁଲ୍ୟ, ଅମିତ ବିତ୍ତଶାଳୀମାନଙ୍କ ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନଶୈଳୀ କ୍ରମେ ଦେହସୁହା ହୋଇ ଉଠିଥିବା ପରିପ୍ରେକ୍ଷୀରେ ଏଭଳି କଥା ଏକ ସାଧାରଣ ବ୍ୟାପାର ଭଳି ଦିଶିଥାଏ; କିନ୍ତୁ ଉଦ୍ବେଗର ବିଷୟ ହେଲା ମାତ୍ର ଜଣେ ବ୍ୟକ୍ତିଙ୍କ ଦ୍ବାରା ସାପ୍ତାହିକ ପ୍ରାୟ ୧୦,୦୦୦ କିଲୋମିଟରର ବିମାନ ଯାତ୍ରା କାରଣରୁ ନିର୍ଗତ ହେବାକୁ ଥିବା ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ କ୍ଷତିକାରକ ‘ସବୁଜ ଗୃହ’ ବା ‘ଗ୍ରିନ୍ ହାଉସ’ ଗ୍ୟାସ୍ ପୃଥିବୀର ପରିବେଶକୁ ଆହୁରି କ୍ଷତାକ୍ତ କରିବ। ଏଭଳି ସ୍ଥଳେ ‘କାର୍ବନ୍ ହିପୋକ୍ରେସି’ ବା ‘କାର୍ବନ୍ କପଟାଚାର’ ଭଳି ଏକ ଅଭିବ୍ୟକ୍ତି ପ୍ରାସଙ୍ଗିକ ହୋଇଉଠେ, କାରଣ ପରିବେଶ ଅନୁକୂଳ ଆଭିମୁଖ୍ୟ ପୋଷଣ କରୁଥିବା ହେତୁ ‘ଷ୍ଟାର୍ବକ୍ସ’ ନିଜ ଲାଗି ଏକ ସ୍ବତନ୍ତ୍ର ଭାବମୂର୍ତ୍ତି ନିର୍ମାଣ କରି ସାରିଛି। ଏହି ସଂଦର୍ଭକୁ ଭିତ୍ତି କରି ‘କାର୍ବନ କପଟାଚାର’ ଓ ‘କାର୍ବନ କପଟୀ’ମାନଙ୍କ ସଂପର୍କରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଉଲ୍ଲେଖଯୋଗ୍ୟ ଯେ କଫି-ପାନୀୟ ବଜାରରେ ‘ଷ୍ଟାର୍ବକ୍ସ’ର ରାଜୁତି କ୍ରମେ ଦୁର୍ବଳ ପଡୁଥିବାର ସଂକେତ ମିଳିବା ପରେ ଅଗତ୍ୟା ବ୍ରାୟନ ନିକୋଲଙ୍କ କୁହୁକ ସ୍ପର୍ଶ ଅନିବାର୍ଯ୍ୟ ହୋଇ ଉଠିଛି। କହିବା ବାହୁଲ୍ୟ, କଂପାନି ପରିଚାଳକ ଭାବେ ନିକୋଲଙ୍କ ‘ଟ୍ରାକ୍ ରେକର୍ଡ’ ଅତ୍ୟନ୍ତ ଈର୍ଷଣୀୟ ଏବଂ ୨୦୧୮ ମସିହାରେ ସେ ମେକ୍ସିକୀୟ ଫାଷ୍ଟ ଫୁଡ୍ କଂପାନି ‘ଚିପଟୋଲେ’ରେ ଯୋଗ ଦେବା ପରେ କଂପାନିର ଷ୍ଟକ୍ ମୂଲ୍ୟରେ ଏକ ଅକଳ୍ପନୀୟ ୭୭୩ ପ୍ରତିଶତ ବୃଦ୍ଧି ଘଟିଥିଲା। ତେବେ, ନିକୋଲଙ୍କ ସହିତ ‘ଷ୍ଟାର୍ବକ୍ସ’ କରିଥିବା ଚୁକ୍ତିରେ ନିହିତ ଅସଂଗତିଟି ହେଲା ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନର ଘନଘଟାକୁ ନେଇ ଘୋର ଉଦ୍ବିଗ୍ନ ଏହି କଂପାନି ପ୍ଲାଷ୍ଟିକ୍ ପରିବର୍ତ୍ତେ କାଗଜ ଷ୍ଟ୍ର’ର ବ୍ୟବହାର କରି ହେଉ କିମ୍ବା ଥରଟିଏ କଫି ପାନ ପରେ ନଷ୍ଟ ହୋଇ ଯାଉଥିବା ଭଳି କଫି ପିଆଲାର ବ୍ୟବସ୍ଥା କରି ହେଉ ଅଥବା ସର୍ବୋତ୍ତମ ପରିବେଶ ଅନୁକୂଳ ପଦ୍ଧତିରେ କଫି ଚାଷ କରାଇ ତହିଁରୁ କଫି ସଂଗ୍ରହର ଉଦ୍ୟମ କରି ହେଉ, ଅର୍ଜନ କରିଥିବା ସୁନାମ ନିକୋଲଙ୍କ ସକାଶେ ତା’ର ବହ୍ବାଡ଼ମ୍ବରୀ ଓ ବିପୁଳ କାର୍ବନ ଉତ୍ସର୍ଜନକାରୀ ପ୍ରୋତ୍ସାହନ ଦ୍ବାରା ଅଗତ୍ୟା କ୍ଷୁଣ୍ଣ ହୋଇଛି। ସୁତରାଂ ‘ଷ୍ଟାର୍ବକ୍ସ’ ଏକ ‘କାର୍ବନ କପଟାଚାରୀ’ ରୂେପ ଅପବାଦିତ ହେବାରେ ଲାଗିଛି। ଏକ ଅନୁଶୀଳନ କହିଥାଏ ଯେ ପୃଥିବୀର ସର୍ବାଧିକ ବିତ୍ତଶାଳୀ ୨% ସେମାନଙ୍କ ଉପଭୋଗବାଦୀ ବିଳାସପୂର୍ଣ୍ଣ କାର୍ଯ୍ୟକଳାପ ଦ୍ବାରା ଯେତିକି ‘ଗ୍ରିନ୍ ହାଉସ୍ ଗ୍ୟାସ୍’ ଉତ୍ସର୍ଜନ କରିଥାଆନ୍ତି, ପୃଥିବୀର ୬୭% ସାଧାରଣ ଲୋକ ମିଳିତ ଭାବେ ତା’ ଠାରୁ କମ୍ କାର୍ବନ ନିର୍ଗମନ କରନ୍ତି। ଅବଶ୍ୟ, ଏହା ଏକ ଭିନ୍ନ ବ୍ୟାପାର ଯେ ଏଭଳି ଅର୍ବପତିମାନଙ୍କ ଦ୍ବାରା ନିଯୁକ୍ତ ସଦା ସତର୍କ ଜନ ସଂପର୍କ କର୍ମଚାରୀଙ୍କ ଦଳ ଏହି ଅଭିଯୋଗ ଆଦିକୁ ଖଣ୍ଡନ କରି କହିଥାଆନ୍ତି ଯେ ଅର୍ବପତିମାନେ ସୃଷ୍ଟି କରୁଥିବା ‘କାର୍ବନ’ ତୁଳନାରେ ସେମାନେ ଅଧିକ ପରିମାଣର ‘କାର୍ବନ’ ଶୋଷଣ କରିନେବାର ବ୍ୟବସ୍ଥା ମଧ୍ୟ କରନ୍ତି; ‘କାର୍ବନ କ୍ରେଡିଟ୍’ ମାଧ୍ୟମରେ ବିପୁଳ ପୁଂଜି ବିନିବେଶ କରି ବ୍ୟାପକ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି ବା ପୁନର୍ବିନ୍ୟାସ କରନ୍ତି। କିନ୍ତୁ ‘ୱାଶିଂଟନ ପୋଷ୍ଟ୍’ରେ ପ୍ରକାଶିତ ଏକ ଅନୁସନ୍ଧାନମୂଳକ ରିପୋର୍ଟ ଏହା ସହିତ ଏକମତ ନ ହୋଇ କହିଥାଏ ଯେ ଅର୍ବପତିମାନଙ୍କ ଦ୍ବାରା ସୃଷ୍ଟ ‘କାର୍ବନ ପଦଚିହ୍ନ’ର ଏକ ମୋଟାମୋଟି ହିସାବ ମିଳିବା ସମ୍ଭବ ହେଉଥିବା ବେଳେ କ୍ଷତି ଭରଣା ସକାଶେ ସେମାନଙ୍କ ଉଦ୍ୟମର ଫଳାଫଳ ବା ପରିଣାମ ନେଇ କୌଣସି ନିଶ୍ଚିତ ହିସାବ ନ ଥାଏ। ଏ ସଂଦର୍ଭରେ ବ୍ରାଜିଲର ଆମାଜନ ବୃଷ୍ଟିବଣ ଅଞ୍ଚଳରେ ହୋଇଥିବା ‘କାର୍ବନ୍ କ୍ରେଡିଟ୍ ପ୍ରୋଜେକ୍ଟ’ର ଦୃଷ୍ଟାନ୍ତ ଦେଇ ସେହି ରିପୋର୍ଟେର କୁହାଯାଇଥିଲା କିଭଳି ଅଭିସନ୍ଧି ପୋଷଣ କରି ବେଆଇନ ଭାବେ ଅଧିକୃତ ଜମିରେ ବ୍ୟାପକ ଜଙ୍ଗଲ ସୃଷ୍ଟି କରାଯାଇଛି, ଯାହା ପଛରେ ମଧ୍ୟ ଲାଭାର୍ଜନର ଗୁପ୍ତ ଆଶା ବିଦ୍ୟମାନ!
ଗଲା ଦୁଇ ଦଶନ୍ଧି ମଧ୍ୟରେ ପୃଥିବୀରେ ଅର୍ବପତିମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ସହିତ ସ୍ବାଭାବିକ ଭାବେ କାର୍ବନ କପଟୀଙ୍କ ସଂଖ୍ୟା ମଧ୍ୟ ସ୍ଫୀତ ହୋଇଛି। କାରଣ ସେମାନଙ୍କ ପ୍ରଚୁର ବିତ୍ତ ସ୍ବାଭାବିକ ଭାବେ ଯେଉଁ ଭୋଗବାଦୀ ଜୀବନଚର୍ଯ୍ୟା ସୃଷ୍ଟି କରିଛି, ତହିଁରେ ‘କାର୍ବନ ପଦଚିହ୍ନ’ ବହୁଗୁଣିତ ହୋଇଛି; ଏଣେ ପୃଥିବୀକୁ ଆକ୍ରାନ୍ତ କରୁଥିବା ଜଳବାୟୁ ପରିବର୍ତ୍ତନ ସମସ୍ୟାର ନିରାକରଣ ଲାଗି ପ୍ରଭାବଶାଳୀ ବ୍ୟକ୍ତିବିଶେଷ ରୂପେ ଏମାନଙ୍କ ମୁଖ ନିସୃତ ଭାଷଣ ଓ ମନ୍ତବ୍ୟ ବିଭିନ୍ନ ମଞ୍ଚରେ କଳରବ ମଧ୍ୟ ସୃଷ୍ଟି କରୁଛି! ଏପରିକି ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଶିଖର ସମ୍ମିଳନୀମାନରେ ଯୋଗ ଦେବା ଲାଗି ଏମାନଙ୍କ ମଧ୍ୟରୁ ଅନେକ ସେମାନଙ୍କ ବ୍ୟକ୍ତିଗତ ବିମାନରେ ସାରା ପୃଥିବୀ ଘୂରି ବୁଲୁଛନ୍ତି। ଏକ ରିପୋର୍ଟ କହିଥାଏ ଯେ କେବଳ ୨୦୨୩ ମସିହାରେ ପ୍ରସିଦ୍ଧ ଗାୟିକା ଟେଲର୍ ସ୍ବିଫ୍ଟ ନିଜ ଘରୋଇ ବିମାନରେ ଯାତ୍ରା କରି ୧୨୦୦ ଟନ୍ କାର୍ବନ ଉତ୍ସର୍ଜନ କରିଥିଲେ। ସେହିଭଳି ୨୦୨୨ ମସିହାରେ ପ୍ରସିଦ୍ଧ ଟେଲିଭିଜନ ଟକ୍ ସୋ ତାରକା ଓଫ୍ରା ୱିନଫ୍ରିଙ୍କ ବ୍ୟକ୍ତିଗତ ବିମାନରୁ ବାୟୁମଣ୍ଡଳକୁ ୩୫୦୦ ଟନ କାର୍ବନ ଉତ୍ସର୍ଜିତ ହୋଇଥିଲା। ସେହିଭଳି ସଡ଼କରେ ମୋଟର ଦ୍ବାରା ମାତ୍ର ଅଧଘଣ୍ଟାର ଦୂରତାକୁ ଅତିକ୍ରମ କରିବା ପରିବର୍ତ୍ତେ ଏଲନ୍ ମସ୍କ ୯ ମିନିଟ୍ର ବିମାନ ଯାତ୍ରା କରିବାକୁ ପସନ୍ଦ କରନ୍ତି, ଯାହା କାର୍ ଠାରୁ କେଇ ଶହ ଗୁଣ କାର୍ବନ ନିର୍ଗମନ କରିଥାଏ। ପ୍ରକାଶ ଥାଉ କି କିଛି ବର୍ଷ ତଳେ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଅଲ ଗୋରଙ୍କୁ ଜଣେ ‘କାର୍ବନ କପଟୀ’ ରୂପେ ଚିତ୍ରଣ କରାଯାଇଥିଲା; କାରଣ, ଜଳବାୟୁ ପରିବର୍ତ୍ତନର ନିଷ୍ଠୁର ଓ ଉଦ୍ବେଗଜନକ ବାସ୍ତବତାକୁ ତାଙ୍କ ଦ୍ବାରା ପ୍ରସ୍ତୁତ ଏକ ଉଚ୍ଚ ମାନର ବୃତ୍ତଚିତ୍ର ପୃଥିବୀ ସାରା ଗଭୀର ଆଲୋଡ଼ନ ସୃଷ୍ଟି କରୁଥିବା ବେଳେ ତାଙ୍କ ଉପଭୋଗବାଦୀ ଭବ୍ୟ ଜୀବନଶୈଳୀ ହେତୁ ପରିବେଶ ସମସ୍ୟା ପ୍ରତି ତାଙ୍କ ଅଙ୍ଗୀକାର ପ୍ରଶ୍ନାକୁଳ ହୋଇ ଉଠିଥିଲା। କିନ୍ତୁ କଥା ହେଲା ଇତିମଧ୍ୟରେ ଅନେକ ‘କାର୍ବନ କପଟୀ’ଙ୍କ ଆବିର୍ଭାବ ଘଟିଛି ଏବଂ ଘଟିବାରେ ଲାଗିଛି।
କାଲିଫର୍ନିଆର ନ୍ୟୁ ପୋର୍ଟ ବିଚ୍ ସହରର ସୂର୍ଯ୍ୟ ସ୍ନାତ ବେଳାଭୂମିରେ ଏକ ମନୋରମ ପ୍ରାସାଦରେ ସେଠାକାର ଚମତ୍କାର ପାଣିପାଗ ଉପଭୋଗ କରୁଥିବା ବ୍ରାୟନ ନିକୋଲ ସମ୍ଭବତଃ ସେହି ସ୍ଥାନ ପରିତ୍ୟାଗ କରିବାକୁ କୁଣ୍ଠା ପ୍ରକାଶ କରନ୍ତି! ତାହା ହୋଇ ନ ଥିଲେ ତାଙ୍କୁ ଲାଭ କରିବା ଲାଗି ‘ଚିପଟୋଲେ’ କଂପାନି ତା’ର ହେଡ୍କ୍ବାର୍ଟସକୁ କଲରାଡୋରୁ କାଲିଫର୍ନିଆକୁ ଘେନି ଆସି ନ ଥାଆନ୍ତା! ଏବେ ‘ଷ୍ଟାର୍ବକ୍ସ’ରେ ଯୋଗ ଦେବା ସକାଶେ ସଦା ମେଘାଚ୍ଛନ୍ନ ସିଆଟେଲ୍ରେ ରହଣି ତାଙ୍କୁ ଆକର୍ଷଣୀୟ ଲାଗି ନ ଥିବ! ତେଣୁ ତାଙ୍କ ଲାଗି ‘ଷ୍ଟାର୍ବକ୍ସ’ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଥିବ! ତେବେ, ବ୍ରାୟନ ନିକୋଲ ହୁଅନ୍ତୁ ବା ଏଲନ୍ ମସ୍କ ବା ଟେଲର୍ ସ୍ବିଫ୍ଟ; ଏମାନେ ସମସ୍ତେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥିବାରୁ ଏହା ବୁଝିଥିବେ ଯେ ପ୍ରକୃତି କଦାପି କପଟାଚରଣ କରି ନ ଥାଏ। ତେଣୁ ଜଳବାୟୁ ପରିବର୍ତ୍ତନର ବିଭୀଷିକା କାଲିଫର୍ନିଆର ମନୋରମ ପାଣିପାଗେର ପରିବର୍ତ୍ତନ ଘଟାଇବାକୁ ହୁଏତ ସଂକୋଚ କରିବ ନାହିଁ; ବା ନ୍ୟୁ ପୋର୍ଟ ବିଚ୍ ସହରର ବେଳାଭୂମି ମଧ୍ୟ ସାଗରରେ ବିଲୀନ ହୋଇଯିବାର ନିଷ୍ଠୁର ବାସ୍ତବତା ଦିନେ ହୁଏତ ଉଜାଗର ହୋଇପାରେ! ଏବଂ ‘କାର୍ବନ କପଟୀ’ମାନଙ୍କ ସଂଖ୍ୟା ବୃଦ୍ଧି ଘଟିଲେ ଏଭଳି ସ୍ଥିତି ହୁଏତ ଶୀଘ୍ର ଉପସ୍ଥିତ ହୋଇପାରେ!