ପୃଥିବୀର ଅଧିକାଂଶ ପ୍ରଗତିଶୀଳ ଦେଶରେ ବୈବାହିକ ଧର୍ଷଣ ଅପରାଧ ରୂପେ ପରିଗଣିତ ହୋଇସାରିଲାଣି। ଆମେରିକା, କାନାଡା, ବ୍ରିଟେନ୍, ଅଷ୍ଟ୍ରେଲିଆ ଆଦି ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ମୁଖ୍ୟତଃ ମଧ୍ୟପ୍ରାଚ୍ୟର ଇସ୍ଲାମୀୟ ଦେଶମାନ ଓ ଅାଫ୍ରିକାର କେତେକ ରକ୍ଷଣଶୀଳ ପଛୁଆ ଦେଶମାନଙ୍କରେ ଏ ପର୍ଯ୍ୟନ୍ତ ନାରୀମାନଙ୍କୁ ଏହି ଅତ୍ୟାଚାରରୁ ମୁକ୍ତି ମିଳିନାହିଁ। ନିଜକୁ ବିଶ୍ବଗୁରୁ ରୂପେ ପ୍ରଦର୍ଶିତ କରୁଥିବା ଭାରତ ଏହି ଦ୍ବିତୀୟ କିମସର ଦେଶମାନଙ୍କୁ ଅନୁସରଣ କରିବା ନିଶ୍ଚିତ ରୂପେ ଆମକୁ ଗୌରବାନ୍ବିତ କରି ନ ଥାଏ।
ଭାରତର ମୁଖ୍ୟ ବିଚାରପତି ପଦରୁ ଅବସର ଗ୍ରହଣ କରିବାର ମାତ୍ର କେତେଦିନ ପୂର୍ବରୁ ଧନଞ୍ଜୟ ଚନ୍ଦ୍ରଚୂଡ଼ ଯେଉଁ ଏକ ମାମଲାର ଶୁଣାଣିରେ ନିଜକୁ ସଂପୃକ୍ତ କରିବାକୁ ମନା କରି ଓହରି ଯାଇଥିଲେ (ଆଇନର ଭାଷାରେ- ‘ରେକ୍ୟୁଜାଲ୍’), ତାହାର ବିବର୍ତ୍ତନୀୟ ମନସ୍ତତ୍ତ୍ବର ଏକ ନିର୍ଦ୍ଦିଷ୍ଟ ତତ୍ତ୍ବ ସହିତ ନିବିଡ଼ ସଂପର୍କ ରହିଛି ବୋଲି କହିଲେ ବୋଧହୁଏ ଭୁଲ୍ ହେବ ନାହିଁ। ୧୯୬୭ରେ ପ୍ରକାଶ ପାଇ ବ୍ୟାପକ ଲୋକପ୍ରିୟତା ହାସଲ କରିଥିବା ତାଙ୍କର ପୁସ୍ତକ ‘ଦି ନେକେଡ୍ ଏପ୍’ ମାଧ୍ୟମରେ ଲେଖକ ପ୍ରଖ୍ୟାତ ଜୀବବିଜ୍ଞାନୀ ଡେସ୍ମଣ୍ଡ୍ ମରିସ୍ ପ୍ରସାର କରିଥିବା ଏହି ତତ୍ତ୍ବ ଅନୁସାରେ ଯୌନ ସଂପର୍କ ଦୃଷ୍ଟିକୋଣରୁ ମନୁଷ୍ୟ ହେଉଛି ଏକ ‘ଯୋଡ଼ି-ଆବଦ୍ଧ’ (‘ପେଆର୍-ବଣ୍ଡିଙ୍ଗ୍’) ‘ଜାତି’ ବା ‘ସ୍ପିସିଜ୍’। ଏହି ତତ୍ତ୍ବର ଚରମ ସଂସ୍କରଣ ଅନୁସାରେ ପ୍ରକୃତି ବା ବିବର୍ତ୍ତନ ନାରୀ ଓ ପୁରୁଷଙ୍କୁ ଏକ ଜୀବନବ୍ୟାପୀ ଗଭୀର ଏକ-ପତ୍ନୀକ ଯୌନ ସଂପର୍କ ସ୍ଥାନ କରିବା ପାଇଁ ତିଆରି କରିଛି। ତାଙ୍କର ଏହି ‘ଯୋଡ଼ି-ଆବଦ୍ଧ’ ତତ୍ତ୍ବର ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଂଶ ସ୍ବରୂପ ମରିସ୍ ନାରୀମାନଙ୍କୁ ସାଧାରଣତଃ ସେମାନଙ୍କର ଯୋଡ଼ିଦାର ଅର୍ଥାତ୍ ପତିମାନଙ୍କ ପ୍ରତି ଅଧିକ ଯୌନ-ବିଶ୍ବସ୍ତ ହୋଇଥିବା ପ୍ରଦର୍ଶିତ କରିଥିଲେ।
ଏଭଳି ଯୋଡ଼ି-ଆବଦ୍ଧ ଅବସ୍ଥା ନାରୀମାନଙ୍କ ପାଇଁ କିଭଳି ଏକ ବିଶେଷ ଧରଣର ସଂକଟ ସୃଷ୍ଟି କରିପାରେ, ତାହା ମରିସ୍ଙ୍କ ପୁସ୍ତକ ପ୍ରକାଶ ପାଇବା ପୂର୍ବ ବର୍ଷ ପ୍ରକାଶ ପାଇ ସାମାଜିକ-ଜୈବବିଜ୍ଞାନ ମହଲରେ ବ୍ୟାପକ ଆଲୋଡ଼ନ ସୃଷ୍ଟି କରିଥିବା ଜର୍ଜ ୱିଲିଅମ୍ସଙ୍କ ରଚନା ‘ଆଡାପ୍ଟେସନ୍ ଆଣ୍ଡ୍ ନାଚୁରାଲ୍ ସିଲେକ୍ସନ୍: ଏ କ୍ରିଟିକ୍ ଅଫ୍ ସମ୍ କରେଣ୍ଟ୍ ଇଭଲ୍ୟୁସନାରି ଥଟ୍’ ବହନ କରୁଥିବା ଏକ ନିର୍ଦ୍ଦିଷ୍ଟ ଅନ୍ତର୍ଦୃଷ୍ଟି ଆମ ପାଇଁ ସ୍ପଷ୍ଟ କରିଥାଏ। ଯୌନ ସଂପର୍କ ହେଉଛି ପ୍ରକୃତି ଦ୍ବାରା ସୃଷ୍ଟ ପ୍ରଜନନର ଏକ ମାଧ୍ୟମ। ପ୍ରଜନନ ପିତାମାତାଙ୍କ ତ୍ୟାଗ ଉପରେ ନିର୍ଭରଶୀଳ ହୋଇଥାଏ। ୱିଲିଅମ୍ସ ଯେଉଁ କଠୋର ଲିଙ୍ଗ-ବିଦ୍ବେଷୀ ସତ୍ୟ ପ୍ରତି ଆମର ଦୃଷ୍ଟି ଆକର୍ଷଣ କରିଥାନ୍ତି, ତାହା ହେଲା, ପ୍ରାକୃତିକ ଚୟନ ଦୃଷ୍ଟିରେ ପୁରୁଷର ପ୍ରଜନନ ସଂପର୍କିତ ତ୍ୟାଗ ହେଉଛି ପ୍ରାୟ ଶୂନ୍ୟ କହିଲେ ଭୁଲ୍ ହେବ ନାହିଁ।
ଆଦିମ ପୁରୁଷ ସଙ୍ଗମରେ ପ୍ରବୃତ୍ତ ଥିବା ସମୟରେ କ୍ଷଣକ ପାଇଁ ତା’ର ପାରିପାର୍ଶ୍ବିକ ବିପଦରୁ ତା’ର ଯେଉଁ ଧ୍ୟାନ ହଟିଯାଇଥାଏ, କେବଳ ତାହା ହିଁ ଥିଲା ତା’ର ତଥାକଥିତ ତ୍ୟାଗ। ଅପରପକ୍ଷେ ଆଦିମ ନାରୀ ପାଇଁ ପ୍ରଜନନ କିପରି ଅସୀମ ତ୍ୟାଗ ସୃଷ୍ଟି କରିଥାଏ - ଗର୍ଭଧାରଣ, ପ୍ରସବ, ସନ୍ତାନ ଲାଳନପାଳନ... - ତାହା ସହଜେ ଅନୁମେୟ। ଏହି ତ୍ୟାଗଶୂନ୍ୟ ଯୌନ ସମ୍ଭୋଗର ସମ୍ଭାବନା ପୁରୁଷକୁ ବାରମ୍ବାର ତଥା ଏକାଧିକ ନାରୀଙ୍କ ସହିତ ଯୌନ ସଂପର୍କ ସ୍ଥାପନ କରିବାକୁ ଆକର୍ଷିତ କରୁଥିବା ବେଳେ ବିଶାଳ ତ୍ୟାଗର ସମ୍ଭାବନା ନାରୀ ଠାରେ ସେଥିପ୍ରତି ଘୋର କୁଣ୍ଠା ଓ ସତର୍କତା ସୃଷ୍ଟି କରିଥାଏ। ଡେସ୍ମଣ୍ଡ୍ ମରିସ୍ଙ୍କ ‘ଯୋଡ଼ି-ଆବଦ୍ଧ’ ପରିପ୍ରେକ୍ଷୀରେ ଏହା ନାରୀ ପାଇଁ ସୃଷ୍ଟି କରୁଥିବା ସଂକଟ ଅନୁମାନ କରିବା କଷ୍ଟ ନୁହେଁ। ସଂକ୍ଷେପରେ କହିଲେ ପୁରୁଷର ଅସୀମ କାମ ପିପାସା ଚରିତାର୍ଥ କରିବା ପାଇଁ ‘ଯୋଡ଼ି-ଆବଦ୍ଧ’ ନାରୀକୁ ତା’ ସହିତ ଅନେକ ସମୟରେ ସହମତିହୀନ ସଙ୍ଗମରେ ପ୍ରବୃତ୍ତ ହେବାକୁ ପଡ଼ିଥାଏ। ଏହା ଆକ୍ଷରିକ ଭାବରେ ‘ଯୋଡ଼ି-ଆବଦ୍ଧ’ ବନ୍ଦିନୀର ଧର୍ଷଣ କହିଲେ ଅତ୍ୟୁକ୍ତି ହେବ ନାହିଁ।
ବିବର୍ତ୍ତନର ଆଦ୍ୟ କାଳରେ ଆଦିମ ନାରୀକୁ ଯେଉଁଭଳି ପ୍ରାକୃତିକ ଚୟନସୃଷ୍ଟ ଏହି ଦୁର୍ଦ୍ଦଶା ଭୋଗ କରିବାକୁ ପଡୁଥିଲା, ଆଧୁନିକ ନାରୀକୁ ମଧ୍ୟ ସେଥିରୁ ନିସ୍ତାର ମିଳିନାହିଁ। ସେଇ ଦୁର୍ଦ୍ଦଶାର ଆଧୁନିକ ନାମକରଣ ହେଲା- ବୈବାହିକ ଧର୍ଷଣ (ମ୍ୟାରିଟାଲ୍ ରେପ୍)। ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଯେଉଁ ମାମଲାର ଶୁଣାଣିରୁ ଓହରି ଯାଇଛନ୍ତି, ତାହା ହେଉଛି ଏହି ବୈବାହିକ ଧର୍ଷଣକୁ କେନ୍ଦ୍ର କରି: ଧର୍ଷଣ ଯଦି ଏକ ଅପରାଧ, ତା’ହେଲେ ବୈବାହିକ ଧର୍ଷଣ ମଧ୍ୟ ଏକ ଅପରାଧ ରୂପେ ବିବେଚିତ ହେବ ନା ନାହିଁ? ନିକଟ ଭବିଷ୍ୟତରେ ଏହି ମାମଲା ବିଚାରର ସମାପ୍ତି ଘଟିବାର ସମ୍ଭାବନା ଦେଖାଯାଉନାହିଁ ବୋଲି କାରଣ ଦର୍ଶାଇ ଚନ୍ଦ୍ରଚୂଡ଼ ଏହାର ଶୁଣାଣିରୁ ଓହରି ଯାଇଛନ୍ତି।
ବର୍ତ୍ତମାନର ଆଇନ ଅନୁସାରେ ପତ୍ନୀର ବୟସ ଯଦି ୧୮ ବର୍ଷରୁ ଅଧିକ ହୋଇଥାଏ, ତେବେ ସ୍ବାମୀ ବିରୁଦ୍ଧରେ ଧର୍ଷଣ ଅଭିଯୋଗ ଅଣାଯାଇ ପାରିବ ନାହିଁ। ଏହି ନ୍ୟାୟ ତତ୍ତ୍ବ ଯେଉଁ ଲିଙ୍ଗ-ବିଦ୍ବେଷୀ ପାରମ୍ପରିକ ଚିନ୍ତାଧାରା ଉପରେ ଅାଧାରିତ, ତାହା ହେଲା- ବିବାହ ଅର୍ଥ ହେଉଛି ପ୍ରଶ୍ନହୀନ ସମ୍ମତି। ଏହି ପରମ୍ପରାର ନାମ ହେଉଛି- ପୁରୁଷାଧିପତ୍ୟ ବା ‘ପାଟ୍ରିଆର୍କି’। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଶିକ୍ଷାନୁଷ୍ଠାନରେ ଅଭିଭାଷଣ ପ୍ରଦାନ କରିବା ଅବସରରେ ଜଣେ ଉଚ୍ଚାକାଙ୍କ୍ଷୀ ନାରୀ ପାଇଁ ‘ପାଟ୍ରିଆର୍କି’ ଏକ ପ୍ରତିବନ୍ଧକ ହୋଇପାରି ନ ଥାଏ ବୋଲି କହିଥିଲେ ହେଁ, ଏହି ନିର୍ଦ୍ଦିଷ୍ଟ ଲିଙ୍ଗ-ଅପରାଧ ଯେ ସଂପୂର୍ଣ୍ଣ ରୂେପ ‘ପାଟ୍ରିଆର୍କି’-ପ୍ରସୂତ ଏଥିରେ କେହିହେଲେ ଦ୍ବିମତ ହୋଇପାରିବେ ନାହିଁ।
ସରକାର ସର୍ବଦା ଆଶଙ୍କା ପ୍ରକାଶ କରିଆସୁଛନ୍ତି ଯେ ବୈବାହିକ ଧର୍ଷଣକୁ ଅପରାଧରେ ପରିଣତ କରିଲେ ତାହା ଭାରତୀୟ ପରିବାରର ସ୍ଥିରତା ଧ୍ବଂସ କରିବ, ଏବଂ ଯେହେତୁ ପରିବାର ହେଉଛି ଭାରତୀୟ ସମାଜର ମୂଳାଧାର, ଏହାଦ୍ବାରା ସମାଜ ଭୁଶୁଡ଼ି ପଡ଼ିବ। ଧର୍ମ ମଧ୍ୟ ଏଠାରେ ନାରୀମାନଙ୍କ ସ୍ବାର୍ଥ ବିରୋଧରେ କାର୍ଯ୍ୟ କରିଥାଏ। ପୃଥିବୀରେ ଅନୁସୃତ ସମସ୍ତ ଧର୍ମରେ ଯେମିତି ଈଶ୍ବରଙ୍କୁ ଜଣେ ପୁରୁଷ ରୂପେ କଳ୍ପନା କରାଯାଇଥାଏ, ସବୁ ଧର୍ମରେ ସେଇଭଳି ଏକ ପୁରୁଷପ୍ରଧାନ ସମାଜର ପରିକଳ୍ପନା କରାଯାଇଥାଏ। ଏଭଳି ସମାଜରେ ନାରୀମାନଙ୍କୁ କେବଳ ସମାଜର ଗୌଣ ସଦସ୍ୟ ରୂେପ ଦେଖାଯାଇ ନ ଥାଏ, ସେମାନଙ୍କୁ ବସ୍ତୁତଃ ପୁରୁଷର ସଂପତ୍ତି ରୂପେ ଦେଖାହୋଇ ଆସିଛି, ଯାହାକୁ ସଂପତ୍ତିର ମାଲିକ ତା’ର ଇଚ୍ଛା ଅନୁସାରେ ବ୍ୟବହାର କରିପାରିବ।
କିନ୍ତୁ ଆଧୁନିକ ସମୟରେ ସଭ୍ୟତାର ପ୍ରସାର ସହିତ ତାଳ ଦେଇ ନାରୀ ମୁକ୍ତି ଆନ୍ଦୋଳନର ପ୍ରସାର ଘଟି ଅଧିକାଂଶ ସଭ୍ୟ ଦେଶରେ ନାରୀମାନଙ୍କୁ ପୁରୁଷମାନଙ୍କ ସହିତ ସମାନ ନାଗରିକ ଅଧିକାର ପ୍ରଦାନ କରାଗଲାଣି, ଯାହା ଅନୁସାରେ ଜଣେ ନାରୀ ଆଉ ତା’ ସ୍ବାମୀର ଯୌନ-ବନ୍ଦିନୀ ରୂପେ ବିବେଚିତ ନ ହୋଇ ଜଣେ ରକ୍ତମାଂସଧାରିଣୀ, ସ୍ବାଧୀନ ସତ୍ତା ରୂପେ ସ୍ବୀକୃତ ହୋଇଥାଏ। ଏହି ସ୍ବାଧୀନ ସତ୍ତା ଯେଉଁ ବିଭିନ୍ନ ପ୍ରସଙ୍ଗରେ ନିଜର ସ୍ବାଧୀନ ନିଷ୍ପତ୍ତି ନେବାର ଅଧିକାର (‘ଏଜେନ୍ସି’) ଉପଭୋଗ କରିଥାଏ, ସେଥିରେ ସର୍ବପ୍ରଧାନ ହେଉଛି ତା’ ନିଜର ଶରୀର। ଜଣେ ଅବିବାହିତା ନାରୀର ଯଦି ନିଜ ଶରୀର ଉପରେ ସ୍ବାଧୀନ ଅଧିକାର ଥାଏ, ବିବାହ ପରେ ସେ ତାହା ହରାଇବ କାହିଁକି? ବିବାହର ଅନ୍ୟ ପକ୍ଷ ଜଣକ, ଅର୍ଥାତ୍ ପତି ନାମକ ପୁରୁଷ ଜଣକ ତ ବିବାହ ପରେ ନିଜ ଶରୀର ଉପରୁ ନିଜର ଅଧିକାର ହରାଇ ବସି ନ ଥାଏ!
ଉଲ୍ଲେଖଯୋଗ୍ୟ, ପୃଥିବୀର ଅଧିକାଂଶ ପ୍ରଗତିଶୀଳ ଦେଶରେ ବୈବାହିକ ଧର୍ଷଣ ଅପରାଧ ରୂପେ ପରିଗଣିତ ହୋଇସାରିଲାଣି। ଆମେରିକା, କାନାଡା, ବ୍ରିଟେନ୍, ଅଷ୍ଟ୍ରେଲିଆ ଆଦି ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ମୁଖ୍ୟତଃ ମଧ୍ୟପ୍ରାଚ୍ୟର ଇସ୍ଲାମୀୟ ଦେଶମାନ ଓ ଅାଫ୍ରିକାର କେତେକ ରକ୍ଷଣଶୀଳ ପଛୁଆ ଦେଶମାନଙ୍କରେ ଏ ପର୍ଯ୍ୟନ୍ତ ନାରୀମାନଙ୍କୁ ଏହି ଅତ୍ୟାଚାରରୁ ମୁକ୍ତି ମିଳିନାହିଁ। ନିଜକୁ ବିଶ୍ବଗୁରୁ ରୂପେ ପ୍ରଦର୍ଶିତ କରୁଥିବା ଭାରତ ଏହି ଦ୍ବିତୀୟ କିମସର ଦେଶମାନଙ୍କୁ ଅନୁସରଣ କରିବା ନିଶ୍ଚିତ ରୂପେ ଆମକୁ ଗୌରବାନ୍ବିତ କରି ନ ଥାଏ। ଆଶା କରାଯାଏ ଚନ୍ଦ୍ରଚୂଡ଼ଙ୍କ ପରବର୍ତ୍ତୀ ଯେଉଁ ନ୍ୟାୟମୂର୍ତ୍ତିମାନେ ଏ ମାମଲାର ବିଚାର କରିବେ, ସେମାନେ ଭାରତୀୟ ନାରୀକୁ ଏହି ପ୍ରାଚୀନ ଅନ୍ୟାୟରୁ ମୁକ୍ତି ପ୍ରଦାନ କରିବା ସହିତ ମନେ ରଖିବେ ଯେ ନାରୀର ମର୍ଯ୍ୟାଦା ଉପରେ ଦେଶର ମର୍ଯ୍ୟାଦା ନିର୍ଭର କରିଥାଏ।