ଏଇ ସମୟରେ ଯଦି ପାଶ୍ଚାତ୍ୟ ଶକ୍ତିମାନେ ଓ ଆରବ ଦେଶମାନେ ଲେବାନନ୍ର ସେନାବାହିନୀକୁ ଆବଶ୍ୟକ ସହାୟତା ପ୍ରଦାନ କରି ତା’ର ସାମରିକ ଶକ୍ତି ବୃଦ୍ଧି କରନ୍ତେ, ତା’ହେଲେ ହୁଏତ ଏଥର ୨୦୦୬ର ପୁନରାବୃତ୍ତି ହୁଅନ୍ତା ନାହିଁ ଓ ଇସ୍ରାଏଲ୍ ଖୁବ୍ଶୀଘ୍ର ହମାସ୍ ଉପରେ ବିଜୟ ହାସଲ କରି ଗାଜାରେ ଯୁଦ୍ଧର ଅନ୍ତ ଘଟାଇବାରେ ସକ୍ଷମ ହୁଅନ୍ତା। ଏହାଦ୍ବାରା ସେଇ ବିକ୍ଷୁବ୍ଧ ଅଞ୍ଚଳରେ ହୁଏତ କିଛି କାଳ ଶାନ୍ତି ଓ ସ୍ଥିରତା ବିରାଜମାନ କରନ୍ତା।
ଶେଷରେ ଅସମ୍ଭବ ସମ୍ଭବ ହେବା ପରି ଇସ୍ରାଏଲ୍ ସମ୍ମୁଖୀନ ହୋଇଥିବା ଦ୍ବିମୁଖୀ ଆକ୍ରମଣର ଗୋଟିଏ ପଟରେ ଯୁଦ୍ଧ ବିରତି ଘୋଷିତ ହୋଇଛି। ଉତ୍ତର ପଟେ ଲେବାନନ୍ରେ ଅାସ୍ଥାନ ଜମାଇ ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ମାଡ଼ କରି ଚାଲିଥିବା ଇରାନ୍-ସାହାଯ୍ୟପ୍ରାପ୍ତ ଇସ୍ଲାମୀୟ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା ବର୍ତ୍ତମାନ ପାଇଁ େସଥିରୁ କ୍ଷାନ୍ତ ହେବାକୁ ଯାଉଛି। ନଭେମ୍ବର ୨୬ରେ ଉଭୟ ପକ୍ଷ ଯୁଦ୍ଧ ବିରତି ପାଇଁ ସହମତ ହୋଇଛନ୍ତି। କିନ୍ତୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏହା ଯେ ସତରେ ଘଟିବାକୁ ଯାଉଛି, ସେ ନେଇ କେହିହେଲେ ନିଶ୍ଚିତ ନ ଥିଲେ। ସେଇଦିନ ଅପରାହ୍ଣରେ ହିଁ ଲେବାନନ୍ର ରାଜଧାନୀ ବେରୁଟ୍ ଉପରେ ଇସ୍ରାଏଲ୍ ଯେଉଁ ବୋମା ବର୍ଷା କରିବା ଦେଖାଯାଇଥିଲା, ତାହା ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ହୋଇଥିବା ବୋମାମାଡ଼ ମଧ୍ୟରେ ଭୀଷଣତମ ଥିଲା ବୋଲି କୁହାଯାଇପାରେ। ଆତଙ୍କିତ ବେରୁଟ୍ବାସୀମାନେ ହଜାର ହଜାର ସଂଖ୍ୟାରେ ପ୍ରାଣ ବିକଳରେ ଯେଉଁ ସମୟରେ ସହର ଛାଡ଼ି ପଳାଇବାରେ ଲାଗିଥିଲେ, ସେଇ ସମୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କର କ୍ୟାବିନେଟ୍ ବୈଠକରେ ଯୁଦ୍ଧବିରତି ପ୍ରସ୍ତାବକୁ ଅନୁମୋଦନ କରାଯିବା ସମ୍ବନ୍ଧରେ ଆଲୋଚନା ଚାଲିଥିଲା।
ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏହି ପ୍ରସ୍ତାବ ସମ୍ବନ୍ଧରେ ଏକ ଟେଲିଭିଜନ ବାର୍ତ୍ତା ମାଧ୍ୟମରେ ତାଙ୍କ ଦେଶବାସୀଙ୍କୁ ଅବଗତ କରାଇଲେ। ପରେ ପରେ ଏହି ଯୁଦ୍ଧବିରତିର ମୁଖ୍ୟ ସୂତ୍ରଧର ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍ ଏ ସଂପର୍କରେ ଘୋଷଣା କରିବା ଦେଖାଗଲା। ନଭେମ୍ବର ୨୭ ଭୋର ୪.୦୦ଟା ସମୟରୁ ବଳବତ୍ତର ହୋଇଥିବା ଏହି ଯୁଦ୍ଧବିରତି ଅନୁସାରେ ଆଗାମୀ ୬୦ ଦିନ ପାଇଁ ଉଭୟ ପକ୍ଷ ପରସ୍ପର ଉପରେ ଆକ୍ରମଣରୁ ନିବୃତ୍ତ ରହିବେ ଏବଂ ହେଜବୋଲ୍ଲା ତା’ର ଯୋଦ୍ଧାମାନଙ୍କୁ ସୀମାଠାରୁ ୩୦ କିମି ଦୂରରେ ଥିବା ଲିଟାନି ନଦୀର ଉତ୍ତରକୁ ଅପସାରିତ କରିନେବ। ଇସ୍ରାଏଲ୍ ମଧ୍ୟ କ୍ରମେ ତା’ର ସୈନ୍ୟମାନଙ୍କୁ ଦକ୍ଷିଣ ଲେବାନନ୍ରୁ ଅପସାରିତ କରି ଆଣିବ। ଏହି ଅପସାରିତ ଅଞ୍ଚଳରେ ଶାନ୍ତି ରକ୍ଷା ପାଇଁ ଲେବାନନ୍ର ୫,୦୦୦ ସୈନ୍ୟ ସେଠାରେ ମୁତୟନ ହେବେ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଯଦି ଲେବାନନ୍ ପଟରୁ ପୁନରାୟ କିଛି ବିପଦ ଦେଖାଦିଏ, ତେବେ ଚୁକ୍ତି ଅନୁସାରେ ଇସ୍ରାଏଲ୍ ତତ୍କ୍ଷଣାତ୍ ପ୍ରତିଆକ୍ରମଣ କରିପାରିବ ବୋଲି ଇସ୍ରାଏଲ୍କୁ ଅଧିକାର ପ୍ରଦାନ କରାଯାଇଛି।
ଉଭୟ ପକ୍ଷଙ୍କ ମଧ୍ୟରେ ବର୍ଷାଧିକ କାଳ ଧରି ଯେଉଁ ଲଢ଼େଇ ଚାଲିଛି, ତାହାର ମୂଳରେ ରହିଛି ୨୦୨୩ ଅକ୍ଟୋବର ୭ରେ ଗାଜାର ଆତଙ୍କବାଦୀ ସଂଗଠନ ହମାସ୍ର ଜେହାଦୀମାନେ ଇସ୍ରାଏଲ୍ ଉପରେ କରିଥିବା ଲୋମହର୍ଷଣକାରୀ ବର୍ବର ଆକ୍ରମଣ। ଆକ୍ରମଣକାରୀମାନେ ହତ୍ୟା, ଧର୍ଷଣ, ଗୃହଦାହ ଆଦି ବର୍ବର କାଣ୍ଡ ଘଟାଇବା ପରେ ଯେଉଁ ଶତାଧିକ ନିରୀହ ଇସ୍ରାଏଲୀ ନାଗରିକମାନଙ୍କୁ ଅପହରଣ କରିନେଇଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଏ ପର୍ଯ୍ୟନ୍ତ ପଣବନ୍ଦୀ ଅବସ୍ଥାରେ ହମାସ୍ ଦ୍ବାରା ବନ୍ଦୀ ହୋଇ ରହିଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅନେକଙ୍କର ମୃତ୍ୟୁ ଘଟିସାରିଲାଣି ବୋଲି ଆଶଙ୍କା କରାଯାଉଛି। ଏହି ଘଟଣା ପରେ ଇସ୍ରାଏଲ୍ ଯେତେବେଳେ ଗାଜାରେ ହମାସ୍ ଉପରେ ପ୍ରତିଆକ୍ରମଣ ଚଳାଇଲା, ହମାସ୍କୁ ସମର୍ଥନ ଜଣାଇ ହେଜବୋଲ୍ଲା ଉତ୍ତର ଦିଗରୁ ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଆରମ୍ଭ କରିଦେଲା, ଯାହା ଫଳରେ ଲକ୍ଷ ଲକ୍ଷ ଇସ୍ରାଏଲୀ ଦେଶର ଉତ୍ତର ଅଞ୍ଚଳରେ ଥିବା ନିଜର ଘରଦ୍ବାରା ଛାଡ଼ି ଦକ୍ଷିଣକୁ ପଳାୟନ କରିଛନ୍ତି।
ପ୍ରାୟ ବର୍ଷେ କାଳ ଇସ୍ରାଏଲ୍ ନିଜ ସୀମା ଭିତରେ ଥାଇ ହେଜବୋଲ୍ଲା ଆତଙ୍କବାଦୀ ଆକ୍ରମଣର ମୁକାବିଲା କରିବା ପରେ ଶେଷରେ ଅନନ୍ୟୋପାୟ ହୋଇ ଅକ୍ଟୋବରରେ ତା’ର ସୈନ୍ୟମାନେ ସୀମା ଅତିକ୍ରମ କରି ଲେବାନନ୍ରେ ପ୍ରବେଶ କରି ହେଜବୋଲ୍ଲା ଜେହାଦୀମାନଙ୍କ ସହିତ ପ୍ରତ୍ୟକ୍ଷ ସଂଗ୍ରାମରେ ଲିପ୍ତ ହେଲେ। ଏହି ସମୟରେ ଇସ୍ରାଏଲ୍ର ଚମକପ୍ରଦ ଆକ୍ରମଣରେ ହେଜବୋଲ୍ଲାର ପ୍ରାୟ ସମସ୍ତ ସର୍ବୋଚ୍ଚ ନେତୃବୃନ୍ଦଙ୍କର ପ୍ରାଣନାଶ ଘଟିସାରିଲାଣି, ଯେଉଁମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଏ ପର୍ଯ୍ୟନ୍ତ ତିନି ଦଶନ୍ଧିରୁ ଅଧିକ କାଳ ଧରି ହେଜବୋଲ୍ଲାର ମୁଖ୍ୟ ଥିବା ଓ ଅପରାଜେୟ ମନେ ହେଉଥିବା ହାସାନ୍ ନସ୍ରାଲ୍ଲା। ବର୍ଷ ବର୍ଷ ଧରି ହେଜବୋଲ୍ଲା ଇରାନ୍ ଠାରୁ ପାଇଥିବା ଯେଉଁ ଲକ୍ଷାଧିକ ଅତ୍ୟାଧୁନିକ କ୍ଷେପଣାସ୍ତ୍ରମାନ ଦକ୍ଷିଣ ଲେବାନନ୍ରେ ଆକ୍ରମଣ ପାଇଁ ପ୍ରସ୍ତୁତ କରି ରଖିଥିଲା, ସେଥିମଧ୍ୟରୁ ଅଧିକାଂଶ ଇସ୍ରାଏଲ୍ର ଆକ୍ରମଣରେ ଧ୍ବଂସ ପାଇଛି। ଆଉ ଅଧିକ କ୍ଷତି ଘଟିବାକୁ ନ ଦେବା ପାଇଁ ହେଜବୋଲ୍ଲା ବର୍ତ୍ତମାନ ଯୁଦ୍ଧରେ ସାମୟିକ ବିରତି ଘଟିବା ଚାହୁଛି। ଇସ୍ରାଏଲ୍ ମଧ୍ୟ ଦ୍ବିମୁଖୀ ଯୁଦ୍ଧରେ ନିଜର ସୈନ୍ୟସାମନ୍ତ ଓ ଅସ୍ତ୍ରଶସ୍ତ୍ର ବିକ୍ଷିପ୍ତ ହେବା ଚାହୁନାହିଁ, ଯାହା ଫଳରେ ଗାଜାରେ ସେ ତା’ର ସମସ୍ତ ସାମରିକ ଶକ୍ତି କେନ୍ଦ୍ରୀଭୂତ କରିପାରୁନାହିଁ।
କିନ୍ତୁ ଉଭୟ ପକ୍ଷ ମଧ୍ୟ ଏହି ଯୁଦ୍ଧବିରତି ଚୁକ୍ତି ନେଇ ସଂପୂର୍ଣ୍ଣ ରୂପେ ନିଶ୍ଚିନ୍ତ ହୋଇପାରିବା ସମ୍ଭବ ନୁହେଁ। ଇସ୍ରାଏଲ୍ର ଭୟ ଯେ ଏଥର ମଧ୍ୟ ୨୦୦୬ର ପୁନରାବୃତ୍ତି ଘଟିପାରେ। ସେତେବେଳେ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧର ଅନ୍ତ ଘଟାଇବା ଉଦ୍ଦେଶ୍ୟରେ ଜାତିସଂଘର ଯେଉଁ ‘ସଂକଳ୍ପ ୧୭୦୧’ ସ୍ବାକ୍ଷରିତ ହୋଇଥିଲା, ଅଳ୍ପଦିନ ମଧ୍ୟରେ ହେଜବୋଲ୍ଲା ତାହାର ଉଲ୍ଲଂଘନ କରି ତା’ର ଶକ୍ତି ଠୁଳ କରି ପୁଣି ଇସ୍ରାଏଲ୍ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲା। ଏଥର ଭଳି ସେବେ ମଧ୍ୟ ଶାନ୍ତି ରକ୍ଷା ପାଇଁ ଲେବାନନ୍ର ସୈନ୍ୟବାହିନୀ ଉପରେ ଦାୟିତ୍ବ ନ୍ୟସ୍ତ କରାଯାଇଥିଲେ ହେଁ, ଏହି ଦୁର୍ବଳ ସେନାବାହିନୀ ହେଜବୋଲ୍ଲାର ଦୁର୍ଦ୍ଧର୍ଷ ଜେହାଦୀମାନଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା।
ଲେବାନନ୍ର ଅର୍ଥନୀତି ଏବେ ପ୍ରାୟ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବାରୁ ତା’ର ସେନାବାହିନୀ ସମ୍ବଳ ଅଭାବରୁ ଯେଉଁଭଳି ଦୁର୍ବଳ ଅବସ୍ଥାରେ ଅଛି, ତାହା ପକ୍ଷରେ ଇରାନ୍ ଦ୍ବାରା ପରିପୁଷ୍ଟ ହେଜବୋଲ୍ଲାକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ। ଏହାର ଏକ ଉଦାହରଣ ସ୍ବରୂପ ଠିକଣା ସମୟରେ ବେତନ ପାଉ ନ ଥିବା ଲେବାନିଜ୍ ସୈନ୍ୟମାନେ ପେଟ ପୋଷିବା ପାଇଁ ଟ୍ୟାକ୍ସି ଚଳାଇବା ବା ସେଇଭଳି ଅନ୍ୟ ବୃତ୍ତିରୁ ସାମୟିକ ଭାବରେ ରୋଜଗାର କରିବା ପାଇଁ ଚେଷ୍ଟା କରିବା ଦେଖାଯାଇଥାଏ। ଏଇ ସମୟରେ ଯଦି ପାଶ୍ଚାତ୍ୟ ଶକ୍ତିମାନେ ଓ ଆରବ ଦେଶମାନେ ଲେବାନନ୍ର ସେନାବାହିନୀକୁ ଆବଶ୍ୟକ ସହାୟତା ପ୍ରଦାନ କରି ତା’ର ସାମରିକ ଶକ୍ତି ବୃଦ୍ଧି କରନ୍ତେ, ତା’ହେଲେ ହୁଏତ ଏଥର ୨୦୦୬ର ପୁନରାବୃତ୍ତି ହୁଅନ୍ତା ନାହିଁ ଓ ଇସ୍ରାଏଲ୍ ଖୁବ୍ଶୀଘ୍ର ହମାସ୍ ଉପରେ ବିଜୟ ହାସଲ କରି ଗାଜାରେ ଯୁଦ୍ଧର ଅନ୍ତ ଘଟାଇବାରେ ସକ୍ଷମ ହୁଅନ୍ତା। ଏହାଦ୍ବାରା ସେଇ ବିକ୍ଷୁବ୍ଧ ଅଞ୍ଚଳରେ ହୁଏତ କିଛି କାଳ ଶାନ୍ତି ଓ ସ୍ଥିରତା ବିରାଜମାନ କରନ୍ତା। ଆଶା ସଂପୃକ୍ତ ଦେଶମାନେ ଏ ଦିଗରେ ବିହିତ ପଦକ୍ଷେପ ନେବେ।